Unknown

 

 

 

 

 

 

 

 

 

 

 

ସତ୍ୟନଗର

ସାତକଡ଼ି ହୋତା

 

କବାଟ ବନ୍ଦ କରି ଶୋଇବାକୁ ଯାଉଥିଲା ରାଧା, କବାଟର କଡ଼ା ବାଜିବାର ଶବ୍ଦ ଭାସିଆସିଲା । ରାତି ଦଶଟାରେ ପୁଣି କିଏ ଆସିଲା, କାହାର ଦରକାର ପଡ଼ିଲା ? ରାଧା କବାଟ ନ ଖୋଲି ଭିତରେ ଥାଇ ପଚାରିଲା, କିଏ ସେ ?

 

କବାଟ ସେପାଖରେ ଛିଡ଼ା ହୋଇଥିବା ଲୋକର ଭାରି ନିଶ୍ୱାସ ଶୁଣି ପାରୁଥିଲା ସେ । ଯେପରି ଦଉଡ଼ି ଦଉଡ଼ି ଆସିଛି ଲୋକଟି ।

 

ରାଧା ଆଉଥରେ ପଚାରିଲା, କିଏ ସେ ?

 

ସେ କିନ୍ତୁ ନିଜର ପରିଚୟ ନ ଦେଇ କହିଲା, କବାଟ ଖୋଲ, କବାଟ ଖୋଲ, ବଡ଼ ବିପଦରେ ପଡ଼ି ଟିକେ ଆଶ୍ରୟ ପାଇଁ ଚାଲିଆସିଛି ମୁଁ ।

 

ଅପରିଚିତ, ନାମ ଗୋତ୍ର ଜାଣି ନ ଥିବା ବ୍ୟକ୍ତିକୁ ଏତେ ରାତିରେ ଆଶ୍ରା ଦବାଲାଗି ସେ କେବଳ ଅଛି, ଆଉ କେହି ନାହିଁ ସତ୍ୟନଗରରେ ? ରାଧା ଏପାଖରୁ କହିଲା, ତୁମେ କିଏ, ତୁମର ପରିଚୟ କଅଣ ? ମୁଁ ତ ତୁମକୁ ଚିହ୍ନିଲାପରି ମନେହେଉନି ।

 

ସେ ପାଖରୁ ସ୍ୱରରେ ଉତ୍କଣ୍ଠା ଫୁଟାଇ ଲୋକଟି କହିଲା, ଜଲଦି ଖୋଲ, ସେମାନେ ପାଖେଇ ଆସୁଥିବାର ପାଦ ଶବ୍ଦ ଶୁଣାଗଲାଣି, ଯଦି ପହଞ୍ଚି ଯାଆନ୍ତି ଆଉ ନିସ୍ତାର ନାହିଁ, ଜୀବନରେ ମାରିଦେବେ ନିଶ୍ଚୟ ।

 

ଆଉ ବିଳମ୍ବ ନ କରି କବାଟ ଖୋଲି ଦେଲା ରାଧା । ଝଡ଼ପରି ଭିତରକୁ ପଶି ଆସି କବାଟ ବନ୍ଦ କରି ଶିକୁଳି ନିଜ ହାତରେ ଲଗେଇ ଦେଇ ଆଗନ୍ତୁକ ଫିସ୍‌ଫିସ୍‌ କରି କହିଲା, ଉପାୟ ନ ଥିଲା କିଛି, ବାଧ୍ୟ ହୋଇ ଚାଲିଆସିଲି ତୁମ ଘରକୁ । ସେମାନେ ପିଛା କରୁଛନ୍ତି । କେହି ଆସିଲେ କହିବ ଏଠାରେ କେହି ନାହିଁ, ତୁମେ କାହାକୁ ଦେଖିନ ।

 

ସେତେବେଳକୁ ଦରଜା ସେପାଖରେ ଦଳେ ଲୋକଙ୍କର ଭାରି ଭାରି ପାଦ ଶବ୍ଦ ଶୁଣାଯାଉଥିଲା । ଆଗନ୍ତୁକ ଆଉ ଅପେକ୍ଷା ନ କରି ରାଧାର ଖଟ ତଳେ ଲୁଚିଗଲା । ରାଧା କବାଟ ନ ଖୋଲି କହିଲା, କିଏ ସେ ?

 

ସେ ପାଖରୁ କେହିଜଣେ ଉତ୍ତେଜିତ ସ୍ୱରରେ କହିଲା, ତୁମ ଘରଆଡ଼କୁ ଗୋଟେ ଲୋକ ଆସିବାର ଦେଖିଲି ମୁଁ, କବାଟ ଖୋଲିଦିଅ... ।

 

ରାଧା ଏପାଖରୁ କହିଲା, ମୋ ଘରକୁ ଏତେ ରାତିରେ କିଏ ଆସିବ, ଆସିଲେ ବି ମୁଁ କବାଟ ଖୋଲିବି କାହିଁକି ଯେ ? ଅନ୍ୟ କୋଉଠି ଲୁଚିଥିବ, ଖୋଜିନିଅ... ।

 

ଆଉ ଜଣେ ଧମକ ଦବା ଭଳି ସ୍ୱରରେ କହିଲା, ତୁମେ ଆମ ସାହିର ପିଲାଙ୍କୁ ପଢ଼ାଅ ବୋଲି ଆଉ କିଛି କହୁନି; କିନ୍ତୁ ପରେ ଯଦି ଜାଣିବୁ ଯେ ତୁମ ଘରେ ସେଇ ସଇତାନ ଲୁଚିଛି ତୁମର ଇଜ୍ଜତ ରହିବ ନାହିଁ... ।

 

ରାଧା ଆଶଙ୍କାରେ ଶିହରି ଉଠୁଥିଲା ବାରମ୍ବାର; କିନ୍ତୁ ଅସହାୟକୁ ଦଇବ ସାହା । ସେମାନେ ଯେପରି ଆସିଥିଲେ ସେହିପରି ଚାଲିଗଲେ, କବାଟ ଖୋଲିବାଲାଗି ଆଉ ବାଧ୍ୟ କଲେନି ରାଧାକୁ । ଆସନ୍ନ ବିପତ୍ତିରୁ ବର୍ତ୍ତିଗଲା ଭାବି ଦଣ୍ଡେ ଛିଡ଼ା ହୋଇ ରହିଲା ରାଧା । ସେତେବେଳକୁ ତା ଦେହ ଝାଳେଇ ଯାଇଥିଲା । ତଣ୍ଟି ଶୁଖି ଆସିଥିଲା । ସେ ଭୁଲି ଯାଇଥିଲା ଯେ, ଏଇ ଝୁମ୍ପୁଡ଼ି ଘରେ ସେ ଏକା ନୁହେଁ, ଆଉ ଜଣେ ବି ଅଛି, ଯାହା ସହିତ ତା’ର ଚିହ୍ନା ପରିଚୟ ନାହିଁ, ଯାହାକୁ ସେ କେବେ ଦେଖିନି କି ତା’ର ଠିକଣା ଜାଣିନି ।

 

ସତ୍ୟନଗରକୁ ଆସିଲା ଦିନୁ ଏପରି ଅବସ୍ଥାର ସମ୍ମୁଖୀନ ସେ କେବେ ହୋଇ ନ ଥିଲା ଆଜିପର୍ଯ୍ୟନ୍ତ । ଏପରି ଘଟଣା ଏଇ ପ୍ରଥମ; କିନ୍ତୁ ଅସାମାଜିକ ଲୋକଙ୍କର ଉତ୍ପାତ ଯେ ବଢ଼ିବାରେ ଲାଗିଛି ଏହା ଅନ୍ୟମାନଙ୍କ ମୁହଁରୁ ଅନେକଥର ଶୁଣିଛି ସେ । ମଝିରେ ମଝିରେ ଗୁଣ୍ଡାମାନଙ୍କର ଉପଦ୍ରବ ବିଷୟ ଶୁଣାଯାଏ । ଏଇ ତିନିଦିନ ତଳର କଥା, ଏ ସାହିରେ ରଙ୍ଗା ରାଓର ଝିଅ ସତ୍ୟବତୀ ମାଳି ସାହିରେ ଥିବା ତା ମାମୁଁ ଘରକୁ ଯାଇ ଆଉ ଫେରିଲା ନାହିଁ, ମାମୁଁ ଘରୁ ଲେଉଟିବା ବାଟରେ ପୋଲ ନିକଟରୁ ଦୁର୍ବୁତ୍ତମାନେ ତାକୁ କୁଆଡ଼େ ଟେକି ନେଇଗଲେ, ଆଜିଯାଏ ମିଳିନି । ଥାନାରେ ଏତାଲା ଦେଇଛି ରଙ୍ଗା ରାଓ, ଅନୁସନ୍ଧାନ ଜାରି ରହିଛି ବୋଲି କହୁଛି ପୁଲିସ୍‍; କିନ୍ତୁ ସତ୍ୟବତୀ ଜୀବନରେ ଅଛି କି ନାହିଁ କେହି କହିପାରୁ ନାହାନ୍ତି ।

 

ତା’ ଘର ଭିତରେ ସେ ଯେ ଏକା ନୁହେଁ, ଆଉ ଜଣେ ଅଚିହ୍ନା ଲୋକ ବି ଅଛି, ଏତେବେଳେ ପୁଣି ମନେ ପଡ଼ିଯିବାରୁ ଆଶଙ୍କାରେ ଶିହରି ଉଠିଲା ରାଧା ।

 

ରାଧା କୋଠରି ଭିତରକୁ ନ ଯାଇ ବାହାରେ ଛିଡ଼ା ହେଲା । ଅଚିହ୍ନା ଲୋକ ସହିତ ଗୋଟାଏ କୋଠରିରେ ପୁଣି ରାତିରେ ରହିବା ଅସମ୍ଭବ । ଆଉ ଗୋଟେ ଅଲଗା ଘର ବି ନାହିଁ ଯେ ଶୋଇପଡ଼ିବ ସେଠାରେ । ବାରଣ୍ଡାର ଏକ ଘରେ ରୋଷେଇ କରେ ରାଧା । ଆଉ ଏକ ଘର । ବାହାରୁ କେହି ଆସିଲେ ବସାଉଠା କରନ୍ତି । ଘରେ ଜଣେ ଅଚିହ୍ନା ଲୋକଙ୍କୁ ଆଶ୍ରୟ ଦବାପାଇଁ ଜାଗା ନାହିଁ; କିନ୍ତୁ ତାକୁ ଏଇ ରାତି ଏଗାରଟାରେ ତଡ଼ିଦେଇ ବି ପାରୁନାହିଁ । ଧର୍ମ ସଙ୍କଟରେ ପଡ଼ିଗଲା ରାଧା । କ’ଣ କରିବା ଉଚିତ ତାହା ଠିକ୍‌ କରି ନ ପାରି ସେଇ ବାରଣ୍ଡାରେ ଛିଡ଼ା ହୋଇ ରହିଲା ।

 

ସତ୍ୟନଗରର ରାତି ବହଳ ହେଲାଣି ସେତେବେଳକୁ । ବିଜୁଳି ସରବରାହରେ ଗଣ୍ଡଗୋଳ ଯୋଗୁ ସବୁଆଡ଼େ ଘୋଟିଯାଇଛି ଅନ୍ଧାର । ରାସ୍ତା ବା ଘରେ ଆଲୁଅ ନାହିଁ । ଆଲୁଅରେ ଉଛୁଳି ଉଠୁଥିବା ଜାଗା ହଠାତ୍‌ ଅନ୍ଧାର ହୋଇଗଲେ ଆହୁରି ଭୟଙ୍କର ଦିଶେ-ଠିକ୍‌ ଯେମିତି ବନ୍ଧୁ ଶତ୍ରୁରେ ପରିଣତ ହେଲେ ହୁଏ ଭୟଙ୍କର । ଠିଆହୋଇ ସେଇ ଅନ୍ଧାର ଭିତରକୁ ଚାହିଁଥିଲା ରାଧା ଏଇ ଆଶାରେ ଯେ, ହଠାତ୍‌ ସେଇ ଲୋକଟା ତା ଘର ଭିତରକୁ ପଶିଆସିବା ପରି ହୁଏତ ଆଲୁଅ ବି ଜଳି ଉଠିବ ରାସ୍ତାକଡର ବତିଖୁଣ୍ଟରେ ବା ଘର ଭିତରେ । ସେତେବେଳେ ଏଇ ଅଜଣା ଲୋକଟି ପରି ଏଇ ଅନ୍ଧାର ବି ମାଡ଼ି ପଡ଼ିବ ନାହିଁ । ଅନ୍ଧାରର ଲାଜ ନାହିଁ ବୋଲି ସବୁ ଲଜ୍ୟା ବିସର୍ଜନ ଦେଇ ମଣିଷ ପଶୁ ହୋଇଯାଏ ଅନ୍ଧାରରେ । ଆଲୁଅର ତ ଲଜ୍ୟା ଅଛି, ସେଥିପାଇଁ ମଣିଷର ଅପରାଧବୋଧ ମୁହଁମାଡ଼ି ପଡ଼ିରହେ ଆଲୁଅରେ ।

 

ସେଇ ଲୋକଟା କେତେବେଳୁ ଉଠିଆସି ତା ଆଗରେ ଛିଡ଼ା ହୋଇଛି ଜାଣିପାରିନି ରାଧା । ସେ ହୁଏତ ସେହିପରି ଛିଡ଼ାହୋଇ ଥାଆନ୍ତା; କିନ୍ତୁ ଆଗନ୍ତୁକ କହିଲା, ସେମାନେ ବୋଧହୁଏ ଚାଲିଗଲେଣି... ।

 

ଚମକିପଡ଼ି ଘୁଞ୍ଚିଗଲା ରାଧା । ସେଇ ଲୋକଟା ଅତି ନିକଟରେ ଛିଡ଼ା ହୋଇଥିବାର ଅନୁଭବ କରି ବି ସେ ନିସଙ୍ଗ ମନେକଲା ।

 

ଆଗନ୍ତୁକ କହିଲା, ତୁମକୁ ଅଶେଷ ଧନ୍ୟବାଦ । ମୁଁ ଚିରକୃତଜ୍ଞ ରହିବି ତୁମର ଏଇ ମହାନୁଭବତା ପାଇଁ । ଏଇ ଅନ୍ଧାରରେ ଚାଲିଯିବା ଶ୍ରେୟସ୍କର । ସେମାନେ ସହଜରେ ଜାଣିପାରିବେ ନାହିଁ ।

 

ରାଧା କିଛି କହିବା ପୂର୍ବରୁ ସେ କହିଲା, ମୁଁ ଯାଉଛି...ଯଦି ସୁଯୋଗ ପାଏ ଋଣ ପରିଶୋଧ କରିବାପାଇଁ ଚେଷ୍ଟା କରିବି ।

 

ରାଧାର ତଣ୍ଟି ପାଖରେ କଥାଗୁଡ଼ା ଅଟକି ରହିଥିଲା, ସେ ନିର୍ବାକ୍‌ ଭାବରେ କେବଳ ଛିଡ଼ାହୋଇ ରହିଲା । କବାଟ ଖୋଲି ସେଇ ଲୋକଟି ଅନ୍ଧାରରେ ଅଦୃଶ୍ୟ ହୋଇଗଲା । ଆଗରେ ଶତ୍ରୁ ଲୁଚି ରହିଥାଇପାରେ ଏହା ଆଶଙ୍କା କରି ମଧ୍ୟ ସେ ତାକୁ ନ ଯିବା ଲାଗି ବାରଣ କରିପାରିଲା ନାହିଁ । ନିଜର ସ୍ୱାର୍ଥପରତା ଯୋଗୁ ସେ ଛୋଟ ହୋଇଗଲା ଆପଣା ପାଖରେ ।

 

ଯାହାକୁ ଆଶ୍ରୟ ଦେଇ ଠିକ୍‌ କରିଛି କି ଭୁଲ କରିଛି ଠିକ୍‌ କରିପାରୁ ନ ଥିଲା ରାଧା । ଟିକେ ପୂର୍ବରୁ ସେଇ ଅପରିଚିତ ଲୋକଟି ଆଶ୍ରା ଛାଡ଼ି ଚାଲିଯିବାରୁ ତା’ର ନିରାପତ୍ତା ପାଇଁ ହଠାତ୍‌ କିନ୍ତୁ ଉତ୍କଣ୍ଠାରେ ଗୁମୁରି ଉଠିଲା ରାଧାର ହୃଦୟ ।

 

ଆଉ ଠିକ୍‌ ସେଇ ସମୟରେ ତା’ର ଛାତି ତଳର ସ୍ପନ୍ଦନକୁ ଦ୍ୱିଗୁଣିତ କରି ଜଳିଉଠିଲା ଆଲୁଅ ।

 

ସତ୍ୟ ନଗରର ଲୁଚି ଯାଇଥିବା ରୂପ ପୁଣି ଉଦ୍ଭାସିତ ହୋଇଉଠିଲା ପଲକରେ ।

 

ରାଧାର ଚେତନାରେ ସେଇ ଅଜଣା ଆଗନ୍ତୁକର ଉପସ୍ଥିତି ଲେସିହୋଇ ଯାଇଥିଲେ ବି ସେଇ ଲୋକଟି ଅପରିଚିତ ରହିଗଲା । ଅଚିହ୍ନା ମଣିଷଟି ଅଚିହ୍ନା ରହିଗଲା । ଛି ଛି, ସେଇ ଲୋକର ପରିଚୟ ପଚାରିବା ଲାଗି ବି ଭୁଲିଗଲା ସେ । ରାଧା ଧିକ୍‌କାର କଲା ନିଜକୁ ।

 

X X X

 

ଜଣେ ମଣିଷର ଆଉ ଜଣକ ସହିତ ପରିଚୟ ହେବାର ମୁହୂର୍ତ୍ତ ଅପେକ୍ଷା ଆଉ ଅଧିକ ଶୁଭ ମୁହୂର୍ତ୍ତ ସୃଷ୍ଟି ହୋଇନି ଧରିତ୍ରୀରେ । ମଣିଷର ପରିଚୟ ମଣିଷ ପାଖକୁ ଆଣିଦିଏ ସୁଯୋଗ ଓ ସମ୍ଭାବନା । ଏଇ ପରିଚୟ ପରିଣତ ହୁଏ ସମ୍ପର୍କ ସ୍ଥାପନ କରିବାର ସେତୁବନ୍ଧରେ । ସେଥିପାଇଁ ସମ୍ପର୍କର ସେତୁବନ୍ଧ ବାନ୍ଧି ମନୁଷ୍ୟ ସୃଷ୍ଟି କରିଛି ପରସ୍ପର ମଧ୍ୟରେ ବନ୍ଧନ ଓ ବନ୍ଧୁତ୍ୱର ପ୍ରଚୁର ପ୍ରବଣତା ।

 

ଆଜିକୁ ପାଞ୍ଚବର୍ଷ ତଳର କଥା । ସେତେବେଳେ ଏମ୍‌. ଏସ୍‌ସି. ପାସ କରି ଘରେ ବସିଥିଲା ରାଧା । ରୂପରେ ଓ ଗୁଣରେ ଅନେକଙ୍କ ଭିତରେ ବାରିହୋଇ ପଡ଼ିବାର ବ୍ୟକ୍ତିତ୍ୱ ଥାଇ ମଧ୍ୟ ସେ ବଣମଲ୍ଲୀପରି ଅପେକ୍ଷା କରୁଥିଲା ପ୍ରତିଦିନର ପ୍ରଭାତକୁ । ହଠାତ୍‌ ଦିନେ ସେ ଶୁଣିଲା ଯେ, ବିଦେଶରୁ ଭାବୀ ବର ଆସୁଛି ତାକୁ ଦେଖିବା ପାଇଁ । ପ୍ରଥମେ ବିଶ୍ୱାସ କରିପାରୁ ନ ଥିଲା ରାଧା; କିନ୍ତୁ ଯେତେବେଳେ ନିଜେ ମା’ ଆସି କହିଲେ ଏ କଥା ସେ ଅବିଶ୍ୱାସ କଲାନାହିଁ ସତ; କିନ୍ତୁ ଆଶ୍ଚର୍ଯ୍ୟ ହୋଇଗଲା । ସେ ଆଇ. ଏସ୍‌ସି. ପଢ଼ିବାବେଳୁ ସମ୍ବନ୍ଧ ପାଇଁ କେତେ ପ୍ରସ୍ତାବ ଆସିଛି, ସେ କେତେଥର ସଜ ହୋଇ ସର୍କସ ଜୀବପରି ଆଗନ୍ତୁକମାନଙ୍କ ଆଗରେ ଛିଡ଼ା ହୋଇଛି, ହେଲେ ତା ଆଙ୍ଗୁଳିରେ ମୁଦିଟିଏ ପିନ୍ଧେଇଦେଇ କେହି ଆଶୀର୍ବାଦ କରିନି । ସମସ୍ତେ ସେଇ ଏକପ୍ରକାର ପ୍ରଶ୍ନ ଉତ୍ତର ତାକୁ ବ୍ୟତିବ୍ୟସ୍ତ କରିଦେଇଛନ୍ତି, ସେ ଟେପ୍‌ରେକର୍ଡ଼ର ପରି ଏକପ୍ରକାର ଉତ୍ତର ଦେଇ କ୍ଳାନ୍ତ ଅନୁଭବ କରିଛି; କିନ୍ତୁ ସେ ଥରେ ହେଲେ ବି ମନଖୋଲି କାହାକୁ ପ୍ରଶ୍ନ କରିବାର ସୁଯୋଗ ପାଇନି । ସେମାନଙ୍କର ଜାଣିବା କଥା ସେମାନେ ହୁଏତ ଜାଣିଛନ୍ତି; କିନ୍ତୁ ସେ ଇଚ୍ଛାକରି ବି ସେମାନଙ୍କ ବିଷୟରେ ଜାଣିପାରି ନାହିଁ । ଭାରତବର୍ଷରେ ସୀତା, ସାବିତ୍ରୀଙ୍କ ଉତ୍ତରାଧିକାରିଣୀ ଭାବରେ ଜନ୍ମଗ୍ରହଣ କରି ଏପରି ବିଡ଼ମ୍ବନାର ସମ୍ମୁଖୀନ ହେବାର ଗ୍ଳାନି ସେ ଭୁଲିନି ଆଜିଯାଏ । ସେଥିପାଇଁ ଯେତେବେଳେ ଶୁଣିଲା ଯେ, ତାକୁ ଦେଖିବା ପାଇଁ ନୁହେଁ, ତାର ଫଟୋ ଦେଖି ତା’ର ରୂପ ଓ ଗୁଣ ଶୁଣି ସେ ତାକୁ ବାହା ହେବାଲାଗି ଆସୁଛି, ସେତେବେଳେ ରାଧାର ବିସ୍ମୟର ସୀମା ରହିଲା ନାହିଁ । ଏପରି ଲୋକ ବି ଅଛନ୍ତି ଜଗତରେ ! ତା’ର ଜନ୍ମ ତାହେଲେ ନିରର୍ଥକ ହେବନାହିଁ !

 

ସେଇ ମୁହୂର୍ତ୍ତରୁ ସେଇ ଅଦେଖା, ଅଜ୍ଞାତ ପୁରୁଷ ତା’ର ମନ ଓ ପ୍ରାଣକୁ ଆଲୋଡ଼ିତ କରିବାକୁ ଲାଗିଲା । ଶିଶିରବିନ୍ଦୁ ଉପରେ ସୂର୍ଯ୍ୟର ମୁହଁ ଢଳଢଳ ହେବାପରି ସେଇ ଅଦେଖା ମୁହଁଟି ପ୍ରତିବିମ୍ବିତ ହେଲା ତା’ର ମାନସପଟରେ । ସେ ଭାବୀ ବରକୁ ଦେଖି ନ ଥିବାରୁ କାଳେ ବାହା ହେବାଲାଗି ରାଜି ନ ହୋଇପାରେ ଏହା ଆଶଙ୍କା କରି ତାକୁ କହିଲେ ବାପା, ତୁ ଯେପରି ତାକୁ ଦେଖିନୁ ସେ ବି ତୋତେ ଦେଖିନି, ମା’ କିନ୍ତୁ ସୁଧାଂଶୁ ଏକା କଥାରେ ରାଜି ହୋଇଯାଇଛି, ତୁ ବି ତା’ର ଫଟୋ ଦେଖିଛୁ; ସେ ଯେ ଆମେରିକାରେ ଡାକ୍ତର, ଭଲ ଉପାର୍ଜନ କରୁଛି ଏହା ବି ଶୁଣିଛୁ, ଆଉ ତାହେଲେ ଆପତ୍ତିର କାରଣ କ’ଣ ?

 

ପତି ନିର୍ବାଚନରେ ଏହାଛଡ଼ା ଆହୁରି ଯେ ଅନେକ କିଛି ଜାଣିବା ଦରକାର ତାହା କହି ନ ପାରି ମୌନ ରହିଥିଲା ରାଧା, ଆଉ ତା’ର ମୌନ ରହିବା ସମ୍ମତିର ଲକ୍ଷଣ ବୋଲି ଧରିନେଇ ସୁଧାଂଶୁ ସହିତ ରାଧାର ବାହାଘର କରି ଦେଇଥିଲେ ବାପା, ମା’ ।

 

ସେତେବେଳେ ରାଧାର ପୃଥିବୀରେ ଅନେକ ଇନ୍ଦ୍ରଧନୁ । ତା’ର ପ୍ରାଣତନ୍ତ୍ରୀରେ ଝଙ୍କୃତ ହେଉଥିଲା କେତେ ମେଘମହ୍ଲାର । ଫୁଲ ଫୁଟିବାର ମୁହୂର୍ତ୍ତଗୁଡ଼ାକ ଅପେକ୍ଷା କରୁଥିଲେ ଯେପରି । ରାଧାର ଅନ୍ତଃସ୍ଥଳରେ ଅନୁରାଗର ପରାଗ ବୋଳି ପ୍ରତିମୁହୂର୍ତ୍ତରେ ଫୁଟିଲା ନୂଆ ଫୁଲ । ତାକୁ ଆମୋଦିତ କଲା ନୂଆ ସୁରଭି । ସେ ପ୍ରେମର ରୋମାଞ୍ଚରେ, ନିବେଦନ କରି ନିଃଶେଷ ହୋଇଯିବାର ଅସରନ୍ତି ସ୍ୱାଦରେ, ଭଲ ପାଇବାର ଆକୁଳତାରେ ଜୀବନକୁ ଅନୁଭବ କରୁଥିଲା ନୂଆ ଭାବରେ । ନାରୀ ଜୀବନରେ ଏତେ ଦୁର୍ଲଭ ସୁଖ ଥାଇପାରେ ସେ ଜାଣିଲାବେଳକୁ ଏଇ ବିରାଟ ପୃଥିବୀ ସଙ୍କୁଚିତ ହୋଇ ଆସିଲା ତା ଆଗରେ ।

 

ସେଇ ସୁଖର, ଭଲ ପାଇବାର ଦିନଗୁଡ଼ାକ କିନ୍ତୁ ବେଶିଦିନ ରହିଲା ନାହଁ । ରାଧା ସିକାଗୋ ସହରରେ ନିଜକୁ ଆବିଷ୍କାର କରି ସଂସାର ସଜାଇବା ଲାଗି ଆୟୋଜନ କଲାବେଳକୁ ଦେଖିଲା ଯେ ସୁଧାଂଶୁର ଜୀବନରେ ସେ ପ୍ରଥମ ନୁହେଁ କି ଶେଷ ମଧ୍ୟ ନୁହେଁ; ଆମେରିକାର ମୁକ୍ତଭୋଗ ସହଜିଆ ଜୀବନ ପ୍ରବାହରେ ସୁଧାଂଶୁ ଭାସୁଛି ଅନିୟନ୍ତ୍ରିତ ନୌକା ପରି । କଲ୍ଲୋଳିତ, ମୁକୁଳିତ ହୋଇ ଉଠିଥିବା ହୃଦୟ ହଠାତ୍‌ ବେଦନାରେ ମର୍ମର ଉଠିଲା ଶରବିଦ୍ଧ ମିଥୁନରତ କ୍ରୋଞ୍ଚ ପରି । ଅସରନ୍ତି ସୁଖ ହଠାତ୍‌ ସରିଗଲା, ସେ ପରିତ୍ୟକ୍ତାର ନିଃସଙ୍ଗ ସଂସାରରେ କେବଳ ନିଜର ଅଶ୍ରୁ ନିଜେ ପୋଛିଲା, ନିଜର ଦର୍ପଧ୍ୱନି ନିଜେ ଶୁଣିଲା । ଗଡ଼ିଚାଲିଥିବା ସମୟ ହଠାତ୍‌ ଗୋଟାଏ ବିନ୍ଦୁରେ ବନ୍ଦ ହୋଇଗଲା ଯେପରି !

 

ସେଦିନର କଥାଗୁଡ଼ାକ ଆଜି ବି ମନେପଡ଼ୁଛି ରାଧାର ।

 

ମଧୁ ଯାମିନୀର ସୁଖର ଆବେଶ କଟିବା ପୂର୍ବରୁ ସିକାଗୋ ସହରକୁ ଆସିବା ପରେ ଧୀରେ ଧୀରେ ସେ ଆବିଷ୍କାର କଲା ଯେ, ସେ ସୁଧାଂଶୁ ମହାପାତ୍ରର ପ୍ରଧାନ ଆକର୍ଷଣ ନୁହେଁ, ଯିଏ ତାକୁ ଆମୋଦିତ, ଆହ୍ଳାଦିତ କରେ ସେ ହେଉଛି ସୁସାନ ହେୱାର୍ଡ଼ ।

 

ବିରାଟ ପ୍ରଶସ୍ତ ଶେଷ ନ ଥିବା ପଥ ହଠାତ୍‌ ଶେଷ ହୋଇଗଲେ ବାଟୋଇ ଯେପରି ସ୍ତବ୍‌ଧ ହୋଇ ଛିଡ଼ା ହୋଇଯାଏ, ସେହିପରି ଏକ ନିଃସଙ୍ଗ ସ୍ତବ୍‌ଧତା ମ୍ରିୟମାଣ କରି ପକାଇଲା ତାକୁ ।

 

ଯୌବନର ସେଇ କଲ୍ଲୋଳିତ ଦିନଗୁଡ଼ିକ କେଡ଼େ ମଧୁର ନ ଥିଲା ସତରେ ! ସେ ନିଜର ଭାଗ୍ୟକୁ ଭୋଗର ଅନ୍ୟ ରୂପ ବୋଲି ଧରିନେଇଥିଲା; କିନ୍ତୁ ଭୋଗ ପରେ ଯେପରି କ୍ଳାନ୍ତିରେ ଅବଶ ହୋଇଯାଏ ଶରୀର, ସେହିପରି ସୌଭାଗ୍ୟର ଅନ୍ତରାଳରେ ଲୁଚି ଛପି କେତେବେଳେ ଅନୁପ୍ରବେଶ କରିଥିଲା ଦୁର୍ଭାଗ୍ୟ ତାହା ସେଇଦିନ ଜାଣିଲା । ସେ ଯୋଉଦିନ ଦେଖିଲା ତାକୁ ଦେଇଥିବା କଣ୍ଟ ଉପେକ୍ଷା କରି ଲାବୋରେଟରୀକୁ ଯାଉଥିବାର ଛଳନା କରି ସୁଧାଂଶୁ ଚାଲିଗଲା ସୁସାନ ହେୱାର୍ଡ଼ ପାଖକୁ; ତଥାପି ସ୍ୱାମୀର ଫେରିବା ପଥକୁ ଅପେକ୍ଷା କରିଥିଲା ରାଧା । ଅଭିମାନରେ, ଅନ୍ତର୍ଦାହରେ ପୋଡ଼ିଜଳି ପାଉଁଶ ହୋଇଯାଇଥିବାବେଳେ ପରଦିନ ସକାଳେ ଯେତେବେଳେ ଫେରିଲା ସୁଧାଂଶୁ ରାଧାର ଜାଣିବାକୁ ଆଉ ବାକି ରହିଲା ନାହିଁ ଯେ ସେ ଯାହା ପଛରେ ଦଉଡ଼ିଛି ତାହା ଖାଲି ମରୀଚିକା; ତଥାପି ରାଧା ସେଦିନ ସୀମନ୍ତରୁ ସିନ୍ଦୁର ପୋଛି ପଳେଇ ଆସି ପାରି ନ ଥିଲା । ଲଜ୍ୟା ସରମ ଛାଡ଼ି ସେ ସୁଧାଂଶୁର ପଥରୋଧ କରି ଯେତେବେଳେ ତାକୁ ଘରେ ଏକା ଛାଡ଼ି ବାହାରେ ରାତ୍ରି ଯାପନର କାରଣ ପଚାରିଲା, ସୁଧାଂଶୁ ରାଗିଯାଇ କହିଲା ସ୍ତ୍ରୀକୁ ସବୁ ବିଷୟ କହିବା ପାଇଁ ସେ ବାଧ୍ୟ ନୁହେଁ । ଏହା ଭାରତ ନୁହେଁ, ଆମେରିକା !

 

ବାଧା ନ ମାନି ଝରିପଡ଼ୁଥିବା ଆଖିର ଅଶ୍ରୁ ନ ପୋଛି ରାଧା କହିଥିଲା, ତୁମେ ଚାଲିଗଲା ପରେ ସୁସାନ ଫୋନ କରିଥିଲା ତୁମକୁ, ଯେତେ ଲୁଚାଇଲେ ବି ମୁଁ ଜାଣେ ତୁମେ କେଉଁଠି କାହା ପାଖରେ ଥିଲ । ନିଜର ସ୍ତ୍ରୀ ଥାଉ ଥାଉ ପରଝିଅ ସାଙ୍ଗରେ ରାତି କଟେଇବା କେବଳ ଅପରାଧ ନୁହେଁ, ପାପ ମଧ୍ୟ... ।

 

ତା’ର ଅଣ୍ଟା ଅତିକ୍ରମ କରି ଝୁଲୁଥିବା କୃଷ୍ଣ କେଶଗୁଚ୍ଛ ହାତରେ ଧରି ଧକ୍‌କା, ଗୋଇଠା ଦେଇ ତାକୁ ଭୂଲୁଣ୍ଠିତ କରି କହିଥିଲା ସୁଧାଂଶୁ ତୋ ଭଳି ଗୋଟେ କୁତ୍ତିର ମୋତେ ଏପରି କହିବାର କୌଣସି ଅଧିକାର ନାହିଁ । ଯାହାଇଚ୍ଛା ମୁଁ ତାହା କରିବି...ଯାହା ସହିତ ଇଚ୍ଛାହେବ ତାହା ସହିତ ରାତି କଟାଇବି...ତୋତେ ଯେତିକି ଦେବି ତାହାହିଁ ତୋର ପ୍ରାପ୍ୟ...ବେଶି ନୁହେଁ ।

 

ସୁଧାଂଶୁର ମାଡ଼ ଗାଳି ଖାଇ ବି ତାହାର ସ୍ତ୍ରୀ ଭାବରେ ଆହୁରି କେତେମାସ କଟେଇ ଦେଇଥିଲା ରାଧା; କିନ୍ତୁ ଦିନକୁ ଦିନ ସୁଧାଂଶୁର ଉତ୍ପାତ୍ତ ବଢ଼ିବାରେ ଲାଗିଲା । ସେ ମାତାଲ ଅବସ୍ଥାରେ ରାତି ପାହାନ୍ତାରେ ଘରକୁ ଫେରି ତା ଉପରେ ଯେତେବେଳେ ଅତ୍ୟାଚାର କରିବାକୁ ଆରମ୍ଭ କଲା ସେତେବେଳେ ଜୀବନର ସବୁ ମୋହ, ସ୍ୱାମୀ ପ୍ରତି ତା’ର ସବୁ ମମତା ଓ ଅନୁରାଗ ଆପେ ଆପେ ନିଶେଷ ହୋଇଆସିଲା ।

 

ତଥାପି ବାହା ବେଦୀର ଶପଥ ମନେପକେଇ, ମା ବାପାଙ୍କ ଉପଦେଶ ସ୍ମରଣ କରି ପଡ଼ିରହିଥିଲା ରାଧା । ଅପମାନ ଓ ଅନ୍ତର୍ଦାହ ସହି ତଥାପି ସେ ବଞ୍ଚିବାଲାଗି ଇଚ୍ଛା କରୁଥିଲା । ବାରମ୍ବାର ଆତ୍ମହତ୍ୟା କରିବାକୁ ମନ କରି ମଧ୍ୟ ତାହା କରି ନ ପାରି ପୁଣି ଫେରିଆସିଥିଲା ସୁଧାଂଶୁ ପାଖକୁ ।

 

ସେଦିନ ଥାଏ ରବିବାର । ସାରା ଆମେରିକାର ଛୁଟିଦିନ । ରାଧା ପୂଜା ଓ ପ୍ରାର୍ଥନା ସାରି ବସିବା ଘରକୁ ଆସିଲାବେଳକୁ ବାହାରକୁ ଯିବାଲାଗି ସୁଧାଂଶୁ ଉଦ୍ୟତ ହେଉଥିଲା । ସେତିକିବେଳେ ଟେଲିଫୋନ୍‌ ବାଜି ଉଠିଲା । ଟେଲିଫୋନ୍‌ ରିସିଭରଟା ଉଠାଇ ନେଇଥିଲା ରାଧା, ଆଉ ଶ୍ୱଶୁର ଶେଷନିଶ୍ୱାସ ତ୍ୟାଗ କରିଥିବାର ସେଇ ଦାରୁଣ ମର୍ମାନ୍ତିକ ସମ୍ବାଦଟି ସେ ପ୍ରଥମେ ଶୁଣି ରିସିଭରଟା ବଢ଼େଇ ଦେଇଥିଲା ସ୍ୱାମୀ ହାତକୁ । ସୁଧାଂଶୁ ରିସିଭର ନ ଧରି ଚାଲିଯିବାକୁ ପାଦ ବଢ଼ାଇଲାବେଳେ ରାଧା କହିଲା, ଟେଲିଫୋନ୍‌ଟା ନିଅ...ଶୁଣ ସେଇ ଦୁଃସମ୍ବାଦ...ମୁଁ ଆଉ ପାରୁନି...ବାପା ଆଉ ନାହାନ୍ତି ।

 

ରିସିଭରଟା ସୁଧାଂଶୁ ନେଇଛି କି ନାହିଁ ରାଧା ଚୌକି ଉପରେ ବସିପଡ଼ି କାନ୍ଦି ବଠିଲା ଅବୋଧ ଶିଶୁପରି ।

 

ସୁଧାଂଶୁ ସବୁ ଶୁଣିସାରି ଘରୁ ବାହାରିଯିବା ପୂର୍ବରୁ ତାକୁ କହିଲା, ମୁଁ ତୁମର ଯିବାର ବ୍ୟବସ୍ଥା କରୁଛି । କାଲି ସନ୍ଧ୍ୟା ଫ୍ଳାଇଟ୍‌ରେ ଯିବ ତୁମେ...ମୋ ହାତରେ ଅନେକ କାମ, ବାପାଙ୍କ ଶେଷକୃତ୍ୟ ତୁମ ହେବ ଉପସ୍ଥିତିରେ...

 

ରାଧା ମୂକ ହୋଇଗଲା ସୁଧାଂଶୁର କଥା ଶୁଣି । ଯୋଉ ବାପା ପ୍ରାଇମେରୀ ସ୍କୁଲରେ ଶିକ୍ଷକତା କରି ପୈତୃକ ସମ୍ପତ୍ତି ବିକ୍ରୀକରି ପୁଅକୁ ଯୋଗ୍ୟ କରିବାଲାଗି ବିଦେଶ ପଠେଇଥିଲେ ଉଚ୍ଚ ଶିକ୍ଷାପାଇଁ, ସେଇ ପୁଅ ବାପାର ମୃତ୍ୟୁ ସମ୍ବାଦ ଶୁଣି ମଧ୍ୟ ଅବିଚଳିତ ସ୍ୱରରେ କହିପାରିଲା ଏକଥା !

 

ସୁଧାଂଶୁ ବୋଧହୁଏ ଆଉ ମଣିଷ ହୋଇ ରହି ନାହିଁ, ନ ହେଲେ ମୁହୂର୍ତ୍ତେ ମଧ୍ୟ ସ୍ୱର୍ଗତ ପିତାର ସଦ୍‌ଗତି କାମନା ନ କରି ସବୁ ପରମ୍ପରା ପାଦରେ ଭାଙ୍ଗି ନିଜ ମୁହଁରେ ଏତେ ଉଚ୍ଚ ସ୍ୱରରେ କହିପାରିଥାନ୍ତା ଯେ ବାପାଙ୍କର ଅନ୍ତ୍ୟେଷ୍ଟି କ୍ରିୟା କରିବାଲାଗି ସ୍ୱଦେଶକୁ ବାହାରିଯିବା ପାଇଁ ତା ହାତରେ ସମୟ ନାହିଁ, ସେ ଅତି ବ୍ୟସ୍ତ...ତା ହାତରେ ଅନେକ କାମ ।

 

ଅଥଚ ସେଇ ବାପ ତୁଚ୍ଛ ସାଧନକରି ଜୀବନର ସୁଖଗୁଡ଼ାକ ଗୋଡ଼ରେ ଠେଲିଦେଇ କେବଳ ଏକମାତ୍ର ପୁଅର କଲ୍ୟାଣ ପାଇଁ ଅହର୍ନିଶି ସ୍ୱପ୍ନ ଦେଖୁଥିଲେ, ତିଳ ତିଳ କରି ସବୁଥିରୁ ବଞ୍ଚିତ କରି ନିଜକୁ ମରଣ ମୁହଁକୁ ଠେଲି ଦେଇଥିଲେ ।

 

ତାଙ୍କରି କଥା ମନେପଡ଼ିଲା ରାଧାର... ।

 

ତୁ ବାବୁଲା ସାଙ୍ଗରେ ଯା ମା’ ସେ ତୋର ସ୍ୱାମୀ...ପତି ପରମେଶ୍ୱର । ତା ପାଖରେ ରହିବା, ତା’ର ସେବା କରିବା, ତାକୁ ସୁଖୀ କରିବା ତୋର ଧର୍ମ । ମୁଁ ଏକା ଚଳିଯାଇ ପାରିବି...ଆଉ ଯଦି ବିଶେଷ କିଛି ହୁଏ ଖବର ପାଇବ ନିଶ୍ଚୟ । ସେଦିନ ପରା ବାବୁଲା କହୁଥିଲା ଯେ, ବିଜ୍ଞାନ ବଳରେ ଏବେ ବଳୀୟାନ ମଣିଷ...ଅତି ବିରାଟ ମନେ ହେଉଥିବା ଏଇ ପୃଥିବୀ ଅତି ଛୋଟ ହୋଇଗଲାଣି । ମାତ୍ର କେତେଘଣ୍ଟା ମଧ୍ୟରେ ଆମେରିକାକୁ ଆସି ଭୁବନେଶ୍ୱରରେ ପହଞ୍ଚିହେବ ।

 

ସେଇ ବାପା ଆଉ ନାହାନ୍ତି ।

 

ରାଧା ଆଉ ବହେ କୋହରେ ଭାଙ୍ଗିପଡ଼ିବା ବେଳକୁ ସୁଧାଂଶୁ ଚାଲି ଯାଇଥିଲା ବାହାରକୁ ।

 

ତା’ପରେ ଆଉ ତିଳେମାତ୍ର ସେଇ ନର୍କପୁରୀରେ ରହିବାକୁ ଇଚ୍ଛା ନ ଥିଲା ରାଧାର । ସେଥିପାଇଁ ସୁଧାଂଶୁକୁ ଛାଡ଼ି ଯେତେବେଳେ ତା ପରଦିନ ଉଡ଼ାକଳରେ ଆମେରିକା ଛାଡ଼ିଲା ସେ, ସେତେବେଳେ ଆମେରିକାର ପାଣି ପବନ ଓ ବିଳାସ ସହିତ ପଡ଼ିରହିଲା ତା’ର ବୈବାହିକ ଜୀବନର ମଧୁର ତିକ୍ତ ଇତିହାସ...ପ୍ରଥମ ଅଧ୍ୟାୟ ଶେଷକରି ସେ ଉଠୁଥିଲା ଆକାଶ ମାର୍ଗରେ, ସ୍ୱଦେଶକୁ ବାହୁଡ଼ିଆସି ଦ୍ୱିତୀୟ ଅଧ୍ୟାୟ ଆରମ୍ଭ କରିବାପାଇଁ । କହିବା ବାହୁଲ୍ୟ ଯେ, ସେ କେବେ ଫେରିବ ତାହା ମଧ୍ୟ ପଚାରି ନ ଥିଲା ସୁଧାଂଶୁ ।

 

ପ୍ରଥମ ଅଧ୍ୟାୟର କବର ଉପରେ ଦ୍ୱିତୀୟ ଅଧ୍ୟାୟ ଆରମ୍ଭ କରିଛି ରାଧା ।

 

ଗାଁରେ ପହଞ୍ଚି ଶ୍ୱଶୁରଙ୍କ ଶେଷକୃତ୍ୟ ସମାପ୍ତ କରି ସେଠାରେ ତାଙ୍କର ଜାଗା ଜଗି ପଡ଼ିରହିବା ଲାଗି ପ୍ରଥମେ ମନସ୍ଥ କରିଥିଲା ସେ । ବାପା ମା’ ଆସିଥିଲେ ତାଙ୍କୁ ପ୍ରବର୍ତ୍ତେଇ ସାଙ୍ଗରେ ନେଇଯିବା ପାଇଁ । ସେ କିନ୍ତୁ ସବୁ ଅନୁରୋଧ ଉପ୍ରୋଧ ପ୍ରତ୍ୟାଖ୍ୟାନ କରି କହିଥିଲା ଯେ, ସେ ଆଉଥରେ ନୂଆକରି ଜୀବନ ଆରମ୍ଭ କରିବାକୁ ଚାହେଁ । ପ୍ରଥମ ଅଧ୍ୟାୟ ତା’ର ପରାଜୟର ଇତିହାସ ସତ; କିନ୍ତୁ ଦ୍ୱିତୀୟ ଅଧ୍ୟାୟ ତା’ର ନିଜସ୍ୱ...ସେଠାରେ ସେ କେବଳ ନିଜ ବଳରେ ନିଜର ଭାଗ୍ୟ ସହିତ ଲଢ଼ିବ, ନିଜ ହାତରେ ତିଆରି କରିବ ବିଧିଲିପି । ସବୁ ଦୁଃଖ, ସବୁ ଯନ୍ତ୍ରଣାକୁ ନିଜସ୍ୱ କରି ଯଦି କିଛି ସୁଖଥାଏ ତାହା ବାଣ୍ଟିବା ହେବ ତା’ର କାମ । ଅନ୍ୟର ସୁଖରେ ଭାଗ ବସେଇ ଯେତିକି ପାରିବ ଅନ୍ୟର ଦୁଃଖରୁ ସେତିକି ଗ୍ରହଣ କରିବ ସେ । ଚେଷ୍ଟା କରିବ ସଂସାରରେ ବଢ଼ୁଥିବା ଦୁଃଖ ଯନ୍ତ୍ରଣାଗୁଡ଼ାକୁ ବାଣ୍ଟି କୁଣ୍ଟି ନେଇ ରୁଦ୍ଧଶ୍ୱାସୀ ମଣିଷକୁ ଟିକେ ସୁଖ, ଟିକେ ସାନ୍ତ୍ୱନା ଦବାପାଇଁ ।

 

ଏଇଥି ପାଇଁ ଗାଁରେ ବେଶିଦିନ ରହି ନ ପାରି ଜମିଜମା ଯାହାଥିଲା ତାହା ଶ୍ୱଶୁର ଶିକ୍ଷକତା କରୁଥିବା ବିଦ୍ୟାଳୟକୁ ଦାନ କରି ସେ ଚାଲିଆସିଲା ଭୁବନେଶ୍ୱର... ।

 

ସେ ତ ଏକା ଆସିନି ଏଇ ରାଜଧାନୀକୁ, ବଞ୍ଚିବା ପାଇଁ ଜୀବିକା ଖୋଜି ଖୋଜି ନିତି ପ୍ରତିଦିନ ଅନେକ ଆସନ୍ତି ଏଇ ସହରକୁ । ଆଉ ଏଠାରେ ପହଞ୍ଚିବା ପରେ ଏହାର ବିଶ୍ୱରୂପ ଦର୍ଶନ କରି ଭୁଲିଯାଆନ୍ତି ନିଜର ମହିମା, ଗର୍ବ ଓ ଗାରିମା ।

 

ରାଜଧାନୀରେ ପାଦ ପକେଇବା ପରେ ସେ ଜାଣିଲା ଯେ, ଏହା ଛୋଟ ନୁହେଁ ଅନେକ ବଡ଼...ପ୍ରଶସ୍ତ ରାଜପଥରେ ମୁଣ୍ଡ ଉପରେ ବୋଝ ବୋହି ଚାଲୁଥିବା ମଣିଷଟି ଅନେକ ଛୋଟ...ଅତି ସାମାନ୍ୟ ।

 

ସେଇ ସାମାନ୍ୟରୁ ଆରମ୍ଭ କରିବା ପାଇଁ ଜଣେ ବନ୍ଧୁର ସହାୟତା ନେଇ ସେ ଅଳ୍ପଦିନ ତାଙ୍କ ଘରେ ରହି ଚାଲି ଆସିଥିଲା ଏଇ ସତ୍ୟ ନଗରକୁ...ଯେଉଁଠି ବୋଝ ବୋହି ବୋହି ଆଣ୍ଠେଇପଡ଼ି ବି ମଣିଷ ହାର ମାନେନା, ରାସ୍ତା କଡ଼ରେ ଶୂନ୍ୟ ଆକାଶ ତଳେ ନିଃସଂକୋଚରେ, ନିଶ୍ଚିନ୍ତରେ ଶୋଇପାରେ ସେ...ଆଉ ଶ୍ମଶାନର ଚିତା ଦେଖି ବି ନିର୍ବିକାର ନିର୍ଲିପ୍ତ ପରି ଅଗ୍ରସର ହୁଏ ଜୀବନ ଆଡ଼କୁ... ।

 

ବ୍ରହ୍ମପୁରର କମାପଲ୍ଲୀରୁ ଉଚ୍ଛେଦ ହୋଇ ଜୀବିକାର୍ଜନ କରିବାଲାଗି କେବେ ରାମା ରାଓ ଚାଲି ଆସିଥିଲା ଭୁବନେଶ୍ୱରକୁ, ତାହା ତା’ର ଆଜି ଆଉ ମନେପଡ଼େନି । ଏତିକି କେବଳ ମନେପଡ଼େ ଯେ ସରକାରୀ ଜାଗାରେ ସେ ତୋଳିଥିବା ଛୋଟ କୁଡ଼ିଆଟି ଯେତେବେଳେ ଜବର ଦଖଲ କରି ଘର ତୋଳିଥିବା ଅନ୍ୟାନ୍ୟ ଘରଗୁଡ଼ିକ ସହିତ ଭାଙ୍ଗିଦିଆଗଲା ସେତେବେଳେ ମୁଣ୍ଡ ଗୁଞ୍ଜିବାକୁ ଆଶ୍ରୟ ନ ପାଇ ସେ ଷ୍ଟେସନ ଓଏଟିଂ ରୁମ୍‌ରେ କିଛିଦିନ ରହିଗଲା; କିନ୍ତୁ ବାଧାପଡ଼ିଲା ଜୀବିକା ଅର୍ଜନରେ । ରାଜମିସ୍ତ୍ରୀ କାମ କରି ପେଟ ପୋଷୁଥିଲା ରାମା ରାଓ । ଯେଉଁ ମାରୁଆଡ଼ିର ଗୋଦାମ ଘର ତିଆରି କରୁଥିଲା, ତାଙ୍କ ଗୋଦାମରୁ ଚୋକଡ଼ ଚୋରି କରିଥିବା ଅଭିଯୋଗ କରି ତାକୁ ସେ କାମରୁ ଅନ୍ତର କରି ଦେଇଥିଲେ । କେବଳ ସେତିକି ନୁହେଁ, ପୁଲିସ୍‍ ତାକୁ ଧରିନେଇ ଥାନାରେ ଜବତ୍‌ ରଖି ମାଡ଼ ମାରି ଲହୁଲୁହାଣ କରିଦବାପରେ ବି ସେ ଚୋକଡ଼ ଚୋରି କରିଥିବାର ସ୍ୱୀକାରୋକ୍ତି ତା’ ଠାରୁ ଆଦାୟ କରିପାରିଲେ ନାହିଁ । ପ୍ରମାଣ ଅଭାବରୁ ତାକୁ ଛାଡ଼ିଦବାବେଳେ ସତର୍କ କରିଦେଇ କହିଥିଲେ ଦାରେଗା, ବ୍ରହ୍ମପୁର ଛାଡ଼ି ଚାଲି ନ ଗଲେ ପୁଣି ଧରାହୋଇ ଥାନାକୁ ଆସିବୁ । ଚୋରି କରିବା ଯେତେବେଳେ ତୋ’ ମନରେ ଜାଗିଛି ପୁଲିସ୍‍ ଖାତାରୁ ତୋର ନାମ କଟିଯିବାର ଆଉ ଭୟ ନାହିଁ ।

 

ରାମା ରାଓ ନିଜ ପାଇଁ କେବେ କାନ୍ଦି ନ ଥିଲା, ମରଦ ପୁଅ ସେ, ଖଟି ଲେଟି ଖାଇବା ପାଇଁ ଦେହରେ ବଳ ଯଥେଷ୍ଟ । ଚୋରି କରିବ କାହିଁକି ? ତଥାପି ନିରପରାଧୀ ହୋଇ ମଧ୍ୟ ଅପରାଧୀ ହୋଇଗଲା । ଆଇନ ନ ଜାଣି ମଧ୍ୟ ସେ ଧରିନେଲା ଯେ ଆଇନ ତା’ ବିପକ୍ଷରେ । ଧନୀ ଲୋକେ, କ୍ଷମତାଶାଳୀ ଲୋକେ ଯେମିତି ଚାହିବେ ଆଇନକୁ ସେମିତି ବ୍ୟବହାର କରିପାରିବେ । ଯୋଉ ବ୍ରହ୍ମପୁର ସହରରେ ଭଲ ପାରିବାର ରାଜମିସ୍ତ୍ରୀ ଭାବରେ ଛାତି ଫୁଲେଇ ମଥା ଉଞ୍ଚ କରି ଚାଲୁଥିଲା, ସେଇ ସହର ଛାଡ଼ି ସେ ଚାଲିଆସିଲା ନୂଆ ହୋଇ ତିଆରି ହେଉଥିବା ଓଡ଼ିଶାର ରାଜଧାନୀକୁ । ଆସିଲା କେବଳ ସେ ଶୂନ୍ୟ ଆକାଶକୁ ଚାହିଁ । ଆଖିରୁ ଲୁହ ପୋଛିଲାବେଳେ ଭଗବାନଙ୍କୁ ଲକ୍ଷ୍ୟ କରି କହିଥିଲା ଅଭିମାନରେ ତୁ ମିଛ...ସତ୍ୟ ଧର୍ମ ମିଛ ସବୁ ମିଛ ।

 

ଭୁବନେଶ୍ୱର ପହଞ୍ଚି ସେ ବେକାର ବୁଲିଲା ନାହିଁ, ଅତିଶୀଘ୍ର କଂଗ୍ରେସ ଅଧିବେସନ ପାଇଁ କରାଯାଉଥିବା ନୂତନ ଷ୍ଟେସନର ନିର୍ମାଣ କାର୍ଯ୍ୟରେ ଲାଗିଗଲା ରାମା ରାଓ ।

 

ଏହା ଭାଗ୍ୟର ବିଚିତ୍ର ପରିହାସ ବ୍ୟତୀତ ଆଉ କଅଣ ହୋଇପାରେ । ସେ ନିଜର ଷ୍ଟେସନ ଛାଡ଼ି ମୁସାଫିର ପରି ବୁଲୁଥିବାବେଳେ ରାଜଧାନୀକୁ ଆସୁଥିବା ଓ ରାଜଧାନୀରୁ ଯାଉଥିବା ସହସ୍ର ମୁସାଫିର୍‍ଙ୍କ ପାଇଁ ଷ୍ଟେସନ ଭବନ ନିର୍ମାଣ କରିବାର ସୁଯୋଗ ପାଇଗଲା । ଏଥିପାଇଁ କିନ୍ତୁ ଈଶ୍ୱରଙ୍କୁ ନୁହେଁ ରାମା ରାଓ ଭୁବନ ସ୍ୱାଇଁ ପାଖରେ ଚିରକୃତଜ୍ଞ । ସେ ଯେଉଁଦିନ ବସ୍‌ରୁ ଓହ୍ଳେଇ କୁଆଡ଼େ ଯିବ ସ୍ଥିର କରି ନ ପାରି ଶୂନ୍ୟକୁ ଚାହିଁ ନିଜର ଭବିଷ୍ୟତ ସମ୍ପର୍କରେ ଭାବୁଥିଲା ତା’ ପାଖରେ ବସିପଡ଼ି ମୁହଁରୁ ଝାଳ ପୋଛି ପଚାରିଥିଲା ଭୁବନ ସ୍ୱାଇଁ ଏଇ ନୂଆ ଆଇଲ ପରା ରାଜଧାନୀକୁ, ଏଠି କିଏ କାହା କଥା ବୁଝୁଚି କୁହ, ଯିଏ ଯାହା ଗୋଡ଼ରେ ଚଉଦ ପା’... । କୌଣସି ଉତ୍ତର ନ ଦେଇ କେବଳ ଗମ୍‌ଗମ୍‌ ହୋଇ ଝାଳ ବୋହୁଥିବା ତା’ର ମୁହଁକୁ ଅନେଇ ଥିଲା ରାମା ରାଓ । ସେଇ ମୁହଁରେ ଆତ୍ମୀୟତାର ଚିହ୍ନ ଦେଖି ଟିକେ ପରେ ସାହସ କରି ସେ ଯାହା କହିଥିଲା ଆଜି ବି ଭୁଲି ଯାଇନି ସେ ।

 

ତମେ ଏଇଠି ରୁହ ଭାଇ ? ଭାଗ୍ୟରେ ନ ଥିଲେ ରାଜଧାନୀରେ କିଏ ରହିପାରିବ ?

 

ଭୁବନ ସ୍ୱାଇଁ ଚିହ୍ନାଜଣା ଲୋକଟି ପରି କହୁଥିଲା ଯାଅ, କଳ ପାଣିରେ ମୁହଁ ଧୋଇ ଆସ । ବହୁତ ଦୂରରୁ ଆସିଛ ବୋଧହୁଏ... ।

 

-ହୁଁ, ବ୍ରହ୍ମପୁରରୁ ।

 

-ସାଙ୍ଗରେ ଆଉ କେହି ନାହିଁ ?

 

-ନା, ନା...ମୁଁ ଏକା...

 

ଭୁବନ ସ୍ୱାଇଁର ମନଟା ନରମି ଯାଇଥିଲା ତା’ର କଥା ଶୁଣି । ସେ ପାଣିକଳ ପାଖକୁ ରାମା ରାଓକୁ ଡାକିନବାବେଳେ କହିଥିଲା, ହଁ ଏକା ଏକା ଭଲ ଭାଇ...ପରିବାର ସାଙ୍ଗରେ ଥିଲେ ବଡ଼ ଅସୁବିଧା, ଏଇ ନୂଆ ରାଜଧାନୀକୁ ଯେତେ ଦେଖୁଥିବ ମନେହେଉଥିବ ଅଚିହ୍ନା ଅଜଣା... । ଏଠାରେ ଉଚ୍ଚ ଉଚ୍ଚ କଂକ୍ରିଟର ଶହ ଶହ କୋଠା ପରି ମଣିଷ ନୀରସ, ନିଷ୍ପାପ... ।

 

କଳ ପାଣିରେ ମୁହଁ ଧୋଇ ଗାମୁଛାରେ ମୁହଁ ପୋଛିସାରି ରାମା ରାଓ କୃତଜ୍ଞତା ଜଣାଇଲା ଆଖିର ଦୃଷ୍ଟିରେ ।

 

ଭୁବନ ସ୍ୱାଇଁ କହିଲା, ଏକଲା ଆସିଛ...କେହି ଜଣାଶୁଣା ନାହାନ୍ତି ବୋଧହୁଏ...ହଉ ହେଲା । ସେଥିରେ କିଛି ଯାଏ ଆସେ ନି, ମୁଁ ଅଛି ଯୋଉଠି ତୁମେ ବି ସେଇଠି ଦିନେ ଓଳିଏ ରହିପାର...ଜାଗା ଅଭାବ ହେବ ନାହିଁ...ଆଉ ପାଞ୍ଚ ସାତଟା ଦିନ ଲାଗିପଡ଼ିଲେ କୁଡ଼ିଆ ଖଣ୍ଡେ ଛିଡ଼ା ହୋଇଯିବ ସରକାରୀ ଜମି ଉପରେ ।

 

ରାମା ରାଓ ଡରିଯାଇ କହିଥିଲା, ସରକାର ହାଜତରେ ପୁରେଇ ଦବନି ?

 

ତାକୁ ଭରସା ଦେଇ କହିଥିଲା ଭୁବନ, ଖାଲି ମୁଁ ନୁହେଁ ମ...ଶହ ଶହ ଲୋକ ଘର ତୋଳିଛନ୍ତି ସରକାରୀ ଜମି ଉପରେ । ଆଉ ଜାଗା କାହିଁ ଯେ ରହିବେ ସହରର ଗୁଜୁରାଣ ମେଣ୍ଟାଉଥିବା ଏତେ ଲୋକେ... ।

 

ରାମା ରାଓ ନିରାଶ ହୋଇ ଆସୁଥିବାବେଳେ ହଠାତ୍‌ ଆଶାର ସଞ୍ଚାର ହେଲା ତା ମନରେ । ନୂଆ ଜାଗାରେ କାହାରି ସହିତ ସମ୍ପର୍କ ନ ଥାଇ ବି ଯାହା ସହିତ ତା’ର ଭେଟ ହେଲା ସେ ଲୋକଟା ଯେ ଅମଣିଷ ନୁହେଁ ଏହା ଅନୁଭବ କଲା ସେ । ଭାଗ୍ୟକୁ ସେ ବାହା ହୋଇ ନ ଥିଲା; ନ ହେଲେ ଭୁବନ ସ୍ୱାଇଁର ଏକ ବଖୁରିଆ କୁଡ଼ିଆ ଭିତରେ ସେମାନଙ୍କୁ ସ୍ଥାନ ଦେଇ ତା’ର ପରିବାର ବାହାରେ ଶୋଇ ଥାଆନ୍ତେ ।

 

ସେଇଦିନୁ ଭୁବନ ସ୍ୱାଇଁକୁ ରାମା ରାଓ ବଡ଼ଭାଇ ପରି ସମ୍ମାନ କରିଆସିଛି । ଏତେବଡ଼ ଦୁନିଆରେ ତା’ର ଆପଣାର କେହି ନ ଥାଇ ବି ସେ ଭୁବନ ସ୍ୱାଇଁକୁ ନିଜର ବୋଲି ଭାବି ଆସିଛି । ସମସ୍ତଙ୍କ କଥା ଟାଳି ଦେଇପାରେ; କିନ୍ତୁ ଭୁବନ ଭାଇ କଥା ବେଦର ଗାର ପରି ପାଳନ କରିଆସିଛି ।

 

କିନ୍ତୁ ସବୁରି ପ୍ରସ୍ତାବ ସିନା ସେ ନାକଚ କରି ଦେଇଥିଲା, ଭୁବନର ପ୍ରସ୍ତାବ କାଟି ଦେଇ ନ ପାରି କହିଲା, ସକାଳ ସନ୍ଧ୍ୟା କାମରେ ବ୍ୟସ୍ତ ରହି ଦିନ କିପରି ଯାଏ ଜାଣିପାରେନି ଭୁବନ ଭାଇ...ପୁଣି ତମେ କହୁଛ ଆଉ ଜଣକୁ ଘରକୁ ଆଣିବା ପାଇଁ । ବଅସ ବସି ରହିନି...ମୁଁ ବୁଢ଼ା ହେଲିଣି... ।

 

ଭୁବନ ଆଦେଶ କଲାଭଳି ସ୍ତରରେ କହିଲା, ଯା ଯା ଆଉ ବାହାନା କରନା, ଚାଳିଶ ବର୍ଷରେ ମରଦ ପୁଅ କୁତା ହୁଏନି ବା... । ତୁ ରାଜି ହୁଅ...ରଙ୍ଗା ରାଓର ଝିଅ ସୁନ୍ଦରୀ ତୋ ହାତଧରିଲେ ତୋ ଘର ଆଲୁଅ ଦିଶିବରେ ରାମୁ... ।

 

ଭୁବନ ସ୍ୱାଇଁର କଥା ଟାଳି ନ ପାରି ବୈଶାଖ ମାସର ଏଗାର ରବିବାର ଦିନ ବାଜାବଜେଇ, ଆଲୁଅ ଜାଳି ସୁନ୍ଦରୀକୁ ବାହାହୋଇ ଆସିଲା ରାମା ରାଓ । ପଡ଼ୋଶୀ ଓ ସାଙ୍ଗ ଭାଇମାନଙ୍କୁ ଭୋଜିରେ ଭାତ, ମାଉଁସ ତରକାରି, ବିଲାତି ଖଟା ଓ ଖିରୀ ଦେଇ ଚର୍ଚ୍ଚା କରିଥିଲା ବୋଲି ଆଜିଯାଏ ଭୁଲି ନାହାନ୍ତିଁ ସେମାନେ । କଥା ପଡ଼ିଲେ ସାଧୁ କାଣ୍ଡି କୁହେ ଯେ, ରାମା ରାଓର ବାହାଘର ଭୋଜି ପରି ଆଉ କେବେ କେହି ଦେଇ ନାହାନ୍ତି । ଯାହାର ମନ ଯେତେ ତା’ର ଫଳ ବି ସେହିପରି ବଡ଼ । ବାହାଘର ଭୋଜି ବରଯାତ୍ରୀମାନଙ୍କର ଚର୍ଚ୍ଚା, କନ୍ୟା ଘର ବର ସଙ୍ଖୁଳା ସବୁ କାମର ତତ୍ତ୍ୱାବଧାନ କରିଥିଲା ଭୁବନ ସ୍ୱାଇଁ । ଯେତେବେଳେ ଶେଷ ପଂକ୍ତିରେ ସାଧୁ କାଣ୍ଡି ପାଖରେ ଭୁବନ ସ୍ୱାଇଁର ପତର ପଡ଼ିଲା, ଦୁଇହାତ ଘୁଞ୍ଚି ଯାଇ କହିଲା ସାଧୁ, ଏ ଜାଗାଟା ଖାଲି ଥାଉ, ବାଢ଼ିବା ଲୋକଙ୍କର ସୁବିଧା ହେବ । ଭୁବନ ସ୍ୱାଇଁ; କିନ୍ତୁ କହିଲା, ମୁଁ ଜାତି ଫାତି ମାନେନାରେ ସାଧୁ...କେହି ମଣିଷ ଅଛୁଆଁ ନୁହନ୍ତି; କେହି ସାନ ବଡ଼ ନୁହଁନ୍ତି । ଜଗାକାଳିଆ ଆଖିରେ ସଭିଏଁ ସମାନ ।

 

ରାମା ରାଓର ଆଖି ଆଗରେ ସେଦିନ ଭୁବନ ସ୍ୱାଇଁ ଉଚ୍ଚ ପରବତ ପରି ଦିଶୁଥିଲା ସୁନ୍ଦର, ଆକର୍ଷଣୀୟ ।

 

ଏହାକୁ କହନ୍ତି ମଣିଷ ପରି ମଣିଷଟିଏ ।

 

କିନ୍ତୁ ସେଇ ଭୁବନ ସ୍ୱାଇଁ କାଶିବାବେଳେ ଯୋଉଦିନ ରକ୍ତ ମେଞ୍ଚାଏ ବାହାରି ଆସିଲା କଫ ସହିତ ତାହା ଦେଖି କାନ୍ଦିଉଠିଲା ତା ସ୍ତ୍ରୀ ଲକ୍ଷ୍ମୀ । କଥାଟା ପ୍ରଘଟ ହୋଇଗଲା ସଙ୍ଗେ ସଙ୍ଗେ । ଦଶଦିନ ଭୋଗିବା ପରେ ଜ୍ୱର କମିଲା ସତ; କିନ୍ତୁ ପନ୍ଦରଦିନ ହେଲା ଦେହରୁ ଜ୍ୱର ଭାବ ଯାଇନି, ଉସୁମ ରହୁଛି ରାତିରେ, ଆଉ କାଶି କାଶି ବେଦମ ହୋଇ ବେଳେ ବେଳେ ଖଟ ଉପରେ ଲୋଟିପଡ଼େ ଭୁବନ । ସାଇ ପଡ଼ିଶାର ଲୋକେ ପ୍ରମାଦ ଗଣିଲେ ତା ଅବସ୍ଥା ଦେଖି । ଶ୍ରୀଧର ନାଏକ, ଅପ୍‌ପା ରାଓ, ଜୀବନ ସାମଲ ସଭିଏଁ କୁହାକୁହି ହେଲେ ଯେ ଭୁବନ ସ୍ୱାଇଁକୁ ଶକ୍ତ ବେମାର ତାକୁ ଯକ୍ଷ୍ମା ହୋଇଛି...ତା କାଶର କଫ ଓ ରକ୍ତ ଯାହା ଦିହରେ ଲାଗିବ, ସେଥିରେ ଲାଗିଥିବା ପବନ ଯାହା ନାକରେ ପଶିବ ତା’ର ଆଉ ନିସ୍ତାର ନାହିଁ, ସ୍ୱୟଂ ଲିଙ୍ଗରାଜ ବି ତାକୁ ରକ୍ଷା କରିପାରିବେ ନାହିଁ । ଭୁବନ ସ୍ୱାଇଁର ଘର ଆଗରେ ପ୍ରତି ସନ୍ଧ୍ୟାରେ ପଡ଼ୁଥିବା ପଶାପାଲି ଆଉ ପଡ଼ିଲା ନାହିଁ । ଯୋଉମାନେ ତା ସହିତ ଖୁସିଗପ କରିବାକୁ ଆସିବା ବାହାନାରେ ତା ଘରକୁ ଆସି ଗଞ୍ଜେଇ ଟାଣୁଥିଲେ ସେମାନଙ୍କୁ ଆଉ ଦେଖାଗଲା ନାହିଁ । ସାଧୁ କାଣ୍ଡି କିନ୍ତୁ ଆସିବା ବନ୍ଦ କଲାନାହିଁ, ବରଂ ସେ ସାହିସାରା କହି ବୁଲିଲା ଯେ, ଭୁବନର କିଛି ହୋଇନି, ଯଦି ଦରକାର ହୁଏ ସେ ତା ପାଇଁ ଜୀବନ ଦବ ।

 

ରାମା ରାଓ କିନ୍ତୁ ନିଶ୍ଚିନ୍ତ ହୋଇ ରହିପାରିଲା ନାହଁ । ସୋମବାର ସନ୍ଧ୍ୟାରେ କାମରୁ ଫେରିବା ବାଟରେ ସତ୍ୟନଗର ମୁଣ୍ଡରେ କ୍ଳିନିକ୍‌ ଖୋଲିଥିବା ଡାକ୍ତର ସୁଧାକାର ଆଚାର୍ଯ୍ୟ ଶେଷ ରୋଗୀ ଦେଖିସାରିବା ପର୍ଯ୍ୟନ୍ତ ଅପେକ୍ଷା କଲା ।

 

ସବୁକାମ ଶେଷ କରି ଉଠିବାବେଳକୁ ତାଙ୍କ ଆଗରେ ହାତଯୋଡ଼ି ଛିଡ଼ା ହୋଇପଡ଼ି କହିଲା ରାମା ରାଓ, ଆଜ୍ଞା ଭୁବନ ଦେହରୁ ଜର ଛାଡ଼ୁନି, ରାତିରେ କାଶ ହେଉଛି, ବେଳେ ବେଳେ କାଶ ସହିତ ରକ୍ତ ପଡ଼ୁଛି... ।

 

ସୁଧାକର ଡାକ୍ତର କହିଲେ, ମୁଁ ତାକୁ ସାତଦିନ ହେଲା କହିଲିଣି ବଡ଼ ଡାକ୍ତରଖାନାକୁ ଯାଇ ଦେଖାଇବା ପାଇଁ । କଫ ଓ ରକ୍ତ ପରୀକ୍ଷା କରିବା ଦରକାର । ଏକ୍‌ସ-ରେ କରିବାକୁ ପଡ଼ିବ-। ଠିକ୍‌ ଚିକିତ୍ସା କଲେ ଯକ୍ଷ୍ମା ଭଲ ହୋଇଯିବ । ଆଜିକାଲି ଭଲ ଔଷଧ ବାହାରିଛି ଚିକିତ୍ସାପାଇଁ ।

 

ରାମା ରାଓ କହିଲା, ଭୀମ ବଳ କୁଇନ୍ତା ଜାଣେ ଆଜ୍ଞା, ଆପଣ ଦୟା ନ କଲେ ତା ପରିବାର ଉଚ୍ଛନ୍ନ ହୋଇଯିବେ... ।

 

ସୁଧାକର ଡାକ୍ତର ସାହସ ଦେଇ କହିଲେ, ଆରେ ମୁଁ ତ ଅଛି, ତମେ ସବୁ ବି ଅଛ...କିନ୍ତୁ ଠିକଣା ସମୟରେ ରୋଗର ଚିକିତ୍ସା ହେବା ଦରକାର । ମୁଁ ଚିଠି ଖଣ୍ଡେ ଲେଖିଦେବି ନେଇଯିବୁ ସକାଳୁ । ବଡ଼ ଡାକ୍ତରଖାନାର ଡାକ୍ତର ପୂଜାରୀଙ୍କୁ ଦେଖେଇଲେ ବିନା ଖର୍ଚ୍ଚରେ ସବୁ ପରୀକ୍ଷା ହୋଇଯିବ । ତା’ପରେ ଯାହା କରିବା କଥା ମୁଁ କରିବି ।

 

ଘରକୁ ଫେରିବା ବାଟରେ ଭୁବନ ଭାଇ ଘରକୁ ଯାଇ ସାହସ ଦେଇ କହିଲା ରାମା ରାଓ ଯେ ଏଇ ରୋଗ ଅସାଧ୍ୟ ନୁହେଁ, ଏହାର ଚିକିତ୍ସା ଅଛି । ଡାକ୍ତର ସୁଧାକର ଆଚାର୍ଯ୍ୟ ଭରସା ଦେଇଛନ୍ତି ।

 

ଲକ୍ଷ୍ମୀ ବାହୁନି ଉଠିଲା ରାମା ରାଓର ସାନ୍ତ୍ୱନାବଣୀ ଶୁଣି ।

 

-ତମେ ଇମିତି ଭାଙ୍ଗିପଡ଼ିଲେ ହବନି ଭାଉଜ...ପିଲାଗୁଡ଼ା କାହା ମୁହଁକୁ ଚାହିଁବେ ?

 

-ସେଇଦିନୁ ସେ ତ କାନ୍ଦୁଛିରେ ରାମୁ । କେତେ ବୁଝେଇଲିଣି, ଦୟାନଦୀର ସୁଅ ପରି ତା ଆଖିର ଲୁହ ବି ଶୁଖୁ ନାଇଁ ।

 

-ସୁନ୍ଦରୀ କାଲିଠୁ ଆସିବ ତମ ପାଖକୁ ଭାଉଜ...ସାଙ୍ଗ ଥିଲେ ମଣିଷ ବଳ ପାଏ ।

 

ଲକ୍ଷ୍ମୀର କାନ୍ଦ କିନ୍ତୁ ବନ୍ଦ ହେଲାନି, ସେ ବାହୁନିବାରେ ଲାଗିଲା-କିଛି ହୋଇଗଲେ ମୋ ସଂସାର ସରିଯିବ ରାମୁ...ପିଲାଗୁଡ଼ା ଛତରରେ ପଶିଯିବେ... ।

 

ରାମା ରାଓ କହିଲା, ମୁଁ ନେହୁରା ହେଉଛି, ମୋ ସାନକୁହା ମାନ ଭାଉଜ । ଇମିତି ଦମ୍ଭ ହାରିଲେ ପିଲାଗୁଡ଼ାଙ୍କୁ ସମ୍ଭାଳିବ କିଏ ?

 

ଲକ୍ଷ୍ମୀ ତୁନିପଡ଼ିଲା କିଛି ସମୟ ପରେ । ତା’ର ଭିଜା ଆଖିପତା କିନ୍ତୁ ଶୁଖିଲା ନାହିଁ ।

 

ରାମା ରାଓ କାଲି ସକାଳେ ଆସି ଭୁବନକୁ ବଡ଼ ଡାକ୍ତରଖାନା ଯିବାଲାଗି ବ୍ୟବସ୍ଥା କରି ସେଠାରୁ ବିଦାୟ ନେଇ ସିଧାଗଲା ମଧୁ ମାଷ୍ଟରଙ୍କ ପାଖକୁ । ସବୁ ବିଷୟ ତାଙ୍କୁ କହିବା ଦରକାର-। ଉପକାରୀ ଲୋକ । ନ ହେଲେ ପରେ ବକିବେ, ଅଭିମାନ କରିବେ ।

 

ରାମା ରାଓ ବସ୍ତିଭିତର ଦେଇ ଆଗଭର ହେଉଥିବାବେଳେ ହଠାତ୍‌ ରାସ୍ତାର ଆଲୁଅଗୁଡ଼ା ନିଭିଗଲା । ସତ୍ୟନଗରର ଛୋଟ ଛୋଟ ଗଳି ଉପଗଳି ଓ କୁଡ଼ିଆଗୁଡ଼ିକ ନିଶ୍ଚିହ୍ନ ହୋଇଗଲେ ସେଇ କିଟିକିଟିଆ ଅନ୍ଧାରରେ ।

 

ହଠାତ୍‌ ତା ଦେହରେ ବାଡ଼େଇ ହୋଇଗଲା କିଏ ।

 

କିଏ ବେ... ?

 

ରାମା ରାଓ କିଛି ଜାଣିବା ପୂର୍ବରୁ ସେଇ ମାତାଲ ତାକୁ ଏବଂ ପୃଥିବୀର ସମସ୍ତଙ୍କୁ ଗାଳି ଦେଇ ଦେଇ ଅନ୍ଧାର ଚିରି ପଛକୁ ଯାଉଥିବାର ଅନୁମାନ କଲା ରାମା ରାଓ ।

 

ଶଳା ଭାଡ଼ୁଆ ସରକାର ଶଳା ଅନ୍ଧାର କରୁଛି ମଜା ଦେଖିବାପାଇଁ, ମୁଁ ଶଳା ଦେଖିଦେବି ତାକୁ, ଶଳା ମୋ ବାଟ ଓଗାଳିବ...କାହାର ଏଡ଼େ ସାହସ ବେ...ଶଳା ସମସ୍ତେ ଶୁଣ...ମୁଁ ଶଳା ଗାନ୍ଧୀ ମହାତ୍ମାର ଶିଷ୍ୟ...ଶାଲା ଭାଡ଼ୁଆ ସରକାର... ।

 

ରାମା ରାଓ ଜାଣିପାରିଲା କିଏ । ସତ୍ୟନଗରର ଦାଦା ଗୁଲୁ ସାମଲ । ଭଲ ଚାନ୍ଦା ମିଳିଛି ନିଶ୍ଚୟ, ନ ହେଲେ ଏତେ ମାଲ୍‍ ଢାଳି ମାତାଲ ହୋଇ ନ ଥାନ୍ତା ସେ । ଏଇ ଦାଦାଗିରି କରି ଚାନ୍ଦା ଉଠେଇ ବେଶ୍‌ ଚଳିଯାଏ ଗୁଲୁ । ଗୋଟାଏ ମର୍ଡ଼ର କେଶ୍‌ରେ ଟଣାହୋଇ ଯାଇଥିଲା ହାଜତକୁ । ତିନିବର୍ଷ ହାଜତରେ ରହି ଶେଷରେ ପ୍ରମାଣ ଅଭାବରୁ ଖଲାସ ହୋଇ ଆସିଲା । ତା’ପରେ ପୁଣି ଯୋଉ କଥାକୁ ସେଇକଥା । ଗୁଲୁ କହିବୁଲିଲା, ଏଥର କୌନଶାଲାକେ ନହିଁ ଛୁଡ଼ୁଙ୍ଗା... ।

 

ସତରେ ସେଇ ସତ୍ୟ ଅକ୍ଷରେ ଅକ୍ଷରେ ପାଳନ କରୁଛି ଗୁଲୁ । କାହାକୁ ଛାଡ଼ୁନି ସେ । ତା ହାବୁଡ଼ରେ ପଡ଼ିଗଲେ ସହଜରେ ଖସିଯିବାର ଉପାୟ ନାହିଁ ।

 

ରାମା ରାଓର ସମୟ ନ ଥିଲା, ସେ ଗୁଲୁକୁ ପଛରେ ପକେଇ ଆଗେଇଲାବେଳେ ତିନି ଚାରିଜଣ ଦୌଡ଼ିଯିବାର ଜାଣିଲା । ଚିହ୍ନିବାର ଉପାୟ ନାହିଁ କାହାକୁ । ସତ୍ୟନଗରରେ ରହିଲାଦିନୁ ଏପରି ବହୁ ଘଟଣା ଘଟିବାରେ ଲାଗିଛି, ଯାହା ଦେଖିଲେ ବା ଶୁଣିଲେ ଦେହ ଶିତେଇ ଉଠେ, ମନ ଶଙ୍କାରେ ଦବିଯାଏ । ସର୍ବନିମ୍ନ ଶ୍ରେଣୀର ଖଟିକିଆ ବା ବେକାର ଲୋକଙ୍କର ବସ୍ତି ସତ୍ୟନଗର, ଏଠାରେ ସତ୍ୟର ମୁହାଁମୁହିଁ ହୁଏ ମଣିଷ ପ୍ରତିକ୍ଷଣ, ପ୍ରତିଦିନ ଏବଂ ସତ୍ୟକୁ ବଳିଦିଏ ବି ମଣିଷ ପ୍ରତିକ୍ଷଣ, ପ୍ରତିଦିନ । ଜୀବନ ଏଠାରେ ଜାହ୍ନବୀ ପରି ଗତିଶୀଳ ପୁଣି ବଦ୍ଧ ପୁଷ୍କରିଣୀର ପାଣିପରି ଏହାର ପାଣି ବି ପଙ୍କିଳ । ସତ୍ୟନଗର ସୃଷ୍ଟି ହେଲାଦିନୁ ଏଇ ବିରୋଧଭାଷାର ସୃଷ୍ଟି । ଏଠାରେ ସବୁ ସତ୍ୟ, ପୁଣି ସବୁ ପ୍ରହେଳିକା ।

 

ରାମା ରାଓର ସ୍ୱର ବାରିବାରେ ସମୟ ଲାଗିଲା ନାହିଁ, ସେଇ ଅନ୍ଧାର କାଟିବା ଲାଗି ଆଗେଇ ଆସୁଥିବାବେଳେ ମଧୁ ମାଷ୍ଟର କହିବାର ଶୁଣିଲା ସେ, ସାହିରେ ଅସାମାଜିକ କାର୍ଯ୍ୟ ବଢ଼ିବାରେ ଲାଗିଛି, ଏହାର ପ୍ରତିକାର ନ କଲେ ଅବସ୍ଥା ଅସମ୍ଭାଳ ହୋଇ ଉଠିବ ।

 

ରାମା ରାଓ ସପ ଉପରେ ବସି ଭୁବନ ସ୍ୱାଇଁ ସମ୍ପର୍କରେ ଗୋଟି ଗୋଟି କରି ସବୁ କହିଲା । ଶେଷରେ ମାଷ୍ଟ୍ରେ ତାକୁ ଜଣେଇଦେଲେ ଯେ, ରୋଗ ସହିତ ଭୁବନ ଏକା ଏକା ଲଢ଼ିବ ନାହିଁ, ତା ସହିତ ସେ ଓ ଅନ୍ୟମାନେ ବି ଲଢ଼ିବେ ।

 

ମଧୁ ମାଷ୍ଟର କହିଲେ, ତୁ ତାକୁ ନେଇ ଡାକ୍ତରଖାନା ଯାଆ ରାମୁ, ମୁଁ ସକାଳ କାମ ସାରି ଦଶଟାବେଳକୁ ଡାକ୍ତରଖାନାରେ ପହଞ୍ଚିବି ନିଶ୍ଚୟ । ତାପରେ ବିଚାର କରିବା ଲଢ଼େଇର କୌଶଳ ସମ୍ପର୍କରେ ।

 

ରାମା ରାଓ ପୁଣି ସେଇ ଅନ୍ଧାରରେ ଆଗେଇ ଚାଲିଲା ନିଜ ଘର ଆଡ଼କୁ ।

 

ସତ୍ୟନଗରର ବସ୍ତି ବାସିନ୍ଦାମାନଙ୍କୁ ଉଠେଇ ଦେଇ ଏଠାରେ ଏକ ବ୍ୟୟ ବହୁଳ ବର୍ଣ୍ଣାଢ଼୍ୟ ନଗର ନିର୍ମାଣ କରିବାଲାଗି ଯେଉଁ ଯୋଜନା ଚାପାପଡ଼ି ଯାଇଥିଲା ସରକାରୀ ଫାଇଲ ଭିତରେ, ପୁଣି ସେଇ ଯୋଜନାକୁ କାର୍ଯ୍ୟରେ ପରିଣତ କରିବାଲାଗି ମସୁଧା କରାଯାଉଥିବାର ଖବର ଯଥାସମୟରେ ପହଞ୍ଚିଲା ବସ୍ତି ବାସିନ୍ଦାଙ୍କ ନିକଟରେ । ପ୍ରଥମେ ଏଇ ଖବର ଗୁଲୁ ସାମଲଠାରୁ ଶୁଣି କେହି ବିଶ୍ୱାସ କରୁ ନ ଥିଲେ; କିନ୍ତୁ ଯେତେବେଳେ ରାଧା ମୁହଁରୁ ସେଇ ଏକ କଥା ଶୁଣିଲେ ଚମକି ପଡ଼ିଲେ ସମସ୍ତେ ।

 

ସମସ୍ତଙ୍କ ମୁଣ୍ଡରେ ବଜ୍ର ପଡ଼ିଲା ଯେପରି । ସ୍ତବ୍‌ଧ ହୋଇଗଲେ ବସ୍ତି ବାସିନ୍ଦାମାନେ, କାହାରି ମୁହଁରୁ ପ୍ରଥମେ କଥା ବାହାରିଲା ନାହିଁ । ଜୀବନ ସହିତ ଅହର୍ନିଶି ଯୁଦ୍ଧ କରୁଥିବା ଏଇ ମଣିଷମାନଙ୍କର ଦେହର ତାତିଲା ରକ୍ତ ଶୀତଳ ହୋଇଗଲା ପରି ଲାଗିଲା ।

 

ସାଧୁ କାଣ୍ଡି ଗୁମ୍‌ ମାରି ପଣସଗଛ ତଳେ ଛିଡ଼ା ହୋଇଗଲା । ତା’ର କଳା କୁନ୍ଦାକୁନ୍ଦା ଦେହ, ଚଉଡ଼ା ଛାତି, ଆଉ ନିର୍ଭୀକ ଆଖିର ଦୃଷ୍ଟିରେ ଧୀରେ ଧୀରେ ଓହ୍ଳେଇ ଆସିଲା ବେପରୁଆ ଭାବ ଯାହା ହାରୁଥିବା ମଣିଷର ଜିତିବାଲାଗି ଭୀଷ୍ମପଣ ।

 

ସେ ପ୍ରତିବାଦ କରି କହିଲା-ନା, ଏହା କରିବାକୁ ଦବୁ ନାହିଁ, ଯଦି ବଡ଼ ଲୋକମାନଙ୍କର ସୁଖ ସୁବିଧା ପାଇଁ ଏଇଠି ନଗର ତିଆରି ହୁଏ ତା’ହେଲେ ଆମରି ଶବ ଉପରେ ଗଢ଼ିବେ ସେମାନେ ସେମାନଙ୍କର ଭବନ... ।

 

ସମସ୍ତଙ୍କର ମନର କଥା ଏକା ସାଧୁ କାଣ୍ଡି କହିଦେଲା ଯେପରି !

 

ସେ ଆସିଥିଲା କୋଡ଼ିଏ ବର୍ଷ ତଳେ ରାଜଧାନୀକୁ । ସେତେବେଳେ ତା’ର ବୟସ ମାତ୍ର ଅଠର । ଏଇ କୋଡ଼ିଏ ବର୍ଷ ସେ ନିଜର ଲହୁ ଓ ଲୁହ ଦେଇ ତିଆରି କରିଛି ରାଜଧାନୀର ସଡ଼କ, ବଡ଼ ଲୋକଙ୍କର ଅନେକ ଉଆସ, ଆଉ ସାଧାରଣ ଲୋକଙ୍କୁ ନ୍ୟାୟ ଦବା ପାଇଁ ଚୁକ୍ତି କରି ସେମାନଙ୍କ ନାମରେ ଖୋଲୁଥିବା ପ୍ରଶାସନିକ ଭବନ ।

 

ସାଧୁ କାଣ୍ଡିର ଘୋଷଣା ସାହସ ଦେଲା ତା’ ପାଖରେ ଥିବା ଲୋକମାନଙ୍କୁ । ସେମାନଙ୍କର ନିଷ୍ପ୍ରଭ ପେଜୁଆ ଆଖିରୁ ହଠାତ୍‌ ଚକ୍‍ମକି ପଥରର ଆଲୁଅ ଛିଟିକି ପଡ଼ିଲା ।

 

ଗୁଲୁ ସର୍ଦ୍ଦାର ହୁଙ୍କାର ଦେଇ ଜଙ୍ଘ ଉପରେ ହାତପିଟି କହିଲା, ପଛଘୁଞ୍ଚା ନାହିଁ ବୀରର ଜାତକେ, ନ ମରେ କେବେ ସେ ପରାଣ ଆତଙ୍କେ... । ଦେଖାଯାଉ କୋଉ ବାପକା ବେଟା ଦେହରେ କେତେ ବଳ ଆମକୁ ଉଠେଇବ ସତ୍ୟନଗରରୁ । ଶଳେ ନିମକହାରାମ ସମସ୍ତେ । ନ ହେଲେ ଯୋଉମାନଙ୍କୁ ସୁଖରେ ରଖିବାଲାଗି ଆମେ ଉଆସ ତୋଳିଲୁ, ସଡ଼କ ତିଆରି କଲୁ, ବୋଝ ବୋହି ବୋହି କୁର୍ମ ପାଲଟିଗଲୁ, ସେମାନେ ଆମ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଥାଆନ୍ତେ ! ସୁଆରକା ବଚା...ଯିଏ ଆସିବ ସେ ଶଳାର ଗୋଇଠି ଯଦି ଭାଙ୍ଗି ନ ଦେଇଛି ମୋ ନାମ ଗୁଲୁ ସର୍ଦ୍ଦାର ନୁହେଁ । ହାରାମଜାଦା ନିମକହାରାମ ଶଳେ... ।

 

ମଧୁ ମାଷ୍ଟର ରୋଗୀ ଦେଖି ଫେରୁଥିଲେ, ଗୁଲୁର ତେଜ୍‍ ଗର୍ଜନ ଶୁଣି ଛିଡ଼ା ହୋଇଗଲେ ତା ସାମ୍ନାରେ ।

 

ଗୁଲୁ ଆଉ କାହାକୁ ଖାତିର କରିବା କେହି ଦେଖିନାହିଁ; କିନ୍ତୁ ମଧୁ ମାଷ୍ଟରଙ୍କୁ ଆଗରେ ଦେଖିଲେ ସେ ସଙ୍କୁଚିତ ହୋଇଯାଏ, ଗୋଟାଇ ନିଏ ନିଜକୁ । ଗୁଲୁ ଆଉ ମଧୁ ମାଷ୍ଟର ବୟସରେ ସମାନ ହେବେ ବୋଧହୁଏ । ବତିଶ ତେତିଶ ମଧ୍ୟରେ । ମଧୁ ମାଷ୍ଟରଙ୍କର ଉଚ୍ଚତା ପ୍ରାୟ ଛଅ ଫୁଟ, ମେଦହୀନ ଗହମ ରଙ୍ଗର ଶରୀର, ଲମ୍ବା ଲମ୍ବା କାନକୁ ମାନିବାଭଳି ଲମ୍ବା ମୁହଁ, ମୁଣ୍ଡ ଉପରେ ଉପରକୁ ଛଟା ହୋଇଥିବା ଅବିନ୍ୟସ୍ତ ବୋଝେ ବାଳ । ତୀକ୍ଷ୍‌ଣ ନାସିକା ମୁହଁ ଉପରେ ସଦା ପ୍ରସନ୍ନତାର ହସର ସରୁ ରେଖା ।

 

ସତ୍ୟନଗରରେ ରହିବାଦିନୁ ଏଠାରେ ଥିବା ନିରକ୍ଷର ଲୋକଙ୍କୁ ସାକ୍ଷର କରିବା ପାଇଁ ନୈଶ ବିଦ୍ୟାଳୟଟିଏ ଖୋଲ ଶିକ୍ଷା ଦେଉଛନ୍ତି ସେ । ହୋମିଓପାଥି ଡାକ୍ତର ହୋଇ ମଧ୍ୟ ଲୋକମାନେ ଶ୍ରଦ୍ଧାର ସହିତ ଡାକନ୍ତି ମାଷ୍ଟରବାବୁ । ଭୁବନେଶ୍ୱରକୁ ଆସିବା ଆଗରୁ ସେ ପରିଚିତ ଥିଲେ ମଧୁସୂଦନ ପଟ୍ଟନାୟକ ନାମରେ ଏବେ କିନ୍ତୁ ନିଜର ସାଙ୍ଗିଆ ଆଉ ଲେଖନ୍ତିନି ମଧୁ ମାଷ୍ଟର, ଲମ୍ବା ନାମଟାକୁ ବି କାଟଛାଣ୍ଟ କରି ଛୋଟକରି ଦେଇଛନ୍ତି ସେ । ଲୋକମାନେ କିନ୍ତୁ ଶ୍ରଦ୍ଧାରେ କହନ୍ତି ମଧୁ ମାଷ୍ଟ୍ରେ... । ସେଥିପାଇଁ ସମସ୍ତେ ଡାକନ୍ତି ମଧୁ ମାଷ୍ଟର; ଆଉ କେହି କେହି ବି କହନ୍ତି ଡାକ୍ତରବାବୁ । ସତ୍ୟନଗରର ବସ୍ତି ଅଞ୍ଚଳରେ ରହୁଥିବା ଗରିବ ବସ୍ତି ବାସିନ୍ଦାଙ୍କର ବ୍ୟୟବହୁଳ ଡାକ୍ତରୀ ଚିକିତ୍ସାଲାଗି ସମ୍ବଳ ନାହିଁ ବୋଲି ମଧୁ ହୋମିଓପାଥି ପଢ଼ି ସେଥିରେ ଡିପ୍ଳୋମା ହାସଲ କରି ଦଶବର୍ଷ ହେଲା ପ୍ରାକ୍‌ଟିସ କରୁଛନ୍ତି । ଏହି ଦୁଇଟି କିନ୍ତୁ ତାଙ୍କ ଉପାର୍ଜନର କ୍ଷେତ୍ର ନୁହେଁ । ସେ ଗୋଟିଏ ବଡ଼ ଛାପାଖାନାରେ ପ୍ରୁଫ୍‌ରିଡ଼ର କାମ କରି ଯାହା ପାଆନ୍ତି ଚଳିବା ପାଇଁ ତାହାହିଁ ଯଥେଷ୍ଟ । ମଧ୍ୟାହ୍ନରେ ଚାରି ଘଣ୍ଟା ସେ ଏଇ କାମ କରନ୍ତି, ଅନ୍ୟ ସମୟ ନିଜ ପାଇଁ ନିରକ୍ଷରମାନଙ୍କ ପାଇଁ ଓ ନିରାମୟ ହେବାଲାଗି ପଥ ଖୋଜୁଥିବା ଲୋକଙ୍କ ପାଇଁ ବ୍ୟୟ ହୁଏ ।

 

ମଧୁ ମାଷ୍ଟରଙ୍କ ଶିକ୍ଷାଗତ ଯୋଗ୍ୟତା ଏମ.ଏ.ପାସ୍‌ । ଅଳ୍ପ କେତେମାସ ଚାକିରି କରିଥିଲେ ଅବକାରୀ ବିଭାଗରେ; କିନ୍ତୁ କର୍ତ୍ତୃପକ୍ଷଙ୍କୁ ଦୁର୍ନୀତିଗ୍ରସ୍ତ ଦେଖି ଚାକିରି ଛାଡ଼ିଦେଲେ । ସେଇଦିନୁ ସ୍ୱାଧୀନଭାବରେ ଚଳୁଛନ୍ତି ସେ । ଘରର ଦାୟିତ୍ୱ ନାହିଁ, ବାପା ମା’ ତାଙ୍କ ଉପରେ ନିର୍ଭର ନ କରି ବରଂ ପ୍ରତିମାସରେ କିଛି କିଛି ପଠାନ୍ତି । ଆଗେ ସେମାନେ ଦୁଃଖ କରୁଥିଲେ ମଧୁ ଚାକିରି ଛାଡ଼ିଦେଲା ବୋଲି, ଏବେ କିନ୍ତୁ ସେ ଯାହା କରନ୍ତି ତାହା ସେମାନେ ଗ୍ରହଣ କରିନିଅନ୍ତି । ସେମାନେ ତାଙ୍କ ଆଦର୍ଶ ଓ ନୀତିରେ ସେ ବିଶ୍ୱାସ କରନ୍ତୁ ବା ନ କରନ୍ତୁ, ସେମାନେ କିନ୍ତୁ ପୁଅ ବାଛି ନେଇଥିବା ପଥରେ ଅନ୍ତରାୟ ସୃଷ୍ଟି ନ କରି ବରଂ ତାଙ୍କ କାମକୁ ସହଜ କରିବା ସକାଶେ ଯଥାସାଧ୍ୟ ସାହାଯ୍ୟ କରନ୍ତି ।

 

ମଧୁ ମାଷ୍ଟର ଗୁଲୁର କାନ୍ଧ ଉପରେ ହାତରଖି କହିଲେ, ପରେ ଏସବୁ ବିଷୟ ବୁଝିବା, ଗୋଟେ ବଡ଼ ଜରୋରୀ କାମ ଅଛି । ମୋ ସାଙ୍ଗରେ ଆସ... ।

 

ଗୁଲୁ ଅବାଧ୍ୟ ନ ହୋଇ ପୋଷାକୁକୁର ପରି ମଧୁ ମାଷ୍ଟରଙ୍କର ଅନୁଗମନ କଲା । ବାଟରେ ଗଲାବେଳେ ସେ କହିଲା, କିନ୍ତୁ ସତରେ ଯଦି ଆମ ସମସ୍ତଙ୍କୁ ଉଚ୍ଛେଦ କରି ଏଠାରେ ନଗର ବସାନ୍ତି ସରକାର କଅଣ ହେବ ଡାକ୍ତରବାବୁ ? ଆମେ ସବୁ ଯିବା କୁଆଡ଼େ ? ଏଇ ଗରିବ ଖଟିଖିଆ ଅସହାୟ ଲୋକଗୁଡ଼ାଙ୍କୁ ଆଶ୍ରୟ ଦବ କିଏ ?

 

ମଧୁ ମାଷ୍ଟରଙ୍କ ପାଖରେ ଏହାର ସହଜ ଉତ୍ତର ନ ଥିଲା; ତେଣୁ ସମସ୍ୟାର ସମାଧାନ ନ କରି ଜାଣି ଜାଣି ତାହା ଏଡ଼ି ଦେଇଥିବା ଲୋକପରି ସେ ବି କହିଲେ, ହଉ ଦେଖିବା...ସମୟ ଆସୁ ସବୁ ଠିକ୍‌ ହୋଇଯିବ... ।

 

-ମନକୁ ମନ ସବୁ ଠିକ୍‌ ହୋଇଯିବନି ଡାକ୍ତରବାବୁ... ।

 

-ମୁଁ ସେକଥା ବୁଝେ ଗୁଲୁ; କିନ୍ତୁ ସେଠାରେ ଛିଡ଼ାହୋଇ ସରକାର ବାହାଦୂରଙ୍କୁ ଗାଳିଦେଲେ ଯେ ସମସ୍ୟାର ସମାଧାନ ହୋଇଯିବ ନାହିଁ ଏହା ବି ତମେ ଜାଣ ନିଶ୍ଚୟ... ।

 

-ହଁ, କିନ୍ତୁ...।

 

-ଉପାୟ ବାହାର କରିବାକୁ ହେବ । ପୃଥିବୀର ଏତେ ବଡ଼ ବଡ଼ ଜଟିଳ ସମସ୍ୟାର ସମାଧାନ କରାଯାଇ ପାରୁଛି, ସତ୍ୟନଗରର ବସ୍ତି ବାସିନ୍ଦାଙ୍କ ସମସ୍ୟା ତାଠାରୁ ନିଶ୍ଚୟ ବଡ଼ ନୁହେଁ-

 

-ଆମ ପାଖରେ ଆମ କଥା ବଡ଼... ।

 

-ହଁ, ସେଥିଲାଗି କହୁଛି ଅଦାବେପାରୀ ଜାହାଜର ମୂଲ କରିବ କାହିଁକି ? ସରକାର କଅଣ କରିବାକୁ ଚାହାନ୍ତି ବୁଝାଯାଉ, ତା’ପରେ ପ୍ରତିକାର କରିବା ବିଷୟ ବିଚାର କରିବା ।

 

-ମୁଁ କିନ୍ତୁ ତମକୁ ଆଗରୁ କହିଦଉଛି ସେମାନେ ଯଦି ବଳ ପ୍ରୟୋଗ କରନ୍ତି ଆମେ ହଟିଯିବୁ ନାହିଁ । ଆମେ ବି ମାଆର ଦୁଧ ଖାଇଛୁ ମାଷ୍ଟରବାବୁ...ଆମେ ବି ବାପ୍‍କା ବେଟା... ।

 

-କୌଣସି ଅନ୍ୟାୟ ବା ଅବିଚାର ଆଗରେ ମୁଣ୍ଡ ନୁଆଁଇଦବା ଉଚିତ ନୁହେଁ; କିନ୍ତୁ ଅଣ୍ଟା ଭାଙ୍ଗିଯାଇଥିବା ଲୋକଗୁଡ଼ାଙ୍କର ଅଣ୍ଟା ତ ଖାଲି କଥାରେ ସଳଖି ଯିବ ନାହିଁ, ସେମାନଙ୍କୁ ସଳଖ ହୋଇ ଛିଡ଼ାହେବାର ସିଧା ରାସ୍ତାରେ ଚାଲିବାର ମନ୍ତ୍ର ମଧ୍ୟ ଶିଖେଇବାକୁ ପଡ଼ିବ । ସେଥିପାଇଁ କହେ ଗୁଲୁ...ଏ ନିଶା ଛାଡ଼ିଦିଅ...ମଣିଷ ପରି ଜଣେ ମଣିଷ ହବାକୁ ଚେଷ୍ଟାକର ।

 

ଗୁଲୁ ଧୀରେ ଧୀରେ ଅନୁତପ୍ତ କଣ୍ଠରେ କହିଲା-କିନ୍ତୁ ପାରୁନି ଯେ ମାଷ୍ଟର... ।

 

-ଚେଷ୍ଟା କଲେ କରିପାରିବ...ମଣିଷର ମନହିଁ ତା’ର ବଡ଼ ଶତ୍ରୁ । ସେଇ ମନକୁ ନିୟନ୍ତ୍ରଣ କଲେ ଦେଖିବ ଅସାଧ୍ୟ ସାଧନା କରିବା କଷ୍ଟକର ନୁହେଁ ।

 

ଗୁଲୁ ସକାଳେ ସକାଳେ ବୋତଲେ ଦେଶୀ ମଦ ପିଇ ଘରୁ ବାହାରେ । ସେତେବେଳେ ସତ୍ୟନଗରର ଅପରିଚ୍ଛନ୍ନ ରାସ୍ତା, ଅଳିଆ ଗଦାରୁ ଖାଦ୍ୟ ସଂଗ୍ରହ କରିବା ପାଇଁ ପ୍ରତିଯୋଗିତା କରୁଥିବା ଛୋଟ ଛୋଟ ନଙ୍ଗଳା ପିଲା, ଲଜ୍ୟା ଲୁଚାଇ ନ ପାରି ଶତଚ୍ଛିନ୍ନ ବସ୍ତ୍ରକୁ ଏପଟେ ସେପଟେ ଟାଣୁଥିବା ଯୁବତୀ, ଆଉ ମାଲଭର୍ତ୍ତି ଶଗଡ଼ ଟାଣିବା ପାଇଁ ବଳଦ ଜାଗାରେ ମଣିଷଗୁଡ଼ାଙ୍କୁ ଶଗଡ଼ ଟାଣିଥିବାର ଦେଖିଲେ ସବୁ ସହଜ, ସୁନ୍ଦର ମନେହୁଏ ଗୁଲୁର । ମଇଳା, ଶ୍ରୀହୀନ ଦିଶୁଥିବା ପୃଥିବୀର ରୂପ ନିଶାଗ୍ରସ୍ତ ହେବା ପରେ ହଠାତ୍‌ ନିର୍ମଳ, ସୁନ୍ଦର ଦିଶେ ।

 

ଗୁଲୁ ସକାଳେ ଶପଥ କରିଥିଲା ଆଉ ମଦ ନ ପିଇବା ପାଇଁ; କିନ୍ତୁ ସେ ଇଚ୍ଛାକରି ଭାଟିଆଡ଼େ ନ ଯାଇ ବୁଲା ରାସ୍ତାରେ ମାଲଗୋଦାମଆଡ଼େ ଯାଉଥିବାବେଳେ ଗୁରୁମୁଖ ସିଂ ତାକୁ ଟାଣି ଟାଣି ନେଇ ଯାଇଥିଲା ଭାଟିକୁ । ସେଇ ବୋତଲଗୁଡ଼ାକୁ ଦେଖି ହଠାତ୍‌ ଗୁଲୁର ସବୁ ପ୍ରତିଜ୍ଞା ପାଣି ପରି ବହିଗଲା । ସେ ଗୋଟେ ବୋତଲ ଉଠେଇନେଇ ଢକଢକ ପିଇଦେଇ ଗୁରୁମୁଖ ସିଂକୁ କୁଣ୍ଢେଇ ପକେଇ କହିଥିଲା ଯେ ଦୋସ୍ତ ହୋତା ଐସା... ।

 

ଏବେ କିନ୍ତୁ, ପୁଣି ମଧୁମାଷ୍ଟର ସେଇ ମଦ ନ ପିଇବାର ଶପଥ ସ୍ମରଣ କରାଇ ଦବାରୁ ଗ୍ଳାନିରେ ଭରିଗଲା ତା’ର ମନ । ଗୁଲୁ ମନକୁ ମନ କହିଲା, ଚେଷ୍ଟା କରିବି ମାଷ୍ଟ୍ରେ...କଥା ଦେଉଛି-

 

ମଧୁ ବେଳେ ବେଳେ ଭାବେ ଏଇ ସୁନ୍ଦର ରାଜଧାନୀ ଭିତରେ ସତ୍ୟନଗର ନାମରେ ଏପରି ଏକ ଅସୁନ୍ଦର, ଅପରିଚ୍ଛନ୍ନ ବସ୍ତି କିଏ ସୃଷ୍ଟି କଲା ? ସମସ୍ତଙ୍କର ଶୁଭ ମନାସୁଥିବା ଓ ସମାଜର ଛୋଟ ଛୋଟ ହେୟ ମନେହେଉଥିବା କାମଗୁଡ଼ାକୁ କରୁଥିବା ଏଇ ମେହେନତି ମଣିଷମାନଙ୍କୁ ପ୍ରଥମେ କିଏ ଆଜ୍ଞା ଦେଲା ସତ୍ୟନଗର ନାମ ଦିଆଯାଇଥିବା ଏହି ଅଞ୍ଚଳରେ ବସ୍ତି ସ୍ଥାପନ କରିବା ପାଇଁ ?

 

ସତ୍ୟନଗରର ସବୁଠାରୁ ବୟସ୍କବ୍ୟକ୍ତି ଦୟାନିଧି ମହାରଣା ସେଦିନ କହୁଥିଲା ବସ୍ତି ବସିବାର ଇତିହାସ । ରାଜଧାନୀ ନିର୍ମାଣ ହେବା ଆଗରୁ ଏହି ଅଞ୍ଚଳ ଜଙ୍ଗଲ ଥିଲା, ରେଳ ପଥକୁ ଲାଗି ଯୋଉ ଗାଁ ଥିଲା ସେଠାରେ ବସବାସ କରୁଥିବା ଲୋକମାନେ ଖାଲି ଜମି ଚାଷ କରି ଜୀବିକା ନିର୍ବାହ କରୁଥିଲେ । ସେତେବେଳେ ଚନ୍ଦକା ଜଙ୍ଗଲରୁ ହାତୀମାନେ ନିର୍ଭୟରେ ଚାଲିଆସୁଥିଲେ ଏହି ଅଞ୍ଚଳକୁ ପାଚିଲା ଧାନ ଖାଇବା ପାଇଁ । ହେଟାବାଘ, ଭାଲୁ, ହରିଣ ବି ଆସୁଥିଲେ ଖାଦ୍ୟ ଅନ୍ୱେଷଣ କରି କରି । ଏବେ ସେମାନେ ଆଉ ଆସୁନାହାଁନ୍ତି; ତାଙ୍କ ସ୍ଥାନରେ ଆସୁଛନ୍ତି ମଣିଷମାନେ ।

 

ରାଜଧାନୀ ନୀର୍ମାଣ କରିବାଲାଗି କାମ ଆରମ୍ଭ ହେବାର ଅଳ୍ପ କେତେବର୍ଷ ପରେ ଖଟିଖିଆ ଦିନମଜୂରିଆମାନଙ୍କୁ ଆଶ୍ରୟ ଦବା ପାଇଁ ଠିକାଦାରମାନେ କେତୋଟି ମାଟିଝାଟିର ଘର ନିର୍ମାଣ କରିଥିଲେ ଏଠାରେ । ସେଇଠୁ ଆରମ୍ଭ କ୍ରମଶଃ ଓଡ଼ିଶାର ଓ ଓଡ଼ିଶା ବାହାରର ବିଭିନ୍ନ ସ୍ଥାନରୁ କାମଧନ୍ଦା ଖୋଜି ଖୋଜି ଆସିଲେ ରାଜମିସ୍ତ୍ରୀ, ବଢ଼େଇ, ଧୋବା, ଗଉଡ଼, ନାପିତ ଓ କମାର, ସାଧାରଣ ଶ୍ରମିକ ଏବଂ କିଛି କରୁ ନ ଥିବା ଅନେକ ଅବାଞ୍ଛିତ ଲୋକ । ଧୀରେ ଧୀରେ ବସ୍ତି ବଢ଼ିଲା, ନୂଆ ଝାଟିମାଟିର ଘର ତିଆରି ହେଲା; କିନ୍ତୁ ସାଧାରଣ ଲୋକର ସାହସ ନ ଥିଲା ସରକାରୀ ଜମି ଜବର ଦଖଲ କରିବା ପାଇଁ । କେତେ ଠିକାଦାର, କୁଲି ସର୍ଦ୍ଦାର ଓ ଛୋଟ ବ୍ୟବାସାୟୀ ସ୍ୱାର୍ଥସାଧନ କରିବାଲାଗି ସରକାରୀ ଜମି ଜବରଦଖଲ କରି କୁଡ଼ିଆ ତିଆରି କରି ଭଡ଼ା ଦେଲେ କାମଧନ୍ଦା କରୁଥିବା ବିଭିନ୍ନ ଶ୍ରେଣୀର ଲୋକମାନଙ୍କୁ; ଯୋଉମାନେ ଜୀବନ ସହିତ ପ୍ରତି ମୁହୂର୍ତ୍ତରେ ସଂଗ୍ରାମରତ ସେମାନେ ଟିକେ ଆଶ୍ରୟ ପାଇ ରହିଗଲେ, ତା’ପରେ ପରିବାର ବଢ଼ିଲା, ବସ୍ତି ମଧ୍ୟ ବଢ଼ିଲା । ପରେ ପରେ ଜନପଥକୁ ଲାଗି ଖାଲିଥିବା ସ୍ଥାନ ସରକାରଙ୍କଠାରୁ ନେଇ ବଡ଼ ବଡ଼ ଲୋକ ନିର୍ମାଣ କଲେ ବ୍ୟୟବହୁଳ ଅଟାଳିକା । ସାଧାରଣ ଲୋକ ସତ୍ୟକୁ ଆଶ୍ରୟ କରେ, ଧର୍ମକୁ ଧାରଣ କରେ । ସେଥିପାଇଁ ସେ ତ୍ୟାଗ କରେ, ନିଜର ବିଶ୍ୱାସ ପାଇଁ କଷ୍ଟବରଣ କରେ, ଅନ୍ୟକୁ ଅସୁଖୀ ବା ବଞ୍ଚିତ କରି ନିଜେ ସୁଖୀ ହେବାର କଳ୍ପନା ନ କରି ଯାହା ଅଛି ସେଥିରେ ସମସ୍ତଙ୍କ ସହିତ ବାଣ୍ଟିକୁଣ୍ଟି ଚଳିବା ପାଇଁ ସ୍ୱେଚ୍ଛାରେ ଅନ୍ୟମାନଙ୍କୁ ସାଙ୍ଗ କରେ । ସେଥିପାଇଁ ସ୍ଥାନଭାବ ହୁଏନି ବସ୍ତି ଅଞ୍ଚଳରେ, ଗୋଟେ କୁଡ଼ିଆରେ ଆହାର ନ କରିବା ରୋଗରେ ଧକଉଥିବା ପଡ଼ୋଶୀର ଯନ୍ତ୍ରଣା ଓ ଦୀର୍ଘଶ୍ୱାସ କାନ୍ଥ ସେପାଖର କାନକୁ ଅଶୁଣା ରହେ ନାହିଁ ।

 

ମଧୁ ମାଷ୍ଟର ଭାବିବା ଆରମ୍ଭ କଲେ କେତେ କଥା ଭାବିଯାଆନ୍ତି, ସମୟର ଜ୍ଞାନ ରହେନାହିଁ । ଭାସିଯାଏ ଭାବନାର ପ୍ରବାହ ।

 

ନା, ନିଜର ଶ୍ରମ ଲହୁ ଓ ଲୁହ ଦେଇ ସହରକୁ ନିର୍ମାଣ କରିଥିବା, ଏହାର ସୁଖ ଦୁଃଖରେ ଅଂଶଗ୍ରହଣ କରି ଜୀବିକାର୍ଜ୍ଜନ କରୁଥିବା ସମାଜର ଏଇ ଅତି ସାଧାରଣ ନଗଣ୍ୟ ଲୋକମାନଙ୍କୁ ଯେପରି ହେଲେ ରକ୍ଷା କରିବାକୁ ହେବ । ପ୍ରବଳ ପ୍ରତାପୀ ସରକାରଙ୍କ ସଶସ୍ତ୍ର ପୁଲିସ୍‍ ଫୌଜ ଆଇନ ଓ ଆଦେଶର ତାଲିମ କରିବା ନାମରେ ଯେ ଏଇ ନିରୀହ, ନିରସ୍ତ୍ର ଲୋକମାନଙ୍କୁ ଦଣ୍ଡକ ମଧ୍ୟରେ ଧୂଳିସାତ୍‌ କରିଦେଇ ପାରିବେ ଏଥିରେ ସଂଶୟ ନ ଥିଲା ତାଙ୍କର । ତଥାପି ସେ ଆଶା କରୁଥିଲେ ଯେ ହୁଏତ ଚେଷ୍ଟାକଲେ, ସମସ୍ତଙ୍କ ବସ୍ତି ବାସିନ୍ଦାଙ୍କୁ ସଙ୍ଗଠିତ କରି ସାଧନାର ପନ୍ଥା ବାହାର କରିବା ସକାଶେ ଉଦ୍ୟମ କଲେ କିଛି ଗୋଟେ ସମାଧାନ ବାହାରିପାରେ-। ସେ ପିଲାଦିନୁ ଆଶାବାଦୀ, ମଣିଷର ସମ୍ବେଦନଶୀଳତାରେ ବିଶ୍ୱାସୀ । ଶାସକ ହେଉ ବା ଶାସିତ ହେଉ, ନିର୍ବଳ ହେଉ ବା ବଳବାନ ହେଉ ଊଣାଅଧିକେ ସବୁ ମଣିଷର ହୃଦୟରେ ଅନ୍ୟମାନଙ୍କ କଥା ଭାବିବା ପାଇଁ ଟିକେ ସମୟ ଓ ଟିକେ ସ୍ଥାନ ଅଛି । ସେଥିପାଇଁ ତ ପରସ୍ପର ସ୍ୱାର୍ଥ ମଧ୍ୟରେ ବିରୋଧ ଥାଇ ମଧ୍ୟ ସବୁ ଶ୍ରେଣୀର ଲୋକଙ୍କୁ ନେଇ ସମାଜ ଗଠିତ ହୋଇଛି; ନିଷ୍ଠୁରତା, ସଂକୀର୍ଣ୍ଣତା ଓ ସ୍ୱାର୍ଥପରତା ମଧ୍ୟରେ ଦୟା, ଉଦାରତା ଓ ତ୍ୟାଗ ବଞ୍ଚି ରହିଛି ।

 

ମଧୁ ଆଉ ବିଳମ୍ବ ନ କରି ସତ୍ୟନଗରର ବସ୍ତିବାସିନ୍ଦାମାନଙ୍କୁ ସଙ୍ଗଠିତ କରି ସମାଧାନର ସୂତ୍ର ବାହାର କରିବାଲାଗି ନିଷ୍ପତ୍ତି କରି ପ୍ରଥମେ ଗଲେ ଦୟାନିଧି ଅଜା ପାଖକୁ । ତାଙ୍କରି ସଭାପତିତ୍ୱରେ ସେ ଡାକିବେ ବସ୍ତି ବାସିନ୍ଦାମାନଙ୍କର ପ୍ରଥମ ସଭା ।

 

ସତ୍ୟନଗରରେ ରହିବାଦିନୁ ଜୀବନର ନୂଆ ନୂଆ ରୂପ ଆଖିରେ ପଢ଼ୁଛି ରାଧାର । ରାଜଧାନୀର ବଡ଼ ବଡ଼ କୋଠା ଘରେ ସଜବାଜ ହୋଇ ରହିଥିବା ଲୋକମାନେ ତାକୁ ଖେଳଣା ପରି ଦିଶନ୍ତି । ସେମାନଙ୍କୁ ନେଇ ସୁତ୍ରଧର ଯେପରି କଣ୍ଢେଇ ନାଚ କରିଚାଲିଛି କଣ୍ଢେଇମାନଙ୍କର ନିଜର ଆନନ୍ଦ ପାଇଁ; କିନ୍ତୁ ଜୀବନ ନଦୀ ପରି ପ୍ରବାହମାନ ଏଇ ବସ୍ତିରେ । ଏଠାରେ ଜୀବନର ଶୋଭାଯାତ୍ରା, ହସ ଓ କାନ୍ଦ ଏବଂ ଯନ୍ତ୍ରଣା ଓ ଆନନ୍ଦର ଦୃଶ୍ୟ ଜୀବନ୍ତ । ଏଠାରେ କୃତ୍ରିମତାର ଛଳନା ନାହିଁ, ଅଛି ସତ୍ୟର ସହଜତା ପ୍ରକାଶର ମଧୁରତା ।

 

ରାଧା ସ୍କୁଲରୁ ଫେରିବା ବାଟରେ ଦରକାରୀ ଜିନିଷ କିଣିଆଣେ ବଜାରରୁ । ତା’ର ଆବଶ୍ୟକତା ଅତି କମ୍‌ ତଥାପି ସମାଜରେ ରହିବା ପାଇଁ ଖାଦ୍ୟ, ବସ୍ତ୍ର ବ୍ୟତୀତ କେତେକ ଦ୍ରବ୍ୟର ବି ପ୍ରୟୋଜନ ହୁଏ । ସେ ହାଟରୁ କିଛି ପରିବା ଏବଂ ଦୋକାନରୁ ସାବୁନ, ସର୍ଫ, ମସଲା, ପାମ୍ପଡ଼, ଜାଇମୁଗ, ବିସ୍କୁଟ୍‍, ମିକ୍‌ଶ୍ଚର, ମହମବତି, ଦିଆସିଲି, ପାଉଡର, ସୁଜି, ଘିଅ ପ୍ରଭୃତି ଦୁଇଟା ଥଳିରେ ଭର୍ତ୍ତିକରି ରିକ୍‌ସାରେ ଫେରୁଥିଲା ଜନପଥ ଦେଇ । ବାଟରେ ମାଷ୍ଟରକ୍ୟାଣ୍ଟିନ ଆଗରେ ଦେଖା ହୋଇଗଲା ସତ୍ୟଜିତ୍‌ ସହିତ ।

 

ସେ ଓ ସତ୍ୟଜିତ୍‌ ବି.ଜେ.ବି. କଲେଜରେ ପଢ଼ୁଥିଲେ ଏକ ସମୟରେ । ସତ୍ୟଜିତ୍‌ ଥିଲା ତା’ଠାରୁ ଦୁଇ ବର୍ଷର ସିନିଅର । କ୍ଳାସ୍‌ରେ ପ୍ରଥମ ହେଉଥିବା ସେଇ ଲାଜୁଆ ଅଳ୍ପଭାଷୀ ପିଲାଟି ଅନେକଙ୍କର ଥିଲା ପ୍ରିୟପାତ୍ର । ରାଧା ସହିତ ଦିନେ ଆକସ୍ମିକ ଭାବରେ ତା’ର ବ୍ୟକ୍ତିଗତ ବନ୍ଧୁତା ଆରମ୍ଭ ହୋଇଥିଲା । ସେଦିନ କଲେଜ ଛାତ୍ରମାନେ ଧର୍ମଘଟ କରି କ୍ଳାସ୍‌ବର୍ଜନ କରିଥାଆନ୍ତି । କେତେଜଣ ଛାତ୍ର କ୍ଳାସ୍‌ରେ ଯୋଗଦବାପାଇଁ ଆସିବାରୁ ଦୁଇଦିନ ମଧ୍ୟରେ ବଚସା ଏବଂ ତା’ପରେ ଧସ୍ତାଧସ୍ତି ଆରମ୍ଭ ହୋଇଥିଲା । ରାଧା ମଧ୍ୟ କ୍ଳାସ୍‌ରେ ଯୋଗ ଦବାଲାଗି ଆସିଥିଲା ସେତିକିବେଳେ ।

 

ସତ୍ୟାଗ୍ରହ କରୁଥିବା ଜଣେ ଛାତ୍ର ତା’ ପାଖକୁ ଲାଗିଆସି କହିଲା, ଆଜି ଧର୍ମଘଟ ଜାଣି ମଧ୍ୟ କଲେଜ ଆସିଛ କାହିଁକି ? କେଉଁ ସାହସରେ ?

 

ତା’ର ଉତ୍ତରରେ ରାଧା କହିଥିଲା ଯେ, ଯେଉଁ ଅଧିକାର ବଳରେ ସେମାନେ ଧର୍ମଘଟ କରିଛନ୍ତି ସେଇ ଅଧିକାର ସାବ୍ୟସ୍ତ କରିବାଲାଗି ସେ କ୍ଳାସ୍‌ କରିବାଲାଗି ଆସିଛି । ଗଣତାନ୍ତ୍ରିକ ସମାଜ ବ୍ୟବସ୍ଥାରେ କେବଳ ବହୁମତର ପ୍ରାଧାନ୍ୟ ରହେନାହିଁ । ସଂଖ୍ୟାଲଘୁଙ୍କ ମତକୁ ବି ସମ୍ମାନ ଦିଆଯାଏ ।

 

ତାକୁ ପ୍ରଶ୍ନ ପଚାରୁଥିବା ସେଇ ପିଲାକୁ ଆଉ ଅଧିକ ଅଗ୍ରସର ହେବାକୁ ନ ଦେଇ ଯେଉଁ ପିଲାଟି ରାଧାକୁ କହିଥିଲା ଯେ, ସେ ଯଦି ଚାହେ କ୍ଳାସ୍‌ରେ ଯୋଗଦେଇପାରେ । ତା’ ମୁହଁକୁ ଚାହିଁ ସେଦିନ ଅବାକ୍‌ ହୋଇଯାଇଥିଲା ରାଧା ।

 

ତା’ପରେ ପୂର୍ବର ପିଲାଟି କହିଥିଲା, ଯିଏ କଲେଜର ବେଷ୍ଟ୍‌ ଷ୍ଟୁଡ଼େଣ୍ଟ ସିଏ ଧର୍ମଘଟ କରୁଛି ଆଉ ଇଏ କ୍ଳାସ୍‌କରି ସ୍ୱର୍ଗକୁ ନେଇଯିବେ ସମସ୍ତଙ୍କୁ ।

 

ସେତିକିବେଳେ ରାଧା ଆଗରେ ଛିଡ଼ାହୋଇ ବିନମ୍ର କଣ୍ଠରେ କହିଥିଲା ସେ, ମୋ ନାମ ସତ୍ୟଜିତ୍ ରାୟ, ତୃତୀୟ ବାର୍ଷିକ ବିଜ୍ଞାନ ଛାତ୍ର ।

 

ରାଧା ସେଦିନ ଆଉ କ୍ଳାସ୍‌ ନ କରି ଫେରିଯାଇଥିଲା ଘରକୁ । ସେଇଦିନର ପରିଚୟରୁ ବନ୍ଧୁତ୍ୱ ।

 

ପ୍ରାୟ ଦଶବର୍ଷ ପରେ ପୁଣି ସତ୍ୟଜିତ୍‌କୁ ମାଷ୍ଟରକ୍ୟାଣ୍ଟିନ ଛକରେ ଦେଖିବ ଏହା ସେ ଆଦୌ କଳ୍ପନା କରି ନ ଥିଲା ।

 

ସତ୍ୟଜିତ୍‌ ଆଗେଇ ଆସି କହିଲା, ଯୁଗପରେ ତୁମକୁ ଦେଖୁଛି, କିଏ ଜାଣିଥିଲା ଆଜି ଏପରି ଭାବରେ ଦେଖା ହୋଇଯିବ ତୁମ ସହିତ... । ଅଥଚ ଦେଖା ସାକ୍ଷାତ୍‍ର ଏଇ ଆକସ୍ମିକତା ଭିତରେ ଥାଏ ବିରଳ ମଧୁରତା, ନିର୍ମଳ ଆନନ୍ଦ ।

 

ସମୟର ଏଇ ବ୍ୟବଧାନରେ ସତ୍ୟଜିତ୍‌ କବି ହୋଇଯାଇ ନାହିଁ ତ ! ରାଧା ମୁରୁକି ହସି କହିଲା, ଆପଣ ଅନେକ ବଦଳି ଯାଇଛନ୍ତି ।

 

ସତ୍ୟଜିତ୍‌ ପ୍ରଗଳ୍‌ଭ ପରି କହିଲା, ବଦଳିବା ତ ମଣିଷର ସହଜତା ପ୍ରକୃତି । ବରଂ ମୋତେ ପୂର୍ବପରି ଦେଖିଥିଲେ ତୁମେ ମନେ ମନେ ହତାଶ ହୋଇ ଥାଆନ୍ତ ! ନୁହେଁ ?

 

ରାଧାର ତୁଣ୍ଡରୁ ହଠାତ୍‌ ବାହାରିଗଲା, ହଁ... ।

 

ସତ୍ୟଜିତ୍‌ ଖୁସିହୋଇ କହିଲା, ଏତେଦିନ ପରେ ଦେଖା, ଓହ୍ଲେଇବନି ରିକ୍‌ସାରୁ ?

 

ରାଧା ଅପ୍ରସ୍ତୁତ ହୋଇପଡ଼ିଲା ନିଜର ଅଭଦ୍ରତା ପାଇଁ । ସେ ରିକ୍‌ସାରୁ ଓହ୍ଲାଇପଡ଼ି କହିଲା, ସ୍କୁଲରୁ ଫେରିବା ବାଟରେ ବଜାର କରି ଫେରୁଥିଲି... ।

 

ହଁ, ତୁମ ପାଖରେ ଥିବା ଦୁଇଟି ବଡ଼ ବଡ଼ ଥଳି ଦେଖି ସେୟା ଅନୁମାନ କରି ନେଇଥିଲି ମୁଁ । ରିକ୍‌ସା ଟିକେ ଅପେକ୍ଷା କରୁ, ଆସେ ଆମେ ଗୋଟେ ଗୋଟେ ଲିମ୍‌କା ପିଇବା... ।

 

ରାଧା ମନା କରିପାରିଲା ନାହିଁ ।

 

ଲିମ୍‌କା ପିଇସାରି କହିଲା ସତ୍ୟଜିତ୍‌, ମୁଁ ଚାକିରି ନ କରି ଓକିଲାତି କରୁଛି...ଏଇ ଭୁବନେଶ୍ୱରରେ...କିଛିଦିନ ଚାକିର କରିଥିଲି, ଭଲ ନ ଲାଗିବାରୁ ଛାଡ଼ିଦେଲି । ରହିଛି, ବି.ଜେ.ବି ନଗରର ଏ ସାତ ନମ୍ବର ପ୍ଳଟ୍‌ରେ ।

 

ରାଧା ବାଧ୍ୟହୋଇ କହିଲା, ମୁଁ ବି ଏଇ ରାଜଧାନୀରେ ରହୁଛି, ସତ୍ୟନଗରରେ... ।

 

ସତ୍ୟଜିତ୍‌ ଖୁସିହୋଇ କହିଲା, ତା’ହେଲେ ମଝିରେ ମଝିରେ ଦେଖାହେବ ନିଶ୍ଚୟ । ମୋ କାର୍ଡ଼ଟା ରଖିଥାଅ, ମନେପଡ଼ିଲେ ଚାଲିଆସିବ । ଆଉ ତା ଆଗରୁ ମୁଁ ଆସିବି ନିଶ୍ଚୟ । ତମର ଠିକଣାଟା କହିଲ ନାହିଁ ଯେ... ।

 

ରାଧା ଦ୍ୱିଧା କରୁଥିଲା କହିବା ପାଇଁ । ସେ ବସ୍ତିରେ ରହୁଥିବା ଶୁଣି ନିଶ୍ଚୟ ପୁଲକିତ ହେବ ନାହିଁ ସତ୍ୟଜିତ୍‌ । ସେ ଫାଷ୍ଟ ହେଉ ନଥିଲେ ମଧ୍ୟ ଫାଷ୍ଟ ଡିଭିଜନରେ ପାସ୍‌ କରୁଥିଲା ତ । ତା’ ଦେଖି କଅଣ ବୁଝିଲା କେଜାଣି କହିଲା ସତ୍ୟଜିତ୍‌, କଲିକତାରେ ମଣିଷ ଖୋଜି ବାହାର କରିହେଉଛି. ସତ୍ୟନଗର ବଳିଯିବନି ମୋତେ । ମୁଁ ଓକିଲ, ଅନୁସନ୍ଧାନ ପ୍ରିୟତା ମୋର ପ୍ରକୃତି ।

 

ରାଧା କହିଲା, ମୁଁ ରାଜଧାନୀ ବାଳିକା ବିଦ୍ୟାଳୟର ଶିକ୍ଷୟିତ୍ରୀ । ଆଡ଼ହକ୍‌ରେ ଅଛି ।

 

ସତ୍ୟଜିତ୍‌ ରାୟ କହିଲା, ଆଡ଼ହକ ବ୍ୟବସ୍ଥା ଏ ଦେଶକୁ ବେଶ୍‌ ସୁହାଉଛି । ଦେଖୁନ ! ରାଜନୀତିକ ଦଳଗୁଡ଼ାକର ଅବସ୍ଥା । ଦଶ ପନ୍ଦର ବର୍ଷ କୌଣସି ନିର୍ବାଚନ ନ କରି ପ୍ରେସିଡେଣ୍ଟ, ସେକ୍ରେଟାରୀ ସମସ୍ତେ ଆଡ଼ହକ ଭାବରେ ଅଛନ୍ତି । ଏଇ ବ୍ୟବସ୍ଥା ନ ଥିଲେ ଦଲାଲ, ପାଓ୍ୱାର ବ୍ରୋକରମାନେ ବେକାର ହୋଇ ବୁଲୁଥାଆନ୍ତେ ଯେ... ।

 

ସେମାନଙ୍କ କଥା ଛାଡ଼, ‘ଏ ବଡ଼ ଲୋକଙ୍କର ମତ, ଅଳପ ଲୋକେ ବିପରୀତ’ ମୁଁ ସାମାନ୍ୟ ଶିକ୍ଷୟିତ୍ରୀ ମାତ୍ର । କଅଣ ହେବ ଶେଷରେ ଦେଖାଯାଉ ।

 

-ହବ କଅଣ ଯେ...ତମେ ଯଦି ଶିକ୍ଷୟିତ୍ରୀ ହୋଇ ରହିବାକୁ ଚାହଁ କିଏ ତୁମକୁ ସେଥିରୁ ଅନ୍ତର କରିବ ଦେଖିବି ।

 

-ନା, ନା, ଏଇ ସାମନ୍ୟ ବିଷୟ ନେଇ କିଛି କରି ବସିବା ମୁଁ ଚାହେଁନି । ଆପଣ ଆଡଭୋକେଟ୍‌, କେତେ ବଡ଼ ବଡ଼ କାମ ଅପେକ୍ଷା କରେ ଆପଣଙ୍କ ସାହାଯ୍ୟର ।

 

-କୌଣସି କାମ ବଡ଼ ବା ଛୋଟ ନୁହେଁ ରାଧା । ସବୁ କାମ ବଡ଼ ପୁଣି କାମର ମହତ୍ତ୍ୱ ନ ବୁଝିଲେ ବଡ଼ ହୋଇବି ସବୁକାମ ଛୋଟ... ।

 

କିଛି ସମୟ ଗପିବା ପରେ ହଠାତ୍‌ କଅଣ ଭାବି କହିଲା ସତ୍ୟଜିତ୍‌, କିଛି ମନେକରିବନି ରାଧା, ତମେ ଏକା ରହୁଛ ନା...?

 

ରାଧାର ଅନ୍ତର ଭିତରର କ୍ଷତଟା ହଠାତ୍‌ ଟଣଟଣ କରି ଉଠିଲା ଯନ୍ତ୍ରଣାରେ । ସେ କିନ୍ତୁ ସମ୍ଭାଳି ନେଇ କହିଲା, ଏକା...ବାପା ମା’ ତ ନାହାନ୍ତି, ଅନେକ ଦିନୁ ଗତ ହେଲେଣି ।

 

ବାହା ହୋଇନି ? ଆଶ୍ଚର୍ଯ୍ୟ ହୋଇ ପଚାରିଦେଲା ସତ୍ୟଜିତ୍‌ ।

 

ରାଧା ଦଣ୍ଡେ ନିରୂତ୍ତର ରହି କହିଲା, ଆଉ ଦିନେ କହିବି...

 

-ହଁ, ଆଉ ଦିନେ କହିବ ରାଧା, ସବୁ କଥା ଜାଣିଗଲେ ଅଜଣା, ଅଶୁଣା କୁ ଜାଣିବାଲାଗି ମନୁଷ୍ୟର ଆଗ୍ରହ ଯେପରି ରହେ ନାହିଁ, ଆବୃତ ରହସ୍ୟକୁ ଅନାବୃତ କରିବା ପାଇଁ ତା ଚିତ୍ତରୁ ବ୍ୟାକୁଳତା ମଧ୍ୟ କମିଯାଏ । ଅନୁସନ୍ଧାନ କରିବା ସ୍ପୃହା ଅଛି ବୋଲି ତ ମନୁଷ୍ୟ ଅନ୍ୟ ପ୍ରାଣୀମାନଙ୍କଠାରୁ ସବୁ କ୍ଷେତ୍ରରେ ଆଗୁଆ... ।

 

ରାଧା ବିଦାୟ ନେଲାବେଳେ ସତ୍ୟଜିତ କହିଲା, ପୁଣି ଦେଖା ହେବ... । ବାୟ...

 

ହଁ, ପୁଣି ଦେଖାହେବ । ବାୟ ...

 

ରିକ୍‌ସାଟା ସତ୍ୟନଗର ଭିତରକୁ ପଶିବା ପାଇଁ ମୋଡ଼ ଭାଙ୍ଗିଲାବେଳକୁ ରାଧାର ମନକୁ ଆସିଲା ଯେ ଏଇ ପୃଥିବୀକୁ ପ୍ରତିଦିନ ଦେଖାହୋଇ ମଧ୍ୟ ଅନେକ ଅଚିହ୍ନା ରହି ଯାଇଛନ୍ତି ।

 

ଭୁବନ ସ୍ୱାଇଁ ଯେ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ଏହା ପ୍ରମାଣିତ ହୋଇଗଲା ବଡ଼ ଡାକ୍ତରଖାନାରେ । ସେ ଆଗରୁ ଜାଣିଥିଲା, ତଥାପି ଡାକ୍ତରବାବୁଙ୍କ ମୁହଁରୁ ଏତକ ଶୁଣି ସେ କେମିତି ହାଲିଆ ହୋଇ ପଡ଼ିଲା । ହଠାତ୍‌ ମଥା ବୁଲେଇଲା ପରି ଲାଗିଲା । ସେ କାନ୍ଥ ଉପରେ ଆଉଜି ପଡ଼ି ସମ୍ଭାଳି ନେଲା ନିଜକୁ । ଲକ୍ଷ୍ମୀ ପିଠି ଉପରେ ହାତ ବୁଲେଇ ଦେଇ କହିଲା, ଏତେ ଭାବୁଛ କାହିଁକି ଯେ...ମାଷ୍ଟ୍ରେ ପରା କହିଗଲେ ଯେ ଏ ରୋଗ ଆଜିକାଲି ଆଉ ଅସାଧ୍ୟ ନୁହେଁ, ଭଲ କଲ ଔଷଧ ବାହାରିଛି, ଅଳପ ଦିନରେ ଭଲ ହୋଇଯିବ... ।

 

ଭୁବନ ସ୍ଵାଇଁ କହିଲା, ମୁଁ ମଧ୍ୟ ସେଇକଥା କହି ମନକୁ ବୁଝାଇବାଲାଗି ଚେଷ୍ଟା କରୁଛି ଲକ୍ଷ୍ମୀ ! ସେ ତ ଯାହା ହେବାର ହେବ । ମଣିଷ ତ ଯିବ ଦିନେ, ଅକ୍ଷୟ ଅବୟ ହୋଇ ଚିରଦିନ ରହିବ ନାହିଁ ଏ ସଂସାରରେ... ।

 

-ନା, ନା, ତୁମେ ସେମିତି କୁହନା, ମୋ ହାତର କାଚ ବଜ୍ର କରନ୍ତୁ ଭଗବାନ, ତମେ ଭଲ ହୋଇଯାଅ... ।

 

-ତୋ ହାତର କାଚ ମୋ ମାଡ଼ରେ ସେଦିନ ପରା ଭାଙ୍ଗି ଯାଇଥିଲା ଲକ୍ଷ୍ମୀ... । ବାଷ୍ପାକୁଳ ଆଖିରେ କହିଲା ଭୁବନ ।

 

-ତମେ ମାରିବ ନାଇଁ ତ ଆଉ କିଏ ମାରିବ ? ଦୋଷ କଲେ ମାରିବନି ? ମୁଁ ଜିଦ୍‌ ନ କରି ଯଦି ତମ କଥା ମାନି ଯାଇଥାଆନ୍ତି... ।

 

-କିନ୍ତୁ ତୁ ତ ଠିକ୍‌ କହୁଥିଲୁ । ମଦ ଖାଇବା ଭଲ ନୁହଁ, ଏଇ ମଦ ଖାଇ ଖାଇ ଜଳି ଯାଇଛି ଭିତରଟା । ଆଜି ସେଥିପାଇଁ ରକ୍ତ ଝରୁଛି ଛାତି ଭିତରୁ...ତୋ କଥା ମାନି ମଦ ଛାଡ଼ି ଦେଇଥିଲେ ବର୍ତ୍ତି ଯାଇ ଥାଆନ୍ତା ।

 

-ଏବେ ତ ଛାଡ଼ି ଦେଇଛ...ଆଉ ପଛ କଥା ଭାବୁଛ କାହିଁକି ଯେ... ।

 

-ପିଲାଗୁଡ଼ାକ ସହିତ ଏକା ସାଙ୍ଗରେ ରହିଲେ କାଳେ ରୋଗ ବ୍ୟାପିବ ଏଥିପାଇଁ ଡରରେ ଆଖିରେ ନିଦ ନାହିଁ । ଅଲଗା ରହିବା ପାଇଁ କହିଥିଲେ ଡାକ୍ତର ବାବୁ... ।

 

-ମୁଣ୍ଡ ଗୁଞ୍ଜିବାକୁ ଜାଗାଟିଏ ଅଛି ଏଇ ଭାଗ୍ୟ । କେତେକଙ୍କର ତାହା ବି ନାହିଁ ଯେ । ସପନା କଥା ଶୁଣିଥିବ । ସେଇ ଯୋଉ ସାନ୍ତାଳ ପିଲାଛୁଆ ଧରି ତିନିମାସ ହେଲା ପଡ଼ି ରହିଛି ବରଗଛ ମୂଳେ । ଆଗେ ବାପୁଜୀ ନଗରରେ ରହୁଥିଲେ, ସେଠୁ ଉଚ୍ଛେଦ ହୋଇ ସତ୍ୟ ନଗରକୁ ପଳେଇ ଆସିଛି... ।

 

-କିନ୍ତୁ ଉପାୟ କିଛି ବାହାର କରିବାକୁ ହେବ...ଏକାଠି ରହିଲେ ଚଳିବ ନାହିଁ ଲକ୍ଷ୍ମୀ...ମୁଁ ଯକ୍ଷ୍ମା ରୋଗୀ ... ।

 

ତା’ ମୁହଁ ଉପରେ ହାତ ରଖିଲା ଲକ୍ଷ୍ମୀ । ସେଇ ଶବ୍ଦଟାକୁ ଆଉ ଶୁଣିବାକୁ ଚାହେଁନି ସେ-। ସେଇ ଶବ୍ଦ ଉଚ୍ଚାରିତ ହେଲେ ଆଶଙ୍କାରେ ସେ ଶିହରି ଉଠେ । ସ୍ୱାମୀଙ୍କୁ ନ ହୋଇ ତାକୁ ହୋଇଥାନ୍ତା କି ! ପିଲାଗୁଡ଼ା ହୁ ହୁ ବଢ଼ୁଛନ୍ତି ବାଉଁଶ ଗଜା ପରି । ଝିଅଟା ଏଇ ଚଉଦ ବରଷରେ ଛନଛନ ଦିଶିଲାଣି ।

ଲକ୍ଷ୍ମୀ କହିଲା ଚିନ୍ତା କରନା, ମୁଁ ଏକା ନୁହେଁ, ବଡ଼ ପୁଅକୁ ବି ସାଙ୍ଗରେ ନଉଛି । ଦୁଇ ଘରେ ବାସନ ଧୋଉଥିଲା, ଆଉ ଦୁଇ ଘର ହାତକୁ ନେଇଛି । ସାଧୁ କାଣ୍ଡି ବାବୁନାକୁ ଷ୍ଟେସନ ଚାହା ଦୋକାନରେ କାମ ଜୁଟେଇ ଦେଇଛି । ସେ ଦିନକୁ ତିନି ଚାରି ଟଙ୍କା ଆଣିବାକୁ ଆରମ୍ଭ କଲାଣି ।

 

ଦୀର୍ଘନିଃଶ୍ୱାସ ଛାଡ଼ିଲା ଭୁବନ । ତାହାରି ସାମ୍ନାରେ ତାର ସଂସାର ଆକାଶରେ ତିଆରି ତାସ୍‌ଘର ପରି ଭାଙ୍ଗି ପଡ଼ିଲା ଏତେଶୀଘ୍ର । ସେ ଭାବିଥିଲା ପୁଅକୁ ପଢ଼େଇବ । ତା’ ପରେ ସେ କରତ ନ ଚଳେଇ କଲମ ଚଳେଇ ରୋଜଗାର କରିବ । ସାଇପଡ଼ିଶାର ଆଗରେ ତା ପୁଅ ବାବୁନା ଦିନେ ସେମାନଙ୍କ ଅଲକ୍ଷ୍ୟରେ ବାବୁ ହୋଇଯିବ; କିନ୍ତୁ ସବୁ ସପନ ସରିଗଲା, ତା’ର ଏତେ ସପନ ପାଇଁ ରାତି ଅଣ୍ଟିଲା ନାହିଁ । ଚଉଦ ବର୍ଷରେ ସାତ କ୍ଳାସ୍‌ପଢ଼ା ସମାପ୍ତ କରି ତା’ ପୁଅ ଶେଷରେ ଚାହା ଦୋକାନରେ ରହିଲା ଅଇଁଠା ଗିଲାସ ଓ ବାସନ ମାଜିବା ପାଇଁ ।

 

ଭୁବନ ସ୍ୱାଇଁର ଆଖି ବାଷ୍ପାକୁଳ ହୋଇ ଆସିଲା । ଓଡ଼ିଶାର ରାଜଧାନୀ ଏଇ ଏକାମ୍ର ନଗରୀର ନୂଆ ତାହାର ହାତଗଣା ରୂପ ଭାସିଉଠିଲା ଆଖି ଆଗରେ । ତିରିଶ ବର୍ଷତଳେ ସେ ଆସିଥିଲା ଏଇ ସହରକୁ । ଜୀବନର ମହାର୍ଘ ସମୟ ଓ ଶରୀରର ଶକ୍ତି ଖର୍ଚ୍ଚ କରି ସେ ତିଆରି କରିଛି ଶହ ଶହ କବାଟ ଝରକା । ରାଜଧାନୀର ଯେକୌଣସି ରାସ୍ତାରେ ଚାଲିଗଲାବେଳେ ଭୁବନ ସ୍ୱାଇଁର ମନ କୁଣ୍ଢେମୋଟ ହୋଇଯାଏ ନିଜର କରାମତି ପଣିଆ ଦେଖି । ଦିନେ ଦିନେ ତା’ ବଡ଼ ପୁଅ ଅବନୀକୁ ଯାହାକୁ ସେ ଶ୍ରଦ୍ଧାରେ ବାବୁନି ବୋଲି ଡାକେ, ଦେଖେଇ ଦେଖେଇ କହେ ଏଇ ଘର ରାମଶଙ୍କର ଶେଠଙ୍କର, ୟାଙ୍କ ଘରର ପ୍ରତିଟି କବାଟ ଝରକାର କାରୁକାର୍ଯ୍ୟ କୋଣାର୍କର ସୁନ୍ଦର ପଥର କାମ ପରି । ତା’ର ଶିଳ୍ପଚାତୁରୀରେ ମୁଗ୍‌ଧ ହୋଇ ଶେଠଜୀ ତାକୁ ବକ୍‌ସିସ୍‌ ଦେଇଥିଲେ ଶହେ ଟଙ୍କା । ସଚିବାଳୟର ମୁଖ୍ୟମନ୍ତ୍ରୀଙ୍କ କୋଠରିର କାଠ କାମ ତା’ ନିଜ ହାତରେ ତିଆରି । ରିଜର୍ଭ ବ୍ୟାଙ୍କ, ସ୍ୱସ୍ତି ହୋଟେଲ, ଏକାମ୍ର ନିବାସ, ବିଶ୍ୱବିଦ୍ୟାଳୟ ସବୁଠାରେ ତାହାରି ହାତ ତିଆରି କବାଟ ଝରକା । ସେ ଦେହରେ ସବୁ ଶକ୍ତି ଖର୍ଚ୍ଚ କରି ଏକାଗ୍ର ଚିତ୍ତରେ କେବଳ କାମ କରିଆସିଛି । ଯାହା ସେ ଉପାର୍ଜନ କରିଥିଲା ସବୁ ଖର୍ଚ୍ଚ ହୋଇଯାଇଛି । ଆଜି ସେ ନିଃସ୍ୱ, ନିର୍ବଳ, ପୀଡ଼ିତ । ସତ୍ୟନଗରର ଶ୍ମଶାନରେ କେତେ ଶରୀର, କେତେ ଗର୍ବ ଓ ଅହଙ୍କାର ପାଉଁଶ ହୋଇଗଲା ପରି ସେ ବି ଲୋପ ପାଇଯିବ ଚିହ୍ନା ଲୋକଙ୍କ ସ୍ମୃତିରୁ । ଠିକାଦାରମାନଙ୍କ ଖାତାରୁ ନିଭିଯିବ ଭୁବନ ସ୍ୱାଇଁର ନାମ । ସମସ୍ତଙ୍କର ଇଚ୍ଛା ପୂର୍ଣ୍ଣ କରିବା ପାଇଁ କାମ କରିଛି ସେ ପୂର୍ଣ୍ଣପ୍ରାଣରେ, କିନ୍ତୁ ତା’ର ସାମାନ୍ୟ ଇଚ୍ଛା ଅପୂର୍ଣ୍ଣ ରହିଗଲା ।

 

ଲକ୍ଷ୍ମୀ ଅନେକ ବୁଝାଇଲା ସ୍ୱାମୀକୁ । ଲୁହରେ ଭିଜିଯାଇଥିବା ଆଖିପତା ପଣତ କାନିରେ ପୋଛିନେଇ ସେ କହିଲା, ଇମିତି ହୁଏ, ଅଗଣିତ ଲୋକ ଇମିତି ଅଜଣା ଅଶୁଣା ରହିଯାଆନ୍ତି । ବଡ଼ ବଡ଼ ଲୋକଙ୍କର ନାମ ଲେଖାହୁଏ ପୋଥିରେ, ସେମାନଙ୍କ ପାଇଁ ଯୋଉମାନେ ଲଢ଼ନ୍ତି ତାଙ୍କୁ କେହି ଜାଣନ୍ତି ନାହିଁ, ଲୋଡ଼ନ୍ତି ନାହିଁ ।

 

ଭୁବନ ସ୍ୱାଇଁ କହିଲା, ମୋ ପାଇଁ ଏତେ ଦାମିକା ଔଷଧ, ଏତେ ଦାମିକା ପଥ୍ୟ ଆସିବ କୋଉଁଠୁ, ଦବ କିଏ ?

 

-ମଧୁ ମାଷ୍ଟର ସାତ ଦିନର ଔଷଧ କିଣିଦେଇ ଯାଇଛନ୍ତି । ସାଧୁ କାଣ୍ଡି ପେନ୍ଥାଏ ଅଙ୍ଗୁର ଆଣି ଦେଇଛି । ରାମା ରାଓ ଦୁଇଦିନ ହେଲା ଗିଲାସେ ଦୁଧ ଦେଇ ଯାଉଛି । ରାଓ ତମ ପାଇଁ ସମ୍ବର ପଠାଉଚି କାଲିଠାରୁ ।

 

ଭୁବନ ସ୍ୱାଇଁ କୋହ ସମ୍ଭାଳି ନ ପାରି କାନ୍ଦି ଉଠିଲା ଶିଶୁ ପରି । ସତ୍ୟନଗର ଯେ ସ୍ୱର୍ଗଭୂମି ଏହା ସେ କେବେ କଳନା କରି ନ ଥିଲା ।

 

ତା ବଡ଼ ପୁଅ ବାବୁନା ଘର ଭିତରକୁ ପଶିଆସି କହିଲା, ସ୍କୁଲରୁ ସିନା ମୋ ନାମ କଟିଗଲା, ଅପା କିନ୍ତୁ ମୋତେ ରାତିରେ ପଢ଼େଇବେ କହିଛନ୍ତି ।

 

-କୋଉ ଅପା କିରେ ?

 

-ସେଇ ମାଷ୍ଟରାଣୀ ଅପା ମ । ରାଜଧାନୀ ବାଳିକା ସ୍କୁଲରେ ପାଠ ପଢ଼ାନ୍ତି ।

 

-ୟାଙ୍କର ଔଷଧ ପାଇଁ ପଇସା ନାହିଁ, ତୋ’ ପାଇଁ ଦେବି କୋଉଠୁ ?

 

-ମୋ’ ପରି ଆହୁରି ସାତ ଆଠ ଜଣଙ୍କୁ ମୁଫତରେ ପଢ଼ାନ୍ତି ଅପା । ଦେଖିବାକୁ ତ ପରୀ ପରି ।

 

-ଏଡ଼େ ସୁନ୍ଦର ଲୋକ ରହନ୍ତି ଏଇ ସତ୍ୟନଗରରେ ?

 

-ରହିବେନି କାହିଁକି ? ସତ୍ୟନଗରର ଲୋକେ ଯଦି ଲହୁଲୁହ ଦେଇ ଏତେ ସୁନ୍ଦର ରାଜଧାନୀ ତିଆରି କରିପାରନ୍ତି, ସେମାନଙ୍କ ବସ୍ତିରେ କେତେଜଣ ଭଲ ଲୋକ ରହିଲେ ସତ୍ୟନଗର ଆହୁରି ସୁନ୍ଦର ଦିଶିବ... ।

 

ଭୁବନ ସ୍ୱାଇଁ ପୁଅର ମଥା ଉପରେ ହାତ ରଖି ଆଶୀର୍ବାଦ କଲା ।

 

-ବଢ଼େଇର ପୁଅ ବୋଲି ସଙ୍କୋଚ କରିବୁ ନାଇଁରେ ପୁଅ । ମୋତେ ଦିନେ କେହି ନିନ୍ଦା କରିନି, ମୁଁ କାହାରି ନିନ୍ଦା କରିନି । ପାରୁପର୍ଯ୍ୟନ୍ତ ବରାଦ କାମ କରିଛି । ଠକେଇନି କାହାକୁ । କାହରି ମନ୍ଦ ପାଞ୍ଚିନି ।

 

-କିନ୍ତୁ ତମେ ଏତେ ପାଖରେ ନ ରହି ଦୂରରେ ଘର ତୋଳିଥିଲେ ଡର ନ ଥାନ୍ତା ବାପା-। ଶୁଣୁଚି ସତ୍ୟନଗରର ବସ୍ତି ବାସିନ୍ଦାମାନଙ୍କୁ ଉଚ୍ଛେଦ କରି ଅନ୍ୟତ୍ର ପଠେଇଦବା ପାଇଁ ସରକାର ନିଷ୍ପତ୍ତି କରିସାରିଛନ୍ତି ।

 

-ଇମିତି ନିଷ୍ପତ୍ତି ଆଗେ ବି ହୋଇଥିଲା, କାର୍ଯ୍ୟକାରୀ ହୋଇନି । ଏଥର ବି ଲୋକେ ଲଢ଼ିବେ, ଗୁହାରି କରିବେ, ଦରକାର ହେଲେ ଅଦାଲତକୁ ଯିବେ... ।

 

-ଜବରଦଖଲ ଜମି ଉପରେ ଅଧିକାର ଖଟେ ନାହିଁ ଯେ ।

 

-ଅଧିକାର ଖଟେନି ସତ; କିନ୍ତୁ ଏତେ ଲୋକଙ୍କର ବଞ୍ଚିବା ପାଇଁ ଅଧିକାର ଅଛି ନା ନାହିଁ । ସେମାନେ ନିଜେ ସୁଖଲାଗି ରହିନାହାନ୍ତି ଏଠି । କିଏ ରାଜମିସ୍ତ୍ରୀ, ବଢ଼େଇ ବା ଶଗଡ଼ଟଣା କୁଲି ତ, କିଏ ରିକ୍‌ସାବାଲା, ଗଉଡ଼, ଧୋବା ବା ଭଣ୍ଡାରୀ । ଏମାନଙ୍କୁ ଛାଡ଼ି ଚଳିପାରିବେ ବଡ଼ ବଡ଼ ଲୋକେ ? ସେମାନଙ୍କର ଅଇଁଠା ବାସନ ଧୋଇବାଲାଗି, ମେଜିଆ ସଫା କରିବାଲାଗି, ସେମାନଙ୍କର ବୋଝ ବୋହିବା ପାଇଁ ଏଇ ସତ୍ୟନଗର ଲୋକ ଯୋଗାଏ ।

 

-ଇଏ କଳିକାଳ, ପରା ! ଉପକାର କରୁଥିବା ଲୋକର ମୁଣ୍ଡ ଉପରେ ପ୍ରଥମ ଚଡ଼କ ପଡ଼େ ଏଇ କଳିକାଳରେ... ।

 

ଭୁବନ ସ୍ୱାଇଁର ଘର ନିକଟରେ ମୋହନର ଝୁମ୍ପୁଡ଼ି । କହିଲା ଲକ୍ଷ୍ମୀ ।

 

ହଠାତ୍‌ ସେଇ ଝୁମ୍ପୁଡ଼ି ଭିତରୁ ଭାସିଆସିଲା ନାରୀ କଣ୍ଠର କ୍ରନ୍ଦନ ଧ୍ୱନି । ଭୁବନ ସ୍ୱାଇଁ ପଚାରିଲା ଲକ୍ଷ୍ମୀକୁ, କିଏ କାନ୍ଦୁଛି...ମୋହନ ଘରେ କିଛି ଅସୁବିଧା ହେଲାପରି ଲାଗୁଛି... ।

 

ଳକ୍ଷ୍ମୀ ବାହାରିଲା ଖବର ବୁଝିବା ପାଇଁ । ଅଳ୍ପ ସମୟ ଭିତରେ ସେ ଫେରିଆସି କହିଲା ଯେ, ବାଣୀବିହାର ଯିବା ରାସ୍ତାରେ ଜାତୀୟ ରାଜପଥ ଉପରେ ପଛରୁ ଟ୍ରକ ଧକ୍‌କା ଦବା ଫଳରେ ମୋହନ ଗୁରୁତର ଆହତ ହୋଇ ଡାକ୍ତରଖାନାକୁ ବୁହାହୋଇ ଯାଇଛି, ତା’ର ଟ୍ରଲିଖଣ୍ଡକ ଭାଙ୍ଗି ଚୁର୍‌ମାର ହୋଇଯାଇଛି ।

 

ଲକ୍ଷ୍ମୀ ମୁହଁରୁ ସବୁକଥା ଶୁଣିବା ଆଗରୁ ଖଟ ଉପରୁ ଓହ୍ଲେଇ ଆସିଥିଲା ଭୁବନ ସ୍ୱାଇଁ । ସେ କହିଲା, ମୋହନର ମାଆକୁ ତୁ ଡାକ, ଦୁହେଁ ମୋ ସହିତ ଆସ...ବଡ଼ ଡାକ୍ତରଖାନା ଯିବା... ।

 

ତମେ ଏଇ ଦେହରେ ଯିବ...?

 

ଏ ସମୟର ମୋ ଦେହରେ ପୀଡ଼ା ଅପେକ୍ଷା ମୋହନର ଅବସ୍ଥା ଆହୁରି ଗୁରୁତର । ମାଷ୍ଟରଙ୍କୁ ଖବର ଦଉ ସୀତା । ଆମେ ଜଲଦି ଜଲଦି ପହଞ୍ଚିଗଲେ ସାହସ ପାଇବ ମୋହନ... ।

 

ଆହା ! କେଡ଼େ କଷ୍ଟରେ ଚଳୁଥିଲା ମୋହନ । ଟ୍ରଲି ଟାଣି ଯାହା ରୋଜଗାର କରେ ସେଥିରେ ଏତେବଡ଼ କୁଟୁମ୍ବ ଚଳେଇବା କେତେ କଷ୍ଟକର ଭୁକ୍ତଭୋଗୀ ଅପେକ୍ଷା ଅନ୍ୟ କେହି ବୁଝିପାରିବ ନାହିଁ । ମୋହନର ବାପା ପକ୍ଷାଘାତରେ ଧୁକୁଧୁକୁ ହେଉଛି ବରଷେ ହେଲା । ଦୁଇଟା ଭାଇ, ଗୋଟେ ଭଉଣୀ । କାମ ମିଳୁନି ବୋଲି ସାହିର ରାସ୍ତାକଡ଼ରେ, ରେଳବାଇ ଧାରରେ ବା ଅନ୍ୟ କାହିଁ ସମୟ କାଟନ୍ତି । ଟ୍ରଲି ଚଳେଇବା ପାଇଁ ବା ବୋଝବୋହିବା ପାଇଁ ବୟସ ହୋଇନି ପିଲାଗୁଡ଼ାଙ୍କର । ତଥାପି ମୋହନର ଦଶବର୍ଷର ଭଉଣୀ ସତ୍ୟନଗରର ବଡ଼ ବ୍ୟବସାୟୀ ଗୋବିନ୍ଦ ପୃଷ୍ଟି ଘରେ ବାସନ ମାଜେ, ଘର ଓଳାଏ । ମୋହନ ଉଦୟାସ୍ତ ରିକ୍‌ସା ଟାଣି ଯାହା ଆଣେ ତାହା ଏ ପରିବାର ପକ୍ଷରେ ଯଥେଷ୍ଟ ନ ହେଲେ ମଧ୍ୟ ସେତିକିହିଁ ସାହାଭରସା ।

 

ବଡ଼ ଡାକ୍ତରଖାନାରେ ପହଞ୍ଚି ଡାକ୍ତରବାବୁଙ୍କୁ ପଚାରିଲେ ଭୁବନ ମୋହନର ଅବସ୍ଥା ସମ୍ପର୍କରେ । ସେ ଓଲଟା ପ୍ରଶ୍ନକଲେ କୋଉ ମୋହନ ? କଅଣ ହୋଇଛି ?

 

-ଟ୍ରଲିରେ ସିମେଣ୍ଟ ନଉଥିବାବେଳେ ବାଣୀବିହାର ଛକରେ ଟ୍ରକ୍‌ ମାଡ଼ି ଯାଇଛି ଆଜ୍ଞା ! ଆଜି ସକାଳେ...ଖବର ପାଇ ଆସିଛୁ ଆମେ...ଏଇ ତା’ର ମା... । ଭୁବନ ଡାକ୍ତରବାବୁଙ୍କୁ ଦେଖାଇଦେଲା ମୋହନର ମାଆକୁ । ସେତେବେଳକୁ ସେ କାନ୍ଦିଉଠିଲା ବଡ଼ପାଟିକରି ।

 

ଡାକ୍ତରବାବୁ କହିଲେ, ଚୁପ୍‌...ଚୁପ୍‌...କାନ୍ଦନା...ଏଟା ପରା ଡାକ୍ତରଖାନା... । ପୁଅ କାଜୁଆଲଟିରେ ଥିବ ପ୍ରାୟ...ମୋ ଓ୍ୱାର୍ଡ଼ରେ ତ ସେପରି କେହି ନାହାନ୍ତି... ।

 

ଭୁବନ ପଛେ ପଛେ ଚାଲିଲେ ଅନ୍ୟମାନେ କାଜୁଆଲଟି ଆଡ଼କୁ ।

 

କାଜୁଆଲଟିରେ ମଧ୍ୟ ମୋହନକୁ ନ ପାଇ ଭୁବନ ପଚାରିଲା ସିଷ୍ଟରକୁ...ମୋହନ ସକାଳୁ ଆସିଲାଣି । ଟ୍ରକ୍‌ ମାଡ଼ି ଯାଇଥିଲା...କଅଣ ହେଲା, କୋଉଠି ଅଛି... ।

 

ସିଷ୍ଟର ଖାତାରେ କଅଣ ଲେଖୁଥିଲେ । ମଥା ନ ଉଠାଇ କହିଲେ, କେତେ ଆସନ୍ତି ପ୍ରତିଦିନ କାଜୁଆଲଟିକୁ...ଏତେ ଲୋକଙ୍କୁ ଚିହ୍ନିବା ସମ୍ଭବ ନୁହେଁ । ବାହାର ଘରେ ଦେଖ...

 

ବାହାରକୁ ଦୌଡ଼ିଲେ ସେମାନେ । ସେଇଠି ବେହୋସ ଅବସ୍ଥାରେ ମୋହନକୁ ପାଇ ତା’ର ରକ୍ତାକ୍ତ ଶରୀର ଦେଖି ଭୋ କିନା କାନ୍ଦି ଉଠିଲା ତା’ର ମା’ ।

 

ଭୁବନର ପିତ୍ତ ଚଢ଼ିଗଲା । ସକାଳେ ଦୁର୍ଘଟଣା ଘଟିଛି, ଦୁଇପହର ହେବାକୁ ବସିଲାଣି, ଏଯାଏ ମୋହନର ଚିକିତ୍ସା ହୋଇନି, ସେ ବାହାର ଘରେ ପଡ଼ିଛି । ଇଏ ଡାକ୍ତରଖାନା ନା ଯମଖାନା ? କିନ୍ତୁ ଭୁବନ ସ୍ୱାଇଁର ଅନୁରୋଧ ଉପ୍ରୋଧ ପ୍ରତି ଖାତିରି ନ କରି ସିଷ୍ଟର କହିଲେ, ଡିଉଟି ଡାକ୍ତର ଆସନ୍ତୁ ତାଙ୍କୁ ପଚାରିବ ସେ କହିପାରିବେ ।

 

ଡିଉଟି ଡାକ୍ତର ଭାଗ୍ୟକୁ ପହଞ୍ଚିଗଲେ ସେତିକିବେଳେ । ସେ ବିରକ୍ତହେଲେ ଏତେଗୁଡ଼ାଏ ଲୋକଙ୍କୁ କାଜୁଆଲଟି ଭିତରେ ଦେଖି ।

 

ଭୁବନ ସ୍ୱାଇଁ କହିଲା, ସକାଳେ ଟ୍ରକ୍‌ମାଡ଼ି ଯିବାରୁ ମୋହନ ଶକ୍ତି ଆଘାତ ପାଇ ଆସିଛି ଯେ ଏ ଯାଏ ଚିକିତ୍ସା ଆରମ୍ଭ ହୋଇନି...

 

ଡାକ୍ତରବାବୁ ଚିଡ଼ିଯାଇ କହିଲେ, କିପରି ହେବ ? ପୁଲିସ୍‍ ଆଗ ଆସୁ...ତା’ ପରେ ଯାହା କରିବା କଥା କରାଯିବ... ।

 

ଅସହାୟ ଅନୁଭବ କରି ଭୁବନ କହିଲା, ସେତେବେଳଯାଏ ସେମିତି ବାହାରେ ପଡ଼ି ରହିବ ଯଦି କଅଣ ହୋଇଯାଏ । ଆପଣଙ୍କ ଗୋଡ଼ତଳେ ପଡ଼ୁଛି ଡାକ୍ତରବାବୁ...ଦୟା କରନ୍ତୁ...ମୋହନର କିଛି ହୋଇଗଲେ ତା’ର ପରିବାର ଉଚ୍ଛନ୍ନ ହୋଇଯିବେ... ।

 

ଡାକ୍ତରବାବୁ ନିର୍ବିକାର ଚିତ୍ତରେ କହିଲେ, ମୁଁ କଅଣ କରବି ? ପୁଲିସ୍‍କୁ ଖବର ଦିଆଯାଇଛି... ଆସୁଥିବେ... ।

 

ଆଜ୍ଞା ଟିକେ ଦେଖିଲେ ହୁଅନ୍ତାନି ! ଢୋକ ଗିଳି କହିଲା ଭୁବନ ।

 

ଡାକ୍ତରବାବୁ ବିରକ୍ତ ହେଲାପରି ମୁହଁକରି ଉଠି ବସି କହିଲେ, ଚାଲ, ଚାଲ, ତୁମ ଲୋକ କୋଉଠି ଅଛି ଦେଖାଅ... ।

 

ଭୁନବ ବାଟ କଢ଼େଇ ନେଇଗଲା ତାଙ୍କୁ ।

 

କାଜୁଆଲଟି ବାହାର ଘରେ ତିନିଜଣ ଆହତ ମୁମୂର୍ଷୁ ମଣିଷ ଚିକିତ୍ସାର ଅପେକ୍ଷା କରୁଥାଆନ୍ତି । ସେମାନଙ୍କ ମଧ୍ୟରୁ ରକ୍ତାକ୍ତ ସଂଜ୍ଞାହୀନ ମୋହନକୁ ଦେଖାଇ କହିଲା ଭୁବନ ସ୍ୱାଇଁ, ଇଏ ମୋହନ ସକାଳେ ସବାରୀ ନେଇ ବାଣୀବିହାର ଯାଉଥିଲା । ଛକ ପାଖରେ ପଛରୁ ଆସୁଥିବା ଟ୍ରକ୍‌...

 

ତାକୁ ଆଉ କିଛି କହିବାକୁ ମନା କରି ଡାକ୍ତରବାବୁ ନଇଁପଡ଼ି ମୋହନର ନାଡ଼ି ଦେଖିଲେ, ନାକ ପାଖରେ ହାତ ରଖିଲେ, ଠେଥେସକୋପ ଛାତି ଉପରେ ରଖି ହୃଦଯନ୍ତ୍ରର ଗତି ଗଣିଲେ । ତା’ପରେ ଆଉ ବିଳମ୍ବ ନ କରି ମୋହନକୁ ଅପରେସନ୍‍ ଥିଏଟରକୁ ନବାପାଇଁ ଆଦେଶ ଦେଇ ଭୁବନ ଆଡ଼କୁ ବୁଲିପଡ଼ି କହିଲେ ସେ, ତିନି ଚାରିଘଣ୍ଟା ହେବ ଏଇଠି ପଡ଼ିଛି...ମୋତେ ଖବର ଦେଇପାରି ନ ଥାନ୍ତ... ।

 

ଆମେ ଖବର ପାଇ ଏଇନେ ଆସିଛୁ ଆଜ୍ଞା ! କେହି ଦୟାକରି ତାକୁ ଡାକ୍ତରଖାନାରେ ଛାଡ଼ିଦେଇ ଯାଇଛି... ।

 

ଅପରେସନ୍‌ ଥିଏଟର ଭିତରକୁ ମୋହନର ସଂଜ୍ଞାହୀନ ଶରୀରକୁ ନେଇଗଲେ ପରେ ବି ବାହାରେ ଉତ୍କଣ୍ଠାରେ ଛିଡ଼ାହୋଇ ରହିଲେ ସେମାନେ ।

 

ମୋହନର ମା’ ପ୍ରାୟ ଶୁଭୁ ନ ଥିବା ସ୍ୱରରେ କହିଲା, କଅଣ ହେବ ମୋ ପୁଅର ?

 

ଭୁବନ ତାକୁ ସାନ୍ତ୍ୱନା ଦବାପାଇଁ କହିଲା, ଇମିତି ହାତଗୋଡ଼ ଭାଙ୍ଗି ଅନେକ ଆସନ୍ତି ଡାକ୍ତରଖାନାକୁ । ମୋହନର ମୁଣ୍ଡରେ ବି ଆଘାତ ଲାଗିଛି ବୋଧ ହୁଏ । ସେଥିପାଇଁ ବେହୋସ୍‌ ହୋଇଯାଇଛି; କିନ୍ତୁ ସବୁ ଠିକ୍‌ ହୋଇଯିବ ମୋହନର, ମା’...ଲିଙ୍ଗରାଜଙ୍କୁ ଡାକିଲେ, ଗରିବର ସେହି କେବଳ ଭରସା ।

 

ଆହୁରି କେତେ ସମୟ ସେମାନେ ଅପରେସନ୍‌ ଥିଏଟର ଆଗରେ ଛିଡ଼ା ହୋଇ ରହିଲେ ଭଲ ଖବର ଶୁଣିବା ପାଇଁ ଅପେକ୍ଷା କରି ।

 

କିନ୍ତୁ ପ୍ରାୟ ଦୁଇଘଣ୍ଟା ପରେ ଡାକ୍ତରବାବୁ ବାହାରକୁ ଆସି କହିଲେ...ମୁଁ ବଡ଼ ଦୁଃଖିତ...ସବୁ ଚେଷ୍ଟା ବ୍ୟର୍ଥ କରି ସେ ଚାଲିଗଲା... ।

 

ଭୁବନ ସ୍ୱାଇଁ ଟଳିପଡ଼ୁଥିବା ମୋହନର ମା’କୁ ଧରିନେଇ କହିଲା...ସବୁ ସରିଗଲା ଲକ୍ଷ୍ମୀ...ମୋହନର ସଂସାର ଉଜୁଡ଼ିଗଲା... ।

 

ସେ ବି ସମ୍ଭାଳି ନ ପାରି ପିଲାଙ୍କପରି କାନ୍ଦିଉଠିଲା କଇଁ କିଇଁ ହୋଇ ।

 

ଗୋବିନ୍ଦ ପୃଷ୍ଟି ଭୁବନେଶ୍ୱରକୁ ଯେତିକି ଦେଖେ ସେତିକି ବଡ଼ ହେବା ଲାଗି ତା ମନଟା ଉଚ୍ଚାଟ ହୁଏ । ସେ ଯେତେବେଳେ ଏଇ ସହରକୁ ପ୍ରଥମ ଆସିଲା ସେଦିନ ବଡ଼ ବଡ଼ ଚାରିମହଲା, ସାତମହଲା କୋଠାଘର ଆଦୌ ନ ଥିଲା । ରାଜଧାନୀରେ ନୂଆ ଅଫିସ ତିଆରି ହେଲା, ରାଜଧାନୀ ଓ ସଚିବାଳୟ ନିର୍ମିତ ହେଲା, ସିନେମା ଓ ମାର୍କେଟ ଘର ତୋଳା ହେଲା, କର୍ମଚାରୀ, ବ୍ୟବସାୟୀ ଓ ଧନୀଲୋକଙ୍କର ରହିବା ଘର ବି ତିଆରି ହେଲା । କ୍ରମଶଃ ଚାରିଆଡ଼କୁ ଲମ୍ବି ଗଲା ରାଜଧାନୀ । ନୂତନ ରାସ୍ତା, ନୂତନ ବସ୍‌ଷ୍ଟାଣ୍ଡ ଓ ରେଳଷ୍ଟେସନ ଏବଂ ନୂତନ ପାର୍କ ଦେଖି ଲୋକେ ବାହାବା ଦେଲେ ସରକାରଙ୍କୁ । ବିଦେଶୀ କମ୍ପାନୀ ସରକାର ଯାହା ପାରି ନ ଥିଲେ, ଦେଶୀ ଲୋକ ତା’ଠାରୁ ବଳିଗଲେ । ବାମନ ପରି ଛୋଟ ଏକମହଲା ଘର ନ ତୋଳି ଏବେ ବିଶାଳ ଅଟ୍ଟାଳିକା ତିଆରି ଚାଲିଛି । ତଳେ ଜାଗା ନିଅଣ୍ଟ ପଡ଼ୁଛି ବୋଲି ଆକାଶ ଆଡ଼କୁ ଗତି ବଡ଼ ବଡ଼ କୋଠାଗୁଡ଼ାକର । ସାରି ସାରି ଦେବଦାରୁ ଓ ଇଉକାଲିପଟାସ ଗଛ ରାସ୍ତାର ଦୁଇକଡ଼ରେ ଆକାଶ ଆଡ଼କୁ ବଢ଼ୁଥିବାର ଦେଖାଯାଏ ଆଖିକୁ । ଠାଏ ଠାଏ କୃଷ୍ଣଚୂଡ଼ା, ନିମ ବା ଆମ୍ବଗଛ । ଶହ ଶହ ସିମେଟ କଂକ୍ରିଟ ଘର ମଧ୍ୟରେ ଧ୍ୟାନମଗ୍ନ ଋଷି ପରି ଗୋଟେ ଗୋଟେ ସବୁଜ ଶାଖା ପ୍ରଶାଖା ମେଲି ବିନୟରେ ଛିଡ଼ା ହୋଇଥିବା ପଣସ ବା ସଜନା ଗଛ; ଆଉ ଠାଏ ଠାଏ ଲେସାଲେସି ଠେସାଠେସି ହୋଇ ଗଢ଼ି ଉଠିଥିବା ବସ୍ତି । ଦଶହାତ ଲମ୍ବ ସାତହାତ ଚଉଡ଼ା ଝୁମ୍ପୁଡ଼ି ଭିତରେ ପାଞ୍ଚ ସାତଜଣ ହାଉଯାଉ ଖାଆନ୍ତି ସଦାବେଳେ ।

 

ରାଜଧାନୀର ଏଇ ବଢ଼ନ୍ତି ରୂପ ଦେଖି ପୁଲକିତ ହୁଏ ଗୋବିନ୍ଦ ପୃଷ୍ଟି । ମନ ଉଚ୍ଚକିତ ହୁଏ । ବଡ଼ ହେବାଲାଗି ତା’ର ମନ ଉଚ୍ଚାଟ ହୁଏ । ଏଇ ବଢ଼ୁଥିବା ସହର ପରି ତା’ର ସମ୍ପତ୍ତି ନ ବଢ଼ିଲେ ସେ ଛୋଟ ହୋଇ ରହିଯିବ ବସ୍ତିର ଝୁମ୍ପୁଡ଼ି ପରି । ବସ୍ତିଲୋକ ସଂଖ୍ୟା ସହିତ ତାଳ ଦେଇ ତା’ର ପରିବାର, ପୁତ୍ର କନ୍ୟା, ନାତି ନାତୁଣୀଙ୍କ ସଂଖ୍ୟା ବି ବଢ଼ିବା ଦରକାର । ତାକୁ ଆସୁଥିବାର ଦେଖି ବାଟରେ ଚାଲି ଯାଉଥିବା ଲୋକ ଯେପରି ଆଚମ୍ବିତ ହୋଇ ବାଟ ଛାଡ଼ି ଛିଡ଼ା ହୋଇଯିବ ବା ତା’ର କୋଠା ଦେଖି ସାଥିକୁ କହିବ ଯେ ଇଏ ମାମୁଲି ଘର ନୁହେଁ ମ ସାକ୍ଷାତ୍‍ ସ୍ୱର୍ଗର ଇନ୍ଦ୍ର ଭୁବନ-। ଗୋବିନ୍ଦ ପୃଷ୍ଟିଙ୍କ ବାସସ୍ଥାନ ।

 

ଗୋବିନ୍ଦ ପୃଷ୍ଟିର ଅଭିଳାଷ ସହିତ ତାଳରଖି ବ୍ୟବସାୟ ପ୍ରସାରିତ ହୋଇଛି । ସେ ଲୋଟା ଓ ଚଳିବାଭଳି ଲୁଗାପଟାର ଗଣ୍ଠିଲିଟିଏ ନେଇ ପାରଳାଖେମୁଣ୍ଡିରୁ ଆସିଥିଲା ରାଜଧାନୀରେ ତେଲ ଲୁଣ ବିକ୍ରୀ କରି କୁଟୁମ୍ବ ପୋଷିବା ପାଇଁ । ସେତେବେଳେ ତାକୁ ପଚିଶ ବର୍ଷ-। ସେ ବ୍ୟବସାୟ ଆରମ୍ଭ କରିଥିଲା ଷ୍ଟେସନ ପାଖ ବସ୍ତିରେ । ମୁଣ୍ଡରେ ଲୁଣ ଓ ତେଲ ବୋଝ ବୋହି ବିକ୍ରୀ କରୁଥିଲା ଘରେ ଘରେ । ବୃହସ୍ପତି ପଞ୍ଚମରେ ଅଛନ୍ତି ସେଇଦିନୁ । ମା ଲକ୍ଷ୍ମୀଙ୍କର ତା’ ପ୍ରତି କରୁଣା ଶ୍ରୀୟା ଚଣ୍ଡାଳୁଣୀ ପ୍ରତି ତାଙ୍କର କରୁଣାରୁ ଢେର ବଳିଗଲାଣି । ବର୍ଷ ଦୁଇଟା ସରିନି, ସେ ତେଲ ଲୁଣର ବ୍ୟବସାୟ ଛାଡ଼ି ଲୁଗା ଦୋକାନ କଲା । ତା’ପରେ ଆଉ ପଛକୁ ଫେରି ଚାହିଁବାର ଫୁରୁସତ୍‌ ହୋଇନି । ପୁରୁଣା ବଜାରରେ ଗୋଟେ, ଚଉଧୁରୀ ବଜାରରେ ଗୋଟେ ଏବଂ ହାଟ ବଜାରରେ ଗୋଟେ ଲୁଗା ଦୋକାନ ବେଶ୍‌ ଚାଲିଛି । ଏବେ ଚାରି ପାଞ୍ଚ ବର୍ଷ ହେଲା ମନ୍ତ୍ରୀଙ୍କ କୃପାରୁ ସେ ଦୁଇ ଦୁଇଟା ବିଲାତି ମଦ ଦୋକାନର ମାଲିକ । ଯୁଗ ବଦଳି ଗଲାଣି । ମଦ ଦୋକାନକୁ ମାଧ୍ୟମ କରି ବଡ଼ ହେବା ବଡ଼ ସହଜ । ସେ ଜାଣେ ଯେ ନୂତନ ଭାବଧାରା, ନୂତନ ଚଳଣି, ନୂତନ ଦୃଷ୍ଟିକୋଣ ସୃଷ୍ଟି ହେବାରେ ଲାଗିଛି । ଆଉ କେହି ବୈଷ୍ଣବ ପାଣିଙ୍କ, ‘‘ଛି ଛି ମଦ ଖାଇବି ନାହିଁ କଳାପାଣିପରି ଦିଶେ, ସେଇ କଳାପାଣି ପେଟରେ ପଶିଲେ ଚଉଦ ଭୁବନ ଦିଶେ’’ ଶିକ୍ଷାଲାଭ ପାଇଁ ବୋଲିବେ ନାହିଁ । ବରଂ ଆଜିର ଶାସକ ଓ ପ୍ରଶାସକ ନେତା ଓ ସମାଜସେବୀ ମଦକୁ ମାଧ୍ୟମ କରି ଆହୁରି ଉଚ୍ଚକୁ ଉଠିବାକୁ ଚାହାଁନ୍ତି । ନିଜର ଟଙ୍କା ଖର୍ଚ୍ଚ ନ କରି ମଦ ପିଇବା, ସୁନ୍ଦରୀ ମହିଳାଙ୍କ ସହିତ ସାଙ୍ଗ ହେବା, ଘରେ ନ ଖାଇ ରେସ୍ତୋଁରା ଓ ହୋଟେଲରେ ଖାଇବା, ନିଜର ଅର୍ଥ ଖର୍ଚ୍ଚ ନ କରି ଦିଲ୍ଲୀ, ବମ୍ବେକୁ ଉଡାକଳରେ ଉଡ଼ିଯିବା ବା ବଜାର ସଉଦା କରିବା ଏବର ନୂଆ ସଂସ୍କୃତି । ଏଇ ସଂସ୍କୃତିକୁ ଆହୁରି ଟିକେ ଆଗେଇ ଦବାଲାଗି ହାତରେ କ୍ଷମତାଥିବା ଲୋକଙ୍କ ଚଳଣିରେ ସହଜିଆ ମୁକ୍ତଭୋଗୀ ଭାବଧାରାକୁ ପ୍ରଶୟଦବା ଗୋବିନ୍ଦ ପୃଷ୍ଟିର କାମ । ସେଇ କର୍ତ୍ତବ୍ୟ ସମ୍ପାଦନ କରିବାରେ ସେ ନିପୁଣତା ହାସଲ କରିଛି ଏ ଭିତରେ । ସେଥିପାଇଁ ତ ତାହାରି ହାତରୁ ଖାଆନ୍ତି ବଡ଼ ବଡ଼ ହାକିମ, ମନ୍ତ୍ରୀ ଓ ଲୋକପ୍ରତିନିଧି । ସେମାନେ ତାକୁ ନୂତନ ମନ୍ତ୍ର ଦେଇ ପ୍ରରୋଚିତ କରିବାରୁ ସେ ଏବେ ଦୁଇକୋଟି ଟଙ୍କା ଋଣ ନେଇ ସାତମହଲା ହୋଟେଲଟିଏ ଖୋଲିଛି ନନ୍ଦନ କାନନ ରାସ୍ତାକଡ଼ରେ । ସେଇ ହୋଟେଲର ନାମ ‘ମଧୁ ବୃନ୍ଦାବନ’-। ତାହାର ଉଭା ଯେତେ ପୋତା ସେତେ ।

 

ଅଥଚ ଗୋବିନ୍ଦ ପୃଷ୍ଟି ନିଜେ ଆମିଷ ଛାଡ଼ି ଦେଇଛି ଅନେକ ଦିନୁ । ନାରୀ ସଙ୍ଗ ବି ତ୍ୟାଗ କରିଛି । କେବଳ ଧନ ଅର୍ଜନ କରିବା ତା’ର ଏକମାତ୍ର ଲକ୍ଷ୍ୟ । ସେ ଭଲ ଭାବରେ ଜାଣିଯାଇଛି ଯେ, ଅର୍ଥ ଉପାର୍ଜନ କରିବା ହିଁ ଏ ଯୁଗର ସବୁଠାରୁ ବଡ଼ ପୁରୁଷାର୍ଥ । ଏହା ହିଁ ଜଞ୍ଜାଳହୀନ ଜୀବନ ଯାତ୍ରା ପାଇଁ ପରମାର୍ଥ ।

 

ସତ୍ୟନଗରରେ ପାଞ୍ଚ ଗୁଣ୍ଠର ଗୋଟିଏ ପ୍ଳଟ ମୁଖ୍ୟମନ୍ତ୍ରୀଙ୍କ ଦୟାରୁ ପାଇଥିଲା ସେ । ସେ କହିବୋଲି କରେଇ ଦେଇଥିଲେ ପ୍ଳଟଖଣ୍ଡକ । ସେଇଦିନୁ ସେ ଗୋବିନ୍ଦ ଏବଂ ଗୋବିନ୍ଦ ତାଙ୍କର ଏକାନ୍ତ ଅନୁଗତ । ଦୁହିଁକି ମଧ୍ୟରେ ଅଭେଦ ପ୍ରୀତି ଓ ବନ୍ଧୁତା । ତାଙ୍କଦ୍ୱାରା ଅନୁପ୍ରାଣିତ ହୋଇ ଗୋବିନ୍ଦ ନିଜ ପ୍ଳଟ ଦୁଇ ପାଖରେ ଆହୁରି ଦଶଗୁଣ୍ଠ ସରକାରୀ ଜମି ଦଖଲ କରିନେଇ ସାତହାତ ଉଞ୍ଚରେ ପଥର ପାଚେରୀ ତିଆରି କରିଦେଇଛି । ମୁଖ୍ୟମନ୍ତ୍ରୀଙ୍କ ଜରିଆରେ ସାଧାରଣ ପ୍ରଶାସନ ବିଭାଗର ଜଣେ ଉଚ୍ଚ ପଦାଧିକାରୀଙ୍କୁ ହାତ କରି ସେ ରାଜଭବନ ପଛପଟେ ଏକ ଏକର ଜମି ଚାରି ପାଖରେ ବାଡ଼ ଦେଇ ଗୋଟିଏ କୋଣରେ ଶିବ ମନ୍ଦିର ଏବଂ ଆଉ ଗୋଟିଏ କୋଣରେ ବଜରଙ୍ଗବାଲିଙ୍କ ମନ୍ଦିର ନିର୍ମାଣ କରି ଆର୍ତ୍ତ ଓ ଅର୍ଥାର୍ଥିମାନଙ୍କର ପରମ ଉପକାର କରୁଛି-। ସେଇ ଜମି ମନ୍ଦିରର, ସେ କେବଳ ରକ୍ଷଣାବେକ୍ଷଣା ଦାୟିତ୍ୱ ନିର୍ବାହ କରେ ଏଇ କଥା ପ୍ରଚାର କରିଦେଇ ନିଶ୍ଚିନ୍ତ ହୋଇ ନାନା ଜାତିର ଫଳ ଓ ଫୁଲଗଛର ଉଦ୍ୟାନଟିଏ କରିଛି ପୃଷ୍ଟି । ସେଇ ଉଦ୍ୟାନର ଗୋଟିଏ ପାଖରେ ଗୋଟିଏ ଛୋଟ ଉଦ୍ୟାନ ନିବାସ । ସେଇ ଉଦ୍ୟାନ ନିବାସରେ ସେ ଚର୍ଚ୍ଚାକରେ ଅତିଥିମାନଙ୍କୁ, ସେଇ ଉଦ୍ୟାନ ନିବାସ ନୂତନ ଭୁବନେଶ୍ୱରର ତୀର୍ଥକ୍ଷେତ୍ର । ଏଇ ତୀର୍ଥ କ୍ଷେତ୍ରକୁ ଗ୍ରାସ କରିବାଲାଗି ସରକାରଙ୍କର କେହି ଉଚ୍ଚ ପଦାଧିକାରୀ ଚକ୍ରାନ୍ତ କରିବାର ସୁରାକ ପାଇ ଗୋବିନ୍ଦ ଯେଉଁ ବିରାଟ ବିଶ୍ୱଶାନ୍ତି ଯଜ୍ଞର ଆୟୋଜନ କରିଥିଲା ସେଥିରେ ପ୍ରଥମ ଆହୂତି ଶାସନ ସଚିବ ଦେଇଥିଲେ ବି ପଥ ନିଷ୍କଣ୍ଟକ କରିବା ପାଇଁ ପୂର୍ଣ୍ଣାହୁତି ଦବା ପାଇଁ ମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିଥିଲା ଗୋବିନ୍ଦ । କୌଣସି ବିଶେଷ ଜରୁରୀ କାର୍ଯ୍ୟରେ ଲିପ୍ତ ଥାଇ ସେ ଆସିପାରିଲେ ନାହିଁ ସତ; କିନ୍ତୁ ତାଙ୍କର ଜ୍ୟେଷ୍ଠା କନ୍ୟା ସମାଜସେବିକା ଓ ଜନପ୍ରତିନିଧି ଆସି ପୂର୍ଣ୍ଣାହୁତି ଦେଇଗଲେ । ମନ୍ତ୍ରୀ ଆସନ୍ତୁ ବା ତାଙ୍କ କନ୍ୟା ଆସନ୍ତୁ, କାମ ହାସଲ କରିବାହିଁ ଏକମାତ୍ର ଲକ୍ଷ୍ୟ । ସେଇ ଲକ୍ଷ୍ୟ ପୂର୍ଣ୍ଣ ହୋଇଛି । ଏବେ ସେହି ଏକ ଏକର ଜମି ମନ୍ଦିର ଟ୍ରଷ୍ଟ ବୋର୍ଡ଼କୁ ହସ୍ତାନ୍ତର କରିଛନ୍ତି ସାଧାରଣ ପ୍ରଶାସନିକ ବିଭାଗ । କହିବା ବାହୁଲ୍ୟ, ଏଇ ଟ୍ରଷ୍ଟ ବୋର୍ଡ଼ର ଅଧ୍ୟକ୍ଷ ସ୍ୱୟଂ ଗୋବିନ୍ଦ ପୃଷ୍ଟି ଏବଂ ଏହାର ଆଜୀବନ ଟ୍ରଷ୍ଟିଙ୍କ ମଧ୍ୟରେ ଅଛନ୍ତି ଗୋବିନ୍ଦର ସ୍ତ୍ରୀ, ଜାମାତା, ସ୍ଥାନୀୟ ଲୋକପ୍ରତିନିଧି, ମନ୍ତ୍ରୀଙ୍କ କନ୍ୟା ଓ ମୁଖ୍ୟ ଯନ୍ତ୍ରୀଙ୍କ ପତ୍ନୀ ।

ଗାନ୍ଧୀଙ୍କ ନୀତିରେ ପୂର୍ଣ୍ଣ ବିଶ୍ୱାସ ଅଛି ବୋଲି କହେ ଗୋବିନ୍ଦ । ସେ ଟ୍ରଷ୍ଟି ମାତ୍ର, ସମ୍ପତ୍ତିର ମାଲିକ ନୁହେଁ । ସମ୍ପତ୍ତି ମାଲିକ ସ୍ୱୟଂ ଈଶ୍ୱର । ଯାହା କହନ୍ତି, ‘‘ତୋହର ଧନ ତୋତେ ଦେଇ, ମଝିରେ ମଧ୍ୟସ୍ଥି ବୋଲାଇ ।’’ ସେ ନିଧିପ୍ରତି ନୁହେଁ, ପ୍ରତିନିଧି ମାତ୍ର । ବିଶ୍ୱାସେ ମିଳଇ ହରି ତର୍କେ ବହୁଦୂର । ସେ ଅଧୀନସ୍ଥ ଲୋକମାନଙ୍କୁ କହେ ଯେ, ସେମାନେ ତା’ ଉପରେ ଅବିଚଳିତ ବିଶ୍ୱାସ ରଖିଲେ ସେମାନଙ୍କର ସ୍ୱାର୍ଥ ମଧ୍ୟ ସୁରକ୍ଷିତ ହେବ ।

କିନ୍ତୁ ଦିନେ ସ୍ଥିତପ୍ରଜ୍ଞ ହେବାଲିଗି ଅଭିଳାଷ ରଖିଥିବା ଗୋବିନ୍ଦ ପୃଷ୍ଟି ଯେତେବେଳେ ଜାଣିଲା, ଯେ, ସହରରେ ବେଆଇନ ଭାବରେ ସରକାରୀ ଜମି ଜବର ଦଖଲ କରି ଘର ତୋଳିଥିବା, ବସ୍ତି ବସେଇଥିବା ବା ମନ୍ଦିର କରିଥିବା ସବୁ ଜାଗା ସଫାକରି ସରକାର ନୂତନ ନଗର ନିର୍ମାଣ କରିବା ପାଇଁ ସର୍ବୋଚ୍ଚ ସ୍ତରରେ ନିଷ୍ପତ୍ତି ଗ୍ରହଣ କରିଛନ୍ତି, ସେତେବେଳେ ଗୋବିନ୍ଦ ପୃଷ୍ଟି ନିଜର ପୃଷ୍ଠପୋଷକ ମୁଖ୍ୟମନ୍ତ୍ରୀଙ୍କୁ ଦେଖାକଲା । ମୁଖ୍ୟମନ୍ତ୍ରୀଙ୍କ କୃପାରୁ ତା’ର ବଡ଼ ଜ୍ୱାଇଁ ତାଙ୍କ ଅଧୀନରେ ସ୍ପେଶାଲକ୍ଳାସ୍‌ କଣ୍ଟ୍ରାକ୍‍ଟର ଭାବରେ ରହିଲା ଦିନୁ ଦବାନବା ଜ୍ୱାଇଁ ମାର୍ଫତରେ ହୁଏ । ତେଣୁ ବଡ଼ ଜ୍ୱାଇଁଙ୍କୁ ମଧ୍ୟ ସାଙ୍ଗରେ ନବାଲାଗି ଭୁଲି ନ ଥିଲା ଗୋବିନ୍ଦ ।

ମୁଖ୍ୟଯନ୍ତ୍ରୀଙ୍କୁ ସୁଧାମୃତ କାନୁନ୍‍ଗୋ ପୂଜାର୍ଚ୍ଚନା ଶେଷ କରି ଉଠୁଥିଲେ, ଗୋବିନ୍ଦ ପୃଷ୍ଟି ଜ୍ୱାଇଁ ମାଧବାନନ୍ଦ ସହିତ ବିଜେ କରିବା ଖବର ପାଇ ସେହିପରି ପାଟପିତାମ୍ବର ପରିଧାନ କରିଥିବା ବେଶରେ ବୈଠକଖାନାକୁ ଚାଲି ଆସିଲେ । ତାଙ୍କୁ ଚାହିଁଦେଇ ନତମସ୍ତକ ହୋଇ ପ୍ରଣାମ କରିବା ପରେ କହିଲା ଗୋବିନ୍ଦ, ଆପଣଙ୍କୁ ଦେଖିଲେ ବିବେକାନନ୍ଦଙ୍କ କଥା ମନେପଡ଼େ । ନିଜର ସାଧନା ତ୍ୟାଗ ଓ ମାନବପ୍ରେମଦ୍ୱାରା ସେ ଚମକାଇ ଦେଇଥିଲେ ପୃଥିବୀକୁ, ଉଦ୍‌ବୁଦ୍ଧ କରିଥିଲେ ତରୁଣମାନଙ୍କୁ, ଆଉ ଆପଣ ତାଙ୍କରି ମାର୍ଗରେ ଯାଇ ରାଜଧାନୀର ପତିତ ସମସ୍ତଙ୍କୁ ଯେ ଦିନେ ଉଦ୍ଧାର କରିବେ ଏହି ଭିବଷ୍ୟତ ବାଣୀ ମୁଁ ଆଗରୁ ଜାଣିପାରେ ।

ମୁହଁ ଉପରେ ସ୍ନିଗ୍‌ଧ ସ୍ମିତହାସ୍ୟ ଖେଳାଇ କହିଲେ ପୃଥିଳକାୟ ସୁଧାମୃତ କାନୁନ୍‍ଗୋ, ମୁଁ ତ ଠିକ୍‌ କରି ସାରିଛି ଗୋବିନ୍ଦ, ଅବସର ନବାପରେ ଖଣ୍ଡଗିରୀ ତଳେ ଯେଉଁ ପଚିଶ ମାଣ ଜମି କିଣିଛି ସେଇଠି ଆଶ୍ରମ କରିବି ମିଛମାୟା ଏ ସଂସାର । ସେଇଠି ବସି ସେବା କରିବି ଲୋକଙ୍କର...ସେଇଠୁ ପ୍ରସାରିତ ହେବ ମୋର ସାଧନାର ବାଣୀ... ।

ଜ୍ୱାଇଁ ମାଧବାନନ୍ଦ ଆଣିଥିବା ଉପହାରଗୁଡ଼ାକୁ ଭିତରକୁ ଚାକର ହାତରେ ପଠାଇଦେଇ ଗୋବିନ୍ଦ କହିଲା, ଶୁଣୁଛି ସରକାରୀ ଜମି ଜବରଦଖଲ କରି ତୋଳିଥିବା ଘରଗୁଡ଼ାକୁ ସରକାର ଭାଙ୍ଗିଦେବେ...ଯୋଉମାନେ ଦୀର୍ଘକାଳ ରହିଆସିଛନ୍ତି ସେଠାରୁ ସେମାନଙ୍କୁ ଉଚ୍ଛେଦ କରାଯିବ...

 

-ମିଛକଥା ଶୁଣିନ ଗୋବିନ୍ଦ... । ଯାହା ଶୁଣିଛ ସବୁ ସତ; କିନ୍ତୁ ସରକାରଙ୍କ ସବୁ ସିଦ୍ଧାନ୍ତ ସବୁଠାରେ ସମାନ ଭାବରେ ପ୍ରୟୋଗ ନ ହେବାର ବହୁତ ଦୃଷ୍ଟାନ୍ତ ବି ରହିଛି । ସ୍ଥଳବିଶେଷରେ ନୀତି ବା ନିୟମକୁ କୋହଳ କରିବାର ଦାୟିତ୍ୱ ସରକାରଙ୍କର ।

 

-କିନ୍ତୁ ସରକାରଙ୍କୁ ହାତରେ ରଖିବା ତ ଆମ ଆୟତ୍ତର ବାହାରେ... ।

 

-କିଏ କହିଲା ? ଲୋକେ କହନ୍ତି ସରକାରଙ୍କର କାନ ନାହିଁ କି ଆଖି ନାହିଁ; କିନ୍ତୁ ମୁଁ କୁହେ ସବୁ ଅଛି, ଯାହା ଯେପରି ଶୁଣିବା କଥା ସରକାରଙ୍କୁ ଶୁଣେଇବାକୁ ପଡ଼ିବ, ଯେତକ ଦେଖାଇବା କଥା ସେତକ ଅବଶ୍ୟ ଦେଖେଇବାକୁ ହେବ; କିନ୍ତୁ ଶୁଣେଇବା, ଦେଖେଇବା ଲୋକ ଉପରେ ସବୁ ନିର୍ଭର କରେ... ।

 

-ଆପଣଙ୍କୁ ମୁଁ ଧରିଛି...ଆପଣ ଯେପରି କରିବେ ସେପରି କରିବାକୁ ମୋର ତିଳେ ଦ୍ୱିଧା ନାହିଁ... ।

 

-ନିର୍ବାଚନ ପାଖେଇ ଆସୁଛି, ଅର୍ଥର ପ୍ରୟୋଜନ ହେବ । ଆମ ମନ୍ତ୍ରୀଙ୍କର ଉଚ୍ଚାଭିଳାଷା ଅଛି...ଆମେ ସେଥିରେ ସହାୟତା ନ କଲେ ଅନ୍ୟ କେହି ସେଇ ସୁଯୋଗ ମାରିନେଇପାରେ ।

 

-ନା, ନା, ଯାହା କରିବା କଥା କରାଯାଉ । ପାଣ୍ଠିର ଅଭାବ ନାହିଁ । ବରଂ ଆଗୁଆ କିଛି ଦିଆଯାଇପାରେ... ।

 

-ପାଣ୍ଠି ପରେଦେଲେ ଚଳିବ । ଏଇନେ ଅନ୍ୟ କିଛି କରାଯାଉ... ।

 

-ତାଙ୍କରି ଭାବମୂର୍ତ୍ତି ମଳିନ ପଡ଼ିଆସୁଛି, ତାକୁ ଘସିମାଜି ଝକ୍‌ ଝକ୍‌ କରି ଦେଲେ ଆକର୍ଷଣ ବଢ଼ିବ ।

 

ତାଙ୍କର ଭାବମୂର୍ତ୍ତି ଉଜ୍ୱଳ କରିବା ଆମର କାମ । ତାଙ୍କ ନାମରେ ନଳକୂଅ ଖୋଳାଯାଉ, ଦାତବ୍ୟ ହୋମିଓପାଥି ଚିକିତ୍ସାଳୟଟିଏ ସତ୍ୟନଗରରେ ଖୋଲାଯାଉ...ଆଉ ଦୁଇଜଣ ମେଧାବୀ ଛାତ୍ରଙ୍କୁ ଏକକାଳୀନ ହଜାରେ କରି ଟଙ୍କା ସାହାଯ୍ୟ ଦିଆଯାଉ ।

 

-ଉତ୍ତମ ପ୍ରସ୍ତାବ । ଏସବୁର ଆୟୋଜନ କର । ପ୍ରତ୍ୟେକଟିର ଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ ହେବ । ସେଥିରେ ମୁଖ୍ୟମନ୍ତ୍ରୀ ବା କେନ୍ଦ୍ରମନ୍ତ୍ରୀ କେହି ଉଦ୍‌ଘାଟକ ଭାବରେ ଯୋଗଦେବେ ଚାହିଁଲେ । ସେ ବିଷୟରେ ଅଧିକ ଆଲୋଚନା କରି ସ୍ଥିର କରିବା ।

 

ଗୋବିନ୍ଦ ପୃଷ୍ଟି କହିଲା, କିନ୍ତୁ ଆଗରୁ କଥାଟା କାନରେ ପକେଇ ରଖିବା ଭଲ । ଶତ୍ରୁ ତ କମ ନାହାଁନ୍ତି । ସେଇ ମଧୁ ମାଷ୍ଟର ମୋତେ ତ ଆଦୌ ଦେଖି ସହି ପାରେନି ।

 

-କିଏ ସେଇ ମଧୁ ମାଷ୍ଟର ?

 

-ସେ ବହୁରୂପୀ । ମାଷ୍ଟର, ଡାକ୍ତର, ସମାଜସେବୀ... ।

 

-ସେ ବଳି ଯାଉଛି... ?

 

-ବଳି ଯାଇପାରିବନି ଯେ...କିନ୍ତୁ ବସ୍ତି ଲୋକଙ୍କୁ ହାତରେ ରଖିଛି । ସେ ଯାହା କହିବ ସେଇୟା କରିବେ ସମସ୍ତେ ।

 

-ଚାଣକ୍ୟନୀତି ପ୍ରୟୋଗ କର ।

 

-ଚେଷ୍ଟା କରୁଛି...

 

-ପ୍ରବଳ ଚେଷ୍ଟାକର । ସେମାନଙ୍କର ଭିତରୁ କେତେଜଣଙ୍କୁ ଅକ୍ତିଆର କରିବାକୁ ହେବ । ଯେନତେନ ପ୍ରକାରଣେ ।

 

-ସେ ବସ୍ତିବାଲାଙ୍କୁ ଏକଜୁଟ କରୁଛି...

 

-ତା’ହେଲେ ତ ଆହୁରି ଭଲ । ଉପର ମହଲରେ ଏକଥା ଜଣେଇଦବାକୁ ହେବ ଯେ ସରକାରୀ ନିଷ୍ପତ୍ତି ବିରୁଦ୍ଧରେ ଲୋକଙ୍କୁ ମତାଉଛି । ଆନ୍ଦୋଳନ କରିବାଲାଗି ମସୁଧା କରୁଛି ।

 

-ଏଥିରୁ ଆମର ଲାଭ ?

 

-ଏଥିରେ ହିଁ ଆମର ଲାଭ । ସରକାରଙ୍କର ଦୃଷ୍ଟି ତୁମ ଉପରେ ନ ପଡ଼ି ସେମାନଙ୍କ ଉପରେ ପଡ଼ିବ । ତୁମେ ତା’ ଆଗରୁ ମନ୍ତ୍ରୀଙ୍କ ସ୍ତ୍ରୀଙ୍କ ନାମରେ କଲ୍ୟାଣୀ ଦାତବ୍ୟ ହୋମିଓ ଚିକିତ୍ସାଳୟ ଖୋଲିଦିଅ ଗୋଟିଏ ପାଖରେ । ଜବରଦଖଲ ତୁମେ ନିଜ ପାଇଁ କରିନ, ସମାଜସେବା କରିବା ପାଇଁ କରିଛ... । ପୁଲିସ୍‍, ମ୍ୟୁନିସିପାଲିଟି, ସାଧାରଣ ପ୍ରଶାସନ ବିଭାଗ ସାଇନ୍‌ବୋର୍ଡ଼ ଦେଖି ଫେରିଯିବେ ।

 

-ଭଲ କଥା । ଶୁଭ ସୋମବାର ଦିନ ଆରମ୍ଭ ହେଉ । ଆପଣ ଉଦ୍‌ଘାଟକ ନିର୍ଣ୍ଣୟ କରନ୍ତୁ ।

 

-ଘରୋଇ ମନ୍ତ୍ରୀ ମୁଖ୍ୟ ଅତିଥିଭାବରେ ଓ ନଗର ଉନ୍ନୟନ ମନ୍ତ୍ରୀ ଉଦ୍‌ଘାଟକ ଭାବରେ ଯୋଗଦେଲେ ପୁଲିସ୍‌, ମ୍ୟୁନିସିପାଲିଟି ଓ ସାଧାରଣ ପ୍ରଶାସନ ବିଭାଗର କର୍ମଚାରୀ ଆମ ସପକ୍ଷରେ ରହିବେ ।

 

-ସେୟା ହେବ । ଆପଣ ସେମାନଙ୍କୁ ରାଜି କରାନ୍ତୁ ।

 

-ରାଜି ହେବେ । ନିର୍ବାଚନ ପାଖେଇ ଆସୁଛି । ଦଳକୁ ସକ୍ରୀୟ କରିବାକୁ ପଡ଼ିବ, ଭାବମୂର୍ତ୍ତିକୁ ଉଜ୍ୱଳ କରିବାକୁ ହେବ ।

 

ଗୋବିନ୍ଦ ପୃଷ୍ଟି ଜ୍ୱାଇଁ ସହିତ ଉଲ୍ଲସିତ ମନରେ ଫେରିବାବେଳେ ପ୍ରତିହାରି ଦୋକାନରୁ ପାଞ୍ଚକିଲୋ ଛେନାପୋଡ଼ ନେଇ ସିଧା ଚାଲିଲା ଥାନାବାବୁଙ୍କ ଘରକୁ । ପୁଲିସ୍‍ ହାତରେ ଥିଲେ ଅନ୍ୟ କାହାକୁ ପରୁଆ ନାହିଁ ।

 

‘କଳିଙ୍ଗ ହାଉସ୍‌’ର ନକ୍‌ସା ଅନ୍ୟକାହାଠାରୁ ସ୍ୱତନ୍ତ୍ର । ଏହା ହେବ ରାଜଧାନୀର ସର୍ବାପେକ୍ଷା ଉଚ୍ଚ ଅଟ୍ଟାଳିକା । ଏଥିରେ ସବୁଠାରୁ ଆଧୁନିକ ଯନ୍ତ୍ରପାତି ଖଞ୍ଜା ଯିବ ଏବଂ ଏହି ଚଉଦ ମହଲା ବିଶିଷ୍ଟ କୋଠା ନିର୍ମିତ ହେଲେ ରାଜ୍ୟ ସରକାରଙ୍କର ଅର୍ଦ୍ଧାଧିକ କର୍‌ପୋରେସନ୍‌ ଏଥିରେ ସ୍ଥାନ ପାଇବେ । ଏହାର ନିର୍ମାଣ ପାଇଁ ସାତ କୋଟି ଟଙ୍କା ବ୍ୟୟ ହେବ ବୋଲି ଅଟକଳ କରାଯାଇଛି । ଏହି କାମ ହାତକୁ ନବା ପାଇଁ ବଡ଼ ବଡ଼ ନିର୍ମାଣ ସଂସ୍ଥା ଓ ଠିକାଦାରମାନଙ୍କ ମଧ୍ୟରେ ପ୍ରବଳ ପ୍ରତିଯୋଗିତା । ଲାଭ୍ୟାଂଶ ମୋଟା ହେବା ସୁନିଶ୍ଚିତ; କିନ୍ତୁ ଏହା ଅପେକ୍ଷା ଏଥିରେ ଏହି କଠୋର ଭବିଷ୍ୟତ ପରି ଠିକାଦାରର ଭବିଷ୍ୟତ ମଧ୍ୟ ସୁରକ୍ଷିତ । ସେଥିପାଇଁ ସରକାରୀ ଟେଣ୍ଡର ଖବରକାଗଜରେ ପ୍ରକାଶ ପାଇବା ମାତ୍ରେ ଠିକାଦାରମାନଙ୍କ ମଧ୍ୟରେ ଚହଳ ପଡ଼ିଗଲା । ଯେଉଁ ଆରକିଟେକ୍‍ଟ ସେହି ନକ୍‌ସା ତିଆରି କରିଥିଲେ ତାଙ୍କର ଦ୍ୱାରସ୍ଥ ହେଲେ ଅନେକ । ଗୋବିନ୍ଦ ପୃଷ୍ଟିର ବଡ଼ ଜ୍ୱାଇଁ ମାଧବାନନ୍ଦ ପାତ୍ର ମୁଖ୍ୟଯନ୍ତ୍ରୀଙ୍କ ସହିତ ପରାମର୍ଶ କରି ଟେଣ୍ଡର ପକେଇଲା ଯଥା ସମୟରେ ।

 

ଟେଣ୍ଡର ଖୋଲାହେବା ଦିନ ସମସ୍ତ ଠିକାଦାର ଓ ସଂସ୍ଥାମାନଙ୍କ ପକ୍ଷରୁ ମନୋନୀତ ବ୍ୟକ୍ତି ଉପସ୍ଥିତ ରହିଲେ ମୁଖ୍ୟଯନ୍ତ୍ରୀଙ୍କ ପ୍ରକୋଷ୍ଠରେ । ଟେଣ୍ଡର ବାକ୍‌ସ ଖୋଲା ହୋଇ ଗୋଟିଏ ଗୋଟିଏ ଜଉ ମୁଦଦିଆ ଖାମ ଖୋଲି ଟେଣ୍ଡରର ବିବରଣୀ ଲେଖା ହେବାକ୍ଷଣି ଉତ୍ତେଜନା ଖେଳିଗଲା ଉପସ୍ଥିତ ଥିବା ଠିକାଦାରମାନଙ୍କ ମଧ୍ୟରେ । ସାତଟି ଟେଣ୍ଡର ମଧ୍ୟରୁ ଓଡ଼ିଶାର ଠିକାଦାରମାନଙ୍କର ଥିଲା ଗୋଟିଏ ଏବଂ ଅନ୍ୟ ଛଅଟି ଥିଲା ଓଡ଼ିଶା ବାହାରର ଠିକାଦାରମାନଙ୍କର-। ସେଥି ମଧ୍ୟରୁ ଥିଲେ ଦେଶର ଦୁଇଟି ବଡ଼ ବଡ଼ ନିର୍ମାଣ ସଂସ୍ଥା ।

 

ସମସ୍ତଙ୍କର ଟେଣ୍ଡରର ପ୍ରଧାନ ବିବରଣୀ ଓ ହିସାବ ଲେଖିନବା ପରେ ମାଧବାନନ୍ଦ ଜାଣିଗଲା ଯେ ତା’ର ଟେଣ୍ଡରରେ ଦର୍ଶାଯାଇଥିବା ହିସାବ ସର୍ବନିମ୍ନ ନୁହେଁ; ତେଣୁ ସରକାରୀ ନିୟମ ଅନୁସାରେ ଯଦି ସର୍ବନିମ୍ନ ଟେଣ୍ଡର ଦେଇଥିବା ଠିକାଦାର କାମ ପାଇଯାଏ ତା’ ହାତରୁ ଗୋଟେ ବଡ଼ ସମ୍ମାନଜନକ କାମ ଖସିଯିବ ଏବଂ ରାଜଧାନୀରେ ସେ ସିମେଣ୍ଟ ଓ ବାଲି ସାହାଯ୍ୟରେ ଇଟା ସହିତ ଇଟା ଯୋଡ଼ି ତିଆରି କରିଥିବା ବହୁ କୋଠାଘର ପରି ସଗର୍ବରେ ଗଢ଼ିଉଠିଥିବା ତା’ର ମର୍ଯ୍ୟାଦା ମଧ୍ୟ ଧୂଳିସାତ୍‌ ହୋଇଯିବ ।

 

ସେହିଦିନ ସନ୍ଧ୍ୟାରେ ମୁଖ୍ୟଯନ୍ତ୍ରୀଙ୍କୁ ତୁଷ୍ଟ କରିବାଲାଗି ମାଧବାନନ୍ଦ ନନ୍ଦନକାନନ ଗେଷ୍ଟ୍‍ ହାଉସରେ ଯେଉଁ ଆୟୋଜନ କରିଥିଲା ସେଥିରେ ଆନନ୍ଦର ସହିତ ଅଂଶ ଗ୍ରହଣକରି କହିଲେ କାନୁନ୍‍ଗୋ ସାହେବ, ତମେ ଏଡ଼େ ବୋକା ବୋଲି ଜାଣି ନ ଥିଲି ମୁଁ...ଆଗରୁ ସୂଚନା ପାଇ ମଧ୍ୟ ଇମିତି ରେଟ୍‍ ଦେଲ ଯେ ସବାତଳେ ନ ରହି ମଝିରେ ରହିଲଢ଼ି । ମୁଁ ମୁଖ୍ୟଯନ୍ତ୍ରୀ ହୋଇପାରେ; କିନ୍ତୁ ମୁଁ ତ ସରକାର ନୁହେଁ, ସଚିବ ନୁହେଁ । ଟେଣ୍ଡର ଉପରେ ନେଗୋସିଏସନ ହେବା ସୁନିଶ୍ଚିତ । କେବଳ ତମରି ସୁବିଧା ପାଇଁ ମୁଁ ଏହା କରିବି । ତା’ପରେ କାଗଜପତ୍ର ପଠାଇ ଦେବି ସଚିବାଳୟକୁ ସରକାରଙ୍କ ନିଷ୍ପତ୍ତି ପାଇଁ । ତମକୁ ଆଗରୁ କହିରଖିଲି, କ୍ଷେତ୍ର ପ୍ରସ୍ତୁତ କର, ନୋହିଲେ ପସ୍ତେଇବ ।

 

ମାଧବାନନ୍ଦ ପାତ୍ର ମୁଖ୍ୟଯନ୍ତ୍ରୀଙ୍କ ହାତକୁ ପାନ ପାତ୍ର ବଢ଼େଇ ଦେଇ କହିଲେ, ଆପଣ ଯାହା କରିବେ ଏଇଟା ବଡ଼ କାମ । ଏଥିରେ ଅନେକ କିଛି ଆଡ଼ଜଷ୍ଟ କରି ହେବ । କଟକରେ ଆପଣଙ୍କ କୋଠା ଉପରେ ଉପରେ ଉଠିଯିବ ଜାଣନ୍ତୁ । ଆପଣଙ୍କ ଜ୍ୱାଇଁଙ୍କ ଘର ତ ଅଧା ହୋଇ ପଡ଼ିଛି । ଲୋନ୍‌ ନେଇ ଏ କାମ କରି ହୁଏ ନାହିଁ । ମୁଣ୍ଡି ମାରିବା ଦାୟିତ୍ୱ ମୋର । ତା’ଛଡ଼ା ଆପଣଙ୍କ ସେଆର ତ ରହିଛି... ।

 

ମୋ ନିଜ କାମ ମନେକରି ଏଯାଏ ତମକୁ ସାହାଯ୍ୟ କରି ଆସିଛି, ଏକଥା ମନେରଖ ଯେପରି ମାଧବାନନ୍ଦ ।

 

ସବୁ ମନେଅଛି ସାର୍‌ ।

 

ମାଧବାନନ୍ଦଙ୍କ ଇସାରା ପାଇ ଲଳିତା ଗଜଲର ସୁର ଧରିଲା ।

 

ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଇଞ୍ଜିନିଅରିଂ ପଢ଼ିବାଦିନୁ ଗଜଲପ୍ରତି ବିଶେଷ ଅନୁରୋଧ ସୁଧାମୃତ କାନୁନ୍‍ଗୋଙ୍କର । ସେ ତ ଗଜଲରେ ଇମିତି ମଜ୍ଜି ଯାଇଥିଲେ ଯେ ଜରୀନା ବାଇ ସହିତ ସାଦି କରିବା ପାଇଁ ପ୍ରସ୍ତାବ ବି ଦେଇଥିଲେ । ହଠାତ୍‌ ସେତିକିବେଳେ ଯଦି ତାଙ୍କର ମା’ ମରିଯାଇ ନ ଥାନ୍ତେ ସେ ହୁଏତ ଜରୀନାକୁ ଜାବୋଡ଼ି ଧରି ରହିଯାଇ ଥାଆନ୍ତେ ସେଠାରେ; କିନ୍ତୁ ମା’ଙ୍କ ମୃତ୍ୟୁ ଖବର ପାଇ ସେ ଯେ ଚାଲିଆସିଲେ ଆଉ ଫେରିଗଲେ ନାହିଁ । ଭାଗ୍ୟକୁ ଶେଷ ପରୀକ୍ଷା ସରିଯାଇଥିଲା ସେତେବେଳକୁ ।

 

ସେ ଚାଲିଆସିବା ପରେ ଜରୀନା ବାଇ ଖବର ପଠେଇଥିଲା; କିନ୍ତୁ ଘଟଣା ଚକ୍ରରେ ସେଇ ଖବର ପହଞ୍ଚି ନଥିଲା ଠିକ୍‌ ସମୟରେ । ସୁଧାମୃତ ଓଡ଼ିଶାର ତତ୍‌କାଳୀନ ପ୍ରଖ୍ୟାତ ଓକିଲ ବିଶିଷ୍ଟ ପଟ୍ଟନାୟକଙ୍କର ଜ୍ୟେଷ୍ଠା କନ୍ୟା ମାଧୂରୀର ଅଧରାମୃତ ପାନ କରିବାଲାଗି ଓଡ଼ିଶାରେ ରହିଗଲେ ସଂସାର କରି । ତା’ପରେ ନିଜର ବୁଦ୍ଧି ବଳରେ, ବଳ କୌଶଳ ବଳରେ ସେ ଧାପେ ଧାପେ ଉଠିଛନ୍ତି ସିଡ଼ିରେ । ନିଜ ବିଭାଗର ମୁଖ୍ୟ ହେବାଠାରୁ ବଳି ବଡ଼ ଗୌରବ ଚାକରି ଜୀବନରେ ଆଉ କଅଣ ଥାଇପାରେ !

 

ସୁଧାମୃତ ଯେତେବେଳେ ଚାକିରି ଆରମ୍ଭ କରିଥିଲେ ତାଙ୍କୁ ତାଙ୍କର ସିନିଅର ଉପଦେଶ ଛଳରେ ଯାହା କହିଥିଲେ ଏଯାଏ ସେ ଭୁଲି ନାହାନ୍ତି । ସେ କହିଥିଲେ ଯେ, ଚାକିରୀ ଚୋରୀ ବଣିଜ ମିଛ । ଚାକିରି କରି ସାଧୁ ହେବା ସହଜ ନୁହେଁ । ଚୋରି କରିବା ବି ସହଜ ନୁହେଁ, ଚତୁରକାର ସହିତ ବୁଦ୍ଧି ବଳରେ ଯିଏ ଚୋରୀ କରେ ସେ ସାଧୁର ମୋହର ଝୁଲାଇ ବୁଲିବାର ବହୁ ଦୃଷ୍ଟାନ୍ତ ରହିଛି; ତଥାପି ଗୋଟିଏ କଥା ମନେରଖିବା ଉଚିତ ହେବ ଯେ ପୂର୍ତ୍ତ ବିଭାଗରେ ଚାକିରି କରି ନିଜର ପୂର୍ତ୍ତି ପ୍ରତି ଦୃଷ୍ଟି ନ ଦେଲେ ଶେଷରେ ପଛରେ ପଡ଼ିଯିବା ସୁନିଶ୍ଚିତ ଖାଇବା ଓ ଖୁଆଇବା ଏହି ନୀତି ଅକ୍ଷରେ ଅକ୍ଷରେ ପାଳନକଲେ ଚାକିରୀରେ ତରକି ହୁଏ ।

 

ସୁଧାମୃତ ଅନେକ ନେଇଛନ୍ତି, କ’ଣ ଦେଇନାହାନ୍ତି ଉପରିସ୍ଥଙ୍କୁ । ଲୋକ ପ୍ରତିନିଧି ଓ ରାଜନୀତିଜ୍ଞମାନଙ୍କୁ ଖୁସି କରିବାଲାଗି ଯଥାସାଧ୍ୟ ଚେଷ୍ଟା କରିଛନ୍ତି । ତାହାରି ସଫଳତାର ଫଳ ସେ ଏବେ ଅଙ୍ଗେ ନିଭାଉଛନ୍ତି । ଅବଶୋଷ ନାହିଁ ।

 

ମାଧବାନନ୍ଦ ଶ୍ୱଶୁରଙ୍କଠାରୁ ଏ ବିଦ୍ୟାରେ ଟପିଯିବା ପାଇଁ ଚେଷ୍ଟା କରନ୍ତି ।

 

ସୁଧାମୃତ ସାଙ୍ଗରେ ଆଣିଥିବା ତାଙ୍କର କୁକୁରର ପିଠି ଆଉଁସି ଦେଇ କହିଲେ, ଜିନି...ତୁ ୟା’ଙ୍କୁ ଚିହ୍ନୁ ତ ?

 

ଜିନି ଲାଙ୍ଗୁଳ ହଲେଇ ସମ୍ମତି ଜଣାଇଲା । ତାଙ୍କ ପାଖରୁ ଛାଡ଼ ପାଇ ସେ ମାଧବାନନ୍ଦଙ୍କୁ ଶୁଙ୍ଘିନେଲା । ମଣିଷର ଗନ୍ଧରୁ ସେ ବୋଧହୁଏ ଠଉରେଇ ନିଏ କିଏ ବନ୍ଧୁ ଆଉ କିଏ ଶତ୍ରୁ । କୁକୁର ପ୍ରତି ବଡ଼ ଭୟ ମାଧବାନନ୍ଦଙ୍କର । କାଳେ କାମୁଡ଼ି ଦେଇପାରେ ସେଥିପାଇଁ ଜାକିଜୁକି ସଙ୍କୁଚିତ ହୋଇ ନିଶ୍ଚଳ ଭାବରେ ସେ ବସି ରହିଲେ ।

 

ସୁଧାମୃତ ନିର୍ଭର ବାଣୀ ଶୁଣେଇ କହିଲେ, ଭୟ ନାହିଁ, କିଛି କ୍ଷତି କରିବନି ।

 

ମାଧବାନନ୍ଦଙ୍କର ଇଛା ହେଉଥିଲା ସାହେବଙ୍କର ପୋଷା କୁକୁର ହେବାପାଇଁ । ଭାଗ୍ୟବାନ ହୋଇ ନଥିଲେ ସେ ତାଙ୍କ କୋଳ ଉପରେ ବସୁ ନଥାନ୍ତା, ତାଙ୍କ ଜଙ୍ଘ ଉପରେ ମୁହଁ ରଖି ଉଷୁମ ଟାଣୁ ନ ଥାନ୍ତା । ମୁଖ୍ୟଯନ୍ତ୍ରୀଙ୍କ ନିର୍ଭୟ ବାଣୀ ଶୁଣି କୁକୁରର ମୁଣ୍ଡ ଆଉଁସି ଦେଇ ତା’ର ଲାଙ୍ଗୁଡ଼ ଛାତି ଉପରେ ରଖି ମାଧବାନନ୍ଦ କହିଲେ, ଏ ଜାତିର କୁକୁର ମର୍ତ୍ତ୍ୟର ନୁହେଁ ସାର୍‌, ସ୍ୱର୍ଗର-। ମୋରତ ଇଚ୍ଛାହୁଏ କୁକୁର ହୋଇ ଆପଣଙ୍କ ସେବା କରିବାପାଇଁ ।

 

ସୁଧାମୃତ କାନୁନ୍‍ଗୋଙ୍କ ଶେଷ ହୋଇଯାଇଥିବା ପାନ ପାତ୍ର ପୁନର୍ବାର ପୂର୍ଣ୍ଣ କରି କହିଲେ ମାଧବାନନ୍ଦ, ମୋ କଥା ମନେ ରଖିବେ ସାର୍‌... । କଳିଙ୍ଗ ହାଉସ୍‌ର ନିର୍ମାଣ କାମ ମୁଁ ଯେପରି ପାଏ... । ଆପଣଙ୍କ ଇଚ୍ଛା ବି ପୂର୍ଣ୍ଣ ହେବ, ଆଉ ମୋର ମର୍ଯ୍ୟାଦା ବି ବଢ଼ିଯିବ... ।

 

କିନ୍ତୁ ତିନି ପର୍ସେଣ୍ଟ ନୁହେଁ, ଏଇ କାମ ତୁମେ ପାଇଲେ ମୁଁ ସାତ ପର୍ସେଣ୍ଟରୁ କମ୍‌ ନେବି ନାହିଁ । ଯାହାକୁ ଯାହା ଦବାର କଥା ଦିଅ ଯେପରି; କିନ୍ତୁ ମନେରଖ ଏଇଟା ନିର୍ବାଚନର ଶେଷ । ମନ୍ତ୍ରୀଙ୍କୁ ଅତି କମ୍‌ରେ କୋଟିଏ ଟଙ୍କା ଦବାକୁ ହେବ... ।

 

-ତା’ହେଲେ ତ ମୁଁ ଲଢ଼ିଣ୍ଡା ହୋଇଯିବି ସାର୍‌...ଆପଣ ତ ଜାଣନ୍ତି ଆଜିକାଲି ଏତେ ବେଶି ଲାଭ ହୁଏନି... । ପୁଣି ଭିଜିଲାନ୍‌ସ ଚେକ୍‌ ବଢ଼ିବାରେ ଲାଗିଛି ।

 

-ମନ୍ତ୍ରୀ, ଭିଜିଲାନ୍‌ସ ଇନକମ୍‌ ଟାକ୍‌ସ ସମସ୍ତଙ୍କୁ କିପରି ଆୟତ୍ତ କରିବାକୁ ହୁଏ ତୁମେ ଜାଣ ମାଧବ ! ଆଉ କୋଉଠି କଅଣ କଲେ ଲାଭ୍ୟାଂଶ ବେଶିହୁଏ ତାହା ବି ଜାଣ ତୁମେ... ।

-ସବୁ ଜାଣେ ସାର୍‌...କିନ୍ତୁ ଆପଣ ଭରସା ଦେଲେ ସବୁ ପାରିବି ମୁଁ ।

-କିନ୍ତୁ ସାବଧାନ, କଳାହାଣ୍ଡିରେ ତୁମେ ତିଆରି କରିଥିବା ପୋଲପରି କଳିଙ୍ଗ ହାଉସ୍‌ ଭୁଶୁଡ଼ି ନ ପଡ଼େ ଯେପରି ! ମନ୍ତ୍ରୀ ସାହାଯ୍ୟ କରି ନ ଥିଲେ ତୁମେ ସେଇ ଗୋଟିଏ କେଶ୍‌ରେ ବ୍ଳାକ୍‌ଲିଷ୍ଟକୁ ଚାଲି ଯାଇଥାନ୍ତ ।

ଗ୍ଳାସ୍‌ପରେ ଗ୍ଳାସ୍‌ ଭର୍ତ୍ତିକରି ଚାଲିଛନ୍ତି ମାଧବାନନ୍ଦ । ସ୍କଚ ହୁଇସ୍କି ପାଇଲେ ପାଗଳ ହୋଇ ଯାଆନ୍ତି ସୁଧାମୃତ ।

ସେ ମାଧବାନନ୍ଦ ଉପରେ ହାତରଖି କହିଲେ, ଜରୀନାକୁ ପୁଣି ମନେପଡ଼ୁଛି ମାଧବ... ।

-ସେ କଅଣ ଆଉ ପୂର୍ବପରି ଥିବ ସାର୍‌...ବରଂ ତା’ଠାରୁ ଭଲ ମାଲ...

ଚୁପ୍‌କର...ଚୁପ୍‌କର...ପ୍ରେମ କେବେ ବୁଢ଼ା ବା ବୁଢ଼ୀ ହୁଏନି...ପ୍ରେମିକା ଚିରଦିନ ତରୁଣୀ, ଆଉ ଏଇ ମନ ତ ସବୁଦିନ ମଧୁ ବୃନ୍ଦାବନ... ।

ଅତ୍ୟଧିକ ନିଶାଗ୍ରସ୍ତ କାନନଗୋ ସାହେବ ଧୀରେ ଧୀରେ ମାଧବାନନ୍ଦ ଉପରେ ଆଉଜି ପଡ଼ିଲେ । ତାଙ୍କୁ ଶୋଫା ଉପରେ ଶୁଆଇ ଦେଇ ତାଙ୍କରି ସଙ୍ଗସୁଖ ପାଇଁ ଆସିଥିବା ଲଳିତାକୁ ନନ୍ଦନକାନନର ନିଭୃତ କକ୍ଷରେ ଭୋଗ କରିବାକୁ ଲାଗିଲେ ।

 

Unknown

ସାରାଦିନ ସେଇଠି ରହିଗଲେ ସୁଧାମୃତ । ସନ୍ଧ୍ୟାରେ ଘରକୁ ଫେରିବାବେଳେ ଗେଷ୍ଟ୍‌ ହାଉସର ଫାଟକ ଆଗରେ ସତ୍ୟଜିତ୍‌ ରାୟ ସହିତ ଅପ୍ରତ୍ୟାଶିତ ଭାବରେ ଭେଟ ହୋଇଯିବାରୁ ସେ କହିଲେ, ଆପଣ ଏଠି ଯେ...?

 

-ଆପଣଙ୍କ ପାଇଁ ଯେଉଁ ଦ୍ୱାର ଖୋଲା ଆମ ପାଇଁ ତାହା ବନ୍ଦ ନୁହେଁ ନିଶ୍ଚୟ ।

 

-ନା, ନା, ଇମିତି କହୁଥିଲି ନା ।

 

ସୁଧାମୃତ କିନ୍ତୁ ମାଧବାନନ୍ଦଙ୍କୁ ପାଖକୁ ଡାକି ତାଙ୍କୁ ସତର୍କ କରିଦେଇ କହିଲେ, ପାନରୁ ଚୂନ ଖସିଲେ ନଜର ଦିଏ ଏ ଲୋକ । ସାବଧାନ ନ ହେଲେ ବିପଦରେ ପଡ଼ିବ । ମାଧବାନନ୍ଦ ତାଙ୍କୁ ବିଦାୟଦେଇ ନିଜ ଗାଡ଼ିରେ ବସିବାବେଳେ ସତ୍ୟଜିତ୍‌ କହିଲା, ନନ୍ଦନକାନନର ହ୍ରଦରୁ ବଡ଼ ରୋହିଟିଏ ଧରିଲେ ଆପଣ ।

 

କଙ୍ଗ୍ରାଚୁଲେସନ୍‌ସ... ।

 

ନନ୍ଦନକାନନରୁ ଫେରିବା ବାଟରେ ମନେପଡ଼ିଲା ରାଧା । ସତ୍ୟଜିତ୍‌ ଯିବ ଯିବ କହି ଯାଇପାରିନି ଏଯାଏ । ସତ୍ୟନଗରରେ ସେ ରହିଥିବା ସେଇ ନିର୍ଦ୍ଦିଷ୍ଟ ସ୍ଥାନଟିର ସୂଚନା ସେଦିନ ରାଧା ଦେଇ ନ ଥିଲା ସତ; କିନ୍ତୁ ଜଣକୁ ଖୋଜି ବାହାର କରିବା ଏତେ କଷ୍ଟସାଧ୍ୟ ହେବନି ନିଶ୍ଚୟ । ଅବଶ୍ୟ ଅନ୍ୟ ସହରରେ ଯାହା ସହଜ ଓଡ଼ିଶାର ରାଜଧାନୀରେ ତାହା କଷ୍ଟକର । ଏଠାରେ ସହଜରେ ରାସ୍ତାରେ କିମ୍ବା ପୁସ୍ତକ ପ୍ରଦର୍ଶନୀର ଭିତରେ ଖୋଜୁଥିବା ଲୋକକୁ ଆବିଷ୍କାର କରିହୁଏ; କିନ୍ତୁ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ଅଟଳ ଅଚଳଭାବରେ ଥିବା ଘରଟିକୁ ନମ୍ବର ଥିବା ସତ୍ତ୍ୱେ ସହଜରେ ଖୋଜି ବାହାର କରି ହୁଏନି । ସବୁ ସହରର ପ୍ରଧାନ ରାସ୍ତା ଗଳି, ଉପଗଳିର ଯେପରି ନିର୍ଦ୍ଦିଷ୍ଟ ନାମ ଅଛି ଏବଂ ଘରଗୁଡ଼ିକର ଯେପରି କ୍ରମିକ ସଂଖ୍ୟା ଅଛି, ଭୁବନେଶ୍ୱରରେ ସେପରି ନାହିଁ । ଏଠାରେ ୧୦୧ ନମ୍ବର ପ୍ଳଟ୍‌ପରେ ୧୯୭ ନମ୍ବର ପ୍ଳଟ୍‌, ବେଳେ ବେଳେ ୧୧ ନମ୍ବର ଘର ପଛରେ ୩୧୩ ନମ୍ବର ଘର; କିନ୍ତୁ ବାହାଦୂର କରିବ ରାଜଧାନୀର ରିକ୍‌ସାବାଲାଙ୍କୁ । ଏଇ ଜଟିଳତା ଭିତରେ ବି ସେମାନଙ୍କର ଫଟୋ ସଦୃଶ ସ୍ମରଣଶକ୍ତିରେ ଛାପି ହୋଇଯାଏ ଥରେ ଦେଖିଥିବା ଘର ଓ ସ୍ଥାନ ।

 

ସତ୍ୟଜିତ୍‌ ଫେରୁଥିଲା ନିଜର ସ୍କୁଟରରେ । ସତ୍ୟନଗର ଶ୍ମଶାନ ପାଖରେ ବାମଆଡ଼କୁ ବାଟଭାଙ୍ଗି ସେ ପଶିଲା ଭିତରକୁ ।

 

କିଛି ଦୂର ଯିବାପରେ ପୁଣି ବାଟଭାଙ୍ଗି ବସ୍ତିଆଡ଼କୁ ମୁହାଁଇଲାବେଳେ ଗୋଟେ ରିକ୍‌ସା ବିପରୀତ ଦିଗରୁ ଆସୁଥିବାର ଦେଖି ଚାଳକକୁ ପଚାରିଲା ସତ୍ୟଜିତ୍‌, ରାଧା ଦିଦି କୋଉଠି ଥାଆନ୍ତି କହିପାରିବ ?

 

ରିକ୍‌ସାବାଲା ଦ୍ୱିଧା ନ କରି କହିଲା, ସିଧାଯାଇ ସେଇ ଆଗରେ ଥିବା ପଣସଗଛ ପାଖରେ ଡାହାଣକୁ ବାଟ ଭାଙ୍ଗିଲେ ଯେଉଁ ଗଳି ପଡ଼ିବ ତା’ର ଶେଷ ଘରଟିରେ ରହନ୍ତି ସେ । ତାଙ୍କ ଘରକୁ ଲାଗି ଓମ୍‌ଫେଡ଼ର ଦୁଗ୍‌ଧ ଯୋଗାଣ କେନ୍ଦ୍ର...

 

ବାଟ ନ ଭୁଲି ଠିକ୍‌ ଚାଲି ଆସିଲା ସତ୍ୟଜିତ୍‌ ।

 

ଘର ସାମ୍ନାରେ ଛିଡ଼ାହେଲା ସତ; କିନ୍ତୁ ବିଶ୍ୱାସ କରିବାକୁ କୁଣ୍ଠା ଲାଗୁଥିଲା ଯେ ଏଇ ଝୁମ୍ପୁଡ଼ିଘରେ ରାଧା ମହାପାତ୍ର ରହିପାରେ ! କୋଉ ଦୁଃଖରେ, ସତ୍ୟନଗରର ଏଇ ଅପରିଚ୍ଛନ୍ନ ବସ୍ତିରେ ଅବହେଳିତ ଭାବରେ ରହୁଛି ଯେ ? କଲେଜର ସେଇ ଝିଅଟିର ମୁହଁ ଭାସିଉଠିଲା ଆଖିଆଗରେ । ସେ ସଦାବେଳେ ପ୍ରଫୁଲ୍ଲ ଥାଏ ବୋଲି ତାକୁ ରାଧା ନକହି ସାଙ୍ଗମାନେ ପରିହାସ କରି ଆଉ ଗୋଟେ ନାମ ଦେଇଥିଲେ-ପ୍ରଫୁଲ୍ଲତା ।

 

ଆଜି କିନ୍ତୁ ସେଇ ପ୍ରଫୁଲ୍ଲତାର ଅନ୍ତରାଳରେ ଏକ କାରୁଣ୍ୟ ହୃଦୟ ଧରାଦିଏ ଦୃଷ୍ଟିରେ । ରାଧା ସହିତ ଅନେକବର୍ଷ ପରେ ଦେଖାହୋଇଥିଲା ସେଦିନ । ତାହା ଯେପରି ଅଚାନକ ସେହିପରି ଅପ୍ରତ୍ୟାଶିତ । ସେଦିନ ବି ରାଧାର ସ୍ମିତହାସ୍ୟର ଅନ୍ତରାଳରେ କରୁଣତାର ରେଖା ଦେଖିପାରିଥିଲା ସେ । ଯିଏ ତାକୁ ଆଗେ ଦେଖିଛି ତା’ ଆଖିକୁ ସହଜରେ ଧରାଦିଏ ଏଇ ପାର୍ଥକ୍ୟ; ଅଥଚ କି ଆଶ୍ଚର୍ଯ୍ୟ ! ସେ ପଚାରିବା ସତ୍ତ୍ୱେ ନିଜର ବ୍ୟକ୍ତିଗତ ଜୀବନ ବିଷୟରେ ଉତ୍ତରଟା ଏଡ଼ିଗଲା ରାଧା ।

 

ଆଜି ସେଇ ପ୍ରଶ୍ନ ପୁଣି ଆଉଥରେ ପଚାରିବାରେ କ୍ଷତି ନାହିଁ ।

 

ସେ ସେଇପରି ଛିଡ଼ାହୋଇ ଆହୁରି କେତେ କଅଣ ଭାବୁଥାଆନ୍ତା; କିନ୍ତୁ ଦଳେ ଛାତ୍ରୀଙ୍କୁ ଆଗେଇ ଦବାକୁ ଆସି ଘର ଆଗରେ ସତ୍ୟଜିତ୍‌କୁ ଦେଖି ଆବାକ୍‌ ହୋଇଗଲା ରାଧା !

 

-ଆରେ, ଆପଣ ଏଠି ଯେ,...କାହାର ଅପେକ୍ଷାରେ ?

 

ସତ୍ୟଜିତ୍‌ ମୁହୂର୍ତ୍ତକ ମଧ୍ୟରେ ନିଜକୁ ସଜାଡ଼ି ନେଇ କହିଲା, ତୁମକୁ ଖୋଜି ଖୋଜି ଆସିଛି...ତୁମେ ଆସିବ କହିଥିଲ ଆସିଲ ନାହିଁ ଯେତେବେଳେ ମୁଁ ଚାଲି ଆସିଲି । ଭୁଲ କରିନାହିଁ ତ ?

 

-ନା ନା । ଆପଣ ଆସିଥିବାରୁ ଅନେକ ଧନ୍ୟବାଦ । ଭିତରକୁ ଆସନ୍ତୁ...ଏଠାରେ କେତେ ସମୟ ଛିଡ଼ାହୋଇ ରହିବେ ?

 

-ଚାଲ, ଚାଲ...ତୁମ ଘର ନ ଦେଖି ଏଠାରୁ ଫେରିଯିବିନି ନିଶ୍ଚୟ... ।

 

-ମୋର କୁଡ଼ିଆ ଦେଖି ନିଶ୍ଚୟ ହତାଶ ହୋଇଥିବେ, କିନ୍ତୁ... ।

 

-ସତ୍ୟଜିତ୍‌ କୌଣସି ଉତ୍ତର ନ ଦେଇ ଘର ଭିତରକୁ ପଶିଯାଇ ଚାରିଆଡ଼ୁ ଆଖି ବୁଲାଇ ଆଣି ବାଉଁଶ ମୋଡ଼ା ଉପରେ ବସି ପଡ଼ିଲା । ତା’ର ଦୀର୍ଘଶ୍ୱାସକୁ ସେ ରୋକି ନବାଲାଗି ଚେଷ୍ଟା କରିବା ସତ୍ତ୍ୱେ ତାହା ଶୁଣିପାରିଲା ରାଧା । ସେ ନିରୁପାୟ, ଏପରି ହଠାତ୍‌ ଯେ ସତ୍ୟଜିତ୍‌ ପହଞ୍ଚିଯିବ ତାହା ଜାଣିଥିଲେ ସତ୍ୟନଗରରେ ସେ ରହେ ବୋଲି ଆଦୌ କହି ନ ଥାନ୍ତା ।

 

ତାକୁ ସେଥିରୁ ରକ୍ଷା କରିବାକୁ ଯାଇ କହିଲା ସତ୍ୟଜିତ୍‌ ତମର ସ୍କୁଲକୁ ଦିନେ ଯାଇଥିଲି ମୁଁ । ହେଡ଼୍‌ ମିଷ୍ଟ୍ରେସ୍‌ ତ ଜଣାଶୁଣା ।

 

କଅଣ କାମଥିଲା ତାଙ୍କ ପାଖରେ ?

 

-ନା, ତୁମ ପାଖରେ କାମଥିଲା... ।

 

-ଦେଖା ନକରି ଚାଲିଗଲେ କେମିତି ?

 

-ନା, ତୁମେ ତା’ ଆଗରୁ ସ୍କୁଲରୁ ଚାଲିଯାଇଥିଲ ବୋଲି କହିଲେ ହେଡ଼୍‌ ମିଷ୍ଟ୍ରେସ୍‌ ।

 

-ମୁଁ ଦୁଃଖିତ । ଆଜି କହିପାରନ୍ତି...

 

ସତ୍ୟଜିତ୍‌ ଗୋଟିଏ କୋଣରେ କାନ୍ଥର ଗୋଟିଏ ଖୋଲ ଭିତରେ ଟିକ୍‌ ଟିକ୍‌ କରୁଥିବା ଟେବୁଲ୍‌ ଘଡ଼ିଟାକୁ ଚାହିଁ କହିଲା, ସାତଟା... ।

 

-ଚା’ କପେ ନ ପିଇ ଚାଲିଯିବେନି ନିଶ୍ଚୟ ।

 

-ବଡ଼ ଶୋଷ କରୁଛି, ଆଗେ ପାଣି ଗିଲାସେ ଦିଅ ତ ।

 

ତା’ ହାତକୁ ପାଣି ଗିଲାସେ ବଢ଼ାଇ ଦେଇ ଚା’ କରିବା ପାଇଁ ବସିଗଲା ରାଧା ।

 

ରାନ୍ଧିବା ପାଇଁ ସ୍ୱତନ୍ତ୍ର ଘର ନାହିଁ । ସେଇ ଏକମାତ୍ର କୋଠରିଟି ସବୁକାର୍ଯ୍ୟ ପାଇଁ ଉଦ୍ଦିଷ୍ଟ । କେବଳ ସ୍ନାନ ଓ ଶୌଚାଳୟ ଅଲଗା ।

 

ତା’ ମନରୁ ସଂଶୟ ଦୂର କରିବା ପାଇଁ କହିଲା ରାଧା, ଏଇ ବଖରାଏ ଘର ପାଇଁ ମାସକୁ ଦୁଇ ଶହ ଟଙ୍କା ଭଡ଼ାଦିଏ ।

-କିନ୍ତୁ ସତ୍ୟନଗର ପରି ବସ୍ତିରେ ତୁମକୁ ଶୋଭାପାଏନି ରାଧା... । ମୁଁ ଜାଣି ନ ଥିଲି ଯେ ତୁମେ ନିଜକୁ ଏତେଦୂର ନିଗୃହୀତ କରିପାର... ।

ତା’ର କଣ୍ଠରେ କେଉଁଠି ଆତ୍ମୀୟତା ଲୁଚି ରହିଥିଲା କେଜାଣି ତାହା ଏଇ ପଦକ କଥାରେ ପ୍ରକାଶିତ ହୋଇଗଲା । ଯେପରି ଫୁଲ ଫୁଟିବାକ୍ଷଣି ମହକି ଉଠେ ଆପେ ଆପେ ନିଜର ଗୁଣରେ ।

-ନିଜ ଗୋଡ଼ରେ ଛିଡ଼ା ହେଲେ ବେଳେ ବେଳେ ନିଗୃହୀତ କରିବାକୁ ହୁଏ ନିଜକୁ; କିନ୍ତୁ ସେଥିରେ ଥାଏ ଆତ୍ମସନ୍ତୋଷ ।

-ସ୍ୱୀକାର କରୁଛି, ତା’ ବୋଲି ତମେ ଏ ବୟସରେ ଏପରି କଷ୍ଟ କରିବ ତାହା ଭାବିପାରୁନି ମୁଁ ।

-ବୟସ ସହିତ କଷ୍ଟ ସହିବାର ସମ୍ବନ୍ଧ ନାହିଁ ସତ୍ୟଜିତ୍‌ବାବୁ; ବରଂ ଏଇ ବୟସରେ ଅଏସ ନ କରି ସାଧନା କରାଯାଇପାରେ... ।

-ଏଇ ଝିଅମାନଙ୍କୁ ଟିଉସନ କର ।

-ନା । ବସ୍ତିର ଝିଅ ଏମାନେ, ବାପ ମାଆର ସାମର୍ଥ୍ୟ ନାହିଁ ସେମାନଙ୍କୁ ସ୍କୁଲ ପଠାଇବେ । ସାକ୍ଷରତା ସ୍ୱାବଲମ୍ବନରେ ସାହାଯ୍ୟ କରେ । ସେଥିପାଇଁ ସ୍କୁଲରୁ ଫେରି ଘଣ୍ଟାଏ ସେମାନଙ୍କୁ ପଢ଼ାଏ ମୁଁ... ।

 

-ବଡ଼ ଖୁସି ଲାଗୁଛି ଶୁଣିବା ପାଇଁ ଯେ ଏକଦା କଲେଜର କୃତୀ ଛାତ୍ର ଆଜି ଶିକ୍ଷୟିତ୍ରୀ, ସମାଜସେବିକା; କିନ୍ତୁ ମନ ବୁଝୁନି, ତୁମକୁ ଇମିତି ଅବସ୍ଥାରେ ଦିନେ ଦେଖିବି ବୋଲି କେବେ ଭାବି ନ ଥିଲି ।

 

-ମଣିଷ ଅନେକ କିଛି ଚାହେଁ; କିନ୍ତୁ ପାଏନି ସତ୍ୟଜିତ୍‌ବାବୁ...ପୁଣି ଯାହା ପାଏ ତାହା ସେ ଚାହିଁ ନ ଥାଏ । ଏହା ତା’ର ଆୟତ୍ତର ବାହାରେ । ଭାଗ୍ୟଫଳ ବା ପରାବ୍‌ଧ ଯାହା କହନ୍ତୁ... ।

 

-ମୁଁ ଭାଗ୍ୟଫଳରେ ବିଶ୍ୱାସ କରେନି ରାଧା । ମଣିଷର ଭାଗ୍ୟ ତା’ ନିଜ ହାତରେ...ସେ ଯେପରି ଚାହିବ ସେପରି ତିଆରି କରିବ ନିଜକୁ ।

 

ତା’ କଥା ଶୁଣି ହସିଲା ରାଧା ଏବଂ କହିଲା, କେତେ ଚିନି ଦେବି ?

 

-ଚାମୁଚେ ।

 

-ଆଜିରୁ ଏତେ ଶୃଙ୍ଖଳା...

 

-ଚିନି ବେଶି ଖାଇଲେ ମେଦବୃଦ୍ଧି ହେବ । ମିଠା ତ ଜାତୀୟ ସଞ୍ଚୟ ସାର୍ଟିଫିକେଟର ଡିପୋଜିଟ୍‍ ପରି, ଖାଲି ସଞ୍ଚୟ କରିବାରେ ସାହାଯ୍ୟ କରେ, ହ୍ରାସ କରାଏ ନାହିଁ ।

 

-ଦୁହେଁ ହସିଉଠିଲେ ପରସ୍ପରର ମୁହଁକୁ ଚାହିଁ ।

 

-ଭୁଲି ଯାଇଥିଲି ପଚାରିବା ପାଇଁ, କିଛି ମନେ ନ କଲେ ପଚାରିବି ।

 

-ପଚାର...ଯେ କୌଣସି ପ୍ରଶ୍ନ ପଚାରିବାରେ ବାଧା ନାହିଁ ।

 

ଆପଣଙ୍କ ଘରେ ଆଉ କିଏ କିଏ ଅଛନ୍ତି, ସେମାନଙ୍କୁ ସାଙ୍ଗରେ ଆଣିଲେ ନାହିଁ ତ ?

 

-ତୁମେ ତ ଗଲଢ଼ିନି, ଯାଇଥିଲେ ଦେଖିଥାଆନ୍ତ କିଏ କିଏ ଅଛନ୍ତି, ପରିଚୟ ବି ହୋଇଥାଆନ୍ତା ସେମାନଙ୍କ ସହିତ ।

 

-ତଥାପି କହିବାରେ ଯଦି ବାଧା ନାହିଁ ଆଗ୍ରହର ସହିତ ଶୁଣିବି ମୁଁ... ।

 

-ମୋତେ ଦେଖି ତମେ କଅଣ ଭାବିପାରୁଛ ଯେ ମୁଁ ସଂସାରର ବୋଝ ବୋହିବା ଲୋକ...ବରଂ ସ୍ୱାଧୀନତାର ଚିହ୍ନ ମୋର ଆଚରଣରେ ସର୍ବତ୍ର ବିଦ୍ୟମାନ... ।

 

-କାହିଁକି ଏକା ଏକା ରହିଗଲେ ।

 

-ଏଯାଏ ଏକା ଏକା ଲଢ଼ିପାରୁଛି...ମୋର ଲକ୍ଷ୍ୟଆଡ଼କୁ ଯାଇପାରୁଛି ବୋଲି...ଯୋଉଦିନ ଅନୁଭବ କରିବି ଯେ ଆଉ ପାରୁନି, ଆଉ ଜଣକର ସାହାଯ୍ୟ ଏବଂ ସାନ୍ନିଧ୍ୟ ଲୋଡ଼ା ସେଦିନ ହୁଏତ ଆଉ କିଛି କରିପାରେ... ।

 

-ଅଥଚ ମଣିଷର ଜୀବନ ଏପରି ଯେ, ସେ ଏକା ରହିପାରେନି, ଅନ୍ୟର ସାହାଯ୍ୟ ଚାହେଁ, ସାନ୍ନିଧ୍ୟ କାମନା କରେ । ବରଂ ନ ପାଇଲେ ସେ ହୁଏ ଦୁଃଖୀ । ଏହାହିଁ ବିଚିତ୍ର ।

 

-କିନ୍ତୁ ଯାହାକୁ ଇଚ୍ଛା ତାକୁ ସାଥି କରି ହୁଏନି ରାଧା...ତମେ ବି ହୁଏତ ଜାଣ...

 

ତାକୁ ଆଉ କହିବାକୁ ନ ଦେଇ କହିଲା ରାଧା, ଘରେ ବିସ୍କୁଟ୍‌ ବ୍ୟତୀତ ଆଉ କିଛି ନାହିଁ, ଆପଣ ଆସିବେ ବୋଲି ତ ଜାଣି ନ ଥିଲି । ବିସ୍କୁଟ୍‌ ପ୍ଳେଟଟା ଆଗେଇ ଦେଇ ଚା’ରେ ଚିନି ମିଶାଇ କପ୍‌ଟା ସତ୍ୟଜିତ୍‌ ହାତକୁ ବଢ଼ାଇଦେଲା ରାଧା ।

 

ବିସ୍କୁଟ୍‍ରୁ ଟୁକୁରାଏ ଚୋବେଇ ଚା’ରେ ଚୁମୁକ ଦେଇ କହିଲା ସତ୍ୟଜିତ୍‌, ମୁଁ ଇମିତି ବିନା ନୋଟିସ୍‍ରେ ଆସିବି...ଯେତେବେଳେ ଇଚ୍ଛା ହେବ...ଯଦି ଅନୁମତି ଦିଅ... ।

 

-ତା’ହେଲେ ଖାଲି ବିସ୍କୁଟ୍‍ ଖାଇବ...ହସିଦେଇ ଟିପ୍‌ପଣୀ କାଟିଲା ରାଧା ।

 

-ସେଇ ଭଲ । ଶ୍ରୀକୃଷ୍ଣ ତ ସୁଦାମାର ଖୁଦଭଜା ମୁଠାକ ପାଇଁ ଅପେକ୍ଷା କରୁଥିଲେ... ।

 

-ଶାସ୍ତ୍ର ପୁରାଣ ମୁଖସ୍ଥ ଯେ... ।

 

-ମୁଁ ବି ତୁମପରି କିଛି କାମ ହାତକୁ ନେଇଛି ଯେ କହିବାରେ ଆପତ୍ତି ନ ଥିଲେ...

 

-ନା, ନା ଆପତ୍ତି ନାହିଁ । ମୋର ପ୍ରଫେସନ ଓକିଲାତି...କିନ୍ତୁ ହବି ସମାଜସେବା...ଅନ୍ୟାୟ ଓ ଅବିଚାର ସହ୍ୟକରି ପାରେନି ବୋଲି ଟାଣି ହୋଇଯାଏ ବିଭିନ୍ନ ସ୍ଥାନକୁ...ବେଳେ ବେଳେ ବିପଦରେ ପଡ଼େ ବି ସେଥିପାଇଁ ।

 

-ସଙ୍କଟ ନ ଥିଲେ...ସହଜ ରାସ୍ତାରେ ସଫଳତା ଆସିଲେ ତା’ର ସ୍ୱାଦ ଭିନ୍ନ ରକମର ହୁଏ, ଭଲ ଲାଗେନା... ।

 

-ତମେ ଏତେ ସୁନ୍ଦର କରି କହିପାର...

 

ଚା ଓ ବିସ୍କୁଟ୍‍ ଖାଇସାରି ସେଦିନ ପାଇଁ ଉଠିବା ପୂର୍ବରୁ କହିଲା ସତ୍ୟଜିତ୍‌, ଉଠିବି ଏବେ...ପୁଣି ଦେଖାହେବ... ।

 

-ହଁ ନିଶ୍ଚୟ ଦେଖାହେବ...ସମୟ ପାଇଲେ ଚାଲିଆସିବ ।

 

ସ୍କୁଟର ପାଖରେ ପହଞ୍ଚି ଷ୍ଟାର୍ଟ କରିବା ପୂର୍ବରୁ କହିଲା ସତ୍ୟଜିତ୍‌...ମୁଁ ତୁମର ଅତୀତ ଜାଣିବାକୁ ଚାହେନି...ଜାଣିବାର ଆବଶ୍ୟକତା ମଧ୍ୟ ନାହିଁ; କିନ୍ତୁ ଯଦି ଅନୁମତି ଦିଅ କହିବି...

 

-କୁହ ।

 

-ବନ୍ଧୁ ହବାରେ ବାଧା ଅଛି ।

 

ରାଧା ନିଷ୍ପଲକ ନୟନରେ ଦଣ୍ଡେ ଚାହିଁଲା ସତ୍ୟଜିତ୍‌ର ମୁହଁକୁ । ସେଇ ମୁହଁ ପୂର୍ବପରି ସରଳ, ସହଜ ଓ ନିର୍ଲିପ୍ତ । ସେ କିନ୍ତୁ କିଛି କହିପାରିଲା ନାହିଁ । ତଣ୍ଟି ପାଖରେ ଅନୁଚ୍ଚାରିତ ଉତ୍ତରଟି ଅଟକିଗଲା ।

 

ସତ୍ୟଜିତ୍‌ ସ୍କୁଟର ଷ୍ଟାର୍ଟ କରି କହିଲା, ବାୟ...

 

-ବାୟ...

 

ସେ ଠିକ୍‌ ଆଗ ମୋଡ଼ ଭାଙ୍ଗିବାବେଳକୁ ଅନୁଭବ କଲା ଯେ ରାଧାର ଘର ପାଖରେ ଦେଖିଥିବା ସେଇ ଅଚିହ୍ନା ଲୋକଟା ତାକୁ ଅନୁସରଣ କରୁଛି ।

 

ସେ ରହିଗଲା ଗୋଟେ ପାନ ଦୋକାନ ଆଗରେ ।

 

ମୋଟର ସାଇକେଲରେ ପଛରୁ ଆସୁଥିବା ସେଇ ଲୋକଟା ବି ରହିଗଲା ହଠାତ୍‌ ।

 

ସତ୍ୟଜିତ୍‌ ପୁଣି ଷ୍ଟାର୍ଟକଲା ।

 

ସେଇ ଲୋକଟା ତାଙ୍କ ପଛେ ପଛେ ଆସୁଥିବାର ଲକ୍ଷ୍ୟକଲା ସତ୍ୟଜିତ୍‌ ।

 

ସତ୍ୟନଗର ବସ୍ତି ଭିତରୁ ବାହାରି ଆସିବା ପୂର୍ବରୁ ସେ ଅଟକିଗଲା, ସେଇ ମୋଟର ସାଇକେଲ ଆରୋହୀ; କିନ୍ତୁ ଆଉ ଅଟକି ନ ଯାଇ ଚାଲିଗଲା ଆଗକୁ... ।

 

ଲୋକଟାକୁ କୋଉଠି ଦେଖିଥିବା ପରି ଲାଗିଲା ତାକୁ; କିନ୍ତୁ ସ୍ଥିର କରି ପାରିଲା ନାହିଁ କୋଉଠି, କେବେ ଦେଖିଥିଲା ।

 

ପୁଣି ସ୍କୁଟର ଷ୍ଟାର୍ଟ କଲାବେଳକୁ ସେଇ ଲୋକଟା ଅଦୃଶ୍ୟ ହୋଇ ଯାଇଥିଲା ଆଖି ଆଗରୁ ।

 

ଭାଗ ଅନୁସାରେ ସିମେଣ୍ଟ ସହିତ ବାଲି ମିଶାଇ ପାଣିରେ ଗୋଳେଇ ଇଟା ସହିତ ଇଟା ଯୋଡ଼ିବା କାମ ରାମା ରାଓର । ସେଇ କାମରେ ତା’ର ପାରଙ୍ଗମପଣିଆ ରାଜଧାନୀର ରାଜମିସ୍ତ୍ରୀ ଓ ଠିକାଦାରମାନଙ୍କର ଆଲୋଚନାର ବିଷୟ । ସେଥିପାଇଁ ଅନେକ ତାକୁ ଇର୍ଷା ବି କରନ୍ତି । ଯିଏ ଘର କରୁ ଆଗେ ଖୋଜେ ରାମା ରାଓକୁ; କିନ୍ତୁ ସେ ତ ସହସ୍ରବାହୁ ନୁହେଁ ଯେ ସବୁ କାମ କରିବାର ଦାୟିତ୍ୱ ନବ । ସେ ସାଧାରଣ ମଣିଷ । ଅନ୍ୟମାନଙ୍କଠାରୁ ତା’ର ପାରିବାପଣିଆ ହୁଏତ ଅଧିକ । ତା’ର କର୍ତ୍ତବ୍ୟ ନିଷ୍ଠା ଅପରିସୀମ । ସେଥିପାଇଁ ଯେଉଁ କାମରେ ସେ ହାତଦିଏ ଯଥାସାଧ୍ୟ ଉଦ୍ୟମକରେ ଉତ୍ତମ ଭାବରେ ତାହା ସମ୍ପୂର୍ଣ୍ଣ କରିବା ପାଇଁ । ସେ କାମକରେ ନିଜର ବୁଦ୍ଧି, ବଳ ଖର୍ଚ୍ଚ କରି, ମଜୁରୀ ନେଇ ସଂସାର ଚଳାଏ; କିନ୍ତୁ ତା’ପରେ ଆଉ ଅଧିକ କିଛି କେବେ ଆଶା କରିନି । ତା’ର ହାତ ବାଜି କୋଠାଗୁଡ଼ା ସୁନ୍ଦର ଦିଶନ୍ତି ବୋଲି କହନ୍ତି ପ୍ରଶଂସକମାନେ । କେହି କେହି କହନ୍ତି ଯେ ବିଶ୍ୱକର୍ମା ସ୍ୱର୍ଗର ନୁହଁନ୍ତି ଏଇ ମର୍ତ୍ତ୍ୟର ଏବଂ ରାମା ରାଓ ରୂପରେ କରଣି ଚଳାନ୍ତି, ଓଳମ ଝୁଲାନ୍ତି, ଗଜ ଦେଖନ୍ତି । ନର ରୂପରେ ନାରାୟଣ ପରି ବିଶ୍ୱକର୍ମା ରୂପରେ ରାମା ରାଓ ।

 

କିନ୍ତୁ ଏଇ କେତେଦିନ ହେବ କାମ ଉପରକୁ ବାଘପରି ଲମ୍ଫ ଦେଉଥିବା ରାମା ରାଓ ଦୁର୍ବଳ ଅନୁଭବ କରୁଛି । ଦେହ ଅସକତ ଲାଗୁଛି । ସେତିପ୍ରତି ତା’ର ନଜର ନାହିଁ । ନିଜ ପ୍ରତି କେବେ ନିଘା କରିନି ସେ । ସୁନ୍ଦରୀର ହାତ ଧରିଲାଦିନୁ ତାକୁ କେନ୍ଦ୍ରକରି ଗଢ଼ିଉଠିଛି ରାମା ରାଓର କଳ୍ପନାଜଳ୍ପନା । ସୁନ୍ଦରୀ ରାତିରେ ତା’ର ଛାତି ଉପରେ ମୁହଁ ରଖି ଯେତେବେଳେ କହେ, ‘‘ଏତେ ବଡ଼ ବଡ଼ କୋଠା ତିଆରି କରୁଛ ତମେ, ଆମ ପାଇଁ, ମୋ କୋଳକୁ ଯିଏ ଆସିବାଲାଗି ଅପେକ୍ଷା କରୁଛି ତା’ପାଇଁ, ଗୋଟେ ଛୋଟ ଘର ତିଆରି କରନ୍ତନି; ସେତେବେଳେ ଉତ୍ତର ଦେଇପାରେନି ରାମା ରାଓ । ତା’ ତୁଣ୍ଡରୁ ଭାଷା ସ୍ଫୁରେ ନାହିଁ । ସୁନ୍ଦରୀକୁ ବାହାହେବା ପୂର୍ବରୁ ସେ କେବେ ସ୍ୱପ୍ନ ଦେଖି ନ ଥିଲା । ଦିନସାରା ମେହନତ କରି ସନ୍ଧ୍ୟାବେଳେ ଘରକୁ ଫେରି ମୁହଁ ହାତ ଧୋଇ ପଖାଳ କଂସାଏ, ଲଙ୍କା, ଲୁଣ ଓ ପିଆଜ ଦେଇ ଖାଇଦେଇ ଶୋଇ ପଡ଼ୁଥିଲା ନିଶ୍ଚିନ୍ତରେ । ସୁନ୍ଦରୀ ତାକୁ ସପନ ଦେଖିବା ଶିଖେଇଲା, ତାହାରି ହାତର ପରଶ, ଦେହର ପୁଲକ ପାଇ ରାମା ରାଓ ଇଚ୍ଛାକଲା ଦୁଇରୁ ତିନି ହେବ; ତା’ପରେ ନୂଆ ପୋଖରୀର ନୂଆ କଇଁ ଫୁଲ ପରି ହସିଉଠିବ ତା’ର ସଂସାର ।

 

ଆଗେ ଯାହା ରୋଜଗାର କରୁଥିଲା ସେଥିରେ ଚଳିଯାଉଥିଲା । ଦିନକୁ ଦିନ ବଜାର ଦର ସହିତ ତା’ର ଆବଶ୍ୟକତା ଯେପରି ବଢ଼ିବାରେ ଲାଗିଛି ତାହା ଆଉ ତୁଲାଇ ପାରୁନି ରାମା ରାଓ । ବାହାଘର ଖର୍ଚ୍ଚ ପାଇଁ ହଜାରେ ଟଙ୍କା ଉଦ୍ଧାର ଆଣିଥିଲା କାବୁଲିଓ୍ୱାଲା ପାଖରୁ । ଖାଲି ସୁଧ ଆଡ଼କୁ ମାସକୁ ଶହେ ଟଙ୍କା ଦବାକୁ ପଡ଼େ । ଘର ଭଡ଼ା ବାବଦକୁ ଶହେ ଟଙ୍କା । ଏହାପରେ ବିଧବା ନିରାଶ୍ରିତା ଭଉଣୀ ପାଖକୁ ପଚିଶ ଟଙ୍କା ପଠାଏ ନିୟମିତ ଭାବରେ । ବାପା, ମା’ ଗତ ହେଲେଣି, ଆଉ ଭାଇ ଭଉଣୀର ଦାୟିତ୍ୱ ନାହିଁ, ନ ହେଲେ ଆହୁରି କିଛି ଦବାକୁ ପଡ଼ନ୍ତା । ତଥାପି ଏତକ ଦେଇସାରିବା ପରେ ଯାହା ହାତରେ ରହେ, ସେଥିରେ ଦୁଇଜଣ ଚଳିବା କଷ୍ଟ । ସୁନ୍ଦରୀକୁ ବାହା ହବାର ଛ ମାସ ହେଲାଣି ତା’ ପାଇଁ କସ୍ତା ଗୋଟେ ଆଣିପାରିନି କି କାଚ କେଇପଟ କିଣିଦେଇ ପାରିନି । ସୁନ୍ଦରୀ ସବୁ ବୁଝେ । ସ୍ୱାମୀର ମୁହଁକୁ ଘଡ଼ିଏ ଅନେଇ ରହି ହସିଦେଇ କହେ ଏତେ ଭାବୁଛ କଅଣ ଯେ...ଋଣ ଶୁଝିଦିଅ...ତା’ପରେ ଭଲ ବେଳ ଆସିବ । ରେଲ୍‍ଲାଇନ କଡ଼ରେ ସରକାରୀ ଜମି ଆମେ ଜବର ଦଖଲ କରି ଆମେ ବି ବଖରାଏ ଘର ତୋଳିବା । ତମକୁ ତ ଆଉ ମଜୁରୀ ଦବାକୁ ପଡ଼ିବ ନାହିଁ । ନିଜ ହାତରେ କାମ କରିବ । ମୁଁ ସାଙ୍ଗ ଦେବି ।

 

ସେଇ ବଖରାଏ ଘର ହୁଏତ ରାମା ରାଓ ତା’ର ଜୀବନକାଳ ମଧ୍ୟରେ କେବେ ହେଲେ କରିପାରିବ ନାହିଁ; ତଥାପି ସେଇକଥା ଭାବିବାକୁ ଭଲଲାଗେ, ସେଇ ବଖରାଏ ଘର ଭିତରେ ସୁନ୍ଦରୀ କିପରି ଶୋଭାପାଇବ ସେ ବିଷୟ ଭାବି ଭାବି ସେ ବିଭୋର ହୋଇଯାଏ । ଆଉ ବେଳେ ବେଳେ ସ୍ୱପ୍ନ ଦେଖେ । ସେଇ ସ୍ୱପ୍ନରେ ପୁଅଟିଏ ଦୌଡ଼ି ଆସେ ତା’ କୋଳକୁ ପଛେ ପଛେ ଝିଅଟିଏ... । ହସରେ ଫାଟି ପଡ଼ନ୍ତି ଭାଇ ଭଉଣୀ ।

 

ରାମା ରାଓ ସେଇ ବଖରାଏ ଘର କେବେ କରିବ ସେ ବିଷୟରେ ଭାବି ପାରୁଥିଲା ନିର୍ମାଣ ହେଉଥିବା ସମ୍ରାଟ ସିନେମାରୁ ।

 

ରାସ୍ତାରେ ଅଚାନକ ଦେଖା ହୋଇଗଲା ପ୍ରସନ୍ନ ସହିତ । ପ୍ରସନ୍ନ ଗଉଡର ଘର ଗଞ୍ଜାମ ଜିଲ୍ଲାର ବାଘଲିଙ୍ଗିରେ । ତା’ ସହିତ ବ୍ରହ୍ମପୁରରେ ପରିଚୟ ହୋଇଥିଲା ରାମା ରାଓର । ଏକା ଜାଗାରେ ଦୁହେଁ କାମ କରୁଥିଲେ ବୋଲି ସେଇ ପରିଚୟରୁ ଗଢ଼ିଉଠିଥିଲା ବନ୍ଧୁତ୍ୱ ।

 

ପାଞ୍ଚ ବରଷ ପରେ ହଠାତ୍‌ ପ୍ରସନ୍ନକୁ ଦେଖି ଆନନ୍ଦରେ କୁରୁଳି ଉଠି ତାକୁ କୁଣ୍ଢେଇ ପକେଇ କହିଲା ରାମୁ, ତୁ କେବେ ଆଇଲୁ, ଦେହପା ଭଲ ଅଛି ତ... ।

 

ପ୍ରସନ୍ନ ମୁହଁ ଶୁଖେଇ କହିଲା, ନା ଭାଇ, ବଡ଼ ବିପଦରେ ପଡ଼ିଛି । ବାପା ମାସେ ହେଲା ଏଇ ବଡ଼ ଡାକ୍ତରଖାନାରେ । ଭଉଣୀ ଘରକୁ ଆସିଥିଲେ, ହଠାତ୍‌ ବେମାର ପଡ଼ିଲେ ଯେ ଭଲ ହେବାକୁ ନାହାନ୍ତି । ରକତ ଦବାକୁ ପଡ଼ିବ । ହାତରେ ପଇସା କାହିଁ ଯେ ରକତ କିଣିବି । ଖୋଜୁଛି କେହି ଯଦି ରାଜି ହୁଏ... ।

 

ରାମା ରାଓ କହିଲା, ଏଇ କଥାକୁ ନାଆ ପେଲିଦେଲି କଲିକତାକୁ... । ମୁଁ ପରା ଅଛି, ମୋ ସ୍ତ୍ରୀ ଅଛି... ।

 

-ତୋ ରକତ ତାଙ୍କ ରକତରେ ମିଶିବ ତ ?

 

-ଡାକ୍ତରଙ୍କୁ ପଚାର...

 

-ହଁ ପଚାରିବି; କିନ୍ତୁ କାମଛାଡ଼ି ଯାଇପାରିବୁ ମୋ ସାଙ୍ଗରେ...?

 

-ଚାଲୁନୁ ଏଇନେ ଯିବା... ।

 

ଆଉ ଘରକୁ ନ ଫେରି ପ୍ରସନ୍ନ ସହିତ ଡାକ୍ତରବାବୁଙ୍କ ପାଖକୁ ଗଲା ରାମା ରାଓ । ତା’ ହାତରୁ ରକ୍ତ ନେଇ ପରୀକ୍ଷା କରି ଡାକ୍ତର କହିଲେ, ତମ ରକ୍ତ ତାଙ୍କ ରକ୍ତ ସମାନ । କାମରେ ଲାଗିବ । କାଲି ସକାଳ ନ’ଅଟାରେ ଆସ ।

 

ସକାଳ ଆଠଟାରେ ଆଉ କାମକୁ ନଯାଇ ପ୍ରସନ୍ନ ସହିତ ଡକ୍ତରଖାନାକୁ ଗଲା ରାମୁ ।

 

ଠିକ୍‌ ନଅଟାରେ ଡାକ୍ତରବାବୁ ପହଞ୍ଚିଲେ । ରାମା ରାଓ ପରି ଅନ୍ୟ ଯୋଉମାନେ ଆସିଥିଲେ ରକ୍ତ ଦବାପାଇଁ ସେମାନଙ୍କୁ ନେଇଗଲେ ଗୋଟିଏ କୋଠରୀ ଭିତରକୁ ।

 

ସେଇଠାରେ ରାମୁକୁ ପଚାରିଲା ଜଣେ, କେତେ ପାଉଛ ଭାଇ ?

 

-ବୁଝି ନ ପାରି କହିଲା ରାମୁ; ବୁଝିପାରିଲିନି... ।

 

-ରକ୍ତ ବିନା ପଇସାରେ କେହି ଦିଏ ? ଯେତେ ଆସିଛନ୍ତି ପ୍ରାୟ ସମସ୍ତେ ଟଙ୍କା ଲୋଭରେ... ।

 

-କିଏ ଟଙ୍କା ଦିଏ ?

 

-ଏଜେଣ୍ଟ...ତା’ର ଡାକ୍ତରଖାନା ସହିତ ସମ୍ପର୍କ ଅଛି ।

 

-କାହିଁକି ଦିଏ, ରକ୍ତ ନେଇ ସେ କଅଣ କରିବ ?

 

-ବ୍ୟବସାୟ, ଏଥିରେ ଅନେକ ଲାଭ । ବୁଲୁଥିବା ବେକାର, ରିକ୍‌ସାବାଲା, ଦିନମଜୁରିଆ ଯାହାର ଟଙ୍କା ଲୋଡ଼ା ତାକୁ ପ୍ରଲୋଭନ ଦେଖାଇ ନେଇଆସେ ଏଜେଣ୍ଟ । ଯୋଉମାନେ ଦୁର୍ବଳ ସେମାନଙ୍କୁ ବଟିକା ଖୁଆଇବା ପରେ ରକ୍ତ ନିଆଯାଏ ।

 

ବିସ୍ମୟବିମୂଢ଼ ରାମା ରାଓ କହିଲା, ଥରେ ରକ୍ତ ଦେଲେ କେତେ ପାଅ ?

 

-ଆଗେ ଦଶଟଙ୍କା ଦଉଥିଲା, ଏବେ ଦର ବଢ଼ି କୋଡ଼ିଏ ଟଙ୍କା ହୋଇଛି । ରକ୍ତ ଦେଇ ସାରିବାପରେ ମାଂସ, ତରକାରି, ଭାତ ।

 

ଯେଉଁ ରୋଗୀ ରକ୍ତ ନିଏ ସେ କେତେ ଦିଏ ?

 

-ବୋତଲ ଶହେ ଟଙ୍କା । ଏଇ ଲାଭର ବଡ଼ ଅଂଶ ଡାକ୍ତର ବାବୁଙ୍କର । ଏଜେଣ୍ଟ ବି ମୋଟା ଟଙ୍କା ପାଏ ।

 

-ମୁଁ କିନ୍ତୁ ମୋ ସାଙ୍ଗର ବାପାଙ୍କ ପାଇଁ ରକ୍ତ ଦବାକୁ ଆସିଛି... । ଢୋକ ଗିଳି କହିଲା ରାମା ରାଓ ।

 

-ତମେ ଭଲ ଲୋକ...ନିହାତି ଭଲ ଲୋକ...କିନ୍ତୁ ମନେରଖ ଯେପରି ନିଜର ଧନ୍ଦା ବାହାରେ କିଛି ଉପାର୍ଜନ ଦରକାର ହୁଏ ରକ୍ତ ଦେଇ ତାହା କରିପାର ।

 

ରାମା ରାଓ ଅବାକ୍‌ ହୋଇ ଶୁଣୁଥିଲା । ଜୀବନ ଧାରଣ କରିବାଲାଗି ଲୋକ ରକ୍ତ ବିକ୍ରୀ କରନ୍ତି ଏହା ପ୍ରଥମେ ଶୁଣିଲା ସେ । ରକ୍ତ ବିକ୍ରୀକରି ବ୍ୟବସାୟ କରାଯାଇ ପାରେ ଏହା ତା’ଠାରୁ ଆହୁରି ଆଶ୍ଚର୍ଯ୍ୟକର ।

 

ଜୀବନକୁ ଯେତିକି ଦେଖେ ସେତିକି ବିସ୍ମୃତ ହୁଏ ରାମା ରାଓ । ସେ ସାମାନ୍ୟ ରାଜମିସ୍ତ୍ରୀ । ତା’ ଜୀବନର ଅଭିଜ୍ଞତା ବା କେତେ ? ତଥାପି ଯାହା ସେ ଦେଖୁଛି, ଯାହା ସେ ଶୁଣୁଛି ତାହା ମଣିଷର ଜୀବନ ସଂଗ୍ରାମର ଅଦ୍ଭୁତ କାହାଣୀ ।

 

ରାମା ରାଓର ପାଳି ପଡ଼ିଲା ପ୍ରାୟ ଘଣ୍ଟାକ ପରେ । ତା’ପରେ ବି ରକ୍ତ ଦବା ଲାଗି ଅପେକ୍ଷା କରୁଥିଲେ ଆହୁରି ପାଞ୍ଚଜଣ । ସେ ଭିତରକୁ ଗଲାବେଳେ କହିଗଲା ସାଙ୍ଗକୁ ଯେ ଯଦି ବି ଆହୁରି ରକ୍ତ ଦରକାର ହୁଏ ସେ ପୁଣି ରକ୍ତଦେବ, ତା’ ଦେହରୁ ରକ୍ତ ସରିଗଲେ, ସୁନ୍ଦରୀ ଦବ; କିନ୍ତୁ ଚିକିତ୍ସାରେ ଯେପରି ଅବହେଳା ନ ହୁଏ । ପାରୁପର୍ଯ୍ୟନ୍ତ ଚେଷ୍ଟା କରିବାକୁ ହେବ ।

 

ରାମା ରାଓ ହସ୍‌ପିଟାଲର ଉଚ୍ଚ ଖଟ ଉପରେ ଶୋଇଲା । ତା’ ହାତରୁ ଥରକୁ ଥର ରକ୍ତ ଟାଣି ଆଉ ଗୋଟିଏ ବୋତଲରେ ଭରିବାକୁ ଲାଗିଲେ ଡାକ୍ତର । ରକ୍ତ ନବାବେଳକୁ ତା’ର ମଥା ଟିକେ ଝିମ୍‌ଝିମ୍‌ କରୁଥାଏ; କିନ୍ତୁ ସେଥିକୁ ପରୁଆ ନ କରି ରାମା ରାଓ ଭାବୁଥାଏ ପ୍ରସନ୍ନର ବାପା କଥା । ନିଜର ବାପା ମା’ଙ୍କୁ ସେ ରକ୍ଷା କରିପାରିଲା ନାହିଁ, ସେମାନଙ୍କର ସ୍ନେହ ଓ ସାନ୍ନିଧ୍ୟ ବେଶିଦିନ-ତା’ ଭାଗ୍ୟରେ ଜୁଟିଲା ନାହିଁ । ଯଦି ସାଙ୍ଗର ବାପାଙ୍କର ବଞ୍ଚିବାରେ ସେ ସାମାନ୍ୟ ମାତ୍ର ସାହାଯ୍ୟ କରିପାରେ ତାହାହିଁ ହେବ ତା’ ଜୀବନର ପ୍ରଥମ ପୁଣ୍ୟ ସଞ୍ଚୟ । ଆଉ ରକ୍ତ ବିନିମୟରେ ସେ ପାଇବ ଏକ ନିର୍ମଳ ବନ୍ଧୁତ୍ୱ, ଜଣେ ବୃଦ୍ଧର ଆଶୀର୍ବାଦ ।

 

ରକ୍ତ ଦେଇସାରି ଟିକେ ବିଶ୍ରାମ କରି ବାହାରକୁ ଆସିବାକ୍ଷଣି ପ୍ରସନ୍ନ ତାକୁ ଆଲିଙ୍ଗନ କରି କହିଲା, ଏ ଋଣ ମୁଁ କେବେ ଶୁଝି ପାରିବିନି ରାମୁ... । ତୁ ପୂର୍ବ ଜନ୍ମରେ ମୋର ଭାଇଥିଲୁ ନିଶ୍ଚୟ... ।

 

ରାମୁ ଟିକେ ହସିଲା କେବଳ, କିଛି କହିଲା ନାହିଁ ।

 

ସେ ହସ୍‍ପିଟାଲରୁ ଫେରି ସେଦିନ ଆଉ କାମକୁ ଗଲା ନାହିଁ । ଅବେଳରେ ଘରକୁ ଫେରି ଆସିବାରୁ ଆଶ୍ଚର୍ଯ୍ୟ ହୋଇ କହିଲା ସୁନ୍ଦରୀ, ଆଜି ଏତେଶୀଘ୍ର ଫେରି ଆସିଲ ଯେ...କାମକୁ ଯାଇନ ?

 

-ନା, ଆଜି ଆଉ ଗଲିନି ସୁନ୍ଦରୀ, ଆଉ ଗୋଟେ ଭଲ କାମ କରିବାକୁ ଯାଇଥିଲି ।

-କଅଣ କହୁନ ?

 

-ପ୍ରସନ୍ନ ମୋର ସାଙ୍ଗ । ବହୁତ ଦିନ ଏକା ସାଙ୍ଗରେ କାମ କରିଥିଲୁ । ତା’ ବାପା ଡାକ୍ତରଖାନାରେ । ତାଙ୍କର ରକ୍ତ ଦରକାର ହେଲା ଯେ, ଯାଇଥିଲି ରକ୍ତ ଦବାପାଇଁ... ।

 

ଜିଭ କାମୁଡ଼ି ପକେଇ କହିଲା ସୁନ୍ଦରୀ...ତମେ ନିଜ ଦେହର ରକ୍ତ ଦେଇ ଆସିଲ...ମୋତେ ମରଣ ହେଉନି ଯାହା... । ମୁଁ କଅଣ କରିବି ଯେ ଏବେ... ।

 

ତାକୁ ସାହସ ଦବା ଲାଗି କହିଲା ରାମୁ ରକ୍ତ ଦେଲେ ମରିଯାଏନି ମ ମଣିଷ, ଆମ ଦେହରେ ଦରକାରଠାରୁ ବେଶି ରକ୍ତ ଅଛି ଲୋ ସୁନ୍ଦରୀ, ମୁଁ ଆଉ ପାଞ୍ଚଥର ରକ୍ତ ଦେଲେ ବି ମରିବିନି...

 

ତା’ ମୁହଁ ଉପରେ ହାତ ରଖି କହିଲା ସେ, ଏଇ ଅଲକ୍ଷଣା କଥାଗୁଡ଼ା କହନି କହୁଛି...ନୋହିଲେ ମୁଣ୍ଡ କୋଡ଼ିଦେବି...

 

ରାମୁ ହସିପକେଇ କହିଲା, ପଖାଳ ଗଣ୍ଡେ ବାଢ଼...ଖାଇଦେଇ ଶୋଇପଡ଼େ ।

 

ସୁନ୍ଦରୀ ଶୁଖୁଆା ପୋଡ଼ି ପିଆଜ, କଞ୍ଚାଲଙ୍କା ଓ ତେଲ ଗୋଳେଇ ପଖାଳ ସହିତ ବାଢ଼ିଦେଲା ।

 

ରାମା ରାଓ ପଖାଳ କଂସାକ ଖାଇସାରି ମୁହଁ ଧୋଇ ତୃପ୍ତିରେ ହାକୁଟି ମାରି ସୁନ୍ଦରୀ ଓଠ ଛୁଇଁ କହିଲା, ଅହିସୁଲକ୍ଷଣୀ ହୋଇଥା...ତୋ’ କାଚ ବଜ୍ର ହେଉ ।

 

ସୁନ୍ଦରୀ ଫିକ୍‌କିନା ହସିଦେଇ କହିଲା ଦିନ ବେଳଟା...ରସିକଗିରି କରନା...ଶୋଇପଡ଼-

 

ରାମୁ କବାଟଟା ଆଉଜାଇ ଦେଇ ନିଜ ଛାତି ଉପରକୁ ସୁନ୍ଦରୀକୁ ଟାଣିନେଇ କହିଲା, ତୁ ପାଖରେ ଥିଲେ ମୁଁ ରାଜମିସ୍ତ୍ରୀ ନୁହେଁ ମହାରାଜା ଲୋ ସୁନ୍ଦରୀ ।

 

ବଡ଼ିଭୋର-ମଧୁ ମାଷ୍ଟରଙ୍କୁ ଘର ଆଗରେ ଦେଖି ଆଶ୍ଚର୍ଯ୍ୟ ହେଲା ରାଧା । ସେ ମୁହଁ ଧୋଇ ତରତର ହୋଇ କବାଟ ଖୋଲି ବାହାରକୁ ଆସି କହିଲା, କଅଣ ହେଲା ମଧୁଭାଇ, ଏଡ଼େ ଉଦ୍‌ବିଗ୍ନ ଜଣାପଡ଼ୁଛ ଯେ...?

 

ମଧୁ କହିଲା ସଂକ୍ଷେପରେ-

 

ରଙ୍ଗା ରାଓର ଦ୍ୱିତୀୟ ଝିଅ ବିଶାଖା ପ୍ରେମକରି ଯୋଉ ଛତରା ଟୋକା ସହିତ ଘରଛାଡ଼ି ପଳେଇଥିଲା, ତାକୁ ଛାଡ଼ି ପୁଣି ବାପ ଘରକୁ ଫେରି ଆସିଛି । ସେଇ ଟୋକା ରବି ଘଡ଼େଇ କୁଆଡ଼େ ମସ୍ତ ମାତାଲ, ଗୁଣ୍ଡା । ତା’ର ସ୍ତ୍ରୀ ଅଛି । ଦୁଇବର୍ଷର ପୁଅ ବି ଗୋଟେ ଅଛି । ବିଶାଖା ସବୁ ଜାଣିଲା ପରେ ରବି ଘଡ଼େଇକୁ କିଛି ନ କହି ଚୁପ୍‌ଚାପ୍‌ ପଳେଇ ଆସିଛି । ତାକୁ ଦେଖି ତ ରଙ୍ଗାରାଓ ଆକାଶ ପାତାଳ କମ୍ପାଉଛି । ବିଶାଖାକୁ ମାରଧର ବି କରିଥିଲା, ହଠାତ୍‌ ରଙ୍ଗା ରାଓର ସ୍ତ୍ରୀ ଯଦି ଆସି ମଧୁକୁ ଖବର ଦେଇ ନ ଥାନ୍ତା ସେ ହୁଏତ ଝିଅକୁ ତଣ୍ଟି ଚିପି ମାରିପକେଇ ଥାଆନ୍ତା-। ମଧୁ ମାଷ୍ଟର ପହଞ୍ଚି ଯାଇ ରଙ୍ଗା ରାଓକୁ ବୁଝେଇ ଶୁଝେଇ କିଛିଟା ଶାନ୍ତ କରିବା ପରେ ବିଶାଖାକୁ ନିଜ ଘରେ ରଖି ଚାଲିଆସିଲେ ରାଧାପାଖକୁ । ଏଭଳି ଏକ ସମ୍ପର୍କରେ ରାଧା ବ୍ୟତୀତ ଆଉ କାହାକୁ ସ୍ମରଣ କରିପାରିଲେ ନାହିଁ ମାଷ୍ଟ୍ରେ ।

 

ରାଧା କହିଲା ମୋତେ କଅଣ କହୁଛ ମଧୁ ଭାଇ ।

 

-ଅନ୍ୟ କିଛି ବ୍ୟବସ୍ଥା କରିବାଯାଏ ବିଶାଖା ତୋ ପାଖରେ ରହୁ ।

 

-ତା’ ବାପା କିଛି ମନେକରିବନି ତ...

 

-ମନେକଲେ ବି କ୍ଷତି ନାହିଁ । ସେ ଝିଅକୁ ଘରେ ରଖିବାକୁ ନାରାଜ; କିନ୍ତୁ ମୋତେ କଥାଦେଇଛି ଯେ, ଯଦି ବିଶାଖା ପାଇଁ କିଛି ଗୋଟେ ବ୍ୟବସ୍ଥା କରାଯାଏ, ସେ ତା’ର ଅନ୍ତରାୟ ହେବ ନାହିଁ; କିନ୍ତୁ ଝିଅକୁ ଦେଖିଲାକ୍ଷଣି ସେ ଯେମିତି ରକ୍ତ ଚାଉଳ ଚୋବାଉଛି ଦେଖିଲେ ତୁ ବି ଡରିଯିବୁ ।

 

-ମୋର ଆପତ୍ତି ନାହିଁ; କିନ୍ତୁ ବିଶାଖା କଥା ମାନି ଚଳିବ ତ ?

 

-ସେ ଦାୟିତ୍ୱ ମୋର । ତାକୁ ମୁଁ ତୋ ଦାୟିତ୍ୱରେ ରଖିଦେଇ ଗଲାବେଳେ ଆଉଥରେ ତୋହରି ଆଗରେ ସାଫ୍‌ ସାଫ୍‌ କହିଦେବି । ତା’ ଭବିଷ୍ୟତ ତା’ ନିଜ ହାତରେ... ।

 

-ସତ; କିନ୍ତୁ ରବି ଘଡ଼େଇ ଇମିତି ଖାଲି ଖସିଯିବ... ।

 

-ରଙ୍ଗାରାଓ ତ ଜଳୁଛି ଯେ, ତାକୁ ପାଇଲେ ଟାଙ୍କେ ଛେଚିବ ବୋଲି...ହୁଏତ ରକ୍ତାରକ୍ତି କିଛି ଗୋଟେ କରି ବସିବ ରାଗରେ; କିନ୍ତୁ ସେଥିରେ ତ ସମସ୍ୟାର ସମାଧାନ ହୋଇଯିବନି... ।

 

-ରବି ଘଡ଼େଇ ବୀର ପରି ଛାତିରେ ହାତ ମାରି ରାସ୍ତାରେ ବୁଲିବ, ଏଥିରେ ବି ସମସ୍ୟାର ସମାଧାନ ହେବନାହିଁ, ବରଂ ବଢ଼ିବ... ।

 

-ତୁ ଠିକ୍‌ କହିଛୁ, କିନ୍ତୁ ଉତ୍ତେଜନା ହ୍ରାସ ନ ପାଇ କିଛି ଗୋଟେ ଯଦି ହୋଇଯାଏ ତା’ ହେଲେ ସର୍ବନାଶ... ।

 

-ଯାହା ହେବାର ହୋଇଗଲାଣି । ରବି ଘଡ଼େଇ ପୁରୁଷ...ତା’ର କିଛି ହେବନାହିଁ...ସମସ୍ତଙ୍କର ଠେଙ୍ଗାପଡ଼ିବ ବିଶାଖା ଉପରେ ।

 

-ସେଥିପାଇଁ ତ ତୋ ପାଖରେ ଏକାନ୍ତରେ ତାକୁ କେତେଦିନ ରଖିବାକୁ ଚାହେଁ...ରଙ୍ଗାରାଓ ବ୍ରାହ୍ମଣ...ରବି ବାଉରୀ...ପୁଣି ଜଣେ ତେଲୁଗୁ ତ ଆଉ ଜଣେ ଓଡ଼ିଆ...ଭିତରେ ଭିତରେ ବିଭେଦର ମନ୍ତ୍ର ଯଦି କେହି କହିଦିଏ ମହାପ୍ରଳୟ ଘଟିଯିବ ସତ୍ୟନଗରରେ । ଅସାମାଜିକ ଲୋକ ଚାହିଁ ବସିଛନ୍ତି ଏହାର ଫାଇଦା ଉଠେଇବା ପାଇଁ । ଆଜି କାଲି ଧର୍ମ ନାମରେ, ଭାଷା ଓ ଜାତି ନାମରେ କିପରି ହିଂସାକାଣ୍ଡ ଘଟୁଛି ଦେଶସାରା ଜାଣୁଥିବୁ । ତୁ କିନ୍ତୁ ସାବଧାନ ରହିବୁ...ବିଶାଖା ତୋ ଘରେ ଅଛି ଏହା ଯେପରି କେହି ନ ଜାଣନ୍ତି... ।

 

-ଏଇ ଛୋଟିଆ ଘରେ ସେ କେତେଦିନ ଲୁଚି ରହିପାରିବ ?

 

-ଯେତେଦିନ ଦରକାର । ଆଉ ଗୋଟେ କଥା, ତୋତେ ବିଶ୍ୱାସ ଏବଂ ଶ୍ରଦ୍ଧା କରନ୍ତି ବସ୍ତିର ବାସିନ୍ଦା । କେହି ସନ୍ଦେହ କରି ତୋ ଘର ଭିତରକୁ ପଶି ଆସିବ ନାହିଁ ଏହା ମୁଁ ନିଃସନ୍ଦେହରେ କହିପାରେ ।

 

-କିନ୍ତୁ ତମକଥା ଆଦୌ ଭାବୁନ ଯେ ।

 

-ମୋ କଥା ତୁ ଭାବୁଛୁ, ଅନ୍ୟ କେହି ବି ହୁଏତ ଭାବୁଥିବ...ନିଜକଥା ଭାବିବାଲାଗି ବେଳ କାହିଁରେ ରାଧା ।

 

-ତମେ ଯେ ବିଶାଖାକୁ କୌଣସିଠାରେ ଆଶ୍ରୟ ଦେଇଛ, ଏହା ଅଜଣା ରହିବ ନାହିଁ । ତମ ବିରୁଦ୍ଧରେ ଯଦି କେହି କିଛି କରିବସେ ।

 

-ସେକଥା ମୁଁ ବୁଝିବି । ମୋର କେହି ଶତ୍ରୁ ନାହାନ୍ତି...ସମସ୍ତେ ଆପଣାର ଯୋଉମାନେ ଜାତି, ଧର୍ମ ନାମରେ ବିଭେଦ ସୃଷ୍ଟି କରିବାକୁ ଚାହାଁନ୍ତି, ମଣିଷ ମଣିଷ ମଧ୍ୟରେ ପାଚେରୀ ଉଠେଇବାକୁ ବଦ୍ଧପରିକର, ସେମାନଙ୍କୁ ମୁଁ ସହଜରେ ବାଟ ଛାଡ଼ି ଦେବିନାହିଁ ରାଧା । ମୋର ସମସ୍ତ ଶକ୍ତି ଦେଇ ସେମାନଙ୍କର ମୁକାବିଲା କରିବି ।

 

ମୁଁ ତୁମ ସହିତ ଏକମତ ମଧୁଭାଇ, ଏଇ ଗୋଟିଏ ମତ...ଏକମାତ୍ର ପଥ । ଦେଶର ସଂହତି ପାଇଁ, ଜାତିର ଐକ୍ୟ ପାଇଁ ଜାତି, ଧର୍ମ, ଭାଷା ଓ ବର୍ଣ୍ଣ ନିର୍ବିଶେଷରେ ସବୁ ମଣିଷ ଏକ ହେବାର ବେଳ ଆସିଛି ।

 

ମଧୁ ମାଷ୍ଟର ଉଜ୍ଜ୍ୱଳି ଉଠିଲେ ରାଧାର କଥାଶୁଣି । ଏକା ଚାଲିବାକୁ ଭୟନାହିଁ ତାଙ୍କର; କିନ୍ତୁ ପରମ ଆଶ୍ୱାସନାର ବିଷୟ ଏହି ଯେ, ସେ ଏକା ନୁହଁନ୍ତି ରାଧା ପରି କିଛି ଲୋକ ତାଙ୍କ ସହିତ ଅଛନ୍ତି ।

ମଧୁ ମାଷ୍ଟର ଶୀଘ୍ର ଫେରିଆସିବେ କହି ଅଦୃଶ୍ୟ ହୋଇଗଲେ ।

ଏଯାଏ ଫରଚା ହୋଇନି ଭଲକରି । କୁହୁଡ଼ି ଯୋଗୁ ରାସ୍ତାଘାଟର ଦୃଶ୍ୟ ଆହୁରି ଅସ୍ପଷ୍ଟ-। ପ୍ରକୃତିର ଉଦ୍ଦେଶ୍ୟ ବି ମହତ୍‌; ନଚେତ ଏପରି ସଙ୍କଟ ସମୟରେ ବିଶାଖାର ସହାୟତା କରିବାପାଇଁ ଅନ୍ଧାର ରହିଥାଆନ୍ତା କାହିଁକି ?

ରାଧା ବିଛଣାପତ୍ର ସଜାଡ଼ି ନେଇ ରୋଷଘରକୁ ଲାଗିଥିବା ଛୋଟ ଭଣ୍ଡାର ଘରଟା ଖାଲି କରିଦେଲା ବିଶାଖା ପାଇଁ । ଭଣ୍ଡାର ଘରଟା ତା’ କୋଠରିର ପଛରେ, ବାହାରୁ କେହି ହଠାତ୍‌ ପଶି ଆସିଲେ ବି ବିଶାଖା ତା’ ନଜରରେ ପଡ଼ିବ ନାହିଁ ।

ମଧୁ ମାଷ୍ଟର ଆସିବାବେଳକୁ ଅପେକ୍ଷା ନ କରି ଷ୍ଟୋଭ୍‌ ଜାଳି କେଟ୍‌ଲିରେ ପାଣି ନେଇ ବସାଇଦେଲା ରାଧା । ରାତିସାରା ଶୋଇ ନ ଥିବେ, ମୁହଁର ପ୍ରସନ୍ନତା ଉପରେ ମହଳତା ପଡ଼ିଯାଇଛି । ପରକୁ ଆପଣାର କରିବା ପାଇଁ ପଣ କରିଥିବା ଏଇ ସାଢ଼େ ପାଞ୍ଚଫୁଟର ମଣିଷ ଜଣକ ନିଜକୁ କିପରି ତିଳ ତିଳ ବିସର୍ଜନ ଦିଏ ତାହା ପ୍ରିତଦିନ ପ୍ରତ୍ୟକ୍ଷ କରେ ରାଧା ।

ଆଉ ସେ ଯେତିକି ଭାବେ ମଧୁ ମାଷ୍ଟରଙ୍କ କଥା ସେତିକି ଆଲୋଡ଼ିତ ହୁଏ ଅନ୍ତର ଭିତରେ ।

ତା’ର ଯେପରି କେହି ନାହିଁ, ଏ ବିଶ୍ୱବ୍ରହ୍ମାଣ୍ଡରେ ସେ ସମସ୍ତଙ୍କ ପାଇଁ ବଞ୍ଚିଥିଲେ ବି ତାଙ୍କ ପାଇଁ କେହି ବଞ୍ଚୁନି...ଆହା ! ସେ କିଛି କରିପାରନ୍ତା କି ତାଙ୍କୁ ଖୁସି କରିବା ଲାଗି, ସୁଖୀ କରିବାଲାଗି !

 

ତା’ ମନରକଥା ମନରୁ ସରିବାଆଗରୁ ଚାଦରଦ୍ୱାରା ଆବୃତ ବିଶାଖାକୁ ନେଇ ପହଞ୍ଚିଗଲେ ମଧୁ ମାଷ୍ଟର ।

 

ତାକୁ ନିର୍ଦ୍ଦିଷ୍ଟ ସ୍ଥାନ ଦେଖାଇଦେଇ କହିଲା ରାଧା, ମଧୁ ଭାଇଙ୍କର ଅମର୍ଯ୍ୟାଦା ଯେପରି ନ ହୁଏ ବିଶାଖା ।

 

ସେ ସକସକ ହୋଇ କାନ୍ଦିଉଠି କହିଲା, ମୋ ପାପର ପ୍ରାୟଶ୍ଚିତ ମୁଁ ନିଜେ କରିବି; କିନ୍ତୁ ମାଷ୍ଟରଙ୍କୁ ଯେଉଁ କଥା ଦେଇଛି ସେଥିରୁ ତିଳେ ହେଲେ ଟଳିବି ନାହିଁ ଦିଦି... ।

 

ମଧୁ ମାଷ୍ଟର କହିଲେ, ଆଜିଠାରୁ ରାଧା ତୋର ଗାର୍ଡିଅନ...ସେଇ ତୋର ସାହା ଭରସା ।

 

ବିଶାଖା ସକସକ ହୋଇ କାନ୍ଦୁଥାଏ ମୁହଁରୁ କଥା ବାହାରୁ ନ ଥାଏ । ମଧୁ ମାଷ୍ଟର ଯିବା ଆଗରୁ କହିଲେ, ତୋ’ ଉପରେ ବିଶାଖାର ଦାୟିତ୍ୱ ଦେଇ ମୁଁ ନିଶ୍ଚିନ୍ତ ମନେକରୁଛି ରାଧା । କିଏ ଜାଣେ କେତେଦିନ ଲାଗିବ ତାକୁ ଥଇଥାନ କରିବା ପାଇଁ ।

 

ମଧୁ ମାଷ୍ଟର ଚାଲିଗଲା ପରେ ରାଧା ବିଶାଖା ପାଖରେ ବସିଲା ଯାଇ ।

 

ସେ କହିଲା, ମୁଁ ତୋର ବଡ଼ ଭଉଣୀ ପରି । ମୋତେ ନ ଲୁଚେଇ ସବୁ କହିଯା, ଦୁଃଖ କହିସାରିଲେ ତୋ ମନ ବି ହାଲୁକା ହେବ ।

 

ବିଶାଖା ଗୋଟି ଗୋଟି କରି କହିଗଲା ସବୁକଥା । ରାଧା ଆଶ୍ଚର୍ଯ୍ୟ ହେଲାନାହିଁ । ଏମିତି ହୁଏ-ପ୍ରେମ ନାମରେ ଯେଉଁଠି କାମନାର ଅଗ୍ନି ଜଳେ ସେଠାରେ ଦଗ୍‌ଧ ହେବାହିଁ ସାର ହୁଏ-। ସେଇ କାମନାର ନିଆଁରେ ପୋଡ଼ିହୋଇଛି ବିଶାଖା, ତାକୁ ତ ସହିବାକୁ ହେବ ଏହାର ଜ୍ୱାଳା ଓ ଯନ୍ତ୍ରଣା ।

 

ଆତ୍ମୀୟତାହିଁ ନିକଟତର କରେ ଦୁଇଟି ମଣିଷକୁ । ସେଇ ଆତ୍ମୀୟତା, ପରସ୍ପର ପ୍ରତି ଆକର୍ଷଣ ଦିନକରେ ସୃଷ୍ଟି ହୁଏନାହିଁ, ସମୟଲାଗେ ସେଥିପାଇଁ । ରାଧା କହିଲା, ନାରୀର ଜୀବନ ଦୁର୍ଭୋଗର ଜୀବନ ବିଶାଖା । ତୋର ବୟସ ବା କେତେ ? କିନ୍ତୁ ଏଇ ବୟସରେ ତୁ ଯାହା ଭୋଗୁଛୁ, ଯେପରି ପ୍ରତାରିତା ହୋଇଛୁ, ସେଭଳି ଅନେକ ସ୍ତ୍ରୀ ଲୋକଙ୍କ ଭାଗ୍ୟରେ ଘଟୁଛି; କିନ୍ତୁ ଖାଲି ଯନ୍ତ୍ରଣାରେ ଘାରିହେଲେ ତ ଠିଆ ହୋଇପାରିବୁ ନାହିଁ, ଆତ୍ମସମ୍ମାନ ଫେରିଆସିବ ନାହିଁ, ମୁକ୍ତିର ପଥ ଖୋଜିନେବାକୁ ହେବ । ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିବ ଆଗାମୀ ଆହ୍ୱାନର ମୁକାବିଲା କରିବା ପାଇଁ ।

 

ତା’ପରେ ତା’ ହାତକୁ ଦୁଇଟା ବିସ୍କୁଟ୍‍ ଓ ଚା’ କପେ ବଢ଼େଇ ଦେଇ କହିଲା ରାଧା, ଚା’ ପିଇଦେ...

 

ବିଶାଖା ଚା’ ପିଇସାରି କହିଲା, ଗୋଟେ କଥା କହିବି ନାନୀ...

 

-କହ

 

-ମୁଁ ଏମିତି ଠକିଯିବି ବୋଲି ଜାଣି ନ ଥିଲି... ।

 

-ଅନେକ ସେପରି ଠକନ୍ତି ବିଶାଖା...ତୁ ଏକା ନୋହୁଁ

 

-କିନ୍ତୁ ମୋ ଭିତରେ ...ଆଉ କହି ନ ପାରି ପୁଣି କାନ୍ଦିବାକୁ ଲାଗିଲା ବିଶାଖା

 

ଯାହା ଅନୁମାନ କରିଥିଲା ତାହା ସତ ହେବାକୁ ଯାଉଥିବାର ଦେଖି ରାଧା କହିଲା, ତୋ ଭିତରେ ଯିଏ ଅଛି ସେ ଘୃଣ୍ୟ ନୁହେଁ ବିଶାଖା, ଯାହାଦ୍ୱାରା ଏକାର୍ଯ୍ୟ ହେଲା ସେ କିନ୍ତୁ ଘୃଣ୍ୟ... ।

 

ବିଶାଖା କୋହ ସମ୍ଭାଳି ନ ପାରି କାନ୍ଦି ଚାଲିଲା ତୁହାକୁ ତୁହା, ଶ୍ରାବଣର ବର୍ଷାପରି ।

 

ବିଶାଖାର ମଥା ଉପରେ ହାତ ବୁଲାଇଆଣି କହିଲା ରାଧା, ସ୍ତ୍ରୀ ଜୀବନସାରା କାନ୍ଦିବାଲାଗି ଜନ୍ମ ହୋଇନି । ତା’ ଭିତରେ ଚେତନାର ଉତ୍ତରଣ ଘଟିଲେ ସେ ଜଳି ଉଠିବ ଅଗ୍ନିପରି । ସେଇ ଅଗ୍ନିରେ ସବୁ ପାପ, ସବୁ ସ୍ଖଳନ, ସବୁ ଅବିଚାର ପୋଡ଼ି ପାଉଁଶ ହୋଇଯିବ ।

 

ନିଜର ଛାଡ଼ି ଆସିଥିବା ଅତୀତ ମନେପଡ଼ିଲା ରାଧାର । ତା’ର ଅନ୍ତରାତ୍ମା ଶିହରି ଉଠିଲା ଏକ ନୂତନ ସଂକଳ୍ପରେ । ନାରୀ ଅବଳା ନୁହେଁ କି ଦୁର୍ବଳା ନୁହେଁ, ତା’ ଭିତରେ ଲୁକ୍‌କାୟିତ ଶକ୍ତିର ସନ୍ଧାନ ସେ ଯେଉଁଦିନ ପାଇବ, ଯେଉଁଦିନ ସେ ନିଜର ଚେତନାରେ ସମ୍ଭୋଗର ମାଧ୍ୟମ ନ ହୋଇ ଶ୍ରୀ ଓ ଐଶ୍ୱର୍ଯ୍ୟର ମାଧ୍ୟମ ହେବ, ସେହିଦିନ ତା’ ଉପରେ ପୁରୁଷର ଏକାଧିପତ୍ୟ, ଅବିଚାର ଓ ଉତ୍ପୀଡ଼ନ ସବୁ ଶେଷ ହୋଇଯିବ । ସେଦିନ ଧରିତ୍ରୀର ଘରେ ଘରେ ଆବିର୍ଭୁତା ହେବେ ଶକ୍ତିସ୍ୱରୂପିଣୀ ଦୁର୍ଗା ।

 

ରାଧାର ପ୍ରାଣତନ୍ତ୍ରୀ ଏକ ଅପୂର୍ବ ପୁଲକରେ ଶିହରଣ ହେବାକୁ ଲାଗିଲା । ସେ ନିଜ ଆଗରେ ସମ୍ଭାବନାର ସୁଷମା ଦେଖି ମୁଗ୍‌ଧ ମୋହିତ ହୋଇଗଲା ।

 

ଦ୍ୱାର ମୁହଁରେ କାହାର ସ୍ୱର ଶୁଣି ସେ ଚାଲିଗଲା ବାହାରକୁ ।

 

ଆଗନ୍ତୁକ କହିଲା, ଆପଣ ଏଠାରେ ରହିବାର ବରଷେ ହୋଇଗଲାଣି; କିନ୍ତୁ ଆପଣଙ୍କର ଉପସ୍ଥିତିର ସୁଯୋଗ ନେଇପାରିନି ସତ୍ୟନଗର । ଆଜି ଅପରାହ୍ନ ଦୁଇଟା ସମୟରେ ଇନ୍ଦିରା ବାଳିକା ବିଦ୍ୟାଳୟରେ ମହିଳାମାନଙ୍କର ଗୋଟିଏ ସଭା ହେବ । ସେମାନେ କିପରି ସମାଜରେ ସ୍ୱାଭିମାନର ସହିତ ରହିପାରିବେ ସେ ବିଷୟରେ ଆଲୋଚନା କରି ଉପାୟ ନିର୍ଦ୍ଧାରଣ କରିବା ଉଦ୍ୟୋକ୍ତମାନଙ୍କର ଉଦ୍ଦେଶ୍ୟ ।

 

ରାଧା ରାଜିହେଲା ଉକ୍ତ ସଭାରେ ଯୋଗଦେବାପାଇଁ । ବସି ରହିବାର ବେଳ ଚାଲିଯାଇଛି, ଏବେ ଉଠିବାର ବେଳ । ସ୍ୱାମୀ ବିବେକାନନ୍ଦଙ୍କର ବାଣୀ ଉଦ୍ଧାର କରି କହିବାକୁ ଇଚ୍ଛା ହେଉଥିଲା ରାଧାର, ଉତ୍ତିଷ୍ଠିତ ଜାଗ୍ରତ ପ୍ରାପ୍ତ ।

 

ଆଗନ୍ତୁକ ଚାଲିଗଲା ।

 

ରାଧା ଘରକାମରେ ଲାଗିଗଲା । ସକାଳଟା ବିଶାଖାକୁ ନେଇ ବ୍ୟସ୍ତ ରହିବାରୁ ପ୍ରାୟ ସବୁକାମ ବାକି ପଡ଼ିଛି । ଘର ପରିଷ୍କାର କରି ଲୁଗାପଟା ଧୋଇ ସ୍ନାନ ଶେଷକରି ସେ ପ୍ରାର୍ଥନାରେ ବସିଲା । ମାଆଙ୍କୁ ସେ କେବେ କିଛି ମାଗିନାହିଁ, ଆଜି କିନ୍ତୁ ସେ ତାଙ୍କୁ ଗୁହାରି ଜଣାଇଲା-ଅନ୍ୟାୟ, ଅବିଚାର ବିରୁଦ୍ଧରେ ଲଢ଼ିବା ପାଇଁ ଶକ୍ତିଦିଅ ମା’, ମନ ଓ ପ୍ରାଣକୁ ଶୁଦ୍ଧ, ପବିତ୍ର କର ।

 

ବର୍ଷାଦିନର ସବୁ ସମସ୍ୟାଗୁଡ଼ାକ ଏକାବେଳେ ଦେଖାଗଲା । ବର୍ଷା ପାଣିର ନିଷ୍କାସନ ପାଇଁ ବିଧିବଦ୍ଧ ବ୍ୟବସ୍ଥା ନ ଥିବାରୁ ଏବଂ ଯେଉଁ ଗୋଟେ ଦୁଇଟା ନାଳ ଅଛି, ତାହା ଆବର୍ଜନାରେ ପୂର୍ଣ୍ଣ ହୋଇଥିବାରୁ ବର୍ଷାପାଣି ବହିଯିବାର ବାଟ ନାହିଁ । ଲଗାଣ ବର୍ଷା ଫଳରେ ଅବସ୍ଥା ଆହୁରି ଗୁରୁତର ହୋଇଛି । ସର୍ବସାଧାରଣଙ୍କ ବ୍ୟବହାର ଲାଗି ଅଳ୍ପ ହେଲେ ମଧ୍ୟ ଯେଉଁ ପାଇଖାନା ରହିଛି ତାହା ନିୟମିତ ପରିଷ୍କାର ହୁଏ ନାହିଁ । କେତେଗୁଡ଼ିଏ ପାଇଖାନାର ମୁହଁ ପର୍ଯ୍ୟନ୍ତ ମଳ ପୂର୍ଣ୍ଣ ହୋଇଥିବାରୁ ଏବଂ ପରିଷ୍କାର ହେଉ ନ ଥିବାରୁ ଆଉ ବ୍ୟବହାର କରାଯାଉନାହିଁ । ପାଇଖାନାର ପଛପାଖର ନାଳରେ ପାଣି ଜମି ବାହାର ଓ ଭିତରର ଅପରିଷ୍କାର ପାଣି ଏକାକାର ହୋଇ ବସ୍ତି ଭିତରକୁ ପଶିଯାଇଛି । ଫଳରେ ଏକ ଅସ୍ୱଭାବିକ ପରିସ୍ଥିତି ସୃଷ୍ଟି ହୋଇଛି । ଏତେ ବଡ଼ ବସ୍ତିରେ ପିଇବା ପାଇଁ ମାତ୍ର ଦୁଇଟି ଟିଉବଓ୍ୱେଲ ଓ ପାଞ୍ଚଟି ଟ୍ୟାପ । ପାଞ୍ଚଟି ଟ୍ୟାପରୁ ତିନୋଟି ବହୁଦିନ ହେଲା ଅକାମୀ ହୋଇଯାଇଥିବାରୁ ଏବଂ ଚାରୋଟି ଟିଉବଓ୍ୱେଲରୁ ଦୁଇଟି ଅଚଳ ହୋଇପଡ଼ିଥିବାରୁ ପିଇବା ଓ ରନ୍ଧାବଢ଼ା କରିବା ପାଇଁ ପାନୀୟ ଜଳର ଘୋର ଅଭାବ, ଅନ୍ତତଃ ପ୍ରାୟ ଚାରି ପାଞ୍ଚ ହଜାର ଲୋକ ଏକ ପ୍ରକାର ଦୟନୀୟ ଅବସ୍ଥାରେ ରହିବା ଛଡ଼ା ଅନ୍ୟଗତି ନାହିଁ-। ମଇଳା ପାଣିରେ ଭାସୁଥିବା ବସ୍ତିର ନଳକୂପ ବା ପାଣିକଳର ନଳରେ ଯେ ଛିଦ୍ର ନ ଥିବ କିଏ କହିବ । ଏପରି ଅବସ୍ଥାରେ ପେଟରୋଗର ପ୍ରାଦୁର୍ଭାବ ହୁଏ ପ୍ରବଳ ।

 

ମଧୁ ମାଷ୍ଟର ସତ୍ୟନଗର ବସ୍ତିର ଅଞ୍ଚଳର ସର୍ବେକ୍ଷଣ ଶେଷକରି ସିଧା ଚାଲିଲେ ମନ୍ତ୍ରୀଙ୍କ ପାଖକୁ । ତଳସ୍ତରର କର୍ମଚାରୀମାନଙ୍କୁ କହି କହି ଥକିଗଲେଣି ସେ, ପ୍ରତିକାର ହେଉ ନାହିଁ, ପ୍ରତିଷେଧକ ବ୍ୟବସ୍ଥାର ମଧ୍ୟ ଚିନ୍ତା କରାଯାଉ ନାହିଁ । ଯଦି ହଇଜା ଆରମ୍ଭ ହୋଇଯାଏ ତା’ହେଲେ ପୋକ ମାଛିପରି ମରିବେ ଲୋକେ ।

 

ମନ୍ତ୍ରୀ ସବୁଶୁଣି ସହାନୁଭୂତି ପ୍ରଦାନ କଲେ ଏବଂ ମ୍ୟୁନିସିପାଲିଟିର ସ୍ୱାସ୍ଥ୍ୟ ଅଫିସରଙ୍କୁ ତୁରନ୍ତ ବସ୍ତି ଅଞ୍ଚଳ ପରିଦର୍ଶନ କରି ଯାହା ସମ୍ଭବ କରିବାଲାଗି ଆଦେଶ ଦେଲେ ।

 

ମଧୁ ମାଷ୍ଟର ଖୁସିହୋଇ ଫେରିଆସି ବସ୍ତି ବାସିନ୍ଦାମାନଙ୍କୁ ଆଶ୍ୱାସନା ଦେଇ କହିଲେ, ହେଲ୍‌ଥ ଅଫିସର ଆସିବେ ଦଳବଳ ନେଇ, ସ୍ୱୟଂ ମନ୍ତ୍ରୀ ଆଦେଶ ଦେଇଛନ୍ତି ପ୍ରତିକାର କରିବା ପାଇଁ । ତମେ ସମସ୍ତେ ବି ସହଯୋଗ କର । ନିଜ କାମ ଯେତେଦୂର ସମ୍ଭବ ନିଜେ କରିବା ଭଲ । ସରକାରୀ ସାହାଯ୍ୟ ଆସିଲେ ବି ହୁଏତ ଯଥେଷ୍ଟ ହେବ ନାହିଁ ।

 

ଦଳେ ସ୍ୱଚ୍ଛାସେବକଙ୍କୁ ନେଇ ସେ ନିଜେ ବନ୍ଦ ହୋଇଥିବା ନଳଗୁଡ଼ାକର ବାଟ ଫିଟେଇବା ପାଇଁ ଲାଗିଗଲେ କୋଡ଼ି ଗଇଁତି ଧରି । ବହୁଦିନରୁ ଠୁଳ ହୋଇଥିବା ଆବର୍ଜନା ଏତେଶୀଘ୍ର ପରିଷ୍କାର କରି ନାଳଦେଇ ଜଳ ନିଷ୍କାସନ କରିବାର ସୁବିଧା କରିବା ସହଜ ନ ହେଲେ ମଧ୍ୟ ପାଇଖାନା ପଛରେ ଥିବା ନାଳର ଉତ୍ତର ଦିଗଟା ସନ୍ଧ୍ୟାସୁଧା କେତେକ ପରିମାଣରେ ସଫାକରି ଦବାରୁ ଜମିଥିବା ମଇଳା ପାଣି ବିଲଆଡ଼କୁ ବହିବାକୁ ଲାଗିଲା । ବର୍ଷା ପାଣିର ସୁଅରେ କାଗଜ ଡଙ୍ଗା ଭସାଇ ଖେଳୁଥିବା ଲଙ୍ଗଳା ପିଲାଗୁଡ଼ାକୁ ବର୍ଷାରେ ନ ଭିଜି ଘରକୁ ଯିବାଲାଗି କହିଲେ ମଧୁ ମାଷ୍ଟର । କିଏ ଶୁଣୁଛି ତାଙ୍କ କଥା । ବର୍ଷାରେ ଭିଜିବା, ପାଣିସୁଅରେ ଡଙ୍ଗା ଭସେଇବାରେ ଗୋଟେ ଅମୋଘ ଆନନ୍ଦ ଅଛି, ସେଥିରୁ ସେମାନଙ୍କୁ ବଞ୍ଚିତ କରିବା ସହଜ ନୁହେଁ ।

 

ସନ୍ଧ୍ୟାହେଲା, କିନ୍ତୁ ହେଲ୍‌ଥ ଅଫିସର ଆସିଲେ ନାହିଁ । ତାଙ୍କ ଲୋକଙ୍କର ବି ପତ୍ତା ନାହିଁ । କେବଳ ଜଣେ ଜମାଦାର ଦୁଇଜଣ ସଫେଇବାଲା ସହିତ ଆସି କେତେ ସ୍ଥାନରେ ବ୍ଳିଚିଂ ପାଉଡର ପକାଇ ଫେରିଗଲେ ।

 

ସନ୍ଧ୍ୟା ଘନୀଭୂତ ହେଲା ସତ୍ୟନଗର ବସ୍ତି ଭିତରେ । ରାସ୍ତା କଡର ବତୀଖୁଣ୍ଟରେ ଆଲୁଅ; କିନ୍ତୁ ଜଳିଲା ନାହିଁ । ବିଜୁଳି ସରବରାହ କୋଉଠି ବିପର୍ଯ୍ୟସ୍ତ ହୋଇ ଯାଇଥିବାର ଉଡ଼ା ଖବର କାନକୁ ଆସିଛି । କିରୋସିନି ତେଲ ଯେଉଁମାନଙ୍କ ଘରେ ଥିଲା ସେମାନେ ଲଣ୍ଠନ ଲଗାଇଲେ; କିନ୍ତୁ ଯେଉଁମାନଙ୍କ ଘରେ ତେଲ ନ ଥିଲା ସେମାନେ ଅନ୍ଧାରରେ ବସିବା ଛଡ଼ା ଅନ୍ୟଗତି ନ ଥିଲା । ପ୍ରବଳ ବର୍ଷା ଯୋଗୁଁ କୁଆ କୋଇଲି ବି ବସାରୁ ବାହାରି ନାହାନ୍ତି, ଦୋକାନୀ ଦୋକାନ ଖୋଲିବ କିପରି ? ଖଟିଖିଆ ଲୋକମାନେ କାମ କରିବାକୁ ଯାଇପାରି ନାହାନ୍ତି ତିନିଦିନ ହେଲା । ପ୍ରତିଦିନର ରୋଜଗାରଦ୍ୱାରା ପରିବାର ଚଳାଉଥିବା ଲୋକଙ୍କର ଉଦ୍‌ବୃତ୍ତ ନ ଥାଏ କିଛି । ଯାହା ବା ମୁଠେ ଅଧେ ଥିଲା ସରିଗଲାଣି । ଅନେକଙ୍କ ଘରେ ଜାଲେଣି ମଧ୍ୟ ନାହିଁ ।

 

ମଧୁ ମାଷ୍ଟରଙ୍କ ସ୍ୱେଚ୍ଛାସେବକ ଦଳ କାମରେ ଲାଗିରହିଲେ । ନିଜ ହାତରୁ କିଛି ଟଙ୍କା ଦେଇ ଚୁଡ଼ା ଓ ଗୁଡ଼ ହାଟ ବଜାରରୁ ସଂଗ୍ରହ କଲେ ସେମାନେ । ଯାହା ଘରେ ଆହାର ନାହିଁ ସେମାନଙ୍କ ମଧ୍ୟରେ ଚୁଡ଼ା ଗୁଡ଼ ବାଣ୍ଟି ଦେଲାବେଳେ ସମସ୍ତଙ୍କୁ ସାବଧାନ କରାଇ କହିଲେ ମଧୁ ମାଷ୍ଟର, ମଇଳାପାଣି ପିଇବ ନାହିଁ । ପିଇବା ଆଗରୁ ପାଣି ଫୁଟେଇ ପିଇବ, ପେଟ ବେମାର ଖବର ପାଇଲେ ମୋତେ ଅଧରାତିରେ ବି ଖବର ଦବାକୁ ଯେପରି ଭୁଲି ନ ଯାଅ ।

 

ସାଧୁ କାଣ୍ଡିର ପୁଅ ଜ୍ୱରରେ ଶୋଇଛି ତିନିଦିନ ହେଲା । ଡାକ୍ତରଙ୍କ ପାଖକୁ ଯାଇପାରୁନି ସାଧୁ, ପ୍ରତିଦିନ କାମରୁ ଫେରିବା ବେଳକୁ ରାତିହୁଏ । ଆଜି କିନ୍ତୁ ପୁଅର ଅବସ୍ଥା ଖରାପ ଆଡ଼କୁ ଗତିକରିବାରୁ ତା’ସ୍ତ୍ରୀ ହେମ ପୁଅକୁ ଛାଡ଼ି ମୁହୂର୍ତ୍ତେ ଉଠିପାରୁନି ପାଖରୁ । ଦେହରେ ତାତି, ଖଇଫୁଟିବା ଭଳି । କଫ ବସି ସେଁ ସେଁ ହେଉଛି ପିଲାଟା । ମଝିରେ ମଝିରେ ନିଃଶ୍ୱାସ ଅଟକିଗଲେ ହାଲୁକା ଶୁଖିଯାଏ ହେମର । ସେ ମୁଣ୍ଡ କୋଡ଼ି ମା’ ମଙ୍ଗଳାଙ୍କୁ ଡାକେ, ଭୋଗ ଯାଚେ-

 

ଆଜି ସ୍ତ୍ରୀର ଅନୁମୟ ବିନୟ ଏଡ଼ିଦେଇ ନ ପାରି ଓ ପୁଅର ଅବସ୍ଥା ଭଲ ନୁହେଁ ଅନୁମାନ କରି ଆଉ କାମକୁ ଗଲାନି ସାଧୁ । ଦିନକୁ ରୋଜଗାର ଦଶ ବାଆର ଟଙ୍କା ମାରାଗଲା । ପାଖରେ ଯାହାଥିଲା ବାର୍ଲି ଓ ଅମୃତାଞ୍ଜନ କିଣିବାରେ ସରିଯାଇଛି । ପ୍ରତିଦିନର ରୋଜଗାର ସେଦିନକୁ ନିଅଣ୍ଟ-ହାତରେ ବଳକା ରହେନି ପ୍ରାୟ । ଘର ଆଗରେ ମଇଳା ପାଣିରେ ପୋକ ସଲସଲ ହେଉଥିବାର ଦେଖି ବି ନିରୁପାୟ ସମସ୍ତେ । ମଶା ଡାଆଁଶଙ୍କର ଉତ୍ପାତ ତ ଅସ୍ଥିର କଲାଣି ସମସ୍ତଙ୍କୁ । ଚାରିଆଡ଼େ ପାଣି ଜମିଥିବାରୁ ସମସ୍ତଙ୍କ ଘର ଚଟାଣ ଓ କାନ୍ଥ ସନ୍ତସନ୍ତିଆ । ମସିଣା ବା ଦଉଡ଼ିଆ ଖଟ ପାରି ଶୋଇଲେ ବି ହେମାଳିଆ ଲାଗେ ଦେହକୁ । ପୁଣି ତା’ ଉପରେ ସାହିର ଛୁଆଗୁଡ଼ା ଝାଡ଼ା ଫେରନ୍ତି ରାସ୍ତା କଡ଼ରେ । ସେଇ ମଳ ମଇଳା ପାଣି ସହିତ ମିଶି ଅନେକଙ୍କ ଘର ଭିତରକୁ ପଶିଯିବାରୁ ଅବସ୍ଥା ହୋଇଉଠିଛି ଆହୁରି ଗୁରୁତର । କିନ୍ତୁ ସତ୍ୟନଗର ବସ୍ତି ବାସିନ୍ଦାଙ୍କର ଦେହସୁହା ହୋଇଗଲାଣି ସବୁ । ଲଢ଼ୁଲଢ଼ୁ ଜୀବନ କେତେବେଳେ ବାଟ ଛାଡ଼ିଦେବ ମରଣକୁ କିଏ କହିବ ?

 

ସାଧୁର ସଙ୍କଟ ସମୟରେ ସହାୟ ହେବାଲାଗି ଆସି ପହଁଞ୍ଚିଗଲା ଅରକ୍ଷିତ ମୁଦୁଲି । ଚାଳିଶ ବର୍ଷର ଶକ୍ତି ସମର୍ଥ ପୁରୁଷ । ଜୀବିକାର୍ଜନର ଉପାୟ ଖୋଜି ଖୋଜି ଚାଲିଆସିଛି ରାଜଧାନୀକୁ । ବଢ଼ନ୍ତି ସହରର ରୂପପରି ତା’ର ରୂପ ବି ବଦଳୁଛି, ଚରିତ୍ରର ବି ପରିବର୍ତ୍ତନ ଘଟିଛି ।

 

ଅରକ୍ଷିତ ପାଞ୍ଚ ଟଙ୍କାର ନୋଟ୍‍ଟିଏ ସାଧୁ କାଣ୍ଡି ହାତକୁ ବଢ଼େଇଦେଇ କହିଲା, ଆ ମୋ ସାଙ୍ଗରେ, ଡାକ୍ତର ପାଖରୁ ଔଷଧ ନେଇ ଆସିବା ।

 

ସମୟ ଭଲଥିଲେ ଅରକ୍ଷିତକୁ ମନାକରି ଦେଇଥାଆନ୍ତା ସାଧୁ; କିନ୍ତୁ ଆଜି ଆଉ ମନା କରିପାରିଲା ନାହିଁ । ଆପଦ ବିପଦରେ ଯିଏ ସହାୟ ହୁଏ ସେ କୁଆଡ଼େ ପ୍ରକୃତ ବନ୍ଧୁ ବୋଲି ସେଦିନ କହିଥିଲେ ମାଷ୍ଟର । ଏଇ ଦୁଃସମୟରେ ତା’ପାଖରେ ଅରକ୍ଷିତକୁ ଦେଖି ତାକୁ ସାହାଯ୍ୟ କରିବାଲାଗି ଦେବଦୂତ ଓହ୍ଳେଇ ଆସିଥିବା ପରି ମନେକଲା ସାଧୁ କାଣ୍ଡି ।

 

ସେ ତା’ ସାଙ୍ଗରେ ଡାକ୍ତର ପାଖକୁ ଗଲା । ମଧୁ ମାଷ୍ଟରଙ୍କ ହୋମିଓପାଥିରେ ଯେ ଏପରି ସନ୍ନିପାତକ ଜ୍ୱର ଭଲ ହେବନାହିଁ ଏହା ଭଲ ଭାବରେ ତାକୁ ବୁଝାଇ ଦେଲା ଅରକ୍ଷିତ ।

 

ଡାକ୍ତର ବାବୁ କିନ୍ତୁ ସବୁ ଶୁଣିସାରି ମୁହଁ ଆମ୍ବିଳା କରି କହିଲେ, ମୋର ଫି କୋଡ଼ିଏ ଟଙ୍କା...ଏପରି ପାଗରେ କୂଆ କୋଇଲି ବସାରୁ ବାହାରନ୍ତିନି...ମୁଁ ଯିବି କିପରି ଡବଲ ଫିସ୍‌ ଦବା କଥା, ସେତକ ନ ହେଲା ନାହିଁ...ଯେତିକି ସମସ୍ତେ ଦିଅନ୍ତି ସେତକ ଦବ ତ ?

 

ସାଧୁକାଣ୍ଡିର ତୁଣ୍ଡରୁ ଭାଷା ବାହାରିଲା ନାହିଁ । ସେ କେବଳ ଆଖିରୁ ଲୁହ ଝରେଇ ହାତଯୋଡ଼ି ବସି ରହିଲା ଡାକ୍ତରଙ୍କୁ ଚାହିଁ ।

 

ଅରକ୍ଷିତ ଜାଣେ ଡାକ୍ତରଙ୍କୁ । ତା’ଉପରେ ଭରସା ଅଛି ତାଙ୍କର । ସେଥିପାଇଁ ସେ ଯେତେବେଳେ କହିଲା ଯେ ସାଧୁ କାଣ୍ଡିର ପୁଅକୁ ଯେମିତି ହେଲେ ଭଲ କରି ଦେଲେ ସେ ଋଣ ପରିଶୋଧ କରିବ, ଡାକ୍ତରବାବୁ ନିଜ ଆଲମାରୀ ଖୋଲି ତାଙ୍କୁ ଔଷଧ କମ୍ପାନୀମାନେ ଦେଇଥିବା ମୁଫତ୍ ଔଷଧରୁ ଦୁଇଟା ଶିଶି ବାହାର କରି ସାଧୁ କାଣ୍ଡି ହାତକୁ ବଢ଼େଇ ଦେଇ କହିଲେ, ଏଇ ପାଣି ଔଷଧ ପ୍ରତି ଚାରି ଘଣ୍ଟାରେ ଦୁଇ ଚାମଚ କରି ଦିନକୁ ଛଅ ଥର, ଆଉ ପ୍ରତି ଛଅ ଘଣ୍ଟାରେ ଦିନକୁ ଚାରିଟା କେପ୍‌ସୁଲ...ଚବିଶ ଘଣ୍ଟାପରେ ଖବର ଜାଣିଲେ ମୁଁ ଯିବି ଦରକାର ହେଲେ...ବୋଧହୁଏ ଦରକାର ନ ପଡ଼ିପାରେ ।

 

ଔଷଧ ନେଇ ଘରକୁ ଫେରି ପୁଅକୁ ଔଷଧ ଖୁଆଇ କହିଲା ସାଧୁ, ବୁଝିଲୁ ହେମ...ଅରକ୍ଷିତ ଭାଇ ନ ଥିଲେ ମୁଁ କିଏ ଔଷଧ କିଏ...ତାଙ୍କରି କୃପାରୁ । ସାକ୍ଷାତ୍‍ ଭଗବାନ ପରି ସେ ଆସି ଅସମୟରେ ପହଁଞ୍ଚି ନ ଥିଲେ... ।

 

ହେମ ଦେଖି ସହିପାରେନି ଅରକ୍ଷିତକୁ । ଲୋକଟା ଭଲ ନୁହେଁ, ଦୁଶ୍ଚରିତ୍ର ବୋଲି ଶୁଣୁଛି ସେ । ହାବୁଡ଼ରେ ପଡ଼ିଗଲେ ତା’ର ଜଳୁଥିବା ଆଖି ଦୁଇଟା କବଳରୁ ନିଜକୁ ରକ୍ଷା କରିବା ଲାଗି ଛାତିବେକ ଢାଙ୍କି ଦିଏ ସେ । ସେଇ ଅରକ୍ଷିତ ଆଜି ଅଜାଚିତ ଭାବରେ ଆଗେଇ ଆସିଛି ସାହାଯ୍ୟ କରିବା ପାଇଁ...କୋଉ ମତଲବରେ କିଏ ଜାଣେ, ପୁଅର ମୁହଁକୁ ଚାହିଁ ଆଉ କିଛି ନ କହି ନୀରବରେ ବସିରହିଲା ହେମ...

 

ଟିକେ ପରେ ସାଧୁ କାଣ୍ଡିକୁ ହୀରାଲାଲର ଚା’ ଦୋକାନ ଯାଏ ଡାକିନେଇ କହିଲା ଅରକ୍ଷିତ, ଚା’ ଦୁଇ ଗିଲାସ ଦେ ଭାଇ...ତଣ୍ଟି ଶୁଖିଗଲାଣି...ପାଉଁରୁଟି ଥିଲେ ଗୋଟେ ଦେ...ସାଧୁ ସକାଳରୁ କିଛି ଖାଇନି ଏଯାଏ... ।

 

ପାଉଁରୁଟିରୁ ପୁଳାଏ ଚୋବେଇ ଚା’ରୁ ଚଳୁଏ ଖାଇ ସାଷ୍ଟାଙ୍ଗ ଅନୁଭବ କଲା ସାଧୁ କାଣ୍ଡି-

 

ବେଳଉଣ୍ଡି ତା’ କାନ ପାଖରେ ଫିସ ଫିସ କରି କଅଣ କହିଲା ଅରକ୍ଷିତ, ତା’ କଥା ଶୁଣି ମୁହଁ ବିବର୍ଣ୍ଣ ଦିଶିଲା । ସେ ଆଉ ପୁଳାଏ ପାଉଁରୁଟି ଖାଇବାକୁ ଯାଇ ଅଟକିଗଲା ।

 

ତାକୁ କହିଲା ଅରକ୍ଷିତ, ତୁ ଏକା ନୋହୁଁରେ ସାଧୁ, ମୁଁ ବି ଯିବି, ଆହୁରି ଯିବ ଗୁଲୁ ସର୍ଦ୍ଦାର, ନବା ପୁହାଣ, ସଲାମତ୍‌ ଅଲ୍ଲୀ ।

 

ସାଧୁ ମନସ୍ଥିର କରି ନ ପାରି ଧର୍ମ ସଙ୍କଟରେ ପଡ଼ିଯିବାର ଦେଖି କହିଲା ଅରକ୍ଷିତ, ଆମେ କେବଳ ଠିଆ ହେଲେ କାମ ହେବ । ଶଳା ଚୋଖାନି ଘର ଛାଡ଼ୁନି କେତେ ବରଷ ହେଲା...ଏଣେ ସେ ଇଞ୍ଜିନିଅର ବାବୁଙ୍କ ହରକତର ସୀମା ନାହିଁ... ।

 

ସାଧୁ ଡରି ଡରି କହିଲା, ମୋତେ କିନ୍ତୁ ଭଲ ଦିଶୁନି ଭାଇ... ।

 

ଅରକ୍ଷିତ କହିଲା, ମୁଁ ସାଙ୍ଗରେ ଅଛି, ପରୁଆ କଅଣ ? ଆମେ ଠିଆ ହେଲେ ଗୁଲୁ ଯାହା କହିବା କଥା କହିବ...ଆମ ପାଉଣା ଆଗେ ଦେବ ଇଞ୍ଜିନିୟର ବାବୁ... । ଆଜି ଘରଛାଡ଼ି ଯଦି ପଳେଇ ନ ଯାଇଛି ଚୋଖାନି ।

 

ସାଧୁକାଣ୍ଡି ତଥାପି ଦୋ-ଦୋ ପାଞ୍ଚ ହେବାର ଦେଖି କହିଲା ଅରକ୍ଷିତ, ତୋ ପୁଅ କଥା ମନେରଖ ସାଧୁ...ହାତରେ ପଇସା ନ ଥିଲେ ଔଷଧ ପଥି କିଛି କିଣି ପାରିବୁନି...ତୁ କଅଣ ବିନା ଚିକିତ୍ସାରେ ମାରିଦବୁ ଛୁଆଟାକୁ... ?

 

ଏଥର ଅରକ୍ଷିତର କଥା କଲିଜାରେ ବାଜିଲା ସାଧୁର । ସେ କହିଲା, ତମେ କହୁଛ ଯେତେବେଳେ ଯିବି...ଭଲ ମନ୍ଦ ତମ ହାତରେ... ।

 

ଝଡ଼ କମିଗଲେ ବି ବର୍ଷା ହେଉଥାଏ ମଝିରେ ମଝିରେ । ବସ୍ତିର ପାଣି ନିଷ୍କାସିତ ହୋଇ ନ ପାରି ଫୁଲୁଥାଏ ବେଳକୁ ବେଳ । ମଧୁ ବାରିଷ୍ଟରଙ୍କ ସ୍ୱଚ୍ଛାସେବକ ଦଳ ଦିନସାରା କାମକରି କ୍ଳାନ୍ତି; ତଥାପି ତାଙ୍କରି ପ୍ରେରଣା ବଳରେ ଘର ଘର ବୁଲି ନାଳ ପାଣି ଯେପରି ଘର ଭିତରକୁ ନ ପଶେ ସେଥିପାଇଁ ପ୍ରତିଘର ଆଗରେ କାଦୁଅର ବନ୍ଧ ତିଆରି କରି ଯାହା ସମ୍ଭବ କରିବାକୁ ଲାଗିଲେ; କିନ୍ତୁ ରାତିରେ ବିଜୁଳି ସରବରାହ ବନ୍ଦଥିବାରୁ ସେତକ ବି ସହଜରେ ଆଉ ହୋଇପାରିଲା ନାହିଁ ।

 

ଯେଉଁ ସତ୍ୟନଗର ବସ୍ତିରେ ପାଞ୍ଚ ହଜାର ଲୋକ ଶୋଇଗଲେ ବି ସେମାନଙ୍କର ନିଃଶ୍ୱାସ ପ୍ରଶ୍ୱାସ ବଳରେ ଗଛର ପତ୍ର ହଲେ, ଶ୍ମଶାନଆଡ଼ୁ ଏକ ଅଦ୍ଭୁତ ପ୍ରକାର ଶବ୍ଦ ଭାସିଆସେ, ମହାଶ୍ମଶାନର ନୀରବତା ସେଇ ସତ୍ୟନଗରକୁ ଗ୍ରାସ କରି ପକାଇଲା ରାତିରେ ।

 

ବସ୍ତି ମୁଣ୍ଡରେ ନାଳ ସଫା କରିବାରେ ଓ ପାଣି ଯିବାଲାଗି ନୂଆ ସିଆର କାଟିବାରେ ମଧୁ ମାଷ୍ଟରଙ୍କ ଦଳ ସାରାରାତି କଟାଇ ଦେଲେ । ସେଥିପାଇଁ ବୋଧହୁଏ ବଢ଼ିପାଣି ପରି ମାଡ଼ି ଆସୁଥିବା ନାଳ ପାଣି ପଛକୁ ହଟିବାର ଦେଖାଗଲା ବଡ଼ିଭୋର ବେଳକୁ ।

 

ରାତିଶାରା କୋଉଠି ଥିଲା କେଜାଣି ଫରଚା ହେବାବେଳକୁ ଯେତେବେଳେ ସାଧୁ କାଣ୍ଡି ଘରକୁ ଫେରିଆସିଲା ତାକୁ ଦେଖି ଭୂତ ଦେଖିଲାପରି ଚମକି ପଡ଼ିଲା ହେମ । ସେ ହୁଏତ ଚିତ୍‌କାର କରି ଉଠିଥାଆନ୍ତା, କିନ୍ତୁ ତା’ ମୁହଁ ଉପରେ ହାତ ରଖି କହିଲା ସାଧୁ କାଣ୍ଡି, ଚୁପ୍‌...ଚୁପ୍...ହାରାମଜାଦି...

 

ତା’ ପାଟିରୁ ଉତ୍କଟ ନିଶାର ଗନ୍ଧ ବାହାରୁ ଥିବାର ବାରିପାରି ପଛକୁ ହାତେ ପଛେଇ ଯାଇ କହିଲା ହେମ...ଫେର ତମେ ମଦ ପିଇଲ ।

 

ସାଧୁର ଗୋଟିଏ ଲାତରେ କାଟିଲା କଦଳୀ ଗଛପରି ଭୂଇଁ ଉପରେ କଚାଡ଼ି ହୋଇ ପଡ଼ିଗଲା ହେମ ।

 

ଆଉ ସେଇ ଘର ଭିତରେ ପୁଅର ନିଦ ଭାଙ୍ଗିଯାଇଥିଲେ ବି ସେ ସ୍ତ୍ରୀ ଉପରେ ମାଡ଼ି ବସିଲା ବାଘ ଶିକାର ଉପରେ ଝାମ୍ପ ଦବା ପରି... । ପ୍ରତିବାଦରେ ହେମର ଗୋଟେଇ ନେଉଥିବା ଦେହଟାକୁ ରକତଖିଆ ବାଘ ପରି ବିଦାରି ପକାଇଲା ସାଧୁକାଣ୍ଡି ।

 

ପୁଲିସ୍‌ର କୁକୁର ଭୋକି ଭୋକି ଯେତେବେଳେ ଆସି ସାଧୁ କାଣ୍ଡିର କୁଡ଼ିଆ ସାମ୍ନାରେ ଆହୁରି ବେଶି ଭୋକି ଭିତରକୁ ପଶିବାଲାଗି ବନ୍ଦ କବାଟ ଉପରେ ନାତ ମାରିଲା, ସେତେବେଳେ ବିଗୁଲ୍‌ ବାଜି ଉଠିଲା । ସେଇ କୁଡ଼ିଆ ସହିତ ଲେସାଲେସି ହୋଇ ରହିଥିବା କୁଡ଼ିଆ ଚାରିପାଖରେ ଘେରି ଗଲେ ପୁଲିସ୍‌ । ପୁଲିସ୍‌ ଜିପ୍‌ଟା ସେଇ କାଦୁଅ ପାଣି କାଟି ବସ୍ତି ଭିତର ଦେଇ ଆଗେଇ ଆସି ଛିଡ଼ା ହେଲା ଟିକେ ଦୂରରେ । ସେତେବେଳକୁ ନିଦ ଭାଙ୍ଗି ଯାଇଥାଏ ସମସ୍ତଙ୍କର ।

 

ସାଧୁ କାଣ୍ଡିର କୁଡ଼ିଆର କବାଟ ଉପରେ ବୁଟ୍‌ ମାଡ଼ ଦେଇ କହିଲା ଦାରୋଗା...ଖୋଲ୍‌...କବାଟ ଖୋଲ୍‌ ପଳେଇଯିବାର ଚେଷ୍ଟା କଲେ ଏଇ କୁକୁର ହାତରେ ମରିବୁ...

ସେତେବେଳକୁ ବାହାରେ ଠୁଳ ହୋଇଗଲେଣି ବସ୍ତିର ଅନେକ ଲୋକ । କେତେକଙ୍କ ଆଖିରେ କୌତୂହଳ, କେତେକ ବିସ୍ମିତ, ଆଉ କେତେକଙ୍କ ଆଖିରେ ସେଇ ଚିରପରିଚିତ ଭାଷା, ‘ଏମିତି ହେବ ବୋଲି ମୁଁ ଜାଣିଥିଲି’ ।

ସାଧୁ କାଣ୍ଡି ଟାଙ୍କିଏ ମଦ ଖାଇ ନିଶାରେ ଟଳୁଥିଲା ସେତେବେଳେ ।

ତା’ ସ୍ତ୍ରୀ ହେମ କିନ୍ତୁ ପୁଲିସ୍‍ ଦେଖି ଭୋ କିନା କାନ୍ଦିଉଠିଲା, ଆଲୋ ମୋ ବୋଉଲୋ...ମୋ କପାଳ ଫାଟି ଗଲାଲୋ... ।

ପୁଲିସ୍‍ ଦାରୋଗୀ ସାଧୁ କାଣ୍ଡିର ଚୁଟି ଧରି ବାହାରକୁ ଝିଙ୍କିଆଣି କହିଲା, ତୋ ନିଶା ଛଡ଼େଇ ଦେଉଛି ଏଇନେ... ।

ଖବର ପାଇ ସଙ୍ଗେ ସଙ୍ଗେ ପହଞ୍ଚି ଗଲେ ମଧୁ ମାଷ୍ଟର । ବିପଦ ଆପଦରେ ସେ ସାହା ଭରସା ବୋଲି ତାଙ୍କୁ ଡାକି ଆଣିଲା ରାମା ରାଓ ।

ମଧୁ ମାଷ୍ଟର ଦାରୋଗାକୁ କହିଲେ, କଅଣ ହେଲା...ସାଧୁ କାଣ୍ଡି କଅଣ ଅପ୍ରାଧ କଲା-?

ଦାରୋଗା କଟମଟ କରି ଅନେଇଲା ତାଙ୍କ ମୁହଁକୁ । ପୁଲିସ୍‌କୁ ପୁଣି ପ୍ରଶ୍ନ ପଚାରିବାର ଅଧିକାର କିଏ ଦେଲା ତାକୁ । ଆଇନ ଓ ଶୃଙ୍ଖଳା ରକ୍ଷା କରିବା ପୁଲିସ୍‌ର କର୍ତ୍ତବ୍ୟ । ସେଇ କାର୍ଯ୍ୟରେ ବାହାର ଲୋକ ବାଧା ଦେଲେ ସହ୍ୟ କରାଯିବ ନାହିଁ ।

 

ମଧୁ ମାଷ୍ଟର ପୁଣି ପଚାରିଲେ, କଅଣ ସାଧୁ କାଣ୍ଡି ?

 

-ତମେ କିଏ ଏ ପ୍ରଶ୍ନ କରିବା ପାଇଁ ?

 

-ମୁଁ ଜଣେ ନାଗରିକ, ସତ୍ୟନଗରର ଅଧିବାସୀ ।

 

-ତମ ନାଁ କଅଣ, ପେଶା କଅଣ, ଏଠାକୁ ଆସିଛ କାହିଁକି ?

 

-ମୋ ନାମ ମଧୁ ମହାଳିକ । ପେଶା ହୋମିଓପ୍ୟାଥି ଡାକ୍ତରୀ ଓ ମାଷ୍ଟରୀ, ସାଧୁ କାଣ୍ଡିକୁ ମୁଁ ଜାଣେ । ସେଥିପାଇଁ ଜାଣିବାଲାଗି ଇଚ୍ଛା ହେଉଛି ସେ କଅଣ ଅପ୍ରାଧ କରିଛି... ।

 

-ଯୋଉ ବାଟେ ଆସିଥିଲ ସେଇ ବାଟେ ଫେରିଯାଅ...ନ ହେଲେ ତମେ ବି ଗିରଫ ହେବ ।

 

-ଆପଣଙ୍କର ଏତାଦୃଶ ବ୍ୟବହାରରେ ମୁଁ ପ୍ରତିବାଦ କରୁଛି । ଇଏ ରାଜୁଡ଼ା ଗଡ଼ଜାତି ଶାସନ ନୁହେଁ ଯେ ପୁଲିସ୍‌ ଯାହା ଇଚ୍ଛା ତାହା କରିପାରିବ...

 

ଦାରୋଗା ବାବୁ ବେଟେନଟାକୁ ହାତରେ ଧରି ମଧୁ ମାଷ୍ଟରଙ୍କୁ ପାଦରୁ ମଥା ପର୍ଯ୍ୟନ୍ତ ଦେଖିନେଇ କହିଲେ, ଯାଅ ଯାଅ...ମିଛରେ ବକ ବକ କର ନାହିଁ... । ମଧୁ ମାଷ୍ଟର ଗଲେନି; କିନ୍ତୁ ସେ କହିଲେ ମୁଁ ଜାଣିବା ପାଇଁ ଆସିଛି, ବାଧା ଦବା ପାଇଁ ନୁହେଁ... । ଦୟାକରି ଯଦି କହନ୍ତେ ସାଧୁ, କାଣ୍ଡି କାହିଁକି ଗିରଫ ହୋଇଛି ତେବେ ମୁଁ କୃତଜ୍ଞ ହୁଅନ୍ତି-

 

ସାଧୁକାଣ୍ଡିର ପିଠି ଉପରେ ଦୁଇ ବେଟନ ବସେଇ ଦେଇ କହିଲେ ଦାରୋଗା ବାବୁ, ଶଳା ଚାଲ୍‌ ଥାନାକୁ ହାଜତରେ ଭର୍ତ୍ତି ହେଲା ପର ସବୁ କଥା ବାହାରି ପଡ଼ିବ ମୁହଁରୁ... ।

 

ମଧୁ ମାଷ୍ଟର ପ୍ରତିବାଦ କରି କହିଲେ, ଦୋଷ ସାବ୍ୟସ୍ତ ନ ହେବା ଯାଏ ସେ ନିର୍ଦ୍ଦୋଷ...

 

ଗର୍ଜିଉଠି କହିଲେ ଦାରୋଗା ବାବୁ, ୟାକୁ ବି ଥାନାକୁ ନେଇଯାଅ...କେତେ ଆଇନ ଜାଣିଛି ସେଇଠି ପରଖିନବା ।

 

ତା’କୁ ନେଇ ପୁଲିସ୍‍ ଦଳ ଫେରିଗଲାବେଳେ ସାଙ୍ଗରେ ନେଇଗଲେ ମଧୁ ମାଷ୍ଟରଙ୍କୁ । ଭୁବନ, ରାମା ରାଓ ଓ ଆଉ ତିନିଚାରିଜଣ ପାଦରେ ଚାଲିଚାଲି ଆଗେଇଲେ ଥାନାଆଡ଼କୁ । ଠୁଳ ହୋଇଥିବା ଲୋକମାନେ ପରସ୍ପର ମଧ୍ୟରେ ଆଲୋଚନା କରିବାରେ ବ୍ୟସ୍ତ । କିଏ ଜଣେ କହିଲା, ସାଧୁଟାକୁ ଭଲ ଲୋକ ବୋଲି ଜାଣିଥିଲି, ଭିତରେ ଭିତରେ ଖୁନ୍‌ଖରାବ କରେ କିଏ ଜାଣୁଛି... । ପୁଲିସ୍‌ କୁକୁର ଧରିଛି ଯେତେବେଳେ ସାଙ୍ଘାତିକ କିଛି ହୋଇଥିବ... । ଠିକ୍‌ ଯେତିକିବେଳେ ଅରକ୍ଷିତର ବୋକଚାବୁହା ଉସ୍‌ମାନ ଖାଁ ଆସି ଘୋଷଣା କଲା ଯେ କାଲି ରାତି ଶହୀଦ ନଗରର ବ୍ୟବସାୟୀ ହିମ୍ମତଲାଲ ଚୋଖାନୀକୁ କିଏ ହତ୍ୟା କରିଛି । ପୁଲିସ୍‌ ଖାନତଲାସ କରୁଛି ବସ୍ତିରେ । ସାଧୁ କାଣ୍ଡି ସେଇ ଖୁନ୍‌ ସହିତ ଜଡ଼ିତ ହୋଇ ଯାଇନାହିଁତ-?

 

କିଏ ପ୍ରଶ୍ନର ଉତ୍ତର ଦେବ ? ମୁହୂର୍ତ୍ତେ ସ୍ତବ୍‌ଧ ହୋଇଗଲେ ସମସ୍ତେ...ତା’ପରେ ଆଉ ସେଠାରେ ଛିଡ଼ା ହେବାର ଆବଶ୍ୟକତା ନ ଦେଖି ତରତର ହୋଇ ଯିଏ ଯାହାର ବାଟ ଧରିଲେ । କି ଦରକାର ଖୁନୀ ଆସାମୀ ସହିତ ସମ୍ପର୍କ ରଖିବା ?

 

କିନ୍ତୁ ସତ୍ୟନଗରର ବସ୍ତି ଅଞ୍ଚଳରେ ସକାଳର ସେଇ ସତେଜ ନୀରବତା ଭଙ୍ଗ କରି ମୁହଁରୁ ମୁହଁକୁ ପ୍ରଚାରିତ ହୋଇଗଲା କେତେ ମୁଖରୋଚକ କାହାଣୀ, ସାଧୁ କାଣ୍ଡିର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ । ପ୍ରାୟ ସମସ୍ତଙ୍କ ତୁଣ୍ଡରେ ସେଇ ଗୋଟିଏ କଥା...ଆରେ ! ବୁଡ଼ି ବୁଡ଼ି ପାଣି ପିଉଥିଲା ପୁଅ...ପୁଲିସ୍‌ ଆଖିରେ ଧୂଳି ଦବ କିଏ ? ଆଇନର ହାତ ପରା ଅନେକ ଲମ୍ବା ।

 

ସତ୍ୟଜିତ୍‍ ରାୟର ଫାଟକ ଆଗରେ ଝୁଲାହୋଇଥିବା ନାମ ଫଳକଟି ଉଠେଇ ନେଇ କିଏ ଫୋପାଡ଼ି ଦେଇଛି ରାସ୍ତା କଡ଼ରେ । ସତ୍ୟଜିତ୍‌ ଜାଣିଲା କିନ୍ତୁ କିଛି କହିଲା ନାହିଁ । ନାମ ଫଳକ ଆଉ ତା’ର ଦରକାର ନାହିଁ, ଲୋକେ ତାକୁ ଚିହ୍ନି ଗଲେଣି । ଲେଖାଲେଖି କରୁଥିବା ବାବୁ କିନ୍ତୁ କହିଲା, ସାରୁ ଭିତରେ ମାରୁ ଅଛି ସାର୍‌, ନିଶ୍ଚୟ କୌଣସି ବଦମାସର କାମ ଇଏ । କାଲି ସନ୍ଧ୍ୟାବେଳେ ଏଠାରୁ ଯିବାବେଳେ ଗୁଣ୍ଡା ପରି ଦିଶୁଥିବା ଦୁଇଜଣଙ୍କୁ ଫାଟକ ପାଖରେ ଛିଡ଼ା ହୋଇଥିବାର ଦେଖିଥିଲି ମୁଁ । ମୋତେ ଦେଖି ସେମାନେ ମୋଟର ସାଇକେଲରେ ଚାଲିଗଲେ... ।

 

ପୁସ୍ତକମେଳାରୁ ସତ୍ୟଜିତ୍‍ ନୂଆ କିଣିଥିବା ଆଇନ ବହିଗୁଡ଼ାକୁ ସଜାଇ ରଖୁ ରଖୁ ଅନ୍ୟମନସ୍କ ଭାବରେ କହିଲା, ହୁଁ... ।

 

ବାବୁ କହିଚାଲିଥାଏ...ଏଇ ଗୁଣ୍ଡାଗୁଡ଼ାଙ୍କୁ ଦେଖିଲେ ଡର ଲାଗେ ମୋତେ । ଶିକ୍ଷିତ ସଭ୍ୟ ପରି ବେଶଭୂଷା; କିନ୍ତୁ କାମ ଅନ୍ୟ ରକମର । ଅସାମାଜିକ କ୍ରିମିନାଲ୍‌... ।

 

ସତ୍ୟଜିତ୍‍ଆ ଇନ ବହିଗୁଡ଼ାକୁ ଆଲମାରୀ ଥାକରେ ସଜେଇ ରଖି କହିଲା, ସେଇ ଲୋକଟାର ତାରିଖ କାଲି ଅଛି ନା ?

 

-କୋଉ ଲୋକର ସାର୍‌ ?

 

-ସେଇ ଯେ ହୋମିଓପାଥି ଡାକ୍ତର ଯେଉଁ କେସ୍‌ ଆଣିଥିଲେ...

 

-ସତ୍ୟନଗରର ସାଧୁ କାଣ୍ଡିର ସାର୍‌ ?

 

-ହଁ ହଁ ସାଧୁ କାଣ୍ଡିର...

 

-ସେ କେସ୍‌ନ ନ ନେଲେ ଭଲ ହୁଅନ୍ତା ସାର୍‌... ।

 

-କାହିଁକି ?

 

-କୋର୍ଟ ଫି ଦବାକୁ ପଇସା ନାହିଁ ତା’ର, ମିଛରେ ଲଢ଼ିବେ ଖାଲି...ପଇସାଟିଏ ମିଳିବାର ଆଶାନାହିଁ ।

 

-ମୁଁ ତ ଖାଲି ଅର୍ଥ ଉପାର୍ଜନ କରିବା ଲାଗି ଓକିଲାତି କରୁନି ଜୀବନ ।

 

-ମୁଫତରେ କାମ କରିବାର ଗୋଟେ ସୀମା ଅଛି ସାର୍‌...

 

-ଧର ସାଧୁ କାଣ୍ଡିର କେସ୍‌ଟା ଆଉ ଗୋଟେ...

 

-କିନ୍ତୁ ଜଣେ ଖୁନୀ ଆସାମୀର କେସ୍‌ ଆପଣ ହାତକୁ ନେବେ କାହିଁକି ? ସତ୍ୟର ଜୟ, ଧର୍ମର ଜୟ ପାଇଁ ଲଢ଼ିବାଲାଗି ବ୍ରତ କରିନାହାନ୍ତି ଆପଣ... । ସେଥିପାଇଁ ନେତା ଅଛନ୍ତି, ମହାତ୍ମା ଅଛନ୍ତି ।

 

ସେଥି ସକାଶେ ତ ଏଇ କେସ୍‌ଟା ହାତକୁ ନେଇଛି ଜୀବନ... । କେସ୍‌ ହିଷ୍ଟ୍ରି ଏ ଯାଏ ଯାହା ଶୁଣିଛି, ଯୋଉ ସବୁ ତଥ୍ୟ ମୋତେ ଅନୁସନ୍ଧାନରୁ ମିଳିଛି, ସେଥିରୁ ମୁଁ ଅନୁମାନ କରିନେଇଛି ଯେ ‘ଡାଲ୍‌ମେ କାଲା’ ନିଶ୍ଚୟ ଅଛି ।

 

ଆଶ୍ଚର୍ଯ୍ୟ ହୋଇ ଚୌକୀ ଉପରୁ ଉଠି ବସି କହିଲା ଜୀବନ...କିନ୍ତୁ ପୁଲିସ୍‍ ହାଜତରେ ସଢ଼ୁଛି ଲୋକଟା...କୋର୍ଟ ଜୁଡ଼ିସିଆଲ କଷ୍ଟୋଡ଼ିରେ ରଖିବା ପାଇଁ ମନା କରିଦେଲେ... ।

 

-ସତ୍ୟର ପ୍ରତିଷ୍ଠା ଲାଗି କାହାକୁ ନା କାହାକୁ କଷ୍ଟ ସହିବାକୁ ହୁଏ, ତ୍ୟାଗ କରିବାକୁ ପଡ଼େ...ଆଉ ଭାଗ୍ୟର ବିଡ଼ମ୍ବନା ଏମିତି ଯେ ନିରୀହ, ନିର୍ଦ୍ଦୋଷକୁହିଁ ଏଇ ମୂଲ୍ୟ ଦବାକୁ ପଡ଼ିଥାଏ... ।

 

-ଆପଣଙ୍କୁ କିନ୍ତୁ ମୋର ଏବେବି କହିବାକୁ ଇଚ୍ଛା ହେଉଛି ଯେ ଏ କେସ୍‌ଟା ନ ନେଲେ ବରଂ ଭଲ ହୁଅନ୍ତା...ସେଇ ଗୁଣ୍ଡା ଦୁଇଟାକୁ ଦେଖିବା ପରେ ମୁଁ ଅନ୍ୟ ପ୍ରକାର ସନ୍ଦେହ କରୁଛି... ।

 

-କି ପ୍ରକାର...?

 

-ସେମାନେ ଆପଣଙ୍କ ପିଛା ଲାଗିଛନ୍ତି... ।

 

-ମୁଁ ଜାଣେ...

 

-ଆପଣ ଜାଣନ୍ତି ? ତଥାପି ନିସ୍ପୃହ, ନିର୍ବିକାର... ।

 

-ଆଉ କଅଣ କରନ୍ତି ? ମୁଁ ତ ଅସାମାଜିକ ନୁହେଁ, ଅସମାଜିଙ୍କର କଳଙ୍କ ପଦାରେ ପକାଇଦବା ମୋର ଉଦ୍ଦେଶ୍ୟ ।

 

-ସେମାନେ ଆପଣଙ୍କ ପଛରେ କାହିଁକି ଲାଗିଛନ୍ତି ?

 

-ସବୁ ବିଷୟ ଏଯାଏ ଜାଣିନି ମୁଁ, ତଥାପି ଜାଣିଛି ସେଥିରୁ ଅନୁମାନ କରୁଛି ଯେ ଅପରାଧୀ ହୁଏତ ଆଉ କିଏ, ସାଧୁ କାଣ୍ଡି ନୁହେଁ... ।

 

-ପୁଲିସ୍‌ କୁକୁର ତାକୁଇ ଧରିଛି... ।

 

-ହୁଁ...ଦେଖାଯାଉ କେଉଁଠାର ପାଣି କୁଆଡ଼େ ଯାଉଛି... ।

 

ସତ୍ୟଜିତ୍‌ ଚିନ୍ତାରେ ବୁଡ଼ିଗଲା କିଛି ସମୟ ପାଇଁ । ଅପରାଧ ଜଗତର ଘଟଣା ଦୁର୍ଘଟଣାଗୁଡ଼ାକ ବଡ଼ ବିଚିତ୍ର । ସେଠାରେ ଧର୍ମ ଅଧର୍ମର, ପାପ ପୁଣ୍ୟର ବିଚାର ହୁଏ ନାହିଁ, ନ୍ୟାୟ ଅନ୍ୟାୟ ସେଠାରେ ତୁଚ୍ଛ । କେବଳ ଲକ୍ଷ୍ୟ ସିଦ୍ଧି ପାଇଁ ଯାହା ଆବଶ୍ୟକ ସେୟା କରିବାହିଁ ଏକମାତ୍ର କାର୍ଯ୍ୟ । ଆଉ ସେଇ ଲକ୍ଷ୍ୟ ଯେତେବେଳେ ମନ୍ଦ, ଲକ୍ଷ୍ୟ ହାସଲ ଲାଗି କରାଯାଉଥିବା ସବୁ ଉଦ୍ୟମ ଭଲ ହେବ କିପରି ?

 

ସତ୍ୟଜିତ୍‌ ଯେତିକି ଦେଖେ ଅପରାଧର ଜଗତ ସେତିକି ତାହାର ରହସ୍ୟମୟ ହୋଇ ଉଠେ ତା’ ଆଗରେ । ଅପରାଧ ସେଠାରେ ପ୍ରଧାନ, ଅପରାଧୀ ନଗଣ୍ୟ । ସେ କ୍ରୀଡ଼ାପୁତ୍ତଳିକା ମାତ୍ର । ମଣିଷ ମନରେ ଥରେ ଅପରାଧପ୍ରବଣତା ଜାଗ୍ରତ ହେଲେ ତାହା ଦମନ କରିବା ଦୁଃସାଧ୍ୟ ହୋଇଉଠେ ତା’ ପକ୍ଷରେ । ଆଉଥରେ ଅପରାଧ କଲେ ସେଇ ଅପରାଧକୁ ଘୋଡ଼େଇ ଦବା ପାଇଁ ଆଉ ଗୋଟେ ଅପରାଧ କରିବା ଦରକାର ହୁଏ । ମେରୁଖୁଣ୍ଟ ଚାରିପାଖରେ ବଳଦ ବୁଲିବା ପରି ଅପରାଧର ଚାରିପାଖରେ ବୁଲେ ଅପରାଧୀ । ସେଥିପାଇଁ ବଳଦକୁ ମୁକ୍ତ କରିବା ସକାଶେ ମେରୁଖୁଣ୍ଟକୁ ଉଠେଇ ଦବା ଆବଶ୍ୟକ ହୁଏ, ଅପରାଧୀକୁ ଅପରାଧ ମୁକ୍ତ କରିବାଲାଗି ଅପରାଧର ବିନାଶ କରିବାକୁ ହୁଏ ।

 

ସତ୍ୟଜିତ୍‍ ବାସ୍ତବ ଜଗତକୁ ଫେରିଆସି ରିସିଭରଟା ଉଠେଇ ନେଇ ଡାଏଲ କଲା ୫୦୦୫୦ ।

 

ସେ ପାଖରୁ ଉତ୍ତର ପାଇବାକ୍ଷଣି ସେ କହିଲା, ନମସ୍କାର କିଶୋର...ତୁମ ସହିତ କଥା ଥିଲା ଟିକେ... ।

 

-କହୁନ... ।

 

-ନାଁ ଟେଲିଫୋନ୍‍ରେ ନୁହେଁ, ନିଜେ ଯିବି ଯଦି ତୁମର ଅସୁବିଧା ନ ହୁଏ ।

 

-ସନ୍ଧ୍ୟା ଛଅଟା ପରେ ମୁଁ ଫ୍ରି । ଆସି ପାରିବ ?

 

-ହଁ ।

 

-କିନ୍ତୁ ଅଫିସକୁ ନୁହେଁ, ବରଂ ଆସ ନୂଆ ହୋଇ ଖୋଲିଥିବା ବାଣୀବିହାର ରେସ୍ତୋଁରାକୁ । ସେଇଠି କଫି ପିଇବା ଆଉ ଗଳ୍ପ କରିବା ।

 

-ଗୁଡ୍‌ ଆଇଡ଼ିଆ...କିନ୍ତୁ ପ୍ରାଇଭେସି ଅଛି ତ ?

 

-ଅଛି । ଗୋଟିଏ କେବିନ ଆମ ପାଇଁ ରିଜର୍ଭ କରି ରଖିବା ପାଇଁ କହି ରଖିବି ମୁଁ ।

 

-ଧନ୍ୟବାଦ...ସାଢ଼େ ଛଅଟାରେ ଦେଖା ହେବ ତା’ହେଲେ...ବାୟ !

 

-ବାୟ !

 

ରିସିଭରଟା ରଖିଦେଇ ପୁଣି ଆଉ ଗୋଟେ ନମ୍ବର ଡାଏଲ କଲା ସତ୍ୟଜିତ୍‍ । ରଙ୍ଗ୍‌ନମ୍ବର କହି ସେ ପାଖରୁ ରଖିଦେଲା କିଏ ।

 

ଆଉଥରେ ଡାଏଲ କଲା ସତ୍ୟଜିତ୍‌ । ଗୋଟେ କ୍ରସ୍‌ କନେକ୍‌ସନ୍‌ରେ କଥାଭାଷା କାନରେ ପଡ଼ିଲା ।

 

-ଶ୍ରୀଲା ପ୍ଲିଜ୍‌...ତମେ ମୋ କଥା ଶୁଣ...ବୁଝିବାକୁ ଚେଷ୍ଟା କର ଟିକେ...

 

-ବରଷେ ହେବ ମୁଁ ଖାଲି ଶୁଣି ଆସୁଛି...ମୋତେ କହିବାକୁ ସୁଯୋଗ ଦେଇନ ତୁମେ...

 

ସତ୍ୟଜିତ୍‌ କୌତୂହଳ ଦମନ କରି ନ ପାରି କାନରେ ରିସିଭର ଜାକି ବସିରହିଲା ସେମାନଙ୍କର ଆଳାପ ଶୁଣିବା ପାଇଁ ।

 

ଶୁଣୁ ଶୁଣୁ ସେ ଅନ୍ୟମନସ୍କ ହୋଇଯାଇଥିଲା କିଛି ସମୟ; କିନ୍ତୁ ଗୋଟେ ନାମ ଶୁଣି ସଜାଗ ହୋଇ ଉଠିଲା ।

 

ସୁକୁମାର ମିଶ୍ର... ।

 

ଶ୍ରୀଲା, ତମେ ଚେଷ୍ଟାକର ଆସିବା ପାଇଁ । ସୁକୁମାର ମିଶ୍ର ଖାଲି ନେତା ନୁହେଁ, ବଡ଼ ଇନ୍‌ଫ୍ଳୁୟେନ୍‌ସିଏଲ ମଧ୍ୟ । ସରକାରୀ ଓ ବ୍ୟବସାୟୀ ମହଲରେ ତା’ର ପ୍ରତିଷ୍ଠା ଓ ପ୍ରଭାବ ଅନେକ-। ତାକୁ ହାତରେ ରଖିଲେ ଲାଭ ବ୍ୟତୀତ କ୍ଷତି ନାହିଁ ... ।

 

-କିନ୍ତୁ ତା’ ବୋଲି ତାଙ୍କ ଷ୍ଟୁଡ଼ିଓରେ ମୋତେ ଫଟୋ ଉଠେଇବାଲାଗି କହୁଚ ?

 

-କ୍ଷତି କଅଣ ? ତମେ ଜାଣ ଡାଇରେକ୍‍ଟ ଆକ୍‌ସନ୍‌ର ଲାଇଭ ଫଟୋଗ୍ରାଫ୍‌ଗୁଡ଼ା ହଟ୍‌ କେକ୍‌ଭଳି ବିକ୍ରୀ ହୁଏ ବଜାରରେ । ବଡ଼ ବଡ଼ ଲୋକ ଆଗ୍ରହୀ ସେଇ ଚିତ୍ର କିଣିବା ପାଇଁ । ବ୍ଳୁ ଫିଲ୍ମ ଦେଖିବା, ଡ୍ରଗ୍‌ ଖାଇବା ପରି ଏଟା ବି ସେମାନଙ୍କର ଗୋଟେ ନିଶା ।

 

-ମୋତେ ଭଲ ଲାଗୁନି କିଛି... ।

 

-ପ୍ଳିଜ୍‌ ମୋ କଥା ଟିକେ ଶୁଣ ଶ୍ରୀଲା...ଏଥିରେ ମୋର କେବଳ ଲାଭ ନାହିଁ, ତୁମେ ବି କମ୍‌ ପାଇବ ନାହିଁ...

 

-ଅର୍ଥ କଅଣ ଜୀବନର ସବୁ ?

 

-ନୋ; କିନ୍ତୁ ଅର୍ଥକୁ ଏଡ଼ିଦେଇ ପରମାର୍ଥ କେହି ପାଇନି ଡାର୍ଲିଂ ।

 

-ଦେଖାଯିବ...କିନ୍ତୁ... ।

 

-ସୁକୁମାର ମିଶ୍ର ସବୁ କିନ୍ତୁ ପାର ହୋଇ ଆଗକୁ ଯିବାର କୌଶଳ ଜାଣେ, ତା’ ବାଟରେ କେହି ପ୍ରତିବନ୍ଧକ ସୃଷ୍ଟି କରିପାରିବ ନାହିଁ । ସେ କୌଣସି ପ୍ରତିବନ୍ଧକ ସହ୍ୟ କରିବ ନାହିଁ ।

 

-ବ୍ରାଉନ୍‌ ସୁଗାର, ଚରସ୍‌ ଫ୍ରେସ୍‌ କନ୍‌ସାଇନମେଣ୍ଟଟା ପହଞ୍ଚିଲା ?

 

-ନା, ସେଥିପାଇଁ ଯେତେ ଦୁର୍ଭାବନା । ଏଣେ କ୍ୟାମ୍ପସ୍‌ ଭିତରେ ମାଲ ନାହିଁ ଡିମାଣ୍ଡ ଅନେକ ବଢ଼ିଛି ଏ ଭିତରେ ।

 

-ସେକ୍‌ସ ଆଉ ଡ୍ରଗ୍‌ସ ୟୁନିଭରସିଟି ପିଲାଙ୍କୁ ବେଶ୍‌ ଆକର୍ଷଣ କରେ ନା ?

 

-ଖାଲି ସେମାନଙ୍କୁ ନୁହେଁ, ଗଣ୍ୟମାନ୍ୟଙ୍କୁ ବି...ଶାସକ ପ୍ରଶାସକ ସମସ୍ତଙ୍କୁ । ନେତା, ଧର୍ମଉପାସକ ଉଭୟଙ୍କୁ ।

 

-ମୋତେ ଏକାମ୍ର କ୍ଳବର ମେମ୍ବର କରାଇ ଦବ କହୁଥିଲ, କଅଣ ହେଲା ?

 

-ତୁମର ଏପ୍ଳିକେସନ ନେକ୍‌ଷ୍ଟ ଏକ୍‌ଜିଉକିଉଟିଭ ମିଟିଂରେ ପଡ଼ିବ । ରିମେନ୍‌ ଆସିଓର୍‌ଡ଼୍‌...କ୍ଳବ ତୁମକୁ ୱେଲକମ୍‍ କରିବ... ।

 

ସନ୍ଧ୍ୟା ସାଢ଼େ ସାତରେ ବ୍ଳୁ ଫକ୍‌ସ ଷ୍ଟୁଡ଼ିଓରେ ଅପେକ୍ଷା କରିଥିବ ।

 

-ଓ ! ଇୟେସ...ତା’ପରେ ଯିବା ଏକାମ୍ର କ୍ଳବ...ଆଜି ଡିନର ସେଠାରେ ।

 

-ହୋଷ୍ଟ କିଏ ?

 

-ଏକ୍‌ସପୋର୍ଟ ଡାଇରେକ୍‍ଟର ଅମିତାଭ ଛୋଟରାୟ ।

 

-କିଛି ଉଇକ୍‌ନେସ୍‌ ଅଛି ।

 

-ନ ଥିଲେ ଆସନ୍ତେ କ୍ଳବକୁ ?

 

-କିମିତି ଭଦ୍ରଲୋକ...? ଦେଖିଲା ପରି ମନେପଡ଼ୁନି ।

 

-ଏ ନାଇସ୍‌ ଗାୟ...ଭେରି ଡେସିଂ...

 

-ୱାଣ୍ଡରଫୁଲ୍‍...ଓକେ, ଦେନ...ବାୟ !

 

-ବାୟ !

 

କ୍ରସ୍‌କନେକ୍‌ସନ କଟିଯାଇ ସଫା ହୋଇଗଲା ।

 

ସତ୍ୟଜିତ୍‌ର ମଥା ଭିତରେ ସେତେବେଳକୁ ଲକ୍ଷେ ଆଇଡ଼ିଆ ଖାଳେଇ ଭିତରେ ମାଛମାନଙ୍କ ପରି କିଲ୍‍ବିଲ୍‍ ହେଉଥାଆନ୍ତି । ଏହି ଡ୍ରଗ୍‌ ପଛେ ପଛେ ଚାଲିଲେ ଅଣ୍ଡରୱାର୍ଲଡ଼୍‌ର ଗୁପ୍ତ ଖବର ଜାଣିବା ଅସମ୍ଭବ ହେବନାହିଁ ।

 

Unknown

ସେ ଆଉଥରେ ନ ପାଇଥିବା ନମ୍ବରଟା ଡାଏଲ କଲା ।

 

ଗୋବିନ୍ଦ ପୃଷ୍ଟିର ଅଫିସରୁ କେହି ଉତ୍ତର ଦେଲା, ହ୍ୟାଲୋ...

 

-ମୋହନ ବାବୁ ଅଛନ୍ତି ?

 

-କହୁଛି ।

 

-ମୁଁ ସତ୍ୟଜିତ୍‌...ତମ ଭଏସ୍‌ ବସିଗଲା ପରି ଲାଗୁଛି...

 

-ସର୍ଦ୍ଦି ହୋଇଛି ଯେ... ।

 

-ଆଉ କିଛି ଖବର ପାଇଲ ?

-ଫୋନରେ ନୁହେଁ, ଆପଣ ସ୍ୱସ୍ତି ହୋଟେଲ ସାମ୍ନାରେ ଅପେକ୍ଷା କରିଥିବେ, ସେଇଠି ଆଠଟାରେ ଦେଖା ହେବ । ଯାହା କହିବାର କହିବି ନିଶ୍ଚୟ ।

-କିଛି ଏକ୍‌ସାଇଟିଂ ନିଉଜ୍‌ ଅଛି ?

-ଅଛି...କିନ୍ତୁ ସାବଧାନ...କେହି ଯେପରି ଆପଣଙ୍କୁ ଫଲୋ ନ କରେ ।

-ନା, ମୁଁ ସତର୍କ ରହିବି । ତା’ହେଲେ ହୋଟେଲ ଆଗରେ କାହିଁକି, ହରେକୃଷ୍ଣ ରେସ୍ତୋଁରାରେ ବସିଲେ ହେବ ।

-ହଁ ନିରୀହ ନିରାମିଷ ଜାଗା...ସନ୍ଦେହର ବାହାରେ

-ଓକେ...

ରିସିଭର ରଖିଦେଇ ସ୍ନାନ ପ୍ରସାଧନ ଶେଷକରି ଠିକ୍‌ ପାଞ୍ଚଟା ପଇଁଚାଳିଶିରେ ବାହାରି ପଡ଼ିଲା ସତ୍ୟଜିତ୍‌ ।

ହିରୋହୁଣ୍ଡା ମୋଟର ସାଇକେଲ ମାଡ଼ିଚାଲିଲା ଆଗକୁ ।

ଭୁବନେଶ୍ୱର ରାଜପଥ ଉପରେ ଯାନବାହାନର ଭିଡ଼ । ଦିନକୁ ଦିନ ବଢ଼ୁଛି ଲୋକସଂଖ୍ୟା । ବଢ଼ୁଛି ସେମାନଙ୍କର ସମସ୍ୟା । ତା’ ସହିତ ତାଳ ରଖି ବଢ଼ି ଚାଲିଛି ଚାହିଦା; ଅର୍ଥର ଆବଶ୍ୟକତା । ଡିମାଣ୍ଡ ଆଣ୍ଡ ସପ୍ଳାଇ । ଚାହିଦା ଅନୁସାରେ ସରବରାହ ହୋଇ ପାରୁନି ବୋଲି ବଜାର ଦର ବଢ଼ୁଛି ହୁ ହୁ କରି । ଭୁବନେଶ୍ୱରରୁ ବମ୍ବେ ଯିବା ପାଇଁ ଶହେଟା ବର୍ଥ ଅଛି କୋଣାର୍କ ଏକ୍‌ସପ୍ରେସ୍‌ରେ; କିନ୍ତୁ ଚାହିଦା ଦୁଇଶହର । ବଜାରକୁ ମିଠାପାଣିର ଚିଙ୍ଗୁଡ଼ି ଆସେ କୋଡ଼ିଏ ପଚିଶ କିଲୋ; କିନ୍ତୁ ଦରକାର ଏକ କୁଇଣ୍ଟାଲ । ପ୍ରତି ମାସ ଶହେ ପ୍ରାୟ ନୂଆ କୋଠା ତିଆରି ହୁଏ; କିନ୍ତୁ ଡିମାଣ୍ଡ ହୁଏ ଦୁଇ ଶହର । ସବୁ ସିନେମାହଲ୍‌ର ସମୁଦାୟ ସିଟ୍‌ ସଂଖ୍ୟା ସାତ ହଜାର ତିନି ଶହ; କିନ୍ତୁ ଦଶ ହଜାର ଲୋକଙ୍କର ଭିଡ଼ ଜମେ ଟିକଟ କିଣିବା ପାଇଁ । ଉଡ଼ାକଳରେ ଦିଲ୍ଲୀ ଯିବା ପାଇଁ ପଚାଶଟା କୋଟା ରାଜଧାନୀର, ପ୍ରତିଦିନର ଆବଶ୍ୟକତା ପଚସ୍ତରୀରୁ ବେଶି ।

ସତ୍ୟଜିତ୍‌ ବୁଝେ ଏଇ ଡିମାଣ୍ଡ ଓ ସପ୍ଳାଇର ଥିଓରି । ଚାହିଦା ଅନୁସାରେ ସରବରାହ ନ କଲେ ସୃଷ୍ଟି ହୁଏ ଅଭାବ । ଅଭାବରୁ ଅଭାବବୋଧ । ଅଭାବବୋଧ ଦିନକୁ ଦିନ ବଢ଼ୁଛି ଆଧୁନିକ ମଣିଷ ଭିତରେ । ସେଇ ତାଡ଼ନା ଭୂଇଁ ଛାଡ଼ି ଆକାଶ ଆଡ଼କୁ ଉଠୁଚି ବୋଲି ମହଲା ପରେ ମହଲା, ମଣିଷର ମନ ଉଚ୍ଚାଟ ହେଉଚି ଅଭିଳାଷରେ । ସେ ହୋଇ ଉଠିଚି ଆମ୍ବିସସ୍‌ ।

ତା’ର ବି ଆମ୍ବିସନ ଅଛି; କିନ୍ତୁ ଯେନତେନ ପ୍ରକାରେଣ ସେ ଚାହେଁନି ଅର୍ଥ ଉପାର୍ଜନ କରିବା ପାଇଁ, ନ୍ୟାୟ ଅନ୍ୟାୟକୁ ଧୂଳିସାତ୍‌ କରି ସେ ଇଚ୍ଛା କରେନି ଉପରକୁ ଉଠିବା ପାଇଁ । ତା’ର ଗୋଟେ ନୀତି ଅଛି, ଆଦର୍ଶ ଅଛି । ସେଇ ନୀତି ଓ ଆଦର୍ଶ ପଛରେ ଦୌଡ଼ିବାକୁ ଭଲ ପାଏ ସେ, କିଛି ନ ପାଇ ବି ସେ ହତାଶ ହୁଏନି; କାରଣ ନୀତି ଓ ଲକ୍ଷ୍ୟ ପଛରେ ଧାଇଁଲେ ମୂଲ୍ୟ ଦବାକୁ ହୁଏ-। ବିନା ମୂଲ୍ୟରେ ମିଳେନି କିଛି । ଅନାୟାସରେ, ଅକ୍ଳେଶରେ ସାର୍ଥକତା କେହି ପାଇନି ଆଜିଯାଏ-। ସେଥିପାଇଁ ସଫଳ ମଣିଷର ପଥ ପିଚ୍ଛିଳ । ସେଠାରେ ବି ପରାଜୟ ଅଛି; କିନ୍ତୁ ପଡ଼ିଉଠି ସେଇ ପିଚ୍ଛିଳ ପଥ ଅତିକ୍ରମ କଲେ, ପରାଜୟକୁ ପଛରେ ପକାଇ ଆଗକୁ ଚାଲିଲେ ବିଜୟ ଆସେ ନିଶ୍ଚୟ-

 

ସତ୍ୟଜିତ୍‌ ଫାୟାର ଷ୍ଟେସନ ଆଗରେ ମୋଡ଼ ଭାଙ୍ଗିଲାବେଳେ ଦେଖିଲା ଗୋଟେ ଟ୍ରକ୍‌ ବି ତା’ ପଛେ ପଛେ ଆସୁଛି । ସେ ଗତି ଦ୍ରୁତ କରି ରେଳ ଓଭରବ୍ରିଜ୍‌ ଅତିକ୍ରମ କରି ଗୋଲେଇରେ ଉତ୍ତର ଦିଗକୁ ଟର୍ଣ୍ଣ ନବାବେଳେ ହଠାତ୍‌ ପଛରୁ ଧକ୍‌କା ଖାଇ ଛିଟିକି ପଡ଼ିଲା ରାସ୍ତା ଉପରେ । ଆଉ କେହି ନମ୍ବରଟା ଟିପି ରଖିବା ପୂର୍ବରୁ ତୀର ବେଗରେ ରାଜବଭନ ଆଡ଼କୁ ଚାଲିଗଲା ଟ୍ରକ୍‌ଟା-

 

ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ ହୋଇଗଲା ସଙ୍ଗେ ସଙ୍ଗେ ।

 

ପଥଚାରୀ କେତେଜଣ ଦୌଡ଼ି ଆସିଲେ ସତ୍ୟଜିତ୍‌ ପାଖକୁ ।

 

ଭାଗ୍ୟକୁ ହେଲମେଟ୍‍ ଥିଲା ବୋଲି ଆଘାତ ବାଜିନି ମଥାରେ; କିନ୍ତୁ ଡାହାଣ ହାତ ଭାଙ୍ଗିଗଲା ପରି ଲାଗୁଥିଲା ତାକୁ, ଆଉ ବାଁ ପାଦରେ ଅସମ୍ଭବ ଯନ୍ତ୍ରଣା ।

 

ସତ୍ୟଜିତ୍‌ ପ୍ରଥମେ ଜାଣିପାରି ନ ଥିଲା କିଛି । ମଥାଟା ବୁଲି ଯାଇଥିଲା ଆକସ୍ମିକ ଦୁର୍ଘଟଣା ଯୋଗୁଁ । ସେ ବୋଧହୁଏ ଅଳ୍ପ କେତେ ସମୟ ପାଇଁ ଅଚେତ ହୋଇଯାଇଥିଲା ।

 

ଯାଉଥିବା ଗୋଟେ କାର୍‌ ଅଟକାଇ ତାକୁ ସେମାନେ ଯେତେବେଳେ ବଡ଼ ଡାକ୍ତରଖାନାର କାଜୁଆଲଟିକୁ ନେଇ ଆସିଲେ, ସେତେବେଳେକୁ ଆଉ କିଛି ମନେ ନ ଥିଲା ସତ୍ୟଜିତ୍‌ର । ସେ ପୁଣି ଅଚେତ ହୋଇଯାଇଥିଲା ।

 

ବିଧାନସଭାର ବଜେଟ୍‍ ଅଧିବେଶନ ତାରିଖ ଘୋଷଣା କରାଯିବା ପରେ ପରେ ରାଜନୈତିକ ତତ୍ପରତା ବୃଦ୍ଧି ପାଇଲା ରାଜଧାନୀରେ । ନୂଆ ବଜେଟ୍‍ର ନୂଆ ନୂଆ ଟିକସ ବସାଇବାର ସମ୍ଭାବନା ଅଛି କି ନାହିଁ ବା ପ୍ରଚଳିତ ଟିକସର ହାର ବଢ଼ିବ କି କମିବ ସେ ସମ୍ପର୍କରେ କୌଣସି ସଚେତନତା କିନ୍ତୁ ଲକ୍ଷ୍ୟ କରାଗଲା ନାହିଁ । ସରକାରଙ୍କ ଶାସନ ପରିଚାଳନା, ଯୋଜନାର ରୂପାୟନ ଠିକ୍‌ ଭାବରେ ହେଉଛି କି ନାହିଁ ମୋଟାମାଟି ଭାବରେ ତା’ର ଗୋଟିଏ ଚିତ୍ର ଦିଆଯାଏ ବଜେଟ୍‍ରେ; କିନ୍ତୁ ସେଥିପ୍ରତି ମଧ୍ୟ ଲୋକଙ୍କର ଆଗ୍ରହ ଥିଲା ପରି ଜଣାଗଲା ନାହିଁ । ବରଂ ବଜେଟ୍‍ ଅଧିବେଶନକୁ ଭଣ୍ଡୁର କରିଦବାଲାଗି, ଏଥିରେ ବିଘ୍ନ ସୃଷ୍ଟି କରିବା ଲାଗି ଏବଂ ବଜେଟ୍‍ ଅଧିବେଶନ ସମୟରେ ବିଭିନ୍ନ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ହାତକୁ ନେଇ ବିଧାନସଭାର ଦୃଷ୍ଟି ଆକର୍ଷଣ କରିବା ବାହାନାରେ ସରକାରଙ୍କୁ ଅପଦସ୍ତ ଓ ନିନ୍ଦିତ କରିବା ଲାଗି ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମ ଘୋଷଣା କଲେ ରାଜନୈତିକ ଦଳମାନେ । ବିଭିନ୍ନ ସଙ୍ଗଠନଗୁଡ଼ିକ ମଧ୍ୟ ସକ୍ରିୟ ହୋଇ ଉଠିଲେ ନିଜ ନିଜର ସଂଗ୍ରାମୀ ଭୂମିକା ଜାହିର କରି ନୂତନ ସୁବିଧା ସୁଯୋଗ ହାସଲ କରିବା ପାଇଁ ।

 

ଗଣତାନ୍ତ୍ରିକ ଶାସନ ଯେପରି ଏଇ ବଜେଟ୍‍ ଅଧିବେଶନ ସମୟ ମଧ୍ୟରେ ସୀମିତ । ଅନ୍ୟ ଦଶମାସ ସ୍ୱପ୍ନ ଦେଖି ଦେଖି ଆରାମ କରୁଥିବା ଲୋକଙ୍କର ହଠାତ୍‌ ସ୍ୱପ୍ନ ଭଙ୍ଗ ହୁଏ ଏଇ ବଜେଟ୍‍ ଅଧିବେଶନ ପୂର୍ବରୁ । ସେମାନେ ଆଉ ଶୋଇ ନ ରହି ବା ଅବସାଦରେ ମୋଡ଼ି ଭାଙ୍ଗି ନ ହୋଇ ଶୀତଦିନର ପତ୍ରପରି ଠୁଳ ହୁଅନ୍ତି ରାଜଧାନୀର ରାସ୍ତା ଉପରେ । ପ୍ରତ୍ୟେକ ଦଳର କର୍ମୀ ଓ ସମର୍ଥକ ଆସନ୍ତି ଦଳ ଦଳ ହୋଇ ଟ୍ରେନରେ, ବସ୍‌ରେ ବା ଟ୍ରକ୍‌ରେ । ଭଡ଼ା ତ ପଡ଼େ ନାହିଁ, ପୁଣି ରାଜଧାନୀ, ଲିଙ୍ଗରାଜ ମନ୍ଦିର, ନନ୍ଦନକାନନ ବୁଲିଯିବାର ବାସନା ବି ଥାଏ; ସେଥିପାଇଁ ବିଶେଷ ପରିଶ୍ରମ କରିବାକୁ ହୁଏନା ନେତାମାନଙ୍କୁ, ସେମାନଙ୍କ ଡାକରା ପାଇ ଦଳୀୟ କର୍ମୀମାନଙ୍କ ସାଙ୍ଗରେ ବାହାରି ପଡ଼ନ୍ତି ଓଡ଼ିଶାର ବିଭିନ୍ନ ପ୍ରାନ୍ତର ସଚେତନ ଜନତା !

 

ବିଧାନସଭାର ଅଧିବେଶନର ପ୍ରଥମ ଦିନ ରାଜ୍ୟପାଳ ଉଦ୍‌ବୋଧନ ଦିଅନ୍ତି । ସେହିଦିନ ଓ ବଜେଟ୍‍ ଆଗତ କରିବା ଦିନର ଗୁରୁତ୍ୱ ଦୃଷ୍ଟିରୁ ରାଜଧାନୀର ବାତାବରଣ ବେଶ୍‌ ସରଗରମ ହୋଇଉଠେ । ସଡ଼କ ଉପରେ, ପାଚେରୀ ବା କାନ୍ଥ ଉପରେ ବିଭିନ୍ନ ଦଳର ସ୍ଳୋଗାନ ଓ ଦାବି ଲେଖା ହୁଏ । ପ୍ରଚାରପତ୍ର ଓ ପୋଷ୍ଟର ଚାରିଆଡ଼େ । ସକାଳ ଟ୍ରେନ୍‌ରେ ପ୍ରାୟ ହଜାର ସରିକି ଲୋକ ଦଳୀୟ ପତାକା ଧରି ସ୍ଳୋଗାନ ଦେଇ ବିଭିନ୍ନ ଗାଡ଼ିରୁ ଓହ୍ଲେଇ ଷ୍ଟେସନ ପ୍ଳାଟଫର୍ମରେ । ଭିଡ଼ ଜମିଲା ସଙ୍ଗେ ସଙ୍ଗେ । ଆନ୍ଦୋଳନକାରୀଙ୍କର ସ୍ଳୋଗାନ ଶୁଣି ପୁଲିସ୍‌ ଭ୍ୟାନ୍‌ ଭିତରେ ଢୁଲାଉଥିବା ପୁଲିସ୍‌ ଦଳ ସଜାଗ ହୋଇ ଉଠିଲେ ।

 

ଅରକ୍ଷିତ ଦାସ ସତ୍ୟନଗରର କେନ୍ଦ୍ର ସ୍ଥଳରେ ଛିଡ଼ାହୋଇ ହାଙ୍କିଲା, ଆମ ଦଳ ସରକାରରେ । ବିରୋଧୀଦଳମାନେ ରାଜଧାନୀକୁ ଆସି ବିଶୃଙ୍ଖଳା ସୃଷ୍ଟି କରିବେ ଏହା ଆମେ ବରଦାସ୍ତ କରିବୁ ନାହିଁ । ଯେସାକୁ ତେସା । ସେମାନେ ହଜାରେ ଆଣିଲେ ଆମେ ଆଣିବୁ ପାଞ୍ଚ ହଜାର । ଦରକାର ହେଲେ ଯୋର୍‌ କରି ସେମାନଙ୍କୁ ନିକାଲି ଦିଆଯିବ ରାଜଧାନୀରୁ, ବହୁତ ଜାଗା ଖାଲି ପଡ଼ିଛି ନନ୍ଦନ କାନନରେ, ଖଣ୍ଡଗିରି ପାହାଡ଼ ସେ ପାଖରେ ସେଇଠି ସଭା କରନ୍ତୁ, ସେଠାରେ ଶୋଭାଯାତ୍ରା, ବିକ୍ଷୋଭ ପ୍ରଦର୍ଶନ କରନ୍ତୁ ସେମାନେ । ଆମର କିଛି କହିବାର ନାହିଁ । ଆମର ମାନ୍ୟବର ନେତାମାନଙ୍କୁ ଅପମାନିତ କଲାଭଳି ଯଦି କିଛି କହନ୍ତି ବା ଆମ ଦଳର କ୍ଷତି କଲାଭଳି କାମ କରନ୍ତି, ଭଲ ହେବ ନାହିଁ । ସେମାନଙ୍କ ଗୋଡ଼ ଭାଙ୍ଗି ଦିଆଯିବ, ମୁହଁ ବନ୍ଦ କରିଦିଆଯିବ । ରାଣ୍ଡିର ରାଜ୍ୟ ହୋଇନି ଯେ ସେମାନେ ଯାହାଇଚ୍ଛା ତାହା କରିବେ । ଯଦି ମରଦ ପୁଅ, ଦେହରେ ବଳ ଅଛି, ନିର୍ବାଚନରେ କରାମତି ଦେଖାଅ ।

 

ଅରକ୍ଷିତ ଦାସର ଭାଷଣ ଡାକବାଜି ଯନ୍ତ୍ର ସାହାଯ୍ୟରେ ଶୁଣାଗଲା ପ୍ରାୟ ସବୁ ଅଞ୍ଚଳକୁ-। ବସ୍ତିର ଛୋଟ ପିଲାମାନେ, କାମକୁ ଯାଇଥିବା ପୁରୁଷ ଓ ସ୍ତ୍ରୀମାନେ ଠୁଳ ହୋଇଗଲେ ଚାହୁଁ ଚାହୁଁ ଶୁଣିବା ପାଇଁ ।

 

ସେମାନଙ୍କର ସଂଖ୍ୟା ବଢ଼ିବାର ଦେଖି ଅରକ୍ଷିତ ଉତ୍ସାହିତ ହୋଇ କହିଲା, ତ୍ୟାଗ ନ କଲେ ଦେଶ ଗଠନ କରିହୁଏ ନାହିଁ । ମୁଁ ସମସ୍ତ ଭାଇ ଭଉଣୀଙ୍କୁ ନିବେଦନ କରୁଛି ତ୍ୟାଗ କରିବା ପାଇଁ, ଆମ ଦଳର ପତାକା ତଳେ ଛିଡ଼ାହୋଇ ଆମ ନେତାଙ୍କର ହାତମୁଠା ଟାଣ କରିବା ପାଇଁ । ଦେଶର ହିତ ଆମ ସରକାରଙ୍କ ପ୍ରଧାନ ଆଉ ପ୍ରଥମ ଲକ୍ଷ୍ୟ । ମିଥ୍ୟା ପ୍ରଚାର, କୁତ୍ସାରଟନାରେ ଭୁଲ ନାହିଁ, ଗୁଣ୍ଡାଗିରିକୁ ଆଉ ପ୍ରଶୟ ଦିଆଯିବ ନାହିଁ । ଆଇନ ଶୃଙ୍ଖଳା ଆମ ହାତରେ ପୁଲିସ୍‌ ଓ ମାଜିଷ୍ଟ୍ରେଟ୍‌ ଆମ ଲୋକ । ଭୟ ନାହିଁ ।

 

ଜନତା ଭିତରୁ ଜଣେ କିଏ କହିଲା, ଗତ ଥରର ପଇସା ଏଯାଏ ମିଳିନାହିଁ...

 

ତାକୁ ଚୁପ୍‌ ହେବାକୁ କହି ଅରକ୍ଷିତ ଦାସ ପଲକରେ ଦେଖିନେଲା ସମସ୍ତଙ୍କୁ । ତା’ପରେ ଦୁଃଖକରି କହିଲା, ହାଁ, ଗତଥରର ପାଉଣା ଦିଆଯାଇନି । ଚଇତନ ଯାହା କହିଛି ସତ । ମୁଁ ବି ସେଇକଥା କହିଥାଆନ୍ତି, ମୁଁ କହିବା ଆଗରୁ ସେ ମୋ ତୁଣ୍ଡର କଥା ଛଡ଼େଇ ନେଲା... ।

 

ଅରକ୍ଷିତ ଦାସ ଭାଷଣ ସାଙ୍ଗ କରିବା ଆଗରୁ କହିଲା, ମୁଁ ପ୍ରଥମରୁ କହିଛି ଯେ ଜନତାର ହିତ ବିନାତ୍ୟାଗରେ କରିହୁଏ ନାହିଁ । ଆମେ ସମସ୍ତେ ଜନନୀ, ଜନ୍ମଭୂମି ପାଇଁ ଚରମ ତ୍ୟାଗ କରିବାଲାଗି ପ୍ରସ୍ତୁତ ରହିବା ଉଚିତ । ଆଜି ବିରୋଧୀ ଦଳମାନଙ୍କର ମିଳିତ ଉଦ୍ୟମରେ ବିକ୍ଷାଭ କରାଯିବାର ଖବର ସମସ୍ତେ ଜାଣିଥିବ ନିଶ୍ଚୟ । ଆସନ୍ତା ସୋମବାର ଆମ ଦଳର ସଭା ଓ ଶୋଭାଯାତ୍ରା ହେବ ସରକାରଙ୍କ ହାତମୁଠା ଟାଣ କରିବା ପାଇଁ । ତା’ ଆଗରୁ ବାକି ପାଉଣା ମିଳିଯିବ ।

 

ଜଣେ କେହି କହିଲା; କିନ୍ତୁ ସତ୍ୟନଗର ବସ୍ତି ଭାଙ୍ଗିବା ପାଇଁ ଆମ ସରକାର କିପରି ନିଷ୍ପତ୍ତି ନେଲେ...ଗରିବ ଖଟିଖିଆଙ୍କୁ ଏବେ ମନେପଡ଼ୁଛି, ସେଭଳି ନିଷ୍ପତ୍ତି ନବା ପୂର୍ବରୁ କାହିଁକି ସେମାନଙ୍କ କଥା କାହାରି ମନେପଡ଼ିଲା ନାହିଁ ? ଆଗ ଏ ପ୍ରଶ୍ନର ଉତ୍ତର ଦିଅ... ।

 

ଜନତା ମଧ୍ୟରୁ ଆହୁରି କେତେଜଣ ଏକାବେଳେ କହିଉଠିଲେ, ହଁ, ଏହାର ଉତ୍ତର ଆଗ ଦିଅ... ।

 

ଅରକ୍ଷିତ ଦାସ ପ୍ରସ୍ତୁତ ହୋଇ ଆସିଥିଲା, ସେ ସ୍ୱର ଚଢ଼େଇ କହିଲା, ମୁଁ କଥାଦଉଛି ଏ ନିଷ୍ପତ୍ତି କାର୍ଯ୍ୟକାରୀ ହେବନାହିଁ । ମୋତେ ଏହି ସିଦ୍ଧାନ୍ତ ତୁମ ସମସ୍ତଙ୍କୁ ଜଣେଇଦବା ଲାଗି କହିଛନ୍ତି ମନ୍ତ୍ରୀ...ଦରକାର ହେଲେ ତାଙ୍କ ମୁହଁରୁ ବି ଶୁଣିବ... ।

 

ଏଥର ଧ୍ୱନି ଦେଲେ ଲୋକମାନେ ଆମ ସରକାର ଜିନ୍ଦାବାଦ...ବିରୋଧୀ ଦଳ ଧପ୍‍ପାବାଜି ଚଳିବ ନାହିଁ, ଚଳିବ ନାହିଁ । ଅରକ୍ଷିତ ଦାସ ଅମର ରହେ । ସେମାନେ ନିଜ ନିଜ କାମରେ ଚାଳିଗଲାପରେ ରହିଗଲେ ତିନି ଚାରିଜଣ ବେକାର ଯୁବକ ଓ କେତେକ ଛୋଟ ପିଲା । ଅରକ୍ଷିତ ସେଇ ଯୁବକମାନଙ୍କ ପାଖକୁ ଯାଇ କହିଲା, ଇଏ ରୋଜଗାରର ବେଳ, ମିଛରେ ମିଛରେ ବୁଲୁଛ...କାମ ନାହିଁ ହାତରେ ?

 

ସେମାନଙ୍କ ମଧ୍ୟରୁ ରାମୁଲ କହିଲା, କାମ ମିଳୁନି...ଅଧା ଓପାସରେ ଦିନ କଟୁଛି ।

 

ଅରକ୍ଷିତ ପାଞ୍ଚ ଟଙ୍କାର ନୋଟ ଗୋଟେ ତା’ହାତରେ ଖୋସିଦେଇ କହିଲା, ଯାଅ ତିନି ସାଙ୍ଗ ଆଗେ ବରା, ଚା ଖାଇ ଆସ, ତା’ପରେ କଥାଭାଷା ହେବା । ମୁଁ ସୂର୍ଯ୍ୟୋଦୟ କ୍ଳବ ଆଗରେ ଅପେକ୍ଷା କରିଥିବି ।

 

ସେମାନେ ଖୁସି ହୋଇ ଚାଲିଗଲା ପରେ କହିଲା ତା’ର ସହକାରୀ ଗୋପାଳ ମୁଦୁଲି, ଆମକୁ ବି ଭୋକ କଲାଣି ଯେ...ସେଇ ସକାଳୁ ଚା କପେ କପେ ଖାଇ ବାହାରିଛୁ... ।

 

ଅରକ୍ଷିତ କହିଲା, ଖାଇବ ଖାଇବ ବୋଲି ହାଁ ହାଁ ହେଉଛ ସବୁବେଳେ । ଦେଶ କାମରେ ହାତ ଦେଲେ ଭୋକ ଶୋଷ ଭୁଲି ଯିବାକୁ ହୁଏ ।

 

ଗୋପାଳ କହିଲା, ଆପଣ ମନ୍ତ୍ରୀଙ୍କ ପିଏ କି ପଞ୍ଚାୟତର ଚେୟାରମ୍ୟାନ୍‍ ହେବେ...ଆମେ କଅଣ ହେବୁ ? ଇମିତି ଆପଣଙ୍କର ବୋକାଚା ବୋହୁଥିବୁ...ପତାକା ଧରିଥିବୁ, ପୋଷ୍ଟାର ମାରୁଥିବୁ...ନ ହେଲେ ସ୍ଳୋଗାନ ଦେଉଥିବୁ... ।

 

ଅରକ୍ଷିତ ଦାସ ଚତୁର ବ୍ୟକ୍ତି । ଏଇ ପାଇଁ ଚାଳିଶ ବର୍ଷରେ ଚିନ୍ତା କରି କରି ତା’ର ମୁଣ୍ଡ ଚନ୍ଦା ହୋଇଯାଇଛି, ନିଶ ଠାଏ ଠାଏ ଖଇରା ହେଲାଣି । ସେ ଗୋରୁ ଚରାଇବାଲାଗି ଶାସକ ଦଳରେ ମିଶିନି, ସବା ପଛରେ ଚାଲିବା ପାଇଁ ଜନ୍ମ ହୋଇନି; ଦେଶକାମରେ ଯୋଗ ଦେଇଛି ଭଲ ଭାବରେ ଚଳିବା ଓ ଚଳେଇବା ପାଇଁ । ଆଗରେ ନ ହେଉ, ଅନ୍ତତଃ ଆଗରେ ଚାଲୁଥିବା ଲୋକଙ୍କର ପଛେ ପଛେ ଚାଲିବା ପାଇଁ ।

 

ସେ କଡ଼ା ସ୍ୱରରେ କହିଲା, ତମେ ଦୁହେଁ ବି ଜଳଖିଆ ଖାଇଆସ । ଏଇ ଦଶ ଟଙ୍କା ନିଅ କିନ୍ତୁ ସବୁ ପୋଷ୍ଟର କାନ୍ଥ ବାଡ଼ରେ ମାରିସାରିବା ପରେ ଯାଇ ସତ୍ୟନଗର ଛାଡ଼ିବ । ମୁଁ ଯାଉଛି କାମଅଛି... ।

 

ଗୋପାଳ ଓ ଦୀନବନ୍ଧୁ ଚାଲିଗଲା ପରେ ସେ ସୂର୍ଯ୍ୟୋଦୟ କ୍ଳବକୁ ଗଲା; କିନ୍ତୁ କାହାକୁ ନ ପାଇ ବିରକ୍ତ ହେଲା । ଲୋକଗୁଡ଼ା ନୀଚ, ସ୍ଵାର୍ଥପର ହୋଇଗଲେଣି । ଆଗୁଆ ବହିନା ନେଇ ବି କାମ କରିବାର ନାମ ନାହିଁ । ସେ ଟଙ୍କା ଗଛ ଲଗେଇନି ଯେ ଝାଡ଼ିବାମାତ୍ରେ ଟଙ୍କା ପଡ଼ିବ... । ଗୋଟେ ପିଲାକୁ କହିଲା, ଗୁଲୁ ବା ସଲମତ୍‍ ଅଲ୍ଲୀକୁ ଡାକିଆଣ... ।

 

ଟିକେ ପରେ ସଲାମତ୍‍ ଅଲ୍ଲୀ ଆସି ପହଞ୍ଚିଲା ନିଶ ମୋଡ଼ି ମୋଡ଼ି ।

 

ଅରକ୍ଷିତକୁ ଆଗରେ ଦେଖି ସଲାମ୍‍ କରି କହିଲା, ଆପଣ ମନେପକାଇଲେ ଯେ... ।

 

କାମଥିଲେ ତୁ ମନେପଡ଼ୁ ସଲାମତ୍‍...ଖବର କଅଣ ?

 

ସଲାମତ୍‍ ଆଖିମାରି କହିଲା, କାମ ତ ଫତେ ହୋଇଛି ବାବୁ...କିନ୍ତୁ ଇଞ୍ଜିନିଅର ବାବୁ ଯାହା ଦବାଲାଗି ଚୁକ୍ତି କରିଥିଲେ ଏ ଯାଏ ଦେଇନି... ।

 

ପାଞ୍ଚ ହଜାର ଲେଖା ତ ପାଇଛ ତୁ ଆଉ ଗୁଲୁ... ।

 

-ଗୋଟେ ଜୀବନର ଦାମ୍‌ ଆହୁରି ବହୁତ ବେଶି...

 

-ମୁଁ ବୁଝୁଛି, ତାଙ୍କୁ କହିବ ନିଶ୍ଚୟ ।

 

-ତାଙ୍କ ଷ୍ଟୁଡ଼ିଓ କିନ୍ତୁ ଭଲ ଚାଲିଚି...

 

-କୋଉ ଷ୍ଟୁଡ଼ିଓ ?

 

-ଆପଣ ନ ଜାଣିଲା ପରି ପଚାରୁଛନ୍ତି । ବ୍ଲୁ ଫକ୍‌ସ ଷ୍ଟୁଡ଼ିଓ ତାଙ୍କର ନା ?

 

-ହଁ...

 

-ସେଠାରେ ନଙ୍ଗଳା ମାଇକିନିଆଙ୍କ ଫଟୋ ତୋଳା ହୁଏ...

 

-ତୋତେ କିଏ କହିଲା ?

 

-ସଲାମତ୍‍ ଅଲ୍ଲୀ ଏଡ଼େ ବୋକା ନୁହେଁମ...

 

ଅରକ୍ଷିତ ତାକୁ ପାଖକୁ ଡାକି ତା’ କାନେ କାନେ କହିଲା, ଏସବୁ ଅତି ଗୋପନୀୟ ବିଷୟ ସଲାମତ୍‍ । ଇଞ୍ଜିନିୟରଠାରୁ ତୋ’ ପାଉଣା ମୁଁ ଆଦାୟ କରି ଆଣିବି । ତୁ କିନ୍ତୁ ଭିତର କଥା ବାହାରେ ନ କହୁ ଯେପରି... ।

 

ଅରକ୍ଷିତ ଦାସକୁ ପୁଣିଥରେ ସଲାମ୍‍ କରି ସଲାମତ୍‍ କହିଲା, ହିସାବ ନିକାସ କରିବା ସାର୍... ।

 

ଏଇଠି...ଖୋଲା ଜାଗାରେ ?

 

-କ୍ଷତି କଅଣ, କେହି ପାଖରେ ଥିଲାପରି ଦିଶୁନି ତ ।

 

-କହ... ।

 

-ବ୍ରାଉନ ସୁଗାର ଯାହାଥିଲା ସରିଆସିଲାଣି । କ୍ୟାମ୍ପସରୁ ତାଗିଦା ଆସୁଛି ମାଲ ପଠେଇବା ପାଇଁ । ଚରସ୍‌ ବି ସରିବା ଉପରେ ... ।

 

-ବିକ୍ରୀ ବଢ଼ୁଛି ହୁ ହୁ କରି । ନୂଆ ଭକ୍ତଙ୍କ ସଂଖ୍ୟା ବଢ଼ୁଥିବ ନିଶ୍ଚୟ... ।

 

-ହଁ ସାର୍‌...ଝିଅପିଲା ବି ଆରମ୍ଭ କଲେଣି... ।

 

-ଆହୁରି ଦଳ ବଢ଼ାଓ ସଲାମତ୍‍...ଯେତେ ବେଶି ପିଲା ନିଶା ଧରିବେ ସେତେ ବେଶି ଫାଇଦା ତୋର...

 

-ରେଳ ପୋଲ ତଳେ ରାସଲୀଳା କେମିତି ଚାଲୁଛି ଯଦି ଥରେ ଦେଖନ୍ତେ ସାର୍...

 

-ନା, ମୁଁ ବୁଢ଼ା ହେଲିଣି, ରାସଲୀଳା ଦେଖିବା ଦରକାର ନାହିଁ; କିନ୍ତୁ ଗୋଟେ ବିଷୟ କହିବି କହିବି ହୋଇ କହିପାରୁନି...କଥା ରଖିବୁ ?

 

-କୋଉ କଥା ନ ରଖିଚି ସାର୍ ?

 

-ଇଏ ଅତି ଗୋପନୀୟ ବିଷୟ । ଅନ୍ୟକେହି ଜାଣିଗଲେ ମୁଣ୍ଡ କଟିଯିବ ।

 

-ବଡ଼ ଖରିଦ୍‍ଦାର ନିଶ୍ଚୟ ।

 

-ହଁ,

 

-କିଏ ସେ ?

 

-ଆମ ନେତା ରତିରଞ୍ଜନ ସାମନ୍ତରାୟ ।

 

-କଅଣ ଚାହାଁନ୍ତି, ଚରସ ?

 

-ନା, ନା

 

-ଝିଅ ?

 

-ହଁ । ଦଶ ବର୍ଷ ମନ୍ତ୍ରୀ ଥିଲେ । ମନ୍ତ୍ରୀତ୍ୱ ଗଲାପରେ ବିରାଡ଼ି ବୈଷ୍ଣବ । ମନ ଭଲ ନାହିଁ-। ନିଦ ହେଉନି । ଏଥର ଟିକଟ ପାଇବେ ଶୁଣୁଛି...ଏବେ ତ ଉପ-ସଭାପତି ହେଲେ...ହୃତ୍‍ ଗୌରବ ଧୀରେ ଧୀରେ ଫେରିଆସୁଛି ପୁଣି...

 

-କିନ୍ତୁ ଗୋଟାଏ ସର୍ତ୍ତରେ ?

 

-କହ... ।

 

-ସତ୍ୟନଗରରୁ ଉଚ୍ଛେଦ ହେବାପରେ ମୁଁ ଯେପରି ବାସ୍ତୁହରା ପରି ନ ବୁଲେ ଯୋଉଠି ହେଲେ ବି ଛୋଟ ଜାଗା ଖଣ୍ଡେ...

 

-ପାଇବୁ । ପୁଣି ସେ ମନ୍ତ୍ରୀ ହେବାର ଆଶା ଅଛି, ଆହୁରି ଉପରକୁ ଯିବା ବି ବିଚିତ୍ର ନୁହେଁ ।

 

-ତାଙ୍କ ଘରେ ମାଲ୍‍ ଦରକାର ?

 

-ନା, ନା, ଘରକୁ ଯିବୁ ନାହିଁଟି...ତାଙ୍କ ସ୍ତ୍ରୀ ବି ନେତ୍ରୀ ଯେ...ବାଘୁଣୀ ପରି ଆଖି ଯୋଡ଼ିକ ଶିକାର ଖୋଜି ଖୋଜି ଘୂରି ବୁଲୁଚି ସଦାବେଳେ... ।

 

-ତା’ ହେଲେ ?

 

-ନନ୍ଦନକାନନର ହ୍ରଦ କୂଳରେ ଯେଉଁ ସ୍ୱପ୍ନପୁରୀ ହୋଟେଲ ତିଆରି ହୋଇଛି ଦେଖିଛୁ...?

 

-ଦେଖିନି, ନାମ ଶୁଣିଛି... ।

 

-ସେଇ ଅତ୍ୟାଧୁନିକ ହୋଟେଲ ରତିରଞ୍ଜନଙ୍କର ।

 

-ସେଇଠିକି ନେଇଯିବି...

 

-ହଁ, ନିର୍ଭୟରେ । ରୁମ୍ ନମ୍ବର ୩୧୧; କିନ୍ତୁ ତାଙ୍କ ନାମ ନ କହି କେବଳ ରିସେପସନରେ ଏକ୍‌ସ-ପ୍ରୋ କହିଲେ ଚଳିବ । ଏଇଟା କୋଡ଼୍‍ ନାମ ।

 

-ତାଙ୍କ ସ୍ତ୍ରୀ ଏହା ଜାଣନ୍ତିନି ନିଶ୍ଚୟ ।

 

-ନା । ସେଥିପାଇଁ ତ ସେଇ କୋଠରି ଗୋଟେ ବିଦେଶୀ କମ୍ପାନୀ ନାମରେ ରିଜର୍ଭ ରହିଛି ।

 

-ନାମଟା କାଳେ ଭୁଲିଯିବି ଲେଖି ଦିଅନ୍ତୁ... ।

 

ନାମ ଓ ରୁମ୍ ନମ୍ବର ଲେଖିଦେଇ କହିଲା ଅରକ୍ଷିତ, ଏଇ ଶହେ ଟଙ୍କା ରଖିଥା, ଆଉ ଯାହା ପାଇବାର କଥା ସେଇଠୁ ପାଇବୁ ।

 

-ଗୋଟ କଥା ଅଛି ବାବୁ ।

 

-କହ...

 

-ସାଧିୁ କାଣ୍ଡି ହାଜତରେ; କିନ୍ତୁ ସେଇ ଶଳା ମଧୁ ମାଷ୍ଟର...ସେ ତ ଖସି ଯାଇଛି ।

 

-ସାଧୁକୁ ପୁଲିସ୍ କୁକୁର ଧରିଛି ଯେତେବେଳେ ଖସିଯିବାର ଯୁ ନାହିଁ । ମଧୁମାଷ୍ଟର ନିକମ୍ମା...ଫୁଙ୍କି ଦେଲେ ଉଡ଼ିଯିବ... ।

 

-ଆପଣ ନଜର ରଖିବେ ଟିକେ...

 

ନଜର ରଖିଛି ବୋଲିତ ସେଇ ସତ୍ୟଜିତ୍ ଓକିଲ ପଡ଼ିଛି ଡାକ୍ତରଖାନାରେ ।

 

-କିନ୍ତୁ କାମଟା ପୂରା ହେଲାନି ବାବୁ... ।

 

-ଏଥର ବର୍ତ୍ତିଗଲା ସିନା, ଅନ୍ୟଥରକୁ ତୋତେ କହିବି । ପାରିବୁ ?

 

-ମୁଁ ଯୋଉ କାମ ହାତକୁ ନିଏ, ତାହା ଅଧା...

 

ସେ କଥା ଶେଷ କରିବା ପୂର୍ବରୁ ରାମା ରାଓକୁ ଆସୁଥିବାର ଦେଖି ଚୁପ୍ ହୋଇଗଲା ସଲାମତ୍‍ ।

 

ଅରକ୍ଷିତ ଆଖିମାରି କହିଲା, ଜାଣୁ ?

 

ସଲାମତ୍‍ ମୁରୁକି ହସିଲା କେବଳ ।

 

ରାମା ରାଓ ଚାଲିଯାଉଥିଲା, କଅଣ ଭାବି ଫେରିଆସି କହିଲା, ବସ୍ତି ବର୍ଷାରେ ଭାସୁଥିଲାବେଳେ ଆପଣଙ୍କର ଦିନେହେଲେ ଦେଖା ନ ଥିଲା ବାବୁ... ।

 

ଅରକ୍ଷିତର ଇଙ୍ଗୀତ ପାଇ ଜବାବ ଦେଲା ସଲାମତ୍‍, ଅଦା ବେପାରୀର ଜାହାଜ ଖବର-

 

ରାମା ରାଓ କହିଲା, ତୋତେ ନୁହେଁ, ତାଙ୍କୁ ପଚାରୁଛି ।

 

ସଲାମତ୍‍ ରାମା ରାଓର ଗାଲରେ ଠୋ କିନା ଚାପୁଡ଼ାଏ କସିଦେଇ କହିଲା, ଶଳା...ଛୋଟ ମୁହଁରେ ବଡ଼ କଥା ।

 

ରାମା ରାଓ ହଟିଯିବା ଲୋକ ନୁହେଁ । ଅଚାନକ ମାଡ଼ଖାଇ ସେ ହଡ଼ବଡ଼େଇ ଗଲା ସତ; କିନ୍ତୁ ପର ମୁହୂର୍ତ୍ତରେ ସମ୍ଭାଳିନେଇ କୁଦିପଡ଼ିଲା ସଲାମତ୍‍ ଉପରେ । ଲାଗିଗଲା ଖଣ୍ଡଯୁଦ୍ଧ ।

 

ହାଁ ହାଁ କରି ଦୁହିଁଙ୍କୁ ପରସ୍ପରଠାରୁ ଅଲଗା କରିବା ପାଇଁ ଦଉଡ଼ି ଆସିଲେ ପାଖ ଝୁମ୍ପୁଡ଼ିରୁ କେତେଜଣ ।

 

ସଲାମତ୍‍ ଛାତିରେ ହାତପିଟି ଗର୍ଜନ କରୁଥାଏ...ଶାଲା ହାରାମଜାଦାକୋ ଦେଖ୍‌ ଲେଗା... ।

 

ରାମା ରାଓ ଜଙ୍ଘ ଉପରେ ହାତ ପିଟି ହୁଙ୍କାର ଛାଡ଼ୁଥାଏ...ମାଇଚା ପରି ପଛଉଛୁ କାହିଁକିବେ...ମରଦ ପୁଅ ଯଦି ଆଗେଇ ଆ... ।

 

ହଠାତ୍ ସଙ୍କଟର ସମ୍ମୁଖୀନ ହୋଇ ଅରକ୍ଷିତ କହିଲା, ଛାଡ଼...ଛାଡ଼...ଇଏ ଭଲ କଥା ନୁହେଁ । କଣ୍ଟାବାଡ଼ରେ ଲୁଗା ପକାଇ କଳି କରନା ରାମା ରାଓ...ମୁହଁ ସମ୍ଭାଳି କଥା କହ...

 

ତା’ପରେ ସଲାମତ୍‍କୁ ସାଙ୍ଗରେ ନେଇ ପରାଜିତ କୁକୁର ଲାଙ୍ଗୁଡ଼ ଜାକି ପଳେଇଲା ପରି ସୂର୍ଯ୍ୟୋଦୟ କ୍ଳବ୍ ଛାଡ଼ି ସତ୍ୟନଗରର ପଛପଟେ ରେଳଲାଇନ କଡ଼ ଦେଇ ମାଲଗୋଦାମ ଆଡ଼କୁ ଯାଇଥିବା ରାସ୍ତା ଧରିଲା ଅରକ୍ଷିତ ।

 

ରାସ୍ତା କଡ଼ରେ ଥିବା ଗୋଟିଏ ଦେଶୀ ମଦ ଦୋକାନରେ ସଲାମତ୍‍କୁ ଛାଡ଼ି ଆଗକୁ ଯିବାବେଳକୁ ଅରକ୍ଷିତର ମନେପଡ଼ିଲା ଯେ ସେଇ ବେକାର ଟୋକାଗୁଡ଼ାକୁ ସେ କହିଥିଲା ଦେଖା କରିବା ପାଇଁ କ୍ଳବ ଆଗରେ ।

 

ଆଉଥରେ ଫେରିଗଲେ ହୁଅନ୍ତା ?

 

ନା, ନା, ରାମା ରାଓର ଦଳ ଯଦି ତାକୁ ଏକା ପାଇ ହରକତ କରନ୍ତି ।

 

ଏକମୁହାଁ ରେଳ ଲାଇନ କଡ଼େ କଡ଼େ ଭୁବନେଶ୍ୱର ଷ୍ଟେସନଆଡ଼କୁ ପାଦ ବଢ଼େଇଲା ଅରକ୍ଷିତ ।

 

ସତ୍ୟଜିତ୍ ନିର୍ଦ୍ଧାରିତ ସମୟର ଘଣ୍ଟାକ ପରେ ବି ନ ଆସିବାରୁ ମନରେ ସନ୍ଦେହ କଲା କିଶୋର । ପୁଲିସ୍‍ ବିଭାଗରେ ଚାକିରି କଲାଦିନୁ ସେ ସମସ୍ତଙ୍କୁ ସନ୍ଦେହ କରି ଶିଖିଛି, କାହାକୁ ଦେଖି ଦେଇ, ତା’ର ଜୀବିକା ବା ପଦ ପଦବୀ ଜାଣି ସେ ଲୋକର ଚରିତ୍ର ସମ୍ପର୍କରେ ନିଃସନ୍ଦେହ ହେବା ପୁଲିସ୍ ଚାକିରିର ନୀତିବିରୁଦ୍ଧ ।

 

କିନ୍ତୁ ସତ୍ୟଜିତ୍ ଗଲା କୁଆଡ଼େ ? ଫୋନ୍ କରି ସେ ନ ଆସିବାର କାରଣ କଅଣ ? ଛ’ଅ ସାତଟା ବାଜିଲା । ତଥାପି କୌଣସି ଖବର ନ ପାଇ ଚିନ୍ତିତ ମନରେ ବାଣୀ ବିହାର ରେସ୍ତୋଁରାରୁ ବାହାରି ଆସି ମୋଟର ସାଇକେଲ ଉପରେ ବସି ଅନ୍ୟମନସ୍କ ଭାବରେ ଷ୍ଟାର୍ଟ କଲା ସେ ।

 

ବି.ଜେ.ବି ନଗରରେ ସତ୍ୟଜିତ୍‍ର ଘର ଆଗରେ ସେ ପହଞ୍ଚଲାକ୍ଷଣି ଫାଟକ ଆଗରେ ଛିଡ଼ା ହୋଇଥିବା ଜଣେ ଲୋକ ହଠାତ୍ ପଳାଇ ଯାଉଥିବାର ଦେଖି ତା’ର ପିଛା କଲା କିଶୋର; କିନ୍ତୁ ସେ ତାକୁ ଧରିବା ପୂର୍ବରୁ ସେ କାହାଘରେ ପଶିଗଲା କି ପଛ ରାସ୍ତା ଦେଇ କେନାଲ ଆଡ଼କୁ ବାହାରିଗଲା କିଛି ଜାଣି ନ ପାରି ପୁଣି ଫେରି ଆସିଲା ଫାଟକ ପାଖକୁ । ଅନ୍ୟମନସ୍କ ନ ଥିଲେ ବୋଧହୁଏ ଲୋକଟା ପଳାଇବା ପୂର୍ବରୁ ସେ ତାକୁ ଧରିପକାଇ ଥାଆନ୍ତା । ଅନ୍ୟମନସ୍କତା ଓ ଅପାରଗତା ଲାଗି ନିଜକୁ ଧିକ୍‌କାର କଲା କିଶୋର । ପୁଲିସ୍‍ ଚାକିରି କଲାଦିନୁ ସେ ସଜାଗ ଓ ସତର୍କ ରହିବା ପାଇଁ ଶିଖିଛି, କିନ୍ତୁ ବେଳେ ବେଳେ ଇମିତି ହୁଏ, ଏହାର କାରଣ ସେ ଚେଷ୍ଟା କରି ବି ଜାଣିପାରିନି । କାହିଁକି ଯେ ହଠାତ୍ ମନଟା ଉଦାସ, ପ୍ରାଣ ଚଞ୍ଚଳ ହୋଇ ଉଠେ ତା’ର ମନୋବୈଜ୍ଞାନିକ ରହସ୍ୟ ଏ ଯାଏ ଆବିଷ୍କାର କରିପାରିନାହିଁ ସେ ।

 

ତଥାପି ଆଉ ଚିନ୍ତା ନ କରି ଏହି ଅଞ୍ଚଳରେ ମ୍ୟୁନିସିପାଲିଟିର ବତିଖୁଣ୍ଟଗୁଡ଼ାକରେ ନିଓନ ଲାଇଟ୍ ଜଳୁ ନ ଥିବାର ଲକ୍ଷ୍ୟ କରି ସେ ସ୍ଥିର କଲା ସେ କର୍ତ୍ତୃପକ୍ଷଙ୍କର ଦୃଷ୍ଟି ଆକର୍ଷଣ କରିବ । ଯଦି ବତି ଜଳୁଥାଆନ୍ତା ସହଜରେ ଖସିଯାଇ ପାରି ନ ଥାନ୍ତା ଲୋକଟା । ଅନ୍ଧାର ଓ ଅପରାଧ ପରସ୍ପରର ସହୋଦର ।

 

ସତ୍ୟଜିତ୍‌କୁ ଘରେ ନ ପାଇ କିଶୋର ଚାଲିଲା ଥାନାଆଡ଼େ । ରାତିରେ ଡିଉଟି ନ ଥିଲେ ବି କୌଣସି ଖବର ଅଛି କି ନାହିଁ ବୁଝିଗଲେ ରାତିରେ ଅନ୍ତତଃ ନିଶ୍ଚିନ୍ତରେ ଶୋଇପାରିବ ।

 

କିନ୍ତୁ ଥାନାରେ ପହଞ୍ଚି ସେ ଯାହା ଶୁଣିଲା ତାହା ଚମକାଇ ଦେଲା ତାକୁ ।

 

ପ୍ରାୟ ଛଅଟାର ପାଞ୍ଚ ଦଶ ମିନିଟ୍ ପୂର୍ବରୁ ମୋଟର ସାଇକେଲ ଦୁର୍ଘଟଣାରେ ଆହତ ହୋଇ ଜଣେ ହସ୍‌ପିଟାଲ ଯାଇଛି । ଗାଡ଼ି ଜବତ ହୋଇନି । ପୁଲିସ୍ ଜଗିଛି ସେ ସ୍ଥାନ । ସବ୍‌-ଇନିସ୍‍ପେକ୍‍ଟର ଅଭିରାମ ମାଝୀ ଯାଇଛି ଆହତ ବ୍ୟକ୍ତିର ବକ୍ତବ୍ୟ ନବା ପାଇଁ ଦୁର୍ଘଟଣା ଘଟିବାର ଦୁଇଘଣ୍ଟା ଉତ୍ତୀର୍ଣ୍ଣ ହୋଇ ଯାଇଥିଲେ ବି ଏ ଯାଏ ମୋଟର ସାଇକେଲ ଚାଳକର ନାମ ଓ ଠିକଣା ପହଞ୍ଚିନାହିଁ ଥାନାରେ । ସହକର୍ମୀମାନଙ୍କର ଏପରି ଦୁର୍ଘଟଣା ସମ୍ପର୍କରେ ବିଶେଷ ଆଗ୍ରହ ନ ଥିବାର ଲକ୍ଷ୍ୟ କଲା ସେ ।

 

ରାଜଧାନୀରେ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି । ମାସକୁ ଅତି କମ୍‌ରେ ପାଞ୍ଚ ଛଅଜଣ ମୃତ୍ୟୁମୁଖରେ ପଡ଼ନ୍ତି, ଆଉ ଦଶ ବାଆର ଜଣ ଆହତ ହୋଇ ଡାକ୍ତରଖାନା ଯାଆନ୍ତି । ସହରର ରାସ୍ତାଗୁଡ଼ାକ ମୃତ୍ୟୁଯନ୍ତା ବୋଲି ବିରୋଧୀ ଦଳର ନେତା ବିଧାନ ସଭାରେ କହିଥିଲେ ସେଦିନ । ଟ୍ରାଫିକ୍ ପୁଲିସ୍ ମୁତୟନ ସତ୍ତ୍ୱେ ଟ୍ରାଫି୍‌କ ନିୟମ ଉଲଙ୍ଘନ କରିବାର ବହୁ ଦୃଷ୍ଟାନ୍ତ ଆସୁଛି ଦୃଷ୍ଟିକୁ ।

 

ତଥାପି ଡିଉଟି ଇନିସ୍‌ପେକ୍‍ଟରଙ୍କୁ ସତର୍କ ରହିବାକୁ କହି ସେ ନିଜେ ସିଧା ଗଲା ଡାକ୍ତରଖାନାକୁ ।

 

ସେତେବେଳକୁ ଆହତ ସତ୍ୟଜିତ୍ ଡାକ୍ତରଖାନାକୁ ଆସିବାର ପ୍ରାୟ ତିନିଘଣ୍ଟା ହୋଇଯାଇଥିଲେ ବି ଚିକିତ୍ସିତ ନ ହୋଇ ପଡ଼ିରହିଥାଏ ସେହିପରି । ଡିଉଟି ଡାକ୍ତର ପୁଲିସ୍ ଆସି ବକ୍ତବ୍ୟ ନବା ପରେ ଯାଇ ଚିକିତ୍ସା କରାଯିବା କହି କେଉଁ ବନ୍ଧୁଙ୍କର ବିବାହ ବାର୍ଷିକୀରେ ଭୋଜି ଖାଇବାପାଇଁ ବାହାରି ଯାଇଥାଆନ୍ତି । ଡିଉଟିରେ ଥିବା ନର୍ସ କିଶୋରକୁ ଦେଖି କହିଲା, ଡାକ୍ତର ଆସିଲେ ଯାହା ହେବ... ।

 

ଥାନାରୁ ବକ୍ତବ୍ୟ ନବା ପାଇଁ ଆସିଥିବା ଅଭିରାମ ମାଝୀଙ୍କୁ ସେଠାରେ ନ ଦେଖି ବିବ୍ରତ ବୋଧକଲା କିଶୋର । ସେ ପ୍ରାୟ ଦେଢ଼ଘଣ୍ଟା ହେବ ଆସିଥିଲେ ବି ହସ୍‌ପିଟାଲରେ ନ ପହଞ୍ଚିବାର କାରଣ ଜାଣିପାରିଲା ନାହିଁ ।

 

ଏଥିପାଇଁ ପୁଲିସ୍‍ ଉପରୁ ଆସ୍ଥା ତୁଟି ଯାଉଛି ଜନସାଧାରଣଙ୍କର । ସେମାନଙ୍କର କର୍ତ୍ତବ୍ୟନିଷ୍ଠାରେ ଲୋକଙ୍କର ଘୋର ସନ୍ଦେହ । ଡାକ୍ତରଖାନାର ଅବ୍ୟବସ୍ଥା ସମ୍ପର୍କରେ ନ କହିବା ଭଲ । ଏସବୁ ସତ୍ତ୍ୱେ ଧନ ଜୀବନ ପ୍ରାୟ ନିରାପଦ ରହୁଥିବା ଅତ୍ୟନ୍ତ ଆଶ୍ଚର୍ଯ୍ୟର ବିଷୟ । ଭଗବାନ ଯେ ଅଛନ୍ତି ଏହାହିଁ ବୋଧହୁଏ ତାର ସବୁଠାରୁ ବଡ଼ ପ୍ରମାଣ ।

 

ସତ୍ୟଜିତ୍‌ର ସମ୍ପୂର୍ଣ୍ଣ ଚେତା ଫେରି ନ ଥିଲା ସେତେବେଳ ପର୍ଯ୍ୟନ୍ତ । କିଶୋର ତା’ ପାଖରେ ବସି ଦୁର୍ଘଟଣା ସମ୍ପର୍କରେ, ତା’ର ଅବସ୍ଥା ସମ୍ପର୍କରେ କେତେକ ପ୍ରଶ୍ନ ପଚାରି ବି ସଠିକ୍ ଉତ୍ତର ପାଇପାରିଲା ନାହିଁ । ବେଳେ ବେଳେ ସତ୍ୟଜିତ୍ ଯାହା ଉତ୍ତର ଦେଲା ତାହା ଯେ ସଚେତ ବ୍ୟକ୍ତିର ହୋଇ ନ ପାରେ ଏହା ଅନୁମାନ କରି ତା’ର ଚିକିତ୍ସା ଉପରେ ଯୋର ଦେଲା ସେ ।

 

ଡିଉଟି ଡାକ୍ତର ନନ୍ଦବାବୁ ଭୋଜି ଖାଇ ଫେରିଲେ ପ୍ରାୟ ଏଗାରଟାରେ । ସେତେବେଳେ ପର୍ଯ୍ୟନ୍ତ କିଶୋର କିନ୍ତୁ ଅପେକ୍ଷା କରୁଥିଲା ସେଠାରେ ।

 

ତାକୁ ସେତେବେଳେ ସେଠାରେ ଦେଖିବେ ବୋଲି ଆଶା କରି ନ ଥିଲେ ଡାକ୍ତର ନନ୍ଦ ।

 

ସେ ଚମକି ପଡ଼ିଲା ପରି ଜଣାଗଲା; କିନ୍ତୁ ମୁହଁ ଉପରେ ହସ ଖେଳାଇ କହିଲେ, ଏଇ ଅବେଳରେ ଆପଣ ଏଠାରେ ଯେ... ।

 

-ଜଣେ ଆହତ ଲୋକ ଚିକିତ୍ସା ନ ପାଇ ଚାରି ଘଣ୍ଟା ହେବ ଅପେକ୍ଷା କରୁଛି ଏହା ଆପଣ ଜାଣିଥିବେ ନିଶ୍ଚୟ ।

 

ଡାକ୍ତର ନନ୍ଦ କିଛି ନ ଜାଣିବାର ଛଳନା କରି କହିଲେ, କାହଁ ନା ତ, ମୁଁ ଏଠାରେ ନଅଟା ପର୍ଯ୍ୟନ୍ତ ଥିଲି, କେହି ଆସିନି ମୋ ପାଖକୁ...

 

-ଆପଣ ଏଠାରୁ ନଅଟା ନୁହେଁ, ସାଢ଼େ ସାତଟାରେ ଯାଇଥିବାର ସିଷ୍ଟରଙ୍କଠାରୁ ଶୁଣିଛି...ବର୍ତ୍ତମାନ ଏଗାରଟା ବାଜୁଛି । ତା’ପରେ ଦୁର୍ଘଟଣାରେ ଆହତ ହୋଇଥିବା ସତ୍ୟଜିତ୍ ରାୟଙ୍କୁ ଏଠାକୁ ସାତଟା ପୂର୍ବରୁ ଅଣାଯାଇଥିଲା...ଏ ବିଷୟ ଆପଣ ଜାଣି ନ ଥିବା ସମ୍ଭବ ନୁହେଁ...-

 

ଡାକ୍ତର ନନ୍ଦ ଥତମତ ହୋଇଗଲେ; କିନ୍ତୁ କିଛି ଉତ୍ତର ଦେଇପାରିଲେ ନାହିଁ । ତା’ ପରେ ବୃଥାରେ କାଜୁଏଲଟି ଚାର୍ଜରେ ଥିବା ନର୍ସ ଉପରେ ରାଗିଯାଇ କହିଲେ, ମୁଁ ଟିକେ ଚାଲିଯାଇଥିଲି ବାହାରକୁ...ତମେ ଇମରଜେନ୍‌ସି କେଶ୍‍ ହ୍ୟାଣ୍ଡଲ କରିବା ପାଇଁ ଯେକୌଣସି ଡାକ୍ତରଙ୍କୁ ଡାକି ପାରିଥାଆନ୍ତ...ଯାହା ହବାର ହୋଇଛି ଆଉ ବିଳମ୍ବ ନ କରି ଅପରେସନ୍‍ ଥିଏଟରକୁ ତାଙ୍କୁ ନବା ପାଇଁ ବ୍ୟବସ୍ଥା କର ସିଷ୍ଟର... ।

 

କିଶୋର ନିଜର ଅସନ୍ତୋଷ ଚାପିରଖି ନ ପାରି କହିଲା, ଆପଣ ତାଙ୍କୁ ଦେଖନ୍ତୁ ଆଗ, ଯଦି ସମ୍ମତି ଦିଅନ୍ତି ମୁଁ ତାଙ୍କର ଷ୍ଟେଟ୍‍ମେଣ୍ଟ ନେବି ।

 

ଡାକ୍ତର ନନ୍ଦ ତତ୍ପର ହୋଇ ଉଠିଲେ । ସେ ସତ୍ୟଜିତ୍‌କୁ ଆଗେ ଏଣ୍ଟିଟାଇଟେନାସ୍ ଇଞ୍ଜେକସନ ଦେଇ ତା’ ପରେ କହିଲେ, ମୁଁ ଆଗେ ଅପରେସନ୍‍ ଥିଏଟରକୁ ନେଇ ତାଙ୍କୁ ଦେଖିସାରେ...ତା’ପରେ...

 

କିଶୋର ଅପେକ୍ଷା କରିବାକୁ ଶ୍ରେୟଷ୍କର ମନେକରି କହିଲା, ତାହାହିଁ ହେଉ... ।

 

ସତ୍ୟଜିତ୍‌ର ସମ୍ପୂର୍ଣ୍ଣ ଚେତା ଫେରିଆସିଥିଲା ସେତେବେଳକୁ । ସେ ଯନ୍ତ୍ରଣାରେ ଚିତ୍କାର କରୁଥିଲା ମଧ୍ୟେ ମଧ୍ୟେ । ତା’ ଦେହର ହାତ ବୁଲାଇଆଣି କହିଲା କିଶୋର, ମୁଁ ପାଖେ ପାଖେ ଅଛି,...ଯାହା ହେବାର ହୋଇଯାଇଛି...ଏବେ ଚିକିତ୍ସା ଆରମ୍ଭ ହେଉ... ।

-ଏତେବେଳଯାଏ କେହି ଦେଖି ନ ଥିଲେ ମୋତେ ?

-ନା ।

ସତ୍ୟଜିତକୁ ଅପରେସନ୍ ଥିଏଟରକୁ ନେଇଯିବାପରେ କିଶୋର ୱାର୍ଡ଼ ଭିତରକୁ ପଶିଲା ।

ସର୍ଜିକାଲ ୱାର୍ଡ଼ ବାରଣ୍ଡାରେ ଯନ୍ତ୍ରଣାରେ ଛଟପଟ ହେଉଥିବା ରୋଗୀଟିକୁ ଭୂଇଁ ଉପରେ ଶୋଇଥିବାର ଦେଖି ସେ ପଚାରିଲା, କେବେ ଆସିଲ, ବେଡ଼୍‌ ପାଇନ ଏଯାଏ ।

ସେ କହିଲା ସାତଦିନ ହେବ ଆସିଲିଣି ବେଡ଼୍ ମିଳୁନି । ମୁଁ ମଫସଲରୁ ଆସିଛି ଆଜ୍ଞା...ପେଟ ଭିତରେ ଯନ୍ତ୍ରଣା...ଅପରେସନ୍‍ ହୋଇପାରୁନି ।

-କାହିଁକି

ସେ ଟିକେ ଚାରିଆଡ଼କୁ ଚାହିଁ ନେଇ କୌଣସି ହସ୍‌ପିଟାଲ ଷ୍ଟାଫ ପାଖରେ ନ ଥିବାର ଦେଖି କହିଲା, ଡାକ୍ତର ବାବୁ ପାଞ୍ଚ ଶହ ଟଙ୍କା ମାଗୁଛନ୍ତି...ମୁଁ ଗରିବ ଲୋକ ଏତେ ଟଙ୍କା ନାହିଁ ମୋ ପାଖରେ...ଔଷଧପତ୍ର ପୁଣି ତ କିଣିବାକୁ ପଡ଼ିବ ।

 

-କେଉଁ ଡାକ୍ତର ଦେଖିଛନ୍ତି ତମକୁ...

 

-ନାମ ତ ମନେପଡ଼ୁନି ଆଜ୍ଞା...ଲମ୍ବା ଓ ଗୋରା...ପତଳା

 

-ଡାକ୍ତର ସାନ୍ତରା ?

 

-ହୋଇଥିବେ... ।

 

-କାଲି ମୁଁ ତାଙ୍କୁ କହିବି ତମ ବିଷୟରେ...

 

-ବଡ଼ ଧର୍ମ ହେବ ଆଜ୍ଞା । ପୁଅତ କଲିକତାର ଚଟକଳରେ କାମ କରେ, ଛଅ ମାସ ହେବ ଦରମା ପାଇନି ଫେକ୍‍ଟରୀ ବନ୍ଦ ହୋଇଯାଇଛି ବୋଲି... ।

 

-ଆଉ କେହି ସାଙ୍ଗରେ ଅଛି ?

 

-ଆଉ କିଏ ଆସିବ ? ସ୍ତ୍ରୀ ତ ବାତରୋଗରେ ପ୍ରାୟ ଅଚଳ ଅବସ୍ଥାରେ ଅଛି ଘରେ... ।

 

-ଚିନ୍ତା କରନି, ଯାହା ସମ୍ଭବ କରିବି ମୁଁ । ଏତିକି ମନେରଖ ଯେ ମୋ ନାମ କିଶୋର ଧଳ, ପୁଲିସ୍ ବିଭାଗରେ କାମ କରେ...ଥାନା ପଛପଟେ ମୋ କ୍ୱାଟର... ।

 

-ଜଗନ୍ନାଥ ଆପଣଙ୍କୁ କଲ୍ୟାଣ କରନ୍ତୁ ବାବୁ...

 

-ମୋ ନାମ ହରି ସାହୁ, ସାକିନ କଦମ୍ବପୁର, ଜଗତସିଂହପୁର ଥାନାରେ... ।

 

ତା’ର ଅନତିଦୂରରେ ଶୋଇଥିବା ବୁଲା କୁକୁରଟାକୁ ଖେଦି ସାରି ଡିଉଟିରେ ଥିବା ସିଷ୍ଟରଙ୍କୁ କହିଲା କିଶୋର...ରୋଗୀ ଓ କୁକୁର ଏକା ସ୍ଥାନରେ ଶୋଇଛନ୍ତି...ଆପଣଙ୍କୁ ଦେଖିବାକୁ ଭଲ ଲାଗୁଛି ସିଷ୍ଟର... ।

ସୋ ଗୋଡ଼ ଲମ୍ବେଇ ସ୍ୱସ୍ତିରେ ବସିଥିଲେ, ଏତେ ରାତିରେ ଏପରି ପ୍ରଶ୍ନ ତାକୁ କେହି ପଚାରିବ ତାହା ଆଶା କରି ନ ଥିଲେ ।

 

ଡିଉଟି ସିଷ୍ଟର ନମ୍ରତା ଦେ କହିଲେ, ଇଏ ମୋ କାମ ନୁହେଁ...ୱାର୍ଡ଼ ବୟର କାମ...

 

କିଶୋର ହସିଲା ଟିକେ । ତା’ପରେ କହିଲା, ଆପଣଙ୍କ କାମ ବି କରୁନାହିଁନ୍ତି ଆପଣ...ଏଇ ଭୂଇଁରେ ଯନ୍ତ୍ରଣାରେ ଲୋଟୁଥିବା ରୋଗୀଟି ଆପଣଙ୍କର ଦୟାର ପାତ୍ର ନୁହେଁକି ?

 

-ବେଡ଼୍‍ ତାକୁ ମିଳିନି...ଡାକ୍ତର ଅର୍ଡର ନ ଦେଲେ ମୁଁ କଅଣ କରିବି ?

 

-ଧନ୍ୟବାଦ ସିଷ୍ଟର...ଏତେ ରାତିରେ ଆପଣଙ୍କୁ ବିରକ୍ତ କରିଥିବାରୁ ଦୁଃଖିତ ।

 

କିଶୋର ଆହୁରି ଦେଢ଼ଘଣ୍ଟା ଅପେକ୍ଷା କଲାପରେ ସତ୍ୟଜିତ୍‌କୁ ଅପରେସନ୍‍ ଥିଏଟର ଭିତରୁ ବାହାର କରାଗଲା । ପୁରା ଡାହାଣ ହାତରେ ପ୍ଳାଷ୍ଟର । ବାମଗୋଡ଼ର ଗୋଇଠି ପାଖରେ ହାଡ଼ ଭାଙ୍ଗି ଥିବାରୁ ତାହା ମଧ୍ୟ ପ୍ଳାଷ୍ଟରଦ୍ୱାରା ଆବୃତ । ଡାହାଣ ଆଣ୍ଠୁର କ୍ଷତ ଉପରେ ବ୍ୟାଣ୍ଡେଜ ।

 

ଡାକ୍ତର ନନ୍ଦ କହିଲେ, ହେଲମେଟ୍‍ ଥିଲା ବୋଲି ବଞ୍ଚିଗଲେ... । ତଥାପି କାଲି ଏକ୍‌ସରେ କଲାପରେ ଜଣାପଡ଼ିବ । ଆପଣ ଚାହିଁଲେ ଷ୍ଟେଟ୍‌ମେଣ୍ଟ ନେଇପାରନ୍ତି... ।

 

କିଶୋର ସତ୍ୟଜିତ୍‌ର ଶଯ୍ୟା ପାଖରେ ବସି ଯାହା ଯେପରି ଘଟିଥିଲା ସେ ସମ୍ପର୍କରେ ଲେଖିନେଲା ତା’ର ବକ୍ତବ୍ୟ । ତା’ପରେ ତାକୁ ନିଦ ଇଞ୍ଜେକ୍‌ସନ ଦେଇ ଶୁଆଇଦେବା ପରେ ହସ୍‌ପିଟାଲ ଛାଡ଼ି ଘରକୁ ଯିବାବେଳକୁ ହାତଘଡ଼ି ଦେଖି ମନକୁ ମନ କହିଲା, ସେ-ଦୁଇଟା ପନ୍ଦର ମିନିଟ୍... ।

 

କିନ୍ତୁ ଘରକୁ ନ ଯାଇ ସେ ସିଧା ଗଲା ଥାନାକୁ । ଥାନାରେ ପହଞ୍ଚିବାକ୍ଷଣି ସବ୍‌-ଇନିସପେକ୍‍ଟର ସୁବାସ ରଥ କହିଲା, ଆପଣଙ୍କୁ ଘନ ଘନ ଫୋନ୍ ଆସୁଥିଲା ମନ୍ତ୍ରୀଙ୍କ ଉଆସରୁ...ଯେତେ ରାତି ହେଲେ ବି ଏଇନେ କଥା କହି ନିଅନ୍ତୁ...

 

-ଏଇ ରାତି ଅଢ଼େଇଟାରେ ?

 

-ହଁ, ମନ୍ତ୍ରୀ ସେୟା କହିଛନ୍ତି । କଅଣ ଅତି ଜରୁରୀ କଥା ଅଛି କହୁଥିଲେ ।

 

-ସେ ତ ବୁଝିପାରୁଛି ନିଶ୍ଚୟ... ।

 

କିନ୍ତୁ ତାଙ୍କ ସହିତ କଥା କହିବା ପାଇଁ ରିସିଭର ନ ଉଠାଇ ସତ୍ୟଜିତ୍‌ର ବକ୍ତବ୍ୟ ଓ ଦୁର୍ଘଟଣା ବିଷୟ ଆଗେ ଖାତାରେ ଲେଖିରଖିବା ପାଇଁ କଲମଟା ଉଠାଇନେଲେ କିଶୋର ।

 

କିନ୍ତୁ ସେ ଆରମ୍ଭ କରିବା ପୂର୍ବରୁ ଫୋନ୍‌ଟା ବାଜିଉଠିଲା କ୍ରିଂ...କ୍ରିଂ...କ୍ରିଂ... ।

 

କିଶୋର ରସିଭରଟା ଉଠେଇନେଇ କହିଲା, ହ୍ୟାଲୋ !

 

-କିଶୋର ବାବୁ ଫେରି ନାହିନ୍ତି ?

 

-ଫେରିଛନ୍ତି, ମୁଁ କିଶୋର କହୁଛି...

 

-ହୋମ୍ ମିନିଷ୍ଟର ଖୋଜୁଥିଲେ ଆପଣଙ୍କୁ । ସକାଳେ ଆପଣ ଆସି ଦେଖା କରିବେ ତାଙ୍କୁ; କିନ୍ତୁ ତା’ ପୂର୍ବରୁ ଆପଣଙ୍କୁ ଯାହା କରିବାକୁ ହେବ ତାହା କହିବେ ବିଧାନସଭାର ସଦସ୍ୟ ଶ୍ରୀମୟ ବାବୁ... ।

 

-ହ୍ୟାଲୋ ! ମୁଁ ଶ୍ରୀମୟ କାନୁନ୍‌ଗୋ କହୁଛି...ଆପଣ ଥାନା ଅଫିସର କିଶୋର ବାବୁ ତ... ।

 

-ଆଜ୍ଞା... ।

 

-ଆପଣ ସାଧୁ କାଣ୍ଡି ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ ନ କରି ଅଯଥା ବିଳମ୍ବ କରୁଥିବାରୁ ମନ୍ତ୍ରୀ ସୁଖୀ ନୁହଁନ୍ତି... ।

 

-ଇଏ ଗୋଟେ କମ୍ପ୍ଳିକେଟ କେଶ୍‍...ମୁଁ ଏସ୍. ପି.ଙ୍କୁ ରିପୋର୍ଟ କରିଛି... ।

 

-ଏସ୍. ପି. ମିନିଷ୍ଟରଙ୍କଠାରୁ ବଡ଼ ନୁହଁନ୍ତି... ।

 

-ସେ ତ ନିଶ୍ଚିତ ସାର୍... ।

 

-ଆଉ ଆଜି ଆପଣ ରାତି ଦୁଇଟାଯାଏ ଥାନାରେ ବା ଘରେ କୋଉଠି ନ ଥିଲେ...ମିନିଷ୍ଟର ବହୁବାର ଚେଷ୍ଟା କରିବି ପାଇଲେ ନାହିଁ ।

 

-ମୋର ଡିଉଟି ନଅଟାରେ ଶେଷ କରି ମୁଁ ଅନ୍ୟ କାର୍ଯ୍ୟରେ ବାହାରେ ଥିଲି... ।

 

-କିନ୍ତୁ ହସ୍‌ପିଟାଲରେ କଅଣ କରୁଥିଲେ ଆପଣ ଅଧ ରାତିରେ ?

 

-ମୋର ବନ୍ଧୁ ହଠାତ୍ ଦୁର୍ଘଟଣାରେ ପଡ଼ିବାରୁ ତାଙ୍କୁ ଦେଖିବାକୁ ଯାଇଥିଲି... ।

 

-କେମିତି ଦୁର୍ଘଟଣା...?

 

-ଆକସ୍ମିକ ନୁହେଁ ଇଚ୍ଛାକୃତ ଭାବରେ କେହି ଏହା କରିଥାଇପାରେ ପରି ଲାଗୁଛି...?

 

-ଆପଣ ଜିରାରୁ ଶିରା କାଢ଼ନ୍ତି କାହିଁକି ସବୁବେଳେ...?

 

-ପୁଲିସ୍‌ର କାମ ସେୟା... ।

 

-ମିଛଟାରେ ଅନ୍ୟ ଲୋକଙ୍କର ପିଛା ନ ଲାଗି ଯାହା ଦୁର୍ଘଟଣା ତାହା ଦୁର୍ଘଟଣା ବୋଲି ଧରିନେଲେ ଆକାଶ ଭାଙ୍ଗିପଡ଼ିବ ନାହିଁ, କେଶ୍‍ ଡାଏରୀକୁ ତାହା ଯେପରି ନ ଯାଏ...

 

-କଅଣ କରିବା ଉଚିତ ବା ଅନୁଚିତ ମୁଁ ଜାଣେ...କେଶ୍‍ ଡାଏରୀରେ ଲେଖା ହୋଇଛି ଯେତେବେଳେ ଅନୁସନ୍ଧାନ ତ କରିବାକୁ ପଡ଼ିବ... ।

 

ମିନିଷ୍ଟର ଚାହାନ୍ତି ଏସବୁ ଫାଲତୁ କାମରେ ମନ ନ ଦେଇ ରାଜଧାନୀରେ ଦିନକୁ ଦିନ ବଢ଼ୁଥିବା ଚୋରି ମାଡ଼ଗୋଳ, ନାରୀ ଧର୍ଷଣ ପ୍ରଭୃତି ବନ୍ଦ କରିବା ଲାଗି ଅପରାଧୀମାନଙ୍କୁ ଦୃଢ଼ ହସ୍ତରେ ଦମନ କରନ୍ତୁ... ।

 

-ମନ୍ତ୍ରୀଙ୍କ ଆଦେଶ ମୁଁ ମାନିବାକୁ ବାଧ୍ୟ... ।

 

-କିନ୍ତୁ ଆପଣ ଅପରାଧୀଙ୍କ ପିଛା ନ ଲାଗି ଭଦ୍ରଲୋକଙ୍କ ପିଛା ଲାଗିଛନ୍ତି... ।

 

-ସେ ତ ଆମର ନୀତି ସାର୍ ।

 

-ରାଜଧାନୀ ଥାନାରେ ବହୁ ବର୍ଷ ରହିଗଲେଣି ଆପଣ... ।

 

-ସରକାର ରଖିଛନ୍ତି ବୋଲି ରହିଛି...ବଦଳି କଲେ ଚାଲିଯିବି... ।

 

-ନା, ସେ କଥା କହୁନି । ଆପଣଙ୍କର ଅସୁବିଧା ହେଲେ କହିବେ...ମୁଁ ଯଥାସାଧ୍ୟ ସାହାଯ୍ୟ କରିବି... ।

 

-ଧନ୍ୟବାଦ ।

 

-ମିନିଷ୍ଟର କହୁଥିଲେ ଆପଣଙ୍କ ନାମରେ କେତୋଟି ଗୁରୁତର ଅଭିଯୋଗ ପାଇଛନ୍ତି ।

 

-ସେ ଅନୁସନ୍ଧନ କଲେ ସତ୍ୟାସତ୍ୟ ଜାଣିପାରିବେ... ।

 

-ତଥାପି ସାବଧାନ ହେବା ଭଲ...

 

-କାଲି ସକାଳ ସାତଟାରେ ଦେଖାକରିବେ ମିନିଷ୍ଟରଙ୍କୁ... ।

 

-ଯଥା ଆଜ୍ଞା... ।

 

ବିଧାୟକ ଟେଲିଫୋନ୍ ରଖିଦେଲା ପରେ ବି କିନ୍ତୁ ଏ ପାଖରେ ରିସିଭରଟା ଓହଳି ଥିଲା କିଶୋର ହାତରୁ । ତା’ପରେ ଟେଲିଫୋନ୍‌ଟା ରଖିଦେଇ ସେ କେସ୍‌ ଡାଏରୀରେ ସତ୍ୟଜିତ୍‌ର ଦୁର୍ଘଟଣା ସମ୍ପର୍କିତ ସବୁ ବିଷୟ ଉଲ୍ଲେଖ କରି କ୍ୱାଟରରେ ପହଞ୍ଚିଲାବେଳକୁ ଚରିଟା ବାଜି ସାରିଥିଲା ।

 

ପୂର୍ବାକାଶର କୁଆଁତାର ଆଖି ଠାରି ଯେପରି କହୁଥିଲା କିଶୋରକୁ ଅନ୍ଧାର ପରେ ଆଲୁଅ ଆସିବା ନିଶ୍ଚିତ...ମୋ ପରି ତମେ ବି କର୍ତ୍ତବ୍ୟନିଷ୍ଠ ହୁଅ...ମୋତେ ବି ବେଳେ ବେଳେ ମେଘ ଢାଙ୍କି ପକାଏ...ଲୋକମାନେ ମୋତେ ଦେଖି ନ ପାରି ଭ୍ରମରେ ପଡ଼ନ୍ତି; କିନ୍ତୁ ମୁଁ ନିର୍ଲିପ୍ତ, ନିର୍ବିକାର...ମୁଁ ଯେ ଆଜି ନ ହେଲେ କାଲି ପୁଣି ଦୃଶ୍ୟ ହେବି ସେଥିରେ ନିଃସନ୍ଦେହ । ସତ୍ୟ କେବେ ଲୁଚି ରହେ ନାହିଁ ।

 

କିଶୋର ହାତରେ ସମୟ ଅଳ୍ପ, ସେ କାଳ ବିଳମ୍ବ ନ କରି ପୋଷାକ ବଦଳ କରି ଲମ୍ବା ହୋଇ ଶୋଇପଡ଼ିଲା ।

 

କଲ୍ୟାଣୀ ଦାତବ୍ୟ ଚିକିତ୍ସାଳୟର ଶୁଭ ଉଦ୍‌ଘାଟନ ଦିବସ । ସତ୍ୟନଗର ଓ ଖାରବେଳ ନଗରର ଠିକ୍ ମଝିରେ ପ୍ରଧାନ ରାସ୍ତାକୁ ଲାଗି ନିର୍ମିତ ଏକ ଛୋଟ ଅଥଚ ସୁନ୍ଦର କୋଠାଘର ଗୋବିନ୍ଦ ପୃଷ୍ଟିର ଦାତବ୍ୟ ଚିକିତ୍ସାଳୟ । ପ୍ରଥମେ କେବଳ ହୋମିଓପାଥି ଚିକିତ୍ସା ପାଇଁ କଳ୍ପନା କରିଥିଲେ ଗୋବିନ୍ଦ; କିନ୍ତୁ ପରେ ଏହାର ସମ୍ପ୍ରସାରଣ କରି ଏଲୋପାଥି ମଧ୍ୟ ଯୋଗ କରାହୋଇଛି-। ଜ୍ୱାଇଁ ମାଧବାନନ୍ଦର ପରାମର୍ଶ ଗ୍ରହଣ କରି ଏବଂ ସେ ସଭ୍ୟ ଥିବା ଲାୟନ୍‌ସ କ୍ଳବର ସହଯୋଗ ନେଇ ହୋମିଓପାଥି ସହିତ ଏଲୋପାଥି ବ୍ୟବସ୍ଥା କରାଯାଇଛି । ଦୁଇ ବିଭାଗରେ ଦୁଇଜଣ ଡାକ୍ତର ପ୍ରତିଦିନ ସକାଳେ ଦୁଇଘଣ୍ଟା ମାଗଣାରେ ରୋଗୀ ଦେଖି ନିଦାନ ଲେଖିଦେବେ । ଏହା ସହିତ ପ୍ରାଥମିକ ଚିକିତ୍ସା ଓ ପ୍ରସୂତି ବିଭାଗ ମଧ୍ୟ ରହିଛି । ପ୍ରସୂତି ବିଭାଗରେ ଜଣେ ଧାଈ ଓ ଜଣେ ଡାକ୍ତରାଣୀ ଅଛନ୍ତି ।

 

ବଡ଼ ଧୂମ୍‍ଧାମରେ ଦାତବ୍ୟ ଚିକିତ୍ସାଳୟ ଉଦ୍‌ଘାଟନ ଉତ୍ସବର ଆୟୋଜନ କରିଥିଲେ ଶ୍ୱଶୁର ଓ ଜ୍ୱାଇଁ । ଜନସମାଗମ ମଧ୍ୟ ଭଲ ହୋଇଥିଲା । ମାଧବାନନ୍ଦ ନିଜର ପାରଙ୍ଗମପଣିଆ ଦେଖାଇବାରେ ହେଳା କରି ନ ଥିଲା । ସାହିରେ ଦାଦା ଓ ନେତାମାନଙ୍କ ସାହାଯ୍ୟରେ ଅନେକ ଲୋକଙ୍କୁ ଆଣିଥିଲା ଉଦ୍‌ଘାଟନ ଉତ୍ସବକୁ । ସାଜସଜ୍ଜା ମଧ୍ୟ ବେଶ୍‍ ରୁଚିପୂର୍ଣ୍ଣ ହୋଇଥିଲା । ମନ୍ତ୍ରୀ ମହୋଦୟ ଖୁସି ହୋଇ କହିଲେ, ଆପଣଙ୍କ ଜ୍ୱାଇଁ ଯେ ଏଡ଼େ କରିତକର୍ମା ତାହା ଆଗରୁ ମୁଁ ଜାଣି ନ ଥିଲି ଆଦୌ । ତାଙ୍କର ସଙ୍ଗଠନ ଶକ୍ତି ଅପୂର୍ବ, ଏହା ଦେଶ ଗଠନ କାର୍ଯ୍ୟରେ ବିନିଯୋଗ କରିବାର ବହୁ ଉଜ୍ଜ୍ୱଳ ସମ୍ଭାବନା ରହିଛି ।

 

ଗୋବିନ୍ଦ ପୃଷ୍ଟି କୃତକୃତ୍ୟ ହୋଇ କହିଲା, ଏଇ ଗୋଟିଏ ତ ଜ୍ୱାଇଁ ସାର୍...ଜ୍ୱାଇଁ ନୁହେ ଯେ ପୁଅ । ଆଙ୍ଗୁଳି ଦେଖାଇଲେ ବାହା ଗିଳିଯିବେ । ଆପଣ ତାଙ୍କୁ କାମରେ ଲଗାନ୍ତୁ... ।

 

ମାଧବାନନ୍ଦ ଶ୍ୱଶୁରଙ୍କ ଇଙ୍ଗୀତ ପାଇ ପାଦଧୂଳି ମୁଣ୍ଡରେ ମାରି କହିଲା, ଆହୁରି ଅନେକ କାମ କରିବାର ଇଚ୍ଛା ଅଛି ସାର୍...କିନ୍ତୁ ଡର ମାଡ଼ୁଛି...

 

-ଏଇଟା ଓଡ଼ିଶା... । ତା’ ମୁହଁରୁ କଥା ଛଡ଼ାଇ ନେଇ କହିଲେ ମନ୍ତ୍ରୀ । ତା’ ପରେ ଯୋଗ କଲେ ପରଶ୍ରୀକାତରତା ଓଡ଼ିଆ ଚରିତ୍ରର ଭୂଷଣ । ତମେ କିନ୍ତୁ ଭୃକ୍ଷେପ ନ କରି ଆଗେଇ ଯାଅ...କିଛି ଅସୁବିଧା ହେଲେ ମୁଁ ଅଛି... ।

 

ଗଦ୍‌ଗଦ ହୋଇ କହିଲା ଗୋବିନ୍ଦ, ଲୋକଙ୍କର ଚାହିଦା ବଢ଼ୁଛି...ଦାବି ମଧ୍ୟ ହେଉଛି ରାମ ମନ୍ଦିର ଓ ଗୁରୁଦ୍ୱାର ମଝିରେ ଗୋଟିଏ ବିଲାତି ମଦ ଦୋକାନ ଖୋଲିବା ପାଇଁ, ବାଣୀବିହାର ଆଗରେ ସିନେମା ହଲଟିଏ କରିବା ପାଇଁ... । ମାଧବ ପାଣ୍ଠି ଯୋଗାଡ଼ କରିସାରିଲାଣି । ଦୁଇ ଜାଗାର ଦୁଇଖଣ୍ଡ ପ୍ଳଟ ମଞ୍ଜୁର ହେଲେ ନିଅଁ ଦିଆଯିବ... ।

 

ମନ୍ତ୍ରୀ ଗୋବିନ୍ଦର କାନ ପାଖରେ ଫିସ୍‌ଫିସ୍‌ କରି କହିଲେ, ସରକାର ନିଶା ନିବାରଣ କଥା କହୁଛନ୍ତି, ବିଲାତି ମଦ ଦୋକାନ ପାଇଁ ଜମି ଓ ପରମିସନ ଦେଲେ ବିରୋଧୀ ଦଳ ସହ୍ୟ କରିପାରିବେ ନାହିଁ, ବରଂ ଆପଣ ଫାଷ୍ଟଫୁଡ଼୍ ରେସ୍ତୋଁରାଟିଏ ଖୋଲିବା ପାଇଁ ଜମି ମାଗନ୍ତୁ, ସେଥିରେ ଫାଷ୍ଟଫୁଡ଼୍ ବି ମିଳିବ ଆଉ ଯାହାର ଲୋଡ଼ା ସେ ପାନ ଭୋଜନ ବି କରିପାରିବ ।

 

ମାଧବ ଆନନ୍ଦରେ ଉଦ୍‌ବେଳିତ ହୋଇ କହିଲା, ଦେଖିଲ ବାପା, ନ ହେଲେ ସାର୍ ମନ୍ତ୍ରୀ ହୋଇଥାଆନ୍ତେ ।

 

ଗୋବିନ୍ଦ କହିଲା, ମୁଖ୍ୟମନ୍ତ୍ରୀ ହେବାର ଆଶା ବି ଅଛି... । ଯୋଉ ତାନ୍ତ୍ରିକ କାର୍ଯ୍ୟ ସିଦ୍ଧି ପାଇଁ ଯଜ୍ଞ କରିବେ ସେଥିପାଇଁ ଯାହା ଆବଶ୍ୟକ ସବୁ ଯୋଗାଇ ଦିଅ ମାଧବ... ।

 

ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ, ନିର୍ବାଚନ ପାଖ ହୋଇ ଆସୁଛି... । ବହୁ ଅର୍ଥର ପ୍ରୟୋଜନ । ଆପଣମାନେ ତ ଆମ ପାର୍ଟିର ପୃଷ୍ଠପୋଷକ ଓ ସମର୍ଥକ... ।

 

ଗୋବିନ୍ଦ କହିଲା, ଆଜି ରାତିରେ ମାଧବ ନିଜେ ଯାଇ ଦେଇଆସିବ...କିନ୍ତୁ ସାର୍ ! କାଳେ ସମୟ ହେବନି ପରେ କହିବା ପାଇଁ, ତେଣୁ ଅନୁମତି ହେଲେ ଏଇନେ କହି ଦିଅନ୍ତି... ।

 

-କୁହନ୍ତୁ ସମୟ ହୋଇଗଲାଣି...

 

-କଳିଙ୍ଗ ହାଉସ ନିର୍ମାଣ କରିବା ଲାଗି କଣ୍ଟ୍ରାକ୍‍ଟ ଯେପରି ମାଧବ ନାମରେ ହୁଏ...

 

-କିନ୍ତୁ ତାହା ତ ମୋ ବିଭାଗ ଅଧୀନରେ ନୁହେଁ, ପୂର୍ତ୍ତମନ୍ତ୍ରୀଙ୍କର । ସେ ପୁଣି କେମିତି ଲୋକ ଆପଣ ଜାଣନ୍ତି... ।

 

-ସବୁଜାଣେ ବୋଲି ତ ଆପଣଙ୍କୁ କହୁଛି ସାର୍...ଆପଣ ମୁଖ୍ୟମନ୍ତ୍ରୀଙ୍କ କାନରେ କଥାଟା ପକେଇଦେଲେ ସବୁ ଅଡ଼ୁଆ ତୁଟିଯିବ । ଏଥିରୁ ଯାହା ଲାଭ ହେବ ନିର୍ବାଚନ ପରି ଏକ ମହନୀୟ କାର୍ଯ୍ୟରେ ଲଗାଇବା ପାଇଁ ଆପଣ ଯେପରି କହିବେ ସେହିପରି ବ୍ୟବସ୍ଥା କରାଯିବ ।

 

-ଇଏତ ନିର୍ବାଚନ ଯୁଦ୍ଧ ନୁହେଁ, ଆଜ୍ଞା...ଧର୍ମ ଯୁଦ୍ଧ ବା ନ୍ୟାୟ ଯୁଦ୍ଧ... । ଗୋଟିଏ ପଟେ ଧର୍ମ, ନ୍ୟାୟ ଓ ସତ୍ୟ...ଅନ୍ୟ ପଟେ ଅନ୍ୟାୟ ଓ ଅସତ୍ୟ ମହାଭାରତ ଯୁଦ୍ଧ ପରି ।

 

କହିଲା ମାଧବାନନ୍ଦ ।

 

ମନ୍ତ୍ରୀ କହିଲେ, ମୁଁ ଚେଷ୍ଟା କରିବି ନିଶ୍ଚୟ, କିନ୍ତୁ ପାର୍ଟି ଫଣ୍ଡକୁ ଯାହା ଦେବେ ତାହାତ ପାର୍ଟି ତହବିଲଢ଼ିକୁ ଚାଲିଯିବ... । ମୋ ନିର୍ବାଚନ ମଣ୍ଡଳୀ ଛଡ଼ା ମୋତେ ଆହୁରି କୋଡ଼ିଏଟା ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ନବାକୁ ହେବ । ଆଜିରୁ ନିଜ ଲୋକଙ୍କୁ ଠିକ୍ ଜାଗାରେ ରଖିବା ଲାଗି ପ୍ଳାନ ନ କଲେ ଶେଷ ମୁହୂର୍ତ୍ତରେ ସବୁ ଭଣ୍ଡୁର ହୋଇଯିବ... ।

 

ଗୋବିନ୍ଦ କହିଲା, ନିର୍ବାଚନରେ ବ୍ୟବହାର କରିବା ପାଇଁ ଜିପ୍ ଦୁଇଖଣ୍ଡ ତ ମାଧବ ଦବ ଆପଣଙ୍କୁ...ତା’ ବାଦ ପଚିଶ ଲକ୍ଷ ପ୍ରଥମ କିସ୍ତିରେ... । ଆମ କଥା କିନ୍ତୁ ମନେରଖିବେ ସାର୍...ଆମେ ନିମିତ୍ତ ମାତ୍ର ଯାହା କଥାରେ କହନ୍ତି...ତୋହର ବିତ୍ତ ତୋତେ ଦେଇ, ମଝିରେ ମଧ୍ୟସ୍ଥ ବୋଲାଇ... ।

 

ଆଉ ସମୟ ନଷ୍ଟ ନ କରି ମନ୍ତ୍ରୀ କହିଲେ, ଆପଣ ଆଉ ବିଳମ୍ବ ନ କରି ଶୁଭ କାର୍ଯ୍ୟ ଆରମ୍ଭ କରନ୍ତୁ ।

 

ମାଧବ ବାହାରକୁ ଯାଇ ଦେଖିଆସି ଜଣାଇଦେଲା ଯେ ପାଞ୍ଚ ହଜାର ଲୋକ ଉତ୍କଣ୍ଠାର ସହିତ ମନ୍ତ୍ରୀଙ୍କ ଶୁଭାଗମନକୁ ଅପେକ୍ଷା କରୁଛନ୍ତି... ।

 

ମନ୍ତ୍ରୀ ମଞ୍ଚ ଉପରକୁ ଉଠିଲାକ୍ଷଣି ଜୟଧ୍ୱନିରେ କମ୍ପି ଉଠିଲା ସଭାସ୍ଥଳ । ପୁଷ୍ପ ବୃଷ୍ଟି ହେଲା ଚତୁର୍ଦ୍ଦିଗରୁ । ସତରଟା ଅନୁଷ୍ଠାନ ପକ୍ଷରୁ ପୁଷ୍ପ ମାଲ୍ୟ ଦିଆଗଲା ମନ୍ତ୍ରୀଙ୍କୁ । ଶେଷରେ ନିଜେ ଗୋବିନ୍ଦ ପୃଷ୍ଟି ବାଙ୍ଗାଲୋରରୁ ସକାଳ ଫ୍ଳାଇଟ୍‌ରେ ଆଣିଥିବା ଦଶକିଲୋ ଓଜନର ଗୋଲାପ ମାଳ ମନ୍ତ୍ରୀଙ୍କ ଗଳାରେ ଲମ୍ବାଇ ଦେବାବେଳେ ଜନତାର ଜୟଧ୍ୱନି ଶୀର୍ଷ ବିନ୍ଦୁରେ ପହଞ୍ଚିଲା ।

 

ମନ୍ତ୍ରୀ ନାତିଦୀର୍ଘ ଉଦ୍‌ବୋଧନ ଦେଇ କହିଲେ, ଜାତିର ପ୍ରାଣରେ ସ୍ପନ୍ଦନ ଜାଗୁଛି । ଜାଗୁଛି ଏ ଦେଶର ଜନତା । ଦେଶପାଇଁ, ଜନଗଣଙ୍କ ହିତ ପାଇଁ ତ୍ୟାଗ କରିବାର ମାହେନ୍ଦ୍ର ବେଳା ଆସିଛି, ଏହାର ଉପଯୋଗ କର । ଯେଉଠି ଅନ୍ୟାୟ, ଅନାଚାର, ଭ୍ରଷ୍ଟାଚାର ଦେଖୁଛ ତା’ ବିରୁଦ୍ଧରେ ଲଢ଼େଇ କର । ଦେଶ ପାଇଁ ତ୍ୟାଗ କର । ମୋ ହାତମୁଠା ଟାଣ କର ।

 

ଜୀବନ ସୁନ୍ଦର, ଆହୁରି ସୁନ୍ଦର ଯିଏ ଜୀବନକୁ ମହାନ ଓ ନିରାମୟ କରିବାରେ ସହାୟତା କରେ ସେଇ ବ୍ୟକ୍ତି ବା ଅନୁଷ୍ଠାନ । ଗୋବିନ୍ଦ ପୃଷ୍ଟି ଖାଲି ଗୋଟାଏ ନାମ ନୁହେଁ, ଏହା ଏକ ଅନୁଷ୍ଠାନ, ଉତ୍ସର୍ଗୀକୃତ ସେବାର ପ୍ରତୀକ । ତାଙ୍କରି ଦାନଦ୍ୱାରା ପ୍ରତିଷ୍ଠିତ ହେଉଥିବା ଏଇ କଲ୍ୟାଣି ଦାତବ୍ୟ ଚିକିତ୍ସାଳୟ ଆନନ୍ଦର ସହିତ ମୁଁ ଉଦ୍‌ଘାଟନ କରୁଛି ।

 

ମନ୍ତ୍ରୀ ଏହା କହିବା ମାତ୍ରେ ଗୋଟିଏ ପ୍ରକାର ପରିଧାନରେ ସୁସଜ୍ଜିତା ପାଞ୍ଚଜଣ ଛାତ୍ରୀ ଶଙ୍ଖ ବଜେଇଲେ, ଦୁଇଜଣ ଛାତ୍ରୀ ମନ୍ତ୍ରୀଙ୍କ ଦୁଇ ପାଖରେ ଛିଡ଼ା ହେଲେ ଏବଂ ଟେବୁଲ ଉପରେ ଥିବା ସୁଇଚ ମନ୍ତ୍ରୀ ଟିପିବାକ୍ଷଣି ସିଲ୍‌କ ପରଦା ଅପସରିଯାଇ ଅନାବୃତ ହେଲା ମାର୍ବଲଢ଼ି ପ୍ରସ୍ତର ଫଳକ...

 

ଅଦ୍ୟ ଶୁକ୍ରବାର ଇଂରାଜୀ ଏଗାର ସେପ୍‌ଟେମ୍ବର ୧୯୮୮

କଲ୍ୟାଣୀ ଦାତବ୍ୟ ଚିକିତ୍ସାଳୟ

ଓଡ଼ିଶାର ମାନ୍ୟବର ନଗର ଉନ୍ନୟନ ମନ୍ତ୍ରୀ

ଶ୍ରୀ ନିର୍ମଳ ହୃଦୟ ଗମାଙ୍ଗୋଙ୍କ କରକମଳଦ୍ୱାରା ଉଦ୍‌ଘାଟିତ ହେଲା ।

 

ରାଧା ସ୍କୁଲରୁ ଫେରିଆସିଲେ ଅଲଗା ହୋଇଯାଏ ଜୀବନଧାରାରୁ । ସେ ଅନୁଭବ କରେ ଜୀବନ ପ୍ରବାହରୁ ବିଚ୍ଛିନ୍ନ ହୋଇପଡ଼ୁଥିବା ଏକ ବିଚିତ୍ର କ୍ଳାନ୍ତ ନିସଙ୍ଗତା । ବର୍ଷାଋତୁ ସରି ଶରତ ଋତୁ ଚାଲିଛି । ଆକାଶ ସମ୍ପୂର୍ଣ୍ଣ ମେଘମୁକ୍ତ ନ ହେଲେ ବି ଶରତର ମେଘରେ ଯେ ଜଳ ନ ଥାଏ ଏହା କିଏ ଏ ନ ଜାଣେ । ସେଇ ନିର୍ଜଳା ମେଘ ଖଣ୍ଡେ ପରି ସେ ବି ଉଡ଼ି ବୁଲୁଛି, ଦବା ପାଇଁ ଯାହା ସଞ୍ଚି ରଖିଥିଲା ଆଜନ୍ମରୁ ତାହା ଦେଇସାରି ନିଃସ୍ୱ ହୋଇଯାଇଛି । ସୁଧାଂଶୁକୁ ଭୁଲିଯାଇଥିଲେ ବି ବେଳେ ବେଳେ ସେ ମନେପଡ଼େ ଅଚାନକ ଦମକା ପବନରେ ବନ୍ଦ କବାଟ ଖୋଲିଯିବା ପରି । ଦିନେ ସେ ଥିଲା ତା’ ଜୀବନର କେନ୍ଦ୍ରବିନ୍ଦୁ । ତା’କୁ ନେଇ ସେ ସ୍ୱପ୍ନ ଦେଖୁଥିଲା, କଳ୍ପନାର ସୌଧ ନିର୍ମାଣ କରୁଥିଲା, ଆଶାର ବାଲିଘର ତୋଳୁଥିଲା; କିନ୍ତୁ ଆଜି ବୁଝୁଚି, ତାହା କେଡ଼େ ନିରର୍ଥକ, ନିଷ୍ଫଳ ଥିଲା ତା’ ଜୀବନରେ ।

 

ଘରେ ଥରେ ଭାଙ୍ଗିଗଲେ ଆଉଥରେ ସହଜରେ ସଜାଡ଼ି ହୁଏନାହିଁ, ସଜାଡ଼ିବା ଲାଗି ଚେଷ୍ଟା କଲେ ବି ସେଇ ସଜଡ଼ା ଘରଟି ଆଉ ପୂର୍ବପରି ଦିଶେନାହିଁ ।

 

ରାଧାର ଜୀବନରେ ନୂଆ ହୋଇ ଆଉ ଥରେ ଘର ସଜାଡ଼ିବାର ସରସତା ବା ଆସ୍ପୃହା ନାହିଁ । ଏହାହିଁ ବୋଧହୁଏ ତାକୁ ଦେଇଛି ବ୍ୟର୍ଥ ଜୀବନର ଅକୁହା ନିଷ୍କରୁଣ ଅନୁଭବ । ଏହାହିଁ ବୋଧହୁଏ ସୃଷ୍ଟିକରେ ତା’ ଭିତରେ ଅଭାବବୋଧର ଅନାହୃତ ଯନ୍ତ୍ରଣା ।

 

ଖବରକାଗଜ ପଢ଼ି ସେ ଜାଣିଲା ଯେ ସତ୍ୟଜିତ୍ ଦୁର୍ଘଟଣାରେ ଆହତ ହୋଇ ଡାକ୍ତରଖାନାରେ । ଇସ୍ ଆଜିକୁ ଚାରିଦିନ ହେଲାଣି, ଅଥଚ ସେ ସତ୍ୟଜିତ୍‌କୁ ସୌଜନ୍ୟତା ରକ୍ଷା କରି ଥରେ ଦେଖିଆସି ପାରିଲା ନାହିଁ । ସ୍କୁଲରୁ ବସାକୁ ନ ଫେରି ସେ ସିଧା ଗଲା ହସପିଟାଲକୁ ।

 

କେବିନ ଖାଲି ନ ଥିବାରୁ ଏଯାଏ ଜେନେରାଲ ୱାର୍ଡ଼ରେ ରହିଥିଲା ସତ୍ୟଜିତ୍ । ସର୍ଜିକାଲ ୱାର୍ଡ଼ର ଏକତିରିଶ ନମ୍ବର ବେଡ଼ । ମୁଣ୍ଡ ଉପରେ ଝରକା । ଝରକା ଖୋଲା ଥିଲେ ସେ ପାଖରେ ଚମ୍ପା ଗଛ ଦୃଷ୍ଟିରେ ପଡ଼େ । ସବୁଜ ପତ୍ର ଗହଳରୁ ସୁନା ରଙ୍ଗର ଚମ୍ପାଫୁଲ ବେଳେବେଳେ ମଥା ହଲାଇ ସ୍ୱାଗତ ଜଣାଏ ।

 

ସେଇ ଚମ୍ପା ଗଛର ଡାଳରେ ବସି ଅପେକ୍ଷା କରୁଥିବା ହଳଦୀବସନ୍ତ ସତ୍ୟଜିତ୍‌ର ଦୃଷ୍ଟିରେ ପଡ଼ୁ ନ ଥିଲା; କିନ୍ତୁ ତା’ର ଶଯ୍ୟାର ନିକଟବର୍ତ୍ତୀ ହେବାକ୍ଷଣି ରାଧା ଦେଖିପାରିଲା ହଳଦୀବସନ୍ତକୁ । ସେ ଯେପରି ଜଗିଛି ସତ୍ୟଜିତ୍‌କୁ ଏବଂ ତା’ର ଅନାଗତ ଭବିଷ୍ୟତକୁ ।

 

ଆସିଲାବେଳେ ମାଷ୍ଟରକ୍ୟାଣ୍ଟିନ ଛକରୁ କିଣି ଆଣିଥିବା ଗୋଲାପ ଫୁଲ ଗୋଛାଏ ସତ୍ୟଜିତ୍‌କୁ ବଢ଼ାଇଦେଇ କହିଲା ରାଧା, ମୁଁ ଆଜି ଖବରକାଜରୁ ଜାଣିଲି...

 

ତା’ ହାତରୁ ପୁଷ୍ପଗୁଛ ବାମ ହାତରେ ନେଇ କାହିଲା ସେ, ଏଇ ଫୁଲ ପରି ମଣିଷର ମନ ନିର୍ମଳ ହୁଅନ୍ତାକି...

 

-କେମିତି ଲାଗୁଛି... । ବଡ଼ କଷ୍ଟ ପାଇଥିବ ଏଇ କେତେଦିନ...ଭାଗ୍ୟକୁ ଏତିକିରେ ରକ୍ଷା କଲେ ଭଗବାନ... ।

 

-ତମେ ଭଗବାନଙ୍କର ବଡ଼ ଭକ୍ତ ପାଲଟି ଯାଇଛ ଦେଖୁଛି...

 

ରାଧାର ମନେପଡ଼ିଗଲା କଲେଜ ଜୀବନର କଥା । ଦେନେ ଈଶ୍ୱର ଅଛନ୍ତି କି ନାହିଁ ସେ ସମ୍ପର୍କରେ କଲେଜରେ ଯେଉଁ ଡିବେଟ ହୋଇଥିଲା ସେଥିଲେ ରାଧା ଈଶ୍ୱର ନାହାନ୍ତି ବୋଲି ଯୁକ୍ତି କରିଥିଲା ସତ୍ୟଜିତ୍ ସହିତ ଏକମତ ହୋଇ । ଏଇ ସାତ ଆଠ ବର୍ଷର ସେ ଅନେକ ବଦଳି ଯାଇଛି, ପୃଥିବୀ ମଧ୍ୟ । ଈଶ୍ୱର ହୁଏତ ଅଛନ୍ତି ଜଗତରେ, ନ ହେଲେ ସେ କଅଣ ବୁଲି ବୁଲି ପୁଣି ଛାଡ଼ିଯାଇଥିବା ବିନ୍ଦୁକୁ ଫେରିଆସି ପାରିଥାଆନ୍ତା ।

 

ରାଧା କହିଲା, ସେଦିନ ବିଶ୍ୱାସ କରୁ ନ ଥିଲି; କିନ୍ତୁ ଆଜି ସନ୍ଦେହ ନାହିଁ ମନରେ...

 

ଏତେବଡ଼ ଟ୍ରାନ୍‌ସଫରମେସନ ହେଲା କିପରି ?

 

-ତମର କ’ଣ କମ ଟ୍ରାନ୍‌ସଫରମେସନ ହୋଇନି ?

 

-ଉତ୍ତର ଦେଲ ନାହିଁ ଯେ...

 

-ସବୁ ଉତ୍ତର ସବୁବେଳେ ଦିଆଯାଏନା...

 

-ଛାଡ଼ ସେ କଥା, ତମେ କିନ୍ତୁ ଆସିବ ବୋଲି ମୁଁ ଜାଣିଥିଲି...

 

-ତମେ ଖବର ଦେଇ ନ ଥିଲ କାହିଁକି ଯେ ?

 

ତମ ପ୍ଳଟ ନମ୍ବର ଜାଣି ନ ଥିଲି । ପ୍ଳଟ ନମ୍ବର ଥାଇ ବି ଯଦି ଗୋଟେ ଘର ଖୋଜିବା ଏତେ କଷ୍ଟକର ହୋଇପାରେ ଏଇ ରାଜଧାନୀରେ ପ୍ଳଟ ନମ୍ବର ନ ଥାଇ ଜଣକୁ ବାହାର କରିବା କି ମୁସ୍କିଲ ହୁଅନ୍ତା କୁହ ତ !

 

-ଏମିତି କିପରି ହେଲା ? ତମେ କଅଣ ଅନ୍ୟମନଷ୍କ ହୋଇଯାଇଥିଲ?

 

-ନା, ଦୁର୍ଘଟଣା ଏମିତି ହୁଏ...ଖାଲି ତମେ ସାବଧାନ ହେଲେ ତ ଚଳିବ ନାହିଁ, ତମ ଆଗରୁ ପଛରୁ କଡ଼ରୁ ଆସୁଥିବା ଲୋକ ବି ସାବଧାନ ହେବା ଦରକାର । ଆଉ ମୋ କ୍ଷେତ୍ରରେ ମୁଁ ସାବଧାନ ହୋଇ ବି ଦୁର୍ଘଟଣାରୁ ରକ୍ଷା ପାଇପାରି ନ ଥାନ୍ତି...

 

-ତା’ର ଅର୍ଥ ?

 

-ମୋତେ ଲାଗୁଛି ଟ୍ରକ୍‌ଟା ମୋ ପିଛା ଧରିଥିଲା... ।

 

ଆଶ୍ଚର୍ଯ୍ୟରେ ଆଖି ଯୋଡ଼ିକ କପାଳ ଉପରକୁ ଉଠିଗଲା ରାଧାର । ସେ କହିଲା, ମାଇଁ ଗଡ଼୍‌... ।

 

-ସେଇ ଈଶ୍ୱର ରକ୍ଷାକଲେ ରାଧା, ନ ହେଲେ ମୁଁ ମରିଯାଇ ଥାଆନ୍ତି... ।

 

ତା’ ମୁହଁ ଉପରେ ହାତ ଦେଇ କହିଲା ରାଧା, ଥାଉ ସେପରି କୁହନା... ।

 

-କହିବାକୁ ମୋର ଆଜି ସଙ୍କୋଚ ନାହିଁ ଯେ ତାଙ୍କ ସ୍ଥିତିରେ ମୋର ବିଶ୍ୱାସ ଅଟଳ ହୋଇଯାଇଛି... ।

 

-ବିଶ୍ୱାସ ଇମିତି ଆସେ । ସତ୍ୟର ସ୍ଥାନ ମାଡ଼ିବସିବା ମିଥ୍ୟାକୁ ଯେତେବେଳେ ଆଉ କେହି ଘୁଞ୍ଚେଇ ଦିଏ...

 

-କିନ୍ତୁ ବୁଝିପାରୁନି ମୋ ପଛରେ ଲାଗିବାର ଉଦ୍ଦେଶ୍ୟ... । ମୁଁ ତ କାହାକୁ ଶତ୍ରୁ ବୋଲି ଭାବେନା... ।

 

-ତମେ ଭାବନା; କିନ୍ତୁ ତମେ ତା’ର ଶତ୍ରୁ ବୋଲି ଆଉ କେହି ଭାବୁଥିବ ।

 

-ସେ ଯାହା ହେଉ...ବଡ଼ ଦୁର୍ଯୋଗ ଗୋଟାଏ କଟିଗଲା... ।

 

-ଗୋଟେ କଥା କହିବି...

 

-କୁହ

 

-ମାନିବ ତ ?

 

-ନିଶ୍ଚୟ ।

 

-ତମେ ନିଜ ବିଷୟରେ ଏତେଟା ନିର୍ଲିପ୍ତ ନ ହେବା ଭଲ ।

 

-ମୁଁ ପିଲାଦିନୁ ଏହିପରି... ।

 

-ଏବେ ପିଲା ନୁହେଁ, ବଡ଼ ହୋଇଛ...ଜୀବନଟା ପିଲାଖେଳ ନୁହେଁ ।

 

-କିଶୋର କହୁଥିଲା କଅଣ ଜାଣ ?

 

-କିଶୋର କିଏ ?

 

-କିଶୋର ଧଳ, ପୁଲିସ୍‍ ଇନିସ୍‌ପେକ୍‍ଟର...ମୋର ବହୁଦିନର ସାଙ୍ଗ ।

 

-କଅଣ କହୁଥିଲେ ସେ ?

 

-ଏଇ ଦୁର୍ଘଟଣା ପଛରେ ଆଉ କାହାର ହାତ ଅଛି ।

 

-ତମେ କଅଣ ଭାବୁଛ ?

 

-ମୁଁ ଭାବିପାରୁନି କିଛି...କିନ୍ତୁ କିଶୋର ଅନୁମାନ କରୁଛି ଯେ ମୁଁ ଏବେ ଯେଉଁ କେଶ୍‍ ହାତକୁ ନେଇଛି ତା’ସହିତ ଏହାର କିଛି ସମ୍ପର୍କ ଥିବ ।

 

-କୋଉ କେଶ୍‍ ?

 

-ସାଧୁ କାଣ୍ଡିର ଓକିଲ ମୁଁ...

 

-ଆମ ବସ୍ତିର ସାଧୁ କାଣ୍ଡି ?

 

-ହଁ...ଏଇ କେଶ୍‍ ସହିତ ଆଉ ଗୋଟେ କେସ୍‌ର ସମ୍ପର୍କ ବି ଥାଇପାରେ...

 

-ଆହୁରି ?

 

-ହଁ, ସୁକୁମାର ମିଶ୍ରର ଡ୍ରଗ ବିଜିନେସ...

 

ଠିକ୍ ଏହି ସମୟରେ ଥରମୋଫ୍ଳାସ୍କରୁ ଚା’ ଢାଳିବା ଲାଗି ସାଇଡ଼୍ ଟେବୁଲ ଉପରୁ କପ୍‌ଟା ନବା ପାଇଁ ଉଠିଗଲାବେଳେ ଜଣେ ଲୋକ ଝରକା ନିକଟରେ ଛିଡ଼ା ହୋଇ ସେମାନଙ୍କର କଥାଭାଷା ଶୁଣୁଥିବା ପରି ଲାଗିଲା ରାଧାକୁ । ହୁଏତ ସେ ୱାର୍ଡ଼ ବୟ ହୋଇଥାଇପାରେ ଏହା ସନ୍ଦେହ କରି ଟିକେ ରହିଗଲା ସେ । ତା’ପରେ ପଚାରିଲା ସତ୍ୟଜିତ୍‌କୁ ତୁମେ ପାଖକୁ ଭିଜିଟର କେହି ଆସିଛନ୍ତି ବୋଧହୁଏ... ।

 

ୱାର୍ଡ଼ ବୟ ସେତିକିବେଳେ ସେଠାରେ ପହଞ୍ଚି କହିଲା, ଔଷଧ ଆଣିବା ପାଇଁ ପଠେଇଲେ କାହାକୁ ?

 

-ନା, ମୋ ସାନଭାଇ ଆସିବାର ବେଳ ହୋଇଗଲାଣି, ସେ ଆସିଲେ ଆଣିବ... ।

 

-ଝରକା ପାଖରେ ଏତେ ସମୟ ଧରି ଯୋଉ ଲୋକଟା ଛିଡ଼ା ହୋଇଥିଲା ସେ ଆପଣଙ୍କ ନିଜ ଲୋକ ନୁହେଁ... ।

 

ଆଶ୍ଚର୍ଯ୍ୟ ହୋଇ କହିଲା ସତ୍ୟଜିତ୍-ନା ତ...

 

ସେତେବେଳକୁ ସେଇ ଅପରିଚିତ ଲୋକଟା ନାଗାଲର ବାହାରେ । ସେ କେତେବେଳେ ଖସିଗଲା କେହି ଜାଣିପାରିଲେ ନାହିଁ; କିନ୍ତୁ ତା’ର ଉପସ୍ଥିତି ପ୍ରମାଣ ରଖି ଦେଇଗଲାଯେ ହସପିଟାଲରେ ମଧ୍ୟ ସତ୍ୟଜିତ୍‌ର ଜୀବନ ନିରାପଦ ନୁହେଁ, ଏଠାରେ ମଧ୍ୟ ଅବାଧ ପ୍ରବେଶ ଅସାମାଜିକ ବା ଅନାବଶ୍ୟକ ଲୋକଙ୍କର ।

 

ବିସ୍ମୟର ସୀମା ରିହିଲାନି ରାଧାର । ସେ ପ୍ରକୃତରେ ଡରିଗଲା ଏସବୁ ଦେଖି; କିନ୍ତୁ ସତ୍ୟଜିତ୍ ତାକୁ ଆଶ୍ୱାସନା ଦେଇ ଚିନ୍ତା ନ କରିବା ପାଇଁ କହିଲା । ଯିଏ ଆସିବ ଆସୁ, କେହି ତା’ର ଶତ୍ରୁ ନୁହେଁ... ।

 

ରାଧା କିନ୍ତୁ ଏତେବଡ଼ ଗୁରୁତର ବିଷୟକୁ ଏପରି ଲଘୁ କରିଦେଇ ପାରିଲା ନାହିଁ । ସେ ଚା’ କପ୍‌ଟା ସତ୍ୟଜିତ୍‌ର ମୁହଁ ପାଖରେ ରଖି କାହିଲା, ଚା’ ପିଅ...ତା’ପରେ ଅନ୍ୟକଥା ।

 

ନିଜ ହାତରେ ତାକୁ ଚା’ ପିଆଇ ସି. ଡ଼ି. ଏମ୍. ଓ. ଙ୍କ ଅଫିସଆଡ଼କୁ ଗଲା ରାଧା ।

 

ସି. ଡ଼ି. ଏମ୍. ଓ. ଡାକ୍ତର ଗନ୍ତାୟତ ସେତେତବେଳ ନ ଥିଲେ ଅଫିସରେ; କିନ୍ତୁ ଡେପୁଟି ସି. ଡ଼ି. ଏମ. ଓ. ଡାକ୍ତର ଛୋଟରାୟ ଥିଲେ ଅଫିସରେ । ତାଙ୍କୁ ଏ ପ୍ରସଙ୍ଗରେ ସବୁ ବିଷୟ ନ କହି ହସ୍‌ପିଟାଲକୁ ଅବାଧ୍ୟରେ ଅବାଞ୍ଛିତ ଲୋକ କିପରି ଆସନ୍ତି ସେହି ବିଷୟ କେବଳ କହି ସମସ୍ତଙ୍କର ସ୍ୱାର୍ଥଦୃଷ୍ଟିରୁ ଏହା ବନ୍ଦ ହେବା ଉଚିତ କହି ସେ ଫେରୁଥିଲାବେଳେ, ଏକସ୍‌-ରେ କୋଠରି ଆଗରେ, ଦେଖାହୋଇଗଲା ଜଣେ ଲୋକ ସହିତ । ଲୋକଟି ଯୁବକ । ବୟସ ତିରିଶ ବତିଶ ମଧ୍ୟରେ । ଉଚ୍ଚତା କମ୍ ନୁହେଁ କି ବେଶି ନୁହେଁ, ପାଞ୍ଚ ଫୁଟ ପାଞ୍ଚ ଇଞ୍ଚ ହୋଇପାରେ । ଗଠନଟି ହୃଷ୍ଟପୁଷ୍ଟ, ମୁଣ୍ଡବାଳ ଚିକ୍‌ଣ କଳା ଏବଂ ଆଖିର ଆକର୍ଷଣ ଏଡ଼ି ନ ପାରିବା ଭଳି । ବର୍ଣ୍ଣ ଶ୍ୟାମଳ ।

 

-ସେ ରାଧା ଆଗରେ ଛିଡ଼ାହୋଇ ଯାଇ କହିଲା, ଚିହ୍ନି ପାରୁଛନ୍ତି ?

 

-ନା ତ ଆପଣଙ୍କୁ ଦେଖିଲା ପରି ତ ମନେହେଉନି ।

 

-ଦେଖିଛନ୍ତି...କିନ୍ତୁ ଅନ୍ଧାରରେ...ତେଣୁ ମନେନାହିଁ, ଆପଣ ଶ୍ରୀମତୀ ରାଧା ମହାପାତ୍ର ନା ? ସତ୍ୟନଗରରେ ରହନ୍ତି... ।

 

-ହଁ... ।

 

-ମୁଁ ଚିରଋଣୀ ଆପଣଙ୍କ ନିକଟରେ, ଆପଣଙ୍କ ଭାଇପରି ।

 

-କିନ୍ତୁ ମୁଁ ତ ଚିହ୍ନିଲା ପରି ମନେହେଉନି । ଆଉ ଆପଣ ମୋ ନିକଟରେ ଋଣୀ ହେବେ ବି ବା କାହିଁକି ?

 

-ଆପଣଙ୍କର ମନେ ନ ଥିବ; କିନ୍ତୁ ମୋର ମନେଅଛି । ସେଦିନ ରାତିରେ ଆପଣ ମୋର ଜୀବନ ରକ୍ଷା କରିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ... ।

 

ହଠାତ୍ ପଛକଥା ମନେପଡ଼ିଗଲା ରାଧାର । ଏଇ ତା’ହେଲେ ସେଦିନର ସେଇ ଅପରିଚିତ ଆଗନ୍ତୁକ ଯାହାର ଜୀବନ ବିପନ୍ନ ଜାଣି ମଧ୍ୟ ସେ ଛାଡ଼ି ଦେଇଥିଲା, ଚାଲିଯିବା ପାଇଁ । ସେ ଦିନ ବିଶ୍ୱାସ କରିପାରୁ ନ ଥିଲା; କିନ୍ତୁ ବିଶ୍ୱାସ କରିବାଲାଗି ଇଚ୍ଛା ହେଉଛି ଯେ ଏଇ ଲୋକ ଅପରିଚିତ, ଅଜଣା ହୋଇପାରେ; କିନ୍ତୁ ବିଶ୍ୱାସଘାତକ ହୋଇ ନ ପାରେ... ।

 

-ମୋ ନାମ ଶ୍ୟାମଳେନ୍ଦୁ ପଟ୍ଟନାୟକ । ତିନି ନମ୍ବରରେ ରହେ... ।

 

ତଥାପି ରାଧାର ମୁହଁରୁ ବିସ୍ମୟର ଚିହ୍ନ ସମ୍ପୂର୍ଣ୍ଣ ଅପସରି ଯାଇ ନ ଥିବାର ଲକ୍ଷ୍ୟ କରି ଶ୍ୟାମଳେନ୍ଦୁ କହିଲା, ମୁଁ ଗୋଟେ କାମରେ ହସ୍‌ପିଟାଲ ଆସିଥିଲି, ତାହା କରିବା ଆଗରୁ ଆପଣଙ୍କ ସହିତ ଦେଖାହୋଇଗଲା । ମୋର ପରମ ସୌଭାଗ୍ୟ ।

 

ରାଧା ସୌଜନ୍ୟତା ରକ୍ଷା କରିବା ପାଇଁ ପଚାରିଲା, କେହି ବନ୍ଧୁ ବା ଆତ୍ମୀୟ ପୀଡ଼ିତ କି-?

 

ନା, କିନ୍ତୁ ଜଣେ ପୀଡ଼ିତ ବ୍ୟକ୍ତିକୁ ଦେଖିବାଲାଗି ଆସିଥିଲି, ତାକୁ ବନ୍ଧୁ କହିପାରନ୍ତି, ଭାଇ କହିପାରନ୍ତି, ସର୍ଜିକାଲ ୱାର୍ଡ଼ରେ ଅଛି... ।

Unknown

 

ତଥାପି ତା’ ଆଖିରେ ବିସ୍ମୟର ବିହ୍ୱଳତା ଦେଖି ପରିଷ୍କାର କରିଦବା ପାଇଁ କହିଲା ଶ୍ୟାମଳେନ୍ଦୁ-ମୁଁ ବରାବର ଏଠାକୁ ଆସେ ଯୋଉମାନେ ଅନାଥ, ଅସହାୟ ବା କିଛି ସାହାଯ୍ୟ ଚାହାଁନ୍ତି ସେମାନଙ୍କୁ ଯଥାସାଧ୍ୟ ସାହାଯ୍ୟ କରେ । ସେଦିନ ସେମିତି ଗୋଟାଏ କାମରେ ଯାଇଥିଲି ସତ୍ୟନଗର...କିନ୍ତୁ ଫଳ ହେଲା ଓଲଟା ।

 

ଏତେବେଳ ନିର୍ମଳ ଚିତ୍ତରେ ନିସଙ୍କୋଚ ମନରେ କହିଲା ରାଧା-ଆପଣ ସମାଜସେବୀ...ସେବାଧର୍ମଠାରୁ ବଳି ଆଉ... ।

 

-ନା, ସେପରି କିଛି ନୁହେଁ । ଲୋକଙ୍କର ଏତେ ସମସ୍ୟା ଅଛି ଯେ ତାହା ସମାଧାନ କରି ନ ପାରି ସେମାନେ ହତାଶା ମଧ୍ୟରେ ଘାଣ୍ଟି ଚକଟି ହୁଅନ୍ତି । ସମ୍ବଳ ବା ସଂକଳ୍ପ କାହିଁ, ଏତେ ସମସ୍ୟାର ସମାଧାନ କରିବା ପାଇଁ ? ମୁଁ କିନ୍ତୁ ପାରୁପର୍ଯ୍ୟନ୍ତ ଚେଷ୍ଟାକରେ, ଅନ୍ୟାୟ ଅବିଚାର ବିରୁଦ୍ଧରେ, ଦାରିଦ୍ର୍ୟ ଓ ରୋଗ ବିରୁଦ୍ଧରେ ଲଢ଼ୁଥିବା ଲୋକ ପାଖରେ ଛିଡ଼ାହେବା ପାଇଁ... ।

 

-ମୋର ଜଣେ ବନ୍ଧୁ ଆକ୍‌ସିଡ଼େଣ୍ଟର ପଡ଼ି ଚିକିତ୍ସିତ ହେଉଛନ୍ତି, ଦେଖିବାକୁ ଆସିଥିଲି...-

 

-ଚାଲନ୍ତୁ, ମୁଁ ବି ଦେଖିଆସେ । ଦୁହେଁ ଚାଲିଲେ ସର୍ଜିକାଲ ୱାର୍ଡ଼ ଆଡ଼େ । ଶ୍ୟମାଳେନ୍ଦୁ କହି ଚାଲିଥାଏ ହସ୍‌ପିଟାଲ କଥା, ରୋଗୀଙ୍କ କଥା, ରୋଗର କଥା... ।

 

ରୋଗ ବଢ଼ୁଛି ରୋଗୀଙ୍କ ସଂଖ୍ୟା ବି ବଢ଼ୁଛି । ଯାହା ପୁଞ୍ଜିଥିଲା ତାହା ଶେଷକରି ଦେବାଳିଆ ହୋଇଗଲାଣି ଜାତି, ନ ହେଲେ ଯାହା ଅଛି ବାଣ୍ଟିକୁଣ୍ଟି ଭୋଗ ନ କରି, ଥୋକେ ଭୋଗ ଓ ପ୍ରାଚୁର୍ଯ୍ୟରେ ସୁଖରେ ଥିଲାବେଳେ ବେଶି ଲୋକ ଦୁର୍ଭୋଗ ଓ ଲାଞ୍ଛନା ଭିତରେ କାଳକାଟୁ ନ ଥାନ୍ତେ । ତ୍ୟାଗକରିବା ପାଇଁ ଜନସାଧାରଣଙ୍କୁ ଯେଉଁମାନେ ପ୍ରବର୍ତ୍ତାଉଥିଲେ ସେମାନେ ଭୋଗବିଳାସରେ ବେଶ୍‌ ଆରାମରେ ଅଛନ୍ତି । ଦୁର୍ବଳକୁ ବଞ୍ଚିତ କରି ବିତ୍ତଶାଳୀ ହେବା ପାପ ବ୍ୟତୀତ ଅନ୍ୟ କଅଣ ହୋଇପାରେ ?

 

ରାଧା ଶୁଣୁଥାଏ, ମଝିରେ ମଝିରେ ହଁ ଟିଏ କରି ସମର୍ଥନ ଜଣାଉଥାଏ ଶ୍ୟାମଳେନ୍ଦୁକୁ ।

 

ସତ୍ୟଜିତ୍‌ର ଶଯ୍ୟା ପାଖକୁ ଆସି କହିଲା ରାଧା, ସତ୍ୟଜିତ୍‌ ରାୟ, ଆଡ଼ଭୋକେଟ୍‌ ।

 

ତାକୁ ନମସ୍କାର କରି କହିଲା ଶ୍ୟାମଳେନ୍ଦୁ ନାମ ଶୁଣିଥିଲି, ଦେଖି ନ ଥିଲି । ଆଜି ପରିଚିତ ହୋଇ କୃତାର୍ଥ ହେଲି; କିନ୍ତୁ ଏପରି ଏକ୍‌ସିଡ଼େଣ୍ଟ କିପରି ହେଲା ?

 

-ମ୍ୟାନ୍‌ମେଡ଼୍‌... । କହିଲା ସତ୍ୟଜିତ୍‌ ।

 

ଶ୍ୟାମଳେନ୍ଦୁ କହିଲା, ହଁ ସବୁ ମନୁଷ୍ୟକୃତ । ମଣିଷ ଅମୃତର ସନ୍ତାନ ହୋଇପାରେ, କିନ୍ତୁ ଅହରହ ଗରଳ ଭକ୍ଷଣ କରୁଛି । ନିଜ ହାତରେ ନିଜର ଭବିଷ୍ୟତ ଧ୍ୱଂସ କରୁଛି... ।

 

ଶ୍ୟାମଳେନ୍ଦୁ ବେଶ୍‌ ପ୍ରଗଳ୍‌ଭ, ତା’ର କଥାରେ ପରକୁ ଆପଣାର କରିବାର ସ୍ନିଗ୍‌ଧ ମଧୁରତା । ଅଥଚ ଚିହ୍ନି ନ ଥିଲା ବୋଲି ଏପରି ଲୋକଟିକୁ ସେ ସନ୍ଦେହ କରିଥିଲା ସେଦିନ ବିପଦ ମୁହଁକୁ ଠେଲିଦବାଲାଗି କୁଣ୍ଠାବୋଧ କରି ନ ଥିଲା । ଯଦି ସେମାନେ ଲୁଚିଛପି ରହିଥାଆନ୍ତେ ଆଖପାଖରେ, ଜୀବନ ନେଇ ଫେରି ଯାଇପାରି ନ ଥାନ୍ତା ଶ୍ୟାମଳେନ୍ଦୁ । ଅଥଚ ନିଜଲାଗି ସେ ଯାଇ ନ ଥିଲା ସତ୍ୟନଗର । କାହାକୁ ସାହାଯ୍ୟ କରିବା ପାଇଁ ଯାଇଥିଲା... । ପରକୁ ସାହାଯ୍ୟ କରିବା ଲୋକକୁ ପରମେଶ୍ୱର ବୋଧହୁଏ ଡରନ୍ତି, କାଳେ ତାଙ୍କ ସହ ପ୍ରତିଯୋଗିତାରେ ସେ ତାଙ୍କଠୁ ବଳିଯିବ ବୋଲି, ନ ହେଲେ ଏପରି ଲୋକଙ୍କୁ ବିପଦ ପଡ଼େ କାହିଁକି, ସେମାନେ ସଙ୍କଟର ସମ୍ମୁଖୀନ ହୁଅନ୍ତି କାହିଁକି ?

 

ସତ୍ୟଜିତ୍‌ କହିଲା, ବଡ଼ ଖୁସିହେଲି ଆପଣଙ୍କ ସହିତ ପରିଚିତ ହୋଇ । ଏହାପରେ ଆମେ ବନ୍ଧୁ... ।

 

-ନା, ଭାଇ ଭାଇ ... । କହିଲା ଶ୍ୟାମଳେନ୍ଦୁ ।

 

-ତାହାହିଁ ହେଉ । ତମେ ବୟସରେ ମୋଠାରୁ ସାନହେବ ବୋଧହୁଏ । ମୁଁ ଅଠସ୍ତରିରେ ବି.ଜେ.ବିରୁ ବି. ଏସ. ସି. ପାସ୍‍ କରିଥିଲି... ।

 

-ମୁଁ ଏକାଅଶୀରେ । ଆପଣ ମୋଠାରୁ ବଡ଼ । ଆଜିଠୁ ଭାଇନା ବୋଲି ଡାକିବି... ।

 

ସତ୍ୟଜିତ୍‌ ରାଧାଆଡ଼େ ଅନେଇଲା... ।

 

ଶ୍ୟାମଳେନ୍ଦୁ କହିଲା, ମୁଁ ବୋଧହୁଏ ଆପଣଙ୍କଠାରୁ ବଡ଼ ବୟସରେ ... ।

 

ହଁ, ମୁଁ ଆପଣଙ୍କୁ ଡାକିବି ଭାଇନା ।

 

ତିନିହେଁ ହସିଉଠିଲେ ପର୍ବତ ଉପରୁ ଓହ୍ଲେଇ ଆସୁଥିବା ନିର୍ମଳ ନିର୍ଝରିଣୀ ପରି ।

 

ହସ୍‌ପିଟାଲର ପରିବେଶ ହଠାତ୍‌ ଉଚ୍ଚକିତ ହୋଇଉଠିଲା ।

 

ମ୍ୟୁନିସିପାଲଟି ଓ ଇଷ୍ଟେଟ୍‍ ଡିପାର୍ଟମେଣ୍ଟର କର୍ମଚାରୀମାନେ ଜବର ଦଖଲ ହୋଇଥିବା ଜମିର ସର୍ଭେ କରିବାକୁ ଆସି ଅପଦସ୍ତ ହୋଇ ଫେରିଯିବା ପରେ ପ୍ରଶାସନର ଜିଦ୍‌ ଚାଲିଲା ବସ୍ତି ବାସିନ୍ଦାଙ୍କୁ ଉଚ୍ଛେଦ କରିବା ପାଇଁ । ସେମାନେ ଯଦି ଖାଲି ସର୍ଭେ କରି, କିଏ କୋଉ ସ୍ଥାନ ଦଖଲ କରିଛନ୍ତି ତାହା ଲିପିବଦ୍ଧ କରି ଚାଲି ଯାଇ ଥାଆନ୍ତେ ତାହେଲେ ଅସନ୍ତୋଷର କାରଣ ଉପୁଜି ନ ଥାନ୍ତା; କିନ୍ତୁ ସର୍ଭେ କଲାବେଳେ ସେମାନଙ୍କର ଚର୍ଚ୍ଚା କରିଥିଲେ ବସ୍ତି ବାସିନ୍ଦାମାନେ । ସୁର୍ଯ୍ୟୋଦୟ କ୍ଲବ ଗୃହରେ ଲିମ୍‌କା, ଥମ୍‌ସ ଅପ୍‌, କୋକାକୋଲା ପ୍ରଭୃତି ଦେଇ ସେମାନଙ୍କୁ ଆପଣାର କରିବାଲାଗି ଚେଷ୍ଟା କରିଥିଲେ ଲୋକମାନେ । ଦିନ ବାରଟା ସମୟରେ କେବଳ ଶୀତଳ ପାନୀୟଦ୍ୱାରା ସେମାନଙ୍କର କ୍ଷୁଧା ତୃଷା ନିବୃତ୍ତ ହେବ ଏହା ଭାବିଲାକ୍ଷଣି ରାଗରେ ଜଳି ଉଠିଲେ କର୍ମଚାରୀମାନେ । ସତ୍ୟନଗର ପାଖରେ ନୂଆ କରି ଯେଉଁ ବାଣୀବିହାର ରେସ୍ତୋରାଁ ଖୋଲିଛି ସେଠାରେ ସେମାନଙ୍କର ପାନ ଓ ଭୋଜନର ବ୍ୟବସ୍ଥା ବସ୍ତିବାଲା କରିବେ ବୋଲି ଆଶା କରିଥିଲେ ସେମାନେ । ତାହା ନ ହେବାରୁ ସେମାନେ ଅସନ୍ତୁଷ୍ଟ ହେବା ସ୍ୱାଭାବିକ । ସେମାନେ ସର୍ଭେ କରିବା ସମୟରେ ବଡ଼ ବଡ଼ ଲୋକ ବି ସେମାନଙ୍କର ଚର୍ଚ୍ଚା କରନ୍ତି, କେହି କେହି ଘରକୁ ବି ନିମନ୍ତ୍ରଣ କରନ୍ତି ଭୋଜନ ପାଇଁ । କେଉଁଠାରେ ସେମାନଙ୍କୁ ହୋଟେଲରେ ବି ଚର୍ଚ୍ଚା କରାଯାଏ । ସର୍ବସାଧାରଣଙ୍କର କାମ କରିବାକୁ ଆସିଥିଲାବେଳେ ସେମାନଙ୍କର ଅକୁଣ୍ଠ ସହଯୋଗ ସହିତ ସେମାନଙ୍କର ଖାଦ୍ୟପେୟ, ସୁବିଧା ଅସୁବିଧା ମଧ୍ୟ ବିହିତ ବ୍ୟବସ୍ଥାର ଅନ୍ତର୍ଗତ । ଲୋକଗୁଡ଼ା ଉଦ୍ଧତ ହୋଇଗଲେଣି ବୋଲି ମନେକଲେ ରେଭେନିଉ ଇନିସ୍‌ପେକ୍‍ଟର । ଆଇନ୍‌ଶୃଙ୍ଖଳା ଶାସନ ହାତରୁ ସାଧାରଣ ଲୋକଙ୍କ ହାତକୁ ଚାଲିଗଲାଣି ବୋଲି ଭାବିଲେ ଅମୀନ ଓ ସର୍ଭେୟର । କାଳେ କାମରେ କେହି ବାଧା ଦେଇପାରେ, ଏହା ଆଶଙ୍କା କରି ଜଣେ ଦାରୋଗା ଓ ଦୁଇଜଣ କନେଷ୍ଟବଳ ସେମାନଙ୍କ ସାଙ୍ଗରେ ଆସିଥିଲେ । ଜୀବନରେ ଯେଉଁମାନଙ୍କ କାମ କରିବାକୁ ଆସିଛନ୍ତି ସେହିମାନଙ୍କଦ୍ୱାରା ଅବହେଳିତ ହେବା ପ୍ରଥମ ଏଇ ପୁଲିସ୍‌ କର୍ମଚାରୀଙ୍କ ପକ୍ଷରେ । ସେମାନେ ଧରିନେଲେ ଯେ କୌଣସି ଖଳଲୋକଦ୍ୱାରା ପ୍ରରୋଚିତ ହୋଇ ସତ୍ୟନଗରର ବସ୍ତି ଲୋକେ ଏପରି କରିବାକୁ ସାହସ କରିପାରିଲେ ।

 

ସେଇ ମଧୁ ମାଷ୍ଟର କଥା ମନେପଡ଼ିଲା ସମସ୍ତଙ୍କର । ସେଇ ହୋମିଓପାଥି ଡାକ୍ତରରୁ ମାଷ୍ଟର ହୋଇଥିବା ଲୋକଟା ଯେ ନାଟର ଗୋବର୍ଦ୍ଧନ ତାହା ଅନୁମାନ କରିବା କଷ୍ଟକର ହେଲା ନାହିଁ । ପୁଲିସ୍‌ ଦାରୋଗା ତ ଜୋର୍‌ ଦେଇ ଜଣାଇଲେ ଯେ ସର୍ଭେ କଲାବେଳେ ସେଇ ମାଷ୍ଟର ବାରମ୍ବାର ଅସହଯୋଗ କରିବା ଦେଖାଯାଇଥିଲା ଏବଂ କେତେ ସ୍ଥାନରେ ସଠିକ୍‌ ବିବରଣୀ ସରକାରୀ କର୍ମଚାରୀଙ୍କୁ ନ ଦେବାଲାଗି ଲୋକମାନଙ୍କୁ ପ୍ରବର୍ତ୍ତାଇଥିଲେ ସେ ।

 

ତା’ ପରଦିନ ଜଣେ ଏକ୍‍ଜିଉକିଉଟିଭ୍‌ ମାଜିଷ୍ଟ୍ରେଟ୍‌ଙ୍କ ନେତୃତ୍ୱରେ ଦଳେ ପୁଲିସ୍‌ ଓ ମୁନିସିପାଲିଟି, ବି.ଡ଼ି.ଏ. ଏବଂ ଇଷ୍ଟେଟ୍‌କର୍ମଚାରୀମାନେ ସକାଳ ଆଠଟାରେ ଯେତେବେଳେ ଆସି ପହଞ୍ଚିଲେ ସତ୍ୟନଗର ବସ୍ତିର ପ୍ରବେଶ ପଥରେ, ସେମାନଙ୍କୁ ଏତେ ସଂଖ୍ୟାରେ ଏକତ୍ର ଆସିଥିବାର ଦେଖି ପ୍ରମାଦ ଗଣିଲେ ଲୋକମାନେ । ଏଥର ସେମାନଙ୍କୁ ଉଚ୍ଛେଦ କରିବା ପାଇଁ ସରକାର ବୋଧହୁଏ ଦୃଢ଼ ସଂକଳ୍ପ ।

 

ମାପଚୁପ ଓ ସର୍ଭେ କାର୍ଯ୍ୟ ପୂରା ଦମ୍‌ରେ ଆରମ୍ଭ ହେଲା । ସେମାନେ କଅଣ କରୁଛନ୍ତି ତାହା ଦେଖିବା ପାଇଁ କୌତୂହଳବଶତଃ ଅନେକ ବସ୍ତିବାସିନ୍ଦା ଆସି ଠୁଳହେଲେ ସେଠାରେ । ସେମାନଙ୍କର ସଂଖ୍ୟା କ୍ରମଶଃ ବଢ଼ୁଥିବାର ଦେଖି କାଳେ ସେମାନେ ସରକାରୀ କାର୍ଯ୍ୟରେ ବାଧା ଦେଇପାରନ୍ତି ଏହା ଆଶଙ୍କା କରି ସମସ୍ତଙ୍କୁ ସତର୍କ କରିଦେଇ ଘୋଷଣା କଲେ ମାଜିଷ୍ଟ୍ରେଟ୍‌, ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ଅସହଯୋଗ ବା କୌଣସି ପ୍ରକାର ପ୍ରତିବନ୍ଧକ ସୃଷ୍ଟି କରିବା ଆଇନ ବିରୁଦ୍ଧ । ଏହା ବରଦାସ୍ତ କରାଯିବ ନାହିଁ । ଯାହାର ଯାହା କହିବାର ଅଛି ଉଚ୍ଚ ଅଧିକାରୀମାନଙ୍କୁ ନିବେଦନ କରିପାରନ୍ତି; କିନ୍ତୁ ଏଠାରେ ଯଦି କେହି କାମରେ ବାଧା ସୃଷ୍ଠି କରେ ଆଇନ ତା’ ବାଟରେ ଯିବ ।

 

ମଧୁ ମାଷ୍ଟର ଖବର ପାଇ ପହଞ୍ଚି ସାରିଥିଲେ ସେତେବେଳକୁ । ସେ ମାଜିଷ୍ଟ୍ରେଟ୍‌ଙ୍କ ପାଖକୁ ଆସି କହିଲେ, ଆପଣଙ୍କ କାମରେ କେହି ବାଧା ଦେବେନି ସାର୍‌, ଆମେ କେବଳ ଜାଣିବାକୁ ଚାହୁଁ ଯେ ବସ୍ତି ଭାଙ୍ଗିଦବା ପାଇଁ ସରକାର କଅଣ ସତରେ ନିଷ୍ପତ୍ତି କରି ସାରିଲେଣି… ?

 

ମାଜିଷ୍ଟ୍ରେଟ୍‍ ବିରକ୍ତ ହୋଇ କହିଲେ, ସରକାର ଯାହା ଭଲ ଭାବିବେ କରିବେ, କରିବାର ଅଧିକାର ମଧ୍ୟ ଅଛି, କିନ୍ତୁ ତୁମକୁ ଜବାବ ଦବା ପାଇଁ ମୁଁ ବାଧ୍ୟ ହେବି କାହିଁକି । ଯାହା କରିବାର କଥା କରିବା ଲାଗି ଆସିଛି ମୁଁ, କାହାକୁ କୈଫିୟତ ଦବାକୁ ନୁହେଁ... ।

 

ମଧୁ ମାଷ୍ଟର ବୁଦ୍ଧିମାନ ବ୍ୟକ୍ତି । ମାଜିଷ୍ଟ୍ରେଟ୍‍ଙ୍କ ସହିତ ତର୍କ ନ କରି ସେ ବିନୟ ସହକାରେ କହିଗଲେ ବସ୍ତି ଲୋକଙ୍କର ଦୁଃଖ ଦୁର୍ଦ୍ଦଶାର କାହାଣୀ । ଖାଲି ଓଡ଼ିଶାର ବିଭିନ୍ନ ଅଞ୍ଚଳର ଲୋକ ସତ୍ୟନଗରର ଅଧିବାସୀ ନୁହଁନ୍ତି, ଭାରତର ବିଭିନ୍ନ ପ୍ରଦେଶର ଲୋକ ଅଛନ୍ତି ଏଠାରେ । ଓଡ଼ିଆ, ବଙ୍ଗାଳୀ, ତେଲୁଗୁ, ତାମିଲଢ଼ି, ବିହାରୀ, ଛତିଶଗଡ଼ି ନେପାଳୀ ବହୁ ଅଞ୍ଚଳର ଲୋକ ଜୀବିକା ଅର୍ଜନ କରିବା ଆଶାରେ ଓଡ଼ିଶାର ନୂଆ ରାଜଧାନୀକୁ ଆସି ଆଉ ଫେରି ନ ଯାଇ ରହିଯାଇଛନ୍ତି । ରାଜଧାନୀର ସୁଖ ଦୁଃଖ ସହିତ ସେମାନେ ସାମିଲ କରିଛନ୍ତି ନିଜକୁ । ଶଗଡ଼ ଟାଣୁଥିବା ଶ୍ରମିକଠାରୁ ଗୋଦାମ ମାଲିକ ପର୍ଯ୍ୟନ୍ତ ସାମିଲ କରିଛନ୍ତି ନିଜକୁ । ଶଗଡ଼ ଟାଣୁଥିବା ଶ୍ରମିକଠାରୁ ଗୋଦାମ ମାଲିକ ପର୍ଯ୍ୟନ୍ତ ସମସ୍ତେ ରହନ୍ତି ସତ୍ୟନଗର ବସ୍ତିରେ । ତିରିଶ ବର୍ଷ ବିତିଗଲେ ବି ସମସ୍ତଙ୍କର ସୁବିଧାଲାଗି ପ୍ରତି ଅଞ୍ଚଳରେ ପାଣିକଳ ବସିନାହିଁ, ଆବଶ୍ୟକ ସଂଖ୍ୟକ ପାଇଖାନା ତିଆରି ହୋଇନାହିଁ, ଜଳ ନିଷ୍କାସନ ପାଇଁ ନାଳ କରାଯାଇ ନାହିଁ, ସବୁ ରାସ୍ତାରେ ଆଲୁଅ ଦିଆଯାଇନାହିଁ । ସେମାନେ ସମସ୍ତେ ଜବରଦଖଲ କରିନାହାନ୍ତି, ଅଧିକାଂଶ ଭଡ଼ା ଦେଇ ବସବାସ କରନ୍ତି ଝୁମ୍ପୁଡ଼ିଗୁଡ଼ିକରେ । ଏଇ ରାଜଧାନୀରେ ଅନେକ କୋଠାର ମାଲିକମାନଙ୍କ ପରି ଠିକାଦାର, କଳାବଜାରୀ, ବେପାର କରୁଥିବା ବ୍ୟବସାୟୀମାନଙ୍କ ପୁଞ୍ଜିରେ ସେମାନଙ୍କର ସ୍ୱାର୍ଥରକ୍ଷା କରିବା ଲାଗି ଗଢ଼ି ଉଠିଛି ଏ ବସ୍ତି । ଏବେ ସଭିଙ୍କ ଉପରେ ଆବିର୍ଭାବ ହୋଇଛନ୍ତି ରାଜନୀତି କରୁଥିବା ଦଳେ ଲୋକ । ସେମାନଙ୍କର ଚାରଣ ଭୁଇଁ ଏଇ ସତ୍ୟନଗର । ସଭା ଶୋଭାଯାତ୍ରା ପାଇଁ ଏଠାରୁ ଲୋକ ଦରକାର ପଡ଼େ, ସେମାନଙ୍କ ପକ୍ଷରେ ଲଢ଼ିବା ପାଇଁ ଏମାନେ ଯାଆନ୍ତି ଡାକରା ପାଇବା ମାତ୍ରେ । ଆଉ ସେମାନଙ୍କ ନାମରେ ବା ବେନାମୀରେ ଚାଲୁଥିବା ଲୁଚା ଚୋରା ବ୍ୟବସାୟ ଏମାନଙ୍କ ଜରିଆରେ ଚାଲେ । ସମସ୍ତଙ୍କର ସ୍ୱାର୍ଥ ଜଗି ଜଗି ନିଜର ସ୍ୱାର୍ଥ କଥା ଭୁଲିଯାଇଛନ୍ତି ଏମାନେ । ସେଥି ପାଇଁ ଆଜି ସେମାନେ ସର୍ବହରା ।

 

-ତୁମର ବକ୍ତୃତା ଶୁଣିବାକୁ ଆସିନି ମୁଁ । ବିରକ୍ତ ହୋଇ କହିଲେ ଏକ୍‍ଜିଉକିଉଟିଭ୍‍ ମାଜିଷ୍ଟ୍ରେଟ୍‍ ତୁମେ ଯାଇପାର...ତା’ପରେ ଜୋର୍‌ଦେଇ ଯୋଗ କଲେ ସେ ।

 

ଭୁବନ ସ୍ୱାଇଁ ଅସୁସ୍ଥ ଶରୀରରେ ବି ଚାଲିଆସିଥିଲା କଅଣ ହେଉଛି ଦେଖିବା ପାଇଁ । କାଳେ ଯଦି ସେମାନଙ୍କୁ ଉଚ୍ଛେଦ କରିଦିଆଯାଏ ସେ ରୋଗ ନେଇ ପିଲାଛୁଆଙ୍କ ସହିତ ଯିବ କୁଆଡ଼େ ? ବଳ ବୟସ ଥିଲାବେଳେ ତାହା ପଳ ପଳ ଖର୍ଚ୍ଚ କରି ବଡ଼ ଲୋକମାନଙ୍କର ସୁଖର ସୌଧ ନିର୍ମାଣ କଲା ସେ, ଏବେ ସେ ଅବାନ୍ତର ଅନାବଶ୍ୟକ । ସମସ୍ତେ ତାହାରି ପରି । ଯୁଗ ବୋଧହୁଏ ବଦଳି ଯାଇଛି ସେମାନଙ୍କ ଅଲକ୍ଷ୍ୟରେ ।

 

ପୁଲିସ୍‌ ଇନିସ୍‌ପେକ୍‍ଟର ବୁଝାଉଥିଲେ ଯେ ଆଇନ ତିଆରି ହୋଇଛି ବେଆଇନ କାରବାର ବନ୍ଦ କରିବା ପାଇଁ । ଅଦାଲତ ବସିଛି ଅପରାଧର ବିଚାର କରି ଦଣ୍ତ ଦବା ପାଇଁ । ଅଫିସ୍‌ ଖୋଲିଚି ଶାସନ କରିବା ପାଇଁ । ଲେକେ ଆଇନ ମାନି ଚଳିଲେ ସମାଜ ତିଷ୍ଠିବ, ଶାସନ ଚାଲିବ । ଆଇନ ଆଗରେ କେହି ବଡ଼ ନୁହେଁ କି ଛୋଟ ନୁହେଁ...ସଭିଏଁ ସମାନ ।

 

କିନ୍ତୁ ଆଇନ ଆଗରେ ଯଦି ସଭିଏଁ ସମାନ ପ୍ରମାଣ ନ ଥାଇ ବି ସାଧୁ କାଣ୍ଡି ଛଅ ମାସ ହେବ ହାଜତରେ ସଢ଼ୁଛି କାହିଁକି ? ଶହୀଦ ନଗରର ରାଜା ବୋଲାଉଥିବା ତେଲ ବ୍ୟବସାୟୀ କରୁଣାନିଧି ଶ୍ରୀଚନ୍ଦନ ପିଟି ପିଟି ତାଙ୍କ ଚାକରକୁ ମାରି ଦେଇ ହଠାତ୍‌ ମରିଗଲା କହି ଶବ ସତ୍କାର କରାଇଦବା ପରେ କୌଣସି ଲୋକଠାରୁ ଖବର ପାଇ ପୁଲିସ୍‌ ଆସି ଅଭିଯୋଗର ପୁଙ୍ଖାନୁପୁଙ୍ଖ ଯାଞ୍ଚ ନ କରି ଶ୍ରୀଚନ୍ଦନଙ୍କ ଘରେ ଚର୍ବ୍ୟ ଚୋଷ୍ୟ ଲେହ୍ୟ ପେୟରେ ଅପ୍ୟାୟିତ ହୋଇ ଫେରିଯାଇ ଅଭିଯୋଗ ମିଥ୍ୟା ବୋଲି ଥାନା ଡାଏରୀରେ ଲେଖିଦେଲେ କିପରି ? ସଚିବାଳୟର ଡେପୁଟୀ ସେକ୍ରେଟାରୀଙ୍କ ପୁଅ ମାତାଲ ଅବସ୍ଥାରେ ବାପୁଜୀ ନଗରର ଜଣେ ଭଦ୍ରଲୋକଙ୍କ ଘରେ ସେ ନ ଥିବାବେଳେ ଜବରଦସ୍ତ ପଶି ତାଙ୍କ ତରୁଣୀ ଭାର୍ଯ୍ୟା ଉପରେ ବଳାତ୍କାର କରିବାକୁ ଯାଇ ଧରାପଡ଼ି ମଧ୍ୟ ଖସିଗଲା କିପରି ? ସମସ୍ତେ ଯଦି ଆଇନ ଆଗରେ ସମାନ ଏପରି କାହିଁକି ହୁଏ ?

 

ଆଇନ୍‌ କଅଣ କେବଳ ତଳ ଶ୍ରେଣୀର ଲୋକଙ୍କ ଜୀବନଯାତ୍ରାକୁ ନିୟନ୍ତ୍ରଣ କରିବା ଲାଗି ତିଆରି ହୁଏ ! ସତ୍ୟ କଅଣ କେବଳ ସେହିମାନେ ପାଳନ କରିବେ, ଧର୍ମ କଅଣ କେବଳ ସେମାନଙ୍କର ମନକୁ ଶୃଙ୍ଖଳିତ କରିବା ପାଇଁ ? ତ୍ୟାଗ ସେମାନେ କରୁଥିବେ ଅନ୍ୟମାନଙ୍କୁ ଭୋଗର ସୁବିଧା ଦବା ପାଇଁ ।

 

ଏ ପ୍ରଶ୍ନ ଅନାଦି କାଳରୁ ପଚାରି ଆସୁଛି ସାଧରଣ ମଣିଷ; କିନ୍ତୁ କେହି ତାକୁ ଏ ପ୍ରଶ୍ନର ଉତ୍ତର ଦେଇନି କିମ୍ବା ଦବାର ସମ୍ଭାବନା ମଧ୍ୟ ନାହିଁ । ତଥାପି ସେ ପ୍ରଶ୍ନ ପଚାରେ ନିଜର କର୍ତ୍ତବ୍ୟନିଷ୍ଠା ଓ ସାଧୁତାର ସହିତ । ସେଥିପାଇଁ ବୋଧହୁଏ ଧର୍ମ ରହିଛି, ସୂର୍ଯ୍ୟ ଆଲୁଅ ଦିଅନ୍ତି, ବର୍ଷା ହୁଏ । ନଦୀରେ ପାଣି ବହେ, ଆକାଶରେ ତାରାମାନେ ଜଳନ୍ତି, ପବନ ଭେଦାଭେଦ ନ ରଖି ସମସ୍ତଙ୍କ ଜୀବନ ନାଟିକାରେ ପ୍ରବାହିତ ହୁଏ । ଏଇ ଛୋଟ ଛୋଟ ଅଗଣିତ ନଗଣ୍ୟ ଲୋକ ନ୍ୟାୟ, ନୀତି ମାନନ୍ତି ବୋଲି ଆତଯାତ ହୁଏ ଜୀବଜଗତ । ଏମାନେ ନ ଥିଲେ ଏ ଧରଣୀ ସୁଜଳା ସୁଫଳା ନ ହୋଇ ମରୁଭୂମି ପାଲଟି ଯାଆନ୍ତା ।

 

ଅଥଚ ସବୁ ଦୁର୍ଭୋଗ, ସବୁ ଅବିଚାର ଏମାନେ ସହିବେ ନିର୍ବିକାର ଭାବରେ ।

 

ଏହାହିଁ ବୋଧହୁଏ ସେମାନଙ୍କର ପ୍ରାରବ୍‌ଧ, ବିଧିଲିପି... ।

 

ମଧୁ ମାଷ୍ଟର ଭୁବନକୁ ଟାଣିନେଇ କହିଲା, ମିଛରେ ଏମାନଙ୍କ ସହିତ ତର୍କ କରି ଲାଭ ନାହିଁ । ଗଛ ଶୁଖିଗଲେ କାଠ, ଆଉ ସେଥିରୁ ପତ୍ର କଅଁଳେ ନାହିଁ, ଫୁଲ ଫୁଟେ ନାହିଁ କି ଫଳ ଫଳେ ନାହିଁ । ସହାନୁଭୂତି, ସମବେଦନା ନ ଥିବା ମଣିଷ ବି ଏଇ ଶୁଖିଲା କାଠ ପରି ।

 

ଭୁବନ ସ୍ୱାଇଁ ଧଇଁ ପେଲୁଥିଲା ବୋଲି ମାଷ୍ଟରଙ୍କ କାନ୍ଧ ଉପରେ ଭରାଦେଇ ଠିଆ ହୋଇଥିଲା । ସେ କହିଲା, ଏଇ ଦେହ ନେଇ ମୁଁ କୁଆଡ଼େ ଯିବି ମାଷ୍ଟ୍ରେ, ମୋ ପିଲା ଚଳିବେ କେମିତି ?

 

ସେ ଦାୟିତ୍ୱ ଏମାନଙ୍କର ନୁହଁ ଭୁବନ ଭାଇ... । ଏମାନେ ସରକାରଙ୍କ ବଚସ୍କର...ବୋକଚାବୁହା... ।

 

ମାଜିଷ୍ଟ୍ରେଟ୍‌ଙ୍କ କାନରେ ପଡ଼ିଲା ମଧୁ ମାଷ୍ଟରଙ୍କ କଥା... । ସେ ଚିହିକି ଉଠି କହିଲେ, ୟାକୁ ନିକାଲି ଦିଅ ଏଠାରୁ । ଯଦି ଛାଏଁ ଛାଏଁ ଚାଲି ନ ଯାଏ ସରକାରୀ କାର୍ଯ୍ୟରେ ବିଘ୍ନ ସୃଷ୍ଟି କରୁଥିବାରୁ ତାକୁ ଆରେଷ୍ଟ କର... ।

 

ଡରିଗଲା ଭୁବନ । ତା’ ପାଇଁ ମଧୁ ମାଷ୍ଟର ଜେଲ ଯିବେ କାହିଁକି ? ପୂର୍ବ ଜନ୍ମର କୋଉ ଦୋଷରୁ ଏ ଜନ୍ମରେ ଭୋଗୁଛି ପୁଣି ମାଷ୍ଟରଙ୍କ ପରି ସାଧୁ ସଚ୍ଚୋଟ ଲୋକ ତା’ ପାଇଁ କଷ୍ଟ ପାଇଲେ ସେ ପ୍ରାରବ୍‌ଧରେ ନାଗ ଫାଶରୁ ସାତଜନ୍ମରେ ମୁକୁଳିବାରେ ବାଟ ନ ଥିବ ।

 

ସର୍ଭେ ସରିଲା, ସବୁ ଝୁମ୍ପୁଡ଼ି ଓ ଅନ୍ୟାନ୍ୟ ଘରେ ନମ୍ବର ଦିଆଗଲା । ପ୍ରତି ଘରେ ରହୁଥିବା ଲୋକଙ୍କର ନାମ ତାଲିକା କରାଗଲା ।

 

ଏତେଗୁଡ଼ାଏ ଲୋକ ଏଇ ବସ୍ତିରେ ଠେସାଠେସି ହୋଇ କିପରି ରହନ୍ତି ବୁଝିପାରୁ ନ ଥିଲେ ମାଜିଷ୍ଟ୍ରେଟ୍‌ । ଶଳେ ଘୁଷୁରି ହୋଇ ଜନ୍ମ ହୋଇଛନ୍ତି ଘୁଷୁରି ହୋଇ ମରିବେ । ଘୁଷୁରି କେବେ ମଣିଷ ହୁଏ ନାହିଁ ... ।

 

ସତ୍ୟନଗରର ଏଇ ବସ୍ତି ଭାଙ୍ଗି ଦେଇ ଜାଗା ସଫାକଲେ ପଚାଶ ଏକର ଜମି ମିଳିବ । ଏଡ଼େ ସୁନ୍ଦର ବିସ୍ତୃତ ସ୍ଥାନ ଆଉ ରାଜଧାନୀରେ ନାହିଁ । ସେ ନିଜ ପାଇଁ ଖଣ୍ତେ ଛୋଟ ପ୍ଲଟ ପାଇଥିଲେ, ଜ୍ୱାଇଁ ପାଇଁ କିଛି କରିପାରି ନ ଥିବାରୁ ଝିଅ ଖୁଣ୍ଟାଦିଏ, ଶଳା ତ ଦୁଆରେ ବସି ବସି ଧୂଳି ଫଟେଇ ଦେଲାଣି ଖଣ୍ତେ ପ୍ଲଟ ପାଇଁ । ଏମାନଙ୍କର ସୁବ୍ୟବସ୍ଥା କରିସାରି ଯଦି ସମ୍ଭବ ହୁଏ ଡାଇରେକ୍‍ଟରଙ୍କୁ ଧରି ସେ ବେନାମୀ ଖଣ୍ତେ ପ୍ଲଟ ନେଲେ ଅବସର ନବାପରେ ଭଲକରି ଘର ଖଣ୍ତେ ତୋଳିବେ । ମନ୍ତ୍ରୀ ବି ଆଶାୟୀ ଏଠାରୁ ତିନି ଚାରି ଖଣ୍ତ ପ୍ଲଟ ପାଇଁ । ଲୋକ ପ୍ରତିନିଧିମାନେ ତ ଅନେଇ ବସିଛନ୍ତି । ଶାସନ ସଚିବ ଜନପଥକୁ ଲାଗି ନିଜ ପାଇଁ ଏବଂ ତା ପଛକୁ ତାଙ୍କ ଭଉଣୀ ପାଇଁ ଗୋଟେ ପ୍ଲଟ ନେବେ ବୋଲି ନକ୍‌ସା କରି ସାରିଲେଣି ।

 

ଖେଳ ପଡ଼ିଆ, ପାର୍କ, ପାର୍କିଂ ସ୍ଥାନ ରହିଲେ କାଳେ ଜାଗା କମିଯିବ ବୋଲି ଫାଇଲରେ ନୋଟ ଲେଖା ସରିଲାଣି ଯେ ସତ୍ୟନଗର ବସ୍ତି ଭାଙ୍ଗି ଦିଆଯିବା ପରେ ତାହା ପ୍ଲଟ କରି ବିକ୍ରୀ କରାଯିବ । ସମସ୍ତେ ଯେପରି ଜମି ପାଇବାଲାଗି ଯୋଗ୍ୟ ବିବେଚିତ ନ ହୁଅନ୍ତି ସେଥି ସକାଶେ ଆବଶ୍ୟକ ପଦ୍ଧତି ଓ ପ୍ରକରଣ ପ୍ରସ୍ତୁତ ହେଉଛି । ସରକାର ମଧ୍ୟ ଜମି ବିକ୍ରୀ କରି କିଛି ଆୟ କରିବେ । ରାଜକୋଷ ତ ଖାଲି ହୋଇ ଗଲାଣି, ଏପରି ବିଭିନ୍ନ ପନ୍ଥାରୁ ଧନ ଉପାର୍ଜନ କଲେ କର ନ ବଢ଼ାଇ ବା ନୋଟ ନ ଛାପି ଚଳେଇ ହେବ ପ୍ରଶାସନ ।

 

ଭୁବନ ସ୍ୱାଇଁକୁ ନେଇ ମଧୁ ମାଷ୍ଟର ଜାଗାଛାଡ଼ି ଚାଲିଗଲା ପରେ ସରକାରୀ ଅଫିସର ଦଳବଳ ସହ କାମ ସାରି ଫେରିଯିବା ପୂର୍ବରୁ ମାଧବାନନ୍ଦ ପାତ୍ର ପହଞ୍ଚି ଯାଇ କହିଲା, ସାର୍‌ ଆମ ଇଲାକାରୁ ଇମିତି ଇମିତି ଚାଲିଯିବେ ! ମୁଁ କ୍ଷମା ମାଗି ନେଉଛି ଯେ ମୋର ଆସିବାରେ ବିଳମ୍ବ ହେଲା । ଅରକ୍ଷିତ ବାବୁ ଏ ଅଞ୍ଚଳର ପ୍ରତିନିଧି ...ସେ ଲୋକମାନଙ୍କର ପ୍ରବକ୍ତା । ତାଙ୍କର ମୁହଁରୁ ଖବର ପାଇ ସବୁ କାମ ଛାଡ଼ି ଦୌଡ଼ିଆସିଛି । ହୋଟେଲ ‘ନବଜାତକ’ରେ ବ୍ୟବସ୍ଥା କରିଛି ସମସ୍ତଙ୍କ ପାଇଁ । ଦୟାକରି ବିଜେ କରିବା ହୁଅନ୍ତୁ ।

 

ମାଜିଷ୍ଟ୍ରେଟ୍‌ ଖୁସି ହେଲେ । ସେ ତଳୁ ଉଠି ଉଠି ଏ ପଦବୀକୁ ଆସିନାହାନ୍ତି, ସିଧା ଅଫିସର ହୋଇ ଯୋଗ ଦେଇଛନ୍ତି ଚାକିରିରେ । ଏ ରାଜ୍ୟ ତ ପ୍ରଶାସନିକ ଅଫିସରମାନଙ୍କର ଚାରଣଭୂମି । ଗସ୍ତରେ ଗଲେ ଖାଦ୍ୟପେୟର ସମସ୍ତ ଦାୟିତ୍ୱ ପଡ଼େ ଅଧସ୍ତନଙ୍କ ଉପରେ । କେହି କେବେ ହାତରୁ ଖର୍ଚ୍ଚ କରି ଚା’ କପେ ବି ପିଏନି । ଏଇ ପରମ୍ପରା ଚଳି ଆସିଛି ବ୍ରିଟିଶ୍‌ ଅମଳରୁ । ସ୍ୱାଧୀନତା ପରେ ତାହା ଆହୁରି ଦୃଢ଼ ହୋଇଛି କହିଲେ ଚଳେ ।

 

ଏଡ଼େ ସୁନ୍ଦର ପରମ୍ପରାଟା ଭାଙ୍ଗି ଯାଇଥାନ୍ତା ଶେଷ ମୁହୂର୍ତ୍ତରେ ଠିକାଦାର ମାଧବାନନ୍ଦ ଆସି ନ ଥିଲେ । ଏଠାରେ ଅଧସ୍ତନ କେହି ନାହାନ୍ତି ସତ; କିନ୍ତୁ ଠିକାଦାର, ବ୍ୟବସାୟୀ, ଶିଳ୍ପପତି ତ ଅଛନ୍ତି ।

 

ସମସ୍ତଙ୍କୁ ସଦ୍‍ବ୍ୟବହାରରେ ନେଇଗଲା ମାଧବାନନ୍ଦ ହୋଟେଲ ‘ନବଜାତକ’କୁ । ନୂଆ ହୋଇ ଖୋଲିଥିବା ଏଇ ହୋଟେଲ ତାଙ୍କ ଶାଳୀଙ୍କ ନାମରେ । ଏଥିପାଇଁ ସରକାରୀ ଅର୍ଥସଂସ୍ଥା ପୁଞ୍ଜି ଯୋଗାଇ ଦେଇଛି । କୋଟିଏ ଟଙ୍କାର ଏଷ୍ଟିମେଟ୍‍ ମଞ୍ଜୁର କରାଇ ସେଥି ସକାଶେ ଲକ୍ଷ ଟଙ୍କା ଋଣ ନେଇ ପଚାଶ ଲକ୍ଷ ଟଙ୍କା ବ୍ୟୟକରି ତୋଳାଯାଇଛି ହୋଟେଲ ‘ନବଜାତକ’ । ହୋଟେଲ ଶିଳ୍ପ ବା ଅନ୍ୟକିଛି ସ୍ଥାପନ କରିବାଲାଗି ଅର୍ଥ ସଂସ୍ଥାଗୁଡ଼ିକର ବରିଷ୍ଠ ଅଫିସରଙ୍କ ସହାୟତାରେ ଓଭର ଏଷ୍ଟିମେଟ କରି ଋଣ ଅନୁମୋଦନ କରାଇନବା ଘଟଣା ଅତି ସାଧାରଣ ହୋଇ ଗଲାଣି । ବଳକା ଅର୍ଥ ଅନ୍ୟତ୍ର ସ୍ତ୍ରୀ, ପୁତ୍ର, କନ୍ୟା, ଶଳା ବା ଶାଳୀଙ୍କ ନାମରେ ଜମା କରି ଦୁଇ ତିନିବର୍ଷ ପରେ ଶିଳ୍ପ ବା ହୋଟେଲକୁ ଅଚଳ କରି ତାହା ସରକାରଙ୍କ ଅର୍ଥ ସଂସ୍ଥା ହାତରେ ସମର୍ପଣ କରି ବେଶ୍‌ ଆରାମରେ ଲକ୍ଷପତିର ଜୀବନ ଯାପନ କରିବାର ଦୃଷ୍ଠାନ୍ତ ବଢ଼ିବାରେ ଲାଗିଛି । ମାଧବାନନ୍ଦ କିନ୍ତୁ ଚତୁର ବ୍ୟକ୍ତି ସେ ପଚିଶ ଲକ୍ଷ ମୂଳ ଋଣରୁ ବାହାର କରି ନେଇ ବି ଉଚ୍ଚସରକାରୀ ଅଫିସରଙ୍କ କୃପାରୁ ହୋଟେଲ ବନ୍ଦ କରି ନ ଦେଇ ଲାଭରେ ଚଳାଉଛି । ସବୁ ସରକାରୀ ଆତିଥ୍ୟ ସତ୍କାର ଏଇ ହୋଟେଲ ଜରିଆରେ ହୁଏ । ସବୁ ବଡ଼ ବଡ଼ ସରକାରୀ ଅତିଥି ଏଇ ହୋଟେଲ ‘ନବଜାତକ’ରେ ରହନ୍ତି । ଯେଉଁମାନଙ୍କ ହାତରେ କାମ ସେମାନଙ୍କର ଓ ସେମାନଙ୍କର ପରିବାର ବର୍ଗର ମାଗଣାର ପାନ ଭୋଜନର ବ୍ୟବସ୍ଥା କରିଛି ମାଧବାନନ୍ଦ ।

 

ସେମାନେ ଆପ୍ୟାୟିତ ହୋଇ ଫେରିଗଲାବେଳେ ମାଜିଷ୍ଟ୍ରେଟ୍‍ଙ୍କୁ କହିଲା ମାଧବାନନ୍ଦ, ଟିକେ ଭଲ କରି ଲେଖିବେ ସାର୍‌...ଯେତେଶୀଘ୍ର ଏ ବସ୍ତି ଉଠିଯାଏ ସେତେ ମଙ୍ଗଳ । ଶଳେ ରାଜଧାନୀର କେନ୍ଦ୍ର ଜାଗାଟାକୁ ଯୋଉ ଅବସ୍ଥାରେ ରଖିଛନ୍ତି ଭଦ୍ରଲୋକ ଡରିବ ଭିତରକୁ ପଶିବାକୁ-। ବଡ଼ ବଡ଼ ପ୍ଲଟ କରି ବାଣ୍ଟିଦେଲେ ବର୍ଷ ଦୁଇଟାରେ ଅଳକାପୁରୀ ପରି ଶୋଭା ଦିଶିବ ଏଇ ସ୍ଥାନ ।

 

ମାଜିଷ୍ଟ୍ରେଟ୍‍ ଅନୁମୋଦନ କଲାଭଳି ସ୍ମିତହାସ୍ୟକରି ଗାଡ଼ିରେ ଉଠିବା ବେଳକୁ ଗୋଟେ ବଡ଼ ପ୍ୟାକେଟ ଗାଡ଼ିଭିତରେ ରଖିଦେଲା ମାଧବାନନ୍ଦ । ମାଜିଷ୍ଟ୍ରେଟ୍‍ ସିନା ଖାଇଲେ, ଘରେ ପିଲାମାନେ ଖାଇବେ ତ ! ରୋଷ୍ଟଚିକେନ୍‌, ପ୍ରନ୍‌ଫ୍ରାଁଇ, ସିକ୍‌କବାବ, ଚିଲ୍ଲି ଚିକେନ ଓ କିଛି ପେଷ୍ଟ୍ରିଜ୍‌ ଭଲ ଭାବରେ ପ୍ୟାକ୍‌ କରା ହୋଇଥିଲା । ତା ସହିତ ଦୁଇ ଡଜନର ଗୋଟେ ତ୍ରେଟ୍‌ଟ୍ରିଟପ୍‌ମେଙ୍ଗୋ କୁଲଡ଼୍ରିଙ୍କ୍‌ ।

 

ଗାଡ଼ି ଛାଡ଼ିବା ଆଗରୁ ମାଧବାନନ୍ଦ କହିଲା, ପିଲାମାନଙ୍କୁ ନେଇ ଥରେ ଆସନ୍ତୁ ସାର୍‌...କେବେ ଆସିବେ ଫୋନ କରିଦେଲେ ମୁଁ ଥିବି ସ୍ୱାଗତ କରିବା ପାଇଁ ... । କହି କହି ନିଜର କାର୍ଡ଼ଟା ତାଙ୍କ ହାତକୁ ବଢ଼ାଇ ଦେଲା ମାଧବାନନ୍ଦ ।

 

ସେମାନେ ଚାଲିଗଲା ପରେ ହୋଟେଲ ଭିତରେ ଏକ ସୁନିର୍ଦ୍ଦିଷ୍ଟ କକ୍ଷକୁ ଗଲା ମାଧବାନନ୍ଦ । ସେଠାରେ ନିଭୃତରେ ପରମ ଶାନ୍ତିରେ କିଛି ସମୟ ଅତିବାହିତ କରିବା ସକାଶେ ସବୁ ବ୍ୟବସ୍ଥା ରହିଥିଲା ।

 

ସେ ସୁଇଟ୍‌ରେ ପହଞ୍ଚିଲା କ୍ଷଣି ଅଭ୍ୟର୍ଥନାକାରିଣୀ ଫୋନ କରି ଜଣାଇଦେଲା ଯେ କଲିକତାର ମିସେସ୍‌ ସୁଜାତା ସେନ ସକାଳୁ ତାଙ୍କୁ ଅପେକ୍ଷା କରିଛନ୍ତି ।

 

ମିସେସ୍‌ ସୁଜାତା ସେନଙ୍କୁ ପଠାଇଦବା ଲାଗି କହିଲା ମାଧବାନନ୍ଦ ।

 

ସୁଜାତା ସେନଙ୍କ ସହିତ ଏଇ ପ୍ରଥମ ସାକ୍ଷାତ୍‍ ଘଟୁନି । କମିସନର ସାହେବଙ୍କୁ ଆପ୍ୟାୟିତ କରିବା ଲାଗି ଦୁଇଥର ସେ ଆସିଲେଣି କଲିକତାରୁ; ଅଥଚ ସେଇ ଆଳରେ ସେ ବି ପ୍ରସାଦ ପାଏ ।

 

ସୁଜାତା ସେନ୍‌ଙ୍କୁ ବୟସ ପଚିଶ ଛବିଶ ଭିତରେ । ସୁଶ୍ରୀ, ସୁନ୍ଦରୀ ଭଦ୍ରମହିଳା । ଇଂରାଜୀ, ହିନ୍ଦୀ, ବଙ୍ଗଳା, ଓଡ଼ିଆ, ଆସାମୀ, ଭାଷାରେ ଅନର୍ଗଳ କହିପାରନ୍ତି । ସିଙ୍ଗାପୁରରେ ତିନିବର୍ଷ ଥିଲେ ତାଙ୍କ ବାପା ସେଠାରେ ଚାକିରି କରୁଥିଲାବେଳେ । ସେଇଠାରେ ସେ ଶିଖିଥିଲେ ମନୋରଞ୍ଜନ କରିବାର ଅନେକ ବିଦ୍ୟା ଓ କୌଶଳ । ସ୍ୱଦେଶକୁ ବାହୁଡ଼ିବା ପରେ ତାଙ୍କୁ ବେଶି ସମୟ ଲାଗିଲାନି ଅଳ୍ପ ସମୟ ମଧ୍ୟରେ ଐଶ୍ୱର୍ଯ୍ୟର ଅଧିକାରିଣୀ ହେବାପାଇଁ । ଅବଶ୍ୟ ତାଙ୍କର ଯାତାୟାତ ଉଚ୍ଚ ସମ୍ଭ୍ରାନ୍ତ ମହଲରେ । କୌଣସି ସରକାରୀ ଅଫିସରେ, କମ୍ପାନୀ ବା କର୍‍ପୋରେସନ୍‌ରେ କାମ ଅଟକିଗଲେ ତାହା ସୁଚାରୁରୂପେ ସମ୍ପାଦନ କରିବା ଲାଗି ଦରକାର ହୁଏ ତାଙ୍କର । କାମ କରାଇ ନବାର କାଏଦା ଜାଣନ୍ତି ସେ ।

 

‘କଳିଙ୍ଗ ହାଉସ’ର କଣ୍ଟ୍ରାକ୍‍ଟ ଏଯାଏ ପାଇ ନାହାଁନ୍ତି ସେ । ସବୁ ଦରକାରୀ କାଗଜ ସରକାରଙ୍କ ଆଲମାରୀ ଭିତରେ ସୁରକ୍ଷିତ ଅବସ୍ଥାରେ ରହିଛି ଏଇ କେତେମାସ ହେଲା । ଯେଉଁମାନଙ୍କ ହାତଦେଇ ଫାଇଲ ଯିବ ସେମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତଙ୍କୁ ହାତ କରିସାରିଲେଣି ସେ । ଓଡ଼ିଆ ଠିକାଦାର ଥାଉ ଥାଉ ବାହାରର ବ୍ଲେକ୍‌ ଲିଷ୍ଟେଡ଼ ଠିକାଦାରମାନଙ୍କୁ ଏତେବଡ଼ କାମଟା ଯଦି ଦିଆଯାଏ ବିଧାନସଭାରେ ଝଡ଼ ବୁହାଇଦେବେ ବିରୋଧୀଦଳ । ମାଧବାନନ୍ଦର କୋଟେସନ ଟଙ୍କାର ପରିମାଣ ଟିକେ ବେଶି; କିନ୍ତୁ ସେ ତ ସମସ୍ତଙ୍କୁ ସନ୍ତୁଷ୍ଟ କରିବା ପାଇଁ ବଚନବଦ୍ଧ । ଟିକେ ଅଧିକ ଥିଲେ ବରଂ ଭଲ, କମ୍‌ ଅଙ୍କ ବସିଗଲା ପରେ କିଛି କରିବା କଷ୍ଟକର ।

 

ଅର୍ଥ ବିଭାଗର କଣ୍ଟ୍ରୋଲର ନିଜ ଜିଦ୍‌ରେ ଅଟଳ । ମନ୍ତ୍ରୀଙ୍କ ଉପଦେଶ ବା ଆଦେଶ ମାନିବାକୁ ବାଧ୍ୟ ନୁହଁନ୍ତି ଯେପରି ଜଣାପଡ଼ୁଛି । ଟଳୁ ନାହିଁ ନିଜର ଭୀଷ୍ମ ପ୍ରତିଜ୍ଞାରୁ । ସେ ମନ୍ତ୍ରୀ ଆଗରୁ କହିବା ସତ୍ତ୍ୱେ ପ୍ରତିକୂଳ ନୋଟ୍‌ ଦେଇଛି ଫାଇଲରେ ।

 

ଲୋକଟାର କିନ୍ତୁ ଗୋଟିଏ ଦୁର୍ବଳତା ଅଛି । ବହୁ କଷ୍ଟରେ ଏ ଖବର ଯୋଗାଡ଼ କରିବା ପରେ ସେଇ କାମରେ ଲାଗିଗଲା ମାଧବାନନ୍ଦ । ନାରୀ ବ୍ୟତୀତ ଅନ୍ୟ କୌଣସି ଦ୍ରବ୍ୟ ପ୍ରତି କିଛି ଦୁର୍ବଳତା ନାହିଁ ନଟରାଜନ ସାହେବଙ୍କର ।

 

ମାଧବାନନ୍ଦ ସୁଜାତା ସେନଙ୍କୁ ଗୋଟି ଗୋଟି କରି ସବୁ କହିଲା । ନିଜ ସୁଇଟଟା ତିନିଦିନ ସକାଶେ ରିଜର୍ଭ ରଖିଚି ସେ ନଟରାଜନ ସାହେବଙ୍କ ପାଇଁ । ଏଇ ତିନିଦିନ ସେ ରହିବେ ଅଜ୍ଞାତବାସରେ, ନିଜ ଘର ଓ ବିଭାଗର ଅଗୋଚରରେ । ମାଧବାନନ୍ଦ ତାଙ୍କୁ ଦୃଢ଼ ପ୍ରତିଶ୍ରୁତି ଦେଇଛି । ଗୋପନୀୟତା ରକ୍ଷାକରିବା ଉପରେ ସଫଳତା ନିର୍ଭର କରେ । କେହି ଯେପରି ଟେର୍‌ ନ ପାଆନ୍ତି । ସେଥିପାଇଁ ତାଙ୍କ ନାମ ବଦଳ କରି କେବଳ ମ୍ୟାନେଜିଂ ଡାଇରେକ୍‍ଟରଙ୍କ ବ୍ୟକ୍ତିଗତ ଅତିଥି ମିଷ୍ଟର ଆୟୋଙ୍ଗାର ଲେଖା ଯାଇଛି ।

 

ସୁଜାତା ସେନ କହିଲେ, ଆପଣ ନିର୍ଭର କରନ୍ତୁ ମୋ ଉପରେ ବଡ଼ ବଡ଼ କାମ କରୁଛି...ଏଇଟା ଗୋଟେ ଛୋଟ କାମ ।

 

ମାଧବାନନ୍ଦ କହିଲା; କିନ୍ତୁ ତା ଆଗରୁ ଲେଟ୍‌ଅସ୍‌ ହ୍ୟାଭ୍‌ ଏ ଗୁଡ଼୍‌ ଡ଼େ ।

 

ସୁଜାତା ହସିଦେଇ କହିଲେ, ଏଜ ୟୁ ଲାଇକ୍‌ ପ୍ଲିଜ୍‌...

 

ସୁକୁମାର ମିଶ୍ର ଯୋଉଦିନ ତାଳଚେର କୋଇଲା ଖଣିର କାମ ଛାଡ଼ି ଭୁବନେଶ୍ୱରରେ ପାଦ ରଖିଲା ସେଦିନ ସେ ଛିଡ଼ା ହୋଇଥିଲା ଭାଗ୍ୟ ସହିତ ମୁହାଁମୁହିଁ । ଭଗବାନ ଯେ ଭାଗ୍ୟନିୟନ୍ତା ନୁହଁନ୍ତି, ମଣିଷ ନିଜେ ନିଜର ଭାଗ୍ୟ ତିଆରି କରେ ଏହା ପ୍ରମାଣ କରିଥିଲା ସେ । ଜୀବନର ସନ୍ଧିକ୍ଷଣଗୁଡ଼ାକ ସମ୍ଭାବନାର ଶୁଭବେଳା ବୋଲି କହେ ସୁକୁମାର । ସେଥିପାଇଁ ଉଡ଼ିଆସି ଛିଡ଼ିପଡ଼ି ବି ସେ ଅଜଣା ଓଡ଼ିଆ କାରୀଗର ପରି ଆରମ୍ଭ କରିଦେଲା ନିଜର କୋଣାର୍କ ମନ୍ଦିର ତିଆରି କରିବା କାମ । ଶେଷରେ ସେ ଯେ ହେବ ଧର୍ମପଦ ଏଥିରେ ସନ୍ଦେହ ନ ଥିଲା ତାର; କିନ୍ତୁ ‘ପୁଅରେ ଦାୟ କି ସମସ୍ତଙ୍କଠାରେ ଦାୟ’ ଏହା ପଚାରିବାକୁ ଦେଇ ଇତିହାସ ପୃଷ୍ଠାରେ ସେ କଳଙ୍କ ସୃଷ୍ଟି କରିବାକୁ ହେବ ନାହିଁ । ସିଂହାସନ କେତେବେଳେ ଖାଲି ରହେନାହିଁ, ଯିଏ ଯୋଗ୍ୟ, ପୌରୁଷତ୍ୱ ଯାହାର ଅଧିକାରରେ ସିଏ ଶକ୍ତି ବଳରେ ଦଖଲ କରିନିଏ ସିଂହାସନ ।

 

ଏଇ ସାଧାରଣ ମୁହଁ ନ ଥିବା ମଣିଷଗୁଡ଼ାକୁ ଘୃଣାକରେ ସେ । ଚିରଦିନ ଅଜଣା ରହିଯିବାରେ ଏମାନଙ୍କର କ୍ଷୋଭ ନାହିଁ । ଏମାନେ କେବଳ ଦୂରନ୍ତ ଦୁଃସାହସୀକୁ ପଥଛାଡ଼ି ଦିଅନ୍ତି ନାହିଁ । ତା’ର ଉପରକୁ ଉଠିବାଟା ଯେପରି ସହଜ ଓ ସୁଗମ ହେବ ସେଥିପାଇଁ ପାହାଚ ହୁଅନ୍ତି ଉଠିବା ପଥରେ । ସେଥିପାଇଁ ତ ଆଲେକ୍‌ଜାଣ୍ତାର, ଚେଙ୍ଗିଜ୍‌ ଖାଁ ଓ ଆହୁରି ଅନେକ ଆକାଶକୁ ସିଢ଼ି ବାନ୍ଧୁଥିଲେ... ।

 

ସୁକୁମାର ମିଶ୍ର ସତ୍ୟନଗର ଶ୍ମଶାନର ଉତ୍ତର-ପୂର୍ବ ଦିଗରେ ଜବର ଦଖଲ କରି ମାଡ଼ି ବସିଥିବା ଏକରର ଏକ-ଚତୁର୍ଥାଂଶ ଜମି ଉପରେ ଏ ଭିତରେ ତୋଳି ସାରିଛି ଏକ ଦୁଇ ମହଲା କୋଠା । ସେଇ କୋଠାରେ ସେ କିନ୍ତୁ ରହେନାହିଁ, ସେ ରହେ ପରିବାର ସହିତ ସୂର୍ଯ୍ୟନଗରରେ । ଏଇ ଦୁଇ ମହଲା କୋଠାରେ ତା’ର ବ୍ୟବସାୟର ବିଭିନ୍ନ ବିଭାଗ । ସବା ଉପରେ ଷ୍ଟଡ଼ିଓ । ଷ୍ଟୁଡ଼ିଓ ନିକଟସ୍ଥ ଖୋଲା ଛାତ ଉପରେ ପ୍ରମୋଦ କାନନ । ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ତରୁଣ ଅଧ୍ୟାପକ ଓ ଅଧ୍ୟାପିକା ନୂଆ ହୋଇ ସିଭିଲଢ଼ି ସର୍ଭିସରେ ଯୋଗ ଦେଇଥିବା ଶିକ୍ଷାନବିସ ଅଫିସର. ବିଜିନେସ ଏଷ୍ଟାବ୍ଲିସ୍‌ମେଣ୍ଟରେ କାମ କରୁଥିବା ତରୁଣ ଏକ୍‌ଜିଉକ୍ୟୁଟିଭସ୍‌ମାନଙ୍କୁ ସୁଯୋଗ ଦବା ପାଇଁ ସେଠାରେ ପର୍ଯ୍ୟାପ୍ତ ବ୍ୟବସ୍ଥା । ନିଶା ସେବନର ଗୁପ୍ତକେନ୍ଦ୍ର ଏଇ ପ୍ରମୋଦକାନନ, ତଳ ମହଲାରେ ଫିଲ୍‌ମ ବିତରଣ ଓ ଫିଲ୍‌ମ ନିର୍ମାଣ ଅଫିସ । ସୁକୁମାର ମିଶ୍ରର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏ ଭିତରେ ପାଞ୍ଚୋଟି ଓଡ଼ିଆ ଚଳଚ୍ଚିତ୍ର ନିର୍ମିତ ହୋଇସାରିଛି । ପ୍ରାୟ ସବୁ ଚିତ୍ରରୁ ପ୍ରଚୁର ଲାଭ ପାଇଛି ସୁକୁମାର ।

 

ବ୍ଲୁଫକ୍‌ସ ଷ୍ଟୁଡ଼ିଓରେ କେବଳ ନଗ୍ନ ଫଟୋ ଉଠାଯାଏ ନାହିଁ, ନଗ୍ନଫଟୋ ବ୍ୟବସାୟର ଏହାହିଁ କେନ୍ଦ୍ରବିନ୍ଦୁ । ପୁଣି ସେଇ ପ୍ରମୋଦ କାନନରେ ଅଫିମ, ଗଞ୍ଜେଇଠାରୁ ଆରମ୍ଭ କରି ବିଲାତି ମଦ, ଚରସ ଓ ବ୍ରାଉନସୁଗାର ସବୁ ମିଳେ । ଥରେ ଯିଏ ସୁକୁମାର ମିଶ୍ରର ଖାତାରେ ନାମ ଲେଖାଏ ଆଉ ସେ ନାମ କଟାଇ ବାହାରି ଯାଇପାରେ ନାହିଁ ।

 

ସେଥିପାଇଁ ଯେତେବେଳେ ଅବକାଶ ସିଂହଦେଓ ସେଠାକୁ ଆସିବା ହଠାତ୍‌ ବନ୍ଦ କରିଦେଲା ଚକିତ ହୋଇଗଲା ସୁକୁମାର । ସେ ଖବର ପଠେଇଲା ଚରମାନଙ୍କ ହାତରେ । ଫଳ କିଛି ହେଲାନାହିଁ । ଅବକାଶର ବନ୍ଧୁମାନଙ୍କୁ ଲଗେଇଲା ତା ପଛରେ । ସେ ଫେରିଲାନାହିଁ । ଗୋଟିଏ ଦେଶୀୟ ରାଜ୍ୟର ରଜା ହୋଇଥାଆନ୍ତା ଏଇ ଅବକାଶ । ସ୍ୱାଧୀନତା ପରେ ଗଡ଼ଜାତଗୁଡ଼ାକ ଓଡ଼ିଶା ସହିତ ମିଶିଯାଇ ନ ଥିଲେ ଆଜି ଏଇ ଗଣତନ୍ତ୍ର ଯୁଗରେ ଯେ ସେ ଉପରକୁ ନ ଉଠି ତଳେ ଛିଡ଼ାହୋଇ ରହିବ ନାହିଁ ଏହା ମଧ୍ୟ ଗଣନା କରି ଜାଣିପାରିଛି ସେ । ସେଥିପାଇଁ ସୁଯୋଗ ଓ ସମ୍ଭାବନାଗୁଡ଼ାକୁ ପକେଟ ଭିତରେ ନେଇ ବୁଲୁଥିବା ଅବକାଶ ସିଂହଦେଓକୁ କଳେବଳେ କୌଶଳେ ହାତ କରିବା ପାଇଁ ଆପ୍ରାଣ ଚେଷ୍ଟା ସୁକୁମାରର ।

 

ତାକୁ ବ୍ଲୁ ଫକ୍‌ସକୁ ଆମନ୍ତ୍ରଣ କରି ଯାହାକୁ ପ୍ରଥମ ଆଣିଥିଲା ସେଇ ଶ୍ରୀଲା ବି ଆଉ ଏକ ପୂର୍ବତନ ଗଡ଼ଜାତର ରାଜ ପରିବାରର । ଭୁବନେଶ୍ୱରର ସୁନ୍ଦରୀ ଭାବରେ ସେ ଯେଉଁଦିନ ଭୁବନେଶ୍ୱର-ସୁନ୍ଦରୀ ସିଂହାସନ ଅଳଙ୍କୃତ କଲା ସେହିଦିନଠାରୁ ତା ଉପରେ ନଜର ପଡ଼ିଥିଲା ସୁକୁମାରର । ଶ୍ରୀଲା ଅତ୍ୟନ୍ତ ସ୍ମାର୍ଟ ଏବଂ ଡ୍ରେସିଂ ଝିଅ । ଫୁର୍ତ୍ତିକରିବାକୁ ଭଲ ପାଏ । ସେଥିପାଇଁ ପ୍ରମୋଦ କାନନର ଦ୍ୱାର ସୁକୁମାର ଖୋଲି ଦେଇଥିଲା ତା’ ପାଇଁ । ତାହାର ବନ୍ଧୁ ଭାବରେ ଆସିଥିଲା ଅବକାଶ । ସେ ଠିକ୍‌ ବିପରୀତ ଶ୍ରୀଲାର । ଲାଜୁଆ, ଅଳ୍ପଭାଷୀ ଏବଂ ଆତ୍ମଗତ ।

 

ହଠାତ୍‌ କାହିଁକି ଯେ ସେ ଆସିବା ବନ୍ଦ କରିଦେଲା କିଛି ବୁଝିପାରିଲା ନାହିଁ ସୁକୁମାର । ଏପରି ପ୍ରାୟ ହୁଏନା, ବ୍ରାଉନସୁଗାର କବଳରେ ପଡ଼ି ଖସି ଯାଇଥିବାର ଗୋଟିଏ ବି କେସ୍‌ ଜଣାନାହିଁ ତାକୁ ।

 

ଏଇ ନିଶାଗ୍ରସ୍ତ ତରୁଣମାନେ ମୋହବିଷ୍ଟ ହୋଇ ରହନ୍ତି ସଦାବେଳେ । ପାଠପଢ଼ା ଓ ସିଭିଲଢ଼ି ସର୍ଭିସ୍‌ ପରୀକ୍ଷା ଦବା ନାମରେ ଘରୁ ଆସୁଥିବା ଧନ ସେମାନଙ୍କର ଇଚ୍ଛା ପୂର୍ଣ୍ଣ କରିବାଲାଗି ବ୍ୟୟିତ ହୁଏ । ଥରେ ମୋହବିଷ୍ଟ ହେଲେ ଆଉ ବୁଦ୍ଧି କାମ କରେନି ବ୍ୟକ୍ତିର । ସେତେବେଳେ ସେ ଅନ୍ୟ କାହାର ଦାସ, ନିଜର ପ୍ରଭୁ ନୁହେଁ । ସେଇ ମୋହବିଷ୍ଟ ନିଶାଗ୍ରସ୍ତ ଝିଅ ଓ ପୁଅଙ୍କର ଅଶ୍ଳୀଳ ସମ୍ଭୋଗ ଚିତ୍ର ବାତ୍ସ୍ୟାୟନଙ୍କର ଚଉଷଠି କଳା ଅତିକ୍ରମ କରିଯାଇଛନ୍ତି । ପ୍ରତ୍ୟେକ କଳାର ଚିତ୍ର ସହିତ ସାଇତି ରଖାହୋଇଛି ଆହୁରି ଅନେକ ବୀଭତ୍ସ କଳାର ଚିତ୍ରପଟ । କୋଣାର୍କ ଗାତ୍ରର ନଗ୍ନ ଚିତ୍ରରୁ ଆରମ୍ଭ କରିଥିଲା ସୁକୁମାର, ଏବେ ତା’ର ନୂତନ କୋଣାର୍କ ଗାତ୍ରରେ ଆହୁରି ଅନେକ ବିଚିତ୍ର ସମ୍ଭୋଗର ଚିତ୍ର । ଦେଶ ବିଦେଶରେ ଏଇ ଚିତ୍ରଗୁଡ଼ାର ଅଜସ୍ର ମୂଲ୍ୟ । ବଜାର ବି ସରଗରମ । ହଟ୍‌ କେକ୍‌ଭଳି ବିକ୍ରୀ ହୋଇଯାଏ ଏଇ ଚିତ୍ରଗୁଡ଼ା । ଚିତ୍ର ତୋଳା ଯାଉଥିବା ସେଇ ମୋହବିଷ୍ଟ ତରୁଣ ଓ ତରୁଣୀମାନଙ୍କୁ ଅକ୍ତିୟାରରେ ରଖିବା ଲାଗି ନିଶାଗ୍ରସ୍ତ କରିବାକୁ ହୁଏ ।

 

ଶ୍ରୀଲାକୁ ମାଧ୍ୟମ କରି ସେ ବ୍ୟବସାୟ ଆହୁରି ବଢ଼ାଇବାକୁ ଚାହେଁ । ଆକାଶହିଁ ତା’ର ସୀମା ।

 

ରପ୍ତାନୀ ବିଭାଗରେ ଡାଇରେକ୍‍ଟର ଅମିତାଭ ଛୋଟରାୟ ହାତରେ ଗୋଟିଏ ବଡ଼ କାମ ଅଛି । ରେଡ଼ିମେଡ଼ ଗାର୍ମେଣ୍ଟ, ପିପିଲିର ଛତା ଓ ଚାନ୍ଦୁଆ, ଓଡ଼ିଶାର ସିଂହ ଓ ପଥର କାମ ଏବଂ ସମ୍ବଲପୁରୀ ଶାଢ଼ୀ ଓ ତାରକାସୀ କାମର ଚାହିଦା ହୁ ହୁ କରି ବଢ଼ି ଚାଲିଛି ବିଦେଶରେ । ଏ ସବୁର ରପ୍ତାନୀର ଏକଚାଟିଆ କାରବାର ଚାହେଁ ସୁକୁମାର; କିନ୍ତୁ ତାହା ସମ୍ଭବ ନୁହେଁ, ଅନ୍ୟ ବ୍ୟବସାୟୀ ବି ଏକ୍‌ସପୋର୍ଟ ପରମିଟ୍‌ ପାଇବା ପାଇଁ ଆଶାୟୀ । ସେଥିପାଇଁ ଅମିତାଭ ଛୋଟରାୟକୁ ଧରିଛି ସୁକୁମାର । ଏକଚାଟିଆ ବ୍ୟବସାୟ କରିବାର ଉପାୟ ସେ କହି ଦେଇଛନ୍ତି । ସେଥିପାଇଁ କାଗଜ ପତ୍ରରେ ତିନୋଟି ଫାର୍ମ କରିଛି ସେ । ‘‘ଇଷ୍ଟ୍‍ ଆଣ୍ତ ଓ୍ୱେଷ୍ଟ ’, ‘ନିଉ ହରାଇଜନ୍‌ସ’ ଏବଂ ‘ହିନ୍ଦୁସ୍ଥାନୀ ଫେସନ’ । କାଗଜ ପତ୍ରରେ ଏ ସବୁର ମାଲିକ ଭିନ୍ନ ଭିନ୍ନ ଲୋକ ହେଲେ ବି ବାସ୍ତବରେ ଏସବୁର ମାଲିକ ସେ ନିଜେ । ଲୋକଙ୍କୁ ଦେଖାଇବା ଲାଗି ଦିଲ୍ଲୀର ଗୋଟେ ପାର୍ଟିକୁ ଦଶ ଭାଗ ବିଜିନେସ୍‌ ଛାଡ଼ି ଦେଇ ଆଉ ନବେ ଭାଗ ତାକୁ ଦବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଛୋଟରାୟ । ସୁକୁମାର ସେଥିପାଇଁ କେବଳ କୃତଜ୍ଞ ନୁହେଁ, ସ୍ଥାୟୀ ଭାବରେ ତାଙ୍କୁ ହାତରେ ରଖିବାପାଇଁ ଚାହେଁ । ଶ୍ରୀଲା ସେଇ ଉଦ୍ୟମର ମଧ୍ୟବିନ୍ଦୁ ।

 

ଅମିତାଭ ଛୋଟରାୟ ଯେପରି ହାତରୁ ଖସି ନ ଯିବେ ସେଥିପାଇଁ ବ୍ୟବସ୍ଥା କରିଛି ସୁକୁମାର । ଲାଭ୍ୟାଂଶ ପଚିଶ ଭାଗ ତାଙ୍କର । ପରେ ଗୋଟେ ଲିମିଟେଡ଼୍‌ କମ୍ପାନୀ କରି ଓଡ଼ିଶାରେ ମିନି ଷ୍ଟିଲ୍‌ପ୍ଲାଣ୍ଟ ଗୋଟେ କରିବାର ପ୍ରସ୍ତାବ ଅଛି ଦୁହିଁଙ୍କର । ସେଇ କମ୍ପାନୀରେ ସେମାନଙ୍କର ଅଂଶ ସୀମାବଦ୍ଧ ହୋଇପାରେ; କିନ୍ତୁ ସୀମାହୀନ ସେମାନଙ୍କର ଅଭିଳାଷ ।

 

ଶ୍ରୀଲା ଠିକ୍‌ ସମୟରେ ପହଞ୍ଚିଲା ଆସି ।

 

ସୁକୁମାର ଫୋନ୍‌ କଲା ଅମିତାଭ ଛୋଟରାୟଙ୍କୁ ।

 

ସେ କହିଲେ ଯେ ଭୁବନେଶ୍ୱରର କୌଣସି ରେସ୍ତୋଁରା ବା ହୋଟେଲକୁ ଆଉ ସେ ନିରାପଦ ମନେକରୁ ନାହାନ୍ତି । ଏତେ ବେଶି ଏକ୍‌ସପୋଜର ଭଲ ନୁହେଁ, ପ୍ରାଇଭେସି ରହିବା ଉଚିତ । ଏଇ ଟୋକା କରିତକର୍ମା ସାମ୍ବାଦିକଗୁଡ଼ା କାହା ପିଛା କେତେବେଳେ ଧରନ୍ତି ଜାଣିବା ମୁସ୍କିଲ । ଥରେ ଖବର କାଗଜରେ ସ୍କାଣ୍ଡାଲ ବାହାରି ଗଲେ ଆଉ ରକ୍ଷା ନାହିଁ ।

 

ସୁକୁମାର ମିଶ୍ର ବୁଝିଗଲା; କିନ୍ତୁ ଏକ୍‌ସପୋର୍ଟ ପରମିଟ୍‌ଟା ମିଳିନି ଏଯାଏ । ଗତଥର ପାଇଥିବା ପରମିଟର ସମୟ ସରି ଆସିଲାଣି ।

 

ସେ ପ୍ରସ୍ତାବ କଲା ପୁରୀ ଯିବା ପାଇଁ । ଜଗନ୍ନାଥଙ୍କ କ୍ଷେତ୍ର, କିଏ କାହାକୁ ପଚାରେ ? ସମସ୍ତେ ସମାନ ।

 

ଅମିତାଭ ରାଜି ହୋଇଗଲେ ।

 

-ଶ୍ରୀଲା କହିଲା ଆଜି ଯୋଉ ଝିଅଟା ଆସିଛି ଦେଖିଛ ?

 

-କିଏ ସେ ?

 

-ଲକ୍ଷପତି ମନ୍ନଥ ରାୟଙ୍କ ଅଲିଅଳ ଝିଅ । ଡାକ୍ତରୀ ପଢ଼ଛି ... ।

 

କିମିତି ମନେହେଉଛି ?

 

-ସେ ଫିଲ୍‌ମରେ ଅଭିନୟ କରିବାକୁ ଚାହେଁ ...

 

-ଦେଖାଯାଉ... ।

 

-ତା ଆଗରୁ ଡ୍ରଗ୍‌ସ ଧରାଇ ଦେଲେ ହେବ ... ।

 

-ମଁ ଆଗେ ଦେଖିନିଏ, ତା’ପରେ ବିଚାର କରିବା ।

 

ସେଇ ଯୋଉ ଇଞ୍ଜିନିଅର ବ୍ରାଉନ୍‌ସୁଗାର ଆରମ୍ଭ କରିଥିଲା ସେ ଧରାପଡ଼ି ଯାଇଛି...

 

-କାହା ପାଖରେ ?

 

-ତା ସ୍ତ୍ରୀ ଜାଣିଯାଇଛି ।

 

-ସେ ଆଉ ଆସୁନି ?

 

-ନ ଆସି ରହିପାରିବ ? ଲୁଚି ଛପି ଚାଲିଆସୁଛି ।

 

ବ୍ରାଉନ୍‌ସୁଗାର ଆରମ୍ଭ କଲା ଦିନ ଏଇ ଇଞ୍ଜିନିଅର ଆଦୌ ରାଜି ହେଉ ନ ଥିଲା; କିନ୍ତୁ ଯେମିତି ଥରେ ସିଗାରେଟ ଖାଇଛି, ଆଉ ତିଳେ ହେଲେ ଦ୍ୱିଧା କରିନି । ବ୍ରାଉନସୁଗାରର ଗୁଣ ଏହିପରି । ଆରମ୍ଭ କଲେ ଏକ ଅଜଣା ଶିହରଣ, ଏକ ଅନନୁଭୁତ ସ୍ଫୁର୍ତ୍ତି ଓ ଆନନ୍ଦର ଅନୁଭବ । ସବୁ ଚିନ୍ତା, ସାଧାରଣ ଜୀବନର ସବୁ ଶିଥିଳତା ଓ ଅବସାଦ ଉଭେଇଯାଏ ପଲକରେ । ଭଦ୍ରଲୋକର ଅଧିକାରୀ କରି ବ୍ରାଉନ୍‌ସୁଗାର ଆଣିଦିଏ ପରମ ପ୍ରାପ୍ତିର ଉଚ୍ଚକିତ ପୁଲକ ।

 

କିନ୍ତୁ ଆଉ ଛାଡ଼ିବା ପ୍ରଶ୍ନ ଉଠେନି କେବେ ।

 

-ତା ସ୍ତ୍ରୀ ଜିଦ୍‌ କରୁଛି ଏ ଅଭ୍ୟାସ ବନ୍ଦକରିବା ପାଇଁ ।

 

-ତାକୁ ବି ଦଳକୁ ଟାଣୁନ ?

 

-ନା, ସେ ଗୋଟାଏ ଷ୍ଟ୍ରେଞ୍ଜ୍‍ କ୍ୟାରେକ୍‍ଟର... ।

 

-କିପରି ?

 

-ସ୍ୱାମୀ ସହିତ ଆଉ କେଉଁ ମହିଳାକୁ ଦେଖିଲେ ହିଷ୍ଟ୍ରିରିଆ ଆରମ୍ଭ ହୁଏ ତାଙ୍କର ।

 

-ଆରେ ବାବା ! ଥାଉ ଥାଉ ...ଏଠାରେ ନାଟକର ପ୍ରୟୋଜନ ନାହିଁ । ସୁକୁମାର ମିଶ୍ର ଅପେକ୍ଷା କରୁଥିଲା ।

 

ଅମିତାଭ ଛୋଟରାୟଙ୍କ ଗାଡ଼ି ଗେଟ୍‌ ପାଖରେ ଛିଡ଼ା ହେବାକ୍ଷଣି ସେ ବାହାରି ପଡ଼ିଲା ନିଜ ଗାଡ଼ିରେ; କିନ୍ତୁ ଗାଡ଼ି ଷ୍ଟାଟ୍‌ କରିବା ପୂର୍ବରୁ ପୁଲିସ୍‌ଗାଡ଼ି ଛିଡ଼ା ହେଲା ଗେଟ୍‌ ଆଗରେ । ଅମିତାଭ ଆଖିପିଛୁଳାରେ ଗାଡ଼ି ଚଳେଇ ଖସିଗଲେ ସେଠାରୁ ।

 

ସୁକୁମାର ମିଶ୍ରର ସହକାରୀ ଅଫିସ୍‌ ଆଗରେ ପୁଲିସ୍‌ ଦେଖି ମୂର୍ଚ୍ଛା ହୋଇଗଲା । ତାକୁ ଅନ୍ୟମାନଙ୍କ ଜିମା ଦେଇ ଘରର ଚତୁର୍ଦ୍ଦିଗରେ ପୁଲିସ୍‌ ଜଗୁଆଳି ରଖି ସର୍ଚ୍ଚ ଆରମ୍ଭ କରିଦେଲେ ।

 

ସୁକୁମାର ମିଶ୍ର ଡେପୁଟି ସୁପରିଟେଣ୍ତେଣ୍ଟଙ୍କୁ ଏକାନ୍ତରେ ପାଇ କହିଲା, ଆପଣ ସହଯୋଗ କରନ୍ତୁ...ଏ ବିଜିନେସ୍‌ ଆପଣଙ୍କ ନିଜର ପରି ମନେକରନ୍ତୁ । ଲକ୍ଷେ ଟଙ୍କା ଆଡ଼ଭାନ୍‌ସ ଦେଉଛି ଆଉ ।

 

ଧମକ ଦେଇ କହିଲେ ପୁଲିସ୍‌ ଅଫିସର, ତମର ସାହସ ତ କମ୍‌ ନୁହେଁ... । ଉତ୍କୋଚ ଯାଚିବା ବି ଆଇନ ବିରୁଦ୍ଧ ଜାଣ ନିଶ୍ଚୟ... ।

 

ଅଟକିଗଲା ସୁକୁମାର । ଏଯାଏ ଯେ କେହି ତା’ର ବିଜିନେସ୍‌ ସମ୍ପର୍କରେ ଜାଣିବା ପାଇଁ ଆସି ନ ଥିଲେ ତାହା ନୁହେଁ; କିନ୍ତୁ ସମସ୍ତଙ୍କୁ ଆପ୍ୟାୟିତ କରି ସେ ପଠାଇ ଦେଇଥିଲା । ଆୟକର ବିଭାଗ, ଅବକାରୀ ବିଭାଗ, ବାଣିଜ୍ୟକର ବିଭାଗର ଲୋକ ଆସିଥିଲେ ତଦନ୍ତ କରିବା ପାଇଁ । ପୁଲିସ୍‌ ଯେ ଆସି ନ ଥିଲା ଏପରି ନୁହେଁ; କିନ୍ତୁ ସ୍ପେଶାଲ ବ୍ରାଞ୍ଚର ଲୋକ କେବେ ଆସି ନ ଥିଲେ ଏଠାକୁ ।

 

ସୁକୁମାର କହିଲା, ମୁଁ ଫୋନ କରିପାରେ କି ?

 

ଡେପୁଟି ସୁପରିଟେଣ୍ତେଣ୍ଟ କହିଲେ, ନା, ବାହାର ଜଗତ ସହିତ ଯୋଗାଯୋଗ କରିବାକୁ ଅନୁମତି ଦିଆଯିବ ନାହିଁ ।

 

ତଥାପି ସୁକୁମାର ଦବିଗଲା ନାହିଁ; ବରଂ ତେଜ ଦେଖାଇ କହିଲା ଯେ, ସେ ପରେ ସର୍ବୋଚ୍ଚ ମହଲରେ ସବୁ କହିବ । ସେ ଜଣେ ସମ୍ମାନିତ ନାଗରିକ, ତାଙ୍କୁ ଅପମାନ କରିବାର ଅଧିକାର କାହାର ନାହିଁ । ଜନ ସମ୍ମାନ ଦିନକରେ ପାଏନି କେହି, ଇଟା ଉପରେ ଇଟା ଗୁନ୍ଥି ଯେପରି ସୌଧ ନିର୍ମାଣ କରାଯାଏ ସେହିପରି ଦିନ ପରେ ଦିନ ଲାଗିଯାଏ ଜନମାନସର ଶ୍ରଦ୍ଧା ଅର୍ଜନ କରିବା ପାଇଁ । ତାହା ବିନା ଶ୍ରମରେ ହୁଏ ନାହିଁ, ସେଥିଲାଗି ଅସାଧ୍ୟ ସାଧନ କରିବାକୁ ପଡ଼େ ।

 

ଡେପୁଟି ସୁପରିଟେଣ୍ତେଣ୍ଟ ଅଭିଜ୍ଞ ଲୋକ । ସେ ଜାଣନ୍ତି ଏପରି ଲୋକଙ୍କର ଦୌଡ଼ କେତେଦୂର । ଅର୍ଥ ବଳରେ ଏମାନେ ଆୟତ୍ତ କରନ୍ତି ରାଜଶକ୍ତି, ଅଧିକାର କରନ୍ତି ସିଂହାସନ । ସେଇ ଅର୍ଥର ମୂଳ ସ୍ରୋତ ବନ୍ଦ କରିଦେଲେ ପାଣିରୁ କାଢ଼ିବା ମାଛ ପରି ଆପେ ଆପେ ଶେଷ ହୋଇଯାଏ ଏମାନଙ୍କର କ୍ଷମତା ଓ ଅଭିମାନ ।

 

ଖାନ୍‌ତଲାସ ସାରାଦିନ ଏବଂ ରାତି ଚାରିଟା ପର୍ଯ୍ୟନ୍ତ ଚାଲିଲା । ବହୁ ଅଶ୍ଳୀଳ ନଗ୍ନ ଫଟୋ ସହିତ କେତେକ ଅଶ୍ଳୀଳ ଫିଲ୍ମ ଓ ସାହିତ୍ୟ ଏବଂ ବ୍ରାଉନ୍‌ସୁଗାର, ଚରସ୍‌, ଅଫିମ ପ୍ରଭୃତି ବହୁ ପ୍ରକାର ନିଶାଦ୍ରବ୍ୟ ଏବଂ ବେଆଇନ କାରବାରର ବହୁ ଦଲିଲଢ଼ି ଜବତ କଲେ ପୁଲିସ୍‌ ଦଳ । ପ୍ରଭାତ ହେବା ପୂର୍ବରୁ ସବୁ କାର୍ଯ୍ୟ ଶେଷ କରି ସକାଳ ହେବାକ୍ଷଣି ଜବତ କରିଥିବା ସବୁର ଲିଷ୍ଟ ତିଆରି କରିସାରି ସେଥିରେ ସୁକୁମାର ମିଶ୍ର ଏବଂ କେତେଜଣ ବିଶିଷ୍ଟ ବ୍ୟକ୍ତିଙ୍କର ସ୍ୱାକ୍ଷର ନେଇ ଡେପୁଟି ସୁପରିଟେଣ୍ତେଣ୍ଟ ଯିବାପୂର୍ବରୁ ସୁକୁମାରକୁ ଗିରଫ କରି ନେଇଗଲେ ଥାନାକୁ ।

 

ସେତେବେଳେ ଚହଳ ପଡ଼ିଯାଇଥାଏ ସତ୍ୟନଗରରେ । ସୁକୁମାର ମିଶ୍ର ପରି ପ୍ରଭାବଶାଳୀ ବ୍ୟକ୍ତିକୁ ଯେ ପୁଲିସ୍‌ ଗିରଫ କରିପାରେ ଏବଂ ତାର ଘର ସର୍ଚ୍ଚ କରିପାରେ ଏହା ମୁହଁରୁ ମୁହଁକୁ ପ୍ରଚାରିତ ହେବା ସଙ୍ଗେ ସଙ୍ଗେ ତା ଘର ଆଗରେ ଦର୍ଶକଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା ।

 

ରଙ୍ଗା ରାଓ, ଭୁବନ ସ୍ୱାଇଁର ପୁଅ ବାବୁନା, ରାମା ରାଓ, ନିଧି ନାଏକ, ଗୁଣ ଜେନା, ଗୁରା ମାଝୀ ଓ ଆହୁରି ଅନେକ ଠୁଳ ହୋଇଥିଲେ କଅଣ ଘଟିବ ଦେଖିବା ପାଇଁ ।

 

ଅରକ୍ଷିତ ଦାସ ସଲାମତ୍‍ ଅଲ୍ଲୀ ସହିତ ପହଞ୍ଚିଯାଇ ଲୋକମାନଙ୍କୁ କହିଲା, ଯିଏ ଯାହାର କାମରେ ଯିବା ପାଇଁ । ପରକଥା ଶୁଣିବାଲାଗି ଏଇ ଲୋକଗୁଡ଼ାକର ପ୍ରଚୁର ସମୟ ଅଛି, ଅଥଚ ନିଜ ବିଷୟ ବୁଝିବାଲାଗି ସମୟ ନ ଥାଏ ସେମାନଙ୍କ ହାତରେ । ଅରକ୍ଷିତ ଏପରି ହେବ ବୋଲି କଳ୍ପନା ବି କରି ନ ଥିଲା । ସୁକୁମାର ତା’ର ଅନ୍ନଦାତା, ତାହାର ବ୍ୟବସାୟରୁ ଚଳିବାପାଇଁ ସେ ଅଭାବର ପାଚେରୀ ଡେଇଁ ସ୍ୱଚ୍ଛଳତାର ମୁହଁ ଦେଖୁଛି ଏଇନେ । ଅରକ୍ଷିତ ଭିତରକୁ ଯାଇ ସୁକୁମାରର ସହକାରୀ ସହଦେବଠାରୁ ସବୁ ଶୁଣି ତାକୁ ନିଶ୍ଚିନ୍ତ ରହିବା ପାଇଁ ଆଶ୍ୱାସନା ଦେଇ ସିଧା ଗଲା ଏମ୍‌.ଏଲ୍‌.ଏ.ଙ୍କ କ୍ୱାଟରକୁ । ତାଙ୍କୁ ଧରି ମନ୍ତ୍ରୀଙ୍କ ପାଖକୁ ଯାଇ ସୁକୁମାର ବିରୁଦ୍ଧରେ ହେଉଥିବା ପୁଲିସ୍‌ କାର୍ଯ୍ୟ କିପରି ବନ୍ଦ ହେବ ସେ ବିଷୟରେ ତାଙ୍କର ସାହାଯ୍ୟ ପ୍ରାର୍ଥନା କରିବ । ସୁକୁମାର ସରକାରୀ ଦଳର ସମର୍ଥକ ଏବଂ ପୃଷ୍ଠପୋଷକ । ବର୍ଷକୁ ଅତି କମ୍‌ରେ ଚାରି ପାଞ୍ଚ ଲକ୍ଷ ଟଙ୍କା ସେ ପାର୍ଟି ଫଣ୍ତକୁ ଦିଏ, ଏହାଛଡ଼ା ରାଜଧାନୀରେ ଦଳ ପକ୍ଷରୁ ଯେଉଁ ସଭା ଓ ଶୋଭାଯାତ୍ରା ହୁଏ ସେଥିରେ ଖର୍ଚ୍ଚ ହେଉଥିବା ଅର୍ଥର ଏକ ମୋଟା ଅଂଶ ଦେଇଥାଏ ସେ । ସତ୍ୟନଗର ବସ୍ତିର ଲୋକଙ୍କୁ ଏସବୁ କାର୍ଯ୍ୟରେ ଲଗେଇବା ଲାଗି ଅରକ୍ଷିତ ଦାସକୁ ହାତ କରିଛି ସେ । ମ୍ୟୁନିସିପାଲିଟି ନିର୍ବାଚନ ହେଲେ ସତ୍ୟନଗର ଓ୍ୱାର୍ଡ଼ରୁ ଦଳୀୟ ପ୍ରାର୍ଥୀ କରିବା ପାଇଁ ତାକୁ ପ୍ରତିଶ୍ରୁତି ଦେଇଛି ସୁକୁମାର ।

 

ଅରକ୍ଷିତ କୃତଜ୍ଞ ସୁକୁମାର ପାଖରେ ।

 

ସେଥିପାଇଁ ଆଉ କାଳ ବିଳମ୍ବ ନ କରି ସେ ବାହାରି ପଡ଼ିଲା ନିଜର ଅଭିଯାନରେ ।

 

ବିଧାୟକଙ୍କୁ ସବୁ ବୁଝାଇ ଦେଇ କହିଲା ସେ, ସୁକୁମାର ବାବୁଙ୍କୁ ରକ୍ଷା ନ କଲେ ଦଳ ଅପଦସ୍ତ ହେବ, ଆମ ପାର୍ଟିକୁ ମିଳୁଥିବା ପାଣ୍ଠି ଓ ଜନସମର୍ଥନ କମିଯିବ । ନିର୍ବାଚନ ବର୍ଷରେ ଏପରି ହେଲେ ଦଳ ଯେ ବିପର୍ଯ୍ୟୟର ସମ୍ମୁଖୀନ ହେବ ଏଥିରେ ଆଉ ସନ୍ଦେହ ନାହିଁ ।

 

ବିଧାୟକ ଚିନ୍ତିତ ହେଲେ । ମୁଖ୍ୟମନ୍ତ୍ରୀ ବାରମ୍ବାର ପାର୍ଟି ମିଟିଂରେ ଭାଷଣ ଦେଇ କହିଛନ୍ତି ଉଜ୍ଜ୍ୱଳ ଭାବମୂର୍ତ୍ତି ନ ଥିବା ଲୋକଙ୍କୁ ଘଣ୍ଟ ନ ଘୋଡ଼ାଇ ଦଳରୁ ବହିଷ୍କାର କରିବା ପାଇଁ । ସରକାରରେ ଦଳ ବହୁ ଦିନ ରହିଯାଇଥିବାରୁ ନେତା ଓ କର୍ମୀମାନଙ୍କ ମଧ୍ୟରେ ଶିଥିଳତା ଓ ଅପାରଗତା ବଢ଼ୁଛି, ଭ୍ରଷ୍ଟାଚାର ଓ ଅନାଚାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ପ୍ରଶାସନିକ କାର୍ଯ୍ୟରେ ଦଳୀୟ ଲୋକେ ହସ୍ତକ୍ଷେପ କରିବା ନିତିଦିନିଆ ଘଟଣା ହୋଇଗଲାଣି । ଏହାଦ୍ୱାରା କେବଳ ପ୍ରଶାସନ ଅସମର୍ଥ ଓ ଦୁର୍ବଳ ହେଉନାହିଁ, ଜନହିତକର କାର୍ଯ୍ୟ ସୁଚାରୁରୂପେ ସମ୍ପାଦିତ ମଧ୍ୟ ହୋଇପାରୁନି । ବିଭିନ୍ନ ପରସ୍ପର ବିରୋଧୀ ଚାପ ପଡ଼ିବା ଯୋଗୁ ନିଷ୍ପତ୍ତି ନବାବେଳେ ନୀତି ପ୍ରତି ଦୃଷ୍ଟି ଦିଆଯାଇ ପାରୁନାହିଁ । ତେଣୁ ଦଳ ଓ ସରକାର ଲୋକଙ୍କର ଆସ୍ଥାଭାଜନ ହୋଇପାରୁ ନାହାଁନ୍ତି ।

 

ଅରକ୍ଷିତ କହିଲା, ଯେ, ଏହି ସାଧାରଣ ନୀତି ଅସାଧାରଣ ପରିସ୍ଥିତି ପାଇଁ ପ୍ରଯୁଜ୍ୟ ନୁହେଁ । ସୁକୁମାର ମିଶ୍ର ଆଗାମୀ ପାର୍ଟି କର୍ମକର୍ତ୍ତା ନିର୍ବାଚନରେ ଦଳର କୋଷାଧ୍ୟକ୍ଷ ହେବା ପ୍ରାୟ ନିଶ୍ଚିତ ହୋଇଗଲାଣି ବୋଲି ସଭାପତିଙ୍କ ପାଖ ଲୋକଠାରୁ ଶୁଣିଛି ସେ । ଏହି ପରିପ୍ରେକ୍ଷୀରେ ବିଧାୟକ ମନ୍ତ୍ରୀଙ୍କ ପାଖକୁ ନିଜେ ଯାଇ ତାଙ୍କୁ ଏ କାର୍ଯ୍ୟରେ ହସ୍ତକ୍ଷେପ କରିବା ଲାଗି ନ ପ୍ରବର୍ତ୍ତାଇଲେ ଦଳର ଅପୂରଣୀୟ କ୍ଷତି ହେବ । ତା’ପରେ ବିରୋଧୀ ଦଳଙ୍କୁ କହିବାକୁ ଆଉ ଗୋଟେ ସୁଯୋଗ ମିଳିଯିବ ଯେ, ସରକାରୀ ଦଳ ଅବାଞ୍ଛିତ, ଅସାମାଜିକ ଓ କଳଙ୍କିତ ଲୋକଙ୍କଦ୍ୱାରା ଭର୍ତ୍ତି । ନିର୍ବାଚନ ବର୍ଷ ଦଳ ଏପରି ନୀତି ମାନିବାର ବିଳାସ କରିବା ଆତ୍ମହତ୍ୟା କରିବା ସଦୃଶ ହେବ ।

 

ବିଧାୟକ ବୁଝିଗଲେ । ସେ ମନ୍ତ୍ରୀଙ୍କ ପି. ଏ.ଙ୍କୁ ଟେଲିଫୋନ କରି ଜଣାଇଦେଲେ ତାଙ୍କ ଯିବା କଥା ଏବଂ ଗାଡ଼ି ପଠାଇବା ପାଇଁ କହିଲେ ।

 

ଗାଡ଼ି ଆସିଲା । ଅରକ୍ଷିତ ଦାସକୁ ସାଙ୍ଗରେ ନେଇ ବିଧାୟକ ବୀର ପ୍ରତାପ ପାଇକରାୟ ମନ୍ତ୍ରୀଙ୍କ ଉଆସରେ ପହଞ୍ଚିଲାବେଳକୁ ସେ ବିଭାଗୀୟ ସଚିବଙ୍କ ସହିତ ଗୋଟେ ଗୁରୁତର ବିଷୟ ଆଲୋଚନା କରୁଥିଲେ । ମନ୍ତ୍ରୀଙ୍କ କୋଠରି ଆଗରେ ଲାଲ ବତି ଜଳୁଥିଲା; କିନ୍ତୁ ସେଥିପ୍ରତି ଭ୍ରୁକ୍ଷେପ ନ କରି ଧସେଇ ପଶିଲେ ବିଧାୟକ । ମନ୍ତ୍ରୀ ଅପ୍ରସ୍ତୁତ ମନେକଲେ ବି ବିଧାୟକଙ୍କୁ କିଛି କହିବାଲାଗି ସାହସ କଲେ ନାହିଁ । ବିଧାୟକମାନଙ୍କ କଥା ନ ଶୁଣିଲେ, ସେମାନଙ୍କର ଉଚିତ ଅନୁଚିତ ଦାବି ପୂର୍ଣ୍ଣ ନ କଲେ ସେମାନେ ଅସନ୍ତୁଷ୍ଟ ଗୋଷ୍ଠୀରେ ଯୋଗ ଦବାର ଆଶଙ୍କା ଅଛି । ବିଭାଗୀୟ ସଚିବଙ୍କୁ ଟିକେ ଅପେକ୍ଷା କରିବାକୁ କହି ନିଜର ଶୋଇବା ଘରକୁ ବିଧାୟକ ଓ ଅରକ୍ଷିତକୁ ନେଇଗଲେ ସେ । ସେଠାରେ ପ୍ରାୟ ଅଧଘଣ୍ଟାଏ ଆଲୋଚନା ପରେ ମନ୍ତ୍ରୀ ପି. ଏ.ଙ୍କୁ କହିଲେ ଆଇ. ଜି.ଙ୍କୁ ଟେଲିଫୋନ କରିବା ପାଇଁ । ପାଞ୍ଚ ମିନିଟ ମଧ୍ୟରେ ଆଇ. ଜି. ଆସିଲେ ଟେଲିଫୋନରେ । ମନ୍ତ୍ରୀ ବିଷୟରେ ଗୁରୁତ୍ୱ ବର୍ଣ୍ଣନା କରି ଏବଂ ଶୀଘ୍ର ପ୍ରତିକାର ନ କଲେ ସରକାର କିପରି ବଦନାମ ହେବେ ତାହାର ଆଭାସ ଦେଇ ସୁକୁମାର ମିଶ୍ର ନାମରେ କେସ୍‌ରୁଜୁ ନ କରିବାଲାଗି ଆଦେଶ ଦେଲେ । ଆଇ. ଜି. ବିନୟ ସହକାରେ ରାଜ୍ୟର ଆଇନ ଶୃଙ୍ଖଳା ରକ୍ଷା କରିବା ଅସମ୍ଭବ ହୋଇଉଠିବ ଏବଂ ଶାସନ ଉପରୁ ଜନସାଧାରଣଙ୍କ ଆସ୍ଥା ତୁଟିଯିବ । ମନ୍ତ୍ରୀ କିନ୍ତୁ ନିଜ ଆଦେଶ ଅପରିବର୍ତ୍ତନୀୟ ବୋଲି ରୋକ୍‌ଠୋକ୍‌ କହିଦବାରୁ ଏବଂ ଆଇ. ଜି. ଯଦି ଆଦେଶ ତାଲିମ ନ କରନ୍ତି ଆଉ ଯିଏ ତାମିଲ କରିବ ସେପରି ଅଫିସରଙ୍କର ଅଭାବ ଯେ ନାହିଁ ପୁଲିସ୍‌ ବିଭାଗରେ ତାହା ସ୍ପଷ୍ଟ କରିଦବାରୁ ଆଇ. ଜି. କହିଲେ; କିନ୍ତୁ କ୍ଷମା କରିବେ ସାର୍...ମୁଖ୍ୟମନ୍ତ୍ରୀଙ୍କୁ ଏ ବିଷୟରେ ଅବଗତ କରିରଖିବା ଉଚିତ ହେବ । ମନ୍ତ୍ରୀ ଏ ପାଖରୁ ବିଭାଗୀୟ ମନ୍ତ୍ରୀ ଭାବରେ ଏପରି ଆଦେଶ ଦବାର ଅଧିକାର ସମ୍ପୂର୍ଣ୍ଣ ଭାବରେ ତାଙ୍କରି ।

 

ବିଧାୟକ କହିଲେ, ସୁକୁମାର ମିଶ୍ର ପୁଲିସ୍‌ ହାଜତରୁ ଫେରିବା ପରେ ରାତିରେ ସାକ୍ଷାତ୍‌ କରିବେ ଆପଣଙ୍କ ସହିତ, ସେତିକିବେଳେ ପାର୍ଟି ଫଣ୍ତକୁ ମୋଟା କିଛି ଦେଇଯିବେ... ।

 

‘କଳିଙ୍ଗ ହାଉସ’ ନିର୍ମାଣ କଣ୍ଟ୍ରାକ୍‍ଟ ଶେଷରେ ପାଇଲା ମାଧବାନନ୍ଦ । ଗୋବିନ୍ଦ ପୃଷ୍ଟି ଜ୍ୱାଇଁର ଏଇ ଆଶାତୀତ ସଫଳତାରେ ଖୁସୀ ହୋଇ ନନ୍ଦନକାନନ ରାସ୍ତା କଡ଼ରେ ଥିବା ନିଜର ଉଦ୍ୟାନ ଭବନରେ ଏକ ବଡ଼ ଭୋଜି ଦେଲା ରାଜକୀୟ ଅତିଥି ଚର୍ଚ୍ଚାର ଭୂୟସୀ ପ୍ରଶଂସା କଲେ । ଗୋବିନ୍ଦ ଜ୍ୱାଇଁ ମାଧବାନନ୍ଦ ସହିତ ସମସ୍ତ ଅତିଥିଙ୍କୁ ବ୍ୟକ୍ତିଗତ ଭାବରେ ସଙ୍ଖୋଳିବାରେ ତ୍ରୁଟି କରି ନ ଥିଲା ଏବଂ ଏହି ଉତ୍ସବକୁ ସ୍ମରଣୀୟ କରି ରଖିବାଲାଗି ପ୍ରତ୍ୟେକଙ୍କୁ ତାରକସି କାମର ବିଭିନ୍ନ ସାମଗ୍ରୀ ଉପହାର ଦେଇଥିଲା ।

 

ମୁଖ୍ୟଯନ୍ତ୍ରୀ ସୁଧାମୃତ କାନୁନ୍‍ଗୋ ଗୋବିନ୍ଦ ପୃଷ୍ଟି କାନ୍ଧ ଉପରେ ହାତ ରଖି ବଉଳ ଗଛ ମୂଳେ କହିଲେ, ବଡ଼ କାମଟା ହୋଇଗଲା । ଏପରି ସଫଳତା କମ୍‌ ଲୋକଙ୍କ ଭାଗ୍ୟରେ ଯୁଟେ ...

 

-ସବୁ ଆପଣଙ୍କ ଆଶୀର୍ବାଦ... ।

 

-ମୋର ରିଟାୟାର ବେଳ ଶୀଘ୍ର ନ ହେଲେ ବି ଦୀର୍ଘକାଳ ନୁହଁ । ଆଉ...ପାଞ୍ଚ ବର୍ଷ । ତା’ପରେ ମନେ ରଖିବ ଗୋବିନ୍ଦ ବାବୁ ?

 

ଗୋବିନ୍ଦ ପୃଷ୍ଟି ଇଚ୍ଛା କରୁଥିଲା କଳ୍ପତରୁ ହୋଇ ଚିଫ୍‌ ଇଞ୍ଜିନିୟରଙ୍କର ସବୁ ଇଚ୍ଛା ପୂର୍ଣ୍ଣ କରିବା ପାଇଁ । ତାଙ୍କର ଦୟାରୁ ସେ ଆଜି ଠିକାଦାରମାନଙ୍କର ମଉଡ଼ମଣି ।

 

ମୁଖ୍ୟଯନ୍ତ୍ରୀ ପ୍ରଥମେ ଆସିଥିଲେ କିନ୍ତୁ ସବା ଶେଷରେ ଗଲେ । ତାଙ୍କୁ ବିଦାୟ ଦବା ଲାଗି ଗୋବିନ୍ଦ ଓ ମାଧବାନନ୍ଦ ଦୁହେଁ ଗାଡ଼ି ପାଖକୁ ଆସିଲେ ଏବଂ ମାଧବାନନ୍ଦ ଦରଜା ଖୋଲି ଦେଲା । ସୁଧାମୃତଙ୍କ ହାତକୁ ଗୋଟେ ପ୍ଲାଷ୍ଟିକ ଫୋଲଡ଼୍‌ର ବଢ଼ାଇ ଦେଲା ମାଧବାନନ୍ଦ । ଏ ଭିତରେ ଜ୍ୱାଇଁଙ୍କ ପାଇଁ କିଣା ହୋଇଥିବା ପଲାସପଲ୍ଲୀର ଡ଼ୁପ୍ଲେସ୍କ ଘରର ସମସ୍ତ କାଗଜ ପତ୍ର ରହିଥିବାର ସୂଚନା ଦେଲା ମାଧବାନନ୍ଦ ।

 

ସୁଧାମୃତ ହସିଲେ ।

 

ଗୋବିନ୍ଦ ପୃଷ୍ଟି କହିଲା, ଆପଣଙ୍କ ଜ୍ୱାଇଁ ମୋ ଜ୍ୱାଇଁ ପରି । କିଛି ମନେକରିବେ ନାହିଁ ।

 

ସୁଧାମୃତ ଆଉ ଥରେ ହସିଲେ ଏବଂ ଗାଡ଼ି ଷ୍ଟାର୍ଟକରି କହିଲେ, ମନ୍ତ୍ରୀଙ୍କ ଆଶୀର୍ବାଦ ମିଳି ନ ଥିଲେ ଏ କାମ ମିଳି ନ ଥାନ୍ତା । ଆପଣଙ୍କ ରେଟ୍‍ ବେଶି ଥିଲେ ବି ସେ ବିଭିନ୍ନ କାରଣ ଦର୍ଶାଇ ଅନ୍ୟ ଟେଣ୍ତରଗୁଡ଼ାକ ନାକଚ କରିଦେଲେ । ତାକୁ ଯେପରି ଭୁଲି ନ ଯା’ନ୍ତି ।

 

ନା, ନା, ତାହା କଲେ ମହାପାପ ହେବ ଯେ ...ନର୍କରେ ବି ଜାଗା ମିଳିବନି ସାର୍... । ସେଥିପାଇଁ ଆଗୁଆ ଦଶ ଦେଇ ଆସିଛି ତାଙ୍କୁ । ଅନ୍ୟ କିସ୍ତି ଠିକ୍‌ ସମୟରେ ପାଇବେ ।

 

-ଲକ୍ଷ ନା ହଜାର ?

 

-ହଜାର କେବେ ସେ ନିଅନ୍ତିନି ସାର୍‌ କିନ୍ତୁ ଆରବିଟ୍ରେସନ ପାଇଁ ଯଥା ସମୟରେ ଆମ ନିବେଦନ ଯାଏ ଯେପରି । ଯାହା ବାକି ଥିବ ଆରବିଟ୍ରେସନ ପୂରଣ ହୋଇଯିବ ।

 

ଆଉଥରେ ସମ୍ମତିସୂଚକ ହସ ହସିଲେ ସୁଧାମୃତ ।

 

‘କଳିଙ୍ଗ ଭବନ’ ନିର୍ମାଣ କାମ ଶେଷରେ ପାଇଗଲା ମାଧବାନନ୍ଦ । ସ୍ଵୟଂ ମୁଖ୍ୟମନ୍ତ୍ରୀଙ୍କଦ୍ୱାରା ଶିଳାନ୍ୟାସ ହେବା ପରେ ଶ୍ୱଶୁରଙ୍କ ନିର୍ଦ୍ଦେଶ ଅନୁସାରେ ଯୁଦ୍ଧକାଳୀନ ତତ୍ପରତାର ସହିତ ନିର୍ମାଣ କାମ ଚାଲୁ କଲା ମାଧବାନନ୍ଦ । ‘ଓଡ଼ିଶା କନ୍‌ଷ୍ଟ୍ରାକସନ୍‌’ ଜ୍ୱାଇଁ ଓ ଶ୍ୱଶୁରଙ୍କର ନିର୍ମାଣ ସଂସ୍ଥା । ଦିନେ ଭାରତର ବଡ଼ ବଡ଼ ନିର୍ମାଣ ସଂସ୍ଥା ପରି ଏହି ସଂସ୍ଥା ଗଢ଼ି ଉଠିବ ବୋଲି ବିଶ୍ୱାସ ଦୁହିଙ୍କର । ସେଥିପାଇଁ ଇଞ୍ଜିନିଅର, ଆରକିଟେକ୍‍ଟ, ଇଣ୍ଟେରିଅର ଡେକୋରେଟର ଓ ଅନ୍ୟାନ୍ୟ ବିଶେଷଜ୍ଞମାନଙ୍କୁ ନିଯୁକ୍ତ କରାଯାଇଛି ବିଭିନ୍ନ ବିଭାଗର ସୁଚାରୁ ପରିଚାଳନା ପାଇଁ । ରାଜଧାନୀର ଭଲ ଭଲ ରାଜମିସ୍ତ୍ରୀ, ବଢ଼େଇ, ପ୍ଲମ୍ବର, ଫିଟର ପ୍ରଭୃତି ‘କଳିଙ୍ଗ ହାଉସ’ ନିର୍ମାଣ କାର୍ଯ୍ୟରେ ନିଯୁକ୍ତ । ସେମାନଙ୍କୁ ସାହାଯ୍ୟ କରିବା ସକାଶେ ଶହ ଶହ ଶ୍ରମିକ ।

 

ନିଅଁ ଖୋଳା ହେବାବେଳେ କେବଳ ଶ୍ରମିକମାନଙ୍କ ଉପରେ ନିର୍ଭର ନ କରି ବଡ଼ ବଡ଼ ମାଟିଖୋଳା ଯନ୍ତ୍ର ସାହାଯ୍ୟରେ ଅନେକ କାମ କମ୍‌ ସମୟ ଭିତରେ କରିଥିଲା ମାଧବାନନ୍ଦ । ସେହିପରି ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହେଉଥିବା ସିମେଣ୍ଟ, ଇଟା, ବାଲି, ଲୁହାଛଡ଼ ଓ ଅନ୍ୟାନ୍ୟ ସାମଗ୍ରୀ ଯେପରି ନିଅଣ୍ଟ ନ ପଡ଼େ ସେଥିପାଇଁ ଆଗୁଆ ବ୍ୟବସ୍ଥା କରିଛି ସେ । କଳାହାଣ୍ତି ଓ ଛତିଶଗଡ଼ ଜଙ୍ଗଲରୁ ଭଲ ଶାଗୁଆନ, ମୟୁରଭଞ୍ଜର ଶିମିଳିପାଳରୁ ପ୍ୟାନେଲିଂ ପାଇଁ ଚମ୍ପା ଏବଂ ମହୀଶୂରରୁ ରୋଜଉଡ଼୍‌ ଅଣାଯାଇଛି ‘କଳିଙ୍ଗ ଭବନ’ର ଡିଜାଇନ୍‌ ସହିତ ଖାପ ଖୁଆଇ ଆଧୁନିକ ନିର୍ମାଣକୌଶଳ ଅବଲମ୍ବନ କଲାବେଳେ ଓଡ଼ିଶାର ସାଂସ୍କୃତିକ ପରମ୍ପରା ଓ ପରିବେଶ ପ୍ରଭୃତି ଯଥାର୍ଥ ଦୃଷ୍ଟି ଦିଆଯାଇଛି ।

 

ରାମା ରାଓ କଂକ୍ରିଟ ପିଲାରଗୁଡ଼ାକୁ ଇଟା କାନ୍ଥଦ୍ୱାରା ସଂଯୁକ୍ତ କଲାବେଳେ ଭାବିଯାଏ ନିଜର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସମ୍ବନ୍ଧରେ । ଅତୀତକୁ ଅସ୍ୱୀକାର କରି ସେ ବର୍ତ୍ତମାନକୁ ଗଢ଼ିପାରିବ ନାହିଁ, ପୁଣି ବର୍ତ୍ତମାନ ଉପରେ ପଡ଼ିବ ତା’ର ଭବିଷ୍ୟତର ମୂଳଦୁଆ । ଏଇ କଳିଙ୍ଗ ଭବନର କଂକ୍ରିଟ ଖମ୍ବ ପରି ମଣିଷର ଭାଗ୍ୟ ସୁଦୃଢ଼ ହେବ ନାହିଁ ସତ; କିନ୍ତୁ ଦିନେ ହୁଏତ ମଣିଷ ଭଗବାନଙ୍କ ଉପରେ ସବୁ ବିଷୟରେ ନିର୍ଭର ନ କରି ତିଆରି କରିବ ଯେଉଁ ଇଟା ସିମେଣ୍ଟର ଘର ତାହା ହେବ ଭବିଷ୍ୟତର ଭଣ୍ତାର ଘର । ଏଇ କଳିଙ୍ଗ ଭବନରେ ଯେଉଁମାନେ ଅଫିସ କରିବେ, ଏହାର ଖୋଲା ଝରକା ଦେଇ ଦକ୍ଷିଣା ପବନର ପରଶ ଓ ପୂର୍ବର ଆଲୋକ ପାଇବେ ସେମାନେ ରାମା ରାଓ ଓ ତା ସାଥୀମାନଙ୍କ କାହାଣୀ ମନେ ନ ପକାଇବା ସ୍ୱାଭାବିକ; କିନ୍ତୁ ସେ ନିଜର ନିଷ୍ଠା ଓ ଶ୍ରମ ଦେଇ କାର୍ଯ୍ୟ କଲାବେଳେ ସେମାନଙ୍କ କଥା ଭୁଲି ନାହିଁ । ସେମାନଙ୍କର ସୁରକ୍ଷା ଓ ସେମାନଙ୍କର ସୁବିଧା ସବୁବେଳେ ମନକୁ ସଚେତନ କରିଛି, କାଳେ କାମରେ ତ୍ରୁଟି ରହିଯାଇପାରେ ଏଥିପାଇଁ ସେ ନିଜକୁ ଓ ସାଥୀମାନଙ୍କୁ ବାରମ୍ବାର ସତର୍କ କରିଦିଏ । କୋଣାର୍କ ମନ୍ଦିର କେଉଁମାନେ ତିଆରି କରିଥିଲେ ତାହା କେହି ଲେଖିରଖି ନାହିଁ; ଧର୍ମପଦ ଓ ବିଶୁ ମହାରଣା ଏଇ ଦୁଇଟା ନାମ ଇତିହାସ ପୃଷ୍ଠାରେ ଚିରକାଳ ଜୀବନ୍ତ । ତଥାପି କିଏ ଅସ୍ୱୀକାର କରିବ ଯେ, ବାର ଶହ ଲୋକ ବାର ବର୍ଷଧରି କେବଳ ଏହି କାମ କରିଥିବେ । ସ୍ତ୍ରୀ, ସନ୍ତାନମାନଙ୍କର ସାନ୍ନିଧ୍ୟ ଭୁଲି, ନିଜର ପରିବାର ଓ ପରିବେଶର ଆତ୍ମୀୟତାରୁ ବଞ୍ଚିତହୋଇ ସେମାନେ ନିଜର ଶକ୍ତି ଓ କୌଶଳକୁ ଗୋଟିଏ ଲକ୍ଷ୍ୟର ପୂର୍ଣ୍ଣତାପାଇଁ ବ୍ୟୟ କରିଥିଲେ ବିନା ଦ୍ୱିଧାରେ । ରାଜଧାନୀର ଇତିହାସ, ଏଠାରେ ଗଢ଼ି ଉଠିଥିବା ଶହ ଶହ କୋଠାବାଡ଼ି, ପ୍ରମୋଦ ଭବନ, ମନ୍ଦିର ଓ ମସ୍‌ଜିଦ୍‌, ପ୍ରଶସ୍ଥ ରାଜପଥ ଓ କଳକାରଖାନାର ଇତିହାସ ଯଦି ଦିନେ କେହି ଲେଖେ ଏ ସବୁରେ ନିର୍ମାଣରେ ଜୀବନର ସବୁ ସରସ ସମୟକୁ ନିଗାଡ଼ି ଦେଇ ବି ଯେଉଁମାନେ ଅଜଣା ଅପରିଚିତ ରହିଗଲେ ସେମାନଙ୍କୁ ସେ କ’ଣ ବାଦ୍‌ ଦେଇପାରିବ ? ଆଉ ଯଦି ବାଦ୍‍ ଦିଏ ତା’ ହେଲେ ତାହା ତ ଇତିହାସ ହେବ ନାହିଁ, ହେବ ଆଉ କିଛି ।

 

ସାଧାରଣ ମଣିଷର ଲହୁ ଓ ଲଘୁ ସବୁ ସାମ୍ରାଜ୍ୟ, ସବୁ ସିଂହାସନର ଭିତ୍ତିଭୂମି । ଅଥଚ ଯେଉଁମାନେ ସାଧରଣଙ୍କୁ ସିଡ଼ିକରି ଅସାଧାରଣ, ସେମାନେ କେଡ଼େଶୀଘ୍ର ଓ ସହଜରେ ଭୁଲିଯାଆନ୍ତି ସେଇ ସାଧାରଣଙ୍କୁ ।

 

ରାମା ରାଓ କଳିଙ୍ଗ ଭବନର ଇଟା ସହିତ ଇଟା ଯୋଡ଼ିବାବେଳେ ସିମେଣ୍ଟ ସହିତ ବାଲି ଓ ପାଣିର ଭାଗ ଠିକ୍‌ଅଛି କି ନାହିଁ ତାହା ପରଖି ନେଇ ରାଜଧାନୀର ଆକାଶକୁ ଚାହେଁ । ସେ ବେଶି ପାଠ ପଢ଼ିନି, ତଥାପି ଶୁଣିଥିବା କଳିଙ୍ଗର ସେଇ ମହାମହିମ ସମ୍ରାଟ୍‍ ଐରମେଘବାହନ ଖାରବେଳଙ୍କ ଦୁର୍ଦ୍ଧର୍ଷ ଚିତ୍ର ତା ଆଖି ଆଗରେ ଭାଷି ଉଠେ ଖଣ୍ଡଗିରିର ପାହାଡ଼ ଉପରେ । ସେ ଅନ୍ୟମନସ୍କ ହୋଇଯାଏ ମୁହୁର୍ତ୍ତକ ପାଇଁ; କିନ୍ତୁ ପର ମୁହୂର୍ତ୍ତରେ ସଚେତନ ହୋଇ କରଣି ଚଳାଇ କଡ଼େଇରୁ ମସଲା ଶେଷ କରି ସହକାରୀକୁ କହେ, ମସଲା ଆଣିବା ପାଇଁ ।

 

ଏଇ କଳିଙ୍ଗ ଭବନ ପରି ଯଦି ଗଢ଼ିଉଠେ ଏ ଦେଶର ଭାଗ୍ୟ...ଠିକ୍‌ କଂକ୍ରିଟ ପରି ଶକ୍ତ ଓ ସୁଦୃଢ଼ ।

 

ବାଉଁଶ ଭାଡ଼ା ଉପରେ ପ୍ଲାଟଫର୍ମ ତିଆରି କରାଯାଇଛି ବସିବା ପାଇଁ । ତଳୁ ମସଲା, ଇଟା ଓ ପାଣି ମଥା ଉପରେ ବୋହି ଉପରକୁ ଉଠି ଆସନ୍ତି ସହକାରୀ ଶ୍ରମିକମାନେ । ସେଦିନ ମାଲିକଙ୍କର ନିର୍ଦ୍ଦେଶ ମାନି ଜଣେ ବାବୁ ଫଟୋ ଉଠେଇଥିଲା ସେମାନେ କାମ କଲାବେଳେ । ସେଇ ଫଟୋ ତା’ର ଚାରି ପାଞ୍ଚଦିନ ପରେ କୁଆଡ଼େ କୋଉ ଖବର କାଗଜରେ ବାହାରି ଥିଲା । କାହାର ନାମ ଲେଖା ନ ଥିଲେ ବି ରାମା ରାଓକୁ ସାଙ୍ଗମାନେ କହିଥିଲେ ଯେ ତାର, ନବଘନ, କରିମ୍‌ ଖାଁ, ଗଉରା ମାଝୀ, ଧନୁ, ଗୌରୀ ଓ ଫୁଲମତୀର ମୁହଁ ବାରିହୋଇ ପଡ଼ୁଥିଲା । ଏଥିରେ ବାହାଦୁରୀ ନବାର କିଛି ନାହିଁ, ତା’ପରି ତ ଅନେକ ଲୋକ କାମ କରନ୍ତି; କିନ୍ତୁ ତାର ଗର୍ବ ଯେ ସେ କଳିଙ୍ଗ ଭବନରେ କାମ କରିବାର, କାରିଗରୀ ପଣିଆ ଦେଖାଇବାର ସୁଯୋଗ ପାଇଛି ।

 

ଫୁଲମତୀର ଗର୍ଭରେ ପାଞ୍ଚ ମାସର ଛୁଆ । ରାମା ରାଓ ଗଉରା ମାଝୀକୁ କହିଲା, କିଛିଦିନ ତାକୁ ବିଶ୍ରାମ କରିବା ପାଇଁ; କିନ୍ତୁ ଗଉରା ଯାହା କହିଲା ସେତକ ଶୁଣି ଛାତି ଭିତରଟା ମନ୍ଥି ହୋଇଗଲା ରାମା ରାଓର । ଗଉରା, ଫୁଲମତୀ ଦୁହେଁ ରୋଜଗାର କରି ବି ଚଳେଇ ପାରନ୍ତିନି ସଂସାର । ଘରେ ବୁଢ଼ା ବାପା ମା, ତିନିଟା ପିଲା, ବିଧବା ଅସମର୍ଥ ଭଉଣୀ । ଗଉରାର ଦିନକୁ ଅଠର ଟଙ୍କାତ ଫୁଲମତୀର ପନ୍ଦରଟଙ୍କା । ଏକାକାମ କରନ୍ତି ଦୁହେଁ, ଫୁଲମତୀ କାହାକୁ କମ୍‌ ନୁହେଁ । କିନ୍ତୁ ତିନି ଟଙ୍କା କମ୍‌ ମଜୁରି ତାର । ସେଦିନ କାହା ମୁହରୁ ଶୁଣଆସି ରାମା ରାଓ କହିଲା ଯେ, ନୂଆ ଆଇନ ହୋଇଛି -ପୁରୁଷ ଓ ସ୍ତ୍ରୀ ସମାନ କାମକୁ ସମାନ ମଜୁରୀ ପାଇବେ; କିନ୍ତୁ କିଏ ଶୁଣୁଛି ସେମାନଙ୍କ କଥା । ଯୁଗ ଯୁଗ ଧରି ଯୋଉ ପ୍ରଥାଟା ଚଳିଆସିଛି ତାହା ଅନ୍ୟାୟ ଜାଣି ବି ସହିଯାଇଛି ମଣିଷ; ସାହସ କୁଳଉ ନାହିଁ ଲଢ଼େଇ କରି ଅଧିକାର ହାସଲ କରିବା ପାଇଁ । ଦୟାକରି କାମ ଦେଇଛି ବାବୁ, ବାହାରେ ତ ଲୋକର ଅଭାବ ନାହିଁ । ଆଇନ କଥା କହିଲେ, ଅଧିକାର ବିଷୟ ଉଠେଇଲେ ଯଦି କାମରୁ ବାହାର କରିଦିଏ ଭୋକରେ ମରିଯିବେ କୁଟୁମ୍ବ । କାମ ଦେଉ, ବରଂ ସେଇ ଭଲ, ତଥାପି କାମ ଥାଉ । ହାତ ଖାଲି ରହିଲେ ଜଗନ୍ନାଥଙ୍କ ଦୁନିଆ ବି ଅଚଳ ହୋଇଯିବ ଯେ !

 

ଫୁଲମତୀର ଗର୍ଭରେ ବଢ଼ୁଛି ଗଉରାର ଭାବୀ ସନ୍ତାନ । ପୁଅ ହେଉ କି ଝିଅ ହେଉ ସେ ଯେତେବେଳେ ଜନମ ହେବ ଉଜ୍ଜ୍ୱଳି ଉଠିବ ଏ ସଂସାର । ଖାଲି ଫୁଲମତୀର କୋଳ ନୁହେଁ, ସୁନ୍ଦରୀ, ଶବରୀ, ସୀତା, ସାବିତ୍ରୀର କୋଳ ବି ପୂର୍ଣ୍ଣ ହୋଇଯିବ ।

 

ରାମା ରାଓର ଛାତି ତଳର ସ୍ପନ୍ଦନ ଦ୍ରୁତ ହୁଏ ସୁନ୍ଦରୀ କଥା ଭାବିଲେ । ତା ଗର୍ଭରେ ବି ଦିନେ ପିଲାରହିବ, ସେ ବି ଦିନେ ଛୁଆଟିଏ ଜନମ ଦେଇ ମା ହେବ, ଛାତି ଉପରେ ପିଲା ଜାକି ତା ମୁହଁରେ ସ୍ତନ ପୂରେଇ ଦାଣ୍ଡ ପୂରେଇ ଚାଲିବ ଠିକ୍‌ ଆକାଶକୁ ପୂର୍ଣ୍ଣ କରି ଯେମିତି ପୂର୍ବରୁ ପଶ୍ଚିମକୁ ଗତିକରେ ଚନ୍ଦ୍ରମା ।

 

ରାମା ରାଓ ଦିନେ ସୁନ୍ଦରୀକୁ କହିଥିଲା ଜଲଦି ଜଲଦି ମା ନ ହବା ଭଲ ବୋଲି କହୁଛନ୍ତି ସେ ଡାକ୍ତର ବାବୁ । ଗୋଟିଏ ବା ଦୁଇଟି ପିଲା ଯଥେଷ୍ଟ । ସୁନ୍ଦରୀ ଲାଜେଇ ଯାଇ ସେଦିନ କହିଥିଲା, ଏଇ କଥାଗୁଡ଼ା ବାହାରେ ଗପ ପରା । ଲାଜ ଲାଗେ ନାହିଁ... ।

 

ସୁନ୍ଦରୀର ସେଇ ଲାଜମିଶା ହସ ମନେପଡ଼ିଗଲା ରାମୁର । କରଣୀଟା ଅଟକି ଗଲା ହାତରେ ।

 

ପଛରୁ ଡାକିଲା ଫୁଲମତି, ଭାଇନା ମସଲା ନବ ପରା ।

 

ରାମା ରାଓ ଫୁଲମତି ହାତରୁ ମସଲା କଡ଼େଇଟା ନେଇ ଖାଲି କଡ଼େଇଟା ତା ହାତକୁ ବଢ଼େଇ ଦବାବେଳେ ତାକୁ ନିରେଖି ନିରଖି ଦେଖିଲା । ସେ ତା ଦେହ, ଟାଣିଓଟାରି କୌଣସି ରକମ ସେ କାମ କରିଯାଉଛି...ଆଖିରେ ଆଖିଏ କ୍ଳାନ୍ତି...ତଥାପି ବର୍ତ୍ତମାନର ମୋହ, ଭବିଷ୍ୟତର ଆଶା ବଞ୍ଚେଇ ରଖିଛି ତାକୁ ସ୍ୱପ୍ନ ଦେଇଛି ଭାବିବା ପାଇଁ ।

 

ଆହା ! ତା ଗର୍ଭରେ ବଢ଼ୁଥିବା ପିଲାଟାକୁ ଖାଦ୍ୟ ଯୋଗାଇବା ଲାଗି ଫୁଲମତି ପେଟପୂରେଇ ଗଣ୍ଡେ ଖାଆନ୍ତା କି, ନିଶ୍ଚିନ୍ତ ହୋଇ ଟିକେ ବିଶ୍ରାମ କରନ୍ତା କି ।

 

ରାମା ରାଓ ଭାବିଲା ଯେ କାଲି ସେ ସୁନ୍ଦରୀକୁ କହିବ ଦିନେ ଫୁଲମତିକୁ ଘରକୁ ଡାକି ଖୁଆଇବା ପାଇଁ । ସଧଖିଆ ବେଳ ହୋଇନି ସତ; କିନ୍ତୁ ଯାହାର ଅଭାବ ପ୍ରତିଦିନ ତା ଜୀବନରେ ସଧ ଖାଇବାର ସଉକ ତ ପ୍ରତି ମୁହୂର୍ତ୍ତରେ !

 

ପୁଣି ଅନ୍ୟମନସ୍କ ହୋଇଯାଇଥିବା ରାମା ରାଓକୁ ପଛରୁ ଡାକି ଦେଇ କହିଲା ଫୁଲମତି, ଆଜି କଅଣ ହୋଇଛି କି ଭାଈନା ! କାହା କଥା ଭାବୁଛ ଏତେ ।

 

ଗଉରୀ ମାଝୀ ପାଖ ଭାଡ଼ାରୁ କହିଲା, ଭାଉଜ ମନେପଡ଼ିଯାଉଛି ଲୋ ଫୁଲମତି... ।

 

ଗଉରା କେନ୍ଦୁଝର ଜିଲ୍ଲାରୁ ଆସିଥିଲା ପାରାଦୀପ ବନ୍ଦରରେ କାମ କରିବା ପାଇଁ । ସିଏ ପଚିଶ ବର୍ଷ ତଳର କଥା । ବନ୍ଦରକାମ ଶେଷ ହେବା ପରେ ଅନ୍ୟାନ୍ୟ ଅନେକଙ୍କ ପରି ସେ ଚାଲିଆସିଲା ରାଜଧାନୀକୁ କାମ ପାଇଁ । ଚାରି ବର୍ଷ ହେଲା । ସତ୍ୟନଗର ବସ୍ତିର ଶେଷରେ ରେଳ ଲାଇନ କଡ଼ରେ ବେଲଢ଼ି ଗଛକୁ ଲାଗି ଗଉରା ମାଝୀର ଝୁମ୍ପୁଡ଼ି । ଗତ ଝଡ଼ବର୍ଷାରେ ଭାଙ୍ଗି ପଡ଼ିଥିଲା, ସାଙ୍ଗ ଭାଇମାନଙ୍କ ସହଯୋଗରୁ ପୁଣି ସଜାଡ଼ି ନେଇଛି । ତଥାପି କେତେବେଳେ ଭାଙ୍ଗିପଡ଼ିବ ବୋଲି ଦକହୁଏ । ମୂଳରେ ଶୀତ ଖରା ପ୍ରାୟ ସବୁବେଳେ ପଡ଼ିଥାଏ ବୁଢ଼ା । ପିଲାମାନେ ଖେଳନ୍ତି ତା ଚାରିପାଖରେ ଅସନା ଆବର୍ଜନାପୂର୍ଣ୍ଣ ଜାଗାରେ ।

 

ରାମା ରାଓ ସ୍ନେହରେ କହିଲା, ମୋ ସୁନା ଭଉଣୀ ପରା, ତୋ ମୁହଁ ଦେଖିଲେ ମନ ମୋର କଅଣ ହୋଇଯାଏ... ।

 

ଫୁଲମତି କହିଲା, ସତେ !

 

-ତୋ ଭାଉଜକୁ କହିବି ତୋ ବିଷୟରେ... ।

 

-ଭାଉଜ ତ ଦେଖିବାକୁ ବେଶ୍‌ ସୁନ୍ଦର... ।

 

-ତା ମୁହଁ ଅପେକ୍ଷା ତା ମନଟା ବେଶି ସୁନ୍ଦର ଲୋ ଫୁଲମତି... ।

 

-ଅନେକ ଦିନ ହେବ ଦେଖିନି ତାଙ୍କୁ । ମନେ ପକାଇଦେବ ଭାଇନା... ।

 

ରାମା ରାଓ ଗଉରାକୁ ଶୁଣେଇ କହିଲା, ଭଣଜା ହେଉ କି ଭାଣିଜୀ ହେଉ ତୋତେ କିନ୍ତୁ ଦିନେ ଭୋଜି ଦବାକୁ ହବରେ ଗଉରା... ।

 

ଗଉରା କହିଲା, ତମ ତୁଣ୍ଡରେ ଫୁଲ ଚନ୍ଦନ ପଡ଼ୁ ଭାଇ ନିଶ୍ଚେ ଡାକିବ... ।

 

ଫୁଲମତି ଦେହର ଓଜନ ପ୍ରତି ଦୃଷ୍ଟି ରଖି ଧୀରେ ଧୀରେ ଭାଡ଼ାରୁ ଓହ୍ଲେଇ ଗଲାବେଳେ ଗୁରୁବାରୀ ମୁଣ୍ଡ ଉପରେ ବୋଝେ ଇଟା ନେଇ ଉପରକୁ ଉଠୁଥିବାର ଦେଖିଲା । ତା କପାଳରୁ ବହିଯାଉଥିଲା ଗମ ଗମ ଝାଳ !

 

-ସେ ବି ତିନିମାସ ହେଲା ଗର୍ଭରେ ପିଲା ରଖିଛି... ।

 

-ଧୀରେ ଧୀରେ ଯା ଗୁରୁବାରୀ... । କହିଲା ଫୁଲମତି ।

 

-ଆଉ ପାରୁନି ଫୁଲମତି । ଏତେ କଷ୍ଟକରି ଯାହା ରୋଜଗାର କରେ ସବୁ ମଦ ଖାଇ ଉଡ଼େଇ ଦିଏ ମରଦ... । କହିଲେ ମାଡ଼ ମାରେ... ।

 

-ସେ ଆସିନି କାମକୁ... ।

 

ନା । ମଦ ଭାଟିରେ ପଡ଼ିଥିବ...ମୁଁ ଯେ ଆଉ ଜଣକୁ ଦେହରେ ଧରି ଖଟୁଛି ଏକଥା ଖିଆଲ ନାଇଁ ତାର... ।

 

-କାମରୁ ଫେରି ଧୂଆଧୋଇ ହୋଇ ଚାଲି ଆସିବୁ ଗୁରୁବାରୀ...ପିତା ଗହମା ରଖିଛି, ଆମ୍ବୁଲଢ଼ି ଖଣ୍ଡେ ବି ଦେଇଛି ଖୁଡ଼ି, ସାଙ୍ଗ ହୋଇ ପଖାଳ ଖାଇବା... ।

 

ଗୁରୁବାରୀ ପେଟ ପୁରାଇ ଖାଇଲେ ତା ପେଟ ପୂରିଯିବ... । ଦୁହିଁଙ୍କ ଭିତରେ ଭାବୀ ସନ୍ତାନ । ମଧୁ ଡାକ୍ତର କହୁଥିଲେ ପେଟରେ ପିଲା ରହିଲେ ଭଲମନ୍ଦ ଖାଇବା କଥା । ବକତେ ଭଲ କରି ପେଟ ପୂରେଇ ଯାହାକୁ ଖାଇବାବୁ ମିଳେ ନାହିଁ ସେ ଭଲମନ୍ଦ ଖାଇବା ପାଇଁ ପାଇବ କୋଉଠୁ, ଦବ କିଏ ? ତଥାପି ଯାହାକିଛି ସେଥିରୁ ଟିକେ ଭାଗ ଦେଲେ ଗୁରୁବାରୀ ଖୁସି ହେବ, କଲ୍ୟାଣ କରିବ ତା ପିଲାକୁ । ମନକୁ ମନ ଭାବୁଥିଲା ଫୁଲମତି ।

 

ଉପରୁ ଡାକ ଛାଡ଼ିଲା ରାମା ରାଓ, ଅଧ ବାଟରେ ଅଟକିଗଲୁ କି ଗୁରୁବାରୀ...ଜଲଦି ଜଲଦି ଇଟା ଆଣ ବା ।

 

ପୁଣି ଉପରକୁ ପାଦ ବଢ଼ାଇଲା ଗୁରୁବାରୀ । ତାହାରି ଆଗରେ ତଳକୁ ଓହ୍ଲେଇଗଲା ଫୁଲମତି ।

 

ଭୁବନ ସ୍ୱାଇଁକୁ ଚାନ୍ଦାଭେଦା ଦେଇ ଭଲ କରିବା ପାଇଁ ଲାଗି ପଡ଼ିଲେ ସାଥୀମାନେ । ରୋଗଟା ବେଶି ମାଡ଼ି ଯାଇ ନ ଥିଲା, ଠିକଣା ସମୟରେ ଚିକିତ୍ସା ଆରମ୍ଭ ହେବାରୁ ଅଟକି ଗଲା । ଔଷଧ, ପଥି ଖାଇ ରୋଗ ସହିତ ଲଢ଼ୁଥିଲାବେଳେ ଭୁବନ ସ୍ୱାଇଁର ବିସ୍ମୟରେ ଆଖିର ଡୋଳା କପାଳକୁ ଉଠିଗଲା । ତା ଦୁଆର ମୁହଁରେ ଡାକ ପିଅନ ଠିଆହୋଇ ଡାକ ଛାଡ଼ିଲା, ମନିଅର୍ଡ଼ର ଅଛି ଭୁବନ ସ୍ୱାଇଁ ନାମରେ... ।

 

ମନନିଅର୍ଡ଼ର କେବେ ପାଇନି କି କାହା ପାଖକୁ ପଠେଇନି ଭୁବନ । ସେ ଆଶ୍ଚର୍ଯ୍ୟ ହେଲା ଡାକ ପିଅନର କଥା ଶୁଣି ।

 

ଡାକପିଅନ ମନିଅର୍ଡ଼ର ଫର୍ମରେ ଭୁବନର ସହି ନେଇ ସାକ୍ଷୀ ଭାବରେ ରଙ୍ଗା ରାଓର ସହି ନେଲା ଏବଂ ତା ହାତକୁ ଏକୋଇଶ ଟଙ୍କା ବଢ଼ାଇଦେଲା ।

ଜୀବନରେ ଏଇ ପ୍ରଥମେ ସେ ଟଙ୍କା ପାଇଲା ମନିଅର୍ଡ଼ର ଯୋଗେ ।

ସେଇ ମନିଅର୍ଡ଼ର ଫର୍ମରେ ଲେଖାଥିବା ପ୍ରେରକର ଠିକଣା ଓ ସରୁ ଚିଠି ଖଣ୍ଡକ କାଟି ଦେଇ ବଢ଼ାଇଦେଲା ଡାକ ପିଅନ...ମୋହନ ପରିଡ଼ା, ସାକିନ -ଭୁବନ ପୋ: ଅ: ଭୁବନ, ଜିଲ୍ଲା ଢେଙ୍କାନାଳ, ଓଡ଼ିଶା ।

ଭୁବନର ଦୁଇ ଆଖିରୁ ଲୁହ ଦୁଇ ଧାର ଝରିପଡ଼ିଲା...ବାଧା ନ ମାନି ।

ମୋହନ ପରିଡ଼ା ତାକୁ ଭୁଲି ନାହିଁ ତାହେଲେ । ଏଇ ଦୁନିଆ ଯେତେ ସ୍ୱାର୍ଥପର ଓ ସଂକୀର୍ଣ୍ଣ ବୋଲି ସେ ମନେ କରୁଥିଲା ତାହା ସତ ନୁହେଁ; ବରଂ ଦୁନିଆର ହୃଦୟ ଦରିଆ ପରି ଗଭୀର, ଆକାଶ ପରି ଉଚ୍ଚ ।

ମୋହନ ପରିଡ଼ା କେମିତି ଜାଣିଲା ଯେ ସେ ଅସୁସ୍ଥ ? ତା’ର ଛୋଟ ଚିଠିରେ ଲେଖିଛି ମୋହନ, ମଧୁ ଡାକ୍ତରଙ୍କ ସହିତ ଦେଖାହେଲା । ସେ ଭୁବନ ଗ୍ରାମର ଭୟଙ୍କର ଘରପୋଡ଼ି ସହିତ ଧନ ଓ ଜୀବନ ନଷ୍ଟର ବିବରଣୀ ଖବର କାଗଜରୁ ପଢ଼ି ଆସିଥିଲେ ଦୁଃଖୀମାନଙ୍କର ସେବା କରିବା ପାଇଁ ଦେଖାହେଲା, ତମ କଥା କହିଲେ । ଯାଇପାରୁନି ଦେଖିବା ପାଇଁ; କିନ୍ତୁ ଏକୋଇଶ ଟଙ୍କା ପଠାଇଲି । ଗ୍ରହଣ କରିବ, ମନା କରିବ ନାଇଁ । ମୋହନ...

ଏଇ ମୋହନ ତା’ ସହିତ କାମ କରୁଥିଲା ଏଇ ରାଜଧାନୀରେ । ଦୁହିଁଙ୍କ ମଧ୍ୟରେ ମତାନ୍ତର ହୋଇଛି; କିନ୍ତୁ ମନାନ୍ତର କେବେ ହୋଇନି, ରାଗ ଅଭିମାନ ବି ହୋଇଛି; କିନ୍ତୁ କେହି କାହାରି ଶତ୍ରୁ ହୋଇ ଯାଇନାହାଁନ୍ତି, ବରଂ ନିତି ପ୍ରତିଦିନର ରାଗରୋଷ, ମାନ ଅଭିମାନ ସମ୍ପର୍କକୁ କରିଥିଲା ଦୃଢ଼ । ଏହାର ପରିଚୟ ଆଜି ପାଇଲା ଭୁବନ । ମୋହନ ବେମାର ପଡ଼ୁଥିବା ସ୍ତ୍ରୀକୁ ନେଇ ଗାଁକୁ ବାହୁଡ଼ିଗଲା ପାଞ୍ଚବରଷ ତଳେ, ଆଉ ଫେରି ନାହିଁ; କିନ୍ତୁ ମନେରଖିଛି ସତ୍ୟନଗରର ଛୋଟ ଛୋଟ ମଣିଷମାନଙ୍କୁ ।

 

ଅଥଚ ସେଇ ମୋହନ ଟଙ୍କା ଉଧାର ନେଇ ଶୁଝି ପାରି ନ ଥିଲା ବୋଲି ତାକୁ କେତେ ଗାଳି ଦେଇ ନ ଥିଲା ଭୁବନ ସ୍ୱାଇଁ !

 

ଆଖିରୁ ଆଉ ଦୁଇଧାର ଲୁହ ଝରିପଡ଼ିଲା ବାଧା ନ ମାନି ।

 

ଲଢ଼ିବା ପାଇଁ ସାହସ ନ ଥିବା ଲୋକ ବଞ୍ଚିପାରେନା ବେଶି ଦିନ, ଧକେଇ ଧକେଇ ମରିଯାଏ; କିନ୍ତୁ ଲଢ଼ୁଥିବା ଲୋକ ମରେନି ସହଜରେ । ଭୁବନ ସ୍ୱାଇଁ ଆଉ ବଞ୍ଚିବ ନାହିଁ ବୋଲି ହାଲ ଛାଡ଼ି ଦେଇଥିଲା; କିନ୍ତୁ ଆଜି ଆଉଥରେ ନୂଆକରି ବଞ୍ଚିବା ପାଇଁ ଇଚ୍ଛା ହେଲା ତା’ର ।

 

ତା’ ସ୍ତ୍ରୀ ଲକ୍ଷ୍ମୀ ଏକେଇଶ ଟଙ୍କା ସ୍ୱାମୀ ହାତରୁ ନେଇ ଆଉ ଘର ଭିତରକୁ ନ ଯାଇ ମନେ ପକାଇଦେଲା ଯେ ଦୋକାନରୁ ଉଧାର ଆଣିଥିବା ଚାଉଳର ଦାମ୍‌ ଦେଇପାରିନି ସେ । ଦିନକରେ ଦବ କହି ଆଣିଥିଲା, ସାତ ଦିନ ହୋଇଗଲାଣି । ଭୁବନ ସ୍ତ୍ରୀକୁ କହିଲା, ସଙ୍ଗେ ସଙ୍ଗେ ଯାଇ ଉଧାର ପରିଶୋଧ କରିଦବା ପାଇଁ ।

 

ଭୁବନର ଭାଙ୍ଗି ପଡ଼ିଥିବା ଦେହର ଶିରାପ୍ରଶିରାରେ ରକ୍ତ ପ୍ରବାହ ବଢ଼ୁଥିଲା ଧୀରେ ଧୀରେ । ମୁହଁ ମାଡ଼ି ପଡ଼ିଥିବା ସାହସ ଫେରି ଆସୁଥିଲା, ମାଡ଼ ଖାଇ ଅଧାମରା ସାପ ପୁଣି ଜୀଇଁବାର ସୂଚନା ଦିଏ ଯେପରି ।

 

ରଙ୍ଗା ରାଓର ଆଣ୍ଠୁ ଧରିଥିଲା ବୋଲି କାମକୁ ଯାଇ ନ ଥିଲା ଦୁଇ ଦିନହେଲା । ପାଳିକଳ ମିସ୍ତ୍ରୀ ସେ । ଅମୃତାଞ୍ଜନ ମାଲିସ କରି ଶେକ ନବା ପରେ ଭଲ ଲାଗିବାରୁ ସେ ଆସି ବସିଲା ଭୁବନର ଘର ଆଗରେ ।

 

-ବସ୍ତି ଉଠିଯିବରେ ରଙ୍ଗା ?

 

-ଡାକ୍ତର ବାବୁ କହୁଥିଲେ ତ... ।

 

-ଆଉ କିଛି ଶୁଣିନୁ ?

 

-ଖଣ୍ଡିଗିରି ପଛରେ ଅନାବାଦି ଜମି ଖଣ୍ଡେ ସରକାର ଠିକ୍‌ କରିଛନ୍ତି ...ସେଇଠି ଥଇଥାନ କରିବେ ଆମ ସଭିଙ୍କୁ ।

 

-ସେ ତ ଅନେକ ଦୂର ହେବ ରଙ୍ଗା । ଯିବା ଆସିବା କରିବା ଅସୁବିଧା ହେବ... ।

 

-ବସ୍‌ ଚାଲିବ କୁଆଡ଼େ... ।

 

-ମୁଫତରେ ତ କେହି ନବନି ବସ୍‌ରେ...ପଇସା ଦବାକୁ ପଡ଼ିବ ।

 

-ଡିହ ଜମି ଖଣ୍ଡେ ଖଣ୍ଡେ ମିଳିବ ସଭିଙ୍କୁ । ଘର କରିବାଲାଗି ଟଙ୍କା କିଛି ବି... ।

 

-କାଠ, ବାଉଁଶ, ନଡ଼ାର ଦାମ ଯେମିତି ବଢ଼ୁଛି... ।

 

-ସରକାର ସୁଲଭ ମୂଲ୍ୟରେ କାଠ, ବାଉଁଶ ଯୋଗାଇଦେବେ କର୍‌ପୋରେସନ୍‍ ଗୋଦାମରୁ... ।

 

-ଭଲ କଥା, ଦେଇ ନେଇ ପାରିଲେ ହେଲା... ।

 

-ଶ୍ୟାମଳ ବାବୁ କହିଲେ ଅନ୍ୟ କଥା

 

-କିପରି ?

 

-ମାନ୍ଦ୍ରାଜରେ ଯେପରି ସରକାର ଘର କରିସାରି ଉଚ୍ଛେଦ ହୋଇଥିବା ବସ୍ତି ବାସିନ୍ଦାଙ୍କୁ ଥଇଥାନ କଲେ ସେପରି କଲେ ଦୁଃଖ କମ୍‌ ପାଆନ୍ତେ ଲୋକେ...

 

-ସେଠାରେ ଯଦି ହେଲା ଏଠାରେ ନ କରିବେ କାହିଁକି ଯେ

 

-ଆମେ ଅଦା ବେପାରୀ ଜାହାଜର ମୂଲ କାହୁଁ ଜାଣିବୁ... ।

 

-ପଚିଶ ତିରିଶ ବରଷ ଗୋଟାଏ ଜାଗାରେ ରହିଗଲେ ସେଇ ଜାଗା ଜନ୍ମଭୂମି ହୋଇଯାଏରେ ରଙ୍ଗା । ସେଇ ଜାଗାରେ ଗଛପତ୍ର, ମାଟିଗୋଡ଼ି, ପାଣି ପବନ ସବୁ ନିଜର ହୋଇଯାଆନ୍ତି । ସତ୍ୟନଗର ଆମକୁ ଗଢ଼ି ନାଇଁ, ଆମେ ଗଢ଼ିଥିଲୁ ସତ୍ୟନଗର...ଆମେ ଗଢ଼ିଥିଲୁ ରାଜଧାନୀ ଆଜି ଆଉ ଲୋଡ଼ା ନାହିଁ ଆମର ।

 

ଦୀର୍ଘନିଶ୍ୱାସ ଛାଡ଼ିଲା ଭୁବନ ।

 

ରଙ୍ଗା ରାଓ କହିଲା ମଧୁ ଡାକ୍ତର କହୁଥିଲେ ସଭା ଡାକି ବିଷୟଟା ପକେଇବେ ସମସ୍ତଙ୍କ ଆଗରେ । ତା’ପରେ ବିଚାର କରି ଯାହା ଠିକ୍‌ କରାଯିବ ... ।

 

-ଏକାଠି ହେଲେ ସେଇ ଘୋ ଘୋ ହୋ ହୋ ହେବେ...ହୋ ହାଲ୍ଲା ହେବ ...ଡାକ୍ତର ବାବୁ କହନ୍ତୁ ଆମେ ସବୁ କଅଣ କରିବା...

 

-ସେଇ ଷ୍ଟୁଡ଼ିଓ କମ୍ପାନୀ ଘର ଖାଲି କରି ଚାଲିଯିବ...ଦେଖିଲ ତ ବାହାଦୁରୀ...ଗିରଫ ହୋଇ ଥାନାରେ ପହଞ୍ଚିବା ଆଗରୁ ଖଲାସ ହୋଇ ଛାତିରେ ହାତ ପିଟି ଫେରିଆସିଲା... ।

 

-ପୁରାଣରେ ଅଛି -ଏ ବଡ଼ ଲୋକଙ୍କର ମତ, ଅଳପ ଲୋକେ ବିପରୀତ...ଆଇନ ଲାଗୁ ହୁଏନି ତାଙ୍କ ପାଇଁ, ନିୟମ ମାନିବାକୁ ବାଧ୍ୟ ନୁହଁନ୍ତି ସେମାନେ . ।

 

-ସେଥିପାଇଁ ତ ଶ୍ୟାମଳ ବାବୁ କହିଥିଲେ, ଯଦି ଘର ଭଙ୍ଗାଯିବ ସମସ୍ତଙ୍କ ଘର ଭଙ୍ଗାଯାଉ ... । ପାତର ଅନ୍ତର କାହିଁକି ?

 

-ଗାନ୍ଧୀମହାତ୍ମା କୁଆଡ଼େ ସମସ୍ତଙ୍କୁ ସମାନ କରିଦେବେ ବୋଲି କହୁଥିଲେ, ଏମାନେ କରୁନାହାନ୍ତି କାହିଁକି ?

 

-ଗାନ୍ଧୀମହାତ୍ମା ନାମ ଧରି ସବୁ ଦଳ ଭୋଟ ନିଅନ୍ତି । ଦେଖୁନ ଆମ ସତ୍ୟନଗରର ଲୋକେ କେମିତି ଡାକ ପାଇ ଦଉଡ଼ନ୍ତି ପଇସା ଲୋଭରେ । କଂଗ୍ରେସ ଡାକିଗଲେ, ଜନତା କି କମ୍ୟୁନିଷ୍ଟ ଡାକିଲେ ବି ଯାଆନ୍ତି, ଆଉ କେହି ଡାକିଲେ ବି ଯିବେ । ଦେ ପଇସା ଯିବି ମଉସା ... ।

 

-ଇମିତି ଚାଲିଥିବ ?

 

-ଯେତେଦିନ ପେଟର ଭୋକ ମାରିବା ପାଇଁ ଆମେ ଆମର ଅଧିକାରଗୁଡ଼ାକ ବିକୁଥିବା... ।

 

ଏହାପରେ ଆଉ ଆଳାପ ଆଗେଇଲା ନାହିଁ । ଦୁହେଁ କିଛି ସମୟ ମଉନ ହୋଇ ବସି ରହିଲେ ।

 

କିଏ ପାରୁଛି କଥା କଥାରେ କଳି, ମାର୍‌ପିଟ, ଦଙ୍ଗାହାଙ୍ଗାମା ।

 

ରଙ୍ଗା ରାଓ ଖବର ବୁଝି ଆସିବା ପାଇଁ ମୋଡ଼ ଭାଙ୍ଗି ଅନ୍ୟ ଗଳିକୁ ଗଲା ।

 

ଦୁର୍ଗା ପୂଜାରେ ଯେଉଁ ଚାନ୍ଦା ଉଠିଥିଲା ତାର ସଠିକ ହିସାବ ରଖାଯାଇନାହିଁ ବୋଲି ଅଭିଯୋଗ କରି ଦଳେ କୈଫିୟତ ମାଗୁଥିବାବେଳେ ପୂଜା କମିଟିରେ ଯେଉଁ ଦଳ ସଂଖ୍ୟାଧିକ ସେମାନେ ତା’ର ବିରୋଧ କରିବାରୁ ବଚସା ଏବଂ ବଚସାରୁ କଳି ଚାଲିଛି । ରଙ୍ଗା ରାଓ ପାଖକୁ ଯାଇ କହିଲା, ଝଗଡ଼ା ନ କରି ଆପୋଷ ଆଲୋଚନାଦ୍ୱାରା ସମାଧାନ କରିବା ପାଇଁ ; କିନ୍ତୁ ସଲାମତ୍‍ ଅଲ୍ଲୀ ମାଡ଼ିଆସି ତାକୁ ଠେଲିଦେଲା ଏବଂ କହିଲା, ଆଜି ହିସାବ ଦବାକୁ ହେବ । ସୁରେଶ ପରିଡ଼ା ଓ ନବା ଗୋଚ୍ଛାଏତ ତାକୁ ଠେଲିଦବା କ୍ଷଣି ମାରପିଟ ଆରମ୍ଭ ହୋଇଗଲା ଦୁଇ ଦଳ ମଧ୍ୟରେ । ରଙ୍ଗା ରାଓ ସଲାମତ୍‍ ଅଲ୍ଲୀ ଓ ସୁରେଶକୁ ଅଲଗା କରିବାକୁ ଯାଇ ନିଜ ମୁଣ୍ଡରେ ଲାଠି ମାଡ଼ ଖାଇ ପଡ଼ିଗଲା ତଳେ । ତା’ର ଆକୁଳ ନିବେଦନ ଶୁଣିଲେ ନାହିଁ କେହି । ନବା ଗୋଛାଏତ ଗୋଟେ ଝୁଁପୁଡ଼ିରୁ ବାଉଁଶ ଖଣ୍ଡେ ଟାଣିନେଇ ସଲାମତ୍‍ ଅଲ୍ଲୀ ଉପରେ ଇମିତି ଜୋର୍‌ରେ ପାହାର ଦେଲା ଯେ ସେ ଗଛ କାଟିବା ପରି ତଳେ ପଡ଼ିଗଲା ଏବଂ ତାପରେ ସେ ମରିଗଲା ଭାବି ଯିଏ ଯୁଆଡ଼େ ପାରିଲେ ପଳେଇବାକୁ ଲାଗିଲେ । ରଙ୍ଗା ରାଓ ନିଜର ଆଘାତକୁ ଭ୍ରୁକ୍ଷେପ ନ କରି ସଲାମତ୍‍ ଅଲ୍ଲୀର ଦେହକୁ ଦୁଇହାତରେ ଟେକି ନିକଟରେ ଥିବା ଗୋଟେ ରିକ୍‌ସାରେ ଚଢ଼ି କହିଲା, ଶୀଘ୍ର ଚାଲ ଡାକ୍ତରଖାନାୟ, ସଲାମତ୍‍ ହୁଏତ ବଞ୍ଚିଯାଇ ପାରେ... ।

 

ଭୁବନ ସ୍ୱାଇଁ ସେତେବେଳକୁ ପହଞ୍ଚି ଯାଇଥିଲା ଘଟଣା ସ୍ଥଳରେ । ସେ କହିଲା, ମୁଁ ବି ପଛେ ପଛେ ଯାଉଛି ରଙ୍ଗା... ।

 

ବସ୍ତିରେ ଏପରି ଘଟଣା ଲାଗି ରହିଥାଏ କହିଲେ ଚଳେ । କଳିଗୋଳ, ମାର୍‌ପିଟ ଯେପରି ହୁଏ ସେହିପରି ସଙ୍ଗେ ସଙ୍ଗେ ବନ୍ଧୁତ୍ୱ ବି ଗଢ଼ିଉଠେ, ପରସ୍ପରର ଦୁଃଖରୁ ଭାଗ ନବା ଲାଗି ଭିଡ଼ ବି ଜମେ । ଏଠାରେ କିନ୍ତୁ ରାଜଧାନୀର ସଦର ରାସ୍ତାର ସଂସ୍କୃତି ନାହିଁ, ଏଠାରେ ଜାତି ଓ ଧର୍ମ, ଶ୍ରେଣୀ ଓ ସମ୍ଭ୍ରାନ୍ତପଣିଆ ବିଚାରକୁ ଆସେ ନାହିଁ । ଏଠାରେ ଜୀଇଁଥିବା ମଣିଷମାନଙ୍କର ଗୋଟିଏ ଜାତି, ଗୋଟିଏ ଧର୍ମ, ଗୋଟିଏ ଭାଷା ଏବଂ ଗୋଟିଏ ସଂସ୍କୃତି । ଦୁର୍ବଳ, ଅସହାୟ, ଗରୀବ ଲୋକଙ୍କର ସାହା ଭରସା ସେଇମାନେ, ଭଗବାନ ନୁହନ୍ତି କି ଭାଗ୍ୟବାନମାନେ ମଧ୍ୟ ନୁହନ୍ତି ।

 

ଭୁବନ ସ୍ୱାଇଁର ଦୁନିଆ ହୋଇପାରେ; କିନ୍ତୁ ସେ ଯେଉଁ ଦୁନିଆର ସ୍ୱପ୍ନ ଦେଖେ ତାହା ଅନେକ ବଡ଼ ।

 

ସଲାମତ୍‍ ଅଲ୍ଲୀର ମୁଣ୍ଡ ଫାଟିଯାଇ ରକ୍ତସ୍ରାବ ହେଉଥିବାରୁ ଅପରେସନ୍‍ ଥିଏଟରକୁ ସଙ୍ଗେ ସଙ୍ଗେ ନବା ପାଇଁ କହିଲେ ସି. ଡ଼ି. ଏମ୍‌. ଓ. । ଭାଗ୍ୟ ଭଲ ସଲାମତ୍‍ର, କାଜୁଆଲଟିରେ ତାକୁ ପଡ଼ି ରହିବାକୁ ହେଲା ନାହିଁ । ଖବର ପାଇ ପୁଲିସ୍‌ ମଧ୍ୟ ଆସିଲା ସମ୍ଭବ ହେଲେ ମୃତ୍ୟୁକାଳୀନ ଜମାନବନ୍ଦୀ ନବା ପାଇଁ ।

 

ସର୍ଜନ କିନ୍ତୁ ଅପରେସନ୍‍ କରିବା ପୂର୍ବରୁ କହିଲେ ରକ୍ତ ଆଣିବା ପାଇଁ ।

 

ଆଗେ ବ୍ଲଡ଼ବେଙ୍କରୁ ରକ୍ତ ମିଳୁଥିଲା, ଏବେ ଅତି ଜରୁରୀ ନ ହେଲେ ତାହା ପାଇବା ଅସମ୍ଭବ । ଚେଷ୍ଟା କରିଥିଲା ରଙ୍ଗା ରାଓ; କିନ୍ତୁ ନାସ୍ତିବାଣୀ ଶୁଣି ପରାମର୍ଶ କଲା ଭୁବନ ସହିତ । ରକ୍ତ ଦାନ କଲେ ସେହି ରକ୍ତ ବଦଳରେ ସଲାମତ୍‍ ଅଲ୍ଲୀକୁ ତା’ ଗ୍ରୁପ୍‌ର ରକ୍ତ ଦିଆଯିବ । ଭୁବନ ସ୍ୱାଇଁ ଅପେକ୍ଷା ନ କରି ଚାଲିଗଲା ସତ୍ୟନଗର ମଧୁ ମାଷ୍ଟରଙ୍କୁ କହି ରକ୍ତଦାନ କରିବା ଲାଗି ଦାତା ଯୋଗାଡ଼ କରିବା ପାଇଁ । ତିନି ଚାରି ବୋତଲ ରକ୍ତ ଦରକାର ହୋଇପାରେ ବୋଲି କହଥିଲେ ଡାକ୍ତର ।

 

ରଙ୍ଗା ରାଓ ବ୍ଲଡ଼ବେଙ୍କରୁ ରକ୍ତ ନ ପାଇ ନିରାଶ ହୋଇ ଫେରୁଥିବାବେଳେ ତାକୁ ଟିକେ ସେପାଖକୁ ଡାକିନେଇ ଗୋଟେ ପତଳା ରୋଗା ଲୋକ କହିଲା ଜଲଦି ରକ୍ତ ଦେଲେ ମିଳିଯିବ । ଦାତା ଆଣୁ ଆଣୁ ତ ରୋଗୀ ଫତେ ହୋଇଯାଇଥିବ ।

 

ସତ କଥା । ଦାତା ଆସି ରକ୍ତ ପରୀକ୍ଷା କରାଇ ରକ୍ତ ଦବା ବେଳକୁ ସମୟ ଲାଗିବ । ତା’ ପରେ ଛଅଟା ବାଜିଲେ ପୁଣି ବ୍ଲଡ଼ ବେଙ୍କ ବନ୍ଦ ହୋଇଯାଏ ।

 

ରଙ୍ଗା ରାଓ ପାଖରେ ପଇସା ନ ଥିଲା; ତଥାପି କହିଲା, ବୋତଲେ ରକତ ପାଇଁ କେତେ ପଡ଼ିବ ?

 

-ଦୁଇ ଶହ ଟଙ୍କା...

 

-ଏତେ ଟଙ୍କା ?

 

-ତମ ଭାଗ୍ୟ ଭଲ ଯେ ଏତିକିରେ ମିଳୁଛି ...ନ ହେଲେ ପାଞ୍ଚ ଶହ ପଡ଼ନ୍ତା ।

 

-ଏଇନେ କହୁଥିଲ ରକ୍ତ ନାହିଁ ।

 

ଯିଏ ବେଶି ଟଙ୍କା ଦେଇପାରିବ ତା ପାଇଁ ଅଛି ।

 

ରଙ୍ଗା ରାଓ ହତାଶ ଅନୁଭବ କରୁଥିଲା । ଅପରେସନ୍‍ ଥିଏଟର ଭିତରେ ସଲାମତ୍‍ ଅଲ୍ଲୀ । ଭାଗ୍ୟକୁ ସେ ମରିଯାଇନି...କିନ୍ତୁ ରକ୍ତ ନ ମିଳିଲେ ସେ ମରିଯିବ ସୁନିଶ୍ଚିତ ।

 

ରଙ୍ଗା ରାଓ ରିକ୍‌ସା ଗୋଟେ ନେଇ ଚାଲିଲା ଘରକୁ । ତା ସ୍ତ୍ରୀ ସୀତା ବାହାଘରବେଳେ ବାପଘରୁ ଯେଉଁ ଅଳଙ୍କାର ଆଣିଥିଲା ସେଥିରୁ ଏବେ ବି ତିନି ଅଣା ଓଜନର ରୁଲି ଦୁଇ ଖଣ୍ଡ ଅଛି-। ସୀତା ଆପତ୍ତି କରୁଥିଲା; କିନ୍ତୁ ଜୋର୍‌ କରି ରୁଲି ତା’ ପେଡ଼ିରୁ ବାହାର କରି ନେଇ ଖେମ୍‍ଜି ଦୋକାନରେ ଛଅ ଶହ ସତୁରୀ ଟଙ୍କାରେ ବିକ୍ରୀ କରି ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ଡାକ୍ତର କହିଲେ, ରକ୍ତ ଆଣିଲଢ଼ି ?

 

ରଙ୍ଗା ରାଓ ଦୁଇ ଶହ ଟଙ୍କା ଦେଇ ସେଇ ପାତଳା ରୋଗା ଲୋକଟା ସାହାଯ୍ୟରେ ବୋତଲେ ରକ୍ତ ନେଇ ଫେରି ଆସିବା ବେଳକୁ ମଧୁ ମାଷ୍ଟର ପହଞ୍ଚି ଯାଇଥିଲେ । ରକ୍ତ ଦାନ କରିବା ଲାଗି ସାଙ୍ଗରେ ଆସିଥିଲେ ତିନି ଜଣ ; କିନ୍ତୁ ସେତେବେଳକୁ ଛଅଟା ବାଜି ଯାଇଥିଲା ବୋଲି ଆଉ ରକ୍ତ ନବାଲାଗି ରାଜି ହେଲେନି ଡାକ୍ତର ।

 

ରଙ୍ଗା ରାଓ ରକ୍ତ ବୋତଲେ ଡାକ୍ତରଙ୍କୁ ଦବାବେଳେ ସେ କହିଲେ, କାମ ଶେଷ ହେଲେ ଆଉ କାହା ମୁହଁ ଦିଶିବନି...ମୋ ପାଉଣା ଦେଲନି ଯେ ଏଯାଏ... ।

 

ରଙ୍ଗା ରାଓ ଆବାକ୍‌ ହୋଇଗଲା ତାଙ୍କ କଥା ଶୁଣି ।

 

ସେ ପୁନର୍ବାର ଦୋହରାଇଲେ, ଆଉ ବିଳମ୍ବ ନ କରି ପାଞ୍ଚ ଶହ ଟଙ୍କା ଆଣ... ।

 

ରଙ୍ଗା ରାଓ ପକେଟ ଭିତର ଥିବା ବାକି ଟଙ୍କାତକ ତାଙ୍କ ହାତକୁ ବଢ଼ାଇ ଦେଇ କହିଲା, ଏତିକି ଅଛି ଆଜ୍ଞା... ।

 

ସେ ସେତକ ଉଠେଇ ନେଇ ଗଣିସାରି ବିରକ୍ତ ହୋଇ କହିଲେ, ଏଥି ପାଇଁ କାମ କରିବା ଆଗରୁ ପ୍ରାପ୍ୟ ନେଇଥାଏ ମୁଁ । ମୁଁ ଜାଣେ ପରା ତମ ପରି ଲୋକଙ୍କର କାମ ଶେଷ ହେଲେ ଆଉ ଦେଖା ମିଳେନା ... ।

 

ମଧୁ ମାଷ୍ଟର ପହଞ୍ଚି ଯାଇ କହିଲେ, କିଛି ଦବାକୁ ହେବନି ରଙ୍ଗା...ମୁଁ ବଡ଼ ଡାକ୍ତରଙ୍କୁ ନିଜେ କହିବି ଔଷଧ କିଣିବା ପାଇଁ ଆହୁରି ଅନେକ ଦରକାର ହେବ ଯେ...

 

ସେତେବେଳକୁ ପୁଣି ଅପରେସନ୍‍ ଥିଏଟର ଭିତରକୁ ଚାଲି ଯାଇଥିଲେ ସର୍ଜନ ।

 

ବାହାରେ ଜଳୁଥିବା ଲାଲ୍‌ବତି ଦେଖି ଭାବୁଥିଲା ରଙ୍ଗା ରାଓ-ଏଇ ବତି ପରି ଗରୀବ ମଣିଷର ଭାଗ୍ୟ, ଡାକ୍ତର ସୁଇଚ ଟିପିଲେ ଜଳିବ, ବନ୍ଦ କଲେ ନିଭିଯିବ... ।

 

ସେ କିନ୍ତୁ କହିଲା ମଧୁ ମାଷ୍ଟରଙ୍କୁ-ଯାହା ଥିଲା ମୁଁ ଦେଇସାରିଛି ମାଷ୍ଟର ବାବୁ...ଆଗେ ସଲାମତ୍‍ ବଞ୍ଚିଯାଉ ।

 

ମଧୁ ମାଷ୍ଟର ମନେ ମନେ କହିଲେ ନିଜକୁ, ଅଥଚ ଏଇ ସଲାମତ୍‍ ଅଲ୍ଲୀ ସେଦିନ ଅପମାନ କରିଥିଲା ଓ ମାଡ଼ ମାରିଥିଲା ରଙ୍ଗା ରାଓକୁ । ଦୁଃଖୀ ମଣିଷଟି ଭିତରେ ଲୁଚି ରହିଥିବା ଭଗବାନଙ୍କୁ ସେ ସଲାମ୍‍ କଲେ ବାରମ୍ବାର ।

 

ସାଧୁ କାଣ୍ଡିକୁ କେତେ ସପ୍ତାହ ପରେ ସେଦିନ ପୁଣି କୋର୍ଟକୁ ଅଣାଗଲା । ହାତରେ ହାତ କଡ଼ି, ଅଣ୍ଟାରେ ଦଉଡ଼ି । ଦୁର୍ଦ୍ଦାନ୍ତ ଖୁନୀ ଆସାମୀ । କାଳ ପୁଲିସ୍‌ କବଳରୁ ଖସିଯାଇପାରେ ଏଇ ଆଶଙ୍କାରୁ ଏପରି ବ୍ୟବସ୍ଥା ଜେଲ ହାଜତର ଗୋଟିଏ ନିର୍ଜନ କୋଠରି ତା’ର ଆବାସସ୍ଥାନ । ଲୁହାବାଡ଼ ବାହାରେ ସଶସ୍ତ୍ର ଜଗୁଆଳୀ ।

 

ସାଧୁ କାଣ୍ଡି ବୁଝିପାରେନି ଏମିତି କାହିଁକି ହେଲା । ସେ କିପରି ହଠାତ୍‌ ବ୍ୟବସାୟୀ ହିମ୍ମତ୍‌ଲାଲ ଚୋଖାନୀକୁ ହତ୍ୟା କରିବା ଅପରାଧରେ ଅଭିଯୁକ୍ତ ହେଲା ତାହା ମଧ୍ୟ ଜାଣିପାରେନି । ସେ ଯେ ଚୋଖାନୀକୁ ହତ୍ୟା କରିନାହିଁ । ଏହା କହିଲେ କେହି ବୁଝୁ ନାହାନ୍ତି କାହିଁକି ? ପୁଲିସ୍‌ ତାକୁ ପଚରା ଉଚୁରା କଲାବେଳେ ନାନଦି ପ୍ରଶ୍ନ ପଚାରି ଆଶାନୁରୂପ ଉତ୍ତର ତା’ ଠାରୁ ନ ପାଇ ତା’ ଉପରେ ନିର୍ମମ ଅତ୍ୟାଚାର କରିଛି । ତା’ ହାତ ଦୁଇଟାକୁ ବାନ୍ଧି ନିଷ୍ଠୁର ଭାବରେ ଚାବୁକ୍‌ରେ ପିଟିଛି ପୁଲିସ୍‌ ତାକୁ ତଳେ ଗଡ଼ାଇଦେଇ ତା’ ପିଚାରେ, ଅଣ୍ଟାରେ, ଅଣ୍ଡକୋଷରେ, ପେଟରେ ଓ ଛାତିରେ ନିର୍ଦ୍ଦୟ ଭାବରେ ଗୋଇଠା ମାରି ଲହୁ ଲୁହାଣ କରିଦେଇଛି । ତଥାପି ସେ ଚୋଖାନୀକୁ ମାରିଛି ବୋଲି କହିପାରିନି; ବରଂ ମାଡ଼ ଖାଇ ମୂକ ହୋଇଯାଇଛି । ଗରିବ ଅସହାୟ, ନିର୍ଦ୍ଦୋଷୀ ମଣିଷ ବୋଧହୁଏ ଏମିତି ମାଡ଼ ଖାଏ, ଏମିତି ମାଡ଼ ଖାଇ ଖାଇ ମରିଯାଏ, ଶେଷରେ ସେ ବି ମରି ଯାଇଥାଆନ୍ତା ଏତେବେଳକୁ; କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବରେ ବଞ୍ଚି ରହିଛି ।

 

ଏଇ ବଞ୍ଚିବାରେ କିନ୍ତୁ ଆନନ୍ଦ ନାହିଁ; ବରଂ ମରିବା ଲାଗି ବାରମ୍ବାର କାମନା କରେ ସାଧୁ କାଣ୍ଡି । ଆତ୍ମାହତ୍ୟା କରିବା ଲାଗି ତା’ର ଇଚ୍ଛା ନାହିଁ, ସେ ନିଜ ଇଚ୍ଛାରୁ ଯଦି ଜନ୍ମି ନାହିଁ, ଇଚ୍ଛା କରି ମରିବ କିପରି ? ବଞ୍ଚିବା ପାଇଁ ପ୍ରତ୍ୟେକର ଅଧିକାର ଅଛି ବୋଲି ସେ କେତେଥର ଶୁଣିଛି ପରେଡ଼ ପଡ଼ିଆରେ ହୋଇଥିବା ସଭାରୁ; କିନ୍ତୁ ସେଇ ବଞ୍ଚିବାର ଅଧିକାର କିପରି ହାସଲ କରିବାକୁ ହୁଏ ସେ ଜାଣେନା । ତେବେ ସେ ଏତିକି ଜାଣେ ଯେ ବଞ୍ଚିବା ସହିତ ମର୍ଯ୍ୟାଦା ପ୍ରଶ୍ନଟି ଜଡ଼ିତ । ମର୍ଯ୍ୟାଦା ନ ଥିବା ଜୀବନ ନିରର୍ଥକ । ପିମ୍ପୁଡ଼ି ସବୁଠାରୁ ଅତି ଛୋଟ ପ୍ରାଣୀ ହୋଇ ବି ବଞ୍ଚେ; କାରଣ ପୃଥିବୀରେ ତା’ର ବଞ୍ଚିବାର ଆବଶ୍ୟକତା ଅଛି । ମନୁଷ୍ୟ ଯଦି ଝାଲି ଅପମାନ ଓ ଅବମାନନା ପାଏ ସେ ବଞ୍ଚି ଥାଇ ବି ମରିଯାଏ, ତା’ର ଆବଶ୍ୟକତା ସରିଯାଏ । ମଣିଷ କେତେଦିନ ଯାଏ ବଞ୍ଚିବାକୁ ଇଚ୍ଛା କରେ ଯେପର୍ଯ୍ୟନ୍ତ ଅନ୍ୟମାନେ ତାକୁ ଲୋଡ଼ନ୍ତି, ତା’ ସୁଖ ଦୁଃଖରେ ସାଥୀ ହୁଅନ୍ତି ।

 

ସାଧୁ କାଣ୍ଡିର ବୋଧହୁଏ ଆଉ ପ୍ରୟୋଜନ ନାହିଁ । ତା’ ସୁଖ ଦୁଃଖରେ ଆଉ କେହି ଅଂଶ ଗ୍ରହଣ କରୁନାହିଁ । ବିନା ଦୋଷରେ ସେ ଛଅ ମାସରୁ ବେଶ୍‍ ସଢ଼ୁଛି ଏଇ ଜେଲଖାନାରେ, ତା’ର ମର୍ଯ୍ୟାଦା ଟିକକ ଜେଲର ଉଚ୍ଚ ପାଚେରୀ ଭିତରେ ଆସିବା ଦିନୁ ମରିଗଲାଣି । ସେଥିପାଇଁ ସାଧୁ କାଣ୍ଡି ବଞ୍ଚିନି ଯେ ତା’ର ଭୂତ ବଞ୍ଚିଛି ତାହାରି ରୂପରେ ।

 

ସାଧୁ କାଣ୍ଡିକୁ ପୁଲିସ୍‌ ଗାଡ଼ିରୁ ଓହ୍ଲେଇ ଦିଆଗଲା କୋର୍ଟ ଆଗରେ । ପାଞ୍ଚ ଜଣ ସିପାହୀ ତାକୁ ଆଣିଲେ କୋର୍ଟ ଭିତରକୁ । ମହାବଳ ବାଘକୁ ଜଗିବା ପାଇଁ ବି ଏତେ ଲୋକର ଲୋଡ଼ା ହେଉ ନ ଥିବ ।

 

ସାଧୁ କାଣ୍ଡି ଆଗେ କେବେ ଅଦାଲତକୁ ଆସି ନ ଥିଲା, କିପରି ବିଚାର ହୁଏ, କୋଉଠି ବିଚାରପତି ବସନ୍ତି ତାହା ଦେଖି ନ ଥିଲା, କଳା କୋର୍ଟପିନ୍ଧା ଓକିଲମାନେ ଏପାଖ ସେପାଖ ହେଉଥିବା ପରସ୍ପର ମଧ୍ୟରେ ପରାମର୍ଶ କରୁଥିବା ସେ ନିରୀକ୍ଷଣ କଲା । ଜଜ୍‌ ମୁହଁ ଗମ୍ଭୀର କରି ବସିଥିବାର ସେ ଲକ୍ଷ୍ୟ କଲା । ସେ ଧର୍ମାବତାର, ଦଣ୍ଡ ମୁଣ୍ଡର ଅଧିକାରୀ, ତାଙ୍କର କଲମ ଗାରରେ ବଞ୍ଚିବା ଓ ମରିବାର ନିଷ୍ପତ୍ତି ହୁଏ । ତାଙ୍କୁ ନମସ୍କାର କଲା ସାଧୁ କାଣ୍ଡି ।

 

ତା’ ଆଗରେ ଭଗବତ୍‌ ଗୀତା ରଖି ଈଶ୍ୱରଙ୍କ ନାମରେ ଶପଥ ନବାଲାଗି ତାକୁ କୁହାଗଲା,-ଭଗବାନଙ୍କୁ ସାକ୍ଷୀ ରଖି କହୁଛି ଯାହା କହିବି ସତ କହିବି, ସତ ଛଡ଼ା ମିଛ କହିବି ନାହିଁ-। ସାଧୁ କାଣ୍ଡି ସେୟା କହିଲା, ସେ ସତ କହିବ, ସତ ଛଡ଼ା ମିଛ କହିବ ନାହିଁ ।

 

ତା’ ବିରୁଦ୍ଧରେ ଆସିଥିବା ଅଭିଯୋଗ ଶୁଣାଇଦେଇ ବିଚାରପତି ପଚାରିଲେ, ତୁମେ ଦୋଷୀ ନା ନିର୍ଦ୍ଦୋଷ... ?

 

ସାଧୁ କାଣ୍ଡି ହାତ ଯୋଡ଼ି କହିଲା, ମୁଁ ନିର୍ଦ୍ଦୋଷ ହଜୁରେ...ଧର୍ମ ମୋର ସାକ୍ଷୀ... । ମୁଁ ତାଙ୍କୁ ମାରିନାହିଁ । ସେଦିନ ପାଇଁ ସେତିକିରେ ଶେଷକଲେ ବିଚାରପତି ।

 

ସାଧୁ କାଣ୍ଡି ପୁଣି ସେଇ କଳା ପୁଲିସ୍‌ ଗାଡ଼ି ଚଢ଼ି ଫେରିଲା ଜେଲ୍‌ଖାନାକୁ ।

 

ମନରେ ଟିକେ ବିଶ୍ୱାସ ଫେରି ଆସିଛି ସାଧୁ କାଣ୍ଡିର ଯେ ସେ ନିଜ ଆଖିରେ କେବଳ ନିର୍ଦ୍ଦୋଷ ନୁହେଁ, ଅନ୍ୟ କେହି କେହି ବି ତାହା ବିଶ୍ୱାସ କରିବାକୁ ଆରମ୍ଭ କଲେଣି । ନ ହେଲେ ଅଦାଲତକୁ ବିଚାର ଶୁଣିବାଲାଗି ଓ ତାକୁ ଦେଖିବାଲାଗି ଆସି ନ ଥାନ୍ତେ ରାମା ରାଓ, ମଧୁ ମାଷ୍ଟର, ଭୁବନ ସ୍ୱାଇଁ, ରଙ୍ଗା ରାଓ ଓ ଆହୁରି କେତେଜଣ ପଡ଼ୋଶୀ । ସେମାନଙ୍କୁ ତା’ ସହିତ କଥାଭାଷା କରିବା ପାଇଁ ଅନୁମତି ଦେଲାନି ପୁଲିସ୍‌; କିନ୍ତୁ ତଥାପି ଦୃଷ୍ଟି ବିନିମୟଦ୍ୱାରା ପରସ୍ପରଙ୍କୁ ଭାବ ବିନିମୟଦ୍ୱାରା ସେମାନେ ତା’ ମନ କଥା ନିଶ୍ଚେ କଳନା କରିଥିବେ । ସେ ତ ପ୍ରାୟ ନିଶ୍ଚିତ ହୋଇଗଲାଣି ଯେ ଏଇ ପୃଥିବୀରେ ବିଷ ବି ଅଛି, ବିଶ୍ୱାସ ବି ଅଛି; ବନ୍ଧୁତା ସହିତ ଶତ୍ରୁତା ବି ଅଛି, ଅଛି ଆଉ ଅଛି ପ୍ରତାରଣାର ପାଖେ ପାଖେ ପ୍ରତାରିତ ପାଇଁ ଅନାବିଳ ସହାନୁଭୂତି ଓ ନିର୍ମଳ ଶୁଭ କାମନା ।

 

ମଧୁ ମାଷ୍ଟରଙ୍କ ଆଖି ଯୋଡ଼ିକି ସେଇ ପୂର୍ବପରି ଆକର୍ଷଣ କରୁଥିଲା ତାକୁ । ସେ କିଛି ନ କହି ବି ଯେପରି କିଛି କହିଗଲେ ।

 

ଆଉ ପରୁଆ କଅଣ ସାଧୁ କାଣ୍ଡିର... । ଅରକ୍ଷିତ ଦାସର ପେଞ୍ଚ ଯଦି ସେ ଆଗରୁ ଜାଣି ପାରିଥାଆନ୍ତା, ଆଉ କାହାର ଅପରାଧ ତା’ ମୁଣ୍ଡ ଉପରେ ବୋଳା ହୋଇ ନ ଥାନ୍ତା । ସେ ଫାଶୀ ପାଉ, ସେଥିରେ ଚିନ୍ତା ନାହିଁ ସାଧୁର; କିନ୍ତୁ ସତ୍ୟ ଯେପରି ଫାଶୀ ନ ପାଉ, ସତ୍ୟତାର ଯେପରି ଜୟ ହେଉ... ।

 

ସେଇ ରାତି ସାଧୁ କାଣ୍ଡିକୁ ଆଉ ଗୋଟେ କୋଠରିକୁ ବଦଳି କରାଗଲା ଜେଲଖାନାରେ-। ଏଇ କୋଠରିଟା ଗୋଟିଏ କୋଣରେ, ଅନ୍ୟ ବନ୍ଦୀଶାଳା ସହିତ ଏହାର ସମ୍ପର୍କ ନାହିଁ, ଏଠାରେ ଯାହାହେଲେ ବି ଅନ୍ୟମାନେ ଜାଣିବା ମୁସ୍କିଲ ।

 

ରାତିରେ ପାଞ୍ଚଖଣ୍ଡ ଶୁଖିଲା ରୋଟି ଓ ଡାଲଣାରୁ ଗିନାଏ ପଡ଼େ ତା ଭାଗରେ । ସେତିକି ଖାଇବା ଭାଗ୍ୟରେ କିନ୍ତୁ ଜୁଟିଲା ନାହିଁ, ସବ୍‌-ଇନିସ୍‌ପେକ୍‍ଟର ବାବୁ ପହଞ୍ଚିଗଲେ । ସାଧୁ କାଣ୍ଡି ତା’ର ଖାଇବା ରଖିଦେଇ ତାଙ୍କ ଆଗରେ ଛିଡ଼ା ହେଲା ।

 

ସବ୍‌-ଇନିସ୍‍ପେକ୍‍ଟର ଗର୍ଜି ଉଠିଲେ । ଶଳା ହାରାମଜାଦା ...ଖୁନୀ... । ଶଳା ମୁହେଁ ମୁହେଁ ଅଦାଲତରେ କହିଦେଲୁ ଯେ ତୁ ନିର୍ଦ୍ଦୋଷ... ।

 

ସାଧୁକାଣ୍ଡି ନିରବରେ ଛିଡ଼ା ହୋଇଥାଏ ।

 

ତାଙ୍କ ନିର୍ଦ୍ଦେଶ ପାଇ ଜଣେ ସିପାହୀ କହିଲା, ତୁ ଯଦି ତୋ ଦୋଷ ସ୍ୱୀକାର ନ କରୁ ତୋ ନିଜ କବର ନିଜେ ଖୋଳିବୁ...

 

ସାଧୁ କାଣ୍ଡିର ମୁଖଭଙ୍ଗୀରେ କୌଣସି ପରିବର୍ତ୍ତନ ଦେଖାଗଲା ନାହିଁ ।

 

-କଅଣ ବେ କିଛି କହୁନୁ ଯେ ? ହୁଙ୍କାର ଛାଡ଼ିଲେ ସବ୍‌-ଇନିସ୍‌ପେକ୍‍ଟର ।

 

ସାଧୁକାଣ୍ଡି ତଥାପି ନିରବ ।

 

ତା’ପରେ ଏପରି ଜୋର୍‌ରେ ତା’ ପେଟରେ ବେଟନ ଭୂଷିଦେଲେ ଯେ ଯନ୍ତ୍ରଣାରେ ଚିତ୍‌କାର କରିଉଠିଲା ସାଧୁ, ଓଃ !

 

-କହିଦେ କିପରି ମାରିଲୁ । କହିଲା ସିପାହୀ ।

 

-ମୁଁ କିଛି ଜାଣିନି ଆଜ୍ଞା ମୁଁ ନିର୍ଦ୍ଦୋଷ ।

 

ଏହାପରେ ଆଉ ଧୈର୍ଯ୍ୟ ଧରି ନ ପାରି ଲାଛି ଦେଇଗଲେ ସବ୍‌-ଇନିସ୍‍ପେକ୍‍ଟର । ସାଧୁକାଣ୍ଡି ବାପଲୋ ମରିଗଲି ଲୋ...ଚିତ୍‌କାର କରୁଥାଏ ଯନ୍ତ୍ରଣାରେ; କିନ୍ତୁ କିଏ ଶୁଣୁଛି ତା’ର ଆକୁଳ ନିବେଦନ । ହଠାତ୍‌ ପଛରୁ ଜୀବନ ନାଟକର ଗୋଇଠା ଖାଇ ଅହସ୍ୟ ଯନ୍ତ୍ରଣାରେ ତଳେ ପଡ଼ିଗଲା ସାଧୁ କାଣ୍ଡି ଏବଂ ତା’ର ଛାତି ଉପରକୁ କୁଦିପଡ଼ି ଛିଡ଼ା ହୋଇଗଲେ ସବ୍‌-ଇନିସ୍‌ପେକ୍‍ଟର, ପ୍ରଥମେ ଗଁ ଗଁ କଲା ସାଧୁ; କିନ୍ତୁ ତା’ର କେଇ ମୁହୂର୍ତ୍ତ ପରେ ନିରବ ହୋଇଗଲା ତା’ର ଶରୀର ।

 

ସବ୍‌-ଇନିସ୍‌ପେକ୍‍ଟରଙ୍କୁ ତା ଉପରୁ ଟାଣିଆଣି ସାଧୁ କାଣ୍ଡିର ନାକ ଦେଇ ଗଡ଼ିପଡ଼ୁଥିବା ରକତ ଧାରକୁ ଦେଖାଇ କହିଲା ସିପାହୀ, ଆଖିର ଡୋଳା ଓଲଟି ପଡ଼ିଛି, ବୋଧହୁଏ ମରିଗଲା ସାର୍‌... ।

 

ସବ୍‌-ଇନିସ୍‌ପେକ୍‍ଟର ଶିହରି ଉଠି କହିଲେ ମରିଗଲା ?

 

ତା’ପରେ ସାଧୁ କାଣ୍ଡିର ନାକରେ ହାତଦେଇ ଶ୍ୱାସ ପ୍ରଶ୍ୱାସ ଚଳୁଥିବାର କୌଣସି ସଙ୍କେତ ନ ପାଇ ସେ କହିଲେ, ମୁଁ ଯାହା କହୁଛି, ସେହିପରି କର ଦିବାକର ... ।

 

ଦୁହେଁ ମିଶି ତା’ ବେକରେ ଦଉଡ଼ି ବାନ୍ଧି ସ୍କାଇଲାଇଟ୍‍ର ଲୁହା ରଡ଼ରେ ଲଟକାଇ ଦେଇ ଅନ୍ୟସବୁ ଚିହ୍ନ ପୋଛି ପକେଇ ଜେଲ୍‌ରଙ୍କ ନିକଟରେ ଘୋଷଣା କରିଦେଲେ ଯେ, ପଚରା ଉଚୁରା କରିବାକୁ ଯିବାବେଳକୁ ସାଧୁ କାଣ୍ଡି ନିଜ ସେଲ୍‌ ଭିତରେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିସାରିଛି ।

 

ସେମାନଙ୍କ କଥା ଶୁଣି ଜେଲ୍‌ ସୁପରିଟେଣ୍ଡେଣ୍ଟ ସ୍ତବ୍‌ଧ ହୋଇଗଲେ ।

 

ଯଥାଶୀଘ୍ର ଡାକ୍ତରୀ ମାଇନା କରାଇ ସେହି ରାତିରେ ଶବ ସତ୍କାର କରି ଦିଆଗଲା ସାଧୁ କାଣ୍ଡିର ।

 

ପୁଣି ସୂର୍ଯ୍ୟୋଦୟ ହେଲାବେଳକୁ ସେଇ ପୁରୁଣା ପୃଥିବୀର ସୂର୍ଯ୍ୟ ନୂତନ ପରି ଦେଖାଯାଇଥିଲେ ବି ସାଧୁ କାଣ୍ଡି ନ ଥିଲା ପୃଥିବୀରେ ସେଇ ଦୃଶ୍ୟ ଦେଖିବା ପାଇଁ ।

 

ଦୁଇ ଦିନ ପରେ ସେହି ଖବର ସମ୍ବାଦପତ୍ରରୁ ପଢ଼ି ଚମକି ପଡ଼ିଲା ସତ୍ୟଜିତ୍‌ ।

 

ଜେଲ୍‌ରେ ଆସାମୀର ମୃତ୍ୟୁ ଏଇ ପ୍ରଥମ ନୁହେଁ କି ଶେଷ ମଧ୍ୟ ନୁହେଁ, ଏଇ ଗୋଟିଏ ଖବର ତାକୁ କିଛି ସମୟ ମୂକ କରି ଦେଇଗଲା ଯେପରି !

 

ସତ୍ୟଜିତ୍‌ ଆଉ କାଳ ବିଳମ୍ବ ନ କରି ସିଧା ଚାଲିଲା ପୁଲିସ୍‌ ସୁପରିଟେଣ୍ଡେଣ୍ଟଙ୍କୁ ଦେଖା କରିବା ପାଇଁ ।

 

ସେ ଗସ୍ତରେ ଯାଇଥିଲେ ।

 

ତା’ପରେ ଗଲା ଜେଲ୍‌ ସୁପରିଟେଣ୍ଡେଣ୍ଟଙ୍କ ପାଖକୁ ।

 

ସେ ଯେତିକି ଖବର କାଗଜରେ ବାହାରିଥିଲା ସେତିକି ମାତ୍ର କହିଲେ ।

 

ତା’ପରେ ସତ୍ୟଜିତ୍‌ ଚାଲିଲା ଘରୋଇ ମନ୍ତ୍ରୀଙ୍କ ନିକଟକୁ ।

 

ମନ୍ତ୍ରୀ ମଧ୍ୟାହ୍ନ ଭୋଜନକୁ ଯିବାଲାଗି ବାହାରୁଥିବାବେଳେ ତାଙ୍କ ଅନୁମତିର ଅପେକ୍ଷା ନ ରଖି ଝଡ଼ ପରି କୋଠରି ଭିତରକୁ ପଶିଯାଇ କହିଲା ସେ, ମୋ ନାମ ସତ୍ୟଜିତ୍‌ ରାୟ, ଆଡ଼୍‌ଭୋକେଟ୍‌ ଏବଂ ସମାଜସେବୀ ... ।

 

ମନ୍ତ୍ରୀ କହିଲେ, ବର୍ତ୍ତମାନ ନୁହେଁ, ପରେ ଆସିବେ । ପି. ଏ.କୁ କହିଲେ ସେ ଏନ୍‌ଗେଜ୍‌ମେଣ୍ଟ ଠିକ୍‌ କରିଦେବେ ।

 

ସେତେବେଳକୁ ପି. ଏ. ଆସିଛିଡ଼ା ହୋଇଥାଆନ୍ତି ମନ୍ତ୍ରୀଙ୍କ କଠୋର ଭିତରେ !

 

ମୁଁ ଜାଣିବା ପୂର୍ବରୁ ଜବରଦସ୍ତ ପଶି ଆସିଲେ ସାର୍‌... । କହିଲେ ସେ ।

 

-ଅତି ଜରୋରୀ ଜନସ୍ୱାର୍ଥ କାର୍ଯ୍ୟରେ ଆସିଚି ମୁଁ ... ।

 

-ଏବେ ମନ୍ତ୍ରୀ ଖାଇବା ପାଇଁ ଯିବେ ।

 

-ତା’ଠାରୁ ଅନେକ ବେଶି ମଣିଷର ଜୀବନ ଜଣେ ନିରାପରାଧ ଆସାମୀର ଜେଲ ହାଜତରେ ମୃତ୍ୟୁନିଶ୍ଚୟ ସାମାନ୍ୟ ଘଟଣା ନୁହେଁ... ।

 

-ମନ୍ତ୍ରୀ ବିଷୟର ଗୁରୁତ୍ୱ ଉପଲବ୍‌ଧ କରି ଏବଂ ସତ୍ୟଜିତ୍‌କୁ ଆଉ ଅଧିକ ଉତ୍ତେଜିତ କରିବାଲାଗି ସୁଯୋଗ ନ ଦେଇ ବସିପଡ଼ି କହିଲେ ବସନ୍ତୁ, ଆପଣଙ୍କର ଯାହା କହିବାର କଥା ଶୁଣିସାରିବା ପରେ ଅନ୍ୟ ଯାହା କିଛି କରିବି ।

 

-ସଧୁ କାଣ୍ଡିର ଜେଲ ହାଜତରେ ମରିଥିବା ଘଟଣା ଆପଣ ଜାଣିଥିବେ...

 

-କିନ୍ତୁ ସେ ତ ଆତ୍ମହତ୍ୟା କରିଛି... ।

 

-ନା, ତାକୁ ମାରି ଦିଆଯାଇଛି... ।

 

-ତା’ର ପ୍ରମାଣ ?

 

-ପ୍ରମାଣସବୁ ନଷ୍ଟ କରି ଦିଆଯାଇଛି...ତଥାପି ଯେତିକି ଅଛି ସେଥିରୁ ଆପଣ ଅନୁମାନ କରିପାରିବେ ଅତ୍ୟନ୍ତ ଲଜ୍ୟାର ବିଷୟ ଯେ ପୁଲିସ୍‌ ଆଇନ ଅନୁସାରେ କାର୍ଯ୍ୟ ନ କରି ଷ୍ଟେଟ୍‌ ଟେରୋରିଜିମ୍‌ ଚଳେଇ ନିରୀହ ନିରପରାଧ ବ୍ୟକ୍ତିଙ୍କୁ...

 

ମନ୍ତ୍ରୀ ତାକୁ ଶାନ୍ତ ହବାକୁ କହି ତା’ ଆଡ଼କୁ ସରବତ ଗିଲାସ୍‌ଟା ବଢ଼େଇ ଦେଇ କହିଲେ, ସରବତ ଗିଲାସେ ପିଅନ୍ତୁ ତା’ପରେ ବସି ଆଲୋଚନା କରିବା ।

 

ସତ୍ୟଜିତ୍‌ କହିଲା, ସେଇ ଲୋକଟି ଜେଲ୍‌ରେ ଅକଥନୀୟ ଅତ୍ୟାଚାର ସହି ନ ପାରି ମରିଗଲା ଶେଷରେ, ତା’ର ପରିବାର ଅନାଥ ହୋଇଗଲେ ସବୁଦିନ ପାଇଁ ।

 

ମନ୍ତ୍ରୀ ଆଶ୍ୱାସନା ଦେଇ କହିଲେ, ମୁଁ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛି, ଏହି ଘଟଣାର ବିହିତ ତଦନ୍ତ କରାଯିବ ଓ ଦୋଷୀ ଯିଏ ହୁଅନ୍ତୁ ନା କାହିଁକି ଆଇନ ଅନୁସାରେ ଦଣ୍ଡ ପାଇବେ ... ।

 

-ଧନ୍ୟବାଦ ଆପଣଙ୍କୁ; କିନ୍ତୁ ଏପରି ଅମାନୁଷିକ ଅତ୍ୟାଚାର ଆଉ କେତେଦିନ ଚଳିବ ସ୍ୱାଧୀନ ଭାରତ ବର୍ଷରେ ? କେତେଦିନ ପୁଲିସ୍‌ ଦୁର୍ବଳର ସହାୟତା ନ କରି ଶକ୍ତିଶାଳୀକୁ ଘଣ୍ଟ ଘୋଡ଼ାଇ ରଖିଥିବ ? କେତେଦିନ ଆଇନ ଧନୀ ଓ ପ୍ରତିପତ୍ତିଶାଳୀଙ୍କୁ ରକ୍ଷା କରିବାଲାଗି ବ୍ୟବହୃତ ହେଉଥିବ ?

 

-ଆପଣ ଯୁବକ, ଏପରି ଏକ ଘଟଣା ବା ଦୁର୍ଘଟଣା ବିଷୟରେ ପୁଣି ବିବ୍ରତବୋଧ କରିବା ସ୍ୱାଭାବିକ । ମୁଁ ବି ଦିନେ ଏରି ଘଟଣା ଶୁଣି ଉତ୍ତେଜିତ ହୋଇ ପଡ଼ୁଥିଲି... । ଗାନ୍ଧିଜୀ ଗୋଟିଏ କଥା କହିଥିଲେ; ସତ୍ୟହିଁ ଈଶ୍ୱର । ମୁଁ ଆପଣଙ୍କ ପ୍ରତିଶ୍ରୁତି ଦେଇଛି ସତ୍ୟର ଉଦ୍‌ଘାଟନ ଅବଶ୍ୟ କରାଯିବ, ଦୋଷି ନିଶ୍ଚିତଭାବେ ଦଣ୍ଡ ପାଇବ ।

 

ସତ୍ୟଜିତ୍‌ କହିଲା, ମୋର ଇଚ୍ଛା ନ ଥିଲେ ବି ସୌଜନ୍ୟତା ରକ୍ଷା କରି ମୁଁ ଏ ସରବତ ପିଉଛି...କିନ୍ତୁ ମୋର ଅନ୍ତରାତ୍ମା କାନ୍ଦୁଛି ସାର୍‌...ସ୍ୱାଧୀନ ଗଣତାନ୍ତ୍ରିକ ଭାରତବର୍ଷରେ...ଗାନ୍ଧିଜୀଙ୍କ ଦେଶରେ ଏପରି ଅମାନୁଷିକ ବେଆଇନ କାର୍ଯ୍ୟ... ।

 

ଆପଣ ନିଶ୍ଚିନ୍ତ ରହନ୍ତୁ ସତ୍ୟଜିତ୍‌ବାବୁ ...ଆଇନ ତା’ ବାଟ ଧରିବ କିନ୍ତୁ ମୋର ଦୁଃଖ ଯେ, ଆଇନର ଅପବ୍ୟବହାର ବନ୍ଦ ହେଉନି...ସରକାର କିନ୍ତୁ ଦୃଢ଼ ପ୍ରତିଜ୍ଞା ଆଇନର ଶାସନ ପ୍ରତିଷ୍ଠା କରିବା ପାଇଁ । ତାକୁ ଆଶ୍ୱାସନା ଦେଇ କହିଲେ ଘରୋଇ ମନ୍ତ୍ରୀ ।

 

ସତ୍ୟଜିତ୍‌ ଯିବା ଆଗରୁ କହିଗଲା, ଜନସାଧାରଣଙ୍କ ଅବଗତି ନିମନ୍ତେ ସରକାର ଏ ବିଷୟରେ ବରଂ ଗୋଟିଏ ସ୍ପଷ୍ଟୀକରଣ ଦିଅନ୍ତୁ ... ।

 

-ମୁଁ ଭାବି ଦେଖିବି... । ନିରୁଦ୍‌ବିଗ୍ନ କଣ୍ଠରେ କହିଲେ ମନ୍ତ୍ରୀ ।

 

ସତ୍ୟଜିତ୍‌ ରାୟ ତା’ପରେ ସିଧା ଗଲା ଶ୍ୟାମଳେନ୍ଦୁ ପଟ୍ଟନାୟକଙ୍କ ପାଖକୁ ... ।

Unknown

 

ଶ୍ୟାମଳେନ୍ଦୁ ଘରେ ଥିଲା । ସେ ବି ଖବରକାଗଜରୁ ସାଧୁ କାଣ୍ଡିର ମୃତ୍ୟୁ ବିଷୟରେ ପଢ଼ି ମର୍ମାହତ ହୋଇଥିଲା ଏବଂ ଏ ବିଷୟରେ ଅଧିକ ଜାଣିବାଲାଗି କଅଣ କରାଯାଇ ପାରେ ସେ ସମ୍ପର୍କରେ ଚିନ୍ତା କରୁଥିଲା ।

 

ସତ୍ୟଜିତ୍‌ ସବୁ ବିଷୟ ତା ଆଗରେ ବର୍ଣ୍ଣନା କରି କହିଲା ଯେ, ସାଧୁ କାଣ୍ଡି ବିଚାରାଧୀନ ଆସାମୀ । ସେ ଚୋଖାନୀକୁ ହତ୍ୟା କରିଛି କି ନାହିଁ ତାହା ବିଚାରାଧୀନ ଥିଲାବେଳେ ତାକୁ ନିର୍ଦ୍ଦୋଷ ବୋଲି ଧରି ନିଆଯାଇପାରେ । ଏହାହିଁ ଆଇନ; କିନ୍ତୁ ସେ ଅଦାଲତରେ ନିଜର ଦୋଷ ସ୍ୱୀକାର ନ କରିବାରୁ ତା ଉପରେ ଯେ ଅତ୍ୟାଚାର ହୋଇଥିବ ଏହା ମୁଁ ଅନୁମାନ କରୁଛି ।

 

ଅନୁମାନ ସତ୍ୟ ହୋଇପାରେ; କିନ୍ତୁ ଏହା ପ୍ରମାଣିତ ନ ହେବା ଯାଏ କେବଳ ଅନୁମାନ ହୋଇ ରହିବ ।

 

ଚୋଖାନୀକୁ ଅନ୍ୟଲୋକ ହତ୍ୟା କରିଥିବାର ପ୍ରମାଣ ଅଛି ମୋ ପାଖରେ...ମୁଁ ସେଇ ମୋକଦ୍ଦମା ହାତକୁ ନେବାଦିନୁ ମୋ ପଛରେ ଶତ୍ରୁ ଲାଗିଛନ୍ତି । ମୁଁ ଯେ ଆକ୍‌ସିଡ଼େଣ୍ଟରେ ପଡ଼ି ହସ୍‌ପିଟାଲରେ ଥିଲି ତୁମର ମନେଅଛି ନିଶ୍ଚୟ । ସେଇଟା ବି ଥିଲା ଗୋଟେ ଷଡ଼ଯନ୍ତ୍ର...ମୋତେ ସାବଧାନ କରିଦବାର ଗୋଟେ ସୂଚନା ଥିଲା ସେଇଟା... ।

 

ଦେଶ ବିଭାଜନ ପରେ ହିମ୍ମତଲାଲ ଚୋଖାନୀ ସିନ୍ଧୁ ପ୍ରଦେଶରୁ ଭାରତକୁ ଆସି ରହିଗଲେ ଯେ ଆଉ ଫେରି ନ ଥିଲେ । ସେତେବେଳେ ନୂଆ ହୋଇ ନିର୍ମାଣ କରାହେଉଥିଲା ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ । ଖବରକାଗଜରୁ ସମ୍ବାଦ ପଢ଼ି ସେ ଦ୍ୱିତୀୟଥର ପାଇଁ ଆଉ ଏ ବିଷୟରେ ବିଚାର ନ କରି ଚାଲି ଆସିଥିଲେ ଏକାମ୍ରନଗରକୁ । ଏହି ଐତିହାସିକ ଭୂମି ତାଙ୍କୁ ମୁଗଧ କରିଥିଲା ଅତି ଅଳ୍ପ ସମୟ ମଧ୍ୟରେ । ୧୯୪୮ରୁ ୧୯୮୭ ମଧ୍ୟରେ ଚୋଖାନୀଙ୍କର ବ୍ୟବସାୟ ବୃଦ୍ଧି ପାଇଥିଲା ପାଞ୍ଚ ଶହ ଶୁଣ । ସେ ଲୋଟା କମ୍ବଳରୁ ହୋଇଗଲେ ଲକ୍ଷପତି । ରାଜଧାନୀ ନିର୍ମାଣର ପ୍ରାରମ୍ଭରେ...ଜଗଦୀଶ ବହିଦାର ସେତେବେଳେ ଏକ୍‍ଜିକିଉଟିଭ୍‍ ଇଞ୍ଜିନିଅର-। ନିର୍ମାଣ ବିଭାଗ ଦାୟିତ୍ୱ ଥିଲା ତାଙ୍କ ଉପରେ ସେତେବେଳେ । ରାଜଧାନୀ ଯେପରି ପ୍ରସାରଲାଭ କଲା ପ୍ରତି ମାସ ଓ ବର୍ଷ, ବହିଦାରଙ୍କ ସାମ୍ରାଜ୍ୟ ମଧ୍ୟ ବଢ଼ି ଚାଲିଲା ସେହିପରି । ଦିନେ ଦେଖାଗଲା ଯେ, କେବଳ ରାଜଧାନୀରେ ତାଙ୍କର ତିନୋଟି କୋଠା, ପୁରୀରେ ଗୋଟିଏ, ସମ୍ବଲଢ଼ିପୁରରେ ଦୁଇଟି ଓ ରାଉରକେଲାରେ ଗୋଟିଏ । ଅକଳନ୍ତି ସମ୍ପତ୍ତିର ମାଲିକ ହୋଇଥିଲେ ସେ । ଭିଜିଲାନ୍‌ସ ଲାଗିଲା ତାଙ୍କ ପଛରେ । ଆୟ ବହିର୍ଭୁତ ସମ୍ପତ୍ତି ଠୂଳ କରିବା ଅଭିଯୋଗ ପ୍ରମାଣ ହୋଇଯିବାର ତିନିବର୍ଷ କାରାଦଣ୍ଡ ହେଲା ତାଙ୍କୁ, କିନ୍ତୁ ଜେଲଖାନାରେ ତିନିମାସ ରହିବା ପରେ ହୃଦଯନ୍ତ୍ର କ୍ରିୟା ହଠାତ୍ ବନ୍ଦ ହୋଇଯିବାରୁ ସବୁ ଅଟ୍ଟାଳିକା ଓ ସମ୍ପଦ ଛାଡ଼ି ସେ ଯେମିତି ଆସିଥିଲେ ସେପରି ବାହୁଡ଼ିଗଲେ । ସେଇ ବହିଦାରଙ୍କ ଗୋଟିଏ କୋଠାରେ ଭଡ଼ାରେ ରହି ଯାଇଥିଲେ ଚୋଖାନୀ । ସେଇ କୋଠାର ଭଡ଼ା ଏବେ ଚାରି ହଜାରରୁ କମ୍‌ ହେବନାହିଁ; କିନ୍ତୁ ସେଇ ପୂର୍ବ ହାରରେ ମାସକୁ ପାଞ୍ଚ ଶହ ଟଙ୍କା ଭଡ଼ା ଦିଅନ୍ତି ଚୋଖାନୀ । ଏତେ ଶାସ୍ତାରେ ରହୁଥିବା ଭଡ଼ା ଘର ଛାଡ଼ି ସେଥିଲାଗି ସେ ସତ୍ୟନଗରରୁ ଗଲେନି ବାପୁଜୀ ନଗରରେ ତୋଳିଥିବା ନିଜ ଘରକୁ । ଗୋଟେ ବଡ଼ କମ୍ପାନୀକୁ ଭଡ଼ାରେ ଦେଇ ମାସକୁ ସାତ ହଜାର ଟଙ୍କା ପାଆନ୍ତି ସେ ।

 

ବହିଦାରଙ୍କ ଜାମାତା କିନ୍ତୁ ଜିଦ୍‌ କଲେ ଚୋଖାନୀକୁ ସେଇ ଘରୁ ଉଚ୍ଛେଦ କରିବା ପାଇଁ-। ଆଇନର ଆଶ୍ରୟ ନେଇଥିଲେ ହୁଏତ ସମୟ ଲାଗିଥାଆନ୍ତା ହାରିବା ଜିତିବା ଜାଣିବା ପାଇଁ; କିନ୍ତୁ ସତ୍ୟାନନ୍ଦ ଉଦ୍‌ଗାତା ଆଇନର ଆଶ୍ରୟ ନ ନେଇ ଆଶ୍ରୟ ନେଲା ସାହି ଦାଦାମାନଙ୍କର । ବହୁଦିନ ଧରି ଭଡ଼ାଘର ଦଖଲ କରି ରହିଥିବା ଲୋକଙ୍କୁ ଉଚ୍ଛେଦ କରିବାର କେବଳ ଗୋଟେ ସହଜ ଉପାୟ ଯଦି ପ୍ରୀତିପୂର୍ଣ୍ଣ ଧମକ ଓ ତାପରେ ଧମକ ସତ୍ତ୍ୱେ ସେ ଘର ନ ଛାଡ଼େ ତାହେଲେ ତାକୁ ୱାର୍ନିଂ ମର୍ଡ଼ରର ଧମକ ଦିଆଯାଏ । ଏଥିରେ ବ୍ୟକ୍ତିକୁ ହତ୍ୟା କରିବା ଅଭିପ୍ରାୟ ନ ଥାଏ । କେବଳ ଧମକରେ କାମ ହାସଲ କରିବା ୱାର୍ନିଂ ମର୍ଡ଼ରର ଉଦ୍ଦେଶ୍ୟ । ଯଦି ଧମକ ପାଇ ବି ସେ ଭୟ ନ କରେ ପୁଳାଏ ମାଂସ ହାତରୁ, ଜଙ୍ଘରୁ ବା ପେଟରୁ ପଠାଇ ନବା ପରବର୍ତ୍ତୀ କାର୍ଯ୍ୟ । ଏଥିରେ ଏପର୍ଯ୍ୟନ୍ତ ଶହେକୁ ଶହେ ସଫଳତା ମିଳିଛି; କିନ୍ତୁ ଚୋଖାନୀ ଅନ୍ୟ ଧାତୁର ମଣିଷ, ମାଂସ ପୁଳାଏ ଦବାକୁ ରାଜି; କିନ୍ତୁ ଘର ଛାଡ଼ିବାକୁ ରାଜି ନୁହେଁ ।

 

ସେଥିଲାଗି ଜିଦ୍‌ ଚାପିଲା ବହୁ ଖୁନ୍‌ର ଅଭିଯୁକ୍ତ ଆସାମୀ ସୁନ୍ଦରାର । ଅରକ୍ଷିତ ଦାସର ବହୁ କାମ ସେ କରିଛି । କେବେ ପଛଘୁଞ୍ଚା ଦେଇନି, ଏଇ କାମକୁ ପଛେଇ ଯିବ ! ଚୋଖାନୀକୁ ସେମାନେ ଧମକ ଦେଉଥିଲାବେଳେ ପୁଲିସ୍‌କୁ ଜଣାଇବାଲାଗି ସେ ଟେଲିଫୋନ କରିବାକୁ ଯାଇଥିଲାବେଳେ ତା ମଥା ଉପରେ ଗୋଟିଏ ପଟାରେ ଆଘାତ କଲା ସୁନ୍ଦରା । ଆଘାତ ସେପରି ସଂଘାତିକ ନ ଥିଲା, ତାକୁ କିଛି ସମୟ ପାଇଁ ଅଚେତ କରିଦବା ଥିଲା ସୁନ୍ଦରାର ଉଦ୍ଦେଶ୍ୟ; କିନ୍ତୁ ଚୋଖାନୀ ସେଇ ଆଘାତରୁ ଆଉ ଉଠିଲା ନାହିଁ, ମରିଗଲା ।

 

ସେମାନେ ଚାଲିଯାଇଥିଲେ ତା’ପରେ । ପୁଲିସ୍‌ ଯେତେବେଳେ ସୁନ୍ଦରା, ଗୁଲୁ ପ୍ରଭୃତିଙ୍କ ପିଛା ଧରିଥିଲା, କୌଶଳ କରି ଗୁଲୁ ପ୍ରଚାର କରିଦେଇଥିଲା ସାଧୁ କାଣ୍ଡିର ନାମ । ସାଧୁ କାଣ୍ଡି ସେମାନଙ୍କ ସହିତ ଆସିଥିଲା ସତ; କିନ୍ତୁ ସେ ଚୋଖାନୀକୁ ମାରି ନ ଥିଲା କି ମାରିବାଲାଗି ଷଡ଼ଯନ୍ତ୍ର କରି ନ ଥିଲା । ତାକୁ ସାଙ୍ଗରେ ଆଣିଥିଲେ ସେମାନେ ଦରକାର ହେଲେ ସାହାଯ୍ୟ କରିବା ପାଇଁ । ସାଧୁ କାଣ୍ଡି ଜାଣି ନ ଥିଲା ସେମାନଙ୍କର ଚକ୍ରାନ୍ତ ।

 

ବହିଦାରଙ୍କ ଜାମାତା ଅତି ଚତୁର ବ୍ୟକ୍ତି । କିଛି ଟଙ୍କା ଖର୍ଚ୍ଚ କରିଦବାରେ ପୁଲିସ୍‌ ଦ୍ୱିଗୁଣ ଉତ୍ସାହରେ ଲାଗିଗଲା ଆସାମୀକୁ ଧରିବା ପାଇଁ । ସୁକୁମାର ମିଶ୍ରର ଟଙ୍କା ବଳରେ ଖସିଗଲା ସୁନ୍ଦରା, ଅରକ୍ଷିତ ଦାସ ଓ ଗୁଲୁ ସର୍ଦ୍ଦାର; କିନ୍ତୁ ପୁଲିସ୍‌ ନଜର ଦେଲା ସାଧୁ କାଣ୍ଡି ଉପରେ । ସାଧୁ କାଣ୍ଡି ସାଙ୍ଗରେ ଜାଣି ଜାଣି ଆସିଥିଲା ସୁନ୍ଦରା ତା ଘରଯାଏ, କେତେ ମିନିଟ ଥିଲା ବି ସାଧୁ କାଣ୍ଡିର ଘର ଆଗରେ । ସେଥିପାଇଁ ପୁଲିସ୍‌ କୁକୁର ଆସାମୀକୁ ଖୋଜି ଖୋଜି ପହଞ୍ଚିଗଲେ ସାଧୁ କାଣ୍ଡିର ଘର ଆଗରେ । ଏସବୁର ପ୍ରମାଣ ରହିଛି; କିନ୍ତୁ ଯାହା ପାଇଁ ମୁଁ ଏତେ କଷ୍ଟ କରିଥିଲି ସେ ଆଉ ନାହିଁ ।

 

ସବୁ ଶୁଣିବା ପରେ ଶ୍ୟାମଳେନ୍ଦୁ ଗଭୀର ଚିନ୍ତାରେ ବୁଡ଼ିଗଲା । ସେ ଥଳକୂଳ ପାଉ ନ ଥିଲା କୋଉଠି ପାଦ ରଖି ଦଣ୍ଡେ ଭାବିବ, ସ୍ଥିର ଭାବରେ ନିରିକ୍ଷଣ କରିବ, ଶାନ୍ତ ଚିତ୍ତରେ ସତ୍ୟର ଅନୁସନ୍ଧାନ କରିବ; କିନ୍ତୁ ଆଉ ବୋଧହୁଏ ତା ହେବ ନାହିଁ । ନିଜ ଭିତରର ଅକ୍ଷମତା ଜାବୁଡ଼ି ଧରିବାକୁ ଚେଷ୍ଟା କରୁଛି, ସେ ଭାବୁଛି ଯେ ତା’ ଦେଇ ବୋଧହୁଏ ଆଉ କିଛି ହେବନାହିଁ, ସେ ଅବିଚାରର ପ୍ରତିକାର କରିପାରିବ ନାହିଁ; କିନ୍ତୁ ବେଳେବେଳେ ସେଇ ଅକ୍ଷମତାର ନାଗଫାସ ଭିତରୁ ବାହାରି ଆସିବା ପାଇଁ ମନ ବଡ଼ ବ୍ୟାକୁଳ ହୁଏ, ଶିରା-ପ୍ରଶିରାର ଶୋଣିତ ପ୍ରବାହରେ ବିଦ୍ରୋହ କରିବାଲାଗି ବିସ୍ପୋରଣ ଘଟେ ।

 

ସାଧୁ କାଣ୍ଡି ତା’ହେଲେ ମରିଗଲା ! ସେ କିଛି କରିପାରିଲା ନାହିଁ, ସତ୍ୟଜିତ୍‌ ତାକୁ ରକ୍ଷା କରିପାରିଲା ନାହିଁ, ସମାଜ ଓ ଶାସନ ତାକୁ ନ୍ୟାୟ ଓ ସୁରକ୍ଷା ଦେଇ ପାରିଲେ ନାହିଁ । ଏହାହିଁ ବୋଧହୁଏ ତା’ର ପ୍ରାରବ୍‍ଧ, ତା’ର ବିଧିଲିପି । ଖାଲି ସେ ଏକା ନୁହେଁ, ଇମିତି ପ୍ରତିଦିନ କେତେ ଅବିଚାର ହେଉଥିବ, ଅନ୍ୟାୟ ସହି ସହି ଅଗଣିତ ଲୋକ ତଳିତଳାନ୍ତ ହୋଇ ଯାଉଥିବେ । ଜୀବନର ମୂଲ୍ୟ ଯେଉଁଠାରେ ଅର୍ଥହୀନ, ସେଠାରେ ଜୀଇ ରହିବା ଅବାନ୍ତର, ଅପ୍ରାସଙ୍ଗିକ ।

 

ସେ ହଜିଗଲା ନିଜର ଅସହାୟତାର ଅବସାଦବୋଧ ଭିତରେ । ତାକୁ ସେଥିରୁ ଉଠେଇବା ବୋଧହୁଏ ସମ୍ଭବ ନୁହେଁ... ।

 

ଇମିତି ଭାଙ୍ଗିପଡ଼ିଲେ ଲଢ଼ିବା କିପରି ଶ୍ୟାମଳ ? ତାକୁ ଚେତେଇଦବା ପାଇଁ କହିଲା ସତ୍ୟଜିତ୍‌ ।

 

ଶ୍ୟାମଳେନ୍ଦୁ ନାଭିକେନ୍ଦ୍ରରେ ହଠାତ୍‌ ଉଷ୍ମ ଅନୁଭବ କଲା ଏବଂ ସେଇ ଉଷ୍ମ କ୍ରମଶଃ ସର୍ବାଙ୍ଗରେ ସଞ୍ଚରିଗଲା ଅଳ୍ପ କେଇ ମୁହୂର୍ତ୍ତରେ । ସମସ୍ତ ଅକ୍ଷମତା ଓ ସକଳ ଅସହାୟତାକୁ ଫିଙ୍ଗି ଦେଇ ସେ ବଜ୍ର ଶପଥ ନେଇ ବାହାରି ପଡ଼ିଲା ବୀର ସୈନିକ ପରି ।

 

ହଁ, ଆମକୁ ଲଢ଼ିବାକୁ ହବ ।

 

ଲଢ଼େଇ ନ ସରିବା ଯାଏ ଆରାମ ହାରାମ ହୈ ।

 

ସତ୍ୟଜିତ୍‌ ନୂଆ ଷ୍ଟ୍ରାଟେଜି ବିଷୟ କହିଲା । ମନ୍ତ୍ରୀ ଯେ ସ୍ଥିତାବସ୍ଥା ବିରୁଦ୍ଧରେ କିଛି କରିପାରିବେ ନାହିଁ ତାହା ମଧ୍ୟ କହିଲା । ସ୍ଥିତାବସ୍ଥା ବଜାୟ ରଖିବାଲାଗି ବରଂ ତାଙ୍କର ସୃଷ୍ଟି । ଏଷ୍ଟାବ୍ଳିସମେଣ୍ଟ୍‍ ସବୁ କାଳରେ ଇମିତି ଜାଲ ବୁଣେ ଯାହାର ବନ୍ଧନରୁ ମୁକ୍ତି ପାଇବା ସହଜ ହୁଏ ନାହିଁ ।

 

ତଥାପି ନିରାଶ ନ ହୋଇ ଆଶାର ସ୍ଫୁଲିଙ୍ଗ କୋଉ ପାଉଁଶ ଗଦା ଭିତରେ ଆତ୍ମଗୋପନ କରିଛି ତାକୁ ଆବିଷ୍କାର କରି ଫୁଙ୍କି ଦବାକୁ ହେବ ଟିକେ । ସ୍ଫୁଲିଙ୍ଗରୁହିଁ ଆରମ୍ଭ ହେବ ଧ୍ୱଂସର ତାଣ୍ଡବଲୀଳା ।

 

ଶ୍ୟାମଳେନ୍ଦୁ କହିଲା, ଆଉ ଆବେଦନ ନିବେଦନ ନୁହେଁ ଭାଇନା, ଏବେ ଜୋର୍‍ କରି କିଛି କରିବାକୁ ହେବ... ।

 

ସତ୍ୟଜିତ୍‌ବି ଇମିତି ଭାବେ । ରାଷ୍ଟ୍ରଶକ୍ତିର ଅପପ୍ରୟୋଗ କରି ଷ୍ଟେଟ୍‌ ଟେରୋରିଜିମ୍‌ ଚଳାଇ ନିଜର ସ୍ୱାର୍ଥରକ୍ଷା କରୁଥିବା ଅଧିକାରୀମାନଙ୍କୁ ଚିହ୍ନଟ କରି ରଖିବା ଦରକାର । ସମୟ ଆସିଲେ ସେମାନଙ୍କ ତଲବ କରାଯିବ କାଠଗଡ଼ାକୁ କୈଫୟତ ଦବା ପାଇଁ ।

 

ସତ୍ୟଜିତ୍‌ କହିଲା, ଲୋକଙ୍କୁ ସଙ୍ଗଠିତ ଓ ସଚେତନ ନ କଲେ ଅନ୍ୟାୟର ପ୍ରତିରୋଧ କରିହେବ ନାହିଁ । ସେଇ ଆହ୍ୱାନ ଗ୍ରହଣ କରାଯାଉ... ।

 

ସମ୍ମତି ଜଣାଇ ମୁଷ୍ଟି ଉତ୍ତୋଳନ କଲା ଶ୍ୟାମଳେନ୍ଦୁ ।

 

ରାଧା ଯେତେଦୂର ସମ୍ଭବ କଥାଟାକୁ ଗୋପନ ରଖିବାକୁ ଚାହେଁ; କିନ୍ତୁ ଏଇ ସତ୍ୟନଗରରେ ବସ୍ତି ଭିତରେ ରହୁଥିବା ମଣିଷମାନଙ୍କର କିଛି ଗୋପନୀୟ ଅଛି ବୋଲି ସେ ଭାବିପାରେନା । ଗୋଟିଏ କୋଠରି ଭିତରେ ଗୋଟିଏ ପାଖରେ ପିଲାମାନେ ତ ଅନ୍ୟ ପାଖରେ ବାନା ମା । ସେଇଠି ଗର୍ଭଧାରଣ କରେ ସ୍ତ୍ରୀ, ପ୍ରସବ କରେ ବି ସେଇଠି; ଆଉ ପିଲାମାନେ ବଢ଼ନ୍ତି ବି ସେଇଠି । ବଡ଼ ବଡ଼ ଅଫିସରଙ୍କର ବଙ୍ଗଳା ଚାରିପାଖରେ ତାରବାଡ଼, ସେଇ ଭିତରକୁ ଯିବା ବାହାରକୁ ଆସିବା ବାଟ ବନ୍ଦ କରି ଛିଡ଼ା ହୋଇଛି ଫାଟକ । ସାହେବ ବାହାରିଗଲେ ଅର୍ଦ୍ଦଳି ଗେଟ୍‌ ଖୋଲି ଛିଡ଼ାହୁଏ, ଫେରିଲେ ବି ସେହିପରି । ଅନ୍ୟ ସମୟରେ ଫାଟକ ବନ୍ଦରହେ । କମ୍ପାନୀର ସୀମାବଦ୍ଧ ସ୍ୱାର୍ଥପରି ଏଇ ବଙ୍ଗଳାଗୁଡ଼ାକରେ ରହୁଥିବା ବଡ଼ ବଡ଼ ସାହେବଙ୍କର ଜୀବନ ସୀମାବଦ୍ଧ-। ସେମାନଙ୍କର ବ୍ୟକ୍ତିଗତ ଜୀବନର ଯାହା କିଛି ସବୁ ନିଜସ୍ୱ, ଗୋପନୀୟ । ବାହାରର ଜୀବନ ସହଜରେ ଦେଖି ହୁଏନି ଆଖିରେ । ବସ୍ତିବାସିନ୍ଦାଙ୍କ ପରି ସମସ୍ତେ ସମସ୍ତଙ୍କ କଥା ଜାଣିବାର ଆଭାସ ନ ଥାଏ ସେଠାରେ ।

 

ବିଶାଖାକୁ ଏ ଭିତରେ ରାଧା ନେଇ ଜଟଣୀର ଜଣେ ଶୁଭେଚ୍ଛୁଙ୍କ ଘରେ ରଖିଦେଇ ଆସିଥିଲା । ପ୍ରସବ ତାରିଖ ପାଖ ହୋଇଗଲାଣି; ଯେକୌଣସି ଦିନ ଶୁଭ ଖବର ପହଞ୍ଚିଯାଇପାରେ-। ସେ ପ୍ରତି ଦୁଇ ଦିନରେ ଥରେ ଯାଇ ଦେଖିଆସେ ବିଶାଖାକୁ, ବୁଝିଆସେ ତା’ର ଖବର । କାଲି ଜଟଣୀରୁ ଫେରିବା ପରେ, ବିଶାଖାର ମା’କୁ ପଠାଇ ଦେଇଥିଲା ସେ ଝିଅ ପାଖରେ ରହିବା ପାଇଁ-। ଆସନ୍ନପ୍ରସବାର ଯଥାସମ୍ଭବ ସୁବିଧାଲାଗି ଯତ୍ନ କରିଥିଲା ରାଧା ।

 

ସାହିର ଟୋକାମାନେ ଏବେବି ତା’ ଘର ଚାରିପାଖରେ ପଇଁତରା ମାରନ୍ତି ସକାଳ ସନ୍ଧ୍ୟାରେ, ପାଣି ପିଇବାର ବାହାନା କରି ଜଣେ ଦୁଇ ଜଣ ପଶିଆସନ୍ତି ଭିତରକୁ; କିନ୍ତୁ ରାଧା ଇମିତି ଭାବ ଦେଖାଏ ଯେ ଯେପରି ସେଠାରେ କେହିନାହିଁ, କୌଣସି ଚିନ୍ତାର କାରଣ ନାହିଁ । ଆଜି ସକାଳେ ଆସିଥିଲା ନଟବର । ଗୁଣ୍ଡାମୀରେ ତାକୁ ସତ୍ୟନଗରରେ କେହି ବଳିଯିବେନି । ତାକୁ କିନ୍ତୁ ଚତୁରତାର ସହିତ ବିଦା କରିଦେଇଥିଲା ରାଧା । ତା’ ହାତରେ ଗୋଟେ ଥଳି ଓ ପନ୍ଦର ଟଙ୍କା ଦେଇ ସେ ହାଟରୁ ପରିବା ଆଣିବାଲାଗି ପଠାଇ ଦେଇଥିଲା ତାକୁ । ସେ ଫେରିଲାବେଳକୁ ସନ୍ଧ୍ୟା-। ସେତେବେଳକୁ ରାଧା ଦୁଆର ମୁହଁରେ ତାଲା ପକେଇ ଚାଲିଯାଇଥାଏ ବାହାରକୁ । ନଟବର ପରିବାଭର୍ତ୍ତି ଥଳିଟା ପାଖ ଘରେ ଦେଇ ଚାଲିଗଲା ।

 

ରାଧା ଘର ଘର ବୁଲି ମହିଳାମାନଙ୍କୁ ସଙ୍ଗଠିତ କରିବାରେ ଲାଗିଛି । ଅନେକଙ୍କୁ ସ୍ୱାସ୍ଥ୍ୟରକ୍ଷା ଓ ପ୍ରାଥମିକ ଚିକିତ୍ସା ସମ୍ପର୍କରେ ମଧ୍ୟ ଶିକ୍ଷା ଦେଇଛି ।

 

ଗୌରାଙ୍ଗର ଝିଅ କାଲିଠାରୁ ଦିନକୁ ଦଶ ପନ୍ଦର ଥର ଝାଡ଼ାଯାଉଛି । କାଳେ ଦେହରେ ଜଳୀୟ ଅଂଶ କମିଯିବ ତାହା ଜଗିବା ପାଇଁ ରାଧା ଫୁଟା ପାଣିକୁ ଶୀତଳ କରି ଚିନି ଓ ଲୁଣ ମିଶାଇ ମଝିରେ ମଝିରେ ପିଆଇବାଲାଗି କହି ଯାଇଥିଲା, ପିଲାଟାର ଅବସ୍ଥା ଦେଖିଯିବା ପାଇଁ ପୁଣି ସେ ଆସିବା ଦେଖି ଗୌରାଙ୍ଗର ସ୍ତ୍ରୀ ବ୍ୟସ୍ତ ହୋଇପଡ଼ିଲା । ପିଲାକୁ ଯଥେଷ୍ଟ ପରିମାଣରେ ପାଣି ଦିଆଯାଉ ନ ଥିବାର ଦେଖି ସେ ବିରକ୍ତ ବି ହେଲା । ନିଜେ ଲୁଣ ଓ ଚିନି ପାଣିରେ ଫେଣ୍ଟି ସରବତ କରି ପିଆଇଲା ଝିଅକୁ । ଆଉ ଗିଲାସେ ରଖିଦେଲା ପରେ ଦବାଲାଗି । ଗୌରାଙ୍ଗକୁ କହିଲା ମଧୁ ମାଷ୍ଟରଙ୍କ ପାଖରୁ ଔଷଧ ଆଣିବା ପାଇଁ ।

 

ବସ୍ତିରେ ଥରେ ଝାଡ଼ା ରୋଗ ବ୍ୟାପିଲେ ଅବସ୍ଥା ଅସମ୍ଭାଳ ହୁଏ । ସ୍ୱାସ୍ଥ୍ୟରକ୍ଷା ସମ୍ବନ୍ଧରେ ପ୍ରାଥମିକ ଜ୍ଞାନ ନାହିଁ ଲୋକମାନଙ୍କର । ଜଣେ ଆକ୍ରାନ୍ତ ହେଲେ ସେଇଠି ରୋଗ ରହି ନ ଯାଇ ସଂକ୍ରମିତ ହୁଏ । ସେଥିଲାଗି ଗୌରାଙ୍ଗ ଘରେ କେବଳ ନୁହେଁ, ଘର ଘର ବୁଲି ପାଣି ଫୁଟେଇ ପିଇବା ପାଇଁ ଓ ପେଟ ଖରାପ ହେଲେ ଔଷଧ ଖାଇବା ପାଇଁ କହିଗଲା । ସାଧୁ କାଣ୍ଡିର ବିଧବା ସ୍ତ୍ରୀ କହିଲା, ଘରେ କାଠ ନାହିଁ କି କୋଇଲା ନାହିଁ ବୋଲି ଚୂଲି ଜଳିନି ତିନି ଦିନ ହେଲା । ତା ହାତକୁ ଦଶ ଟଙ୍କାର ନୋଟଟିଏ ବଢ଼େଇଦେଇ କହିଲା ରାଧା, କାମ ଚଳାଅ...ତମ ପାଇଁ କାମ ଖୋଜୁଛି...କିଛି ନା କିଛି ଜୁଟିଯିବ ନିଶ୍ଚୟ ... । ଶହୀଦନଗରର ଦୁଇ ତିନିଟା ଘରେ ଘର ପୋଛିବା ଓ ବାସନ ମାଜିବା କାମ କଲେ ମାସକୁ ଯାହା ରୋଜଗାର ହେବ ସେଥିରେ ହୁଏତ ଚଳିଯିବ କଷ୍ଟେମଷ୍ଟେ । ସାଧୁ କାଣ୍ଡିର ସ୍ତ୍ରୀ ଆଖିରୁ ଲୁହ ପୋଛିଲା, ସ୍ୱାମୀ ଗଲାଦିନୁ ଲୁହହିଁ ତା’ର ସମ୍ବଳ । କଥା କଥାକୁ କାନ୍ଦେ ।

 

ରାଧାର ସମସ୍ତଙ୍କ ଘରକୁ ସବୁ ସମୟରେ ଅବାଧ ପ୍ରବେଶ । ସେଇ ସୁଯୋଗରେ ସେ ସମସ୍ତଙ୍କୁ ସଙ୍ଗଠିତ ଯତ୍ନ କରେ ।

 

ସେ ସାଧୁ କାଣ୍ଡି ଘରୁ ଫେରିବା ବାଟରେ ଭୁବନ ସ୍ୱାଇଁ ସହିତ ଦେଖା ହୋଇଗଲା । ଭୁବନ କହିଲା, ଆମଆଡ଼େ ଆସିବନି ନାନୀ ।

 

କାଲି ଆସିଥିଲି, ତମେ ନ ଥିଲ ଭାଇ... ।

 

ଭୁବନର ସ୍ୱାସ୍ଥ୍ୟରେ ପୁଣି ଅବନତି ହୋଇଥିବାର ଲକ୍ଷ୍ୟ କଲା ରାଧା । ସେ ଲକ୍ଷ୍ମୀକୁ ପଚାରିଲା, ଦେହ କିମିତ ଅଛି ଔଷଧ ପଥି ଠିକ୍‌ମତେ ଦଉଛ କି ନାହିଁ ?

 

ଲକ୍ଷ୍ମୀ ନୀରବ ରହିଲା, ଉତ୍ତର ଦେଲାନାହିଁ । ରାଧା ଭୁବନ ମୁହଁକୁ ଚାହିଁ କହିଲା, ଭାଉଜଙ୍କ କଥା ଶୁଣିବ ନାହିଁ ନିଜ ବିଷୟ ନିଜେ ବୁଝିବ ନାଇଁ କିମିତି ହବ କହିଲ ? ରୋଗଟା ସାଧ୍ୟ ଭିତରେ; କିନ୍ତୁ ଅଯତ୍ନ କଲେ ଅସାଧ୍ୟ ହବାକୁ ବେଳ !

 

ଭୁବନ ସ୍ୱାଇଁର ଦେହ ଭିତରେ ଅସାଧ୍ୟ ହୋଇ ଉଠୁଥିବା ରୋଗର ଚିହ୍ନ ବେଶ୍‌ ଜଣାପଡ଼ୁଛି ବାହାରୁ । କାଶ ବଢ଼ିଛି, ମଝିରେ ମଝିରେ କଫ ସହିତ ରକ୍ତ ବି ପଡ଼ୁଛି । ରାତିରେ ଜ୍ୱର ହୁଏ ।

 

ଭୁବନଠାରୁ ଶୁଣିଲା ଯେ ସୁଧାକର ଡାକ୍ତର କାଲି ତାକୁ ନେଇ ଯାଇଥିଲେ ବଡ଼ ଡାକ୍ତରଖାନା । ସି.ଡ଼ି.ଏମ୍‌.ଓ.ଙ୍କୁ ସେ ଅନୁରୋଧ କରିବାରୁ ଯକ୍ଷ୍ମା ୱାର୍ଡ଼ରେ ଭର୍ତ୍ତି କରିବା ସକାଶେ ଲେଖିଦେଲେ; କିନ୍ତୁ ଯାଇନି ଭୁବନ । ଖାଲି ଯିବି କହିଲେ ତ ଯାଇ ହୁଏନାହିଁ । ହାତ ଖାଲି । ହସ୍‌ପିଟାଲରେ ପ୍ରତି କାମ ପାଇଁ ପଇସା ଦରକାର ହୁଏ ।

 

ରାଧା କହିଲା, ମୁଁ ଶ୍ୟାମଳେନ୍ଦୁ ବାବୁଙ୍କୁ କହିଛି; ସେ ଲାୟନ୍‌ସ କ୍ଳବ୍‌ର କର୍ମକର୍ତ୍ତାଙ୍କୁ କହିଛନ୍ତି, କିଛି ସାହାଯ୍ୟ ମିଳିଯିବ । ତମେ କାଲି ଭର୍ତ୍ତିହୁଅ...ଆଉ ହେଳା କରନି ।

 

ରାଧା ଗଠନ କରିଥିବା ମହିଳା ସମିତିର ସଭ୍ୟ ସଂଖ୍ୟା ପଚାଶ ଟପିଗଲାଣି । ସିଲେଇ ମେସିନ ଗୋଟେ ମିଳିଛି ରୋଟାରୀ କ୍ଳବରୁ, ନିଜର ସିଲେଇ ମେସିନଟା ବି ସାମୟିକଭାବେ ମହିଳା ସମିତିର କାମରେ ଲଗାଇଛି ରାଧା । ସିଲେଇ ଶିଖିବାଲାଗି ମହିଳାମାନଙ୍କ ମଧ୍ୟରେ ଅନେକ ଆଗ୍ରହ ।

 

ମହିଳା ସମିତି ବନ୍ଦ ହୋଇ ନ ଥିଲା । ଚାରି ପାଞ୍ଚ ଜଣ ସିଲାଇ କରୁଥିଲେ । ସେମାନଙ୍କ ସହିତ ଆଲୋଚନା କରିସାରି ରାଧା ବାହାରିବା ବେଳକୁ, ଗୋଟେ ଟ୍ରକ ଆସି ପାନ ଦୋକାନ ଆଗରେ ଛିଡ଼ାହେଲା । ପାନ ଦୋକାନୀ ସହିତ କଅଣ ପରାମର୍ଶ କରି ଡ୍ରାଇଭର ଟ୍ରକ ନେଇ ଛିଡ଼ାହେଲା ଗୋବିନ୍ଦ ପୃଷ୍ଟିରେ ଗୋଦାମ ଆଗରେ । ତାପରେ ଟ୍ରକ୍‌ ଉପରୁ ଡେଇଁପଡ଼ି ସାତଜଣ କୁଲି ସିମେଣ୍ଟ ଓ ଛଡ଼ ଉତାରିବାରେ ଲାଗିଗଲେ ।

 

ଠିକ୍‌ ସେତିକିବେଳେ ଜଣେ ଲୋକ ଆସି ଟଙ୍କା ଦେଇ ପାଞ୍ଚ ବସ୍ତା ସିମେଣ୍ଟ ଟ୍ରଲିରେ ବୋଝେଇ କରି ଚାଲିଗଲା । ତାପରେ ଆଉ ଜଣେ ମିନି ଟ୍ରକ୍‌ରେ ନେଲା ପଚିଶ ବସ୍ତା ଓ କିଛି ଲୁହା ଛଡ଼; ଅଥଚ ଗୋବିନ୍ଦ ସାହୁର ଗୋଦାମରୁ ସିମେଣ୍ଟ, ଛଡ଼ ବିକ୍ରୀ ହୁଏନି, ଗଚ୍ଛିତ ହୋଇ ରହେ ସରକାରୀ ଠିକା କାମରେ ଲଗାଇବା ପାଇଁ ।

 

ରାଧାର ସନ୍ଦେହ ହେଲା ମନରେ; କିନ୍ତୁ କାହାକୁ ପଚାରି ନ ପାରି ଫେରୁଥିଲାବେଳେ ରାମା ରାଓ ଅଟାକଳରୁ ଗହମ ପେଷି ଫେରୁଥିଲା ଥଳିଧରି । ସେ ରାଧାକୁ ଦେଖି କହିଲା, ବଡ଼ ବ୍ୟସ୍ତ ଅଛ ନାନୀ... ।

 

-ନା, ନା...ଏଇ ଫେରୁଥିଲି... ।

 

-ମୋର ତ ଭେଳା ବୁଡ଼ିବା ଉପରେ... ।

 

-କାହିଁକି ?

 

-ସଚ୍ଚୋଟ ହେଲେ ଇମିତି ହୁଏ ।

 

-ଫିଟେଇ କହୁନ...

 

-କଳିଙ୍ଗ ଭବନ ତିଆରି ଚାଲିଛି । ବଡ଼ବଡ଼ ଅଫିସ ଖୋଲିବ ସେଠାରେ ସରକାର ଅଜସ୍ର ଖର୍ଚ୍ଚ କରୁଛନ୍ତି, କାମ ଯେପରି ଭଲ ହୁଏ ।

 

-ତମେ ତ ସେଇଠି କାମ କରୁଛ ଏଇନେ ।

 

-ହଁ ... ।

 

-ତା’ ହେଲେ ତ ଭାଗ୍ୟର କଥା ...ଦିନେ ପୁଅ ନାତିକୁ କଳିଙ୍ଗ ଭବନ ଦେଖେଇ କହିବ ଦେଖ...ଏଇ ଚଉଦ ମହଲା କୋଠା ମୁଁ ତିଆର କରିଛି... ।

 

-କିନ୍ତୁ କୋଠା ଯଦି ଭୁଷୁଡ଼ି ପଡ଼େ ସେମାନଙ୍କୁ କଅଣ କହିବି ?

 

-ଭୁଷୁଡ଼ି ପଡ଼ିବ କାହିଁକି ଯେ... ।

 

-ଏତେ ବଡ଼ କୋଠା । ସିମେଣ୍ଟର ଭାଗ ଏକକୁ ବାଆର ବାଲି...ସମ୍ଭାଳିବ ?

 

-ଏଇନେ ପରା କହୁଥିଲ ସରକାର ଅଜସ୍ର ଖର୍ଚ୍ଚ କରୁଛନ୍ତି... ।

 

-କିନ୍ତୁ ସିମେଣ୍ଟ, ଛଡ଼ ଯୋଉ ହିସାବରେ ଲାଗିବା କଥା ତାହାର ଅଧା ବି ଲାଗୁନି...ବଳକା ସିମେଣ୍ଟ, ଛଡ଼ ଠିକାଦାର ବାବୁଙ୍କ ଟ୍ରକ୍‌ରେ ବାହାରକୁ ଯାଇ ବିକ୍ରୀ ହେଉଛି ।

 

-ଗୋବିନ୍ଦ ପୃଷ୍ଟିଙ୍କ ଗୋଦାମ ଆଗରେ ଯୋଉ ଟ୍ରକ୍‌ଟା... ।

 

-ହଁ ସେଇଟା ଚୋରା ମାଲ୍‌ ନିଆଅଣା କରେ...ମୁଁ ବି ଦେଖିଛି... ।

 

-ସିମେଣ୍ଟର ତ ଅଭାବ ନାହିଁ ବଜାରରେ... ।

 

-ବସ୍ତା ପ୍ରତି ପନ୍ଦର ଟଙ୍କା କମରେ ଚୋରା ସିମେଣ୍ଟ ମିଳେ ।

 

ରାଧା ଆଶ୍ଚର୍ଯ୍ୟ ହୋଇ କହିଲା, ତମେ ଏକ ସିମେଣ୍ଟରେ ବାର ବାଲି ଦେଇ କାମ କରୁଛ ?

 

-ମନାକଲାରୁ ଧମକ ଦିଆହୋଇଚି...କରିବ ତ କର...ନ ହେଲେ କାମରୁ ଅନ୍ତର... ।

 

-କଅଣ କରିବ ?

 

-ଚୋରୀ କରିନି ଏଯାଏ...ଭୋକରେ ମରିବି ପଛେ ଏ କାମ କରିପାରିବିନି... ।

 

ରାଧା ଚିନ୍ତିତ ହେଲା । ଏଇ ଲୋକଗୁଡ଼ାଙ୍କୁ ସେ ଯୋଉଦିନ ପ୍ରଥମ ଦେଖିଲା ସେଦିନ ସେମାନେ କେଡ଼େ ଛୋଟ ଛୋଟ ମନେହେଉଥିଲେ, ସେମାନଙ୍କର ଅଳି ଓ ଅଳିନ୍ଦ କେଡ଼େ ସଂକୀର୍ଣ୍ଣ ଓ ଅପରିଚ୍ଛନ୍ନ ମନେହେଉଥିଲା; ଏବେ କିନ୍ତୁ ତାକୁ ଲାଗେ ଯେ ସେମାନେ ଛୋଟ ନୁହନ୍ତି ଅନେକ ବଡ଼ ଏଇ ବସ୍ତିର ପଥ ସଂକୀର୍ଣ୍ଣ ନୁହେଁ ଅନେକ ପ୍ରଶସ୍ତ ।

 

କଅଣ କହି ଭରସା ଦବ ରାମା ରାଓକୁ ତାହା ବୁଝିପାରିଲା ନାହିଁ ରାଧା । ସେ କେବଳ ଅସହାୟ ପରି କହିଲା; କିନ୍ତୁ ଏ ଅଧର୍ମ ଭଗବାନ ସହିବେ ନାହିଁ...

 

-ଏ କଥାର କିଛି ମାନେ ହୁଏନି ନାନୀ । ଯିଏ ଅଧର୍ମ କରୁଛି ଆଖି ଆଗରେ ସେ ଶାଳ ଗଜାପରି କେମିତି ବଢ଼ିବାରେ ଲାଗିଛି ଦେଖୁଥିବ... ।

 

-କିନ୍ତୁ କଥାରେ ଅଛି, ଅଧର୍ମ ବିତ୍ତ ବଢ଼େ ବହୁତ, ଗଲାବେଳେ ଯାଏ ମୂଳ ସହିତ ... ।

 

-ହଁ, କେବେ ଯିବ କିଏ ଜାଣେ...ଆଖି ଆଗରେ ତ ଖାଲି ବଢ଼ିବାର ଦୃଶ୍ୟ ଦେଖାଯାଉଛି ନାନୀ...ତାଙ୍କ ପୁଅ, ନାତି, ପଣନାତିଙ୍କ ପାଇଁ ସବୁ ସୁବ୍ୟବସ୍ଥା କରିଯାଉଛନ୍ତି ... ।

 

ରାଧାର ଯୁକ୍ତି କୁଳଉ ନଥିଲା ଆଉ କିଛି କହିବା ପାଇଁ । ସେ ରାମା ରାଓକୁ ଚିହ୍ନେ, ସେ କାମ ଛାଡ଼ିଦବ ପଛେ ସିମେଣ୍ଟର ଭାଗ କମେଇବ ନାହିଁ ଏଥିରେ ନିଶ୍ଚିତ ରାଧା ।

 

-ଇଞ୍ଜିନିଅର ତ ଆସୁଥିବେ ତଦାରଖ ପାଇଁ...ତାଙ୍କୁ କହୁନ ।

 

-ସେ ବି ସେଇ ଏକା ଗାତର ମୂଷା... । ତାଙ୍କର ବି ସେଆର ଅଛି ଯେ ସେଥିରେ ... ।

 

ରାଧା ଭାବେ ଧର୍ମକୁ ଆଖିଠାର ମାରି, ଧର୍ମକୁ ଆଚରଣଗତ ନକରି ଆଉ କେତେକାଳ ଚଳିବ ଏ ଜାତି ! ଅତୀତର ଯାହା ପୁଞ୍ଜି ଥିଲା ସେତକି ତ ସରି ଆସିଲାଣି । କର୍ପୁର ଯାଇ କନା ଖଣ୍ଡକ ଅଛି । ସେତକି ବି ଶେଷ ହୋଇଯିବ ଅଳ୍ପ ଦିନରେ । ତା’ପରେ ? ପୁଞ୍ଜି ଠୁଳ କରିବା ସହଜସାଧ୍ୟ ନୁହେଁ, ପୁଣି କୀର୍ତ୍ତି ଅର୍ଜନ କରିବା ଆହୁରି କଷ୍ଟସାଧ୍ୟ । କୀର୍ତ୍ତି ନୁହେଁ ଅପକୀର୍ତ୍ତି ହିଁ ଆଜି ମଣିଷକୁ କରୁଛି ବଡ଼...ଯାହାର ନାମରେ ଯେତେ ବେଶି ଜାଲିଆତ କରଥିବାର ପ୍ରମାଣ ରହିଛି, ତା’ର ନାମ ସେତିକି ଉଚ୍ଚରେ । ସେ କେବେ ଯେ ଲୋକ ପ୍ରତିନିଧି, ସଂସଦ ସଦସ୍ୟ ଓ ମନ୍ତ୍ରୀ ହୋଇ ଜନଗଣଙ୍କର ହର୍ତ୍ତା ଦୈବ ବିଧାତା ହୋଇଯିବ କିଏ ଜାଣେ ?

 

ଗୋବିନ୍ଦ ପୃଷ୍ଟିର ଦାତବ୍ୟ ଚିକିତ୍ସାଳୟର ଔଷଧ ସେ ନିଜେ ଆଣିଥିଲା ବିଶାଖା ପାଇଁ ।

 

ଭୁବନ ସ୍ୱାଇଁ, ଗୌରାଙ୍ଗ ଓ ଆହୁରି ଅନେକ ଔଷଧ ଆଣନ୍ତି ସେଠାରୁ ।

 

ପାପର ପଥରେ ଯାଇ ପୂଣ୍ୟ ଅର୍ଜ୍ଜନ କରିହୁଏ ? କହିଲ ରାମା ରାଓ ।

 

ରାଧା କିଛି ସ୍ଥିର କରି ନ ପାରି କହିଲା, ମୁଁ ଚିନ୍ତାକରେ...ସତ୍ୟଜିତ୍‌ ଓ ଶ୍ୟାମଳେନ୍ଦୁ ବାବୁଙ୍କୁ ବି କହିବି...ମାଷ୍ଟରଙ୍କୁ ତମେ କହ...କିଛି ଗୋଟେ ସମାଧାନର ସୂତ୍ର ହୁଏତ ଶେଷ ମୁହୂର୍ତ୍ତରେ ମିଳିଯିବ... ।

 

କାଲି ଶେଷ ଦିନ ନାନୀ, ମୁଁ ରାଜି ହେଲେ ରହିବି ନ ହେଲେ ମୋତେ ନିକାଲି ଦିଆଯିବ... ।

 

ରାଧା ସେଇ ବିଷୟ ଭାବି ଭାବି ଚାଲିଗଲା । ଇମିତି କେତେ ରାମା ରାଓ ଆସିବେ, ସେମାନଙ୍କର କରଣି ଲାଗି କେତେ ଅଟ୍ଟାଳିକା ତିଆରି ହେବ, କିନ୍ତୁ କାମ ସରିଲେ ସେମାନେ ପୁଣି ନୂଆ କାମ ଖୋଜି ବୁଲିବେ ରାଜଧାନୀର ରାସ୍ତାରେ । ମାଲିକର ମର୍ଜି ଉପରେ ନିର୍ଭର କରେ ସେମାନଙ୍କର ବର୍ତ୍ତମାନ, ଭଗବାନଙ୍କ ମର୍ଜି ଉପରେ ଭବିଷ୍ୟତ । ନିଜ ହାତରେ ସିଏ ଜଗତକୁ ଗଢ଼ିବି ନିଜର ଭାଗ୍ୟ ବିଧାତା ହୋଇପାରେନା, ଏହାହିଁ ବିଡ଼ମ୍ବନା ।

 

ରାଧା ଘରେ ପହଞ୍ଚି ହାତ ମୁହଁ ଧୋଇ ଲୁଗା ବଦଳାଇ ଷ୍ଟୋଭ ଜାଳି ରାନ୍ଧି ବସିଲା । ରୁଟି ତିନିଖଣ୍ଡ ହେଲେ ଚଳିବ । ସକାଳର ସନ୍ତୁଳା ଟିକେ ଅଛି, ବାଇଗଣ ଖଣ୍ଡେ ପୋଡ଼ିଦେଲେ ଚଳିଯିବ ।

 

ରାତି ହେଲେ ସତ୍ୟନଗରର ବସ୍ତି ଅଞ୍ଚଳ ନିଶୂନ ହୋଇଯାଏ ନାହିଁ, ବରଂ ଚହଳ ଗହଳ ବଢ଼େ । କେତେ ଚିହ୍ନା-ଅଚିହ୍ନା ଲୋକ ମାଲ ମସଲା ଖୋଜି ଖୋଜି ପହଞ୍ଚନ୍ତି ବସ୍ତିରେ । ଲଜିଂ ଓ ହୋଟେଲର ସଂଖ୍ୟା ବଢ଼ିବା ଦିନୁ ଝିଅମାନଙ୍କର ଚାହିଦା ବଢ଼ିଛି, ମଦ ମାଂସରେ ଅଭିରୁଚି ବି ବଢ଼ୁଛି । ଆଉ ରାତାରାତି ଧନୀ ହେବା ପାଇଁ ବଢ଼ୁଥିବା ଅଭିଳାଷ ସହିତ ତାଳ ଦେଇ ବଢ଼ିଚାଲିଛି ଚୋରା କାରବାର । ସତ୍ୟନଗରରେ ଯାହାର ଯାହା ପ୍ରୟୋଜନ ସବୁ ମିଳେ । ପାନ ସିଗାରେଟ୍‍ ଚା’ଠାରୁ ଆରମ୍ଭ କରି ବିଦେଶୀ ସିଗାରେଟ, ବିଦେଶୀ ମଦ, କ୍ୟାମେରା, ଭିଡ଼ିଓ, ଘଡ଼ି, ପୋଷାକ ଓ ପ୍ରସାଧନ ସାମଗ୍ରୀ ସହିତ ଏଠାରେ ଅବାଧରେ ବିକ୍ରୀହୁଏ ଚୋରା ସିମେଣ୍ଟ, ଲୁହାଛଡ଼, ସରକାରୀ ଷ୍ଟେସନାରୀ ଏବଂ ଡାକ୍ତରଖାନା ଷ୍ଟୋରରୁ ଚାଲାଣ ହୋଇ ଆସିଥିବା ଔଷଧ ।

 

ରାଧା ମହାପାତ୍ରର ପ୍ରୟୋଜନ କମ୍‌, ସେଥିଲାଗି ଏ ସବୁର ବେଶି ଖବର ରଖେନି ସେ-। ତଥାପି କିଛି କିଛି କାନରେ ପଡ଼େ, ସେ ନ ଶୁଣିବା ପରି ବାହାନା କରି ବି ଶୁଣେ କିଛି ।

 

ଖାଇସାରି ବାସନ ଧୋଇ ମସିଣା ପାରି ପିଣ୍ଡା ଉପରେ ଶୋଇ ଶୋଇ ଦେଖାଯାଉଥିବା ଫାଳେ ଆକାଶକୁ ଦେଖୁଥିଲା ସେ ।

 

କବାଟର କଡ଼ା ନାଚିବାର ଶବ୍ଦ ଶୁଣାଗଲା ।

 

କିଏ ଆସିଲା ଏତେ ରାତିରେ ? ଅନେକ ଦିନ ତଳର ସେଇ ସ୍ମୃତି ଭାସି ଉଠିଲା । ଅଚିହ୍ନା, ଅପରିଚିତ ସେଇ କଣ୍ଠସ୍ୱର ଏବେ ବି ମନେଅଛି ତାର ।

 

ଆଜି ସେପରି କେହି ଆସନାହିଁତ ?

 

କିଏ ସେ ? ଏ ପାଖରୁ କହିଲା ରାଧା ... ।

 

ମୁଁ ସତ୍ୟଜିତ୍‌... । ସେ ପାଖରୁ କହିଲା ସେ ।

 

କବାଟ ଖୋଲିଦେଇ କହିଲା ରାଧା, ଏତେ ରାତିରେ ତମେ ଆସିବ ଭାବି ନ ଥିଲି... ।

 

-ବଡ଼ ଜରୁରୀ କାମରେ ଆସିଛି... ।

 

-ପରେ କହିବ, ଆଗ କୁହ ତ ଖାଇଛ କି ନାହିଁ ?

 

-ଏତେ ଜଲଦି ଖାଇବାର ସୌଭାଗ୍ୟ ହୁଏନି ରାଧା... ।

 

-ତା ହେଲେ ଏଇଠି ଖାଇବ...ମୁଁ ଏଇନେ ତିଆରି କରିଦେବି... ।

 

-ନା ଥାଉ... ।

 

-କାହିଁକି, ମୋ ହାତରନ୍ଧା ଭଲ ଲାଗିବନି ?

 

-ସେ ସୁଯୋଗ, ସେ ଭାଗ୍ୟ ଯୋଉଦିନ ହେବ ଖାଇବି ପେଟ ପୂରେଇ... ।

 

-ନା, ଆଜି ତୁମେ ଅଭୁକ୍ତ ଯାଇପାରିବ ନାହିଁ ।

 

-ଆଚ୍ଛା ଯାହା ଦବ ଦିଅ...ଖାଇନେବି... ।

 

-ମୁଁ ରାନ୍ଧୁଥିବି ତୁମେ କହୁଥିବ ... ।

 

ରାଧା ଷ୍ଟୋଭ୍‌ଜାଳି ଡେକ୍‌ଚିରେ ମୁଗ ଚାଉଳ ଓ ପାଣି ଢାଳି ଖେଚେଡ଼ି ବସେଇ ଦେଲା-। ଆଳୁ ଗୋଟେ ପକେଇଦେଲା ସେଥିରେ, ସିଝିଗଲେ ଭରତା କରିବ । ପୋଟଳ କେତୋଟି ଥିଲା, ଭାଜିଦେଲେ ଚଳିବ । ଜହ୍ନି ପୋସ୍ତ ତା ହାତରେ ଭଲ ହୁଏ, ଭାଗ୍ୟକୁ ଜହ୍ନି ଦୁଇଖଣ୍ଡ ଅଛି ପାଚିଆରେ; କିନ୍ତୁ ଖେଚେଡ଼ିରେ ଘିଅ ନ ଦେଲେ ସୁଆଦ ଉଠେନି ! ହାୟ ! ଭଲ ଘିଅ ଟିକେ ରଖିବା ପାଇଁ କେବେହେଲେ ସୁବିଧା ହୋଇନି ।

 

ରାଧାର ମୁହଁ ଉପରେ ଛାଇ ଆଲୁଅର ଖେଳ ଦେଖୁଥିଲା ସତ୍ୟଜିତ୍‌ ।

 

ଜୀବନଟା ବି ଏହିପରି ।

 

କେତେବେଳେ ସେ ତାହାରି ଭିତରେ ନିଜ ପୃଥିବୀର ମାନଚିତ୍ର ଦେଖୁଥିଲା ସେ ନିଜେ ବି ଜାଣେନି ।

 

ରାଧାର ସ୍ୱର ଶୁଣି ହଠାତ୍‌ ତା’ର ସେଇ ତନ୍ମୟ ଭାବଟା କଟିଗଲା ।

 

-ସତ୍ୟଜିତ୍‌ କହିଲା, ମୋତେ ଡାକିଲ ?

 

-କେତେବେଳୁ ତମକୁ ଡାକୁଛି ତମେ ଆଦୌ ଶୁଣିପାରୁନ ଦେଖୁଛି... ।

 

ସତ୍ୟଜିତ୍‌ ଅପ୍ରସ୍ତୁତ ହୋଇ କହିଲା, ତମକୁ ଅନେକ କଥା କହିବାର ଅଛି ରାଧା ...

 

-କୁହ...

 

-ତମ ଭିତରେ ମୁଁ ଆବିଷ୍କାର କରିଛି... ।

 

-କାହାକୁ ?

 

ଟିକେ ରହିଯାଇ କହିଲା ସେ...ନିଜକୁ... ।

 

-ତମେ କହୁଥିଲ ନା ଅନେକ କାମ ବାକି ଅଛି କରିବା ପାଇଁ ?

 

-ହଁ, ଅନେକ କାମ... ।

 

-ସେଇ କାମ ହାତକୁ ନେଇ ଅଧାରେ ଛାଡ଼ିଦବ ?

 

-ହୁଏତ ସେଇ କାମ ଆହୁରି ଭଲ ଭାବରେ କରିପାରିବି ମୁଁ ... ।

 

ରାଧା ନିଜକୁ ସେଇ ପ୍ରବଣତା ଆଗରେ ହରାଇଦବା ପୂର୍ବରୁ ସଚେତନ ହୋଇ କହିଲା, ତମର ଦିଗନ୍ତ ଅନେକ ବିରାଟ ସତ୍ୟଜିତ୍‌...

 

-ଅନ୍ୟ କଥା କହି ମୋତେ ଆଉ ବାଧା ଦିଅନି ରାଧା ... ।

 

-କେତେ କାମ କରିବ ତମେ...ମୋ ଆଗରେ ତମେ ଆହୁରି ଅନେକ ବଡ଼ ହେବ । ପୃଥିବୀ ଅପେକ୍ଷା କରୁଛି ତମର ସେଇ ନୂତନ ରୂପ ଦେଖିବା ପାଇଁ...ସତ୍ୟନଗରର ବସ୍ତି ବାସିନ୍ଦା, ରାଜଧାନୀର ଦଳିତ ପତିତ ଉତ୍କଣ୍ଠାର ସହିତ ପ୍ରତୀକ୍ଷା କରୁଛନ୍ତି ତମକୁ ସମ୍ପୂର୍ଣ୍ଣ ଭାବରେ ସେମାନଙ୍କର ପ୍ରତିନିଧି ଭାବରେ ଦେଖିବା ପାଇଁ ...ସେ ସୁଯୋଗରୁ ବଞ୍ଚିତ କରିବ ସେମାନଙ୍କୁ ?

 

ସତ୍ୟଜିତ୍‌ ହାରିଯାଉଥିଲା ରାଧା ପାଖରେ । ସେ ହାରିଯାଇ ଆତ୍ମସମର୍ପଣ କରିବାକୁ ଚାହେଁ । ତା’ର ଦିଗ୍‌ବଳୟରେ ନୂତନ ଇନ୍ଦ୍ରଧନୁ...ରଙ୍ଗ ଅନେକ ରଙ୍ଗ...ନିତ୍ୟ ନୂତନ ... ।

 

ରାଧା ତାକୁ ହଲାଇଦେଇ କହିଲା, ବାଢ଼ି ସାରିଲିଣି ...ଖାଅ... ।

 

ସତ୍ୟଜିତ୍‌ କଅଣ କହିବାକୁ ଯାଉଥିଲା; କିନ୍ତୁ ରାଧା ତାକୁ ସ୍ମରଣ କରାଇ ଦେଇ କହିଲା, ତମେ ବଚନବଦ୍ଧ ମୋ ପାଖରେ । ସେଦିନ କହିଥିଲ ମନେପକାଅ ... ।

 

ଖେଚେଡ଼ିରୁ ପୁଳାଏ ପାଟି ଭିତରକୁ ଠେଲିଦବା ପୂର୍ବରୁ କହିଲା ସେ -କେବଳ ବନ୍ଧୁ ହୋଇ ରହିବା ... ।

 

ଜେଲ୍‌ ହାଜତରେ ସାଧୁ କାଣ୍ଡିର ମୃତ୍ୟୁ ହେବା ଫଳରେ ରାଜ୍ୟବ୍ୟାପୀ ପ୍ରତିବାଦ ହେଲା-। ରାଜଧାନୀ ବସ୍‌ ଷ୍ଟାଣ୍ଡରେ ବୁଦ୍ଧିଜୀବୀ, ମାନବିକ ଅଧିକାର ଆନ୍ଦୋଳନକାରୀ ଏବଂ କେତେକ ରାଜନୈତିକ ଦଳଙ୍କ ମିଳିତ ଉଦ୍ୟମରେ ଯେଉଁ ପ୍ରତିବାଦ ସଭା ହେଲା, ସରକାରୀ କଳ ଓ ଦଳର ଅପଚେଷ୍ଟା ସତ୍ତ୍ୱେ ପ୍ରାୟ ସାତ ଆଠ ହଜାର ଲୋକ ସଭାରେ ଯୋଗଦେଇ ବିପୁଳ କରତାଳିଦ୍ୱାରା ସଭାପତିଙ୍କଦ୍ୱାରା ଆଗତ ନିନ୍ଦା ପ୍ରସ୍ତାବ ଗ୍ରହଣ କରି ଧ୍ୱନି ଦେଇଥିଲେ, ମାନବୀୟ ଅଧିକାର ଦମନ କରିବା ଚଳିବ ନାହିଁ, ଚଳିବ ନାହିଁ । ସାଧୁ କାଣ୍ଡିର ହତ୍ୟାକାରୀକୁ ଗିରଫ କର, ଗିରଫ କର... ।

 

ରାଧା ମହାପାତ୍ର ସଭାକୁ ଆସିବାର ବା ସେଥିରେ ଅଂଶ ଗ୍ରହଣ କରିବାର କୌଣସି କାର୍ଯ୍ୟକ୍ରମ ନ ଥିଲା; କିନ୍ତୁ ଯେତେବେଳେ ଶ୍ୟାମଳେନ୍ଦୁ ଆସି ତାକୁ ସବୁ ବିଷୟ କହିଲା, ସେ ନିର୍ଲିପ୍ତ ହୋଇ ବସିରହିବା ଉଚିତ ମନେକଲା ନାହିଁ । ଆମ ଦେଶରେ ବୁଦ୍ଧିଜୀବୀମାନେ ଜନସାଧାରଣଙ୍କର ସାମ୍ପ୍ରତିକ ସମସ୍ୟା ଓ ଆଶା ଆକାଙ୍‌କ୍ଷା ସଂଗ୍ରାମ ସହିତ ଜଡ଼ିତ ନୁହଁନ୍ତି ବୋଲି ଜାତୀୟ ମହାସ୍ରୋତରୁ ସେମାନେ କ୍ରମଶଃ ବିଚ୍ଛିନ୍ନ ହୋଇ ପଡ଼ୁଥିବା ଲକ୍ଷ୍ୟ କରାଯାଉଛି । ଏହା ଯେ ଶୁଭ ସଙ୍କେତ ନୁହେଁ ଏହା ନିଶ୍ଚିତ ଭାବରେ ଅନୁଭବ କରେ ରାଧା । ବୁଦ୍ଧିଜୀବୀମାନଙ୍କର ସମାଜ ପ୍ରତି ଏକ ସ୍ୱତନ୍ତ୍ର ଦାୟିତ୍ୱ ମଧ୍ୟ ରହିଛି, ସେଥିରେ ଅବହେଳା ପ୍ରଦର୍ଶନ କରିବା ଅର୍ଥ ଜାତିର ବିକାଶରେ ପ୍ରତିବନ୍ଧକ ସୃଷ୍ଟି କରିବା । ରୋମ୍‌ ଏକା ଦିନକେ ତିଆରି ହୋଇ ନ ଥିଲା, ଭାରତକୁ ମଧ୍ୟ ଏକା ରାତିରେ ସୁସ୍ଥ, ସମୃଦ୍ଧ କରି ହେବ ନାହିଁ; କିନ୍ତୁ ସେଥିପାଇଁ ନିଷ୍ଠାର ସହିତ ଉଦ୍ୟମ ଆରମ୍ଭ ହେଲେ ଲକ୍ଷ୍ୟ ଯେ ଅନିଶ୍ଚିତ ହୋଇ ରହିଯିବ ନାହିଁ ତାହା ହୃଦ୍‍ବୋଧ ହୁଏ ରାଧାର । ସେଥିପାଇଁ ଶ୍ୟାମଳେନ୍ଦୁଠାରୁ ସବୁ ଶୁଣିସାରି ଘର ଘର ବୁଲି ସଭାକୁ ଯିବାଲାଗି ପ୍ରବର୍ତ୍ତାଇଥିଲା ବସ୍ତି ବାସିନ୍ଦାମାନଙ୍କୁ ଦୁଃଖ, ଦଳିତ ଏକତ୍ରିତ ନ ହେଲେ, ପରସ୍ପରର ଦୁଃଖ ସୁଖରୁ ଭାଗ ନ ହେଲେ ଜାତି ଗଠନ କାର୍ଯ୍ୟଟି ଯେ ବହୁ ପ୍ରତିବନ୍ଧକର ସମ୍ମୁଖୀନ ହେବ ତାହା ସେ ବୁଝାଇଥିଲା ସେମାନଙ୍କୁ-। ଫଳରେ ବସ୍‌ଷ୍ଟାଣ୍ଡ ସଭାରେ ସତ୍ୟନଗର ବସ୍ତିର ଶହ ଶହ ସ୍ତୀ ପୁରୁଷ ଯୋଗ ଦେଇଥିଲେ ସ୍ୱତଃପ୍ରବୃତ୍ତ ହୋଇ ।

 

କିନ୍ତୁ ସେଠାରେ କିଛି କହିବାଲାଗି ସଭାପତି ତାକୁ ଅନୁରୋଧ କରିବେ ଏହା ସେ ଆଶା କରି ନ ଥିଲା । ସତ କହିବାକୁ ଗଲେ ବକ୍ତୃତା ଦବାକୁ ଭୟକରେ ସେ, କାଳେ କହୁଁ କହୁଁ କଅଣ କହିଯିବ ସେଥିପାଇଁ ସେ କେବେ ବକ୍ତୃତା ଦିଏ ନାହିଁ । ସେପରି ସୁଯୋଗ ମଧ୍ୟ ଆସି ନ ଥିଲା ଏଯାଏ ।

 

ସତ୍ୟଜିତ୍‌ ରାୟ ସଭାପତି ଭାବରେ ଦ୍ୱିତୀୟ ଥର ଯେତେବେଳେ ଅନୁରୋଧ ଜଣାଇଲା ତାକୁ କହିବା ପାଇଁ ଧୀରେ ଧୀରେ ମଞ୍ଚ ଉପରକୁ ଉଠି ମାଇକ୍‌ ଆଗରେ ଛିଡ଼ାହେଲା ରାଧା । ତା’ପରେ ମାତ୍ର ପାଞ୍ଚ ମିନିଟରେ ସେ ଯାହା କହିଲା ତାହା ଶ୍ରୋତାମାନଙ୍କୁ ଯେ ଚମକାଇ ଦେଲା ଏହା ସେମାନଙ୍କର ସମର୍ଥନ ସୂଚକ ଧ୍ୱନିରୁ ଜଣାଗଲା । ରାଧା କହିଲା ଯେ, ଏ ଦେଶର ଲୋକ ନିରକ୍ଷର, ନିଶ୍ଚେତନ ବୋଲି ନ୍ୟସ୍ତସ୍ୱାର୍ଥ ସେମାନଙ୍କୁ କବଳିତ ଓ ନିପୀଡ଼ିତ କରୁଛି; ସେଥିରୁ ମୁକ୍ତିର ଏକମାତ୍ର ଉପାୟ ଜନସାଧାରଣଙ୍କୁ ସଚେତନ କରାଇବା, ସେମାନଙ୍କୁ ସଙ୍ଗଠିତ କରି ଜାତି ଗଠନ କାର୍ଯ୍ୟରେ ପ୍ରବୃତ୍ତ କରାଇବା ଏବଂ ଯେଉଁଠାରେ ଅନ୍ୟାୟ ଅବିଚାର ହେଉଛି ତା’ର ମୁକାବିଲା କରିବା ଲାଗି ସେମାନଙ୍କ ମନରେ ବିଶ୍ୱାସ ଓ ସାହସ ସୃଷ୍ଟି କରିବା ।

 

ସେଇ ବସ୍‌ଷ୍ଟାଣ୍ଡ ସଭାରେ ଜଣାପଡ଼ିଗଲା ଯେ, ରାଧା ମହାପାତ୍ର ଅସାଧାରଣ ଉନ୍ମେଷଶୀଳତାର ଅଧିକାରିଣୀ ।

 

ସଭାପରେ ସତ୍ୟଜିତ୍‌ ଓ ଶ୍ୟାମଳେନ୍ଦୁ ଉଭୟ ତାକୁ ଅଭିନନ୍ଦନ ଜଣାଇ କହିଲେ ଯେ, ପ୍ରତିଭା କେବେ ଲୁକ୍‌କାୟିତ ହୋଇ ରହେ ନାହିଁ ଯେପରି ମେଘ ସୂର୍ଯ୍ୟ କିରଣଙ୍କୁ ଢାଙ୍କି ରଖିପାରେ ନାହିଁ ।

 

ରାଧାକୁ ଲଜ୍ୟା ଲାଗୁଥିଲା ନିଜର ପ୍ରଶଂସା ଶୁଣିବା ପାଇଁ । ସେ ଆମେରିକାରେ ଥିବାବେଳେ ଦେଖିଛି ସେ ଦେଶର ସ୍ତ୍ରୀମାନଙ୍କୁ । ପୁରୁଷମାନଙ୍କ ସହିତ ସମାନ ହେବା ପାଇଁ ସବୁ କ୍ଷେତ୍ରରେ ପ୍ରତିଯୋଗିତା ସେଠାରେ । ତଥାପି ନାରୀ ପୁରୁଷର ସମକକ୍ଷ ହୋଇନାହିଁ, ପୁରୁଷପ୍ରଧାନ ସମାଜରେ ନାରୀ ଆଗରେ ଅନେକ ପ୍ରତିବନ୍ଧକ । ପୁରୁଷ ବହୁ ନାରୀ ଭୋଗ କରି ମଧ୍ୟ ସମାଜଦ୍ୱାରା ପରିତ୍ୟକ୍ତ ନୁହେଁ; କିନ୍ତୁ ନାରୀର ବହୁ ପୁରୁଷ ସହିତ ଅବାଧ ମିଳନ ପ୍ରତି ସମାଜର କଟାକ୍ଷ ସେଠାରେ ମଧ୍ୟ ଶାଣିତ । ଏ ଦେଶର ପରମ୍ପରା ତ ଭିନ୍ନ, ଏଠାରେ ଜଗିରଖି ଚଳିବାକୁ ହୁଏ, ପରମ୍ପରା ଓ ଚଳଣିକୁ ବାଦ୍‌ଦେଇ ନୁହେଁ, ତାହାରି ଭିତରେ ନିଜର ଜାଗା ଠିକ୍‌ କରିନବା କିଛି ସହଜ ବିଷୟ ନୁହେଁ । ତଥାପି ଆରମ୍ଭ କରିଛି ରାଧା । ଦରକାର ହେଲେ, ହୃଦ୍‌ବୋଧ ହେଲେ ସେ ବି ହୁଏତ ପରମ୍ପରା ଭାଙ୍ଗି ନୂତନ ସଂସ୍କାର ଆଣିବା ପାଇଁ ଦ୍ୱିଧା କରିବ ନାହିଁ; କିନ୍ତୁ ତାହା ଯେ ସହଜ ହେବନାହିଁ ଏହା ଦିବାଲୋକ ପରି ସ୍ପଷ୍ଟ ।

 

ସଭା ସରିଲାପରେ ସେମାନଙ୍କୁ ସତ୍ୟନଗରର ବସ୍ତି ବାସିନ୍ଦାଙ୍କ ବିଷୟରେ ଏ ଯାଏ ଯାହା ଘଟି ଯାଇଛି ସବୁ ବୁଝାଇ କହିଲା ରାଧା । ପ୍ରାୟ ଚାରି ପାଞ୍ଚ ହଜାର ଲୋକ ଘରଦ୍ୱାର ଛାଡ଼ି ଯିବେ କୁଆଡ଼େ ? ପଚିଶ ତିରିଶ ବରଷ ରହିଗଲେଣି ଅନେକ, କେହି କେହି ତାଠାରୁ ବି ବେଶି । ମାୟା ଲାଗିଗଲାଣି । ସତ୍ୟନଗର ଓ ଶହୀଦ ନଗର ମଝିରେ ଯୋଉ ଚାଷ ଜମି ସବୁଜ ଦିଶେ ସବୁ ଋତୁରେ ସେଇ ଜମି ଭିତର ଦେଇ ବର୍ଷା ଋତୁରେ ବହିଆସେ ଛୋଟ ନଈଟିଏ । ଆଗେ ହୁଏତ ତାହା ଥିଲା ଚିରସ୍ରୋତା, ସହର ବସିବାରୁ, ବଣ ଜଙ୍ଗଲ ମଣିଷର ବସବାସକୁ ସହଜ କରିଦବା ଲାଗି ବାଟ ଛାଡ଼ି ଦେବାରୁ, ସେଇ ସ୍ରୋତ ଶୁଖିଗଲା ଅଧବାଟରେ, ପଶୁ ପକ୍ଷୀ, ବସା ଛାଡ଼ି ପଳେଇଗଲେ ଦୂରକୁ । ନଷ୍ଟ ହୋଇ ଯାଇଥିବା ପରିବେଶ ଏବେ ଦୃଷ୍ଟିରେ ପଡ଼େ ଦେଖିବା ଲୋକର ।

 

ସତ୍ୟଜିତ୍‌ କହିଲା; କିନ୍ତୁ ସମାଧାନର ସୂତ୍ର ବାହାର କରିବାକୁ ହେବ... ।

 

-ଆଗେ ସରକାର ନିର୍ଦ୍ଦିଷ୍ଟ ପ୍ରସ୍ତାବ ଦିଅନ୍ତୁ ତା’ପରେ ବିଚାର କରାଯିବ... ।

 

-ସେଭଳି ପ୍ରସ୍ତାବ ସରକାରଙ୍କ ପକ୍ଷରୁ କେହି କହିନି ଏଯାଏ...ଉଡ଼ା ଖବର ଅନେକ ଆସିଛି ।

 

-ଉଡ଼ା ଖବର ଉପରେ ନିର୍ଭର କରି ତ ସଂଗ୍ରାମ କରି ହେବନାହିଁ... । କହିଲା ସତ୍ୟଜିତ୍‌-

 

-କିନ୍ତୁ ବସ୍ତି ବାସିନ୍ଦାଙ୍କୁ ସଙ୍ଗଠିତ କରିବାକୁ ହେବ । ସେମାନଙ୍କର ସ୍ୱାର୍ଥ ଯେ ଏକ ଏହା ସେମାନେ ବୁଝିବା ଦରକାର, ତାହେଲେ କଥାବାର୍ତ୍ତା କରିବାରେ ଅସୁବିଧା ହେବନାହିଁ ।

 

ତିନିଜଣ ସଭା ପରେ ଅନ୍ୟ କାର୍ଯ୍ୟ ଶେଷ କରି ଫେରିଲେ ସତ୍ୟନଗରକୁ ।

 

ସେତେବେଳକୁ ରାତି ନଅଟା । ଭାଗ୍ୟକୁ ବିଜୁଳି ଆଲୁଅ ଚାଲି ଯାଇନି !

 

ବସ୍ତିର କେତେ ଜାଗା ବୁଲିଲେ ତିନିଜଣ, କେତେ ଲୋକଙ୍କ ସହିତ ପରାମର୍ଶ ମଧ୍ୟ କଲେ । ସେମାନଙ୍କ ସୂର୍ଯ୍ୟୋଦୟ କ୍ଳବ୍‌ରେ ବସି ଆଲୋଚନା କରୁଥିଲାବେଳେ ବାହାରେ ବହୁ ଲୋକଙ୍କର ପାଟି ଶୁଣାଗଲା । ରାଧାର ଇଙ୍ଗୀତ ପାଇ ରାମା ରାଓ ବାହାରିଗଲା କଅଣ ହେଉଛି ଜାଣିବା ପାଇଁ । ସେ କିଛି ସମୟ ପରେ ଫେରିଆସି କହିଲା ଯେ, ଅରକ୍ଷିତ ଦାସ କେତେକ ବସ୍ତି ବାସିନ୍ଦାଙ୍କୁ ଠୂଳ କରି ଦଳ ଗଢ଼ିଛି, ସେ କୁଆଡ଼େ ମନ୍ତ୍ରୀଙ୍କର ଖାସ୍‌ଲୋକ, ଚାନ୍ଦାଭେଦା ଦେଲେ ନିର୍ବାଚନରେ ତାଙ୍କ ଦଳକୁ ଭୋଟ ଦେଲେ ଉଚ୍ଛେଦ ହେବେ ନାହିଁ ।

 

ଶ୍ୟାମଳେନ୍ଦୁ କହିଲା, ଭଲ କଥା...କିନ୍ତୁ ଚାନ୍ଦା ଭେଦା କାହିଁକି ଦେବେ, କାହାକୁ ଦେବେ-?

 

-ଅରକ୍ଷିତ ଦାୟିତ୍ୱ ନେଇଛି, ସେ ନବ, ତାହାରି ଜରିଆରେ ସବୁ କାମ ହେବ ।

 

-ଲୋକମାନଙ୍କର ମତ କଅଣ ?

 

-କେତେକଙ୍କୁ ରାଜି କରେଇଛି ସେ, ସଲାମତ୍‍ ଅଲ୍ଲୀ, ଭୁବନ ସ୍ୱାଇଁ, ନିକଞ୍ଜୁ ମହନ୍ତ, ଏପରିକି ଗୁଲୁ ସର୍ଦ୍ଦାର ବି ତା’ ପକ୍ଷରେ ।

 

-ଭଲ କଥା, ଦେଖାଯାଉ ସେମାନଙ୍କ ଦୌଡ଼ କେତେଦୂର । ଭୀମ ବଳ କୁଇନ୍ତା ଜାଣେ-

 

କିନ୍ତୁ ରାମା ରାଓ, ନବା ସେଠୀ, ପହିଲି ମଳିକ, ଦିନୁ କାଣ୍ଡି, ଚିତ୍ର ମାଝୀ ଏକ ସ୍ୱରରେ କହିଲେ, ଅରକ୍ଷିତ ଯଦି ଆଉ ଏ ବସ୍ତିକୁ ଆସି ଆମକୁ ଅଲଗା ଅଲଗା କରିବା ଲାଗି ପାଚେରୀ ତିଆରି କରିବାର ଚେଷ୍ଟା କରେ ତାକୁ ଆମେ ଦେଖିନବା ।

 

ଅରକ୍ଷିତ କାନରେ ଖବର ପହଞ୍ଚିଲା ଯାଇ । ତା’ର ଇସାରା ପାଇ ଗୁଲୁ ସର୍ଦ୍ଦାର ହୁଙ୍କାର କଲା କିଏ ବାପର ପୁଅ ଅଛ ବାହାରି ଆସ...ଘର ଭିତରେ ନୁହେଁ ମଇଦାନ ମରଦଙ୍କର... ।

 

ନବା ସେଠୀ ଓ ପହିଲି ମଳିକି ଡିଆଁମାରି ବାହାରି ଯାଉଥିଲେ ସଭିଙ୍କ ଆଗରୁ, ସେମାନଙ୍କୁ ରୋକିନେଲେ ସତ୍ୟଜିତ୍‌ । ନିଜ ନିଜ ଭିତରେ କଳି ଲଗେଇ ମନ ଫଟେଇ ସବୁ କାଳରେ ନ୍ୟସ୍ତସ୍ୱାର୍ଥ ଫାଇଦା ଉଠାଏ । ଅରକ୍ଷିତ ଏଷ୍ଟାବ୍ଳିସମେଣ୍ଟ୍‍ର ଲୋକ । ସେ ଉପଲକ୍ଷ୍ୟ ମାତ୍ର, ତା’ ପଛରେ ଅଛି ଶାସନ, ପୁଲିସ୍‌, ଆଇନ ଓ ଅଦାଲତ... । ଯିଏ ଶକ୍ତିଶାଳୀ ସେ ଦୁର୍ବଳ ଓ ଅସହାୟର ଭଲ କରିବାର ବାହାନା କରି ସବୁ ଯୁଗରେ ଶୋଷଣ କରେ ସେମାନଙ୍କୁ । ଆଇନ ତିଆରି ହୁଏ ଶକ୍ତିଶାଳୀର ସୁରକ୍ଷା ପାଇଁ, ତା’ର ଅଧିକାର ଓ ସୁବିଧାର ରକ୍ଷା ପାଇଁ ।

 

ସତ୍ୟଜିତ୍‌ କହିଲା, ଆମେ ସମାଧାନର ପନ୍ଥା ବାହାର କରିବାକୁ ବାହାରିଛୁ, ଫୌଜଦାରୀ କରିବା ପାଇଁ ନୁହେଁ ।

 

କିନ୍ତୁ ଏସବୁ ସତ୍ତ୍ୱେ ହଠାତ୍‌ ଗଣ୍ଡଗୋଳ ଲାଗିଗଲା । ଆଲୋଚନାରେ ଯୋଗ ଦବାଲାଗି ସୂର୍ଯ୍ୟୋଦୟ କ୍ଳବକୁ ଆସୁଥିବା ରଙ୍ଗା ରାଓ ଓ ଭାଗୁ ନାଏକ ଉପରେ ଅଚାନକ ଆକ୍ରମଣ କରି ସେମାନଙ୍କୁ ଲହୁଲୁହାଣ କରିଦେଲେ ଅରକ୍ଷିତର ଦଳ । କିନ୍ତୁ ଏପରି ଉତ୍ତେଜକ ପରିସ୍ଥିତିକୁ କଷ୍ଟରେ ହେଲେ ମଧ୍ୟ ସମ୍ଭାଳି ନେଲା ସତ୍ୟଜିତ୍‌ । ରାମା ରାଓ ଓ ଅନ୍ୟମାନେ ନିଜର ସମର୍ଥମାନଙ୍କୁ ରକ୍ଷା କରିବା ପାଇଁ ଗଣ୍ଡୋଗୋଳ ଭିତରକୁ ରଣଂ ଦେହି ଡାକ ଦେଇ ଡେଇଁ ପଡ଼ିବାବେଳକୁ ସେମାନଙ୍କ ଆଗରେ ଦୁଇ ହାତ ମେଲା କରି ଛିଡ଼ା ହୋଇଯାଇ କହିଲା ସତ୍ୟଜିତ୍‌ ଯଦି ଆଗକୁ ଯିବାକୁ ଚାହଁ ମୋତେ ଆଗେ ଦଳି ଚକଟି ଦିଅ ତା’ପରେ ଯିବ... ।

 

ସେଇ ପଦକ କଥାରେ କଅଣ ଥିଲା କେଜାଣି ସୂର୍ଯ୍ୟୋଦୟ କ୍ଳବ୍‌ରେ ଠୁଳ ହୋଇଥିବା ସମସ୍ତ ବସ୍ତି ବାସିନ୍ଦା ଚୁପ୍‌ ହୋଇଗଲେ ।

 

ରାଧା ସେଇ ସୁଯୋଗରେ କହିଲା, ମାରପିଟ କଲେ କିଏ ମରିବ ? ଆମ ଲୋକ । ରଙ୍ଗା ରାଓ, ଭାଗୁ ନାଏକ ମାଡ଼ ଖାଇଛନ୍ତି, ଆଗେ ସେମାନଙ୍କର ଚିକିତ୍ସା କରାଯାଉ...ତା’ପରେ ଦେଖାଯିବ... ।

 

ସେଇ ପ୍ରସ୍ତାବ ଗୃହୀତ ହେଲା । ରଙ୍ଗା ରାଓ ଓ ଭାଗୁ ନାଏକକୁ ସାଙ୍ଗରେ ନେଇ ଶ୍ୟାମଳେନ୍ଦୁ ସୁଧାକର ଆଚାର୍ଯ୍ୟଙ୍କ କ୍ଳିନିକ୍‌କୁ ବାହାରିଗଲାବେଳେ ତାକୁ ତତେଇବାଲାଗି କହିଲା ଗୁଲୁ ସର୍ଦ୍ଦାର ...ବସ୍ତି ବାସିନ୍ଦାଙ୍କ ସ୍ୱାର୍ଥ ନୁହଁ, ସୁନ୍ଦର ମୁହଁର ମୋହ ଟାଣିଆଣିଛି ଏ ଦୁଇ ଷଣ୍ଢଙ୍କୁ...କିନ୍ତୁ ଖବରଦାର୍‍ ! ଏ ବସ୍ତି ଆମର, ଏଠାରେ ରହୁଥିବା ଝିଅ ବୋହୂଙ୍କ ଉପରେ ଆଖି ପକେଇଲେ ମୁଁ ଗୋଡ଼ ଭାଙ୍ଗିଦେବି ... ।

 

ଶ୍ୟାମଳେନ୍ଦୁ ଛିଡ଼ା ହୋଇଗଲା; କିନ୍ତୁ ରାଧା ହାତ ଦେଖାଇ ଇସାରା ଦବାରୁ ସେ ପୁଣି ଚାଲିଲା ସୁଧାକର ଡାକ୍ତରଙ୍କ କ୍ଳିନିକ୍‌ଆଡ଼କୁ ।

 

ସତ୍ୟଜିତ୍‌ କହିଲା, ଲୋକଗୁଡ଼ା କି ଜଘନ୍ୟ... ।

 

-ସମସ୍ତେ ଏପରି ନୁହନ୍ତି ...ଝିଅ ବୋହୂଙ୍କ ଇଜ୍ଜତ ବି ଜଗନ୍ତି ଏମାନେ; କିନ୍ତୁ ସେମାନଙ୍କ ଉପରେ ଏବେ ସବାର ହୋଇଛି ଆଉ ଗୋଟେ ଭୂତ... ।

 

ସେତେବେଳକୁ ରାତି ହେଲାଣି ସାଢ଼େ ଦଶ । ସତ୍ୟନଗର ବସ୍ତିର ଅପ୍ରଶସ୍ତ ଗଳି ଦେଇ ରାଧାକୁ ଆଗେଇ ଦବାବେଳେ ସତ୍ୟଜିତ୍‌ ଭାବୁଥିଲା ଏଇ ବସ୍ତି ବାସିନ୍ଦାଙ୍କ କଥା, ସେମାନଙ୍କର ଦୁଃଖ ସୁଖ, ଦୈନନ୍ଦିନ ଜୀବନ ଯନ୍ତ୍ରଣା । ଅତୀତ ବା ଭବିଷ୍ୟତ ନାହିଁ ଏମାନଙ୍କର, ବର୍ତ୍ତମାନକୁ ନେଇ ବ୍ୟସ୍ତ ଏମାନେ । ପ୍ରତିଦିନ ଏମାନଙ୍କର କୁରୁକ୍ଷେତ୍ର ଯୁଦ୍ଧ । ସେଇ ଅଠର ଦିନର ଯୁଦ୍ଧ ଅଠର ଯୁଗରେ ବି ଶେଷ ହେବନି । ଦ୍ୱାପର କୋଉଦିନୁ ଗଲାଣି, କଳି ଚାଲିଛି । ଏ କଳିର ଶେଷ କେବେ ? କଳ୍‌କି କେବେ ଜନ୍ମ ନେବେ ? କେଉଁଠାରେ ? କେଜାଣି ?

 

ସତ୍ୟଜିତ୍‌ ଚାଲିଗଲା । ସେ ଆଖି ଆଗରୁ ଅଦୃଶ୍ୟ ହୋଇଗଲେ ବି ଦ୍ୱାର ମୁହଁରେ ତାହାରି ଯିବା ପଥକୁ ଚାହିଁ ରହିଲା ରାଧା । ତା’ ଆଖିର ଦୃଷ୍ଟି ଝାପ୍‌ସା ହୋଇ ଆସୁଥିଲା, ତଥାପି ରାଧା କବାଟ ବନ୍ଦ କଲାନି । ତା’ର ଛାତି ତଳେ ସ୍ପନ୍ଦିତ ହେଉଥିଲା ଉତ୍କଣ୍ଠା । ଏଇ ଗୁଣ୍ଡା ଜଘନ୍ୟ ପ୍ରକୃତିର ଲୋକଗୁଡ଼ା ବାଟ ମଝିରେ ତାର ପଥ ଓଗାଳିବେ ନାହିଁ ତ ! ଯଦି ତା ଉପରେ ଅଚାନକ ଆକ୍ରମଣ କରନ୍ତି... ।

 

ଆଉ ଭାବି ପାରିଲାନି ରାଧା । ତାହାରି ଆଖି ଆଗରେ ତା ଭିତରେ ଥିବା ଖାଲି ଜାଗାଟାରେ ଘର ତୋଳିବା ଲାଗି ନିଅଁ ଖୋଳିବା କାମ କିଏ ଆରମ୍ଭ କରି ଦେଇଛି ।

 

ବିସ୍ମୟରେ ଅଭିଭୂତ ହୋଇଗଲା ରାଧା ମହାପାତ୍ର ।

 

କଳିଙ୍ଗ ଭବନ କାମ ନିର୍ଦ୍ଧାରିତ ଦିନ ପୂର୍ବରୁ ଶେଷକରିବା ପାଇଁ ଚିଫ୍‌ଇଞ୍ଜିନିଅର ଜୋର୍‌ ଦେଉଥିବାରୁ ଏବେ କେତେଦିନ ହେଲା ନିଜେ ପ୍ରତିଦିନ ଆସେ ମାଧବାନନ୍ଦ । ମଝିରେ ମଝିରେ ଗୋବିନ୍ଦ ବି ଆସି ଦେଖିଯାଏ କାମର ଅଗ୍ରଗତି ଓ ପଦେ ଅଧେ ଉପଦେଶ ଦେଇଯାଏ କାମ ତଦାରଖ କରୁଥିବା କର୍ମଚାରୀ ଓ ଇଞ୍ଜିନିଅରଙ୍କୁ । ସେ ଜ୍ୱାଇଁଙ୍କୁ କହିଥିଲା ଯେ, ସରକାର ଏଇ ଭବନର ନିର୍ମାଣକୁ ମର୍ଯ୍ୟାଦା ଦୃଷ୍ଟିରେ ଦେଖୁଥିବାରୁ ଯେପରି ହେଉ ନିର୍ଦ୍ଧାରିତ ଦିନ ପୂର୍ବରୁ ନିର୍ମାଣ କାମ ଶେଷ କରିବାକୁ ପଡ଼ିବ । ସେଥିପାଇଁ ଅସ୍ଥାୟୀ ବିଜୁଳି ଆଲୁଅର ବ୍ୟବସ୍ଥା କରାହୋଇ ରାତିରେ ବି କାମ ଚାଲିଛି । ସେଇ ରାତି ସିଫ୍‌ଟରେ କାମର ଗତି ଭଲ ହୁଏ ବୋଲି ରାମା ରାଓ ବେହାଲ ହୋଇଛି ରାତିରେ କାମ କରିବା ପାଇଁ । ପ୍ରଥମେ ସେ ଅମଙ୍ଗ ହେଉଥିଲା; କିନ୍ତୁ ସୁନ୍ଦରୀ ବାଧ୍ୟ କଲା ଆସିବା ପାଇଁ । ନ ଆସିଲେ ସେଇ ଆଳରେ ଯଦି କାମରୁ ବାହାର କରି ଦିଅନ୍ତି କଅଣ କରିବ ସେ, କିପରି ଚଳିବ ଘର । ତା’ ଭିତରେ ବଢ଼ୁଥିବା ପିଲାକୁ କଅଣ ଦବ ସେ ଖାଇବା ପାଇଁ-?

 

ରାମା ରାଓ ସାତ ତାଲାର କାମ କରିବା ପାଇଁ ଭାଡ଼ା ଉପରେ ବସିଛି । ଆଖି ପାଉନି ତଳକୁ । କାଳେ ନିଦ ଲାଗିଯାଇପାରେ ଏଥି ସକାଶେ ଗିଲାସେ ଗରମ ଚା ପିଇ ଆସିଛି କାମକୁ । ତଥାପି ଭରସା ହୁଏନି । ତଳକୁ ଚାହିଁଦେଲେ ଛୋଟ ଛୋଟ ଦିଶନ୍ତି ମଣିଷଗୁଡ଼ା, କଅଣ ହେଉଛି ଜାଣି ହୁଏନି । ତା ହାତରେ ଏହା ସବୁଠାରୁ ବଡ଼ କାମ । ଆଉ କେବେ ଏତେ ବଡ଼ କୋଠା କାମରେ ତା’ର ହାତ ଲାଗି ନ ଥିଲା । ଚାରି ମହଲାଯାଏ ତିଆରି କରିଛି । ଚଉଦ ମହଲା ଘର ତିଆରି ଏଇ ପ୍ରଥମ ତା’ ଜୀବନରେ । ସାତ ପରେ ଆହୁରି ସାତ ମହଲାର କାମ ବାକି । ଦୁଇ ବରଷ ତ ଲାଗିଯିବ ନିଶ୍ଚୟ ।

 

ରାମା ରାଓ ଜାଣେ ଯେ ଏଇ କୋଠା ଅନ୍ୟାନ୍ୟ ଅନେକ ସାଧାରଣ କୋଠାଠାରୁ ଭିନ୍ନ-। ଏଠାରେ କେବଳ ଦଳେ ଅଫିସର ଓ କିରାଣି ବସି ଫାଇଲ ଘାଣ୍ଟିବେ ନାହିଁ, ଏଠାରେ ତିଆରି ହେବ ଓଡ଼ିଆ ଜାତିର ଭବିଷ୍ୟତ, ଏଠାରେ ବର୍ତ୍ତମାନକୁ ବିଚାର କରାଯିବ ଭବିଷ୍ୟତକୁ ଦୃଷ୍ଟିରେ ରଖି, ଅବିଚାର ଓ ଅନ୍ୟାୟ ସ୍ଥାନରେ ବିଚାର ଓ ନ୍ୟାୟ ପାଇବାର ଆଶା ରଖି ଯୋଉମାନେ ଆସିବେ ସେମାନେ ନିରାଶ ହୋଇ ଫେରିବେ ନାହିଁ । ଏହି କଳିଙ୍ଗ ଭବନରେ ବସିବେ ପ୍ରଶାସକ, ମନ୍ତ୍ରୀ ଓ ଦେଶକୁ ସମୃଦ୍ଧ ଓ ଶକ୍ତିଶାଳୀ କରିବାଲାଗି ଯୋଜନା କରୁଥିବା ବିଜ୍ଞ ପଣ୍ଡିତ, ବୁଦ୍ଧିଜୀବୀ । ଏହି କୋଠାର ନିଅଁ; ଏହାର ପ୍ରତ୍ୟେକ କାନ୍ଥ ଏବଂ ପ୍ରତ୍ୟେକ ଛାତର ଶକ୍ତି ଓ ଦୃଢ଼ତାପରି ଗଢ଼ିଉଠିବ ଏ ଜାତିର ଭାଗ୍ୟ ଓ ଭବିଷ୍ୟତ । ରାମା ରାଓ ଇମିତି କରାମତିପଣିଆ ଆଉ କାହିଁ ଦେଖାଇ ନ ଥିଲା । ସେ ଇଟା ସହିତ ଇଟା ଯୋଡ଼ିଲାବେଳେ ମଝିରେ ଯେପରି ସୋରିଷ ପ୍ରମାଣ ବି ଖାଲିସ୍ଥାନ ରହି ନ ଯାଏ ସେଥିପ୍ରତି ଦୃଷ୍ଟିଦିଏ । ବାଲି ସିମେଣ୍ଟ ଓ ପାଣିର ଭାଗ ଠିକ୍‌ଅଛି କି ନାହିଁ ପ୍ରତ୍ୟକ ଥର ପରଖି ନିଏ । କରଣି ଚଳାଇବାବେଳେ ତା’ର ଶିରା ପ୍ରଶିରାରେ ପ୍ରବାହିତ ହୁଏ ଏକ ଅପୂର୍ବ ଶିହରଣ । ସେ ଭାଡ଼ା ଉପରେ ବସି ତଳକୁ ଚାହେଁ ଦେଖିବା ଲାଗି କେତେ ଦୂର ଆସିଲାଣି, ପୁଣି ମୁଣ୍ଡ ଟେକି ଉପରକୁ ଅନାଏ ଆହୁରି କେତେଦୂର ଯିବ ତାହା କଳନା କରିବାଲାଗି-

 

ମୁଣ୍ଡ ଉପରେ ନକ୍ଷତ୍ର ଖଚିତ ବିସ୍ତୀର୍ଣ୍ଣ ଆକାଶ । ପିତା ପରି ମହାନ ଓ ଉଦାର । ତଳେ ଧରିତ୍ରୀ । ମା’ ପରି ସର୍ବଂସହା ଓ ମମତାମୟୀ ।

 

ରାମା ରାଓ କରଣି ଚଳାଉଥିଲା, ତା’ ପଛରେ କେତେବେଳେ ଗଉରା ଆସି ଛିଡ଼ା ହୋଇଥିଲା ସେ ଜାଣିପାରିଲା ନାହିଁ ।

 

ଗଉରା ଖାଲି କଡ଼େଇରେ ମସଲା ଢାଳି କହିଲା, କାମରେ ଇମିତି ମନ ଲଗାଇ ଦେଇଛ ଯେ ଜାଣିପାରୁନ ମୁଁ କେତେବେଳୁ ଆସିଲିଣି... ।

 

ରାମା ରାଓ ମୁହଁ ନ ଫେରାଇ ଖାଲି ସ୍ଥାନରେ ମସଲା ଭର୍ତ୍ତିକରି କହିଲା, ଫୁଲମତି କେମିତି ଅଛିରେ ଗଉରା ?

 

-ଭଲ ଅଛି ଭାଇ...କାଲି ଦେହ ଟିକେ ଅସକତ ଲାଗୁଥିଲା ବୋଲି ବଡ଼ ବ୍ୟସ୍ତ ଲାଗୁଥିଲା... ।

 

-ଗରିବକୁ ଦଇବ ସାହାରେ ଗଉରା । ଭଗବାନ ଅଛନ୍ତି, ସବୁ ଠିକ୍‌ ହୋଇଯିବ... ।

 

-ତମ ତୁଣ୍ଡ ସୁତୁଣ୍ଡ ହେଉ ଭାଇ...ନ ହେଲେ ଆମେ କିଏ, ଡାକ୍ତର କିଏ... ।

 

-ଆମ ସମୟ ସିନା ଇମିତି ଇମିତି କଟିଗଲାରେ ଗଉରା; କିନ୍ତୁ ବିଶ୍ୱାସ କର, ସବୁଦିନ ଇମିତି ଯିବନାଇଁ, ଦିନେ ଭଲ ସମୟ ଆସିବ, ଆମ ପୁଅ ଝିଅ ନ ହେଲେ ନାତି ନାତୁଣୀ ଭୋଗ କରିବେ ଆମ ତ୍ୟାଗର ଫଳ...ଆମର ମେହେନତ ଖାଲି ଯିବନାଇଁ...।

 

-ସେୟା ହେଉ ଭାଇ । ଆମ ସମୟ ଦୁଃଖରେ ଗଲା...ପିଲାମାନେ ହେଲେ ସୁଖ ପାଆନ୍ତୁ ।

 

ପୁଣି କାମରେ ମନ ପ୍ରାଣ ଢାଳିଦେଲା ରାମା ରାଓ ।

 

ରାଜଧାନୀର ରାସ୍ତା ନିଶୂନ, ନିଶ୍ଚେତନ । ଶୋଇ ପଡ଼ିଛି ନିଦରେ ।

 

କିନ୍ତୁ କଳିଙ୍ଗ ଭବନ ନିର୍ମାଣ କରିବା କାର୍ଯ୍ୟରେ ନିଯୁକ୍ତ ଶ୍ରମିକମାନେ ସଜାଗ, ସଚେତନ-। ସେମାନଙ୍କ ହାତରେ ତିଆରି ହେଉଛି ଏଇ ଭବନ-ଯେଉଁଠି ବସିବେ ଲୋକଙ୍କର ଭାଗ୍ୟ ଓ ଭବିଷ୍ୟତ ନିର୍ଣ୍ଣୟ କରୁଥିବା ବଡ଼ ବଡ଼ ଅଫିସର, ମନ୍ତ୍ରୀ ଓ ଅମଲା ।

 

ତୋଳାଯାଉଥିବା କଳିଙ୍ଗ ଭବନର ନୂଆ କାନ୍ଥରେ କିଏ ଜଣେ ଲେଖି ଦେଇଛି ଚୁନରେ-ନିଷ୍ପକ୍ଷ ଶାସନ, ନିର୍ମଳ ବିଚାର, କଠୋର ପରିଶ୍ରମ ଉପରେ ଗଢ଼ି ଉଠୁ ଏ ଜାତିର ଭବିଷ୍ୟତ ।

 

ଖାଲି କଡ଼େଇ ଉଠେଇନେଇ ମସଲା କଡ଼େଇ ରଖିଦେଇ କହିଲା ଗଉରା, ମୋର ଦୋଷ ନାଇଁ ଭାଇ, ଯେମିତି ଆଦେଶ ସେମିତି ମିଶେଇଛି ସୁବଳ... ।

 

ରାମା ରାଓ ମୁହଁଟେକି ଚାହିଁଲା ।

 

-ଦେଖୁନ ମସଲା କେମିତି ଦିଶୁଛି...ବାଲି ବାଆରକୁ ସିମିଟି ଏକ ... ।

 

-କଅଣ କହିଲୁ ?

 

-ସତ କହୁଛି ଭାଇ ।

 

ରାମା ରାଓ ମସଲା କଡ଼େଇଟାକୁ ତଳକୁ ପକେଇଦେଲା, ମସଲା ସହିତ କଡ଼େଇ ତଳେପଡ଼ିଲା ଯାଇ -ଝଣ୍‌ଝଣ୍‌ଝଣାତ... ।

 

ସର୍ଦ୍ଦାର ଚିତ୍କାର କଲା ତଳୁ କି ବେ ଶଳା ଗଉରା... ।

 

ରାମା ରାଓ ଆଉ ବସି ନ ରହି ଓହ୍ଲେଇ ଆସିଲା ଭାଡ଼ା ଉପରୁ । ତା’ ପଛେ ପଛେ ଗଉରା ।

 

-ମସଲା କଡ଼େଇ କେମିତି ପଡ଼ିଲା ? ତୋ ମଜୁରୀରୁ କାଟିବି ଏତକ... ।

 

-ତା’ର କିଛି ଦୋଷ ନାଇଁ, ମୁଁ ପକେଇଛି ।

 

-କାହିଁକି ? ଗର୍ଜନ କଲା ସର୍ଦ୍ଦାର ।

 

-ଏଇ ମସଲାରେ ଘର ତୋଳା ହବନି ...

 

-ଅଲବତ୍‍ ହବ...ତୁ ମାଲିକ ପରି କଥା କହୁଛୁ... ।

 

-ମୁଁ ମୂଲିଆ...କିନ୍ତୁ ବେଇମାନ ନୁହେଁ... ।

 

-ଶଳା ଛୋଟ ମୁହଁରେ ବଡ଼ କଥା ।

 

-ବାଆରଟା ବାଲିକୁ ଗୋଟେ ସିମିଟିରେ ଏଇ କାମ ହୁଏନି ।

 

-ଅଲବତ୍‍ ହେବ...ବାବୁ କହି ଯାଇଛନ୍ତି ।

 

-ଗୋଟେ ସିମିଟିକୁ ଛଅଟା ବାଲି ହିସାବ କରାଯାଇଥିଲା... ।

 

-ତୁ ଶଳା ସେଥିରୁ କଅଣ ପାଇବୁ ... ।

 

-ଆଉ ଥରେ ଶଳା କହିଲେ ତୁମେ ଥୋମଣି ଭାଙ୍ଗିଦେବି କହୁଚି... ।

 

-କଅଣ କହିଲୁ ? ମାରିବୁ ?

 

-ମୁହଁ ବନ୍ଦ ନ କଲେ ମୁହଁ ବନ୍ଦ କରିଦେବି... ।

 

ସର୍ଦ୍ଦାର ଗୋପାଳ ସାନ୍ତରା କାମ ତଦାରଖ କରି କରି ବୁଢ଼ା ହବାକୁ ବସିଲାଣି, ହେଲେ ଇମିତି ଦିନେ କେହି ତାକୁ ଜବାବ ଦେଇ ନ ଥିଲେ । ସେ ଜଗୁଆଳି ଭୀମା ଓ କାଳିଆକୁ ଡାକିଲା । ସେମାନଙ୍କ ଆଗରେ ରାମା ରାଓକୁ ଶୁଣେଇ ଶୁଣେଇ କହିଲା, କାମରୁ ତୋର ଆଜିଠୁ ଛୁଟି...ଶଳା ନିମକହାରାମ୍‌...ହାରାମଜାଦା ...ମୋତେ ମାରିବାକୁ ବସିଛୁ ... ।

 

ତା ହାତ ଧରିପକେଇ କହିଲା ରାମା ରାଓ -ଆଉ ଥରେ କହ ଯାହା କହିଲୁ ତୋ ଜିଭ ଉତାରି ଆଣିବି ... ।

 

କାଳୁ, ଭୀମା ଛଡ଼େଇନେଲେ ରାମା ରାଓକୁ ... ।

 

-ମାଲିକ ଯେମିତି କହିଛି ସେପରି ନ କରି କଳି କରୁଛ କାହିଁକି ଯେ... । କହିଲା ଭୀମା-

 

-ମାଲିକ ଚୋରି କରିବ ବୋଲି ମୁଁ ଚୋରି କରିବି ? ସରକାରୀ ସିମେଣ୍ଟ ଏଠାରୁ ଚାଲଣ କରି ଚୋରା କାରବାର କରିବେ ମୁଁ ଦେଖୁଥିବି ।

 

-ଯା ବେ ଏଠୁ ...ତୋ କାମ ଆଉ ନାହିଁ...କାଲିଠୁ ଛତରଖିଆ କୁକୁର ପରି ବୁଲିବୁ ଗଳି ଗଳି । ଆରେ... ।

 

ରାମା ରାଓ କରଣୀଟାକୁ ହାତରେ ଧରି ଚାଲିଲା ଏକମୁହାଁ... ।

 

ସତ୍ୟନଗର ଶ୍ମଶାନ ପାଖରେ ଚାରି ପାଞ୍ଚ ଜଣ ପଛରୁ ଆସି ଛିଡ଼ା ହୋଇଗଲେ ତା’ ଆଗରେ ... ।

 

ସେମାନଙ୍କୁ ଗୋପାଳ ସାନ୍ତରା ସାଙ୍ଗରେ କେତେଥର ଆଗରୁ ଦେଖିଛି ରାମା ରାଓ ।

 

ସେ ବାଟ ଛାଡ଼ିବା ଲାଗି କହିଲାକ୍ଷଣି ଜଣେ ହଠାତ୍‌ ମୁଥ ମାରିଲା ତା’ ମୁହଁରେ । ସେ ସମ୍ଭାଳିନବା ପୂର୍ବରୁ ଗୋଟିଏ ପରେ ଗୋଟିଏ ମୁଥ, ବିଧା, ଗୋଇଠା ବାଜିଲା ମୁହଁରେ, ଛାତିରେ, ପେଟରେ ।

 

ରାମା ରାଓ ଚିତ୍କାର କରିଉଠିଲା...ମାରି ପକେଇଲେ ହୋ... ।

 

ତା’ର ଗଳା ଚିପିଧରି କହିଲା, ଜଣେ କୋଉ ବାପ ପିଠିରେ ପଡ଼ିବ ଆସୁ... ।

 

ରାମା ରାଓର ଛାତିରେ ପାଦ ରଖି ଆଉ ଜଣେ ଛିଡ଼ା ହୋଇଥିଲା ସେତେବେଳେ ।

 

ପାଦ ଓ ହାତ ଉପରେ ବି ମାଡ଼ି ବସିଥିଲେ ଆଉ ଦୁଇ ଜଣ । ହଠାତ୍‌ ସାମ୍ନାରୁ ଗୋଟେ ମୋଟର ଗାଡ଼ି ଆସୁଥିବାର ଦେଖି ପୁଲିସ୍‌ଗାଡ଼ି ଭାବି ଛାଡ଼ି ପଳେଇଲେ ଦୁର୍ବୃତ୍ତମାନେ । ରାମା ରାଓ ସେଇ ସହସା ଆକ୍ରମଣର ବେଗ ସମ୍ଭାଳି ନ ପାରି କିଛି ସମୟ ଅଚେତ ହୋଇ ଯାଇଥିଲା; କିନ୍ତୁ ଚେତା ଫେରିବାବେଳକୁ ସେ ଆବିଷ୍କାର କଲା ନିଜକୁ ହସ୍‌ପିଟାଲରେ ।

 

ହସ୍‌ପିଟାଲର ଯକ୍ଷ୍ମା ୱାର୍ଡ଼ । ପଚିଶ ନମ୍ବର ଖଟ । ଭୁବନ ସ୍ୱାଇଁ ଆଉ ନ ଉଠି ପାରି ଶେଷରେ ଆସିଲା ଡାକ୍ତରଖାନା । ସାଙ୍ଗମାନେ ଓ ମଧୁ ମାଷ୍ଟର ଆଣି ଛାଡ଼ି ଦେଇଗଲେ । ଚିକିତ୍ସା ଚାଲିଛି; କିନ୍ତୁ ହତାଶ ଲାଗୁଚି ଭୁବନକୁ । ଖର୍ଚ୍ଚ ବଢ଼ି ବଢ଼ି ଚାଲିଛି । ଏତେ ବ୍ୟୟସାପେକ୍ଷ ଚିକିତ୍ସା ପାଇଁ ତା’ର ପୁଞ୍ଜି ନାହିଁ । ସାଇପଡ଼ିଶା ସାହାଯ୍ୟ କରୁଛନ୍ତି, ସୁଧାକର ଡାକ୍ତର ଓ ମଧୁ ମାଷ୍ଟର କିଛି ଅର୍ଥ ବି ଦେଇଛନ୍ତି; କିନ୍ତୁ ସେ ଭାବି ନ ଥିଲା ଯେ ଦିନେ ତାକୁ ଅନ୍ୟମାନଙ୍କର ଦୟା ଉପରେ ନିର୍ଭର କରିବାକୁ ପଡ଼ିବ । ବଞ୍ଚିବାର ମର୍ଯ୍ୟାଦା ଟିକକ ପାଏ ନାହିଁ ବୋଲି ବଞ୍ଚିତର ଆୟୁ ଅଳ୍ପ, ବର୍ତ୍ତମାନ ଅନିଶ୍ଚିତ । ତା’ର ସ୍ୱପ୍ନ ନାହିଁ କି ଭବିଷ୍ୟତ ନାହିଁ ।

 

ଭୁବନ ସ୍ୱାଇଁର ଗୋଟାଏ ଫୁସ୍‌ଫୁସ୍‌ କୁଆଡ଼େ ନଷ୍ଟ ହୋଇଗଲାଣି, ସେଟାକୁ କାଟି ବାହାର କରି ନ ଦେଲେ ଅନ୍ୟଟା ବି ଖରାପ ହୋଇଯିବ । ଅପରେସନ୍‌କୁ ଡରେନି ଭୁବନ; କିନ୍ତୁ ଅପରେସନ୍‌ ଆଗରୁ ଯେଉଁ ପ୍ରସ୍ତୁତି ଦରକାର ସେଥିଲାଗି ତା’ର ସମ୍ପଦ ନାହିଁ; ତଥାପି ବଞ୍ଚିବାକୁ ଇଚ୍ଛାହୁଏ, ବାରମ୍ବାର ପଦାଘାତ ସହି ମଧ୍ୟ ଦୁର୍ବାଦଳ ପରି ମଥା ନୁଆଇଁ ପଡ଼ିରହିବାକୁ ବାସନା ହୁଏ ମନରେ ।

 

ଭୁବନ ସ୍ୱାଇଁର ଦେହରେ ଯଥେଷ୍ଟ ରକ୍ତ ନାହିଁ । ସାଙ୍ଗମାନେ ଆଗେଇ ଆସିଲେ ରକ୍ତଦାନ କରିବା ପାଇଁ; କିନ୍ତୁ ରକ୍ତ ଦବା ସହଜ ହେଲେ ବି ରକ୍ତ ନବା ଲୋକ ସହଜରେ ମିଳନ୍ତି ନାହିଁ । ଦାତାମାନଙ୍କର ରକ୍ତ ପରୀକ୍ଷା ହେଲା, କ୍ରସ୍‌ମ୍ୟାଚିଂ କିନ୍ତୁ ସୁବିଧାରେ ହେଲା ନାହିଁ । ବ୍ଳଡ଼ ବ୍ୟାଙ୍କ ଦାୟିତ୍ୱରେ ଥିବା ବ୍ୟକ୍ତି ବେଶି କାମ ପଡ଼ୁଛି କହି ଟାଳଟୁଳି କଲେ । ତାଙ୍କୁ ସାହାଯ୍ୟ କରୁଥିବା ଲୋକ ରଙ୍ଗା ରାଓକୁ କହିଲା, ଏତେ ଦଉଡ଼ିବା ଅପେକ୍ଷା ତାଙ୍କ ପାଉଣା ଦେଇ କାମ କରାଇ ନିଅ... । ରଙ୍ଗା ରାଓ ଦଶ ଟଙ୍କା ତା’ ହାତରେ ଦବାପରେ ଘଣ୍ଟାକ ମଧ୍ୟରେ କାମ ଶେଷ ହେଲା ।

 

ଅପରେସନ୍‌ ତାରିଖ ଧାର୍ଯ୍ୟ ହେଲା । ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ଆସି ପହଞ୍ଚିଲେ ରଙ୍ଗା ରାଓ, ଗଉରା, ପହଲି । ଷ୍ଟ୍ରେଚରରେ ଭୁବନକୁ ନବାକୁ ହେବ ଅପରେସନ୍‌ ଥିଏଟରକୁ । ପଚିଶ ଟଙ୍କା ନଗଦ ନ ଦେଲେ ତାକୁ ନବାଲାଗି ମଙ୍ଗିଲେ ନାହିଁ ବେହେରାମାନେ । ରଙ୍ଗା ରାଓ ବାଧ୍ୟହୋଇ ଦେଲା ପଚିଶ ଟଙ୍କା । ମଧୁ ମାଷ୍ଟର ଆସିଲାବେଳକୁ ଭୁବନ ଅପରେସନ୍‌ ଥିଏଟର ଆଗରେ । ତାକୁ ସାହସ ଦେଇ ସେ କହିଲେ ଯେ, ସବୁ ଠିକ୍‌ ହୋଇଯିବ, ଈଶ୍ୱର ଅଛନ୍ତି ଯେତେବେଳେ ଭୟ ନାହିଁ ।

 

ମଧୁ ମାଷ୍ଟର ସବୁ ଶୁଣି ଅଭିଯୋଗ କରିବାକୁ ଯାଉଥିଲେ ସୁପୁରିଟେଣ୍ଡେଙ୍କ ନିକଟକୁ । ରଙ୍ଗା ରାଓ ଓ ଅନ୍ୟମାନେ ନେହୁରା ହୋଇ କହିଲେ, ଅଭିଯୋଗ କଲେ କିଛି ଫଳ ହେବନି; ବରଂ ଭୁବନର କାମ ଆହୁରି ଅଡ଼ୁଆ ହେବ । ଏମାନେ ଯେତିକି ବୁଝନ୍ତି ସେତିକି ମଧ୍ୟ ବୁଝାସୁଝା କରିବେ ନାହିଁ ।

 

ମଧୁ ମାଷ୍ଟର ପ୍ରତିବାଦ କଲେ । ଭ୍ରଷ୍ଟାଚାର ବିରୁଦ୍ଧରେ ଲଢ଼େଇ କରିବାର ସଂକଳ୍ପ ଘୋଷଣା କଲେ । ଦରକାର ପଡ଼ିଲେ ସେ ସତ୍ୟାଗ୍ରହ କରିବେ ହସ୍‌ପିଟାଲ ସାମ୍ନାରେ ।

 

ଡାକ୍ତର ବାବୁ ଅପରେସନ୍‌ କରିବା ପୂର୍ବରୁ ରଙ୍ଗା ରାଓକୁ ଡାକି ନେଇ କହିଲେ, ସବୁ ଯଦି ମୁଫତରେ କରିନବାକୁ ଚାହଁ କାମ ବି ସେହିପରି ହେବ । ଏପରି ଅପରେସନ୍‌ ଲାଗି ଆଗୁଆ ଦୁଇ ହଜାର ଦବାର କଥା... ।

 

ରଙ୍ଗା ରାଓ ବିବ୍ରତ ହେଲା । ମଧୁ ମାଷ୍ଟରଙ୍କୁ କହିଲେ ଏଇନେ ଅନର୍ଥ କରି ବସିବେ, ହୁଏତ ସେଇ ଅପରେସନ୍‌ ଟେବୁଲରେ ଶେଷନିଶ୍ୱାସ ଛାଡ଼ିବ ଭୁବନ; କିନ୍ତୁ ଏତେ ଟଙ୍କା ତା’ ହାତରେ ନାହିଁ । ଭୁବନର ଚିକିତ୍ସା ପାଇଁ ସମସ୍ତେ ମିଶି ଯେତିକି ଯୋଗାଡ଼ କରିଥିଲେ ସେତିକି ଯଥେଷ୍ଟ ନୁହେଁ, ପୁଣି ଔଷଧ, ଇଞ୍ଜିକ୍‌ସନ୍‌, ପଥ୍ୟ ରହିଛି; ତଥାପି ବଡ଼ ସନ୍ତର୍ପଣରେ ପାଞ୍ଚ ଶହ ଟଙ୍କା ତାଙ୍କ ହାତକୁ ବଢ଼େଇଦେଇ କାକୁତି ମିନତି କରି କହିଲା ରଙ୍ଗା ରାଓ, ବଡ଼ ଗରିବ ଆଜ୍ଞା, ଖାଇବାକୁ ଦାନା ନାହିଁ...ଚାନ୍ଦା ଭେଦା କରି ଖର୍ଚ୍ଚ କରୁଛୁ...ଭୁବନ କିନ୍ତୁ ଲୋକମାନଙ୍କ ମଧ୍ୟରେ ରାଜା... ।

 

ଡାକ୍ତର ପାଞ୍ଚ ଶହ ଟଙ୍କା ନେଇ ସନ୍ତୁଷ୍ଟ ନ ହେଲେ ବି ଅପରେସନ୍‌ କରିବା ଲାଗି ଭିତରକୁ ଗଲେ ।

 

ନର୍ସ ପାଖକୁ ଆସି କହିଲା, ଅପରେସନ୍‌ ସରିବାବେଳକୁ ଗୋଟେ ଦେଢ଼ଟା ବାଜି ଯାଇଥିବ । ସମସ୍ତେ ହାଁ ହାଁ ହେଉଥିବେ ଭୋକରେ । ଭଲ ଜଳଖିଆ ସାତ ଆଠ ଜଣଙ୍କ ପାଇଁ ଏଇ ଘରେ ରଖିଥିବ । ଆଉ ଯେପରି ମନେପକାଇ ଦବାର ପ୍ରୟୋଜନ ନ ହୁଏ ।

 

ରଙ୍ଗା ରାଓ ମୁଣ୍ଡ ହଲାଇ ସମ୍ମତି ଜଣାଇଲା ।

 

ଭୁବନ ସ୍ୱାଇଁକୁ ଅପରେସନ୍‌ ଥିଏଟରକୁ ନିଆଗଲା । ବାହାରେ ଉତ୍କଣ୍ଠାର ସହିତ ଅପେକ୍ଷା କରିବାକୁ ଲାଗିଲେ ମଧୁ ମାଷ୍ଟର, ଭୁବନର ସ୍ତ୍ରୀ ଲକ୍ଷ୍ମୀ, ରଙ୍ଗା ରାଓ, ପହଲି ଓ ଗଉରା ।

 

ବାଆରଟା, ଗୋଟାଏ ଦୁଇଟା ବାଜିଲା, ତଥାପି ଭୁବନ ବାହାରୁ ନ ଥିବାର ଦେଖି ଭୟରେ ଶିହରି ଉଠିଲା ଲକ୍ଷ୍ମୀ । ବାଧା ନ ମାନି କାନ୍ଦି ପକେଇଲା ସେ । ତାକୁ ସାନ୍ତ୍ୱନା ଦେଇ କହିଲେ ମଧୁ ମାଷ୍ଟର, ତୁନି ହୁଅ ...ତୁନି ହୁଅ ସବୁ ଠିକ୍‌ ହୋଇଯିବ... ।

 

ଦୁଇଟା ପନ୍ଦର ମିନିଟ୍‌ରେ ଡାକ୍ତର ବାବୁ ବାହାରିଆସି କହିଲେ, ଅପରେସନ୍‌ ସକ୍‌ସେସ୍‌ଫୁଲ...ରୋଗୀକୁ ବାହାରକୁ ଆଣିବା ପାଇଁ ଆହୁରି ଅଧ ଘଣ୍ଟାଏ ସମୟ ଲାଗିବ ।

 

ରଙ୍ଗା ରାଓ ସେତେବେଳକୁ ଜଳଖିଆ ଆଣି ରଖି ଦେଇଥିଲା ସିଷ୍ଟର ପାଖରେ । ମାଂସ ଚପ୍‌, ସାଣ୍ଡଉଇଚ୍‌, କେକ୍‌ ଓ ରସଗୋଲା । ଡାକ୍ତରଖାନାରୁ ନେଇଥିବା ଦୁଇଟା ଫ୍ଳାସ୍‌କରେ ଭର୍ତ୍ତି ସ୍ପେଶାଲ କଫି ।

 

ଭୁବନ ସ୍ୱାଇଁର ଚେତା ଆସିଲା ତିନିଟାବେଳେ । ସେ ଛାଟିପିଟି ହବାବେଳକୁ ତା’ର ଗୋଡ଼ ହାତ ଉପରେ ହାତ ରଖିଲେ ସାଙ୍ଗମାନେ ।

 

ସଫେଇବାଲା ରଙ୍ଗା ରାଓକୁ କହିଲା, ଇଏ ତ ବିଛଣାରେ ଶୋଇ ରହିବା ରୋଗୀ । ଝାଡ଼ା, ପରିସ୍ରା ଏଇ ବିଛଣାରେ ହେବ । ବାରମ୍ବାର ନ ଦେଇ ଆମର ପାଉଣା ଦେଇଦିଅ, ଝାଡ଼ା ପରିସ୍ରାରେ ଅସୁବିଧା ହେବ ନାହିଁ ।

 

ତା’ ହାତକୁ ଦଶ ଟଙ୍କା ବଢ଼େଇଦେଲା ରଙ୍ଗା ରାଓ ଅନ୍ୟଗତି ନ ଦେଖି ।

 

ଗଉରା ଓ ରଙ୍ଗା ରାଓକୁ ଭୁବନ ପାଖରେ ରଖି ଆଉ ସମସ୍ତଙ୍କୁ ନେଇ ଗଲାବେଳେ ମଧୁ ମାଷ୍ଟର କହିଗଲେ ଯେ, ସେ ପୁଣି ଆସିବେ, ଦରକାର ହେଲେ ବଡ଼ ଡାକ୍ତରଙ୍କୁ ଭେଟିବେ, ଭ୍ରଷ୍ଟାଚାର ବିରୁଦ୍ଧରେ ଲଢ଼ିବେ ।

 

ରଙ୍ଗା ରାଓ କିଛି କହିଲା ନାହିଁ, କେବଳ ମୁରୁକି ମୁରୁକି ହସିଲା ।

 

ପ୍ରଶାସନର ଶେଷ ନିଷ୍ପତ୍ତି ଜଣାଇ ଦିଆଗଲା ସତ୍ୟନଗରର ବସ୍ତି ବାସିନ୍ଦାମାନଙ୍କୁ ଡାକବାଜି ଯନ୍ତ୍ରଦ୍ୱାରା । ଏହାଛଡ଼ା ସମ୍ବାଦପତ୍ରରେ ସରକାରୀ ଆଦେଶ ସହିତ ବସ୍ତି ବାସିନ୍ଦାମାନଙ୍କୁ ସ୍ୱେଚ୍ଛାରେ ସ୍ୱତଃପ୍ରଣୋଦିତ ହୋଇ ଜବର ଦଖଲ କରିଥିବା ଜାଗା ଛାଡ଼ି ନୂତନ ପୂନର୍ବସତି କେନ୍ଦ୍ରକୁ ଚାଲିଯିବା ପାଇଁ ଅନୁରୋଧ ମଧ୍ୟ କରାଯାଇଥିଲା । ସମସ୍ତଙ୍କୁ ପୁଣି ଘର ତୋଳିବା ଲାଗି ଆବଶ୍ୟକୀୟ କାଠ ଓ ବାଉଁଶ ମାଗଣାରେ ଯୋଗାଇ ଦବ ଛଡ଼ା ପ୍ରତ୍ୟେକ ପରିବାରକୁ ହଜାରେ ଟଙ୍କା ପୁନର୍ବାସନ ସାହାଯ୍ୟ ଭାବରେ ଦବା ସକାଶେ ଘୋଷଣା କଲେ ସରକାର । ତାହା ବାଦ୍ ସେମାନଙ୍କର ଆସବାପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ବୋହି ନବା ଲାଗି ମୁଫତରେ ଟ୍ରକ୍‌ ଯୋଗାଇ ଦିଆଯିବ ବୋଲି ଆଶ୍ୱସନା ମଧ୍ୟ ଦିଆଗଲା ।

 

ଅରକ୍ଷିତ ତା’ର ସମର୍ଥକମାନଙ୍କୁ କହିଲା, ଏଇ ସୁଯୋଗ, ପ୍ରତ୍ୟେକଙ୍କଠାରୁ ଦଳ ପାଇଁ ଚାନ୍ଦା ଆଦାୟରେ ହେଳା ନ କରାଯାଏ ଯେପରି । ସରକାରୀ ଜମି ଜବର ଦଖଲ କରିଥିବା ଲୋକଙ୍କୁ ଆଇନ ଅନୁସାରେ କୌଣସି କ୍ଷତିପୂରଣ ଦବା ପାଇଁ ବାଧ୍ୟ ନୁହନ୍ତି ସରକାର; କିନ୍ତୁ ଦଳ ପକ୍ଷରୁ ପ୍ରତିନିଧିମାନଙ୍କ ଆବେଦନ ଶୁଣି ଶେଷରେ ସରକାର ବାହାଦୂର ରାଜି ହେଲେ ସାହାଯ୍ୟ କରବା ପାଇଁ । ଏ ସରକାର ତ ଗରିବ ଦୁଃଖୀ ଦୁର୍ବଳର ସରକାର; ତେଣୁ ପୁଞ୍ଜିପତି ଓ ନ୍ୟସ୍ତସ୍ୱାର୍ଥଙ୍କ ସ୍ୱାର୍ଥରକ୍ଷା ବଦଳରେ ଶୋଷିତ ଶ୍ରେଣୀର ସ୍ୱାର୍ଥରକ୍ଷା କରିବା ସରକାରଙ୍କର ନୀତି ଓ ଲକ୍ଷ୍ୟ ।

 

ଅରକ୍ଷିତର କଥା ଶୁଣି ଗଳି ଗଳିରେ ଖେଦିଗଲେ କର୍ମୀ । ଚାନ୍ଦାଆଦାୟର ପ୍ରକୃତ ବେଳ ଗଡ଼ିଗଲେ ପରେ ଆଉ ମିଳିବର ସମ୍ଭାବନା ନାହିଁ । ଅଭାବୀ ସମସ୍ତେ, ହାତକୁ ଆସୁ ଆସୁ ଟଙ୍କା ଖର୍ଚ୍ଚ ହୋଇଯାଏ । ସରକାରଙ୍କ ପକ୍ଷରୁ ଅଫିସର ପ୍ରତ୍ୟେକ ପରିବାରକୁ ଏକ ହଜାର ଟଙ୍କା ଦବା ସମୟରେ ସେଥିରୁ ଦଳ ପାଇଁ ଦୁଇ ଶହ କାଟି ରଖିବାକୁ ପଡ଼ିବ । ଏହା ବାଦ୍ ସରକାରୀ କର୍ମଚାରୀମାନଙ୍କୁ ଖୁସି ନ କଲେ ସୁରୁଖୁରୁରେ କାମ ହେବ ନାହିଁ; ତେଣୁ ପ୍ରତ୍ୟେକ ପରିବାର ସେ ବାବଦକୁ ଶହେ କରି ଦେବ । ରହିଯିବ ସାତ ଶହ । ଲଟରୀ ଜିତିବା ଜିତିବା ପରି ଶୂନ୍ୟରୁ ମିଳିଯିବ ଏତକ । ଯଥେଷ୍ଟ ।

 

ଘରେ ଘରେ କର୍ମୀମାନେ କହିଦେଇ ଆସିଲେ । ଆହୁରି ସେମାନେ କହି ଆସିଲେ ଯେ ନୂତନ ବସତି ଯେଉଁଠି ବସିବ ସେଠାରୁ ସହରକୁ ଯିବା ଆସିବ କରିବା ପାଇଁ ପ୍ରତିଦିନ ଚାରିଥର ଟାଉନ ବସ୍ ଯିବା ଆସିବା କରିବ । ମୁଣ୍ଡ ପିଛା ଭଡ଼ା ନାମକୁ ମାତ୍ର ପଚିଶ ପଇସା । ତାହା ବି ଯେପରି ଭରଣା ହୁଏ ସେଥି ସକାଶେ ଦଳର ଦାବି ଗ୍ରହଣ କରି ଦିନ ମଜୁରିଆ ଓ ଅନ୍ୟାନ୍ୟ କାରୀଗରମାନଙ୍କ ଦୈନିକ ମଜୁରୀ ଦୁଇ ଟଙ୍କା ପର୍ଯ୍ୟନ୍ତ ବଢ଼େଇ ଦେଇଛନ୍ତି ସରକାର । ସେଥିରୁ ମୁଣ୍ଡ ପିଛା ପ୍ରତିଦିନ ଆଠଅଣା ଦଳ ଫଣ୍ଡକୁ ଯିବ । ସେଇ ଟଙ୍କାରେ ପାଣ୍ଠି ଖୋଲାଯିବ ସେମାନଙ୍କୁ ଅଭାବ ଅସୁବିଧା ସମୟରେ ଋଣ ଦବା ପାଇଁ ।

 

କେତେ ଲୋକ ବୁଝିଗଲେ, ଅନେକ ଅଡ଼ିବସିଲେ । ଚାନ୍ଦା ଦେବେ ନାହିଁ । ବସ୍ତି ଛାଡ଼ି ଯିବେ ନାହିଁ ।

 

ଅରକ୍ଷିତ କର୍ମୀମାନଙ୍କୁ ଯେଉଁ ଚେତାବନୀ ଶୁଣେଇଥିଲା ତାହା ସେମାନେ କହିଲେ ଆହୁରି ବଡ଼ କରି । ସରକାର ହାତରେ ଆଇନକାନୁନ । ତାଙ୍କରି ହାତରେ ପୁଲିସ୍ ଓ ମାଜିଷ୍ଟ୍ରେଟ୍‍ । ଯିଏ ନ ଯିବ ବା ସରକାରୀ ନିଷ୍ପତ୍ତିର ବିରୋଧ କରିବ ମାମୁଁ ଘରକୁ ଯିବା ବ୍ୟତିତ ଆଉ ଗତି ନାହିଁ-

 

ସାଧାରଣ ଭାବରେ ଶାନ୍ତ ସତ୍ୟନଗର, ହଠାତ୍ ଅଶାନ୍ତ ହୋଇ ଉଠିଲା ଦଳେ ଉଚ୍ଛେଦର ବିରୋଧ କଲାବେଳେ ଆଉ ଦଳେ ଏହାକୁ ସମର୍ଥନ କଲେ । ଅରକ୍ଷିତ ଦାସର ଉଦ୍ଦେଶ୍ୟ ସଫଳ ହେଲା । ବସ୍ତି ବାସିନ୍ଦାଙ୍କ ଭିତରେ ହୀରାକୁଦର କଂକ୍ରିଟବନ୍ଧ ପରି ଯେଉଁ ଐକ୍ୟ ଓ ସଂହତି ଥିଲା ସେଥିରେ ଫାଟ ଦେଖାଗଲା ।

 

ବେଆଇନ ଭାବରେ ତିଆରି ହୋଇଥିବା ସୁକୁମାର ମିଶ୍ରର ଦୋତାଲା କୋଠା କିନ୍ତୁ ରକ୍ଷା ପାଇଗଲା । ସେ ବଳକୌଶଳ ପ୍ରୟୋଗ କରି ପଟ୍ଟା ହାସଲ କରିନେଲା ନିଜ ନାମରେ ।

 

ଏଇ ସମ୍ବାଦ ପ୍ରଘଟ ହେବା ପରି ସୁକୁମାରର ବ୍ଳୁ ଫକ୍‌ସ ଷ୍ଟୁଡ଼ିଓ ଆଗରେ ସୋମବାରଠାରୁ ଆମରଣ ଅନଶନ କରିବାଲାଗି ନିଜର ସଙ୍କଳ୍ପ ଘୋଷଣା କଲେ ମଧୁ ମାଷ୍ଟର ।

 

ସତ୍ୟଜିତ ଓ ଶ୍ୟାମଳେନ୍ଦୁ ବି ଆସି ପହଞ୍ଚିଗଲେ ବସ୍ତିରେ । ବିଚାର ଆଲୋଚନା ଚାଲିଲା ସାରାରାତି । ଶେଷରେ ମଧୁମାଷ୍ଟରଙ୍କ ଅନଶନ ପ୍ରତି ସମର୍ଥନ ଜଣାଇ ପ୍ରତିଦିନ ଆଉ ପାଞ୍ଚ ଜଣ ପ୍ରତୀକ ଅନଶନ କରିବା ପାଇଁ ମଧ୍ୟ ନିଷ୍ପତି ନିଆଗଲା । ପ୍ରଥମ ଦିନର ପ୍ରତୀକ ଅନଶନ କରିବାଲାଗି ନାମ ଦେଇଥିବା ସ୍ୱେଚ୍ଛାସେବକମାନଙ୍କ ମଧ୍ୟରେ ସର୍ବାଗ୍ରେ ନାମ ଲେଖା ହେଲା ରାଧା ମହାପାତ୍ରର ।

 

ତୁଣ୍ଡବାଇଦ ସହସ୍ରକୋଶ । ତୁଣ୍ଡରୁ ତୁଣ୍ଡକୁ ପ୍ରସାରିତ ହେଲା ସେଇ ନିଷ୍ପତ୍ତି ।

 

ସୋମବାର ଦିନ କାଳେ ପୁଲିସ୍‌ ସେମାନଙ୍କୁ ବ୍ଳୁ ଫକ୍‌ସ ଷ୍ଟୁଡ଼ିଓ ଆଗରେ ଅନଶନ କରିବା ପାଇଁ ଦେଇ ନ ପାରେ ଏଥି ସକାଶେ ଆଉ ଦଳେ ସ୍ୱେଚ୍ଛାସେବକ ପ୍ରସ୍ତୁତ ହେଲେ ସଚିବାଳୟର ମୁଖ୍ୟ ଫାଟକ ଆଗରେ ଧାରଣା ଦେବା ପାଇଁ ।

 

ସୋମବାର ସକାଳ ଆଠଟାରେ ଚା ଜଳଖିଆ ଖାଇ ପୁଲିସ୍‌ ଶାନ୍ତିରକ୍ଷା କରିବା ପାଇଁ ଅସ୍ତ୍ରଶସ୍ତ୍ର ହାତରେ ନେଇ ପହଞ୍ଚିବାରୁ ବହୁ ପୂର୍ବରୁ କିନ୍ତୁ ଅନଶନ ଆରମ୍ଭ କରିଦେଇଥିଲେ ମଧୁ ମାଷ୍ଟର । ଇଂରେଜ ରାଜତ୍ୱ କାଳରୁ ମଧ୍ୟରାତ୍ରିରେ ଯେ ତାରିଖ ବଦଳି ଯିବ ପ୍ରଥାଟା ଚଳି ଆସୁଛି ଏ ଦେଶରେ ତାହା ବୋଧହୁଏ ସେମାନଙ୍କର ଉତ୍ତରାଧିକାରମାନେ ଭୁଲି ଯାଇଥିଲେ । ସେଥିଲାଗି ମଧୁ ମାଷ୍ଟର, ରାଧା, ନବା ମଳିକ, ଚତୁରା ସିଂ, ଖଗପତି ଦଳେଇ ଏବଂ ଆକବର ଖାଁ ଯେତେବେଳେ ମଧ୍ୟରାତ୍ରିର ନିରବତା ଭଙ୍ଗ କରି ଅନଶନରେ ବସିଗଲେ ଆକାଶରେ ନକ୍ଷତ୍ର ଓ ଚନ୍ଦ୍ରକୁ ସାକ୍ଷି ରଖି ସେତେବେଳେ ଶୋଇଥିଲା ରାଜଧାନୀ; କିନ୍ତୁ ଏ ସବୁ ଖବର ଏତେଶୀଘ୍ର କିଏ ଦିଏ, କିପରି ପ୍ରଚାରିତ ହୁଏ କେଜାଣି, ସାତଟା ବାଜିବାବେଳକୁ ସମ୍ବାଦତ୍ରର ପ୍ରତିନିଧି ଓ ଫଟୋଗ୍ରାଫରର ଆସି ସବୁ ବିବରଣୀ ସହିତ ଅନଶନକାରୀମାନଙ୍କର ଚିତ୍ର ଉଠେଇ ନେଲେ । ପୁଲିସ୍‍ ପହଞ୍ଚିଲାବେଳକୁ ରାମଧୁନ ଶୁଣାଯାଉଥାଏ ସମବେତ କଣ୍ଠରୁ ।

 

ସୁକୁମାର ମିଶ୍ର ମନ୍ତ୍ରୀଙ୍କୁ ଫୋନ କରି କହିଲା, ଖବରକାଗଜବାଲା ଆଗରୁ ଆସି ଫଟୋ ନେଇ ଗଲେଣି, ତାହା ଯେପରି ପ୍ରକାଶ ନ ପାଏ ଚେଷ୍ଟା କରନ୍ତୁ । ମନ୍ତ୍ରୀ ଉପଦେଶ ଦେଇ କହିଲେ, ସେମାନଙ୍କୁ ଖାଦ୍ୟପେୟ ଦେଇ ଏବଂ ଦରକାର ହେଲେ ଅର୍ଥଦ୍ୱାରା ଆୟତ୍ତ କରିବା ପାଇଁ । ସୁକୁମାର ମନେ ମନେ ମନ୍ତ୍ରୀଙ୍କ ଉପରେ ବିରକ୍ତ ହେଲେ ବି ସେୟା କରିବା ପାଇଁ ନିର୍ଦ୍ଦେଶ ଦେଲା ଅନୁଚରମାନଙ୍କୁ । ସନ୍ଧ୍ୟା ସୁଦ୍ଧା ଖବର ପହଞ୍ଚିଲା ଯେ, କେବଳ ଗୋଟିଏ ଖବର କାଗଜକୁ ଛାଡ଼ି ଅନ୍ୟସମସ୍ତେ ଖବର ଓ ଫଟୋ ନ ଛାପିବା ଲାଗି ରାଜି ହେଲେ । ସୁକୁମାର ସ୍ୱସ୍ତିରେ ନିଶ୍ୱାସ ମାରିଲା । ସେ ଶାସକ ଦଳରେ ଯୋଗ ଦେଇଛି ସୁବୁଧା କରିବା ପାଇଁ । ତାହା ଯଦି କରି ନ ପାରେ ଦଳ ପଛରେ ଏତେ ଖର୍ଚ୍ଚ କରିବା ଦରକାର କଅଣ ? ଆଜିକାଲି ଆଚାର ବିଚାର ବଦଳି ଗଲାଣି, ସଭା ଶୋଭାଯାତ୍ରାରେ ଯୋଗଦବା ସକାଶେ ଲୋକେ ଖାଲି ଖାଲି ଯାଆନ୍ତି ନାହିଁ । ସେଥିପାଇଁ ସେମାନଙ୍କୁ ହାତ ଖରଚ ଦବାକୁ ପଡ଼େ । ମୁଖିଆମାନଙ୍କୁ ମାଲପାଣି ବି ଦିଆହୁଏ ।

 

ସୁକୁମାର ଅନୁଗାମୀମାନଙ୍କୁ କହିଲା, ରାତି ପର୍ଯ୍ୟନ୍ତ ଅପେକ୍ଷା କରିବାପାଇଁ । ଦିନବେଳେ କିଛି କରିବସିଲେ ଅକାରଣରେ ଲୋକେ ଠୂଳ ହେବେ ତାମସା ଦେଖିବା ପାଇଁ । ଅନଶନରେ ବସିଥିବା ଲୋକମାନେ ବୀର ପାଲିଟି ଯିବା ସର୍ବସାଧାରଣଙ୍କ ଆଖିରେ । ରାତି ପ୍ରକୃତ ସମୟ । ସମସ୍ତେ ଶୋଇପଡ଼ିଲେ, ରାଜଧାନୀର ରାସ୍ତା ନିର୍ଜନ ହୋଇ ଆସିଲେ ବଳ ପରିକ୍ଷା ହେବ ଏମାନଙ୍କ ସହିତ ।

 

ସୁକୁମାର ମିଶ୍ର ଅଭୟ ବାବୁଙ୍କୁ ଫୋନ୍‌ କରି ଜଣାଇଦଲା ସବୁ । ଉଚ୍ଚ ପୁଲିସ୍‌କର୍ତ୍ତାଙ୍କୁ ପ୍ରବର୍ତ୍ତେଇ କିଛି କରିବା ପାଇଁ ଅନୁରୋଧ ବି କଲା । ସେ ଭରସା ଦେଲା । ସୁକୁମାର ଯେପରି ହରକତ ନ ହୁଏ ତାହା ଦେଖିବାଲାଗି ପ୍ରତିଶ୍ରୁତି ଦେଲେ । ତାଙ୍କରି ବଳ ପ୍ରଶାସନ ପକ୍ଷରୁ ଖାନତଲାସ୍ ପରେ ସେପରି କିଛି ଆଖି ଦୃଶିଆ ପଦକ୍ଷପ ଦିଆ ଯାଇନାହିଁ । ମନ୍ତ୍ରୀଙ୍କୁ ବି ହାତରେ ରଖିଛି ସେ । ତଳୁ ଯେଉଁ ଫାଇଲ ଯାଇଛି ତାଙ୍କ ପାଖକୁ ତାହା ମାଡ଼ିବସିଛନ୍ତି ସେ ।

 

ଗୋଳମାଳ କେବଳ ସର୍ବୋଚ୍ଚ ପୁଲିସ୍ କର୍ତ୍ତାଙ୍କୁ ନେଇ । ଲୋକଟାର କୌଣସି ଦୁର୍ବଳତା ଦୃଷ୍ଟିରେ ପଡ଼ୁନି ଏଯାଏ । ତାଙ୍କ ଡେପୁଟି ବି ସେହିପରି । ମଦ, ମାଂସ, ନାରୀ, ଅର୍ଥ କୌଣସିରେ ଆଗ୍ରହ ନାହିଁ; ତଥାପି ହାଲ ଛାଡ଼ି ଦେଇନି ସୁକୁମାର, ଲୋକ ଲଗେଇଛି ପରିବାର ଭିତରକୁ ପଶିବା ଲାଗି ଛିଦ୍ର ପଥ ଦେଇ ।

 

ଖାନତଲାସ ଦିନ ଯେଉଁ ଅଶ୍ଳୀଳ ଫଟୋ ପୁଲିସ୍ ଜବତ କରିଥିଲା ସେହି ସଂକ୍ରାନ୍ତରେ ଇଞ୍ଜିନିଅର ପ୍ରଭାକର ଦାସଙ୍କୁ ଗିରଫ କରିଛି । ସେ ସସ୍‌ପେଣ୍ଡ ହୋଇଛନ୍ତି ଚାକିରିରୁ; କିନ୍ତୁ ହାତରେ ପଇସା ବଳରେ ଶେଷରେ ଯେ ଖସିଯିବ ସେଥିରେ ସନ୍ଦେହ ନାହିଁ ସୁକୁମାରର । ଏଣେ ଶ୍ରୀଲା ମଧ୍ୟ ନୂତନ ’ସଂଯୋଗ ମଣିଷ’ର ସନ୍ଧାନ କରୁଛି ପ୍ରାଣପଣେ । ବିଶ୍ୱବିଦ୍ୟାଳୟ ହତା ବାହାରେ ରହୁଥିବା ଜଣେ ପ୍ରାକ୍ତନ ଛାତ୍ରୀ କବିତା ଲେଖି ଅନେକ ନାମ କଲେଣି । ଶାସନ କଳ ସହିତ ବିଭିନ୍ନ ସ୍ତରରେ ସମ୍ପର୍କ ତାଙ୍କର । ସୁଶୀଳା ଓ ସୁନ୍ଦରୀ ବି । କାମ ହାସଲ କରିବାର କାଏଦା ଜାଣନ୍ତି । ଶ୍ରୀଲା ମାଧ୍ୟମ । ତାହାରି ଜରିଆରେ ଯଦି ରେଖାକୁ ହାତକୁ କରିହୁଏ । ଫିଲ୍ମ ପ୍ରତି ଦୁର୍ବଳତା ଝିଅଟାର । ତାକୁ ଆଗାମୀ ଚିତ୍ରରେ ନାୟିକା କରିବାର ପ୍ରତିଶ୍ରୁତି ସେ ଦେଇସାରିଛି । ସେ ଯଦି ଘରୋଇ ବିଭାଗକୁ ହାତକୁ କରିପାରେ ଆଉ କାହାକୁ ପରୁଆ ନାହିଁ ସୁକୁମାରର ।

 

ସ୍ଲୋଗାନ ଶୁଣାଯାଉଥାଏ ଆନ୍ଦୋଳନକାରୀମାନଙ୍କର । ଦୁଇ ମହଲା ଉପରେ ଶୀତତାପ ନିୟନ୍ତ୍ରିତ କୋଠରିରେ ବସି ନିଜକୁ ନିରାପଦ ମନେକରୁଥିଲା ସୁକୁମାର । ବାହାର ଜଗତଠାରୁ ବିଚ୍ଛିନ୍ନ, ପରିବେଶଠାରୁ ସ୍ୱତନ୍ତ୍ର; ତଥାପି ଏଇ କୋଠରିରେ ବସି ଜୀବନକୁ ଉପଭୋଗ କରିହୁଏ, ରାଜଧାନୀର ଆବଡ଼ାଖାବଡ଼ା ମାଙ୍କଡ଼ା ପଥର ଉପରେ ଚାଲି ଲହୁଲୁହାଣ ହେଉଥିବା ଲୋକଗୁଡ଼ାକୁ ଦୟା କରାଯାଇପାରେ ଏବଂ ଟିକିଏ ଅନୁଗ୍ରହ ପାଇଲେ ଯୋଉମାନେ କୁକୁର ପରି ଲାଙ୍ଗୁଡ଼ ହଲାନ୍ତି ସେମାନଙ୍କୁ ଆୟତ୍ତ କରିହୁଏ

 

ସୁକୁମାର କାନଡ଼େରି ଶୁଣିଲା । ବନ୍ଦଥିବା କବାଟ ଝରକା ଦେଇ ପବନ ବା ଆଲୁଅ ପ୍ରବେଶ କରିପାରୁ ନ ଥିଲେ ବି ଶବ୍ଦ ଶୁଣାଯାଏ କାନକୁ । ସେଇ ଶବ୍ଦଗୁଡ଼ା ଇନ୍ଦ୍ରର ବଜ୍ରଠାରୁ ବି କଠିନ ଓ ଶକ୍ତିଶାଳୀ ।

 

ସୁକୁମାର ହୁଇସ୍କିରୁ କିଛି ଢାଳିଲା ଗ୍ଲାସ୍‌ରେ । ସୋଢ଼ା ମିଶାଇ ଗ୍ଲାସ ଲଗାଇଲା ଓଠରେ-। ଶ୍ରୀଲା ପହଞ୍ଚିଲା ସାଙ୍ଗ ଦବା ପାଇଁ । ସଲ୍‌ଟେଡ଼୍ କାଜୁରୁ ଗୋଟେ ଚୋବାଇଲା ସୁକୁମାର-। ଇମିତି କଡ଼ମଡ଼ କରି ଖାଇଯିବା ପାଇଁ ଇଚ୍ଛା ହୁଏ ଶ୍ରୀଲା ପରି ଝିଅଗୁଡ଼ାଙ୍କୁ । ସୁକୁମାର କିନ୍ତୁ ଶ୍ରୀଲାକୁ ପ୍ରଶୟ ଦେଲାନାହିଁ । ବାହାରର ଆୱାଜ ଆହୁରି ତୀବ୍ର ଆହୁରି ଶାଣିତ ମନେହେଉଥିଲା ।

 

ଶ୍ରୀଲା ବାହାରକୁ ଯାଇ ଫେରିଆସି କହିଲା -ଲୋକଗୁଡ଼ା ମିସ୍‌ଚିଭସ୍, ଚରିତ୍ର ସଂହାର କରିବା ସେମାନଙ୍କ ଏକମାତ୍ର କାର୍ଯ୍ୟକ୍ରମ ।

 

ସୁକୁମାର ଗ୍ଲାସ୍‌ଟାକୁ ଖାଲିକରି ବଢ଼େଇ ଦେଲା ଶ୍ରୀଲା ହାତକୁ । ସେ ପୂର୍ଣ୍ଣକରି ପୁଣି ବଢ଼େଇ ଦେଲା ସୁକୁମାରକୁ । ପ୍ରନ୍‌ଫାଇରୁ ଖଣ୍ଡେ ମୁହଁରେ ପୂରାଇ କହିଲା ସୁକୁମାର, ଶଳାଙ୍କର ମୁହଁ ଚିରଦିନ ପାଇଁ ବନ୍ଦ କରିଦେବାକୁ ହେବ... ।

 

ଶ୍ରୀଲା ସମ୍ମତି ଜଣାଇଲା ।

 

ଅତ୍ୟାଧିକ ପାନ କରିବା ପରେ ଶୋଇପଡ଼ିଲା ସୁକୁମାର ।

 

ସେ ଉଠିଲାବେଳକୁ ରାତି । ତଥାପି ଅନଶନ କରୁଥିବା ଲୋକଗୁଡ଼ା ଫାଟକ ଆଗରେ ବସିଥିବାର ଖବର ପାଇଲା ସେ । ବାହାରକୁ ଯିବାର ଉପାୟ ନାହିଁ । ଗୁଲୁ, ଶୋଭାନ ଖାଁ, ଜର୍ଜ ଆସି ପହଞ୍ଚିଲେ । ସେମାନଙ୍କ ସହିତ ପରାମର୍ଶ କରି ଷ୍ଟ୍ରାଟେଜି ଠିକ୍ କଲା ସୁକୁମାର । ଯାହା କରାଯିବ ରାତି ଦେଢ଼ଟାରୁ ତିନିଟା ମଧ୍ୟରେ । ଅତି ସାବଧାନ ଓ ଗୋପନରେ ।

 

ପୁଣି ସକାଳୁ ଦ୍ୱିତୀୟ ଦଳ ସ୍ୱେଚ୍ଛାସେବକ ଅନଶନ ଆରମ୍ଭ କରିବା ପାଇଁ ଆସିବା ବେଳକୁ ମଧୁ ମାଷ୍ଟର ବା ଅନ୍ୟ କେହି ନ ଥିଲେ ସେଠାରେ । ସେମାନେ ଯେଉଁ ଛୋଟ ଚାନ୍ଦୁଆ ତଳେ ବସୁଥିଲେ ତାହା ବି ନ ଥିଲା । ବରଂ ସେଇ ଯାଗାରେ ରାତି ଭିତରେ କେହି ଠୁଳ କରିଥିଲା ବଡ଼ ବଡ଼ ମାଙ୍କଡ଼ା ପଥର, ଘର କାମ ପାଇଁ ବାଲି ଓ ଇଟା ।

 

ଦ୍ୱିତୀୟ ଦଳର ନେତୃତ୍ୱ ନେଇଥିଲା ରଙ୍ଗା ରାଓ । ଆଉ ସେଠାରେ ବସିବାର ଜାଗା ନ ପାଇ ଟିକେ ଦୂରରେ ବସିଲେ ସେମାନେ; କିନ୍ତୁ ପଥ ଅବରୋଧ କରିବା କାରଣଟା ଦର୍ଶାଇ ସେମାନଙ୍କୁ ସେଠାରୁ ଉଠେଇ ନେଲା ପୁଲିସ୍‌ ।

 

ସତ୍ୟଜିତ୍‍ର ବିସ୍ମୟର ସୀମା ରହିଲା ନାହିଁ । ଅନେକଙ୍କୁ ପଚରାଉଚୁରା କରି ମଧ୍ୟ ସେ ମଧୁ ମାଷ୍ଟର, ରାଧା ଅନ୍ୟାନ୍ୟ ସ୍ୱେଚ୍ଛସେବକଙ୍କର କୌଣସି ସନ୍ଧାନ ପାଇଲା ନାହିଁ । ସେମାନେ ଗଲେ କୁଆଡ଼େ ? କେହି ବଳପୂର୍ବକ ସେମାନଙ୍କୁ ସେଠାରୁ ଅପହରଣ କରି ନେଇଛି ନିଶ୍ଚୟ । ଛାତି ତଳର ସ୍ପନ୍ଦନ ଦୃଢ଼ତର ହେଲା ସତ୍ୟଜିତ୍‌ର । ରାଧା ସେମାନଙ୍କ ମଧ୍ୟରେ, ଏକମାତ୍ର ମହିଳା । ତା’ ଉପରେ କେହି ବଳାତ୍କାର କରିବା ଲାଗି ସାହାସ କରି ନ ଥିବ ତ ? କିଏ ଜାଣେ ? ପଶୁ ବିଚାର ନ ଥାଏ । ଭଲ ମନ୍ଦ ଭିତରେ ଫରକ୍‌ ସେ ବୁଝିପାରେ ନାହିଁ ।

 

ସତ୍ୟଜିତର ଶିରା ପ୍ରଶିରାରେ ଅଦ୍ଭୁଦ ଶିହରଣ ଖେଳିଗଲା କ୍ଷଣିକରେ । କିଛିକ୍ଷଣ ପୂର୍ବରୁ ଅସହାୟବୋଧ ସ୍ଥାନରେ ଦେଖାଦେଲା ପ୍ରତିରୋଧ କରିବାର ସଂକଳ୍ପ । ହାତର ମାଂସପେଶୀ କଠିନ ହୋଇ ଉଠିଲା । ସେ ବଜ୍ର ମୁଷ୍ଠି ଉତ୍ତୋଳନ କରି କହିଲା, ଏଇଠାରୁ ମହାଭାରତ ଯୁଦ୍ଧର ଆରମ୍ଭ ।

 

ସତ୍ୟଜିତ୍‌ ମୋଟର ସେଇକେଲ୍‌ରେ ଫେରିବାବେଳେ ଅଟକିଗଲା କୁଢ଼ କୁଢ଼ ଆବର୍ଜନା ଠୁଳ ହୋଇଥିବା ଜାଗା ନିକଟରେ । ଜଣେ ସ୍ତ୍ରୀଲୋକ ଓ ଗୋଟିଏ ପିଲା ଛିଡ଼ା କାଗଜ, ପରିତ୍ୟକ୍ତ ପଲିଥିନ ଥଳି ଓ ସଂଗ୍ରହ କରୁଥିବାର ଦେଖିଲା । ସ୍ତ୍ରୀଲୋକଟି ଚିହ୍ନା ଚିହ୍ନା ମନେହେବାରୁ ପାଖକୁ ଗଲା ସତ୍ୟଜିତ୍‌ । ସ୍ତ୍ରୀଲୋକଟି ଓଢ଼ଣା ଟାଣିଦେଲା ଏବଂ ଚିରା ଲୁଗା ଉପରେ ହାତ ରଖିଲା ଛାତି ଢାଙ୍କିବା ପାଇଁ ।

 

ସତ୍ୟଜିତ୍‌ ପଚାରିବ କି ପଚାରିବ ନାହିଁ ଭାବୁଥିଲାବେଳେ ସ୍ତ୍ରୀଲୋକଟି କହିଲା ଆଉ ତ କିଛି ଉପାୟ ନାହିଁ ବାବୁ...ବାସନ ମାଜି ଘର ସଫାକରି ମାସକୁ ତିନି ଘରୁ ଶହେ ଟଙ୍କା ଆଣେ । ସେତିକିରେ ଦୁଇଟା ଛୁଆକୁ ନେଇ ଚଳି ପାରୁନି ବୋଲି ପେଟ ବିକଳରେ ଏଇ କାମ କରୁଛି । କୋଉଦିନ ଟଙ୍କାଏ କୋଉଦିନ ଆଠଣାଟେ ମିଳିଯାଏ । ପୋଡ଼ା କୋଇଲା ନ ହେଲେ ରୋଷେଇ କରିବି କିପରି ଯେ... ।

 

ସାଧୁ କାଣ୍ଡିର ସ୍ତ୍ରୀ ଲଳିତା ।

 

ସତ୍ୟଜିତ୍‌ର ଆଖି ଓଦା ହୋଇ ଆସିଲା । ଜୀବନ ସଂଗ୍ରାମର ନିଷ୍ଠୁର ବାସ୍ତବ ଚିତ୍ର ।

 

ସେ କଅଣ କହିବ ? କଅଣ ସାନ୍ତ୍ୱନା ଦବ ? କଅଣ ପ୍ରତିଶ୍ରୁତି ଦବ ଆଗାମୀ ଦିନ ପାଇଁ ?

 

ସେ ଏଯାଏ ପାଇଥିବା ସବୁ ସଫଳତା ନିରର୍ଥକ ମନେହେଲା । ମନେହେଲା ଯେ ଏପରି ବଞ୍ଚିବା ଅର୍ଥ ଅନ୍ୟାୟ ଓ ଅବିଚାର ସହିତ ପ୍ରତିମୁହୂର୍ତ୍ତରେ ସାଲିସ କରିବା ।

 

ସାଧୁ କାଣ୍ଡି ମରିଯାଇଛି ।

 

କିନ୍ତୁ ନିର୍ଭୟରେ ନନ୍ଦନକାନନର ଶୃଗାଳ ପରି ରାଜଧାନୀର ରାଜପଥ ଉପରେ ଚାଲିଛି ସାଧୁ କାଣ୍ଡିର ହତ୍ୟାକାରୀ...ଚୋଖାନୀର ହତ୍ୟାକାରୀ... । ଅନେକ ପ୍ରତିଭାଶାଳୀ ତରୁଣ, ତରୁଣୀଙ୍କ ହତ୍ୟାକାରୀ... ।

 

ସେମାନଙ୍କ ପ୍ରତାପ ଆଗରେ ସବୁ ନୀତି ଭାଙ୍ଗିଯାଇଛି, ସବୁ ଆଇନ ଭାଙ୍ଗି ଯାଇଛି । ସବୁ ଦର୍ଶନର ନିରର୍ଥନ ହୋଇଯାଇଛି ।

 

ଆଉ ମଧୁ ମାଷ୍ଟର ଓ ରାଧା ପରି ନିରପରାଧି, ପରୋପକାରୀ ବ୍ୟକ୍ତିଙ୍କୁ ଯିଏ ହରଣଚାଳ କରିନେଇଛି ତା’ର ଉଦ୍ଦେଶ୍ୟ ମହତ୍ ନୁହେଁ ନିଶ୍ଚୟ । ପୁଣି ଆସିବାର ଆଶ୍ୱାସନା ଦେଇ ସତ୍ୟଜିତ୍‌ ମୋଟର ସାଇକେଲ୍‌ ଷ୍ଟାର୍ଟ କଲା ।

 

ସତ୍ୟନଗରରୁ ଷ୍ଟେସନ ସ୍କୋୟାର ଆଡ଼କୁ ରାସ୍ତାଟା ଗଡ଼ାଣିଆ ହେଲେ ବି ତାକୁ ଲାଗୁଥିଲା ସେ ଯେପରି ଏଭରେଷ୍ଟ ଶୃଙ୍ଗ ଆରୋହଣ କରିବାରେ ଲାଗିଚି ଓ ଶୃଙ୍ଗ ପରେ ଶୃଙ୍ଗ ହୁଏତ ସେ ପାଖରେ ସତ୍ୟଯୁଗ ଅପେକ୍ଷା କରୁଛି... ।

 

ନନ୍ଦନକାନନରେ ଥିବା ଜଙ୍ଗଲ ବିଭାଗର ଗୋଟିଏ କୋଠରିରେ ଦିନେ ଅଟକ ରଖି ମଧୁ ମାଷ୍ଟର, ରାଧା ଓ ଅନ୍ୟମାନଙ୍କୁ ଛାଡ଼ିଦେଲା ପୁଲିସ୍ । ନେଲାବେଳେ ପୁଲିସ୍ ଭ୍ୟାନ୍‌ରେ ସେମାନଙ୍କୁ ନେଇ ଯାଇଥିଲେ ସେମାନେ; କିନ୍ତୁ ଫେରିବା ବେଳକୁ ଆଉ କୌଣସି ବ୍ୟବସ୍ଥା ହେଲାନାହିଁ ପୁଲିସ୍ ପକ୍ଷରୁ । ମଧୁ ମାଷ୍ଟର ପ୍ରତିବାଦ କଲେ । ରାଧା ଅଭିଯୋଗ କଲା ପୁଲିସ୍ ଅଫିସରଙ୍କଠାରେ; କିନ୍ତୁ ଫଳ କିଛି ହେଲାନାହିଁ । ସେମାନଙ୍କ ପାଖରେ ପଇସାପତ୍ର ଯାହା ଥିଲା ଛଡ଼ାଇ ନିଆ ହୋଇଥିଲା, ସାରା ଦିନରେ ବକତେ ପାଞ୍ଚଖଣ୍ଡ କରି ପୂରି ଓ ଆଳୁଦମ ଦିଆଯାଇଥିଲା ସେମାନଙ୍କୁ । ସକାଳେ ଓ ସନ୍ଧ୍ୟାରେ ଅବଶ୍ୟ ଚା କପେ ମିଳିଥିଲା । ମହିଳାମାନଙ୍କ ପାଇଁ ଅଲଗା କୋଠରି ନ ଥିଲା ବୋଲି ସମସ୍ତଙ୍କୁ ଗୋଟିଏ କୋଠରିରେ ରଖାଯାଇଥିଲା ।

 

ମଧୁ ମାଷ୍ଟର ସମସ୍ତଙ୍କୁ ସାଙ୍ଗରେ ନେଇ ନନ୍ଦନକାନନ ରାସ୍ତାରେ ଚାଲୁଥିଲାବେଳେ ବିପରୀତ ଦିଗରୁ ଆସୁଥିବା ଗୋଟେ ଜିପ୍ ଛିଡ଼ାହେଲା ସେମାନଙ୍କ ଆଗରେ । ଜିପ୍‌ରୁ ଓହ୍ଲେଇପଡ଼ି କହିଲେ ଠିକାଦାର ସଦାଶିବ ଷଡ଼ଙ୍ଗୀ, ମତେ ଚିହ୍ନି ପାରୁଛ ମଧୁ ?

 

ମଧୁ ମାଷ୍ଟର ସଦାଶିବକୁ କୁଣ୍ଢେଇ ପକେଇଲେ ଆନନ୍ଦରେ । ଦଶ ବର୍ଷ ପରେ ଦେଖାହେଲା ବାଲ୍ୟବନ୍ଧୁ ସହିତ । ଏକା ଗାଁରେ ଘର । ସ୍କୁଲରେ ପାଠ ପଢ଼ିଥିଲେ ଦୁହେଁ ।

ସଦାଶିବ କହିଲେ, ତୋତେ ଏଠାରେ ଦେଖିବି ଆଶା କରି ନ ଥିଲି । ମୁଁ ଏଇ ବାଟ ଦେଇ କଟକ ଯାଉଛି । ଭୁବନେଶ୍ୱର-କଟକ ମଧ୍ୟରେ ଏଇ ବାଟ ଦେଇ ଯେଉଁ ନୂତନ ସଡ଼କ ନିର୍ମାଣ କରାଯିବ ସେଇ କାମ ନବାର ଇଚ୍ଛା ଅଛି । ସେଥିପାଇଁ ଟେଣ୍ଡର ଦବା ଆଗରୁ ଚାଲିଆସିଥିଲି ଦେଖିବା ପାଇଁ । ତୁ ଭଲ ଅଛୁ ତ ? ଅନ୍ୟମାନେ ?

ତାଙ୍କ ମନରୁ ସଂଶୟ ଦୂର କରିବାଲାଗି ବିଳମ୍ବ ନ କରି କହିଲେ ମଧୁ ମାଷ୍ଟର, ଇଏ ରାଧା ମହାପାତ୍ର । ଶିକ୍ଷୟିତ୍ରୀ ଓ ସମାଜ-ସେବିକା । ଏମାନେ ସତ୍ୟନଗରର ବସ୍ତିବାସିନ୍ଦା, ମୋର ସହକର୍ମୀ ।

-କିମିତି ଅଛୁ ମଧୁ, କୋଉଠି ଅଛୁ ?

-ସେମାନଙ୍କୁ ନମସ୍କାର ଜଣାଇ ମାଷ୍ଟରଙ୍କୁ ପଚାରିଲେ ସଦାଶିବ ।

-ଭଲ ଅଛିରେ ସଦା... । ମୁଁ ତ ବାବାଜି ଲୋକ । ଚାଳ ନାହିଁ କି ଚୁଲି ନାହିଁ । ତୋ କଥା କହ...ପିଲାମାନଙ୍କ କଥା କହ...ତୋ ସ୍ତ୍ରୀ ଆରତୀ ଦେବୀ କିମିତି ଅଛନ୍ତି କହ... ।

ସଦାଶିବ କହିଗଲେ ଗୋଟି ଗୋଟି ଗରି । ଆରତୀ ଦୁଇଟି ସନ୍ତାନର ଜନନୀ । ବଡ଼ଟି ପୁଅ, ସାନଟି ଝିଅ । ଠିକାଦାରୀ ଭଲ ଚାଲିଛି; କିନ୍ତୁ ଚୋରି ନୁହେଁ ସାଧୁତା ରକ୍ଷାକରି ଯେତିକି ହେଲା ସେତିକି... । ଅଭାବ ହେଉନି । ଭଗବାନ ସବୁ ଦିଗ ସମ୍ଭଳିଛନ୍ତି... ।

 

ମଧୁ ମାଷ୍ଟର ଖୁସିହେଲେ । ଅନ୍ତତଃ ତାଙ୍କର ଅନ୍ତରଙ୍ଗ ବନ୍ଧୁ ତାଙ୍କ ଆଗରେ ସାମନାସାମନି ଠିଆହୋଇ କହିପାରିଲା ଯେ, ସେ ଠିକାଦାର ହେଲେ ବି ଲାଞ୍ଚ ମିଛରେ ବ୍ୟବସାୟ କରେ ନାହିଁ, ସରକାରୀ ଲୁହାଛଡ଼, ସିମେଣ୍ଟ ବିକ୍ରି କରେ ନାହିଁ ।

 

ସେ ସଦାଶିବକୁ କୁଣ୍ଢେଇ ପକେଇ କହିଲେ, ମୁଁ ଏଇ କଥା ଶୁଣିବାଲାଗି ବଞ୍ଚିଥିଲିରେ ସଦା । ଏବେ ଯଦି ହଠାତ୍ ମରିଯାଏ ଆଉ କ୍ଷୋଭ ହେବନି ମନରେ । ଏବେ ବି ତାହେଲେ ଭଲ ମଣିଷ ଅଚନ୍ତି... ।

 

-ମୁଁ ଛୋଟ ମଣିଷ ଭାଇ । ଠିକାଦାର; କିନ୍ତୁ ଗର୍ବ ହୁଏ, ଗୌରବ ହୁଏ ମନରେ ମୋ କାମ ପାଇଁ । ମୋ ତିଆରି କରା ରାସ୍ତାରେ ଅଗଣିତ ଲୋକ ଚାଲନ୍ତି ଦିନକରେ, ମୋ ତିଆରି କଲା କେନାଲରୁ ପାଣିନେଇ ଶସ୍ୟଶ୍ୟାମଳା ହୁଏ ଗାଁ ଭୂଇଁ । ମୋହରି ଦାଇତ୍ୱରେ ଗଢ଼ା ସ୍କୁଲରେ ପିଲାଏ ପଢ଼ନ୍ତି ନିଶଙ୍କ ଚିତ୍ତରେ... ।

 

-ତୋ’ପରି ଆଉ ତ ଏଡ଼େ ଉଚ୍ଚ କେହି ଦୃଷ୍ଟିରେ ପଡ଼ୁନାହାନ୍ତି ସଦା ।

 

ତା’ପରେ ଦୁଇ ବନ୍ଧୁ ନିଜ ନିଜ ସମ୍ବନ୍ଧରେ ସଂକ୍ଷେପରେ ପରସ୍ପରକୁ ଅବଗତ କରାଇ ଆଉଥରେ କେବେ ଓ କେତେ ଶୀଘ୍ର ଦେଖାହେବ ତାହା ଠିକ୍ କଲା ପୂର୍ବରୁ ସଦାଶିବ ମଧୁ ମାଷ୍ଟର ଓ ସାଥିମାନଙ୍କୁ ନେଇ ପଛକୁ ଗଲେ ରାଧା ପାଇଁ ଆଗ ସିଟ୍‌ ଛାଡ଼ିଦେଇ ।

 

ରାଧା କହିଲା, ଆପଣ ଆମ ପାଇଁ ଏତେକଷ୍ଟ କରିବେ କାହିଁକି ? ପୁଣି ପୁଲିସ୍ ଯଦି ଆପଣଙ୍କୁ ଦେଖେ ଆମ ସାଙ୍ଗରେ... ।

 

ମୁଁ ମୋର ବାହୁବଳରେ ଚଳେ... । ପୁଲିସ୍‌ର ଗୁଲାମ ନୁହେଁ, ସରକାରଙ୍କର ପ୍ରଜା ହୋଇପାରେ; କିନ୍ତୁ ଘାତକ ନୁହେଁ... ।

 

ଜିପ୍‌ ପୁଣି ମୁହେଁଇଲା ରାଜଧାନୀ ଆଡ଼କୁ ।

 

ନନ୍ଦନକାନନ ଓ ଭୁବନେଶ୍ୱରକୁ ସଞ୍ଜୋଗ କରୁଥିବା ରାସ୍ତାର ଦୁଇ ପାଖରେ ଚାଷ ଜମିରେ ପାଚିଲା ଧାନକ୍ଷେତ । ମାଟି ଉପରେ କିଏ ସୁନା ଢାଳି ଦେଇଛି । ଭାରତ ଜନନୀର ଏଇ ପରି ଅନ୍ନପୂର୍ଣ୍ଣା ରୂପ ଦେଖିଲେ ମଧୁ ମାଷ୍ଟର ତନ୍ମୟ ହୋଇଯାଆନ୍ତି, ଏକ ଅଭାବନୀୟ ପ୍ରଶାନ୍ତ ଓହ୍ଲେଇଆସେ ମଥା ଉପରେ । ଈଶ୍ୱରଙ୍କର ଆଶୀର୍ବାଦ ବୋଧହୁଏ ଏହିପରି ।

 

ସଦାଶିବ ସାଙ୍ଗକୁ ଦେଖି କୋଟିନିଧି ପାଇଲାପରି ବିହ୍ୱଳ । କିଏ ଜାଣିଥିଲା ହଠାତ୍ ଇମିତି ଦେଖା ହୋଇଯିବ ? ଏଇ ନୂଆ ରାସ୍ତା କାମ ମିଳୁ ବା ନ ମିଳୁ ସେଥିରେ କିଛି ଯାଏ ଆସେ ନାହିଁ; କିନ୍ତୁ ମଧୁକୁ ପାଇବା ଅତି ଦୁର୍ଲଭ ରତ୍ନ ପାଇବାଠାରୁ ବଳି ବି ଭାଗ୍ୟର କଥା ।

 

ମଧୁ ମାଷ୍ଟର ଓ ତାଙ୍କ ଦଳକୁ ସତ୍ୟନଗରର ପ୍ରବେଶ ପଥରେ ଓହ୍ଲେଇ ଦେଲାବେଳେ ସାଦାଶିବ କହିଲେ, ତୁ କିଛି ମନେକରିବୁନି ମଧୁ ଏକଥା କହୁଚି ବୋଲି । ତୁ ତ ଲୋକଙ୍କର ସେବା କରିବା ପାଇଁ ବ୍ରହ୍ମଚାରୀ ରହିଗଲୁ । ତୋ ହାତରେ ହଜାରେ ଟଙ୍କା ଦେଇଯାଉଛି, ମଝିରେ ମଝିରେ ଯାହା ପାରିବି ପଠାଇବି, କିପରି କେଉଁଠି ଖର୍ଚ୍ଚ କରିବୁ ତାହା ତୋର ଇଚ୍ଛାଧୀନ ।

 

ମଧୁ ମାଷ୍ଟର ସେଇ ଦାନ ଆନନ୍ଦର ସହିତ ଗ୍ରହଣ କରି କହିଲେ, ବସ୍ତି ଭିତରକୁ ଯାଇଥିଲେ ରସିଦ୍‌ଟା ନେଇ ଯାଇଥାଆନ୍ତୁ ସଦା ...

 

ସଦାଶିବ ଜିପ୍‌ଷ୍ଟାର୍ଟ କଲାବେଳେ କହିଲେ ଭଗବାନଙ୍କୁ ଅବିଶ୍ୱାସ କରାଯାଇପାରେ; କିନ୍ତୁ ତୋତେ ନୁହଁ ... ।

 

ସଦାଶିବ ଚାଲିଗଲେ ।

 

ସତ୍ୟନଗର ଭିତରେ ପ୍ରବେଶ କଲେ ମଧୁ ମାଷ୍ଟର ଓ ତାଙ୍କ ଦଳ ।

 

ବିଜୁଳି ପରି ଖେଳିଗଲା ସେଇ ସମାଚାର ବସ୍ତି ଭିତରେ । ସେମାନେ ଅଧେ ବାଟ ବି ଯାଇ ନ ଥିବେ ବସ୍ତିର ଆବାଳ-ବୃଦ୍ଧ-ବନିତା ବଢ଼ିଲା ନଦୀର ସୁଅପରି ମାଡ଼ି ଆସିଲେ ଚାରିଆଡ଼ୁ । ଶଙ୍ଖ ବାଜିଲା, ହାତ ତାଳ ଶୁଣାଗଲା, ହୁଳହୁଳି ଧ୍ୱନିଦେଲେ ପୁର ନାରୀମାନେ, ଖୋଳ କରତାଳ ଝାଞ୍ଜ ବାଜିଲା, ଶୁଣାଗଲା ଗଗନ କମ୍ପେଇ ଜୟଧ୍ୱନି । ସ୍ୱର୍ଗର ରାଜା ଇନ୍ଦ୍ର ଶତ୍ରୁକୁ ପରାସ୍ତ କରି ଫେରିଲାବେଳେ ମଧ୍ୟ ଇମିତି ଜୟଧ୍ୱନି ହୋଇ ନ ଥିବ, ଲୋକମାନଙ୍କ ମୁଖମଣ୍ଡଳ ଏମିତି ଉଜ୍ଜଳ ଉଠି ନ ଥିବ ନୂତନ ଆଶାରେ ।

 

ବସ୍ତି ମଝିରେ ସୂର୍ଯ୍ୟୋଦୟ କ୍ଳବ ଆଗରେ ସଭାହେଲା ! ଫୁଲମାଳ ଦେଇ ବସ୍ତିବାଲା ବରଣ କଲେ ମଧୁ ମାଷ୍ଟର ଓ ସାଥିମାନଙ୍କୁ ।

 

ରାଧା ଠିଆ ହୋଇ ଉଚ୍ଚ ସ୍ୱରରେ କହିଲା, ଆମକୁ ନନ୍ଦନକାନନରେ ଦିନେ ବେଆଇନ୍‌ ଭାବରେ ଅଟକ ରଖି ଆଜି ସକାଳୁ ଛାଡ଼ି ଦିଆଗଲା । ସେମାନେ ଭାବିଥିଲେ ଆମକୁ ନେଇଗଲା ପରେ ଆନ୍ଦୋଳନ ଥମିଯିବ, ଲୋକ ପୁଲିସ୍‍ ଓ ସମ୍ପଦଶାଳୀର ସାମନା କରିବାକୁ ଆସିବେ ନାହିଁ । ସେ ଆଶଙ୍କା ଦୂର ହୋଇଛି । ଲୋକମାନଙ୍କର ମନରେ ଯେ ଭୟନାହିଁ ଚାଲୁଥିବା ଅନଶନ ସତ୍ୟାଗ୍ରହହିଁ ତା’ର ପ୍ରମାଣ; କିନ୍ତୁ ଭାଇମାନେ ମନେରଖ, ଆମକୁ ଅତିଥି କରି ରଖିବା ପାଇଁ ସେଠାକୁ ନିଆଯାଇ ନ ଥିଲା ବରଂ ରାତି ଦୁଇଟାରେ ଦଳେ ମଦ୍ୟପ ଗୁଣ୍ଡାଙ୍କୁ ଆମ ଉପରକୁ ଠେଲିଦେଇ ପୁଲିସ୍ ଚାହିଁଥିଲା ହାଙ୍ଗାମା ସୃଷ୍ଟି କରିବା ପାଇଁ । ସେମାନଙ୍କର ଅଭିଳାଷଥିଲା ଭିନ୍ନ । ହୁଏତ ଆମ ସଭିଙ୍କୁ ଜୀବନରେ ମାରି ଦେଇଥାଆନ୍ତେ; କିନ୍ତୁ ଆଜି ଜନମତ ସଜାଗ, ଏତେବଡ଼ ଅନ୍ୟାୟ କରିବାକୁ ନ୍ୟସ୍ତସ୍ୱାର୍ଥଗୋଷ୍ଠୀ ସାହାସ କଲେନାହିଁ । ଆଉ ସେଇ ଗୁଣ୍ଡା ମାତାଲଗୁଡ଼ାକୁ ଚିହ୍ନନ୍ତି ମାଷ୍ଟ୍ରେ ... । ସମୟ ଆସୁ ପ୍ରତିଶୋଧ ନେବାକୁ ଆମେ ପଛେଇବା ନାହିଁ ।

 

ମଧୁ ମାଷ୍ଟର କିନ୍ତୁ ଉଠିପଡ଼ି କହିଲେ, ନା, ପ୍ରତିଶୋଧ ନୁହେଁ, ସେମାନେ ଆମର ନିଜଲୋକ । ସେମାନଙ୍କୁ ବଦଳାଇବାକୁ ପଡ଼ିବ । ସାପ ବି ଗୀତ ଶୁଣି ବଶ ମାନୁଛି, ମଣିଷ ବଳିଯିବ ? ଧୈର୍ଯ୍ୟଧର, ଏକ ହୁଅ. ସଂହତିହିଁ ଶକ୍ତିର ଉତ୍ସ ।

 

ମଧୁ ମାଷ୍ଟର ଅନଶନ ସତ୍ୟାଗ୍ରହ ସମାପ୍ତି ଘୋଷଣା କରି ସଭା ଭଙ୍ଗ କଲେ ।

 

ରାଧା ବାଟ ଭାଙ୍ଗି ରାମା ରାଓ ଘରକୁ ଗଲା ତା’ ଖବର ବୁଝିବା ପାଇଁ । ସୁନ୍ଦରୀ ଅସଜ ମଣିଷ, ଗର୍ଭରେ ଆଠ ମାସର ସନ୍ତାନ ।

 

ରାମା ରାଓର କ୍ଷତଗୁଡ଼ାକ ଶୁଖି ଆସିଲାଣି । ଭଙ୍ଗା ଗୋଡ଼ରୁ; କିନ୍ତୁ ପ୍ଳାଷ୍ଟର ଖୋଲାଯାଇନି । ଆହୁରି ଦୁଇ ତିନି ଦିନ ପରେ ଖୋଲିବ । କାମକୁ ଯାଇନି ତିନି ସପ୍ତାହ ହେଲା । ଯାହା ଥିଲା ସରିଗଲାଣି । ହାତ ଶୂନ । ଧାର ଉଧାର କରି ସଂସାର ଚଳାଉଛି ସୁନ୍ଦରୀ ।

 

ରାଧାକୁ ସ୍ୱାଗତ କଲା ରାମା ରାଓ । ତା’ ଆଖିର ଦୃଷ୍ଟିରେ ଦୃଢ଼ତାର ଏକ ନୂତନ ଦୀପ୍ତି ଦେଖିଲା ରାଧା । ମଣିଷ ନିର୍ଭୟ, ସତ୍ୟାଶ୍ରୟୀ ହେଲେ ତେଜ ଏପରିହୁଏ ।

 

ସେଇ ମଣିଷହିଁ ସମସ୍ତଙ୍କର ବରଣୀୟ ।

 

ରାଧା ସୁନ୍ଦରୀର ହାତ ଧରି କହିଲା, ତମେ ନିଶ୍ଚିନ୍ତ ହୁଅ... । ମୁଁ ସରିତା ହାତରେ ଯାହା ପଠାଇବି ରଖିବ, ମନାକରିବ ନାହିଁ ।

 

ସୁନ୍ଦରୀ ଉପାସ ଥିଲା ସାରାଦିନ । ରାମା ରାଓ ବି ଖାଇନି କିଛି କାଲିଠାରୁ । ରାଧାର କଥା ଶୁଣି କାନ୍ଦି ପକେଇଲା ସେ ।

 

ସୁପ୍ରିମ୍‍କୋର୍ଟ ଯେଉଁ ଦିନରୁ ଦେଶରେ ଜନସ୍ୱାର୍ଥ ସଂରକ୍ଷଣ କରିବା ସକାଶେ ପବ୍ଳିକ୍‌ ଇଣ୍ଟାରେଷ୍ଟ ଲିଟିଗେସନ କେଶ୍‍ ଆରମ୍ଭ କଲେ ସେହିଦିନଠାରୁ ବିଚାର ବିଭାଗର ଇତିହାସରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହେଲା । ସେଇ ନୀତିର ସୁଯୋଗ ହେଇ ବନ୍ଦ ହୋଇ ଯାଇଥିବା ହିମ୍ମତ୍‌ଲାଲ୍ ଚୋଖାନୀର ମଡ଼ର କେଶ୍‍ ଓ ସେଥିରେ ମିଥ୍ୟା ଅଭିଯୋଗର ଶିକାର ହୋଇ ଜେଲ ହାଜତରେ ପୁଲିସ୍ ଅତ୍ୟାଚାରଦ୍ୱାରା ପ୍ରାଣ ହରାଇଥିବା ସାଧୁ କାଣ୍ଡିର କେଶ୍‍ ଆଉଥରେ ବିଚାର କରିବା ପାଇଁ ପ୍ରାର୍ଥନା କଲା ସତ୍ୟଜିତ୍‌ ରାୟ । ନୂତନ ବଳିଷ୍ଠ ପ୍ରମାଣ ଯେ ତା’ ପାଖରେ ଅଛି ଏହା କହିଲା ସେ ଅଦାଲତରେ । ଉଚ୍ଚ ନ୍ୟାୟାଳୟ ତା’ର ସମସ୍ତ ବୟାନ ଶୁଣିବା ପରେ ସେସନ୍‌ସ ଜଜ୍‌ଙ୍କୁ ନିର୍ଦ୍ଦେଶ ଦେଲେ ଏଇ ଦୁଇ ସଂପୃକ୍ତ ମୋକଦ୍ଦମାର ଆଇନ ଅନୁସାରେ ବିଚାର କରିବା ପାଇଁ

 

ସତ୍ୟଜିତ୍‌ ପ୍ରଥମ ଦଫାରେ ଜୟଲାଭ କରି କିନ୍ତୁ ସନ୍ତୁଷ୍ଟ ହେଲାନାହିଁ । ଆହୁରି ଅନେକ କାମ ରହିଛି ହାତରେ କରିବା ପାଇଁ, ଇଂରେଜମାନେ ଆଉ ଯାହା କ୍ଷତିସାଧନ କରନ୍ତୁ ପଛକେ, ଗୋଟିଏ ସଙ୍ଗଠିତ ସୁନିୟନ୍ତ୍ରିତ ବିଚାର ପଦ୍ଧତି ଦେଇ ଯାଇଛନ୍ତି ଏ ଦେଶକୁ । ସେଇ ନୀତି ଅନୁସାରେ କେବଳ ନ୍ୟାୟ ଦେଲେ ଚଳିବ ନାହିଁ, ନ୍ୟାୟ ପାଉଥିବା ଲୋକ ବି ହୃଦୟଙ୍ଗମ କରିବ ଯେ ସେ ନ୍ୟାୟ ପାଉଛି । ଏଥିରେ ବିଳମ୍ବ ହୋଇପାରେ, ବିଚାର କରିବାର ସମୟ ଦୀର୍ଘ ହୋଇପାରେ; କିନ୍ତୁ ସେ ଯାହା ଦେଉ ଇଂରେଜମାନଙ୍କର ବିଚାର ନୀତି ଅନୁସାରେ ଜଣେ ଦୋଷୀ ବ୍ୟକ୍ତି ହୁଏତ ଛାଡ଼ି ଯାଇପାରେ; କିନ୍ତୁ ଦେଖିବାକୁ ହେବ ଯେ, ଜଣେ ନିର୍ଦ୍ଦୋଷୀ ବ୍ୟକ୍ତି ଯେପରି ଦଣ୍ଡ ନ ପାଏ ।

 

ସାଧୁ କାଣ୍ଡି ଯେ ନିର୍ଦ୍ଦୋଷ ଏହା ହୃଦବୋଧ ହେଇଛି ସତ୍ୟଜିତର; ତଥାପି ସେ ଦଣ୍ଡ ପାଇଲା ଏହାହିଁ ତା’ର ବ୍ୟଥାର କାରଣ । ଏହାହିଁ ତା’ର ହୃଦୟକୁ ଗଭୀର ଭାବରେ ପୀଡ଼ା ଦିଏ । ମଝି ରାତିରେ ହଠାତ୍ ଦୁଃସ୍ୱପ୍ନ ଦେଖି ତା’ର ନିଦ ଭାଙ୍ଗିଯାଏ । ସେ କାନପାରି ଶୁଣିବାକୁ ଚେଷ୍ଟାକରେ । ରାତ୍ରିର ନିସ୍ତବତା ଭେଦକରି ଦୂରରୁ ଭାସିଆସୁଥିବା କାହାର କରୁଣ ସ୍ୱର-କେହି ହୁଏତ କାହୁଛି, ‘‘ମୁଁ ବଞ୍ଚିବା ପାଇଁ ଚାହୁଁଥିଲି, ଏଇ ସୁନ୍ଦର ପୃଥିବୀରେ ଆହୁରି ଅନେକ ସ୍ୱପ୍ନ ବାକିଥିଲା ଦେଖିବା ପାଇଁ, ମୁଁ କାହାର ଖାଏନା ଧାରେନା, ତଥାପି ମୋତେ ମାରି ପକେଇଲେ, ମୋ ସ୍ତ୍ରୀ ବିଧବା, ମୋ ପୁଅ ଅନାଥ ହୋଇଗଲା ।’’ ସତ୍ୟଜିତ୍‌କୁ ଲାଗେ ଏହା ଯେପରି ସାଧୁ କାଣ୍ଡିର ସ୍ୱର । ବଞ୍ଚିଥିଲାବେଳେ ସେ ହୁଏତ ନ୍ୟାୟ ପାଇପାରିଲା ନାହିଁ, ସେଥିଲାଗି ମରିଯାଇ ବି ସେ ପ୍ରେତ ହୋଇ ଅପେକ୍ଷା କରୁଛି ବିଚାର ହେବ କି ନାହିଁ ଦେଖିବା ପାଇଁ ।

 

ସତ୍ୟଜିତ୍‌ ଖୋଲା ଝରକା ଦେଇ ଚାହିଁଲା । ବାହାରେ ରାତିର ବହଳ ଅନ୍ଧାର । ପାଖ ବଉଳ ଡାଳ ଖଣ୍ଡେ ଭାଙ୍ଗି ପଡ଼ିଲା । ବାଦୁଡ଼ି ଗୋଟେ ଫଡ଼ ଫଡ଼ କରି ଉଡ଼ିଯିବାର ଶବ୍ଦ ଶୁଭିଲା । ସତ୍ୟଜିତ୍‌ର ମନେପଡ଼ିଲା ତା’ ଜେଜେମା’ କହିଥିବା କଥା, ପ୍ରେତ ଯୋଉ ଡାଳରେ ବସେ ସେ ଡାଳଟି ଭାଙ୍ଗିଯାଏ... । ସେ ବସିପାରେନି, ଶୋଇପାରେନି କୋଉଠି । ଅତୃପ୍ତ ଆତ୍ମା ଘୁରିବୁଲେ ଧରଣୀ ସାରା ।

 

Unknown

ସାଧୁ କାଣ୍ଡିର ଅତୃପ୍ତ ଆତ୍ମା ଜେଜେ ମା’ କଥା ଅନୁସାରେ ତାହେଲେ ବୁଲୁଚି ଅବିଶ୍ରାନ୍ତ ଭାବରେ, ତା’ର ଶାନ୍ତି ନାହିଁ କି ବିଶ୍ରାମ ନାହିଁ । ସତ୍ୟଜିତ୍‌ ହଠାତ୍ କାନ୍ଦି ପକେଇଲା, ନିଜର କୋହକୁ ଚାପି ରଖିବାଲାଗି ସେ ଚେଷ୍ଟା କଲାନି, ତକିଆରେ ମୁହଁ ଗୁଞ୍ଜି ଫୁଲି ଫୁଲି କାନ୍ଦିବାକୁ ଲାଗିଲା ।

 

ରାତିର ଶାନ୍ତ ଶୀତଳତାକୁ ତାକୁ କେତେବେଳେ ଶୁଆଇ ପକାଇଲା ସେ ଜାଣି ବି ପାରିଲା ନାହିଁ ।

 

ପାହାନ୍ତା ହେବ ବୋଧହୁଏ । ନିଦ ଭାଙ୍ଗିଗଲା କାହାର ପାଦ ଶବ୍ଦ ଶୁଣି । କାନ୍ଥ ଘଡ଼ିଟାର ଟିକ୍‌ଟିକ୍‌ ଶବ୍ଦ ବନ୍ଦହୋଇ ଯାଇଥିଲା କେତେବେଳୁ । ହୁଏତ ଦମ୍ ଦବାକୁ ଭୁଲି ଯାଇଥିଲା ସେ; ତଥାପି ସେ ଅନୁଭବ କଲା ଯେ, ରାତି ପାହିବାଲାଗି ଆଉ ବେଶି ସମୟ ନାହିଁ ।

 

ସେଇ ପାଦଶବ୍ଦ ଆସି ଅଟକିଲା ତା’ର ଦରଜା ଆଗରେ । ସତ୍ୟଜିତ୍‌ ଝରକାବାଟୁ କହିଲା, କିଏ ସେ ...?

 

ଆଗନ୍ତୁକ ବିପରୀତ ଦିଗକୁ ମୁହଁକରି ଛିଡ଼ା ହୋଇଥିଲା, ତେଣୁ ଟର୍ଚ୍ଚ ପକେଇକି ତା ମୁହଁ ଦେଖିପାରିଲା ନାହିଁ ସେ ।

 

ଲୋକଟା କହିଲା, ଅତ୍ୟନ୍ତ ଜରୁରୀ କାମ ଅଛି, କବାଟ ଖୋଲନ୍ତୁ... ।

 

ସତ୍ୟଜିତ୍‌ ଆଶ୍ଚର୍ଯ୍ୟ ହେଲା । ଏଇ ଅସମୟରେ ତା’ ପାଖରେ କାହାର କାମ ଥାଇପାରେ...?

 

ସେ ପୁନରାୟ ପ୍ରଶ୍ନକଲା ଆପଣ କିଏ...କଅଣ କାମ ଅଛି ମୋ ଠାରେ... ?

 

-କବାଟ ଖୋଳନ୍ତୁ ମୁଁ ସବୁ କହିବି । ଅତ୍ୟନ୍ତ ଜରୁରୀ ବିଷୟ କହିବାକୁ ଆସିଛି... ।

 

ତଥାପି ଲୋକଟା ସିଧାସଳଖ ତା’ ଆଡ଼େ ଚାହୁଁ ନ ଥିବାର ଦେଖି ଟିକେ ସନ୍ଦେହ ହେଲା ସତ୍ୟଜିତ୍‌ର । ସେ କବାଟ ନ ଖୋଲି କହିଲା, ଆପଣଙ୍କର ପରିଚୟ ନ ଦେଲେ କବାଟ ଖୋଲିବାର ପ୍ରଶ୍ନ ନାହିଁ ।

 

ଲୋକଟା ହଠାତ୍ ବୁଲିପଡ଼ି ଫାଟକ ଆଡ଼କୁ ଯିବାର ଦେଖି ସତ୍ୟଜିତ୍‌ ଡାକିଲା ଜଗୁଆଳିକୁ । କିଏ ଆସିଛି ଦେଖିବାଲାଗି କହିଲା ତାକୁ । ଜଗୁଆଳି ବାହାର ଘର ଖୋଲି ବାହାରିବାବେଳକୁ ବଉଳ ଗଛ ପାଖକୁ ଭାସିଆସିଲା ସ୍କୁଟର ଛାଡ଼ିବାର ଶବ୍ଦ । ଏତେବେଳେ ସତ୍ୟଜିତ୍ ଜାଣିଲା ଯେ, ସେଇ ଲୋକଟା ଖାଲି ପାଦରେ ନୁହେଁ ସ୍କୁଟର ଚଢ଼ି ଆସିଥିଲା । ସେ ଟର୍ଚ୍ଚ ପକେଇଲାବେଳକୁ ସ୍କୁଟର ଛାଡ଼ି ଦେଇଥିଲା ଆଗନ୍ତୁକ; କିନ୍ତୁ ଜଣକ ସ୍ଥାନରେ ଦୁଇ ଜଣଙ୍କୁ ଦେଖି ଆହୁରି ଆଶ୍ଚର୍ଯ୍ୟ ହେଲା ସତ୍ୟଜିତ୍ । ସେ ଅନୁମାନ କରିନେଲା ଯେ, ଆଗନ୍ତୁକ ତାକୁ ଉଠାଇବାଲାଗି ଆସିଥିଲାବେଳେ ଅନ୍ୟଜଣେ ସ୍କୁଟର ସହିତ ଅପେକ୍ଷା କରିଥିଲା ଗଛ ସେପାଖେରେ । ସତ୍ୟଜିତ୍‌ କିନ୍ତୁ ସ୍ଥିର କରିପାରିଲା ନାହିଁ କାହିଁକି ସେମାନେ ଆସିଥିଲେ ରାତି ପାହାନ୍ତାରେ ଏବଂ ସେମାନେ କିଏ ?

 

ସେତିକିରେ ଆଶ୍ଚର୍ଯ୍ୟ ଶେଷ ହେଲା ନାହିଁ । ସ୍କୁଟର ଉପରେ ଚଢ଼ି ସେ ଦୁଇଜଣ ତା’ ଘର ସାମ୍ନାରେ ଚାଲିଯିବାବେଳେ କଅଣ ଗୋଟେ ଘରଆଡ଼କୁ ଫୋପାଡ଼ିବାର ଦେଖିଲା ସତ୍ୟଜିତ୍ ଏବଂ ସଙ୍ଗେ ସଙ୍ଗେ ପ୍ରଚଣ୍ଡ ବିସ୍ଫୋରଣ ଘଟିଲା ସଦର ଦରଜା ଆଗରେ । ଭାଗ୍ୟକୁ ସେ କୋଠରି ଭିତରେ ଥିଲା; ତଥାପି କବାଟ ଓ ଝରକାର କାଚ ଭାଙ୍ଗି କେତେକ ତୀକ୍ଷ୍‌ଣ ଧାରୁଆ ଖଣ୍ଡ ତା’ ଦିହରେ ଆସି ବାଜିଲା ଏବଂ ଆର୍ତ୍ତନାଦ କରି ତଳେ ପଡ଼ିଗଲା ସତ୍ୟଜିତ୍‌ ।

 

କେତେବେଳେ ପଡ଼ିଶାର ଲୋକେ ଆସିଲେ, ତା’ପରେ ଖବର ପାଇ କେତେବେଳେ ପୁଲିସ୍ ଆସିଲା ତାହା ଆଦୌ ଜାଣିନି ସେ । ଚେତା ଫେରିଲାବେଳକୁ ସେ ଦେଖିଲା ଯେ, ସେ ହସ୍‌ପିଟାଲରେ, ଦେହ ହାତରେ ପଟି, ମଥା ଓ ଦେହରେ ଯନ୍ତ୍ରଣା । ତାକୁ ଦିଆଯାଉଥିବା ରକ୍ତ ବୋତଲ ଝୁଲୁଛି ତା’ ଆଖି ଆଗରେ, ଆଉ ଗୋଟେ ପାଖରେ ସାଲାଇନର ବୋତଲ । ସେ ଚାହିଁଲା ଚାରିଆଡ଼କୁ । ନର୍ସ ଛିଡ଼ା ହୋଇଥିଲେ ସାମ୍ନାରେ । ହାତ ହଲାଇ ବାରଣ କଲେ କିଛି କହିବା ପାଇଁ । ରାଧାର ହାତ ରହିଥିଲା ତା’ ହାତ ଉପରେ । ସେଇ ଯନ୍ତ୍ରଣା ସତ୍ତ୍ୱେ ବି ସତ୍ୟଜିତ୍‌ ସାନ୍ତ୍ୱନା ପାଇଲା ଯେ, ସେ ଏକା ନୁହେଁ ସାଙ୍ଗ ହୋଇ ଲଢ଼ିବା ପାଇଁ ତା ସାଥିରେ ଅନ୍ୟମାନେ ବି ଅଛନ୍ତି ।

 

ଶ୍ୟାମଳେନ୍ଦୁ ପଶିଆସି କହିଲା, ଆଉ ଭୟ ନାହି ଭାଇନା, ଶୀଘ୍ର ଭଲ ହୋଇଯିବ । ରଘୁର ଅବସ୍ଥା ବି ଭଲ ଆଡ଼କୁ ଆସୁଛି; କିନ୍ତୁ ତା’ର ଗୋଟେ ଗୋଡ଼ ଆମ୍ପୂଟ କରିବାକୁ ପଡ଼ିଲା ।

 

ସତ୍ୟଜିତ୍‌ ଆଖିବୁଜି କଳନା କରିବାକୁ ଲାଗିଲା ସେଇ ପାହାନ୍ତା ପହରର ବିପର୍ଯ୍ୟୟ ସମ୍ବନ୍ଧରେ ।

 

ସେମାନେ ତାହେଲେ ତାକୁ ମାରିଦବା ଲାଗି ଆସିଥିଲେ । ଭାଗ୍ୟକୁ ଡାକ ଶୁଣି ସେ ଘର ଭିତରୁ ବାହାରି ନ ଥିଲା, ନ ହେଲେ କଅଣ ହୋଇଥାଆନ୍ତା କେଜାଣି । ତା’ର କେହି ଶତ୍ରୁ ନାହିଁ ବୋଲି ଏଯାଏ ବିଶ୍ୱାସ କରି ଆସୁଥିଲା ସତ୍ୟଜିତ୍, ଆଜି ପ୍ରଥମ ଥର ପାଇଁ ତା’ର ବିଶ୍ୱାସ ହୋଇଗଲା ଯେ ଶତ୍ରୁ ତା’ ପଛେ ପଛେ ଲାଗିଛନ୍ତି, ଯେକୌଣସି ମୁହୂର୍ତ୍ତରେ ତାକୁ ଶେଷ କରିଦେଇ ପାରନ୍ତି ।

 

ମଥା ବୁଲାଇଦେଲା, ଯନ୍ତ୍ରଣା ବଢ଼ିଲା ସର୍ବାଙ୍ଗରେ । ସେ କାତର ହୋଇପଡ଼ିଲା । ତା’ର ଅସ୍ୱସ୍ତି ଓ ଯନ୍ତ୍ରଣା ଦେଖି ମେଡ଼ିସିନ ଇଞ୍ଜେକ୍‌ସନ ଦେଇ ଶୁଆଇ ଦେଲେ ନର୍ସ ।

 

ରଘୁ ବିଚାରର ତଦ୍ରୁପ ଅବସ୍ଥା; ବରଂ ଆଉଟିକେ ଅଧିକ । ଚାଳିଶ୍‌ ବର୍ଷର କାମିକା ପ୍ରଭୁଭକ୍ତ ରଘୁ ପୁହାଣ ନିଜର ଆଣ୍ଠୁ ପାଖରୁ ନିଜର ବାମଗୋଡ଼ ହରେଇ ଶୋଇଥିଲା ଔଷଧ ବଳରେ । ପାଣି ପରି ଖର୍ଚ୍ଚ ହେଉଛି ଅର୍ଥ । ସତ୍ୟଜିତ୍ ଓ ରଘୁର ଖର୍ଚ୍ଚ ଶ୍ୟାମଳେନ୍ଦୁ ଓ ରାଧା ତୁଲାଇ ଆସିଛନ୍ତି, ଏଯାଏ ।

 

ଶ୍ୟାମଳେନ୍ଦୁ କିନ୍ତୁ ଠିକ୍‌ ଧରି ନେଇଥିଲା ଯେ, ଏହା ବି ନ୍ୟସ୍ତସ୍ୱାର୍ଥର ଚକ୍ରାନ୍ତ । ସମାଜର ମହାଶୟ ବ୍ୟକ୍ତି ସାଜି ଏଇ ନ୍ୟସ୍ତସ୍ୱାର୍ଥମାନେ ଚକ୍ରାନ୍ତ କରନ୍ତି । ସେମାନଙ୍କର ଅପରାଧର ମୁଖା ଖୋଲିଦବା ବ୍ୟକ୍ତିକୁ ନିପାତ କରନ୍ତି କଳ-ବଳ-କୌଶଳ ପ୍ରୟୋଗ କରି ।

 

କିନ୍ତୁ କିଏ ସେହି ବ୍ୟକ୍ତି ? ତା’ର ମୁଖା ଖୋଲିଦବା ଅତି ଆବଶ୍ୟକ ହୋଇପଡ଼ିଛି । ସମାଜର ସବୁ ସ୍ତରରେ ଏମାନଙ୍କର ଅବାଧ ଗତି । ରାଜଧାନୀର ସବୁ ମହଲରେ ଏମାନଙ୍କର ଆତଜାତ, ପ୍ରଭାବ ଓ ପ୍ରତିପତ୍ତି । ଅର୍ଥଦ୍ୱାରା ଏମାନେ ଆଇନର ଦାସ ନୁହଁନ୍ତି, ଆଇନ ଏମାନଙ୍କ ଦାସ । ଦରକାର ପଡ଼ିଲେ ଆଇନ ବଦଳେ ଏମାନଙ୍କ ପାଇଁ, ଏମାନଙ୍କୁ ସୁହାଇଲା ଭଳି ଆଇନର ଅର୍ଥ ଓ ଅର୍ଥାନ୍ତର ବିକାର ହୁଏ ପ୍ରୟୋଜନ ଅନୁସାରେ ।

 

ଶ୍ୟାମଳେନ୍ଦୁ ରାଧାକୁ ସତ୍ୟଜିତ୍‌ର ଯତ୍ନ ନବା ପାଇଁ ସେଠାରେ ରହିବାଲାଗି କହି ନିଜେ ବାହାରିଗଲା ପୁଲିସ୍ ସୁପରିଟେଣ୍ଡଣ୍ଟଙ୍କ ପାଖକୁ । ପ୍ରକୃତ ଘଟଣା ଜାଣିବା ସେ ଦରକାର । ତା’ ପାଖରେ ଥିବା ପ୍ରମାଣ ତାଙ୍କୁ କହିବ ସେ । ତା’ର ବିଶ୍ୱାସ ଯେ ସବୁ ପୁଲିସ୍, ସବୁ ପ୍ରଶାସକ, ସବୁ ରାଜନୀତିଜ୍ଞ ନେତା ଖରାପ ନୁହଁନ୍ତ; ସେମାନଙ୍କ ମଧ୍ୟରେ ସାଧୁ, ସଚ୍ଚୋଟ, ଯୋଗ୍ୟ ଲୋକ ବି ଅଛନ୍ତି, ଯେପରି ଧର୍ମ ଅଛି, କୁଢ଼ କୁଢ଼ ଅଧର୍ମ ଭିତରେ, ବତିଟିଏ ଜଳିଉଠେ ଘନ ଅନ୍ଧକାର ମଧ୍ୟରେ-। ସତ୍ୟ ର ଧର୍ମକୁ କେହି ଅଭ୍ୟାସ କରେ ବୋଲି ମୂଲ୍ୟବୋଧ ପ୍ରତିଷ୍ଠା ହୁଏ; କେହି କେହି ମୂଲ୍ୟବୋଧର ସୁରକ୍ଷାଲାଗି ତ୍ୟାଗ କରନ୍ତି ବୋଲି ତାହା ଜନଜୀବନରେ ବହୁ ଆଦୃତ ।

 

ପୁଲିସ୍ ସୁପରିଟେଣ୍ଡେଣ୍ଟ ସବୁ ଶୁଣିସାରି କହିଲେ, ମୁଁ ବି ରିପୋର୍ଟ ପାଇଛି ଏ ସମ୍ବନ୍ଧରେ-। ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ନିଜେ ଯାଇ ସରଜମିନ କରି ଆସିଛି ସକାଳେ । ଆପଣ ହୁଏତ ଜାଣନ୍ତି ନାହିଁ; କିନ୍ତୁ ମୁଁ ନିଶ୍ଚିତ ଯେ ଅପରାଧି ଆଇନ ହାତରୁ ଖସି ଯାଇପାରିବ ନାହିଁ । ମୋତେ କିଛି ସୂତ୍ର ଯୋଗାଇ ଥିବାରୁ ଆପଣଙ୍କୁ ଧନ୍ୟବାଦ । ମୁଁ ଏ ବିଷୟରେ ଆହୁରି ତତ୍ପରତାର ସହିତ ଅନୁସନ୍ଧାନ କରିବି, ଏ ପ୍ରତିଶ୍ରୁତି ଦଉଛି ।

 

ଶ୍ୟାମଳେନ୍ଦୁ ଖୁସି ହେଲା । ଭାରତୀୟ ପୁଲିସ୍ ସେବାର ଏଇ ତରୁଣ ଅଫିସର ମନୋରଞ୍ଜନ ସ୍ୱାଇଁଙ୍କୁ ସେ ବାରମ୍ବାର ଧନ୍ୟବାଦ ଦେଲା ତାଙ୍କର ଯୋଗ୍ୟତା ଓ ସାଧୁତା ପାଇଁ ।

 

ସେ ଏସ୍‌. ପି. ଙ୍କ ଅଫିସ ଛାଡ଼ି ବାଣୀବିହାରରେ ଅନ୍ୟକିଛି କାର୍ଯ୍ୟ ସମାପ୍ତ କରି ଫେରିଲାବେଳେ ରୂପାଲି ଛକଠାରେ ଜଣେ ଅଜ୍ଞାତ ବ୍ୟକ୍ତି ତାକୁ ହାତକୁ ଗୋଟେ ଚିଠି ବଢ଼ାଇ ଦେଇ ଯେପରି ଅପ୍ରତ୍ୟାଶିତ ଭାବରେ ଆସିଥିଲା ସେହିପରି ଅନ୍ତର୍ଦ୍ଧାନ ହୋଇଗଲା ।

 

ଶ୍ୟାମଳେନ୍ଦୁ ଚିଠି ଖଣ୍ଡେ ପଢ଼ିଲା କାଳ ବିଳମ୍ବ ନ କରି...

 

‘‘ଏ କାମ ବନ୍ଦ କର, ଦଲାଲି ଛାଡ଼, ନ ହେଲେ ସତ୍ୟଜିତ୍ ରାୟଠାରୁ ବି କଠିନ ଦଣ୍ଡ ପାଇବ ।’’

 

ପ୍ରେରକର ନାମ ଠିକଣା କୌଣସିଠାରେ ଉଲ୍ଲେଖ ନାହିଁ । ସେ ସେହି ଯୁବକର ପିଛା କଲା; କିନ୍ତୁ ସେତେବେଳେକୁ ସେ ଶହୀଦନଗରର କେଉଁ ଏକ ଗଳିରେ ଅଦୃଶ୍ୟ ହୋଇଯାଇଥିଲା-

 

ଶ୍ୟାମଳେନ୍ଦୁ ଅଯଥା ସମୟ ନଷ୍ଟ ନ କରି ଖୋଜି ଖୋଜି ପହଞ୍ଚିଲା ତିଆରି ହେଉଥିବା କଳିଙ୍ଗ ଭବନଠାରେ । ଚଉଦତାଲା କୋଠାର ନିର୍ମାଣ କାର୍ଯ୍ୟ ଖୁବ୍‌ ଯୋରସୋରରେ ଚାଲିଛି ।

 

ତଳେ ଚୌକୀରେ ବସି ଚା ପିଉଥିବା ସର୍ଦ୍ଦାରକୁ ସେ ରାମା ରାଓର ଠିକଣା ପଚାରିଲା । ରାମା ରାଓ ଯେ ଆଉ ସେଠାରେ କାମ କରେ ନାହିଁ ଏହା ଜଣାଇଲା ସର୍ଦ୍ଦାର । ସେ ହତାଶ ହୋଇ ଫେରୁଥିଲାବେଳେ ପଛରୁ କେହି ଦୌଡ଼ି ଦୌଡ଼ି ଆସୁଥିବାର ଶବ୍ଦ ବାରିପାରି ସାଇକେଲ୍‌ ଛିଡ଼ା କଲା ଶ୍ୟାମଳେନ୍ଦୁ ।

 

ଗଉରା କହିଲା,ଏଇ ରାମ ମନ୍ଦିର ପଛକୁ ଚାଲନ୍ତୁ...ଯେପରି କେହି ନ ଦେଖେ ମୋତେ... ।

 

-ତୁମେ କିଏ ? ପଚାରିଲା ଶ୍ୟାମଳେନ୍ଦୁ ।

 

-ମୁଁ ଏଇ କୋଠାରେ କାମ କରେ ।

 

-ରାମ ରାଓ କାମ କରୁଥିଲା, ଛାଡ଼ିଦେଲା କାହିଁକି ?

 

-ତାକୁ ଛଟେଇ କରିଦେଲେ ଯେ... ।

 

-କାହିଁକି ?

 

-ସେ ରାଜି ହେଲାନି ବାବୁ ଖରାପ କାମ କରିବା ପାଇଁ ।

 

-କି ଖରାପ କାମ ?

 

ଚାରିଆଡକୁ ସତର୍କ ଦୃଷ୍ଟି ଫେରାଇଆଣି କହିଲା ଗଉରା-ସିମେଣ୍ଟ ଭାଗ କମ୍‌କରି କାମ କରିବାକୁ କୁହାଗଲାରୁ ସେ ରାଜି ହେଲାନି । ବଳକା ସିମେଣ୍ଟ ତ ଠିକାଦାର ବାବୁଙ୍କ ଗୋଦାମକୁ ଯାଏ; ସେଇଠୁ ବିକ୍ରୀ ହୁଏ ।

 

-ସେ ଗୋଦାମ କୋଉଠି ।

 

-ସତ୍ୟନଗର ବସ୍ତିର ଦକ୍ଷିଣରେ । ମାଲଗୋଦାମ ପାଖରେ ।

 

-ସାଧୁ କାଣ୍ଡିକୁ ଚିହ୍ନ ?

 

-ସେ ତ ମରିଗଲା ଆଜ୍ଞା...ବିଚରା...କିନ୍ତୁ ଏତେ ଅଧର୍ମ ସହିବନି ଆଜ୍ଞା... ।

 

-ଚୋଖାନୀକୁ ସେ ମାରିଥିଲା ବୋଲି ପୁଲିସ୍‌ କହୁଛି ।

 

-ସେ ମାରିନି...ଅନ୍ୟଲୋକ... ।

 

-କିଏ ?

 

-ମୁଁ ଗରୀବ ଲୋକ ଆଜ୍ଞା...ଖଟିଖିଆ...

 

ଶ୍ୟାମଳେନ୍ଦୁ ବୁଝିଲା ଯେ, ଗଉରା ହୁଏତ ଆହୁରି ବେଶି କିଛି ଜାଣେ, ଭୟରେ କହୁନାହିଁ । ସେ ତାକୁ ସାହସ ଦେଲା ସତ କହିବା ପାଇଁ ଏବଂ ଏକଥାବି କହିଲା ଯେ, ସୂତ୍ର ନ ମିଳିଲେ କେବଳ ଅନ୍ଧାରରେ ବାଡ଼ି ବୁଲେଇବାଦ୍ୱାରା ସମସ୍ୟାର ସମାଧାନ ହୋଇପାରିବ ନାହିଁକି ସତ୍ୟର ଉଦ୍‌ଘାଟନ ହେବନାହିଁ । ସତ୍ୟଯୁଗରେ ସିନା ସତ୍ୟ ଆବୃତ ନ ହୋଇ ଦିବାଲୋକ ପରି ଝଲମଲ କରୁଥିଲା; କିନ୍ତୁ କଳିଯୁଗରେ ସତ୍ୟ ଆବୃତ ...ତାକୁ ଅନାବୃତ କରିବାକୁ ହୁଏ, ଆଉ ସେଇ କାମଟି ଭଗବାନଙ୍କ ଉପରେ ଛାଡ଼ି ନ ଦେଇ ମଣିଷକୁ ନିଜ ହାତରେ କରିବାକୁ ପଡ଼େ ।

 

ଗଉରା ଏତେ ଦର୍ଶନ କଥା ବୁଝେ ନାହିଁ । ତା’ ପେଟ ଯେ ଦିନସାରା ମେହନତ କରିବି ପୁରେନି ସେଇଟା ତା’ ପକ୍ଷରେ ଚରମ ସତ୍ୟ ।

 

ତଥାପି ଶ୍ୟାମଳେନ୍ଦୁର ଅନୁରୋଧ ଟାଳି ନ ପାରି ରହି ରହି କହିଲା ଗଉରା, ସେଇ ଗୋଦାମ ଘରକୁ ଗଲେ ସବୁ ଜାଣିବ ବାବୁ ...ସେଇ ବ୍ୟବସାୟୀ ରହୁଥିବା ଘର ଯୋଉ ଇଞ୍ଜିନିୟର ବାବୁଙ୍କର ସେ ଗୋଦାମକୁ ମାଲ ଯୋଗାନ୍ତି, ପୁଣି ମାଲ ବିକ୍ରୀ ବି କରାଇ ଦିଅନ୍ତି ।

 

-ସେ ଇଞ୍ଜିନିୟର କିଏ ?

 

-ମୁଁ ତା’ ନାମ ଜାଣେନି ଆଜ୍ଞା ... ।

 

ତା’ର ଅନେକ ପ୍ରଶଂସା କରି କହିଲା ଶ୍ୟାମଳେନ୍ଦୁ, ତୁମେ ସାହାଯ୍ୟ କରି ନ ଥିଲେ ଏଇ ତଥ୍ୟ ମୁଁ ଏତେ ଶୀଘ୍ର ପାଇ ନ ଥା’ନ୍ତି । ମନେରଖ ଯେ, ମୁଁ ତୁମର ନାମ ଠିକଣା କିଛି ପ୍ରକାଶ କରିବି ନାହିଁ; କିନ୍ତୁ ଦରକାର ହେଲେ ଆଉ ଥରେ ଦି’ ଥର ଆସିବି ।

 

-ଏଠାକୁ ନୁହେଁ; କିନ୍ତୁ ।

 

-କୋଉଠି ଦେଖାହେବ ?

 

-ଆପଣଙ୍କ ଘର କୋଉଠି କହନ୍ତୁ ...ମୁଁ ନିଜେ ଯିବି ... ।

 

ଶ୍ୟାମଳେନ୍ଦୁ ତାକୁ ଠିକଣା କହି ତା’ ପିଠି ଉପରେ ହାତ ରଖି କହିଲା, ସତ୍ୟ ଚିରଦିନ ଚାପିହୋଇ ରହେ ନାହିଁ ଗଉରା, ଦିନେନା ଦିନେ ଆତ୍ମପ୍ରକାଶ କରେ; କିନ୍ତୁ ଏଥିପାଇଁ ମୂଲ୍ୟ ଦବାକୁ ପଡ଼େ । ଆଉ ବିନା ମୂଲ୍ୟରେ ଯଦି ଚାଉଳ କିଲେ ବି ମିଳେନି ବିନା ମୂଲ୍ୟରେ ସତ୍ୟ ମିଳିବ କିପରି ?

 

ଗଉରା ଫେରିଗଲା କାମକୁ ।

 

ସର୍ଦ୍ଦାର ଗର୍ଜିଉଠି କହିଲା, ଶଳାର ଝାଡ଼ା ପରିଶ୍ରା ଲାଗି ରହିଛି... ।

 

ଗଉରା କିଛି ଉତ୍ତର ନ ଦେଇ କଡ଼େଇରେ ବାଲି ଭର୍ତ୍ତି କଲା... ।

 

ସର୍ଦ୍ଦାର ଚତୁର ବ୍ୟକ୍ତି । ତା’ ପାଖକୁ ଆସି ଫିସ୍‌ଫିସ୍‌ କରି କହିଲା, ଶିଆଳ ପରି ଶିଆଣା ହୁଅନା ବେ ଗଉରା । ମୁଁ ଦେଖିନି, ଭାବିଛି ତୁ ମୁତିବାକୁ ଯାଉଛି କହି କୁଆଡେ ଯାଇଥିଲୁ, କାହା ସହିତ କଥା କହୁଥିଲୁ ।

 

ଗଉରା ଭୟରେ ଜଡ଼ସଡ଼ ହୋଇଗଲା । ଏଇ କାମ ଯେ, ତା’ର ଭାତ ହାଣ୍ଡି ଏହା ସେ ଜାଣେ । ତଥାପି କିଏ ଯେପରି ପେଟ ଭିତରକୁ କହେ ଖାଲି ବଞ୍ଚିବା ପାଇଁ ତ ମଣିଷ ଜନ୍ମ ହୁଏନି, ତାହାରି ପରି ବଞ୍ଚୁ ବଞ୍ଚୁ ଅନ୍ୟାୟ ସହି ନ ପାରି ମୁର୍ଦ୍ଧନା ଫାଟି ମରିଯାଉଥିବା ମଣିଷଗୁଡ଼ାକୁ ବଞ୍ଚିବାରେ ସାହାଯ୍ୟ କରିବା ବି ତା’ ର ଧର୍ମ ।

 

ସର୍ଦ୍ଦାର ଗଉରାର ହାତ ଉପରେ ହାତ ରଖି କହିଲା, ତୁ ଶଳା ଯଦି ସତ ନ କହୁ ଆଜି ତୋତେ ଖୁନ୍‌ କରିବି...ଦେଖିବି କୋଉ ବାପ ତୋର ପିଠିରେ ପଡ଼ିବ... । ସତ କହ କ’ଣ ଭୁଟର ଭାଟୁର ହେଉଥିଲୁ...।

 

-ଆମ ଗାଁ ଲୋକ ଆଜ୍ଞା...ହଠାତ୍‌ ଦେଖାହୋଇଗଲା ଯେ ଭଲ ମନ୍ଦ ପଚାରୁଥିଲେ... ।

 

-ଆଉ କିଛି ନୁହେଁ ?

 

-ନା, ଆଜ୍ଞା...ସେ ବାବୁ...ମୁଁ ଗରୀବ ଖଟିଖିଆ...

 

-ଆଜିଠାରୁ ତୋ ଉପରେ ନଜର ରଖିଲି ଗଉରା ଆଉ ଯଦି କିଛି ଶୁଣେ ତୋର ପତ୍ତା ବି କେହି ପାଇବେନି... ।

 

ଗଉରାର ଦେହରୁ ଝାଳ ବୋହିଗଲା ସର୍ଦ୍ଦାରର ଗର୍ଜନ ଶୁଣି । ଫୁଲମତି ଅସଜ ମଣିଷ-। ଦିନ ପାଖ ହୋଇ ଆସିଲାଣି । ହୁଏତ ଆଜି ବା କାଲି ତା’ କୋଳ ଭର୍ତ୍ତି କରି ଜନମ ନେବ ପିଲାଟିଏ... ।

 

ସେ ହାତଯୋଡ଼ି କାକୁସ୍ଥ ହୋଇ କହିଲା...ମୁଁ ତୁମର ଅନୁଗତ ବାବୁ ଦୟାକର ମୋର ଯେମିତି ଅନିଷ୍ଟ ନ ହୁଏ...ମୋ ପ୍ରତି ଯେପରି ଅନ୍ୟାୟ ନ ହୁଏ...ଘରେ ମୋର ସ୍ତ୍ରୀ ଫୁଲମତି ନଅ ମାସ ଚାଲିଚି... ।

 

ସର୍ଦ୍ଦାର ତା’ ପିଚାରେ ହାତ ମାରି କହିଲା, ଯା ବେ ଶଳା ଶୁଆରକା ବଚ୍ଚା ଜଲଦି ଜଲଦି କାମ କର... ।

 

ଠିକ୍‌ ସେଇ ସମୟରେ ନୂଆ କଣ୍ଟେସା ଗାଡ଼ିରୁ ଓହ୍ଲେଇଲା ମାଧବାନନ୍ଦ । କଳିଙ୍ଗ ଭବନର ମହା ପରାକ୍ରମୀ ଠିକାଦାର ।

 

ତାକୁ ସ୍ୱାଗତ କରିବାଲାଗି ଦୌଡ଼ିଲା ସର୍ଦ୍ଦାର, ଦୌଡ଼ି ଆସିଲେ ଛାଟିଆ, ମିସ୍ତ୍ରୀ ଓ ଇଞ୍ଜିନିଅର ।

 

ଘଟଣାଚକ୍ରରେ ପଡ଼ି ମାଧବାନନ୍ଦ ଓ ସୁକୁମାର ମିଶ୍ର କେବଳ ପରସ୍ପରର ବନ୍ଧୁ ହୋଇଗଲେ ନାହିଁ, ପରସ୍ପରର ସହଯୋଗୀ ଭାବରେ କାମ କରିବା ପାଇଁ ନିଶ୍ଚୟ କଲେ । ସୁକୁମାର ମନ୍ତ୍ରୀଙ୍କ ଘରେ ବସି ତାଙ୍କୁ ଘେରିଥିବା ଜାଲରୁ ମୁକ୍ତି ପାଇବାଲାଗି ଉପାୟ ଉଦ୍ଭାବନା କରୁଥିବା ସମୟରେ ମାଧବାନନ୍ଦ ସେଠାରେ ଉପସ୍ଥିତ ହେବାର ଦେଖି ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଉଭୟଙ୍କୁ ପରିଚୟ କରାଇଦେଲେ । ଉଭୟ ତାଙ୍କର ସମର୍ଥକ ଓ ପୃଷ୍ଠପୋଷକ ହୋଇ ମଧ୍ୟ କିପରି ନିଜ ନିଜର ସ୍ୱତନ୍ତ୍ର ଚତୁଃସୀମାରେ ବିଚରଣ କରୁଥିଲେ ତାହା ଜାଣି ମନ୍ତ୍ରୀ ଆଶ୍ଚର୍ଯ୍ୟ ହେଲେ । ସେ ଯାହାହେଉ ଏବେ ଆଉ ନିଜର ଦୁର୍ଗ ନିର୍ମାଣ ନ କରି ଦଳର ଦୁର୍ଗ ନିର୍ମାଣ କରିବାର ବେଳ ଉପନୀତ ହୋଇଥିବା ଉଲ୍ଲେଖ କରି ସେ ପୌରସଭା ଓ ବିଧାନସଭା ଲାଗି ହେଉଥିବା ଆଗାମୀ ନିର୍ବାଚନ ସମ୍ପର୍କରେ ମଧ୍ୟ ଉଲ୍ଲେଖ କଲେ । ଦଳ ଯଦି କ୍ଷମତାରେ ରହିବାକୁ ଚାହେଁ କର୍ମୀମାନଙ୍କୁ ଆଳସ୍ୟ ଓ ବାଦବିବାଦ ଭୁଲି କଠୋର ପରିଶ୍ରମ କରିବାକୁ ପଡ଼ିବ । ଶାସନାରୁଢ଼ ଦଳର ସମ୍ୱଳର ଅଭାବ ନାହିଁ ସତ; କିନ୍ତୁ କେବଳ ଏହାହିଁ ନିର୍ବାଚନ ଜିତିବାଲାଗି ଯେ ଯଥେଷ୍ଟ ନୁହେଁ ଏହା ବୁଝାଇଦେଲେ ମନ୍ତ୍ରୀ । ସେ ଆହୁରି ବି ସ୍ପଷ୍ଟ ଭାବରେ କହିଲେ ଯେ, ଦଳ ରହିଲେ ସେମାନେ ରହିବେ । ସେମାନଙ୍କର ନିଜ ନିଜର ସ୍ୱତନ୍ତ୍ର ଅସ୍ତିତ୍ୱ ଓ ମର୍ଯ୍ୟାଦା ନିରର୍ଥକ ଯେତେବେଳେ ସେତେବେଳେ ସମସ୍ତେ ଏକତ୍ର ଏକ ମନରେ ଦଳର ଓ ନେତାଙ୍କର ହାତମୁଠା ଟାଣ କରିବା ଦରକାର ।

 

ନେତାଙ୍କର ହାତମୁଠା ଖାଲି କଥାରେ ଟାଣ ହୁଏନାହିଁ । ମନ୍ତ୍ରୀ ଶ୍ରୀଚରଣ ମାନଧାତା ବଳିଆରସିଂ କହିଲେ ଯେ, ସୁକୁମାର ଯଦି ତାଙ୍କର ଡାହାଣ ହାତ, ମାଧବାନନ୍ଦ ବାମ ହାତ, ଦୁହିଁଙ୍କୁ ନେଇ ତାଙ୍କର ଦଳ ଓ ବଳ ।

 

ତାଙ୍କରି ମୁହଁରୁ ସେମାନେ ପ୍ରଥମେ ଶୁଣିଲେ ଯେ, ମ୍ୟୁନିସିପାଲଟି ନିର୍ବାଚନ ହେବ ମାର୍ଚ୍ଚ ଏକ, ଆଉ ଚାରିଟି ଦିନ । ରାଜଧାନୀର ପୈାରପରିଷଦକୁ ଉପେକ୍ଷା କରାଯାଇ ନ ପାରେ । ଏଠାରେ ଶକ୍ତି ପରୀକ୍ଷାରେ ଯିଏ ଉତ୍ତୀର୍ଣ୍ଣ ହେବ ତାହାରି ହାତରେ ରହିବ ଶାସନ । ଏଇ ଅପୂର୍ବ ସୁଯୋଗ ହାତଛଡ଼ା ହୋଇଗଲେ ତାଙ୍କର ମୁଖ୍ୟମନ୍ତ୍ରୀ ହେବାର ଆଶା ଧୂଳିସାତ୍‌ ହୋଇଯିବ । ମ୍ୟୁନିସିପାଲିଟି ନିର୍ବାଚନର ତିନିମାସ ପରେ ବିଧାନସଭା ନିର୍ବାଚନ । ସେତେବେଳକୁ ନୂଆ ନେତାଙ୍କର ଭିତ୍ତିଭୂମି ପ୍ରସ୍ତୂତ ହୋଇ ସାରିଥିବା ଆବଶ୍ୟକ, ନହେଲେ ନେଡ଼ିଗୁଡ଼ କହୁଣୀକୁ ବୋହିଯିବ ।

 

ସୁକୁମାର ଓ ମାଧବାନନ୍ଦ ସମସ୍ୱରରେ କହିଲେ, ଯାହା କହିବେ ଆମେ କରିବାଲାଗି ପ୍ରସ୍ତୁତ ଆପଣ ବିଶ୍ୱାସ କରି କୁହନ୍ତୁ କଅଣ କରିବାକୁ ହେବ । ସବୁ ପ୍ରକାର ବଳିଦାନ ପାଇଁ ଆମେ ତିଆର ।

 

ମନ୍ତ୍ରୀ ଖୁସି ହେଲେ । ଅନୁଗାମୀର ପ୍ରଥମ ଲକ୍ଷଣ ଅବିଭାଜ୍ୟ ଓ ତା’ପରେ ଅନ୍ଧ ଅନୁସରଣ । ଏଥିରେ ସାଲିସ୍‌ କରାଯାଇ ପାରେନା । ରାଜନୀତିରେ ବିଭକ୍ତ ଆନୁଗତ୍ୟ ସ୍ୱୀକାର କରାଯାଏ ନାହିଁ । ସର୍ବମୟକର୍ତ୍ତା ହେବାକୁ ହେଲେ ସମସ୍ତଙ୍କର ଆନୁଗତ୍ୟ ଲୋଡ଼ା । ଦଳକୁ ଅକ୍ତିୟାର ନ କଲେ ଆସନ୍ତା ସୁଯୋଗ କେବଳ ସ୍ୱପ୍ନରେ ରହିଯିବ । ସ୍ୱାୟତ୍ତଶାସନ ମନ୍ତ୍ରୀ ଓ ଦଳର ସଭାପତି ତାଙ୍କର ପ୍ରତିଦ୍ୱନ୍ଦୀ । ସେମାନଙ୍କୁ କଳ-ବଳ-କୌଶଳ ପ୍ରୟୋଗ କରି ହଟାଇ ଦେଇ ପାରିଲେ ସେ ନିଷ୍କଣ୍ଟକ ହେବ । ବର୍ତ୍ତମାନର ମୁଖ୍ୟ ବୃଦ୍ଧ ଓ ଅସମର୍ଥ । ତାଙ୍କ କାନ୍ଧ ଉପରେ ସବୁ ଭାର ଲଢ଼ିଦିଦେଇ ଏଯାଏ ଚଳେଇ ଆସିଲେ, ଏଇ ସୁଯୋଗରେ ତାଙ୍କୁ ଦାୟିତ୍ୱରୁ ନିଷ୍କୃତ ଦେଇ ସେ ଯଦି ଦଳ ଓ ଶାସନର ମୁଖ୍ୟ ନ ହୋଇପାରିବେ ଜୀବନ ବୃଥା ହୋଇଯିବ, କୋଡିଏ ବର୍ଷର ରାଜନୀତିର କୌଣସି ମୂଲ୍ୟ ରହିବ ନାହିଁ ।

 

ଶ୍ରୀଚରଣ ମାନଧାତା ବଳିଆରସିଂ ଦୁହିଁଙ୍କ ମୁହଁ ଉପରେ ଆଖି ରଖି କହିଲେ, ତୁମେ ମୋ କାମ କର, ମୁଁ ତୁମ କାମ କରିବି । ସ୍ୱାର୍ଥର ଜଗତ ଇଏ; କିନ୍ତୁ ଆମେ ଦେଶ ପାଇଁ, ଲୋକଙ୍କ ହିତ ପାଇଁ କରୁ । ଅନ୍ୟମାନେ ସଂକୀର୍ଣ୍ଣ ସାଧନ ପାଇଁ କରନ୍ତି ।

 

ସୁକୁମାର କାଳ ବିଳମ୍ୱ ନ କରି କହିଲା, ମୋ ବିରୁଦ୍ଧରେ ଆଇ. ଜି. ଲାଗିଚି । ତାକୁ ଦୂର କରିଦେଲେ ସମସ୍ୟା ତୁଟିବ । ମୂଳୁ ମାଇଲେ ଯିବ ସରି... ।

 

ମନ୍ତ୍ରୀ ଚତୁର ବ୍ୟକ୍ତି । ସେ କହିଲେ, ମୋ’ କଥା ନ ଶୁଣିଲେ ସେ ଅଗ୍ନିଶମ ସେବାକୁ ଯାଇ ଅଗ୍ନି ନିର୍ବାପନ କରିବ । ମୋତେ ବଳେଇଯିବ ଛାର ଜଣେ ପୁଲିସ୍‌ ଅଫିସର... ।

 

ମୋତେ ସେ ଅପମାନ କରିବାକୁ ପଛେଇନି ସାର୍‌... । ପ୍ରାୟ କାନ୍ଦିବା ଭଳି କହିଲା ସୁକୁମାର ।

 

ସେ ଲୋକଟାର ଚରିତ୍ରଦୋଷ ଅଛି ସାର୍‌ । କଳିଙ୍ଗ ଭବନ ନିର୍ମାଣ କାର୍ଯ୍ୟ ଚାଲିଥିଲାବେଳେ ଗୋଡ଼ ଖସିଯିବାରୁ ଜଣେ ଶ୍ରମିକ ଭାଡ଼ାରୁ ପଡ଼ି ମରିଗଲା । ତା’ ର ସତ୍କାର କରିବା ପାଇଁ ପାଞ୍ଚଶହ ଟଙ୍କା ମୋ ପକେଟରୁ ନିଜେ ଦେଇଛି । ସେଇ ଆଇ. ଜି. କିନ୍ତୁ ମୋ ବିରୁଦ୍ଧରେ ଅବହେଳା ଓ ଅନ୍ୟାନ୍ୟ ଅଭିଯୋଗରେ କେସ୍‌ କରିବାକୁ ଅର୍ଡ଼ର ଦେଇଛି ଏସ୍‌.ପି.ଙ୍କୁ...ମୁଁ ତ ସରିଯିବି ସାର୍‌ ଇମିତି କଲେ... ।

 

ମନ୍ତ୍ରୀ ବଟୁଆ ଖୋଲି କସ୍ତୁରୀ ଓ ବାବା ଜର୍ଦ୍ଦାଦିଆ ସୁବାସିତ ଏକ ବଡ଼ ପାନଖିଲ ପାଟି ଭିତରେ ରଖି କହିଲେ, ମୁଁ କହିଛି ନା ତୁମେ ଦୁହେଁ ମୋ କାମ କର...ମୁଁ ତୁମ କାମ କରିବି । ଲାଗିଯାଅ କାମରେ । ନିର୍ବାଚନରେ ପ୍ରତ୍ୟେକ ଭୋଟର ଯେପରି ଆମ ଦଳକୁ ଭୋଟ ଦିଏ । ସାହିର ଦାଦାମାନଙ୍କୁ ଲଗେଇ ଦିଅ କାମରେ । ଦରକାର ହେଲେ କଟକରୁ ମାଲ ଓ ମସ୍ତାନ ଉଭୟ ଆଣ । ଖର୍ଚ୍ଚ କରିବାକୁ କୁଣ୍ଠା ନ କର ଯେପରି...ତୁମେ ନିଶ୍ଚିନ୍ତ ଥାଅ...ପୁଲିସ୍‌ ପୁଅ କେଡ଼େ ପାରିବାର ମୁଁ ଦେଖିବି... ।

 

ସୁକୁମାର କହିଲା, ସେଇ ଏକ୍‌ଜିକିଉଟିଭ ଇଞ୍ଜିନିଅରଙ୍କୁ ସସ୍‌ପେଣ୍ଡ କରିଦେଲେ ସାର୍‌... ।

 

-କାହିଁକି ? ମୁଁ ତ ଫାଇଲରେ ତା’ ସପକ୍ଷରେ ଯୁକ୍ତି କରି ସି.ଏମ୍‌.ଙ୍କୁ ଫାଇଲ ପଠେଇଥିଲି ।

 

-କେଜାଣି କଅଣ ହେଲା ? ସେ ଆମ ଦଳକୁ ମୋଟା ଅଙ୍କର ଚାନ୍ଦା ଦିଏ । ଯାହାର ଯେମିତି ଦରକାର ମାଲ ପଠାଏ । ଏଠାରେ ମାଲ ମିଳିବା ଅସମ୍ଭବ, କଲିକତା ସହିତ କଣ୍ଟାକ୍‍ଟ ଅଛି ତା’ ର । ସେ ନିଷ୍କର୍ମା ହୋଇଗଲେ ଆମ ଭେଳା ବି ବୁଡ଼ିବ... ।

 

ମନ୍ତ୍ରୀ କହିଲେ, ଏସବୁ ବିଷୟରେ ବିଚଳିତ ହେଲେ ଚଳିବ ନାହିଁ । ସେ ଶଳା ନଗ୍ନ ଫଟୋ ସବୁ ଉଠାଉଥିଲା କାହିଁକି ? ମାଲ ଆଣିଲୁ ଭଲ କଥା । ମାଇକିନିଆ ନ ହେଲେ କାମ ଚଳୁନି ମୁଁ ଜାଣେ; କିନ୍ତୁ ତା’ ବୋଲି ଶଳା ମଦ ଖାଇ ମଦଘଡ଼ି ବେକରେ ବାନ୍ଧି ନାଚିବୁ ।

 

ମୁଖ୍ୟମନ୍ତ୍ରୀଙ୍କୁ ଟିକେ କହିଲେ ହୁଅନ୍ତାନି ସାର୍‌... ।

 

ବେଳକାଳ ଦେଖି କହିବି । ହଠାତ୍‌ ନୁହେଁ । ଖବରକାଗଜରେ ଯାହା ବାହାରୁଛି ଦେଖୁଥିବ । ଭାଗ୍ୟ ଭଲ ମୋ ନାମରେ କିଛି ବାହାରିନି ଏଯାଏ... ।

 

-ଆପଣଙ୍କ ବିଷୟ ସବୁବେଳେ ଗୋପନୀୟ ସାର୍‌ । ଏଇଟା ମୋର ଟ୍ରେଡ଼୍‍ ସିକ୍ରେଟ... ।

 

-ତୁମକୁ ଧନ୍ୟବାଦ: କିନ୍ତୁ ଏଇ ମୌକାରେ ଯଦି ଦଳପତି ଓ ସ୍ୱାୟତ୍ତ ଶାସନ ମୁହଁରେ କାଳି ବୋଳିଦେଇ ପାରନ୍ତି, ନିର୍ଦ୍ଦୋନ୍ଦ୍ୱରେ ସବୁ ହୋଇଯାଆନ୍ତା ।

 

-ଦଳପତିଙ୍କର ଏ ଦୁର୍ବଳତା ନୁହେଁ, ଅନ୍ୟ ଦୁର୍ବଳତା ଅଛି । କଲିକତାରେ କୋଠା ତିଆରି ଚାଲିଚି... ।

 

ଚୌକୀରେ ଆଉଜି ଗୋଡ଼ ଟେବୁଲ ଉପରେ ରଖିଥିଲେ ମାନଧାତା; କିନ୍ତୁ ଏଇ ନୂଆ ଖବର ପାଇ ସଳଖି ଯାଇ କହିଲେ, କଅଣ କହିଲ ?

 

-ନୂଆ କୋଠା ତିଆରି ଚାଲିଛି କଲିକତାରେ, କୋଟିଏ ଟଙ୍କାର କୋଠା... ।

 

-ଏତେ ଟଙ୍କା ?

 

-ଆପଣ ଧୈର୍ଯ୍ୟ ଧରନ୍ତୁ । ମୋ ଆଖିରେ ଧୂଳିଦେଇ କେହି ବର୍ତ୍ତି ଯାଇପାରେନି । ମୋ ଲୋକ ଲାଗିଛନ୍ତି ଠିକ୍‌ ସମୟରେ ସବୁ ବିବରଣୀ ପାଇବେ ଆପଣ ।

 

ମନ୍ତ୍ରୀଙ୍କୁ ଖୁସ୍‌ କରିବା ପାଇଁ କହିଲେ ମାଧବାନନ୍ଦ ।

 

-ମାଧବ ଭଲ କାମ କରୁଛି ସୁକୁମାର... । ତୁମେ ସ୍ଵାୟତ୍ତଙ୍କୁ ଶାସନ କରି ପାରିବନି ?

 

-ସେ ତ ଉଭୟ ମାଲର ଭକ୍ତ ସାର୍‌... ।

 

-ଫଟୋ ରଖିଚ ?

 

-ନାଁ... ।

 

-ଫଟୋ ଉଠାଅ...ପ୍ରମାଣ ପାଖରେ ନ ଥିଲେ ହାଇକମାଣ୍ଡ ମାନିବନି ।

 

-ମୁଁ ଚେଷ୍ଟା କରିବି ।

 

-ମୁଁ କହିଛି ନା ଚେଷ୍ଟା କରିବି ବୋଲି କହିବନି ମୋ ଆଗରେ । କେବଳ କହିବ, କରିବି ବା ପାରିବି ନାହିଁ... ।

 

-ଆଜ୍ଞା ଶିରୋଧାର୍ଯ୍ୟ... ।

 

ମନ୍ତ୍ରୀ ଟେବୁଲ ଉପରେ ଗୋଟେ ଜଉମୁଦଦିଆ ବଡ଼ ଲଫାପା ରଖି ମାଧବାନନ୍ଦ ଉଠିଲେ ସୁକୁମାର ସହିତ ।

 

ମନ୍ତ୍ରୀ ଚାହିଁଲେ ତାଙ୍କ ମୁହଁକୁ ।

 

ମାଧବାନନ୍ଦ ଦୁଇ ବାହୁ ଊର୍ଦ୍ଧ୍ୱକୁ କରି ଦୁଇ ହାତର ଦଶ ଆଙ୍ଗୁଳି ଖୋଲିଦେଲା ।

 

ମନ୍ତ୍ରୀ ବୁଝିଗଲେ । ସକାଳର ବହନିଟା ମନ୍ଦ ନୁହେଁ । ଦଶ ହଜାରରୁ ଆରମ୍ଭ ହେଉ ।

 

ସେ କିନ୍ତୁ ସେମାନଙ୍କୁ ତାଗିଦ କରିଦେଇ କହିଲେ, ନିର୍ବାଚନ ପାଇଁ ସଜବାଜରେ ତ୍ରୁଟି ନ କରି ଯେପରି । ଗାଡ଼ି, ମାଇକ୍‌, ସ୍ୱେଚ୍ଛାସେବକ ଯାହା ଦରକାର ସେଥିରେ ସଙ୍କୋଚ ନ କର ଯେପରି ।

 

ଆପଣ ଦେଖିବେନି ! ପ୍ରାୟ ସମସ୍ୱରରେ କହିଲେ ସୁକୁମାର ମିଶ୍ର ଓ ମଧବାନନ୍ଦ ପାତ୍ର-

 

ସେମାନେ ବିଦାୟ ନେଇ ଚାଲିଗଲା ପରେ ଆଇ.ଜି.ଙ୍କୁ ଫୋନ୍‌ କଲେ ମନ୍ତ୍ରୀ ଶ୍ରୀଚରଣ ମାନଧାତା ବଳିଆରସିଂ... ।

 

ସମୟ ଅଣ୍ଟୁନି ରାଧାକୁ । ବିଶାଖା ପୁଅ ଜନ୍ମ କରି ତା’ ପାଖରେ ଅଛି, ସାହାଯ୍ୟ କରୁଛି, ତଥାପି ରାଧାର ମନେହୁଏ ଯେ, ଦିନଟା ଯଦି ଚବିଶ ଘଣ୍ଟାର ନ ହୋଇ ତିରିଶ ଘଣ୍ଟାର ହୋଇଥାଆନ୍ତା ସେ ଯେଉଁ ଦିନର କାମ ସେଇଦିନ ଶେଷ କରିପାରନ୍ତା, ହାତରେ ବଳକା କାମ ରହି ଯାଆନ୍ତା ନାହିଁ, ତାକୁ ଅନିଦ୍ରା ହବାକୁ ପଡ଼ନ୍ତା ନାହିଁ; କିନ୍ତୁ ତା’ ପାଇଁ ସମୟ ତ ବଦଳିବ ନାହିଁ ବରଂ ତାକୁ ବଦଳିବାକୁ ପଡ଼ିବ, ଯେମିତି ବଦଳନ୍ତି ଲୋକମାନେ । ସମୟକୁ ଚାହିଁ ବଦଳି ଚାଲିଛି ସଭ୍ୟତା । ମଣିଷ ଯେଉଁଠି ସମୟ ସହିତ ତାଳଦେଇ ବଦଳି ପାରେନା ସେଇଠି ସୃଷ୍ଟି ହୁଏ ସମସ୍ୟା, ସେଠାରେ ଦେଖାଦିଏ ସଙ୍କଟ । ସେହିପରି ଗୋଟେ କିଛି ସଙ୍କଟ ପଡ଼ିଛି ନିଶ୍ଚୟ, ନ ହେଲେ ଯାହା ହବା କଥା ତାହା ଘଟିଛି କାହିଁକି । ରାଧା ମହାପାତ୍ର ଯେତିକ ଭାବେ, ସେତିକ ବିସ୍ମିତ ହୁଏ । ତା‘ ଆଖିଆଗରେ ବଦଳୁଥିବା ପୃଥିବୀର ରୂପ ଉନ୍ମୀଳିତ ହୁଏ ଫୁଲର କଢ଼ ଫୁଟିବା ପରି । ଅତୀତକୁ ବାଦ୍‌ ଦେଇ ନୁହେଁ ଅତୀତକୁ ଭିତ୍ତିକରି ଯେଉଁ ବର୍ତ୍ତମାନ ଚାଲିଛି ତାହାରି ଉପରେ ପୁଣି ଗଢ଼ା ହେବ ଭବିଷ୍ୟତ । ଏଇ ପରିବର୍ତ୍ତନ ଭିତରେ ସଂଯୋଗର ସେତୁହିଁ ଚିରନ୍ତନ ।

 

ସେ କିନ୍ତୁ ଅତୀତକୁ ବିସର୍ଜନ ଦେଇ ବର୍ତ୍ତମାନକୁ ତିଆରି କରୁଛି । ଏଇ ବର୍ତ୍ତମାନ ଉପରେ ଗଢ଼ି ଉଠିବ ତା’ର ଭବିଷ୍ୟତ ।

 

ଦେଶକୁ ଗଢ଼ିବା ପାଇଁ ବର୍ତ୍ତମାନକୁ ବଳିଦବାକୁ ହୁଏ, ଯେପରି ସନ୍ତାନର ସୁଖ ପାଇଁ ତ୍ୟାଗ କରନ୍ତି ପିତାମାତା ।

 

ରାଧା ମହାପାତ୍ର ନିର୍ବାଚନରେ ଛିଡ଼ା ହେବ ନାହିଁ ବୋଲି ଜିଦ୍‌ ଧରିଥିଲା; କିନ୍ତୁ ମଧୁ ମାଷ୍ଟର ଶେଷ ଅସ୍ତ୍ର ଯେତେବେଳେ ପ୍ରୟୋଗ କଲେ ସେ ମନା କରିପାରିଲା ନାହିଁ । ମଧୁ ମାଷ୍ଟର ଯୁକ୍ତି କଲେ । ସମାଜ ଆପେ ଆପେ ବଦଳେ ନାହିଁ; ଶାସନ ମନକୁ ମନ ପରିବର୍ତ୍ତିତ ହୁଏ ନାହିଁ; ଏଇ କାମ ଲୋକମାନଙ୍କୁ କରିବାକୁ ହୁଏ । ସମାଜ ଓ ଶାସନ ବ୍ୟବସ୍ଥା ଯଦି ସମୟାନୁକୂଳ ହେଉନାହିଁ ତାହା ଯେପରି ସମୟାନୁକୂଳ ହୁଏ ଏହା କରିବାକୁ ପଡ଼ିବ । ଆଉ ସେଇ କାମ ଅନାଗତ ପାଇଁ ଛାଡ଼ି ନ ଦେଇ ଆଜି ନ କଲେ ଅନଶନ କରି ତା’ର ପ୍ରତିବାଦ କରିବା ଛଡ଼ା ଅନ୍ୟପନ୍ଥା ନାହିଁ ତାଙ୍କ ପାଖରେ ।

 

ରାଧା ମାନିଗଲା । ନିର୍ବାଚନରେ ସତ୍ୟନଗରର ପ୍ରତିନିଧିତ୍ୱ କରିବାଲାଗି ତାକୁ ସୁଯୋଗ ଦବା ପାଇଁ ସେ ନିବେଦନ କରି ଯେତେବଳେ ସୁର୍ଯ୍ୟୋଦୟ କ୍ଲବ୍‌ ଆଗରେ ଭାଷଣ ଦେଲା ନିଜର ସଙ୍କଳ୍ପ ଶୁଣି ନିଜେ ଚକିତ ହୋଇଗଲା ।

 

ନିର୍ବାଚନ ପ୍ରଚାର ତେଜିଉଠିଲା ଦିନ କେଇଟାରେ ।

 

ସତ୍ୟନଗର ବସ୍ତି ଲୋକଙ୍କ ବ୍ୟବହାର ପାଇଁ ଥିବା ପାଣିକଳରୁ ଦୁଇଟା ଖରାପ ହୋଇଯାଇଥିଲା କେତେଦିନ ହେଲା, ଯେତେ ଅନୁନୟ ବିନୟ କଲେ ବି କେହି ଆସୁନାହାନ୍ତି କଳ ସଜାଡ଼ିବା ପାଇଁ ।

 

ରାଧାର ଅନୁରୋଧ ରକ୍ଷାକରି ତାହାରି ସମ୍ମୁଖରେ ଯେତେବେଳେ କଳ ସଜାଡ଼ିବାଲାଗି କାମ ଆରମ୍ଭ କଲା ସହଦେବ, ତାକୁ ସେଥିରୁ ନିବୃତ୍ତ ରହିବାକୁ କହି ଅରକ୍ଷିତ ସମସ୍ତେ ଶୁଣିପାରିବା ଭଳି ସ୍ୱରରେ କହିଲା ଯେ, ସରକାରୀ କଳ ଖୋଲିବା କେବଳ ଅନିଧିକାର କାର୍ଯ୍ୟ ନୁହେଁ, ଏହା ଆଇନବିରୁଦ୍ଧ ମଧ୍ୟ; କିନ୍ତୁ ସହଦେବକୁ କାମ କରିଯିବାକୁ କହିଲା ରାଧା ଅରକ୍ଷିତ ପ୍ରତି ଭ୍ରୁକ୍ଷେପ ନ କରି

 

କୋଉଠି ଥିଲେ କେଜାଣି ସହଦେବକୁ ବାଧାଦବା ପାଇଁ ତା’ ଉପରକୁ ଡେଇଁପଡ଼ିଲେ ଦୁଇଜଣ ଅରକ୍ଷିତର ସମର୍ଥକ । ଧସ୍ତାଧସ୍ତି ଲାଗିଗଲା ଆଖିପିଛୁଳାରେ । ରାଧାକୁ ଦୂରକୁ ଟାଣି ନେଇଗଲାବେଳେ ମଧୁ ମାଷ୍ଟର କହିଲେ, ଏଇ ଗୁଣ୍ଡାଗିରି, ଉତ୍ପାତ ବେଶିକାଳ ଲୋକେ ସହ୍ୟ କରିବେ ନାହିଁ ।

 

ଅରକ୍ଷିତ ଖତେଇ ହବାଭଳି କହିଲା, ଅଦା ବେପାରୀ ଜାହାଜ ମୂଲ ନ କରି ନିଜ ବ୍ୟବସାୟ ଦେଖିବା ଉଚିତ ।

 

ରାଧାର ସମର୍ଥକମାନଙ୍କୁ ଉଦ୍‌ବୋଧନ ଦେଇ କହିଲେ ମଧୁ ମାଷ୍ଟର, ହିଂସାର ମୁକାବିଲା ହିଂସାଦ୍ୱାରା ନ କରି ପ୍ରେମଦ୍ୱାରା କର । ଯୀଶୁ ଯେପରି ଗୋଟିଏ ଗାଲରେ ମାଡ଼ ଖାଇ ଅନ୍ୟ ଗାଲ ଦେଖାଇ ଦେଇଥିଲେ ସେହିପରି କରଭଗବାନ ସେମାନଙ୍କୁ ସଦ୍‌ବୁଦ୍ଧି ଦେବେ

 

ରାଧା କିନ୍ତୁ ଗରଗର ହେଉଥିଲା ରାଗରେ । ତାହାରି ଆଗରେ ତା’ ଲୋକଙ୍କୁ ଅପମାନ କରି ଚାଲିଗଲା ଅରକ୍ଷିତ । ବସ୍ତିର ଲୋକେ ପାଣି ଅଭାବରୁ ହନ୍ତସନ୍ତ ହେଲେଣି ମାସେ ହେବ । ଶହୀଦ ନଗର ବା ତିନି ନମ୍ବରକୁ, କେହି କେହି ରମାଦେବୀ ବା ରାମ ମନ୍ଦିର ଅଞ୍ଚଳକୁ ପାଣି ମାଠିଆଏ ଆଣିବା ପାଇଁ ଯାଆନ୍ତି ରାତି ପାହିଲେ । ଦିନ ଦିନ ଧରି ନ ଗାଧୋଇ ମଇଳା ଦିଶୁଛନ୍ତି ପିଲାଗୁଡ଼ା ।

 

ସେତେବେଳେକୁ ନୁଖୁରା ଧୂଳିଧୂସରିତ ପିଲାଗୁଡ଼ା ଧାଡ଼ିବାନ୍ଧି ହାତରେ ଫ୍ଲାକାଡ଼୍‌ ଧରି ସ୍ଲୋଗାନ ଦବାକୁ ଆରମ୍ଭ କରିଥାଆନ୍ତି–

 

ସତ୍ୟନଗର କରେ ପୂକାର

 

ରାଧା ମହାପାତ୍ର ଜୟ-ଜୟକାର ।

 

ଆମର ବଳ ତୁମର କଳ

 

ପଳେଇ ଯାଅ ସରକାରୀ ଦଳ ।

 

ଠିକ୍‌ ସେହି ସମୟରେ ସେଠାରେ ପହଞ୍ଚିଲା ସତ୍ୟଜିତ୍‌ । ମୋଟର ସାଇକେଲ୍‌ରୁ ଓହ୍ଲେଇ ପଡ଼ି ସେମାନଙ୍କ ପାଖକୁ ଆସି କହିଲା ସେ, ବସ୍ତିର, ପୁରୁଣା ସହରର, ଦୁଇ ନମ୍ବର, ତିନି ନମ୍ବର, ବାପୁଜୀ ନଗର, ବୃଦ୍ଧ ନଗର, ସୂର୍ଯ୍ୟ ନଗର ଓ ଆଠ ନଅ ନମ୍ବରର ଲୋକ ଆମ ପକ୍ଷରେ-। ସ୍ୱାୟତ୍ତ ଶାସନ ସଂଘର ଜୟ-ଜୟକାର ସବୁଠାରେ ।

 

ମଧୁ ମାଷ୍ଟର କିନ୍ତୁ ସତର୍କ କରିଦେଇ କହିଲେ, ଆହୁରି ସାତଦିନ ଅଛି ନିର୍ବାଚନକୁ । ଏଇ ସାତଦିନରେ କଅଣ ହେବ କେଜାଣି । ଟଙ୍କା ମୁଣିର ମୁହଁ ଖୋଲିଲେ ଲୋକଙ୍କ ଭିତରୁ କେତେଜଣ ଆମ ସହିତ ରହିବେ ଦେଖାଯିବ ସେତେବେଳେ, ସେମାନଙ୍କ ଚକ୍ରାନ୍ତ ବୁଝିବା କଷ୍ଟକର । ଚନ୍ଦନ ଘୋଟୁଛନ୍ତି ଶ୍ରୀଚରଣ ମାନଧାତା ବଳିଆରସିଂ, କେତେବେଳେ ଚିତା କାଟିବେ କିଏ ଜାଣେ ।

 

ହସି ଉଠିଲେ ସମସ୍ତେ ।

 

ସତ୍ୟଜିତ୍‌ ସେଇ ହସରେ ଯୋଗ ଦେଇସାରି ଗମ୍ଭୀର ସ୍ୱରରେ କହିଲା, ଅର୍ଥ ବଳକୁ ପରାସ୍ତ କରିବାକୁ ପଡ଼ିବ ।

 

ମୁଁ ତୁମ ସହିତ ଏକମତ...କିନ୍ତୁ ଅର୍ଥବଳକୁ ଉପେକ୍ଷା ନ କରି ତା’ର ମୁକାବିଲା କରିବାଲାଗି ଉପାୟ ବାହାର କର... ।

 

ସେଇ ସମୟରେ ରାମା ରାଓ ଆସି ଖବର ଦେଲା ଯେ, ସରକାର ସତ୍ୟନଗରର ବସ୍ତି ଉଚ୍ଛେଦ ବନ୍ଦ କରିବା ଲାଗି ଘୋଷଣା କରିଛନ୍ତି ।

 

ମଧୁମାଷ୍ଟର କହିଲେ, ଶୁଣିଲ !

 

ରାମାରଓ କହିଲା, ଏତିକ ନୁହେଁ, ଆହୁରି ପାଞ୍ଚଟା ନଳକୂପ ବସେଇବା ପାଇଁ ସରକାର ଆଦେଶ ଦେଇ ସାରିଲେଣି ।

 

ରାଧା ମହାପାତ୍ର କହିଲା, ତା’ହେଲେ ତ ଭଲ କଥା । ଆମେ ଲୋକଙ୍କ ପାଇଁ ଲଢ଼ୁଛେ...ସେମାନଙ୍କର ଯଦି ସୁବିଧା ହୁଏ ଖୁସିର ବିଷୟ ।

 

ପିଲାମାନେ କିନ୍ତୁ ସ୍ଲୋଗାନ ଦଉଥାଆନ୍ତି, ଗହ୍ମା ପୁନେଇଁରେ ମାଇଁ, କହିଲେ ଚଳିବ ନାହିଁ... ।

 

ଅରକ୍ଷିତ ଦାସର ଅର୍ଥବଳ ଅନେକ । ସ୍ୱୟଂ ଘରୋଇ ମନ୍ତ୍ରୀଙ୍କ ବାହନ ସେ । କେହି କେହି କହନ୍ତି ଚେଲା, ଆଉ କେହି ଚାମଚା । ଦଶବର୍ଷ ତଳେ ଏଇ ସତ୍ୟନଗରର ଶେଷ ମୁଣ୍ଡରେ ଜବର ଦଖଲ କରି ଖଣ୍ଡେ ପାନ ଦୋକାନ ଖୋଲିଥିବା ଅରକ୍ଷିତକୁ ଆଉ ଚିହ୍ନି ହେଉନି । ସେ ମଇଳା କୋଚଟା ଧୂତି ଖଣ୍ଡକ ସହିତ ଛିଡ଼ା ଗେଞ୍ଜି ଖଣ୍ଡକ କୋଉଠି ପଡ଼ି ହଜିଯାଇଛି । ଏବେ ଖଦଡ଼ ଧୁତି ପଞ୍ଜାବୀ ପରହିତ ସଫାସୁତୁରା ସ୍ୱାସ୍ଥ୍ୟରେ ଟଳମଳ ଶରୀର ଦେଖି ସହଜରେ ଚିହ୍ନି ହୁଏନି, ଇଏ ସେଇ ପାନଦୋକାନୀ ଅରକ୍ଷିତ ନା ତା’ର ନୂଆକଳେବର ନେଇ ଜନ୍ମିଥିବା ଅନ୍ୟ ଜଣେ ଅରକ୍ଷିତ । ତାକୁ ଚାହିଁଦେଲେ, ପାଖରେ ଛିଡ଼ାହୋଇ ତା’ର ଦାମିକା ଜର୍ଦ୍ଦାଦିଆ ପାନର ବାସନା ଆଉ ମଥାରେ ଲଗାଇଥିବା ଜବା କୁସୁମ ତେଲର ଭୁରୁ ଭୁରୁ ସୁବାସ ନାକରେ ବାଜିଲେ ଆପେ ଆପେ ତୁଣ୍ଡରୁ ଖସିଯାଏ...ନମସ୍କାର ଅରକ୍ଷିତ ବାବୁ...ନମସ୍କାର... ।

 

ଅରକ୍ଷିତ ଓଠ ଉପରେ ହସର ଅର୍ଦ୍ଧଚନ୍ଦ୍ର ଖେଳାଇ କହେ, ସବୁ ଭଲ ତ, ବେଳ ହେଲେ ଆସିବ...ଦରକାର ହେଲେ କହିବ ।

 

ସେଇ ଅରକ୍ଷିତ ଆଉ ଏକା ଚାଲେନି ରାସ୍ତାରେ, ତା’ ପଛେ ପଛେ ଚାଲନ୍ତି ଚେଲଢ଼ି ଚାମୁଚା । ବେଳେବେଳେ ଜିପ୍‌ରେ ତ ଆଉ କେତେବେଳେ ମନ୍ତ୍ରୀଙ୍କ ଲାଲବତି ଲଗା ଗାଡ଼ିରେ ସେ ସହର ପ୍ରଦକ୍ଷିଣ କରୁଥିବାର ଦୃଷ୍ଟିରେ ପଡ଼େ । ଅରକ୍ଷିତ ସୁନ୍ଦର ଘର ଖଣ୍ଡେ ବି ତୋଳିଛି ମାଲଗୋଦାମ ପାଖରେ । ତାଘରକୁ ଗଲେ ସମୃଦ୍ଧି ଓ ସ୍ୱଚ୍ଛଳତାର ରୂପ ଉଦ୍ଭାସିତ ହୁଏ ଆଖି ଆଗରେ । ଅଥଚ ଅରକ୍ଷିତର କୃଷି ନାହିଁ କି ବାଣିଜ୍ୟ ନାହିଁ, ଚାକିରି ନାହିଁ କି ଶିଳ୍ପ ନାହିଁ । ଲୋକେ କହନ୍ତି ଅରକ୍ଷିତ ବାବୁ ଦଲାଲି କରନ୍ତି । ଦଳର ଦଲାଲ ।

 

ସେଇ ଅରକ୍ଷିତକୁ ଉପଯୁକ୍ତ ଶିକ୍ଷା ଦେଇ ନ ପାରିଥିବାରୁ ମନେ ମନେ ଅଭିମାନରେ ଫୁଲେ ସତ୍ୟଜିତ୍‌ ।

 

ରାଧା କହିଲା, ଘର ଘର ବୁଲିବା କାମ ଚାଲିଛି । ସମସ୍ତେ ତ ଚିହ୍ନା ପରିଚୟ, ଆପଣାର ।

 

ସତ୍ୟଜିତ୍‌ ସମସ୍ତଙ୍କୁ ନେଇ ଆଗେଇଲା । ବସ୍ତିର ସବୁ ଅଞ୍ଚଳର ଥରେ ବୁଲିଆସିଲେ ଭଲହେବ ଭାବି ସେ ଚାଲିଲା ପୂର୍ବରୁ ଯେଉଁଠି ଅଛି, ପାଇଖାନା ଓ ମଇଳାପାଣି ବୋହି ନେଉଥିବା ନଳା ।

 

ସେମାନେ ପହଞ୍ଚି ଯେଉଁ ଦୃଶ୍ୟ ଦେଖିଲେ ତାହା ଅତୀବ ଶୋଚନୀୟ । ଆଖିରେ ଦେଖି ମଧ୍ୟ ବିଶ୍ୱାସ କରି ହୁଏନି ଏପରି ଦୟନୀୟ ଅବସ୍ଥାରେ କିପରି ମଣିଷ ଚଳିପାରେ; ପୁଣି ଏଇଠି ସୁଖ ଦୁଃଖରେ ଦିନ କାଟେ । ମଇଳା ସଫା ନ ହେବାରୁ ପାଇଖାନାଗୁଡ଼ା ପରିତ୍ୟକ୍ତ ଅବସ୍ଥାରେ । ମଶା ମାଛି ଭଣଭଣ । ଦୁର୍ଗନ୍ଧରେ ନାକ ଫାଟି ଯିବାପରି ମନେହୁଏ, ବାନ୍ତି ମାଡ଼େ ନଳା ପାଣି ବହି ନ ଯାଇ ଜମି ରହିଛି ଆଗରେ ପ୍ରତିବନ୍ଧକ ଥିବାରୁ । ବିଲଢ଼ିରେ ପଡ଼ିଥିବା ନଳାରେ ମୁହଁ ବନ୍ଦ ହୋଇଯାଇ ଥିବାର ମଇଳା ପାଣି ଠେସି ହେଉଛି ଉପରକୁ । ପୋକ ସାଲୁବାଲୁ । ସେଇ ପାଣି ପାଖରେ ମଳମୂତ୍ର ତ୍ୟାଗକରି ଜାଗାଟାକୁ ଆହୁରି ବୀଭତ୍ସ କରିଦେଇଛନ୍ତି ବସ୍ତି ବାସିନ୍ଦାମାନେ ।

 

ମ୍ୟୁନିସିପାଲିଟି ଏଯାଏ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ; ଅଥଚ ଏପରି ଶୋଚନୀୟ ଅବସ୍ଥା ଦେଖି ଶିହରି ଉଠିଲା ସତ୍ୟଜିତ୍‌ । ଅବହେଳାର ସୀମା ଅଛି । ବସ୍ତି ବାସିନ୍ଦା ଟିକସ ଦିଅନ୍ତିନି ସତ; କିନ୍ତୁ ସହରରେ ନାନାଦି ଦରକାରୀ କାର୍ଯ୍ୟ କରନ୍ତି ସେମାନେ । ସେମାନେ ନ ଥିଲେ ସଡ଼କ ତିଆରି ହେବନାହିଁ, କୋଠା ନିର୍ମାଣ ବନ୍ଦ ହୋଇଯିବ । ବାସନ ମାଜିବା, ଘର ପୋଛିବା କାମ କରିବାକୁ କେହି ଯିବେନି ସାହେବମାନଙ୍କ ବଙ୍ଗଳାକୁ, ଦୁଧ ନେଇ ଘର ଘର ଦେଇ ଆସିବନି ଗଉଡ଼, ସାଲୁନକୁ ଯାଇ ସାଧାରଣ ଲୋକଙ୍କ ସହିତ ବସି ବାଳ କାଟିବାକୁ କୁଣ୍ଠାବୋଧ କରୁଥିବା ଲୋକଙ୍କର ବାଳ ଅକଟା ରହିଯିବା, ଗାଡ଼ି ନ ଥିବା ଲୋକ ଷ୍ଟେସନରୁ ରିକ୍‌ସା ଖଣ୍ଡେ ନ ପାଇ ପାଦରେ ଚାଲି ଚାଲି ଆସିବ ଘରକୁ, ଧୋବା ଅଭାବରୁ ନିଜର ଲୁଗା ନିଜେ ସଫା କରିବାକୁ ପଡ଼ିବ । ସର୍ବସାଧାରଣଙ୍କର ସେବକ ଏମାନେ । ଏମାନଙ୍କ ବିନା ସହରୀ ଜୀବନ ଅଚଳ । ଅଚଳ ଏମାନେ ସବୁଠାରେ ସଦାବେଳେ ଉପେକ୍ଷିତ ।

 

ଏଇ କଥାଟି ସମସ୍ତଙ୍କର ହୃଦୟଙ୍ଗମ କରିବା ପାଇଁ ଚେଷ୍ଟାକରେ ସତ୍ୟଜିତ୍‌ । ପୌରସଭା ଦଖଲ କରିବା ଏଇ ନିର୍ବାଚନରେ ଅଂଶ ଗ୍ରହଣ କରିବା ମୂଳ ଉଦ୍ଦେଶ୍ୟ ନୁହେଁ, ପୌରସଭା ସ୍ୱାୟତ୍ତଶାସନର ଭିତ୍ତିଭୂମି, ଏହାରି ଶକ୍ତି ଓ କାର୍ଯ୍ୟକାରିତା ଉପରେ ନିର୍ଭର କରେ ଗଣତନ୍ତ୍ରର ବର୍ତ୍ତମାନ ଓ ଭବିଷ୍ୟତ; ତେଣୁ ପୌରସଭା ଦଖଲ କରିବାର ମୂଳ ଲକ୍ଷ୍ୟହେଲା ଜନସାଧରଣଙ୍କୁ ଗଣତାନ୍ତ୍ରିକ ଜୀବନଧାରା ସହିତ ସମ୍ପୃକ୍ତ କରିବା ଏବଂ ସୁଯୋଗ ଓ ସମ୍ଭାବନାକୁ ରୂପାୟିତ କରିବାର ଦାୟିତ୍ୱ ନିର୍ବାହ କରିବାରେ ସେମାନଙ୍କୁ ନିଯୁକ୍ତ କରିବା । ଦେଶ ସ୍ୱାଧୀନ ହେବାର ଚାଳିଶ ବର୍ଷ ବିତିଗଲା; ତଥାପି ଗଣତାନ୍ତ୍ରିକ ଜୀବନଧାରା ଏ ଜାତିର ଜୀବନଚର୍ଯ୍ୟାରେ ପରିଣତ ହେଲା ନାହିଁ । ଲୋକଙ୍କୁ ଏଥିପାଇଁ ଦୋଷ ଦିଆଯାଇ ନ ପାରେ, ଯେଉଁମାନଙ୍କ ହାତରେ ଦେଶକୁ ଶାସନ କରିବାର ଦାୟିତ୍ୱ ରହିଲା ସେମାନଙ୍କର ଅପାରଗତା ଓ ସଂକୀର୍ଣ୍ଣ ସ୍ୱାର୍ଥପରତା ଯୋଗୁ କେବଳ ପୌରସଭା ନୁହେଁ ପଞ୍ଚାୟତଗୁଡ଼ିକ ମଧ୍ୟ ତିଷ୍ଠି ରହିପାରିଲେ ନାହିଁ । ଗ୍ରାମ ଓ ସହର ପରିଚାଳନା କରି ଜାଣି ନ ଥିବା ନାଗରିକ ହାତରେ ଗୋଟାଏ ରାଜ୍ୟ ବା ଦେଶର ଶାସନ ଭାର ରହିଲେ ସ୍ୱେଛାଚାରୀ ମନୋଭାବହିଁ ପ୍ରକଟିତ ହୁଏ; ଗଣତନ୍ତ୍ରର ମୌଳିକ ଆବଶ୍ୟକତା ପୂର୍ଣ୍ଣ ହୁଏ ନାହିଁ ।

 

ରାଧା ସହିତ ଘର ଘର ବୁଲି ପ୍ରଚାର କଲା ସତ୍ୟଜିତ୍‌ । ସବୁଠାରେ ସମସ୍ତଙ୍କୁ ସେଇ ଏକ କଥା କହିଲା । ଅରକ୍ଷିତର ଦୁର୍ଗୁଣ ନ କହି ବା ତା’ର ଚରିତ୍ର ସଂହାର ନ କରି ସେ କହିଲା ନିଜ ଅନୁଷ୍ଠାନର ଲକ୍ଷ୍ୟ ଓ ଆଦର୍ଶ । ନିଜର ଭାଗ୍ୟ ଓ ଭବିଷ୍ୟତ ଅନ୍ୟ ହାତରେ ଛାଡ଼ି ନ ଦେଇ ନିଜକୁ ତାର ସ୍ୱରୂପ ନିର୍ଣ୍ଣୟ କରିବାକୁ ଉଦ୍‌ବୋଧନ ଦେଲା

 

ଅରକ୍ଷିତ ଦଳ ପ୍ରଚାର କରିବା ଅପେକ୍ଷା ସ୍ୱାୟତ୍ତଶାସନ ସଂଘର ସଭା ଭାଙ୍ଗିବା ଉପରେ ବିଶେଷ ଜୋର୍‌ ଦେଲେ । କୋଉଠି ଗୁଣ୍ଡା ପୂରେଇଦେଇ ଗୋଳମାଳ ଆରମ୍ଭ କରିଦେଲେ ତ ଆଉ କୋଉଠି ସଭା ମଝିରେ ଷଣ୍ଡ ପୂରେଇ ଦେଲେ ବା ଧଣ୍ଡ ସାପ ଛାଡ଼ିଦେଲେ । ସେମାନେ ଯେତିକ ଏହି କୌଶଳ ଅବଲମ୍ୱନ କଲେ ସ୍ୱାୟତ୍ତ ଶାସନ ସଂଘର ଜିତିବାର ଆଶା ସେତିକ ଉଜ୍ଜ୍ୱଳ ହୋଇଉଠିଲା । ଅର୍ଥବଳ ନାହିଁ ସେମାନଙ୍କର । ସରକାରୀ କଳ ବିରୋଧିମାନଙ୍କ ହାତରେ । କ୍ଷମତା ଯୁଗେ ଯୁଗେ ଲୋକଙ୍କୁ ଆକର୍ଷଣ କରିଛି, ଏବେ ବି କରେ, କିନ୍ତୁ ସେଥିରେ ବିଚଳିତ ନ ହୋଇ ନିଜର କାମ ନିଷ୍ଠାର ସହିତ କରାଯିବା ପାଇଁ କର୍ମୀମାନଙ୍କୁ ପ୍ରବର୍ତ୍ତାଇଲା ସତ୍ୟଜିତ୍‌ ।

 

ରାଧା ମହାପାତ୍ର ଯେତିକି ଲୋକମାନଙ୍କ ସହିତ ମିଶୁଛି ସେତିକି ସେମାନଙ୍କର ସମସ୍ୟା ସହିତ ଜଡ଼ିତ ହୋଇପଡ଼ୁଛି । ସମୟ କୁଳାଉ ନାହିଁ କାମ କରିବା ପାଇଁ । ପାଞ୍ଚ ଘଣ୍ଟାରୁ ବେଶି ଶୋଇପାରେ ନାହିଁ, ନିତ୍ୟକର୍ମ ଓ ଖାଇବା ପିଇବା ପାଇଁ ଆଉ ଦୁଇଘଣ୍ଟା ଛାଡ଼ିଦେଲେ ଦିନକୁ ପ୍ରାୟ ସତର ଘଣ୍ଟା ପରିଶ୍ରମ କରେ ସେ; କିନ୍ତୁ ଏଇ ପରିଶ୍ରମ, ଜନସାଧାରଣଙ୍କଲାଗି କାମ କରିବାର ଏଇ ଅଙ୍ଗୀକାର ଏବଂ ସେମାନଙ୍କର ସ୍ୱାର୍ଥରକ୍ଷା କରିବାଲାଗି ନିଜକୁ ଉତ୍ସର୍ଗ କରିବାର ସଂକଳ୍ପ ତାକୁ ଅଧିକ ସୁନ୍ଦର କରିଛି । କର୍ମଚଞ୍ଚଳତା, ନିଷ୍ଠା ଓ ସେବାର ଆନ୍ତରିକ ପ୍ରଗଲଢ଼ିଭତା ତା’ ସର୍ବାଙ୍ଗରେ ଲେପିହୋଇ ଯାଇଛି । ସେ ଆହୁରି ଉଜ୍ଜ୍ୱଳ, ସୁନ୍ଦର ଓ ଆକର୍ଷଣୀୟ ଦିଶୁଛି । ତାକୁ ନ ଚାହିଁ ଉପେକ୍ଷା କରି ଚାଲିଯାଇ ହୁଏ ନାହିଁ ।

 

ରାଧା ବି ମନେ ମନେ ଗୁଣୁ ଗୁଣୁ ହୁଏ । ବାହାହେବା ପରେ ବାହାପାଣି ପାଇ ଯେଉଁ ଲାବଣ୍ୟ ଦିନେ ଫୁଟି ଉଠିଥିଲା ତା’ର ସର୍ବାଙ୍ଗରେ ଏବଂ ପରେ ଫଗୁଣର ଜଳଧାର ପରି ହଜି ଯାଇଥିଲା କେଉଁଠାରେ; ପୁଣି ସେଇ ଲାବଣ୍ୟ ଲୀଳା କରିବାକୁ ଆରମ୍ଭ କରିଛି: ବରଂ ଆହୁରି ବେଶି ସୁନ୍ଦର ଦିଶୁଛି ସେ ।

 

ପ୍ରଚାର କାର୍ଯ୍ୟ ଶେଷ କରି ବସାକୁ ଫେରିବାବେଳକୁ ରାତି ସାଢ଼େ ଦଶ । ସତ୍ୟଜିତ୍‌ କିନ୍ତୁ ବିଦାୟ ନ ନେଇ ଆସି ବସିଲା ପିଣ୍ଡାରେ । ସପ ଉପରେ କ୍ଲାନ୍ତ ଶରୀରକୁ ମେଲାଇଦେଇ କହିଲା ସେ ଆଉ ଯିବାକୁ ଇଚ୍ଛା ହେଉନି ରାଧା; କିନ୍ତୁ ରହିଯିବାର ସୌଭାଗ୍ୟ ବି ନାହିଁ ମୋର ।

 

ରାଧା ହସିଲା ମୁଗ୍‌ଧ ମଧୁର ହସ, କୌଣସି ଉତ୍ତର ଦେଲାନାହିଁ ।

 

ଷ୍ଟୋଭ୍‌ ଲଗାଇ କେଟଲିରେ ପାଣି ଢାଳି ବସେଇ ଦେଲା କପେ କଫି ସତ୍ୟଜିତ୍‌କୁ ଦବା ପାଇଁ । ବିଶାଖା ଶୋଇପଡ଼ିଥିଲା ପୁଅ ସହିତ, ଶବ୍ଦ ହେବାରୁ ଉଠି ବସିଛି; କିନ୍ତୁ ତାକୁ ଆଉ ବିବ୍ରତ ନ କରି ନିଜେ ଲାଗିପଡ଼ିଲା ରାଧା । ଅନ୍ୟଦ୍ୱାରା ନୁହେଁ, ପ୍ରିୟଜନର ସବୁକାମ ନିଜ ହାତରେ କରିବାକୁ ହୁଏ, ସେଥିରେ ତ ଗଭୀର ତୃପ୍ତି, ପରମ ଆନନ୍ଦ ।

 

ସତ୍ୟଜିତ୍‌ ହାତକୁ କଫି କପ୍‌ଟା ବଢ଼ାଇଦେଇ କହିଲା, ତମେ ଚା’ କି କଫି ଖାଉ ନ ଥିଲ; କିନ୍ତୁ ଏବେ ଆରମ୍ଭ କରିଛି ଦେଖି କଫି କପେ ଦବାର ଲୋଭ ସମ୍ୱରଣ କରିପାରିଲା ନାହିଁ ।

 

-ଚା କି କଫି ପ୍ରତି ମୋର ଆଗ୍ରହ ନ ଥିଲା; କିନ୍ତୁ ଏଇ ନିର୍ବାଚନ ଧନ୍ଦାରେ ପଶିଲାଦିନୁ ଏସବୁ ଆରମ୍ଭ କରିଛି । କ୍ଲାନ୍ତ ଲାଗିଲେ, ଅବସାଦ ଆସିଲେ ଦେହ ଓ ମନକୁ ସତେଜ କରିବାଲାଗି ବେଳେ ବେଳେ ଚା ପିଏ, କଫି ପିଏ । ମୁଁ ତ ଗାନ୍ଧୀକି ଗୋପବନ୍ଧୁ ନୁହେଁ ଯେ, ଯାହା ଥରେ ନିର୍ଣ୍ଣୟ କରିବି ଅଟଳ ରହିଥିବି ସେଥିରେ ।

 

-ଖାଲି କଫି କି ଚା ନ ପିଇବାର ସଂକଳ୍ପ ତ୍ୟାଗ କଲ କି ଆଉକିଛି ...? ରାଧାର ମୁହଁରେ ଦୁଷ୍ଟାମୀର ହସ ।

 

ସତ୍ୟଜିତ୍‌ କହିଲା, ସଂକଳ୍ପ ତ ଅନେକ କରିଛି ରାଧା; କିନ୍ତୁ ସାଙ୍ଗ କାହିଁ ଯେ, ମୋତେ ସାହଯ୍ୟ କରିବ ସେଇ ସଂକଳ୍ପ ସବୁକୁ କାର୍ଯ୍ୟରେ ପରିଣତ କରିବା ପାଇଁ ...?

 

-ମୁଁ ତ କହିଛି ଯେ ମୋତେ ତୁମେ କାମରେ ଲଗାଇ ପାର... ।

 

-କାମ ବାହାରେ ଆଉ ଗୋଟେ ଜଗତ ଅଛି, ସେ ଖବର ବୋଧହୁଏ ରଖିନ ତୁମେ ?

 

-କାମ କଲେ ତୃପ୍ତି ପାଏ ମୁଁ । ବେଶି କାମ କଲେ ବେଶି ତୃପ୍ତି ... ।

 

-ନିଜକୁ ଫାଙ୍କିଦବା ଲାଗି ଏଇ ଉପାୟ ବାଛି ନେଇଛ ତୁମେ । ନିଜର ଇଚ୍ଛାଗୁଡ଼ାକୁ ପୂର୍ଣ୍ଣ କରିବାର ଅବକାଶ ନ ଦବା ପାଇଁ କାମରେ ବୁଡ଼ାଇ ଦେଇଛ ନିଜକୁ । ଅନ୍ୟମାନଙ୍କ କଥା ଏତେ ଭାବୁଛ ଯେ, ନିଜ ବିଷୟ ଭାବିବା ଲାଗି ସମୟ ହେଉନି ।

 

-କିନ୍ତୁ ସ୍ୱପ୍ନ ଦେଖେ...

 

-ସ୍ୱପ୍ନ ଦେଖ ! ସଳଖିବସି କହିଲା ସତ୍ୟଜିତ୍‌ ।

 

-ହଁ, କିନ୍ତୁ ସ୍ୱପ୍ନ ତ ବାସ୍ତବ ନୁହେଁ... ।

 

-ସ୍ୱପ୍ନ ଯେ ଦିନେ ବାସ୍ତବରେ ପରିଣତ ନ ହେବ କିଏ କହିବ । ଅନେକ ସ୍ପପ୍ନ ସତ ବି ହୁଏ ।

 

-ହୁଏତ ହୁଏ...ମୁଁ କିନ୍ତୁ ବ୍ୟତିକ୍ରମ...ସେ ସମ୍ଭାବନା ଦେଖୁନି ।

 

-ତୁମେ ସ୍ୱପ୍ନ ଦେଖ...ସ୍ୱପ୍ନ ନ ଦେଖିବା ପାଇଁ ଯେପରି ଚେଷ୍ଠା ନ କର ରାଧା... ।

 

ସତ୍ୟଜିତ୍‌ର ସ୍ୱରରେ କାରୁଣ୍ୟର ମୂର୍ଚ୍ଛନା ରାଧାର ଅନ୍ତଃସ୍ଥଳକୁ ଆନ୍ଦୋଳିତ କରିବାକୁ ଲାଗିଲା ।

 

କଫି ପିଇସାରି ମୋଟର ସାଇକେଲ୍‌ ଧରି ଚାଲିଯିବା ଆଗରୁ ସେ କହିଲା, ମୁଁ ବାଟରେ ମାଷ୍ଟରଙ୍କୁ କହିଦେଇଯିବି କାଲି ସକାଳୁ ଆମର ଦଳେ ସ୍ୱେଚ୍ଛାସେବକ ଆରମ୍ଭ କରିବେ ବସ୍ତି ସଫେଇ କାମ...ପ୍ରଥମ ସେଇ ପାଇଖାନା ଓ ନଳା ଅଞ୍ଚଳର ନର୍କକୁଣ୍ଡ...ମୁଁ ବି ନିଜେ ଆସିବି... ।

 

-ପରେ କଲେ ହବନି... ?

 

-ନିର୍ବାଚନରେ ଜିତିବାପାଇଁ ଏ କାମରେ ହାତ ଦଉନି ରାଧା, ବସ୍ତି ଲୋକଙ୍କୁ ସମାନ୍ୟତମ ସୁବିଧା ଯୋଗାଇଦେଇ ଆସନ୍ନ ସଙ୍କଟରୁ ସେମାନଙ୍କୁ ରକ୍ଷା କରିବାର ସୁଯୋଗ ନଉଛି କେବଳ ।

 

ସତ୍ୟଜିତ୍‌ ଚାଲିଗଲା; କିନ୍ତୁ ରାଧା ସେହିପରି ଏକ ଲୟରେ ତା’ର ଯିବା ପଥକୁ ଚାହିଁରହିଲା, ଆଖି ଲେଉଟାଇ ପାରିଲା ନାହିଁ ।

 

କଳିଙ୍ଗ ଭବନର ନିର୍ମାଣ କାର୍ଯ୍ୟ ଶେଷ ହେବା ଉପରେ । କେନ୍ଦ୍ରୀୟ ଶୀତତାପ-ନିୟନ୍ତ୍ରଣ ବ୍ୟବସ୍ଥା ପ୍ରାୟ ସରି ଆସିଲାଣି । ଭବନ ଆଗରେ ଏକ ସୁବିସ୍ତୃତ ଉଦ୍ୟାନ, ମଝିରେ ଏକ କୃତ୍ରିମ ଜଳପ୍ରପାତ । ଲଗାଯାଇଥିବା ବିଭିନ୍ନ ଜାତିର ଗଛ ଓ ଲତା ବଢ଼ିବାକୁ ଆରମ୍ଭ କଲେଣି କିଶୋରର ଆଶା ଆକାଙ୍‌କ୍ଷା ପରି ।

 

ମାଧବାନନ୍ଦ ପ୍ରତିଶ୍ରୁତି ଦେଇଛି । କାମ ଶେଷ ହେଲେ ସମସ୍ତ ଶ୍ରମିକ ଓ କର୍ମଚାରୀଙ୍କୁ ପୁରସ୍କୃତ କରିବା ପାଇଁ । କଳିଙ୍ଗ ଭବନର ନିର୍ମାଣ ସହିତ ନିଜର ଯଶ କୀର୍ତ୍ତିର ପ୍ରସାଦ ମଧ୍ୟ ସେ ନିର୍ମାଣ କରୁଛି ଏକାବେଳେ । ସେ ଜାଣିଗଲାଣି ଯେ, କେବଳ ଅର୍ଥ ଉପାର୍ଜନ କରି ସମାଜରେ ପ୍ରତିଷ୍ଠା ଓ ପ୍ରତିପତ୍ତି ଅର୍ଜନ କରିହୁଏ ନାହିଁ, ହାତରେ କ୍ଷମତା ନ ଥିଲେ ଅର୍ଥ ନିରର୍ଥକ, ସମ୍ମାନ ମଧ୍ୟ ଅଳୀକ, ସବୁ ଆକର୍ଷଣର ମଧ୍ୟବିନ୍ଦୁ । ଅର୍ଥ ବଳରେ କ୍ଷମତା ଅର୍ଜନ କରିବା ହୁଏ ସହଜ ସାଧ୍ୟ, ଆଉ କ୍ଷମତା ଥିଲେ ଅର୍ଥ ଆପେ ଆପେ ହାତକୁ ଆସେ ।

 

ମାଧବାନନ୍ଦ ମନରେ ନୂତନ ଆଶା ଅଙ୍କୁରିତ ହୋଇଛି । ସଚିବାଳୟର ଫାଟକ ପାରିହବା ଲାଗି ପ୍ରବେଶ ପତ୍ର ଦରକାର ହେଉଥିବା ଯାଏ ସେ ଯେ ଅଚିହ୍ନା ମଣିଷ ହୋଇ ରହିଥିବ ଏଥିରେ ସନ୍ଦେହ ନାହିଁ । ଚିହ୍ନା ମଣିଷ ତ ଗାଦୀ ମାଡ଼ି ବସିଥିବା ମଣିଷ । ସେ ସିଂହାସନ ତଳେ ଛିଡ଼ା ହୋଇ ରହିଲେ ଜୋର୍‌ କରି କେହି ତାକୁ ଉପରେ ବସାଇ ଦବ ନାହିଁ, ଅନ୍ୟ କେହି ଆସନ ଦଖଲ କରିବା ପୂର୍ବରୁ ତାକୁହିଁ ନିଜେ ଡେଇଁ ପଡ଼ିବାକୁ ହେବ । ଥରେ ଆସନରେ ବସିଗଲେ ଅଠା ଲାଗିଯାଏ, ଚେର ଲମ୍ବିଯାଏ, ସହଜରେ ଉପୁଡ଼ି ପଡ଼ିବାର ଆଶଙ୍କା ରହେ ନାହିଁ ।

 

କିନ୍ତୁ ଯେତେ ଚେଷ୍ଟାକଲେ ବି ନିଶଙ୍କ ହେଉନି ମନ । ମାଧବାନନ୍ଦ ଅସ୍ଥିର ହୁଏ ଭବିଷ୍ୟତ ବନ୍ଦୀଶାଳାରେ ଯଶୋଦା ଗର୍ଭରେ କୃଷ୍ଣ ବଢ଼ିବା ପରି ବଢ଼ୁଛି କି ନାହିଁ ଜାଣିବା ଲାଗି ଇଚ୍ଛା ହୁଏ ।

 

ଡାକରା ପାଇ ଗଣେଶ ପଣ୍ଡିତେ ଆସି ପହଞ୍ଚିଲେ ପୋଥି ପାଞ୍ଜି ନେଇ । ମାଧବାନନ୍ଦ ତାଙ୍କୁ କହିଲା, ଆପଣଙ୍କୁ ନ ପଚାରି କିଛି ନିର୍ଣ୍ଣୟ କରେ ନାହିଁ, ସେଥିପାଇଁ ଡାକିଛି । ଅର୍ଥ ଉପାର୍ଜନ ପ୍ରଚୁର କଲିଣି; କିନ୍ତୁ ଆପଣ ତ ଜାଣନ୍ତି ଅର୍ଥଦ୍ୱାରା ସବୁ କ୍ରୟ କରାଯାଇ ପାରେନା । କ୍ଷମତା ଦରକାର । କ୍ଷମତା ନ ଥିଲେ ଅର୍ଥର ମୂଲ୍ୟ ଅନେକ କମ୍‌ । ମୂଦ୍ରାସ୍ଫୀତିର ଦଶପଇସି ପରି ।

 

ଗଣେଶ ପଣ୍ଡିତେ ବସ୍ତାନି ଖୋଲି ଆଖିରେ ପ୍ରଚକ୍ଷୁ ଲଗାଇ ସିଲଟ ଉପରେ ଗାର ଟାଣିଲେ ।

 

ମାଧବାନନ୍ଦର ରାଶି, ନକ୍ଷତ୍ର ସବୁ ତାଙ୍କ ନଖ ଦର୍ପଣରେ । ସେ ଗଣନା କରି ଦେଖିଲେ, ଆଉ କହିଲେ, ସଂଖ୍ୟା ନିଭାଇ ଆଉ ଗୋଟିଏ ସଂଖ୍ୟା ଲେଖିଲେ । ହୃତ୍‌ପିଣ୍ଡର ସ୍ପନ୍ଦନ ଶୁଣି ଶୁଣି ସିଲଟ ଉପରେ ପରିବର୍ତ୍ତିତ ହେଉଥିବା ସଂଖ୍ୟାମାନଙ୍କର ଦୃଶ୍ୟ ଦେଖୁଥିଲା ମାଧବାନନ୍ଦ । ଗଣେଶ ପଣ୍ଡିତଙ୍କ ଖଡ଼ି ଆଗରେ ଯେପରି ତା’ ଜୀବନର ସବୁ ବର୍ଣ୍ଣମାଳା, ସବୁ ସଂଖ୍ୟା ଲୁକ୍‌କାୟିତ ହୋଇ ରହିଛି ।

 

କିଛି ସମୟ ବିତିଗଲା । କାନ୍ଥ ଘଡ଼ିର ଟିକ୍‍ଟକ୍‌ ଶବ୍ଦ କେବଳ ତାଙ୍କୁ ସ୍ମରଣ କରାଇ ଦେଉଥାଏ ଯେ, ସେ ଅଛି, ଏଇ ପୃଥିବୀରେ ସେ କେବଳ ଏକାଗ୍ର ଚକ୍ରବର୍ତ୍ତୀ ।

ଅସ୍ଥିର ହୋଇ ପଚାରିଦେଲା ମାଧବାନନ୍ଦ, କଅଣ ଦେଖିଲେ ପଣ୍ଡିତେ ?

ଚଷମା ଖୋଲି ସିଲଟ ଉପରେ ଓଁ ଲେଖି ସିଦ୍ଧିର ସୂଚନା ଦେଲେ ଗଣେଶ ପଣ୍ଡିତେ । ସେ ଗଳା ସଫାକରି କହିଲେ ହଁ, ଆପଣ ଆଉ ସ୍ଥିର ଭାବରେ ବସି ନ ରହି ଝାମ୍ପ ଦିଅନ୍ତୁ, କ୍ଷମତା ଆପଣଙ୍କ ହାତମୁଠାରେ କହିଲେ ଚଳେ... ।

ଉତ୍ତେଜିତ ହୋଇ କହିଲା ମାଧବାନନ୍ଦ, କହିଲେ ଚଳେ ମାନେ ? କଅଣ ହେବ କୁହନ୍ତୁ... ।

-ରାଜଯୋଗ ଆରମ୍ଭ ହୋଇଛି । ପୌଷ ପନ୍ଦର ଦିନଠାରୁ ବୃହସ୍ପତି ପଞ୍ଚମରେ । କଥାରେ ଅଛି କିଂ କୁର୍ବନ୍ତି ଗ୍ରହା ସର୍ବେ ଯସ୍ୟ କେନ୍ଦ୍ରେ ବୃହସ୍ପତି... ।

ଗୋଟେ ଦୁଇଟା ଗ୍ରହ ଦୁର୍ବଳ, ନ ହେଲେ ମାଡ଼ି ଯାଆନ୍ତେଣି ଏତେବେଳକୁ । କବଚଟିଏ କରିବାକୁ ପଡ଼ିବ । ଶାନ୍ତି ମହାଗ୍ରହକୁ ଶାନ୍ତ କରିବା ପାଇଁ ପୂଜା ଓ ହୋମର ପ୍ରୟୋଜନ ଅଛି । ଦାନଦକ୍ଷିଣା ବି କରିବା ଉଚିତ । ଖର୍ଚ୍ଚ ନ କଲେ ଭବିଷ୍ୟତର ମାର୍ଗ ସଳଖ ଓ ସମତଳ ହୁଏ ନାହିଁ ।

ମାଧବାନନ୍ଦ ତାଙ୍କ ହାତକୁ ହଜାରେ ଏକ ଟଙ୍କା ବଢ଼ାଇ ଦେଇ କହିଲା, ଶୁଭକାର୍ଯ୍ୟ ଆରମ୍ଭ କରନ୍ତୁ । ଶୁଭସ୍ୟ ଶୀଘ୍ରମ୍‌... । ବିଳମ୍ୱ କରି ଲାଭ ନାହିଁ । ଆଉ ଯାହା ଦରକାର ନେଇଯିବେ... ।

 

-କିନ୍ତୁ ଆପଣଙ୍କୁ ସଙ୍କଳ୍ପ, କରିବାକୁ ହେବ ...ସେହିକାର୍ଯ୍ୟ ଆପଣ ପୂଜାଦିନ ନ ବସିଲେ ହୋଇପାରିବ ନାହିଁ ।

 

-ବସିବି, ନିଶ୍ଚୟ ବସିବି ।

 

-ସବା ଶେଷରେ ଦରିଦ୍ରନାରାୟଣ ସେବା ।

 

-ନିଶ୍ଚୟ ହେବ । ମହାପ୍ରସାଦ ଆଣିବ ପୁରୀରୁ ।

 

-ଆଉ ମୋ କଥା ମନେରଖିବେ...ମୁଁ ତ ଆପଣଙ୍କ ଉପରେ ହିଁ ସମ୍ପୂର୍ଣ୍ଣ ନିର୍ଭରଶୀଳ ।

 

ସେ କଥା ମନେପକାଇ ଦବାକୁ ହେବ ନାହିଁ । ଆପଣଙ୍କ ପ୍ରାପ୍ୟଠାରୁ ବେଶି ଦେବି ଏଥର ।

 

ଖୁସି ହୋଇ ବସ୍ତାନୀ ଧରି ଉଠିପଡ଼ିଲେ ଗଣେଶ ପଣ୍ଡିତେ । ସକାଳଟା ଅତି ସୁନ୍ଦର ମନେହେଲା । ବାହାରେ ସୂର୍ଯ୍ୟର ଝଲମଲ କିରଣ । ଗଛର ଶାଖାପ୍ରଶାଖାରୁ ଓହଳି ପଡ଼ିଛି ଲାଲ ଟକ୍‍ଟକ୍‌ ମନ୍ଦାରଫୁଲ ।

 

ଶୁଭ ...ଲାଭ, ଶୁଭ...ଲାଭ ... ।

 

ମାଧବାନନ୍ଦ କଳିଙ୍ଗ ଭବନ ଉପରକୁ ଆଖି ଟେକିଲା । ସବା ଉପରେ ତା’ ର ଭାଗ୍ୟ ମୁକ୍ତାଙ୍ଗନର ଆଲୋକ ପରି ଅପେକ୍ଷା କରୁଛି ସମୟର ।

 

ସେ ଲିପ୍‌ଟ ତଳୁ ଉପରକୁ ଗଲା ଏବଂ ଛାତ ଉପରୁ ତଳକୁ ଚାହିଁଲା । ସବା ତଳର ମଣିଷ ଅତି ଛୋଟ ନଗଣ୍ୟ ଦିଶିଲେ ଆଖିକୁ । ତଳର ଭାଗ୍ୟ ସଦାବେଳେ ଏହିପରି । ଧୂଳି ଓ ମାଟିରେ ଲେଟିବା ଛଡ଼ା ତା’ର ଗତି ନାହିଁ କି ମୁକ୍ତି ନାହିଁ ।

 

କୌଣସି କାରଣ ନ ଥାଇ ବି କାହିଁକି କେଜାଣି ଅଟ୍ଟହାସ୍ୟ କରିଉଠିଲା ମାଧବାନନ୍ଦ । କଳିଙ୍ଗ ଭବନର ପାରାପିଟ୍‌ ଉପରେ ବସିଥିବା ଦୁଇଟି ପାରା ପ୍ରାଣ ଭୟରେ ଉଡ଼ିଗଲେ ଆକାଶକୁ-

 

ଭଲ ହେଲା । ମାଧବାନନ୍ଦ କାହାରି ଉପସ୍ଥିତି ସେତେବେଳେ ସହ୍ୟ କରିପାରି ନ ଥାନ୍ତା-। ଉପରେ ସ୍ଥାନ ଅଳ୍ପ, ସେଠାରେ ଅନ୍ୟ କେହି ରହିବା ସମ୍ଭବ ନୁହେଁ । ସେ ଏକାଗ୍ର ଚକ୍ରବର୍ତ୍ତୀ-

 

ଚାରିଆଡ଼କୁ ଚାହିଁଲା ମାଧବାନନ୍ଦ । ତା’ ଆଖିଆଗରେ ଆକାଶରେ କେହି ଯେପରି ଗୋଲ ଗୋଲ ଅକ୍ଷରରେ ଲେଖିଦେଇଗଲା ଦେଖଇ ନେତ୍ର ଯାହା ଚଉଦିଗର ...ସେ ସର୍ବର ଅଟଇ ମୁଁ ଅଧୀଶ୍ୱର ... ।

 

ନୟନକିଶୋର ଦାସ ମନ୍ତ୍ରୀ ଓ ଦଳପତି ହେଲାଦିନୁ ତାଙ୍କ ଜୀବନୀ ଲେଖା ଆରମ୍ଭ ହୋଇଛି । ସେ ପୂର୍ବରୁ କେବେ ଗଳ୍ପ କିମ୍ୱା କବିତା ଲେଖି ନ ଥିଲେ; କିନ୍ତୁ ହଠାତ୍‌ ତାଙ୍କ ମନରେ ଜଣେ ଗୁଣଗ୍ରାହୀ ଉକ୍ତ କବିତାଟିଏ ଛପାଇଦେଲେ ଗୋଟିଏ ସାହିତ୍ୟ ପତ୍ରିକାରେ । ସେହିଦିନୁ ତାଙ୍କର ଲୁକ୍‌କାୟିତ ସାହିତ୍ୟ ପ୍ରତିଭା ଅଭିନନ୍ଦନ ପାଇ ଆସୁଛି ଶୁଭେଚ୍ଛୁ ଓ ସମର୍ଥକମାନଙ୍କଠାରୁ । ସେ ଆଉ ମନାକରି ପାରୁନାହାଁନ୍ତି ସାହିତ୍ୟ ସଭାକୁ ଯିବା ପାଇଁ । ସେଦିନ କଟକର ବାରବାଟି ଷ୍ଟାଡ଼ିଅମରେ ନବବର୍ଷର କବିତା ପାଠୋତ୍ସବରେ ସେ କେବଳ ମୁଖ୍ୟ ଅତିଥି ହୋଇ ଯୋଗଦେଇ ନ ଥିଲେ, ଗୋଟିଏ କବିତା ମଧ୍ୟ ପାଠ କରିଥିଲେ । ରାଜଧାନୀରେ ଷୋହଳବର୍ଷ ରହିବା ପରେ ବଦଳି ହୋଇଥିବା ଅଧ୍ୟାପକ ସୁରଞ୍ଜନ ଛୋଟରାୟଙ୍କୁ ପୁନର୍ବାର ସେହି ବି.ଜେ.ବି କଲେଜରେ ଅବସ୍ଥାପିତ କଲେ ସେ ରାଜ୍ୟର ବୃହତ୍ତର ସ୍ୱାର୍ଥଦୃଷ୍ଟିରୁ । ଅଧ୍ୟାପକ ସୁରଞ୍ଜନ କବି । ତାଙ୍କ ସ୍ତ୍ରୀ ଅନିନ୍ଦିତା ଡାକ୍ତରାଣୀ ହେଲେବି ଗଳ୍ପ ଓ ପ୍ରବନ୍ଧ ଲେଖନ୍ତି । ଉଭୟ ନୟନ କିଶୋରଙ୍କର ଗ୍ରାମ ପାଖର ଲୋକ । ଉଭୟଙ୍କର ଯାତାୟାତ ଅଛି ତାଙ୍କ ସହିତ ।

 

ସେଇ ସୁରଞ୍ଜନଠାରୁ ଯେତେବେଳେ ସେ ଶୁଣିଲେ ଯେ, ଘରୋଇ ମନ୍ତ୍ରୀ ଶ୍ରୀଚରଣ ମାନଧାତା ବଳିଆରସିଂକୁ ଉଚ୍ଚାଭିଳାଷ ଦୁଃସାହସୀ କରିଛି, ସେ ଆଉ ଅପ୍ରତିଦ୍ୱନ୍ଦୀ ବୋଲି ଭାବିପାରିଲେ ନାହିଁ । ମୁଖ୍ୟମନ୍ତ୍ରୀ ନ ହୋଇ ବି ଭାବୀ ମୁଖ୍ୟମନ୍ତ୍ରୀ ଭାବରେ ସର୍ବସମ୍ମତ ନେତା ଥିଲେ ସେ । ସେଇ ସ୍ଥାନ ତାଙ୍କ ହାତରୁ ଛଡ଼ାଇ ନେବା ପାଇଁ ଯେ ଏ ମଧ୍ୟରେ ଷଡ଼ଯନ୍ତ୍ର ଆରମ୍ଭ ହୋଇଛି ତାହା ସେ ଜାଣିପାରି ନ ଥିଲେ । ସୁରଞ୍ଜନ କିପରି ଜାଣିପାରିଲା ଏବଂ ସେ ମୁଖ୍ୟମନ୍ତ୍ରୀ ଥାଇ ବି ଜାଣିପାରିଲେ ନାହିଁ, ଏହା ତାଙ୍କୁ ଆଶ୍ଚର୍ଯ୍ୟ ଓ ଶଙ୍କିତ କଲା । ମାନଧାତାକୁ ସେ ବିଶ୍ୱାସ କରି ଅନେକ ଦାୟିତ୍ୱ ଦେଇଥିଲେ । ସେ ଯେ ବିଶ୍ୱାସରେ ବିଷ ଦବାକୁ ଆରମ୍ଭ କରିଛି ଏହା ଜାଣିବାକ୍ଷଣି କ୍ଷୋଭ ହେଲା ମନରେ । ଏ ସଂସାରଟା ଅବିଶ୍ୱାସୀ ଓ ପ୍ରତାରକମାନଙ୍କର, ଏଠାରେ ବନ୍ଧୁତା, ସୌଜନ୍ୟତା ବୋଲି କିଛି ନାହିଁ ।

 

ନୟନକିଶୋର ଦାସଙ୍କୁ ହେମବତୀ ବି ସେଇ କଥା କହିଲେ । ଅନିନ୍ଦିତା ତାଙ୍କୁ କୋଉଦିନୁ କହିଲାଣି, ସେ କିନ୍ତୁ ବିଶ୍ୱାସ କରୁ ନ ଥିଲେ । ସୁରଞ୍ଜନଠାରୁ ଶୁଣିବା ପରେ ସ୍ୱାମୀଙ୍କୁ କହିଲେ ସବୁ । ତାଙ୍କ ସହପାଠିନୀ ଚିତ୍ରାଙ୍ଗଦା ଏଇ ସହରର ନାମକରା ଗୃହିଣୀ । ସେ ବି କଥା ପ୍ରସଙ୍ଗରେ ଏହାର ଆଭାସଦେଇ ଯାଇଥିଲା ସେଦିନ ।

 

ନୟନକିଶୋର ଆଉ ସ୍ଥିର ହୋଇ ନିଶ୍ଚିନ୍ତରେ ବସିପାରିଲେ ନାହିଁ । ଶ୍ରୀଚରଣ ମାନଧାତା ବୋଧହୁଏ ପୁଲିସ୍‌ ବିଭାଗକୁ ନିଜ ଅକ୍ତିଆରକୁ ନେଇଗଲାଣି ପୂରାପୂରି । ନ ହେଲେ ସରକାରୀ ସୂତ୍ରରୁ ଏଇ ଖବର ସେ ମଧ୍ୟ ପାଇଥାନ୍ତେ ।

 

ପି. ଏ. ଙ୍କୁ କହିଲେ ଆଇ. ଜି.(ଇଣ୍ଟେଲିଜେନସ୍‌)ଙ୍କୁ ଡାକିବା ପାଇଁ ।

 

ନୟନକିଶୋର କେତେ ଘାଟରେ ପାଣି ପିଇସାରି ଏଇ ପ୍ରଗତିବାଦୀ ଦଳକୁ ଆସି ଆସନ ଜମାଇ ବସି ଯାଇଥିଲେ ନିଶଙ୍କ ଚିତ୍ତରେ । ପାଞ୍ଚ ବରଷ ପୂରିବାକୁ ଆଉ ଚାରିଟା ମାସ ବାକି । ମୁଖ୍ୟମନ୍ତ୍ରୀ ଆସନ ଅଳକୃଂତ କରିବାପାଇଁ ଅଭିଳାଷ ଅଛି ତାଙ୍କର । ବାତ ଚେଷ୍ଟା କରୁଛି ତାଙ୍କୁ କାବୁକରିବା ପାଇଁ; କିନ୍ତୁ ଆୟୂର୍ବେଦ, ଏଲୋପାଥି, ହୋମିଓପାଥି ସବୁ ପ୍ରକାର ଚିକିତ୍ସା କରିବା ଫଳରେ ବାତର ପ୍ରକୋପ ହ୍ରାସପାଇଛି । ମନକୁ ଉଚ୍ଚକିତ କରି ରଖିବା ସକାଶେ ମଦନାନନ୍ଦ ମୋଦକ ଓ ଶୂକ୍ର ସଞ୍ଜୀବନୀ ସୁରା ନିୟମିତ ସେବନ କରୁଛନ୍ତି ଛଅ ମାସ ହେଲା । ସେଦିନ ଆମେରିକାର ଗୋଟିଏ ପତ୍ରିକାରେ ପଡ଼ିଥିଲେ ଯେ, ମଣିଷ କାମ ପ୍ରବଣତାକୁ ପରିତୃପ୍ତ କରିବାଦ୍ୱାରା ଅଧିକ ଶକ୍ତିପାଏ ମନରେ, ହୃଦ୍‌ରୋଗର ସମ୍ଭାବନା କମିଯାଏ; କିନ୍ତୁ କାମ ପ୍ରବୃତ୍ତିକୁ ଜୋର୍‌ଜବରଦସ୍ତ ନିବୃତ୍ତ କଲେ ମାନସିକ ଭାରସାମ୍ୟ ନଷ୍ଟ ହୁଏ । ସେଥିପାଇଁ ଯାହା କରଣୀୟ ସବୁ କରନ୍ତି ନୟନକିଶୋର । ଓଡ଼ିଶାଟା ଛୋଟ ରାଜ୍ୟ । ଯେଉଁଠି ଯାହା କଲେ ବି ତାହା ଗୋପନୀୟ ହୋଇ ରହିବ ନାହଁ । ଦକ୍ଷ ସାମ୍ୱାଦିକମାନେ ଶତଚକ୍ଷୁ । ସେମାନଙ୍କ ଅଗୋଚରରେ କିଛି ରହେନାହିଁ; ତେଣୁ ଦୁଇଟି ନିରୋଳା ସ୍ଥାନ ବାଛିଛନ୍ତି ସେ । ଗୋଟିଏ ହେଲା କାଠମାଣ୍ଡୁ, ଅନ୍ୟଟି ହେଲା ସିମଲା । ଦୁଇଟି ଜାଗାରେ ଦୁଇଟି କୋଠା କିଣିଛନ୍ତି; କିନ୍ତୁ ନିଜ ନାମରେ ନୁହେଁ, କାଠମାଣ୍ଡୁର କୋଠାଟି ତାଙ୍କର ରକ୍ଷିତା ପ୍ରିତମ୍‌ ନାମରେ ଏବଂ ସିମଳାର କୋଠାଟି ନଳିନାକ୍ଷୀର ସ୍ୱାମୀ ନାମରେ । ନଳିନାକ୍ଷୀମ ସ୍ୱାମୀ ସୁନ୍ଦରମ୍‌ ରାଜଧାନୀରେ ତାଙ୍କର ବ୍ୟକ୍ତିଗତ ଦୂତ । ନୟନକିଶୋର ସିମଳାଗଲେ ନଳିନାକ୍ଷୀ ଯାଏ ତାଙ୍କର ଦେଖାଶୁଣା କରିବା ପାଇଁ !

 

ହେମବତୀଙ୍କଠାରୁ ସେଇ ଖବର ଶୁଣିବା ପରେ ତାଙ୍କୁ ପୁଣି ଆଡ଼ ନୟନରେ ଦେଖିବାକୁ ଲାଗିଲେ ନୟନକିଶୋର । ହଠାତ୍‌ ସେ ମନେକଲେ ଯେ, ସେ ସିନା ବୁଢ଼ାହୋଇ ଗଲେଣି, ହେମ କିନ୍ତୁ ଆଗପରି ଅଛନ୍ତି । ଦେହରେ ଟିକେ ମେଦ ଜମିଛି ଅବଶ୍ୟ; କିନ୍ତୁ ଏବେ ବି ଯେ ଲୋଭନୀୟ ।

 

ଆଇ. ଜି. ଆସିବା ପାଇଁ ଡେରିଥିଲା । ନୟନକିଶୋର ଉଠିଗଲେ ଶୟନ କକ୍ଷକୁ । ହେମ ଶୋଇ ଶୋଇ ଉପନ୍ୟାସ ପଢ଼ୁଥିଲେ ।

 

ନୟନ କିଶୋର ବସିପଡ଼ିଲେ ତାଙ୍କ ପାଖରେ ।

 

ହେମ କହିଲେ, ଅପୂର୍ବ ମନେହେଉଚି । ସୂର୍ଯ୍ୟ କ’ଣ ପଶ୍ଚିମରେ ଉଦୟ ହେଲେ ଆଜି-?

 

-ନା, ନା । ତମେ ଅତି ସୁନ୍ଦର ଦେଖାଯାଉଚ ସେଇକଥା କହିବାକୁ ଚାଲି ଆସିଲି... ।

 

-ଏତିକିରେ ଥାଉ । କାଠମାଣ୍ଡୁ ଯାଇନ ଅନେକ ଦିନ...ବୁଲି ଆସୁନ...ନ ହେଲେ ସିମଲା... ।

ନୟନକିଶୋର ଚମକି ପଡ଼ିଲେ । ଏଯାଏ ଯାହା ଏକାନ୍ତ ଗୋପନୀୟ ଥିଲା ତାହା କିପରି ଜାଣିପାରିଲେ ହେମବତୀ । ସେ କ’ ଣ କ୍ଷମତାରେ ନ ଥାଇ ବି ତାଙ୍କଠାରୁ ବେଶି ଖବର ରଖନ୍ତି ।

ନୟନକିଶୋର କହିଲେ, ତମେ ଭଲ ଶୁଣିଛ...ମୋତେ ଆଶ୍ଚର୍ଯ୍ୟ ଲାଗୁଚି ଯେ, ତମେ ଏମିତି ଭାବିପାରିଲ କିପରି ?

ଟେଲିଫୋନ୍‌ ବାଜି ଉଠିଲା ।

ହେମବତୀ କହିଲେ, ଆଇ. ଜି. ଆସିଗଲେଣି...ଯାଅ... ।

-ତମେ କିପରି ଜାଣିଲ ?

-ହେମବତୀ ଉତ୍ତର ଦେଲେନାହିଁ, କେବଳ ଏକ ରହସ୍ୟମୟ ହସ ଫୁଟି ଉଠିଲା ତାଙ୍କ ମୁହଁ ଉପରେ ।

ନୟନକିଶୋର ରାଜନୀତିକୁ ଆସିଲା ଦିନୁ କାହାକୁ ବିଶ୍ୱାସ କରୁ ନ ଥିଲେ । ରାଜନୀତିରେ କୁଆଡ଼େ କେହି କାହାକୁ ବିଶ୍ୱାସ କରେନା; କିନ୍ତୁ ବିଶ୍ୱାସ ଓ ଆନୁଗତ୍ୟର ମୁଖାପିନ୍ଧି ଚାଲିବାକୁ ହୁଏ ସଦାବେଳେ ।

 

ତଥାପି ସେ ବୁଝିପାରୁ ନ ଥିଲେ ହେମବତୀ ଏତେକଥା ଜାଣିଲେ କିପରି ? ସେ ଆଉ କେହି ପ୍ରବଳ ପ୍ରତିପକ୍ଷର ପାଲରେ ପଡ଼ିଯାଇ ନାହାନ୍ତି ତ ।

 

ଆଇ. ଜି. ସାଲ୍ୟୁଟ୍‌ କଲେ ।

 

ନୟନକିଶୋର ତାଙ୍କୁ ବସିବାକୁ କହିଲେ ଏବଂ ପଚାରିଲେ-ଆଉ ଖବର କ’ଣ, ମ୍ୟୁନିସିପାଲିଟି ନିର୍ବାଚନ ତ ପାଖେଇ ଆସିଲାଣି ।

 

ଆଇ. ଜି. କହିଲେ -ଏଯାଏ ଆପଣଙ୍କ ଦଳର ଅବସ୍ଥା ଭଲ ନ ଥିଲା, ଏବେ କିନ୍ତୁ ପୂର୍ବରୁ ହାୱା ଆଉ ନାହିଁ ବଦଳିବାକୁ ଆରମ୍ଭ କଲାଣି ।

 

-କିପରି ?

 

-ଆପଣଙ୍କ ଦଳ ପକ୍ଷରୁ ପ୍ରବଳ ପ୍ରଚାର ଚାଲିଛି । ସାହି ଓ ବସ୍ତିର ଲୋକମାନଙ୍କୁ ହାତ କରିବା ପାଇଁ ଅପର୍ଯ୍ୟାପ୍ତ ଅର୍ଥ ବ୍ୟୟ କରାଯାଉଛି... ।

 

ଦଣ୍ଡେ ଚୁପ୍‌ରହି କହିଲେ ନୟନକିଶୋର, ଆଉ କ’ ଣ ଶୁଣାଯାଉଛି ?

 

ଆଇ. ଜି. ଚୁପ୍‌ ହୋଇଗଲେ ।

 

-ହଁ କହନ୍ତୁ ...ଚୁପ୍‌ ହୋଇଗଲେ ଯେ...

 

-ଆପଣ ଅଭୟ ଦେଲେ

 

-ସେଥିପାଇଁ ତ ଡାକିଛି ଆପଣଙ୍କୁ ...

 

-ଦଳକୁ ବା ଆପଣଙ୍କୁ ନୁହେଁ, ମାନଧାତା ଶ୍ରୀଚରଣ ବଳିଆରସିଂକୁ ପ୍ରପୋଜ କରାଯାଉଛି, ଅର୍ଥ ବି ସେ ଯୋଗାଉଛନ୍ତି । ଲୋକମାନଙ୍କ ମଧ୍ୟରେ ସଫଳତାର ସହିତ ପ୍ରଚାର କରି ଦିଆଯାଉଛି ଯେ, ଜନସ୍ୱାର୍ଥ ପ୍ରତି ବର୍ତ୍ତମାନର ଦଳପତି ସଚେତନ ନୁହନ୍ତି; ତେଣୁ ଦଳର ହାଇକମାଣ୍ଡ ନୂତନ ନେତୃତ୍ୱ ପାଇଁ ଆଗ୍ରହୀ । ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କ ନାମ ବି କେହି ଉଚ୍ଚାରଣ କରୁନାହାନ୍ତି ।

 

-ଆପଣ ଏତେ ଖବର ଚାପି ରଖିଥିଲେ ?

 

-ଆଦେଶ ଥିଲା ସେହିପରି... ।

 

ପୁଣି ଚୁପ୍‌ ହୋଇଗଲେ ନୟନକିଶୋର । ଟିକେ ପରେ କହିଲେ, ସେଇ ଡ୍ରଗ ବିଜିନେସ ଓ ବ୍ଲୁ ଫିଲ୍‌ମ କେସ୍‌ଟା କୋଉଠି ଅଟକି ରହିଛି ? ମୁଁ ଘରୋଇ ବିଭାଗ ଦାୟିତ୍ୱରେ ଥିଲାବେଳେ ଆରମ୍ଭ ହୋଇଥିଲା, ସ୍ୱାସ୍ଥ୍ୟ ବିଭାଗକୁ ଆସିବାପରେ ଆଉ ଖବର ରଖିନି କ’ଣ ହେଲା-

 

-ଘରୋଇ ମନ୍ତ୍ରୀଙ୍କ ପାଖରେ... ।

 

-ଚୋଖାନୀର ମର୍ଡ଼ର କେସ୍‌ ?

 

-ସେହିଠାରେ... ।

 

-ପୁଲିସ୍‍ ନିଷ୍କ୍ରୀୟ ହୋଇ ବସି ବସି ଅପେକ୍ଷା କରୁଛି... ।

 

-ମନା କରିଛନ୍ତି ଏ ବିଷୟରେ ଅଧିକ ତତ୍ପରତା ନ ଦେଖାଇବା ପାଇଁ । ଆପଣ ମୋ ଲୋକ । ମୋତେ ସାହାଯ୍ୟ କରନ୍ତୁ, ମୁଁ ଆପଣଙ୍କ ସ୍ୱାର୍ଥ ଜଗିବି । ମୁଁ ଜାଣିପାରୁନି ମାନଧାତା ଏତେ ଅର୍ଥ ପାଆନ୍ତି କୋଉଠୁ ?

 

-ବ୍ଲୁ ଫକ୍‌ସ ଷ୍ଟୁଡ଼ିଓର ମାଲିକ ଓ ଡ୍ରଗ୍‌ ବ୍ୟବସାୟୀ ଆପଣଙ୍କ ଦଳର ଜଣେ ଦୃଢ଼ ସମର୍ଥକ ସୁକୁମାର ମିଶ୍ର...ଠିକାଦାର ମାଧବାନନ୍ଦ ପାତ୍ର...

 

-ଆଉ ?

 

-ଏକ୍‌ଜିକିଉଟିଭ୍‌ ଇଞ୍ଜିନିଅର ସତ୍ୟାନନ୍ଦ ଉଦ୍‌ଗାତା...

 

-ସେ ଏତେ ଟଙ୍କା ପାଏ କୁଆଡ଼ୁ ?

 

-ଗୋବିନ୍ଦ ସୃଷ୍ଟି ଏବଂ ତା’ ଜ୍ୱାଇଁ ମାଧବାନନ୍ଦ ପାତ୍ରର ସ୍ୱାର୍ଥ ରକ୍ଷକ ସେ ।

 

ରାଜଧାନୀର ନିର୍ମାଣ ଦାୟିତ୍ୱରେ ରହି ସେମାନଙ୍କପରି ଠକ ଠିକାଦାରମାନଙ୍କର କାମ କରେ ସେ । ସରକାର ଯୋଗାଉଥିବା ସିମେଣ୍ଟ, ଛଡ଼ର କଳାବଜାର ତାହାରି ମାଧ୍ୟମରେ ଚାଲିଛି...-

 

-ଏ ସବୁର ପ୍ରମାଣ ଅଛି ?

 

-ଅଛି ।

 

-ଏତେଦିନ ତା’ହେଲେ ଚୁପ୍‌ହୋଇ ବସିଥିଲେ କାହିଁକି ?

 

-ଏହା ମୋର ଦାୟିତ୍ୱ ନୁହେଁ...ଆଇନ ଓ ଶୃଙ୍ଖଳା ଦାୟିତ୍ୱରେ ଥିବା ଆଇ.ଜି.ଙ୍କ ଦାୟିତ୍ୱ-। ଆପଣ ସେ ବିଭାଗ ଛାଡ଼ିଲା ପରେ ମୋଠାରୁ ଆଇନ୍‌ ଓ ଶୃଙ୍ଖଳା କାଢ଼ି ନିଆଗଲା ମନେଥିବ ।

 

-ଆପଣ ଆଉ ଯାହା ଖବର ପାଇବେ ଠିକ୍‌ ସମୟରେ ଜଣାଇବେ ମୋତେ । ଆଉ ଇଏ ବି ମନେରଖନ୍ତୁ ଯେ, ମୁଁ ମୁଖ୍ୟମନ୍ତ୍ରୀ ନ ହେଲେ ବି ଦଳପତି ଓ ମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କରିବାଲାଗି ହାଇକମାଣ୍ଡ କଥା ଦେଇଛନ୍ତି ମୋତେ । ଟିକେ ଅପେକ୍ଷା କରନ୍ତୁ । ମୁଁ ମୁଖ୍ୟମନ୍ତ୍ରୀ ହେଲେ ଆପଣ ସେଇ ବିଭାଗ ପୁଣି ଫେରିପାଇବେ । ଆପଣଙ୍କର ସ୍ୱାର୍ଥ କ୍ଷୁର୍ଣ୍ଣ ହେବନି, ଏ ପ୍ରତିଶ୍ରୁତି ଦେଉଛି ।

 

ଆଇ.ଜି. ଉଠୁଥିଲେ, କିନ୍ତୁ ତାଙ୍କୁ ବସିବାକୁ କହି ଚା’ ମଗାଇଲେ ନୟନକିଶୋର ।

 

ସିଙ୍ଗଡ଼ା, ସନ୍ଦେଶ ଓ ଚା’ ଦେଇଗଲା ପିଅନ ।

 

ନୟନକିଶୋର କହିଲେ...ଆପଣଙ୍କୁ ଗୋଟେ ବଡ଼ ଦାୟିତ୍ୱ ଦେବି ।

 

-ଆଦେଶ କରନ୍ତୁ ସାର୍‌ !

 

-ଏଯାଏ ଯୋଉ ସ୍କାଣ୍ଡାଲଗୁଡ଼ାକୁ ଚପାଇ ରଖାହୋଇଥିଲା ସେଗୁଡ଼ାର ବିବରଣୀ ପର୍ଯ୍ୟାପ୍ତ ଭାବରେ ସମ୍ୱାଦପତ୍ରରେ ବାହାରେ ଯେପରି... ।

 

-କିନ୍ତୁ ସେଥିରେ ଆପଣଙ୍କ ଦଳର ଅନେକ କ୍ଷତି ହେବ ସାର୍‌...ମ୍ୟୁନିସିପାଲଟି ନିର୍ବାଚନର ଅବ୍ୟବହିତ ପୂର୍ବରୁ ଏପରି ସମ୍ୱାଦ ଚାଞ୍ଚଲ୍ୟ ସୃଷ୍ଟିକରିବ ନିଶ୍ଚୟ କିନ୍ତୁ ସରକାରଙ୍କ ନିର୍ମଳ ଭାବମୂର୍ତ୍ତିରେ ଆଞ୍ଚ ଆସିବ... ।

 

-ଆପଣ ଗୋଟେ ଆଗତ ବଚନ ସଦାବେଳେ ମନେରଖିବେ...ଯିଏ ଯେପରି ବୁଣେ ସେହିପରି ଫଳ ପାଏ...କିନ୍ତୁ ସାବଧାନ ! ସତର୍କତାର ସହିତ ଏସବୁ କରିବେ । କେଉଁ ସୂତ୍ରରୁ ଏ ଖବର ମିଳିଲା ସେ ସମ୍ପର୍କରେ ଆଦୌ ସୂଚନା ନ ଦେଇ ଏପରି ଆଭାସ ବି ରହିବ ଯେ, ଘରୋଇ ବିଭାଗ ଏସବୁ ବିଷୟରେ ଅବଗତ... ।

 

ଆଇ.ଜି. ପୁଣି ସାଲ୍ୟୁଟ୍‌ କରି ନିଜର ସୁରକ୍ଷା କବଚ ବିଷୟରେ ନିଃସନ୍ଦେହ ହୋଇ ବାହାରିଲେ ମନ୍ତ୍ରୀ ଓ ଦଳପତିଙ୍କ ପ୍ରକୋଷ୍ଠରୁ ।

 

ନୟନକିଶୋର ହସିଲେ ସେଇ ଅର୍ଥପୂର୍ଣ୍ଣ ହସ ।

 

ଦଳ ପକ୍ଷରୁ ନିର୍ବାଚନ ପରିଚାଳନା କରିବାର ଦାୟିତ୍ୱ ଦିଆଯାଇଛି ଘରୋଇ ମନ୍ତ୍ରୀ ମାନଧାତା ଶ୍ରୀଚରଣ ବଳିଆରସିଂଙ୍କୁ; ତେଣୁ ଦଳର ଜୟ ପରାଜୟ ପାଇଁ ସେ ଦାୟୀ ।

 

ଆଉ ଦଳ ଯଦି ହାରିଯାଏ ସେଥିରେ ଯାଏ ଆସେ ନା । ମାନଧାତା ବୁଡ଼ି ବୁଡ଼ି ପାଣି ପିଇବ ଆଉ କେତେଦିନ ? ଆରେ ! ସାପକୁ ପ୍ରତିଦିନ ଦୁଧ ଦେଲେ ବି ତା’ ଚୋଟରୁ ବିଷ ବଦଳରେ ଅମୃତ ବାହରିବ ନାହିଁ ।

 

ମାନଧାତା ଯେ ଶେଷରେ ତାଙ୍କ ଚେର କାଟିବେ ଏହା କେବେ କଳ୍ପନା ବି କରି ନ ଥିଲେ ନୟନକିଶୋର; ଅଥଚ ଏଇ ମାନଧାତା ଶ୍ରୀଚନ୍ଦନ ବଳିଆରସିଂଙ୍କ ଉପରେ ହେମବତୀଙ୍କ ଅଗାଧ ବିଶ୍ୱାସ ।

 

ଚମକି ପଡ଼ିଲେ ନୟନକିଶୋର । ତା’ ହେଲେ କ’ଣ ହେମବତୀଙ୍କ ସହିତ ଆଉ ଏକ ଅନ୍ତରଙ୍ଗ ସମ୍ପର୍କ ଅଛି ମାନଧାତାର ? ବିଶ୍ୱାସ କରିବାକୁ କିଛି ହେଉଥିଲା । ରାଜନିତୀର ପଶାପାଲିରେ କାହାକୁ ବିଶ୍ୱାସ କରିହୁଏ ନାହିଁ । ନିଜର ଚାଲ ଚାଲିବାକୁ ହୁଏ ।

 

ମାନଧାତା ଶ୍ରୀଚରଣ ବଳିଆରସିଂ ଗର୍ଜନ କରିବାକୁ ଲାଗିଲେ ଠିକ୍‌ ଆହତ ବାଘ ପରି-। ତାଙ୍କ ସମ୍ମୁଖକୁ ଆସିବାଲାଗି ସାହାସ ହେଲାନି କାହାର । ତାଙ୍କ ପାଖରୁ ଡାକରା ପାଇ ଦେଖାକରିବାକୁ ଆସିଥିଲେ ଡି.ଆଇ.ଜି., ଏସ୍‌.ପି.ଓ କଲେକ୍‍ଟର; କିନ୍ତୁ ଭରସା କରି ଭିତରକୁ ଯାଇପାରିଲେ ନାହିଁ ।

 

କିଛି ସମୟ ପରେ ସବୁ ଖବରକାଗଜଗୁଡ଼ାକୁ ପଢ଼ିସାରି ଡି.ଆଇ.ଜିଙ୍କୁ ତାଙ୍କ ସହିତ ଦେଖାକରିବାଲାଗି ପି.ଏ.ଙ୍କ ଜରିଆରେ କହି ପଠାଇଲେ ସେ । ତାଙ୍କଠାରେ ଶୁଣିବାପରେ ସେ ଡି.ଜି.ଙ୍କୁ ଡାକିବେ, ଘରୋଇ ସଚିବଙ୍କୁ ତଲବ କରିବେ । ତା ପୂର୍ବରୁ ନୁହେଁ ।

 

ଡି.ଆଇ.ଜି. ରହିଗଲେ, ଏସ୍‌.ପି. ଓ କଲେକ୍‍ଟର ଚାଲିଗଲେ ଦେଖାକରିବାର ଅବସର ନ ପାଇ ।

 

ଠିକ୍‌ ଏହିପରି ସମୟରେ ଆସି ପହଞ୍ଚିଲା ସୁକୁମାର, ତା’ ପଛେ ପଛେ ମାଧବାନନ୍ଦ, ଗୋବିଦ ପୃଷ୍ଟି ଓ ସଦାନନ୍ଦ ଉଦ୍‌ଗାତା ।

 

ମନ୍ତ୍ରୀ ପି.ଏ.ଙ୍କୁ କହିଲେ ଗାଡ଼ି ବାହାର କରିବା ପାଇଁ ।

 

ଏଘରର କାନ୍ଥର ବି କାନ ଅଛି । କାହାକୁ ସେ ବିଶ୍ୱାସ କରିପାରିବେ ନାହିଁ । ବାରଙ୍ଗର ଆଇ.ବି.ରେ ନିରୋଳାରେ ଆଲୋଚନା କରିବେ ସେମାନଙ୍କ ସହିତ । ଡି.ଆଇ.ଜିଙ୍କୁ ତିନିଘଣ୍ଟା ପରେ ଦେଖାକରିବା ପାଇଁ ନିର୍ଦ୍ଦେଶ ଦେଇ ମନ୍ତ୍ରୀ ବାହାରିଗଲେ ନିଜ ଗାଡ଼ିରେ । ତାଙ୍କ ଆଗରୁ ନିଜ ନିଜ ଗାଡ଼ିରେ ବୁଲା ବାଟ ଦେଇ ବାରଙ୍ଗ ବଙ୍ଗଳା ଅଭିମୁଖରେ ବାହାରିଗଲେ ସୁକୁମାର ଓ ଅନ୍ୟମାନେ

 

ବାରଙ୍ଗରେ ସେମାନଙ୍କ ସହିତ ପରାମର୍ଶ କରୁ କରୁ ପ୍ରାୟ ଚାରିଘଣ୍ଟା ଅତିବାହିତ ହୋଇଗଲା ଏବଂ ଆଲୋଚନା ପରେ ଅବସ୍ଥା ଯେ ଅତ୍ୟନ୍ତ ଗୁରୁତର ତାହା ବୁଝିବାକୁ ଆଉ ବାକି ରହିଲା ନାହିଁ; କିନ୍ତୁ ବହୁ ସମୀକ୍ଷା ପରୀକ୍ଷା ପରେ ବି ସମ୍ୱାଦପତ୍ରରେ ପ୍ରକାଶ ପାଇଥିବା ସମ୍ୱାଦର ସୃଷ୍ଟିକର୍ତ୍ତା କିଏ ବା ଉତ୍ସ କେଉଁଠାରେ ତାହା ଆଦୌ ଠିକ୍‌ ହୋଇପାରିଲା ନାହିଁ । ସୁକୁମାର କହିଲା ଯେ, ଏସବୁ ପଛରେ ଅଛି ମଧୁ ମାଷ୍ଟର । ଗୋବିନ୍ଦ ପୃଷ୍ଟି ଓ ତା’ ଜ୍ୱାଇଁ ମାଧବାନନ୍ଦ ମତରେ ଏହା ପଛରେ ଓକିଲ ସତ୍ୟଜିତ୍‌ ରାୟର ହାତ ଅଛି; କିନ୍ତୁ ମାନଧାତା ସନ୍ତୁଷ୍ଟ ହେଲେ ନାହିଁ ସେଥିରେ । ଏପରି ଅର୍ବାଚୀନ ପ୍ରତିପକ୍ଷ ଯେ, ତାଙ୍କ ବିପକ୍ଷରେ ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ ମନେ ମନେ ସ୍ଥିର କଲେ ।

 

ସମ୍ୱାଦଦାତାମାନେ ସ୍ୱର୍ଗର ଦୂତ ନୁହଁନ୍ତି, ରକ୍ତ ମାଂସର ମଣିଷ । ସେମାନଙ୍କ ମଧ୍ୟରୁ ସମସ୍ତଙ୍କର ନ ହେଲେ ମଧ୍ୟ ବେଶ୍‌ କେତେଙ୍କର ସବୁ ପ୍ରକାର ଦୁର୍ବଳତା ଅଛି । ଅର୍ଥ ହିଁ ଏ ଯୁଗର ପରମାର୍ଥ । ଅର୍ଥବଳରେ ସେମାନଙ୍କୁ ବଶ କରାଯାଇପାରେ । ମଦ, ମାଂସ, ମାତ୍ସର୍ଯ୍ୟ, ମୌଥୁନ ଏସବୁର ଦାସ ଅନେକ । ସୁକୁମାରକୁ ଗୋଟିକ ପରେ ଗୋଟିଏ ବା ଏକାବେଳେ ଯେପରି ଆବଶ୍ୟକ ହେବ ସେହିପରି ଅସ୍ତ୍ର ପ୍ରୟୋଗ କରି ସୂତ୍ର ବାହାର କରିବାଲାଗି କହିଲେ ମାନଧାତା । ତାଙ୍କର ଆହୁରି ବି ସନ୍ଦେହ ହେଲା ଯେ, ତାଙ୍କର କେହି ପରାକ୍ରମଶାଳୀ ପ୍ରତିପକ୍ଷ ପ୍ରକାଶ୍ୟରେ ମଇଦାନ ଉପରକୁ ନ ଆସି ଛାୟାଯୁଦ୍ଧ କରୁଚି ତାଙ୍କ ସହିତ । କିଏ ସେଇ ପ୍ରତିପକ୍ଷ ? ତାକୁ ବାହାର କରିବାଲାଗି ନିଜ ପାଖରେ ପ୍ରତିଜ୍ଞାବଦ୍ଧ ହେଲେ ମାନଧାତା ।

 

ସେମାନଙ୍କୁ ଆଉ ଗୋଟେ କୋଠରିକୁ ଯିବାଲାଗି କହି ଟେଲିଫୋନ୍‌ କଲେ ମାନଧାତା-

 

-ହ୍ୟାଲୋ ସେ ପାଖରୁ ଭାସି ଆସିଲା ନାରୀ କଣ୍ଠର ସ୍ୱର ।

 

ମାନଧାତା କିଛି ସମୟ ଧରି କଥାଭାଷା ହେଲେ ସହିତ । ତା’ପରେ ମୁହଁର ବର୍ଣ୍ଣ ବଦଳିଗଲା ପରି ଦିଶିଲା । ସେ ଟେଲିଫୋନ୍‌ଟା ରଖିଦେଇ ହାତରେ ହାତ ଘଷି ମନକୁ ମନ କହିଲେ...ମୋ ବିରୁଦ୍ଧରେ ଏତେ ବାଟ ଯିବାଲାଗି ତମକୁ ସାହସ ଦେଲା କିଏ ? ତମେ ଜାଣନା ବୋଧହୁଏ ଯେ, ତୁମର ଜୀବନ ନାଟିକା ମୋ ହାତରେ । ତମର ସବୁ ଗୁପ୍ତ ଖବର ଜଣା ମୋତେ ।

ବାରଙ୍ଗ ବଙ୍ଗଳା ଛାଡ଼ି ରାଜଧାନୀକୁ ଫେରିଆସିଲେ ମନ୍ତ୍ରୀ ।

ସୁକୁମାର ଓ ଅନ୍ୟମାନେ ସାଥୀହୋଇ ଗଲେ ମାଧବାନନ୍ଦର ହୋଟେଲ ଅଭିମୁଖରେ ।

ମନ୍ତ୍ରୀ ଆସିବାବେଳକୁ ସ୍ୱାଧୀନତାର ସ୍ୱତନ୍ତ୍ର ସମ୍ୱାଦଦାତା ଅପେକ୍ଷା କରୁଥିଲେ ତାଙ୍କର-

ମାନଧାତା ଶ୍ରୀଚରଣ ବଳିଆରସିଂ ସ୍ୱାଭାବିକ ହସ ହସ ମୁହଁରେ ତାଙ୍କ ସହିତ କରମର୍ଦ୍ଦନ କରି କହିଲେ, ଆଗ କ’ଣ ପିଇବେ କହନ୍ତୁ ଚା ନା କଫି ନା ସରବତ... ।

ସାମ୍ୱାଦିକ ହସିଲେ ଅର୍ଥପୂର୍ଣ୍ଣ ହସ ।

-ଘରୋଇ ମନ୍ତ୍ରୀଙ୍କ ଘରେ ଚା, କଫି ବା ସରବତ ମିଳେ କେବଳ ?

-ଆପଣ ଜାଣନ୍ତି ଯେ, ଆମେ ଗାନ୍ଧୀବାଦୀ । ନିଶା ନିବାରଣ ଆମ ଦଳର ନୀତି; କିନ୍ତୁ ତାହା ଆମର ଆଚରଣ ବିଧି, ଆପଣଙ୍କର ନୁହେଁ । ଏଠାରେ ସିନା ନାହିଁ, ଆପଣ ଚାହିଁଲେ ଅନ୍ୟତ୍ର ବ୍ୟବସ୍ଥା କରିଦେବି । କିଛି ଅସୁବିଧା ନାହିଁ... ।

-କିନ୍ତୁ ଏଣେ ଯେ ଗୋଟେ ବଡ଼ ଅସୁବିଧା ହୋଇଯାଇଛି ସାର୍‌...ଆପଣଙ୍କ ପରି ଉଦାର ବ୍ୟକ୍ତି ଦୁଇ ଦୁଇଟା ସ୍କାଣ୍ଡାଲରେ ଫସି ଯାଇଛନ୍ତି... ।

ଗୋଟେ ଲମ୍ବା ବେପରୁଆ ହସ ହସି କହିଲେ ମାନଧାତା-ଟାଣି ଓଟାରି ମୋତେ ସେଥିରେ ଭର୍ତ୍ତି କରି ଯଦି ଆନନ୍ଦ ପାଇବେ ଆପତ୍ତି ନାହିଁ; କିନ୍ତୁ ମୁଁ ଘରୋଇ ମନ୍ତ୍ରୀ ଥିବାଯାଏ ଆଇନର ଶାସନ ଯେ, ବଳବତ୍ତର ରହିବ ଏଥିରେ ନିଃସନ୍ଦେହ ରହନ୍ତୁ ଆପଣ ।

-ଆପଣ କ’ଣ କହିବାକୁ ଚାହଁନ୍ତି ଯେ, ଅନ୍ୟ କେହି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଆପଣଙ୍କୁ ବଦନାମ କରିବାଲାଗି ଏପରି ଚକ୍ରାନ୍ତ କରିଛି... ।

-ନିଶ୍ଚୟ । ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ନୁହେଁ, ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ କହନ୍ତୁ । ନ ହେଲେ ଠିକ୍‌ ନିର୍ବାଚନ ପୂର୍ବରୁ ଏପରି ଚରିତ୍ର ସଂହାର କରି ମୋତେ ତଥା ଦଳକୁ ବଦନାମ କରିବାକୁ ଅନ୍ୟ କିଏ କାହିଁକି ବା ଚେଷ୍ଟା କରିବ ?

-ଆପଣଙ୍କ ବକ୍ତବ୍ୟ ଭୁଲ ବି ହୋଇପାରେ... ।

-ପ୍ରମାଣ ?

-ଅଛି । ନିର୍ବାଚନରେ ପ୍ରଚୁର ଟଙ୍କା ଖର୍ଚ୍ଚ ହେଉଚି ଆପଣଙ୍କ ଦଳ ପକ୍ଷରୁ । ଏତେ ଟଙ୍କା ଦଉଚି କିଏ, ଆସୁଚି କୋଉଠୁ ?

 

-ବରଂ ଠିକ୍‌ ଓଲଟା ଘଟୁଚି । ବିପକ୍ଷ ଦଳମାନେ ଯେତେ ଅର୍ଥ ବ୍ୟୟ କରୁଚନ୍ତି ତା’ର ଅଧା ଯଦି ଆମେ ଖର୍ଚ୍ଚ କରିପାରୁ ଥାଆନ୍ତେ ଫଳାଫଳ ଭିନ୍ନ ପ୍ରକାର ହୁଅନ୍ତା । ଆମ ହାତରେ ଏତେ ଅର୍ଥ ନାହିଁ...ଅବଶ୍ୟ ଆମ ଦଳର ଅନେକ ସମର୍ଥକ ଏଇ ନିର୍ବାଚନକୁ ଏକ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରି ନିଜେ ନିଜେ କିଛି ଖର୍ଚ୍ଚ କରୁଚନ୍ତି ।

 

-ସୁକୁମାର ମିଶ୍ରର ଷ୍ଟୁଡ଼ିଓ ରେଡ଼୍‌ କରାଯାଇଥିଲା । ଅନେକ ଆପତ୍ତିଜନକ କାଗଜପତ୍ର ବି ଜବତ୍‌ କରାଯାଇଥିଲା । ସେଇ ବିଷୟ ଚାପା ପଡ଼ିଗଲା କିପରି ?

 

-ଚାପା ପଡ଼ିନି । କ୍ରାଇମ୍‌ବ୍ରାଞ୍ଚକୁ ଭଲ ଭାବରେ ଯାଞ୍ଚ କରିବାଲାଗି ନିର୍ଦ୍ଦେଶ ଦେଇଛି ମୁଁ କିଛିଦିନ ପୂର୍ବରୁ ।

 

-ସାଧୁ କାଣ୍ଡିର ହତ୍ୟା ଜେଲ ହାଜତରେ ହେଲା...ଅଥଚ ଆତ୍ମହତ୍ୟା ବୋଲି ସରକାର ସଫେଇ ଦେଲେ... ।

 

-ସରକାର ସତ୍ୟ ବୟାନ ଦେଇଚନ୍ତି । ତଥ୍ୟ ଗୋପନ ରଖିବା ମୋର ବା ଆମ ସରକାରର ନୀତି ନୁହେଁ । ଆମେ ମାନବିକ ଅଧିକାରର ସୁରକ୍ଷାରେ ବିଶ୍ୱାସ କରୁ ।

 

-ଡ୍ରଗ୍‌ସ କାରବାର ବଢ଼ୁଛି ଯେ...ତା’ ସହିତ ନଗ୍ନ ଫଟୋର ପ୍ରସାର ।

 

-ଏ ସବୁର ପୁଙ୍ଖାନୁପୁଙ୍ଖ ତଦନ୍ତ କ୍ରାଇମ୍‌ବ୍ରାଞ୍ଚକୁ ଦିଆଯାଇଛି । ବିଧାନସଭାର ଆସନ୍ତା ଅଧିବେଶନରେ ଗୋଟେ ହ୍ୱାଇଟ୍‍ ପେପର ମଧ୍ୟ ପ୍ରକାଶ କରିବେ ସରକାର ।

 

-ଆପଣ ମୁଖ୍ୟମନ୍ତ୍ରୀ ହେବେ ବୋଲି ଶୁଣାଯାଉଛି । କେତେଦୂର ସତ୍ୟ ?

 

-ହାଃ, ହାଃ, ହାଃ...ଅତି ଜୋର୍‌ରେ ଘର କମ୍ପାଇ ହସିଉଠିଲେ ମାନଧାତା । ତା’ପରେ କହିଲେ-ମୁଖ୍ୟମନ୍ତ୍ରୀ ଜଣେ...ଦୁଇଜଣ ନୁହଁନ୍ତି... ।

-ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କ ସ୍ଥାନ ଖାଲି ବି ପଡ଼ିପାରେ... । ତା’ପରେ ।

-ତାହା ଦଳ ବିଚାର କରିବ...

-ଆପଣ ଆଶାୟୀ ନୁହଁନ୍ତି...

-ସେ ସମୟ ଆସିଲେ ଦଳ ବିଚାର କରିବ...

-ତଥାପି ଆପଣ କ’ଣ ଚାହାଁନ୍ତି ନାହିଁ ଯେ...

ତାଙ୍କୁ ସମ୍ପୂର୍ଣ୍ଣ କରିବାକୁ ନ ଦେଇ କହିଲେ ମାନଧାତା-ଯେ ପକ୍ଷୀ ଉଡ଼େ ଯେତେଦୂର ସେ ଜାଣେ ତହିଁର ବେଭାର...

ସେଇଠି ପୂର୍ଣ୍ଣଚ୍ଛେଦ ପଡ଼ିଲା ଆଲୋଚନାରେ । ସାମ୍ୱାଦିକ କହିଲେ-ମୁଁ ସବୁ ଟ୍ୟାପ୍‌ କରିନେଇଛି । ଆପତ୍ତି ନାହିଁ ପ୍ରକାଶ କରିବାରେ ?

-ନା, ନା, ନା । ମୁକ୍ତ ସମାଜ ଆମର । ସବୁ ବିଷୟ ପ୍ରକାଶ କରିବା ପାଇଁ ସମ୍ୱାଦପତ୍ରମାନଙ୍କର ସ୍ୱାଧୀନତା ଅଛି; କିନ୍ତୁ ମୁଁ କାମଳ ସାମ୍ୱାଦିକତାର ବିରୋଧୀ । ଚରିତ୍ର ସଂହାର ବିପକ୍ଷରେ । ଏଇ ଯେପରି ବିକୃତ ଭାବରେ ପ୍ରକାଶ ପାଇଛି ମୋ’ ସମ୍ୱନ୍ଧରେ ତାହା ସତ୍ୟ ବୋଲି କେହି ବିଶ୍ୱାସ କରିବ ?

 

-ଏହା ଆପଣଙ୍କ ଦଳରୁ ବି ବାହାରିଥାଇ ପାରେ... । ଆପଣଙ୍କ ପ୍ରତିପକ୍ଷ ଯେ ଦଳ ଭିତରେ ନାହାନ୍ତି କିଏ କହିବ ?

 

-ମୁଁ ଅନୁସନ୍ଧାନ କରିବି...କିନ୍ତୁ ବିଶ୍ୱାସ ହେଉନି ।

 

ସାମ୍ୱାଦିକ ଉଠିଲାବେଳକୁ ମାନଧାତା ତାଙ୍କୁ ଆଉଗୋଟେ ପ୍ରକୋଷ୍ଠକୁ ନେଇଗଲେ । ସେଠାରେ ଫିସ୍‌ଫିସ୍‌ କରି କହିଲେ, ଏଇ ବ୍ରିଫକେସ୍‌ଟା ନିଅନ୍ତୁ...ମୋ’ କଥା ଲାଗିଲା ଆପଣଙ୍କୁ...ଆଉ ଆମ ଦଳର କିଏ ବା କେଉଁ ସୂତ୍ରରୁ ଯଦି ଏହା କରାଯାଇଥାଏ ସେଇ ସମ୍ୱାଦ ମୋତେ ଆପଣ ନିଶ୍ଚୟ ଦେବେ ବୋଲି ବିଶ୍ୱାସ ଅଛି ମୋର ।

 

-ମୋ’ ସ୍ତ୍ରୀ ନାମରେ ଗୋଟେ ପ୍ଲଟ୍‌ ଏ ଯାଏ ମିଳିଲା ନାହିଁ ? ଦୁଇବର୍ଷ ହେଲା ଅପେକ୍ଷା କରିଛି ।

 

-ମୁଁ ପ୍ଲଟ ଏଲଟମେଣ୍ଟ କମିଟିର ଅଧ୍ୟକ୍ଷ । ନଗରଉନ୍ନୟନ ମନ୍ତ୍ରୀ କହୁଥିଲେ ଯେ, ଯାହାର ନାମରେ ପ୍ଲଟ ଥିବ ତାଙ୍କ ସ୍ତ୍ରୀ ନାମରେ ଆଉ ଗୋଟେ ଦିଆଯାଇ ପାରିବ ନାହିଁ...

 

-ସେ ଭୁଲ ବୁଝିଚନ୍ତି । ମୋ’ ସ୍ତ୍ରୀ ସମାଜସେବିକା । ବିକଳାଙ୍ଗ ଅନାଥମାନଙ୍କ ପାଇଁ ଗୋଟେ ଅନୁଷ୍ଠାନର ପରିଚାଳିକା ସେ । ସେଥିପାଇଁ ପ୍ଲଟ୍‌ଟିଏ ଆବଶ୍ୟକ । ଘର କରିବା ପାଇଁ ଋଣ ମଧ୍ୟ ମିଳିବ... ।

 

-ମୁଁ ସବୁ ବ୍ୟବସ୍ଥା କରିଦେବି...ଆପଣ ମୋ’ ଉପରେ ଭରସା ରଖନ୍ତୁ... । ଆଉ ଯଦି ଭଗବାନ କରନ୍ତି ଓ ଆପଣମାନଙ୍କର ସଦ୍ଦିଚ୍ଛା ଥାଏ ।

 

ଆପଣ ମୁଖ୍ୟମନ୍ତ୍ରୀ ହେବେ ନିଶ୍ଚୟ । ଚନ୍ଦ୍ରଶେଖର ବାବୁ ପାଞ୍ଚବର୍ଷ ରହିଲେଣି । ତାଙ୍କ ପରେ ମୁଖ୍ୟମନ୍ତ୍ରୀ ହେବା ପାଇଁ ନୟନକିଶୋର ବି ଆଶା ରଖିଛନ୍ତି ।

 

-ନୟନକିଶୋର ମୋର ଘନିଷ୍ଠ ବନ୍ଧୁ...କିନ୍ତୁ ଆପଣ ଜାଣନ୍ତି ଯେ, ଲୋକମାନେ ତାଙ୍କ ଅପେକ୍ଷା ମୋତେ ଚାହାଁନ୍ତି ବେଶି । ହାଇକମାଣ୍ଡ ତାଙ୍କ ସପକ୍ଷରେ...; କିନ୍ତୁ ହାଇକମାଣ୍ଡଙ୍କ ମତ ଅପରିବର୍ତ୍ତନୀୟ ନୁହେଁ । ସମୟ ଅଛି ଅନେକ, ତା’ ପରେ ତାଙ୍କ ନାମରେ ଗୁଞ୍ଜରଣ ଶୁଣାଯାଇଛି...ବେନାମୀରେ ଘର କିଣିଛନ୍ତି... । ଆପଣ ଜାଣନ୍ତିନି; କିନ୍ତୁ କାଠମାଣ୍ଡୁରେ ଘର...ସିମଳାରେ ଘର...।

 

-ସତ ? ଗାନ୍ଧୀବାଦୀ ବୋଲି ତ ପରିଚୟ ଦିଅନ୍ତି... ।

 

-କେବଳ ସେତିକି ନୁହେଁ, ଦୁଇ ଜାଗାରେ ଦୁଇଜଣ ମିଷ୍ଟ୍ରେସ୍‌ ସେବା କରିବାଲାଗି ଅପେକ୍ଷା କରୁଛନ୍ତି... ।

 

-ପ୍ରମାଣ ଅଛି ?

 

ଆଲମାରୀ ଖୋଲି ଗୋଟେ ଫୋଲଢ଼ିଡ଼ର ଦେଇ କହିଲେ ମାନଧାତା-ଏଇନେ ନୁହେଁ, ଠିକ୍‌ ସାଧାରଣ ନିର୍ବାଚନ ପୂର୍ବରୁ ଏହା ବ୍ୟବହାର କରିବେ । ସେ ଟିକଟ ନ ପା’ନ୍ତି ଯେପରି ।

 

ସାମ୍ୱାଦିକ ମହମ୍ମଦ ଇଲିଅସ କରମର୍ଦ୍ଦନ କରି କହିଲେ-ସାର୍‌, ମୁଁ ଆପଣଙ୍କୁ ଆଗୁଆ ଅଭିନନ୍ଦନ ଜଣାଉଚି...ସେତେବେଳକୁ ଭୁଲି ନ ଯା’ନ୍ତି ଯେପରି ।

 

ଯକ୍ଷ୍ମା ଓ୍ୱାର୍ଡ଼ର ଝରକା ଦେଇ ବାହାରକୁ ଚାହିଁଲେ ଆକାଶର ଚେନାଏ ଦେଖିପାରେ ଭୁବନ । ଝରକା ସେପାଖରେ ବଉଳଗଛ ଉହାଡ଼ କରୁ ନ ଥିଲେ ଆକାଶର ବେଶି ଅଂଶ ଦେଖିପାରନ୍ତା ସେ; କିନ୍ତୁ ଏଇ ଭଲ । ବଉଳ ଗଛର ଫାଙ୍କ ଦେଇ ଲୁଚକାଳି ଖେଳି ଆଲୁଅ ଓ ପବନ ପଶେ ଓ୍ୱାର୍ଡ଼ ଭିତରକୁ । ରାତିରେ ନିଦ ଭାଙ୍ଗିଗଲେ ଏଇ ଝରକା ଦେଇ ଚାହିଁଲେ ମିଟିମିଟି କରୁଥିବା ଆକାଶର ଦୁଇ ତିନିଟା ତାରା ବି ଆଖିରେ ପଡ଼େ । ସେତିକିବେଳେ ମନେପଡ଼େ ଲକ୍ଷ୍ମୀ କଥା, ପୁଅ ଝିଅଙ୍କ କଥା, ଆଉ ପ୍ରତିବେଶୀମାନଙ୍କ କଥା । ତାକୁ ଯକ୍ଷ୍ମା ହସ୍‌ପିଟାଲକୁ ପଠାଇଦେଇ ସ୍ୱସ୍ତିରେ ଯେ ଲକ୍ଷ୍ମୀ ଶୋଇପାରୁ ନ ଥିବ ଏଥିରେ ସେ ନିଃସନ୍ଦେହ । ସେ ପାଖରେ ଥିଲେ କଥା କଥାରେ ଆଖିରୁ ଲୁହ ଝରାଏ ଲକ୍ଷ୍ମୀ । ଏବେ ତାକୁ ଛାଡ଼ି କୋହରେ ଭାଙ୍ଗିପଡ଼ୁ ଥିବ ଏକାକିନୀ । ପାଖରେ କେହି ନ ଥିବେ ତାକୁ ସାନ୍ତ୍ୱନା ବା ସାହସ ଦବା ପାଇଁ ।

 

ଇଲେକ୍‌ସନ୍‌ ତାରିଖଟା ଆଜି କି କାଲି ଠିକ୍‌ ମନେପଡ଼ୁ ନ ଥିଲା ତା’ର । ସେ ଆସିଲାବେଳେ କଥାଦେଇ ଆସିଥିଲା ରାଧାକୁ, ରାମା ରାଓ ଏବଂ ମଧୁ ମାଷ୍ଟରଙ୍କୁ ଭୋଟ ଦିନ ଫେରିଯିବ ବୋଲି । ଲକ୍ଷ୍ମୀ କାଲି ଆସିଥିଲା । ପ୍ରତିଦିନ ଆସେ; କିନ୍ତୁ ଆଜି କି କାଲି କେଉଁଦିନ ନିର୍ବାଚନ କହିବାକୁ ଭୁଲିଗଲା ବୋଧହୁଏ ।

 

ଭୁବନ ବ୍ୟସ୍ତ ହୋଇପଡ଼ିଲା । ସେ ମରୁ ବା ବଞ୍ଚୁ ସେଇଟା ଯେପରି ଆଉ ତା ପାଖରେ ଏତେ ବଡ଼ ନୁହେଁ, ଯେତେ ବଡ଼ ଭୋଟ ଦବା । ଆଗରୁ ଯେ, ସେ ଭୋଟ ନ ଦେଇଛି ଏପରି ବି ନୁହେଁ; କିନ୍ତୁ ସେ ନିଜ ଇଚ୍ଛା ଅନୁସାରେ ଭୋଟ ଦେଇ ନ ଥିଲା । ବସ୍ତିବାଲାଙ୍କୁ କୋଉ ଚିହ୍ନରେ କୋଉ ଦଳକୁ ଭୋଟ ଦିଆଯିବ ତାହା ଆଗରୁ କହି ଦିଆଯାଉ ଥିଲା । ମୁଖିଆମାନେ ବସ୍ତିବାଲାଙ୍କୁ ଡାକିନେଇ ଯାଉଥିଲେ ଭୋଟ କେନ୍ଦ୍ରକୁ । ରାସ୍ତାରେ ମାଂସ ଭାତ ଖାଇବାକୁ ମିଳୁଥିଲା ମୁଫତରେ । ପ୍ରତ୍ୟେକଙ୍କୁ ଦିନକର ମଜୁରି ବି ମିଳୁଥିଲା । ମୁଖିଆମାନେ କହିବା ଅନୁସାରେ ସମସ୍ତେ ଭୋଟ ଦେଉଥିଲେ । ଥରେ ଯଦୁ ସିଂ, ନନ୍ଦ ନାଏକ ଏହା ନ କରି ଆଉ କୋଉ ବାକ୍‌ସରେ ଭୋଟଦେଇ ଆସିଥିଲେ ବୋଲି ନିର୍ଧୁମ ମାଡ଼ ଖାଇଥିଲେ ଫେରିବା ବାଟରେ । ସେମାନଙ୍କୁ ଏକଘରିଆ କରି ରଖାଯାଇଥିଲା ମାସେ । ତା’ପରେ ସଭାରେ ସମସ୍ତଙ୍କଠାରୁ କ୍ଷମା ମାଗି ଶହେ କରି ଜୋରିମାନା ଦେଇ ପୁଣି ମିଶିଥିଲେ ସମସ୍ତଙ୍କ ସହିତ ।

 

ଏଥର ଭୋଟ ପଡ଼ିବ ସେଇ ଗୋଟିଏ ବାକ୍‌ସରେ...ତରାଜୁ ଚିହ୍ନଥିବା ବାକ୍‌ସରେ । ସ୍ୱାୟତ୍ତଶାସନ ସଂଘର ଭୋଟ ଚିହ୍ନ ତରାଜୁ । ସେଇ ତରାଜୁ ଗରିବ, ଖଟିଖିଆ, ଦୁଃସ୍ଥ ବସ୍ତିବାସିନ୍ଦାଙ୍କ ଚିହ୍ନ । ବହୁଦିନ ପରେ ଆଜି ସେମାନେ ସଚେତନ ନିଜର ଅଧିକାର ସମ୍ପର୍କରେ । ଏଯାଏ ଯୁଗ ଯୁଗ ଧରି କେବଳ କର୍ତ୍ତବ୍ୟ କରି ଆସିଲେ କ୍ରୀତଦାସ ପରି, ଅଧିକାର ଜାଣି ନ ଥିଲେ-। ଏବେ କର୍ତ୍ତବ୍ୟବୋଧ ସହିତ ଅଧିକାରବୋଧ ବି ଆସିଛି ମନକୁ । ସେଥିପାଇଁ ଅଳ୍ପ କେଇଟା ଦିନରେ ସମସ୍ତେ ଏକଜୁଟ ହୋଇଚନ୍ତି ଗୋଟିଏ ପତାକା ତଳେ । ଏଯାଏ ସେମାନେ ଅନ୍ୟର ଜୟ-ଜୟକାର କରୁଥିଲେ, ଅନ୍ୟ ଦଳର ପତାକା ବୋହୁଥିଲେ; ସେମାନଙ୍କର ସ୍ଲୋଗାନ୍‌ ଦେଇ ଶୋଭାଯାତ୍ରାରେ ଯାଉଥିଲେ । ଏଥର କିନ୍ତୁ ଆଉ କାହାର ନୁହେଁ, ସେମାନେ ନିଜର ପତାକା ନିଜେ ଧରିଛନ୍ତି, ନିଜର ସ୍ଲୋଗାନ ନିଜେ ଦେଇଛନ୍ତି, ନିଜର ଦାବି ନିଜ ମୁହଁରେ କହୁଛନ୍ତି ।

Unknown

 

ଭୁବନ ସ୍ୱାଇଁର ଗୋଟେ ଫୁସ୍‌ଫୁସ୍‌ ନଷ୍ଟ ହୋଇ ଯାଇଥିଲାବୋଲି ସେଟା କାଟି ବାହାର କରି ଦେଇଥିଲେ ଡାକ୍ତର । ଗୋଟିଏ ଫୁସ୍‌ଫୁସ୍‌ ନେଇ ବଞ୍ଚିଛି ସେ; କିନ୍ତୁ ପରୁଆ ନାହିଁ ସେଥିକୁ । ମଣିଷ ତ ଅମର ଫଳ ଖାଇନି ଯେ ଚିରଦିନ ବଞ୍ଚିବ । ଦିନେ ମରିବ ନିଶ୍ଚୟ । ତା’ହେଲେ ଏତେ ଡରିବ କାହିଁକି ? ଅପରେସନ୍‌ ପରେ ସେ ଭଲହୋଇ ଆସୁଛିବୋଲି ଡାକ୍ତର କହୁଥିଲେ । ନିଜେ କିନ୍ତୁ କିଛି ଅନୁଭବ କରିପାରୁନି ଭୁବନ ସ୍ୱାଇଁ । ସେ ରୋଜଗାର ନ କରିବା ଦିନୁ ମରିଯାଇଛି । ଏମିତି ଜୀବନ ଥିଲେ କେତେ ନ ଥିଲେ କେତେ ! ପୁଅ ମୋହନ ସ୍କାଣ୍ଡାଲଛି, ରୋଜଗାର କରି ଘର ଚଳାଇବା ପାଇଁ । ସ୍ତ୍ରୀ ଘର ଘର ବୁଲି ବାସନ ମାଜୁଛି ପିଲାଙ୍କ ତୁଣ୍ଡରେ ଆହାର ଦବା ପାଇଁ ।

 

ସେ ଅକର୍ମଶିଳା ପରି ପଡ଼ିରହିଛି ଏଇ ଯକ୍ଷ୍ମା ଓ୍ୱାର୍ଡ଼ରେ । ତା’ ଆଗରେ ପୃଥିବୀର ମାନଚିତ୍ର ବଦଳିଯାଇଛି ।

 

ଭୁବନ ସ୍ୱାଇଁ ପାଖ ବିଛଣାର ରୋଗୀ ଭାଇକୁ ପଚାରିଲା, ନିର୍ବାଚନ କେବେ ଭାଇ ?

 

ସେ ବଲବଲ କରି ଚାହିଁଲା ତା’ ମୁହଁକୁ, କୌଣସି ଉତ୍ତର ଦେଇପାରିଲା ନାହିଁ ।

 

ଯେଉଁ ମେହେନ୍ତର ଘରପୋଛେ, ପାଇଖାନା ସଫାକରେ ତାକୁ ପାଖରେ କାମ କରୁଥିବାର ଦେଖି ସେଇ ଏକ ପ୍ରଶ୍ନ ପଚାରିଲା-ନିର୍ବାଚନ କେବେ କହିପାରିବ ?

 

ସେ ବି ଜାଣେ ନାହିଁ ।

 

ବଡ଼ ଆଶ୍ଚର୍ଯ୍ୟ ଲାଗିଲା ଭୁବନକୁ । ଏତେବଡ଼ କାମଟାଏ ହେବାକୁ ଯାଉଚି; କିନ୍ତୁ କେହି ଜାଣନ୍ତିନି । ମନରେ ଦୁଃଖ ହେଲା ଭୁବନର ।

 

ସିଷ୍ଟର ଆସିଲେ ଇଞ୍ଜେକ୍‌ସନ୍‌ ଦବା ପାଇଁ । ତାଙ୍କୁ ବି ସେଇ ପ୍ରଶ୍ନ ପଚାରିଲା ଭୁବନ ।

 

-ନିର୍ବାଚନ ତ କେତେବର୍ଷ ତଳେ ହୋଇଥିଲା...ପୁଣି ଆଉ କେବେ ହେବ କେଜାଣି ? ତମେ କ’ଣ ପାଇବ ନିର୍ବାଚନରୁ । ତମ ନିଜ କଥା ବୁଝ...

 

ନିଜ କଥା ବୁଝୁଚି ବୋଲି ତ ପ୍ରଶ୍ନ ପଚାରିଥିଲା ଭୁବନ । ନିଜ କଥା ଯେତେବେଳେ ବୁଝିପାରୁ ନ ଥିଲା, ନିଜର ଅଧିକାର କ’ଣ ଜାଣି ନ ଥିଲା, ସେତେବେଳେ ଯିଏ ଯାହା ଆଜ୍ଞା ଦେଉଥିଲେ ଶିରୋଧାର୍ଯ୍ୟ କରି ସେ ପାଳନ କରୁଥିଲା ।

 

ଏତେବଡ଼ ନିର୍ବାଚନ ହେବାକୁ ଯାଉଛି...ଅଥଚ କେହି ଜାଣନ୍ତିନି ଏ ସମ୍ପର୍କରେ । ସଚେତନ ନୁହଁନ୍ତି କେହି । ନିର୍ଲିପ୍ତତା ଗ୍ରାସ କରିଛି ସଭିଙ୍କୁ ।

 

ଭୁବନ ସ୍ୱାଇଁ ଇଞ୍ଜେକ୍‌ସନ ନେଲା, ସିଷ୍ଟର ଦେଇଥିବା ଔଷଧ ବି ଖାଇଲା; କିନ୍ତୁ ତାକୁ କିଛି ସୁଖ ଲାଗିଲା ନାହିଁ । ଗୋଟିଏ ଅପରାଧବୋଧ ଧୀରେ ଧୀରେ ଆଚ୍ଛନ୍ନ କଲା ତାକୁ । ଭୋଟ୍‌ଦେଇ ନ ପାରିବାର ଗୋଟେ ବିଚିତ୍ର ପ୍ରକାର କରୁଣ ଅସଫଳତା ତା’ ମନକୁ କ୍ଳାନ୍ତ କରିଦେଲା । ସେ ଉଦାସ ଦୃଷ୍ଟିରେ ଚାହିଁରହିଲା ସେଇ ବଉଳ ଗଛ ଆଡ଼କୁ ।

 

କେତେବେଳେ ଲକ୍ଷ୍ମୀ ଆସିଲା ସେ ଜାଣିପାରିଲା ନାହିଁ ।

 

ତାକୁ ହଲାଇଦେଇ ଲକ୍ଷ୍ମୀ କହିଲା, ଟିକେ ଡେରିହେଲା ଆସିବା ପାଇଁ । ଭୋଟ ଦେଇ ଆସିଲି... ।

 

ଭୁବନ ସ୍ୱାଇଁର ଆଚ୍ଛନ୍ନ ଭାବଟା ଚାଉଁକିନା କଟିଗଲା । ସେ ପ୍ରାୟ ଚିତ୍‌କାର କଲାପରି ପଚାରିଲା, କ’ଣ ଦେଇଆସିଲୁ ?

 

-ଭୋଟ ଦେଇଆସିଲି...ରାଧା ନାନୀକୁ...

 

-ଭଲ କଲୁ, ଭଲ କଲୁ ଲକ୍ଷ୍ମୀ...ତା’ଆଡ଼କୁ ହାତ ବଢ଼ାଇ କହିଲା ଭୁବନ ।

 

-ତମେ ତ କହିଥିଲ ଭୋଟ ଦବା ପାଇଁ... ।

 

-ହଁ, ହଁ, କହିଥିଲି ତୋତେ । ମୁଁ କିନ୍ତୁ ଭୁଲି ଯାଇଥିଲି...ମନେପଡ଼ୁ ନ ଥିଲା...ମୋତେ ଟିକେ ନେଇ ଯାଆନ୍ତୁନି ଲକ୍ଷ୍ମୀ... ।

 

-ଏଇ ଦେହରେ ? ନା, ନା...ଡାକ୍ତରବାବୁ କାଲି କ’ଣ କହୁଥିଲେ ମନେନାହିଁ ? ଆହୁରି ମାସେ ଲାଗିବ ଭଲହୋଇ ଘରକୁ ଫେରିବା ପାଇଁ । ବିଶ୍ରାମ କର...ବାହାର କଥା ଭାବନା ଆଉ...-

 

-ନିଜ ବିଷୟରେ ନ ଭାବି କେହି ରହିପାରେ ଲକ୍ଷ୍ମୀ । ମରିଯାଇଥିବା ଲୋକ କେବଳ ନିଜକଥା ଭାବିପାରେ ନାହିଁ ।

 

-ଛି, ଛି...ପୁଣି ସେଇ ଅସନା ଲକ୍ଷ୍ମୀଛଡ଼ା କଥା । ତମେ ବରଂ ତକିଆରେ ଆଉଜି ଟିକେ ବସ, ମୁଁ ଫଳକାଟି ଦଉଛି ଟିକେ ଖାଅ... ।

 

-ଫଳ କିଏ ଦେଲା ଲୋ ଲକ୍ଷ୍ମୀ ! ଅପୂର୍ବ କଥା କହୁଛୁ...

 

-ବାବୁନା ଷ୍ଟେସନରୁ କିଣି ଆଣିଥିଲା ଦୁଇ ଟଙ୍କା ଦେଇ... ।

 

-ଦୁଇ ଟଙ୍କାର ଚାଉଳ ଆଣିଥିଲେ ବକତେ ଖାଇଥାଆନ୍ତ ସମସ୍ତେ... ।

 

-ଆମ କଥା ଭାବନା ଏତେ...ଭଗବାନ ଅଛନ୍ତି

 

-ସେଇ ଭଗବାନକୁ ମୁଁ ଖୋଜୁଚି ଲକ୍ଷ୍ମୀ ଦେଖାହେଲେ ପଚାରନ୍ତି ଏଇ କ’ଣ ନ୍ୟାୟ...ଏଇ କ’ଣ ବିଚାର ?

 

ଭୁବନ ସ୍ୱାଇଁ କେତେବେଳଧରି କଥା କହି ଥକି ଯାଇଥିଲା । ଅଣନିଶ୍ୱାସୀ ହେଲାପରି ଲାଗିଲା ତାକୁ ।

 

ଲକ୍ଷ୍ମୀ ତା’ ଛାତିରେ ହାତ ବୁଲାଇଦେଲା ।

 

ଟିକେ ପରେ ଲକ୍ଷ୍ମୀର ହାତଯୋଡ଼ିକ ଧରିପକେଇ କହିଲା ଭୁବନ, ମୋତେ ଚଲାବୁଲା କରିବା ପାଇଁ କହିଛନ୍ତି ଡାକ୍ତର...ତୁ ଟିକେ ବାହାରକୁ ନେଇ ଯାଆନ୍ତୁନି...

 

ଲକ୍ଷ୍ମୀ ମନା କରିପାରିଲା ନାହିଁ । କାମ କରୁଥିବା ଲୋକଟା ଶୋଇ ଶୋଇ ଶେତା ପଡ଼ିଗଲାଣି । ମେହେନତ କରୁଥିବା ହାତ ଦୁଇଟା ଓହଳି ପଡ଼ିଛି ଦୁର୍ବଳତାରୁ ।

 

ଭୁବନର ହାତ ଧରି ଖଟରୁ ଓହ୍ଲାଇ ଆଣିଲା ଲକ୍ଷ୍ମୀ ।

 

ଯକ୍ଷ୍ମା ଓ୍ୱାର୍ଡ଼ ଆଗର ବଗିଚା । ସେଇଠି ଟିକେ ଚଲାବୁଲା କରି ହଠାତ୍‌ କ’ଣ ହେଲା କେଜାଣି, ଲକ୍ଷ୍ମୀକୁ କହିଲା ଭୁବନ, ମୋତେ ନେଇ ଯା ଲକ୍ଷ୍ମୀ...ମୁଁ ଭୋଟ ଦେବି...ଆଜି ଦିନଟା ଚାଲିଗଲେ ଆଉ ଋଣ ପରିଶୋଧ କରିବାକୁ ବେଳ ନ ଥିବ ।

 

ଲକ୍ଷ୍ମୀ ଆବାକାବା ହୋଇ ଅନାଇଲା ସ୍ୱାମୀ ମୁହଁକୁ ।

 

ଭୁବନର ଜିଦ୍‌ ସେ ଜାଣେ । କୋଡ଼ିଏ ବର୍ଷ ହେଲା ଏକା ସାଙ୍ଗରେ ଘର କରୁଛି...ତା’ର ଇଚ୍ଛା ଅନିଚ୍ଛା, ଶ୍ୱାସପ୍ରଶ୍ୱାସର ଗତି ସବୁ ଚିହ୍ନା ଲକ୍ଷ୍ମୀର ।

 

-ଏତେଦୂର ଚାଲିଯାଇ ପାରିବ ?

 

-ରିକ୍‌ସା ଗୋଟେ ଡାକ...କାଲି ଶ୍ୟାମଳବାବୁ ପଚାଶ ଟଙ୍କା ଦେଇ ଯାଇଥିଲେ...ଖର୍ଚ୍ଚ ହେଇନି...ପାଖରେ ଅଛି । ଭୁଲି ଯାଇଥିଲି ତୋତେ ଦବାପାଇଁ ।

 

ରିକ୍‌ସା ଆଣିଲା ଲକ୍ଷ୍ମୀ ।

 

ଭୁବନ ସହିତ ରିକ୍‌ସାରେ ବସିଲା ଲକ୍ଷ୍ମୀ । ସ୍ୱାମୀକୁ ଜାକି ଧରିଲା ହାତ ବେଢ଼ାଇ ।

 

-ଡାକ୍ତରବାବୁ ଜାଣିବା ଆଗରୁ କିନ୍ତୁ ମୋତେ ଆଣି ଛାଡ଼ି ଦେଇଯିବୁ... । କହିଲା ଭୁବନ-

 

ତା’ ସ୍ୱରରେ ନୂତନ ଆତ୍ମବିଶ୍ୱାସ ଫୁଟି ଉଠିଲା ଯାହା ଲକ୍ଷ୍ମୀର ଅପରିଚିତ ।

 

ଭୋଟ କେନ୍ଦ୍ର ଆଗରେ ରିକ୍‌ସାରୁ ଉହ୍ଲାଇ ଧୀରେ ଧୀରେ ଭୁବନ ସ୍ୱାଇଁ ଭିତରକୁ ଗଲା-

 

ଭୋଟ ଦେଇ ଫେରି ଆସିଲା ଟିକେ ପରେ । ତା’ ପାଦ ଥରୁଥାଏ କ୍ଳାନ୍ତିରେ ।

 

ଲକ୍ଷ୍ମୀ ତାକୁ ଫେରାଇ ନବା ପାଇଁ ରିକ୍‌ସା-ଉପରକୁ ଉଠାଇଲାବେଳେ ପହଞ୍ଚିଗଲେ ରାମା ରାଓ ଓ ମଧୁ ମାଷ୍ଟ୍ରେ ।

 

ମଧୁ ମାଷ୍ଟର କହିଲେ, ତମେ ଆସି ନ ଥିଲେ କ’ଣ ମହାଭାରତ ଅଶୁଦ୍ଧହୋଇ ଯାଇଥାନ୍ତା...ଏଣେ ଦେହ ଖରାପ...ଏତେ ବାଟ ଚାଲିଆସିଛ । ଡାକ୍ତର ଜାଣନ୍ତି ?

 

ଭୁବନ ସ୍ୱାଇଁ ସବୁ ପ୍ରଶ୍ନର ଉତ୍ତର ନ ଦେଇ କେବଳ କହିଲା...ଆଉ ଭୟ ନାହିଁ ମାଷ୍ଟର ବାବୁ...ଭଗବାନ ବୁଝନ୍ତୁ ବା ନ ବୁଝନ୍ତୁ ଲୋକମାନେ ନିଜ କଥା ବୁଝିଗଲେଣି... ।

 

ମଧୁମାଷ୍ଟର କହିଲେ...ଏବେ ତମପରି ନିରଳସ, ସଚ୍ଚୋଟ ଲୋକର ଦରକାର ଭୁବନ ଭାଇ...ତମେ ଭଲ ହୋଇ ଫେରିଆସ...ସତ୍ୟନଗର ସ୍ୱର୍ଗ ହୋଇ ଉଠିବ ।

 

ଭୁବନକୁ ନେଇ ରିକ୍‌ସାଟା ଅଦୃଶ୍ୟ ହୋଇଗଲା ଅଳ୍ପ ସମୟ ମଧ୍ୟରେ ।

 

ଯକ୍ଷ୍ମା ଓ୍ୱାର୍ଡ଼କୁ ଫେରିଆସି ତୃପ୍ତିର ନିଶ୍ୱାସ ଛାଡ଼ିଲା ଭୁବନ ସ୍ୱାଇଁ ।

 

ତାକୁ ଶୁଆଇଦେଲା ଲକ୍ଷ୍ମୀ ।

 

ବେଳ ଗଡ଼ି ଆସିଥିଲା ସେତେବେଳକୁ । ସ୍ୱାମୀ ପାଖରୁ ବିଦାୟ ନବା ପାଇଁ ଉଠିଲା ଲକ୍ଷ୍ମୀ ।

 

ଭୁବନ କହିଲା, ଏଇ ଜଗତଟା ବଡ଼ ସୁନ୍ଦରଲୋ ଲକ୍ଷ୍ମୀ । କେତେ ଚିହ୍ନାଜଣା, କେତେ ନିଜ ଲୋକ...କେତେ ମାୟା ମମତା... ।

 

ଲକ୍ଷ୍ମୀକୁ ନୂଆ ଲାଗୁଥିଲା ଏଇ ସ୍ୱର ।

 

ସେ ଫେରି ଚାହିଁ ଚାହିଁ ବାହୁଡ଼ି ଆସିଲା ହସ୍‌ପିଟାଲ୍‌ରୁ ।

 

ସମସ୍ତେ ଭୋଟ କାମରେ ଏତେ ବ୍ୟସ୍ତ ରହିଲେ ବୋଲି ରାତିରେ ତାକୁ ଦେଖିବା ପାଇଁ ଆଉ କେହି ଯାଇ ପାରିଲେନି ହସ୍‌ପିଟାଲ ।

 

ସକାଳେ ଚା’ ନେଇ ଗଲା ବାବୁନା ରଙ୍ଗା ରାଓ ସାଙ୍ଗରେ ।

 

ଅଳ୍ପ ସମୟ ପରେ ରଙ୍ଗା ରାଓ ଫେରିଆସିଲା ଏକା... ।

 

ଲକ୍ଷ୍ମୀ ପଚାରିଲା, ଏତେ ବେଗି ଫେରିଆସିଲ ଯେ...ବାବୁନା ରହିଗଲା ବାପ ପାଖରେ...?

 

ରଙ୍ଗା ରାଓର ମୁହଁରୁ କଥା ସ୍ଫୁରିଲା ନାହିଁ । ସେ କୋହରେ ଭାଙ୍ଗିପଡ଼ି କହିଲା...ସବୁ ସରିଯାଇଛି...ଭାଉଜ । ଭୁବନ ଭାଇ ଆମକୁ ଛାଡ଼ି ଚାଲିଯାଇଛି...

 

ଲକ୍ଷ୍ମୀ କଟା କଦଳୀ ଗଛ ପରି ପଡ଼ିଗଲା ଭୂଇଁ ଉପରେ ।

 

ମ୍ୟୁନିସିପାଲିଟି ନିର୍ବାଚନରେ ସ୍ୱାୟତ୍ତଶାସନ ସଂଘର ଅଭୂତପୂର୍ବ ବିଜୟ ରାଜନୈତିକ ଦଳ ତଥା ପର୍ଯ୍ୟବେକ୍ଷକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଲା । କେହି ଆଶା କରି ନ ଥିଲେ ଯେ, କେତେକ ମୁଷ୍ଟିମେୟ ଯୁବକ ଓ ଯୁବତୀଙ୍କଦ୍ୱାରା ସଙ୍ଗଠିତ ଏହି ଦଳ ଅଧିକାଂଶ ସ୍ଥାନ ଦଖଲ କରିନବ । ସର୍ବମୋଟ ଏକାବନଟି ସ୍ଥାନରୁ ସ୍ୱାୟତ୍ତ ଶାସନ ସଂଘ ଏକ ତିରିଶଟି ହାସଲ କରିଛି ଓ ପ୍ରତିଷ୍ଠିତ ରାଜନୈତିକ ଦଳମାନେ ପାଇଛନ୍ତି ମାତ୍ର କୋଡ଼ିଏଟି । ସଂଖ୍ୟାଧିକ ଦଳ ଭାବରେ ସ୍ୱାୟତ୍ତ ଶାସନ ସଂଘ ସ୍ୱୀକୃତି ପାଇବା ଏଇ ପ୍ରଥମ । ସେମାନଙ୍କଦ୍ୱାରା ଶାଗ ସିଝିବ ନାହିଁ କି ମୁଗ ସିଝିବ ନାହିଁ ବୋଲି ପ୍ରଚାର କରାଯାଉଥିଲା । ସେମାନେ ବାଚାଳ, ବିପଥଗାମୀ ବୋଲି ଅପପ୍ରଚାର ହୋଇଥିଲା । ସେମାନେ ଜାତୀୟ ରାଜନୀତିର ସ୍ରୋତରୁ ବିଚ୍ଛିନ୍ନ ବୋଲି ମଧ୍ୟ କୁହାଯାଉଥିଲା; କିନ୍ତୁ ଏହାସତ୍ତ୍ୱେ ସେମାନେ କିପରି ଯେ, ଏତେ ଭୋଟ ପାଇଲେ ତାହା ରାଜନୀତି ସମୀକ୍ଷକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

 

କିନ୍ତୁ ସତ୍ୟଜିତ୍‌ କହେ ଯେ ପ୍ରଚଳିତ ଶାସନ ବ୍ୟବସ୍ଥା ବିରୁଦ୍ଧରେ ଲୋକଙ୍କର ପୁଞ୍ଜିଭୁତ ଅସନ୍ତୋଷହିଁ ଏହାର ମୂଳ କାରଣ । ତିନିଟା ସ୍କାଣ୍ଡାଲ ସହିତ ଶାସକ ଦଳର ସଂଯୋଗ ଓ ଅସାମାଜିକ କାର୍ଯ୍ୟରେ ଲିପ୍ତ ଥିବା ପ୍ରତିପତ୍ତିଶାଳୀ ବ୍ୟକ୍ତିମାନଙ୍କ ସହିତ ସେମାନଙ୍କର ସହଯୋଗ ଓ ଗୁପ୍ତ ବୁଝାମଣା ଅବସ୍ଥାକୁ ଆହୁରି ଖରାପ କରିଦେଲା । ଦଳ ଏତେଟା ବିପର୍ଯ୍ୟୟର ସମ୍ମୁଖୀନ ହେବ ବୋଲି ଶାସକ ଦଳର ପ୍ରଧାନ ପୁରୋଧାମାନେ ମଧ୍ୟ ଭାବି ନ ଥିଲେ ।

 

ଭୁବନ ସ୍ୱାଇଁର ଅକାଳ ମୃତ୍ୟୁରେ ଦିନେ ସତ୍ୟନଗର ବନ୍ଦ ରହିଲା । ଜୀବନଯାତ୍ରା ନିସ୍ତବ୍‌ଧ ହୋଇଗଲା ପରି ଲାଗିଲା । କାଉ କୋଇଲି ବି ଚୁପ୍‌ ହୋଇ ବସିରହିଲେ ବୃକ୍ଷ ଶାଖାରେ-। ଭୁବନ ସ୍ୱାଇଁକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଗଲା ତା’ ପରଦିନ । ମଧୁ ମାଷ୍ଟରଙ୍କ ଭାଷାରେ ସେ ଥିଲା ସତ୍ୟନଗର ବସ୍ତି ଜୀବନର ସବୁ ଉତ୍କର୍ଷତାର ଉତ୍ସ । ସତ୍ୟନଗର ବସ୍ତିର ଆବର୍ଜନା, ଅସ୍ୱାସ୍ଥ୍ୟକର ପରିବେଶ, ଅସାମାଜିକ କାର୍ଯ୍ୟ ଓ ଗୁଣ୍ଡାମୀ ସାଧାରଣତଃ ଆଖିରେପଡ଼େ ବଡ଼ ଲୋକଙ୍କର; କିନ୍ତୁ ଏହାର ସମବେତ ପରସ୍ପର ଉପରେ ନିର୍ଭରଶୀଳ ଜୀବନଧାରା, ସୁଖ ଦୁଃଖର ସମବାୟିକ ବଣ୍ଟନ, ସର୍ବାପେକ୍ଷା ପ୍ରତିକୂଳ ଅବସ୍ଥାରେ ମଧ୍ୟ ବଞ୍ଚିବା ପାଇଁ ଅପୂର୍ବ ଉନ୍ମାଦନା ଏକ ବିସ୍ମୟକର ଜୀବନ ଶକ୍ତିର ପରିଚୟ ଦିଏ । ଭୁବନ ସ୍ୱାଇଁ ଏସବୁର ପ୍ରତୀକ, ଭଲ ଓ ମନ୍ଦର ସମିଶ୍ରଣରେ ଗଢ଼ି ଉଠିଥିବା ମଣିଷଟିଏ । ଠିକ୍‌ ସତ୍ୟନଗର ପରି ।

 

ମଧୁମାଷ୍ଟରଙ୍କ ପ୍ରସ୍ତାବକ୍ରମେ ସ୍ୱର୍ଗତ ଆତ୍ମାର ସଦ୍‌ଗତି ନିମନ୍ତେ ପାଞ୍ଚମିନିଟ୍‌ ନୀରବ ପ୍ରାର୍ଥନା ପରେ ମ୍ୟୁନିସିପାଲିଟି ନିର୍ବାଚନରେ ବିଜୟ ଉତ୍ସବକୁ ସ୍ମରଣୀୟ କରି ରଖିବା ପାଇଁ ସତ୍ୟନଗରର ଦ୍ୱାର ଦେଶରେ ଭୁବନ ସ୍ୱାଇଁର ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ଆଗତ ପ୍ରସ୍ତାବ ସର୍ବାନ୍ତକରଣରେ ସମର୍ଥନ କଲେ ସମସ୍ତେ ।

 

ଦୁଇଦିନ ପରେ ଆରମ୍ଭ ହେଲା ବିଜୟୋତ୍ସବ । ରାଧା ମହାପାତ୍ର ଏଇ ଦୁଇଦିନ ବାହାରି ନ ଥିଲା ଘରୁ । ତାକୁ ଆଗାମୀ ଦିନଗୁଡ଼ାକର ପ୍ରତିଶ୍ରୁତି ଯେତେ ପୁଲକିତ କରି ନ ଥିଲା, ଲୁଚି ଯାଇଥିବା ଅତୀତର ସ୍ମୃତିଗୁଡ଼ାକ ତା’ଠାରୁ ବେଶି ଆତଙ୍କିତ କରୁଥିଲା । ସେ ସ୍ୱପ୍ନ ଦେଖୁଥିଲା ଗୋଟିଏ ଛୋଟ ସୁଖୀ ସଂସାରର କର୍ତ୍ତ୍ରୀହୋଇ ରହିବା ପାଇଁ । ସ୍ୱାମୀ ଓ ପୁତ୍ରକନ୍ୟା ସହିତ ବର୍ତ୍ତମାନ ଉପରେ ଭବିଷ୍ୟତର ସୌଧ ନିର୍ମାଣ କରିବାଲାଗି ପ୍ରସ୍ତୁତିରେ ମଗ୍ନ ଥିଲା ସେ; କିନ୍ତୁ ସେସବୁ କିଛି ହେଲା ନାହିଁ । ସବୁ ଆଶା ଆଟ୍‍ଲାଣ୍ଟିକ ମହାସାଗରରେ ବିସର୍ଜନ ଦେଇ ଫେରିଆସିଲା ନିଜ ଦେଶକୁ ।

 

ପ୍ରତ୍ୟୁଷର କାକଳି ପରି ବାହାରେ ଶୁଣାଗଲା କାହାର ସ୍ୱର । ଉଠିବସିଲା ରାଧା ।

 

କବାଟ ଉପରେ ମୃଦୁ ଆଘାତ କରି ଡାକୁଛି କିଏ । ବୋଧହୁଏ ବସ୍ତିର କୌଣସି ଲୋକ-। ଆଜି ବିଜୟ ଉତ୍ସବ ପାଳନ କରିବାର ଦିନ ।

 

ସେ କବାଟ ଖୋଲିଦେଲାକ୍ଷଣି ତା’ ଆଗରେ ସକାଳର ସବୁ କୋମଳ ସତେଜତା ନେଇ ଠିଆ ହେଲା ସତ୍ୟଜିତ୍‌ । ମୁହଁରେ ହସ ଓ ହାତରେ ପୁଷ୍ପଗୁଚ୍ଛ ।

 

ଆଜି ସକାଳେ ତୁମ ମୁହଁଚାହିଁ ଆରମ୍ଭ କରୁଛି...ଆସ ଭିତରକୁ ଆସ । ସ୍ୱାଗତ କରି କହିଲା ରାଧା । ତା’ ହାତକୁ ଫୁଲ ବଢ଼ାଇଦେଇ କହିଲା ସତ୍ୟଜିତ୍‌ ଶୁଭକାମନା ସହ ତମକୁ ଦେଖିବା ପାଇଁ ମନହେଲା, ଆଗପରି ଅଛ ନା ବଦଳି ଯାଇଛ ଅନୁଭବ କରିବାଲାଗି ଇଚ୍ଛା ହେଲା, ସେଥିପାଇଁ ଚାଲିଆସିଲି । ଚା’ କର...ଚା’ ପିଇବା ଆଉ ଗଳ୍ପ କରିବା... ।

 

-ସକାଳର ଆଲୋକ ସହିତ ଆସିଛ ତମେ । ତମର ବାଟ ବରଣ କରିବା ପାଇଁ; କିନ୍ତୁ ନାହାଁନ୍ତି କେହି... ।

 

ହୋ ହୋ କରି ହସିଉଠି କହିଲା ସତ୍ୟଜିତ୍‌, ତମେ କିନ୍ତୁ ବଡ଼ ସୁନ୍ଦର ଦିଶୁଛ ଆଜି...ଠିକ୍‌ ସକାଳର ସୂର୍ଯ୍ୟୋଦୟ ପରି । କାକରସ୍ନାତ ଦୂର୍ବାଦଳ ଉପରେ ଚକ୍‌ଚକ୍‌ କରୁଥିବା ସୂର୍ଯ୍ୟରଶ୍ମି ପରି ଦିଶୁଛ ରାଧା... ।

 

ରାଧା ମୁହଁ ଫେରାଇ ଚାଲିଗଲା ଚା କରିବା ପାଇଁ । ସୌଭାଗ୍ୟର ମୁହାଁମୁହିଁ ହେଲେ ନିଜକୁ ସଂଯତ କରିପାରେନା ସେ । ଆକୁଳ ଅନ୍ତରର ସବୁ ବ୍ୟାକୁଳତା ପଦାକୁ ବାହାରି ଆସେ । ଏଇ ସକାଳେ ସକାଳେ ସେ ନିଜ ଅଶ୍ରୁଦ୍ୱାରା ନିଜର ମୁହଁ ଧୋଇବାକୁ ଚାହେଁନା । ସତ୍ୟଜିତ୍‌ ଭାବିବ କ’ଣ ? ସେ ତ ସମୟ ପାଇନି ତାକୁ ସବୁ କଥା କହିବା ପାଇଁ !

 

ଆଜି କହିଲେ ହୁଅନ୍ତା... । ମନକୁ ମନ କହିଲା ରାଧା । ପୁଣି କହିଲା, ନା, ନା...ବିଜୟର ବେଳ ଇଏ । ଏତିକିବେଳେ ଅତୀତର ଲୁହଝରା ପରାଜୟର ଦିନଗୁଡ଼ାକୁ ମନେପକାଇବ ବା କାହିଁକି । ସେଥିରେ ସତ୍ୟଜିତ୍‌କୁ ଭାଗ ନବା ପାଇଁ କହିବ ବା କାହିଁକି ।

 

ସତ୍ୟଜିତ୍‌ କହିଲା, ଆଜି ସକାଳଟା ବଡ଼ ସୁନ୍ଦର, ବଡ଼ ମଧୁର ଲାଗୁଚି... ।

 

-କାହା ମୁହଁ ଦେଖିଲ ସକାଳୁ... ।

 

-ତମ ମୁହଁ...ବିଶ୍ୱାସ କର... ।

 

ନିଜକୁ ଗୋଟେଇ ନେଲା ରାଧା; କିନ୍ତୁ ମନ ଭିତରେ ସେଇ ପ୍ରବହମାନ ସ୍ରୋତସ୍ୱିନୀ ଯେ ସବୁ ବାଧାବନ୍ଧନ ଡେଇଁ ସାଗର ଆଡ଼କୁ ଯିବାକୁ ଚାହେଁ... ।

 

ହୀରାକୁଦ ବନ୍ଧ ପରି ଗୋଟାଏ ବନ୍ଧ ଛିଡ଼ାହେଲା ତା’ ଆଗରେ । ସାଧ୍ୟ ନ ଥିଲା ଡେଇଁବା ପାଇଁ ।

 

ସତ୍ୟଜିତ୍‌ ହାତକୁ ଗରମ ଚା’ କପେ ବଢ଼ାଇଦେଇ କହିଲା, କିପରି ଅଛ କହିଲନି ଯେ... ।

 

-ଭଲଅଛି; କିନ୍ତୁ ସବୁବେଳେ ମନେପଡ଼ ରାଧା...ଭୟ ହୁଏ ସତ୍ୟର ମୁହାଁମୁହିଁ ହେବା ପାଇଁ । କାଳେ ଯଦି ନା କହିଦିଅ... ।

 

ରାଧା ଆଉଥରେ ସେଇ ସତ୍ୟର ମୁହାଁମୁହିଁ ହେବାକୁ ଡରୁଥିଲା । କଥାର ମୋଡ଼ ଫେରାଇବାଲାଗି ସେ କହିଲା, ନିର୍ବାଚନରେ ବିଜୟ ହେଲା ତୁମ ପାଇଁ...

 

-ନା, ନା...ଲୋକମାନଙ୍କ ପାଇଁ । ଆମେ କେବଳ ନିମିତ୍ତ ମାତ୍ର... ।

 

-ଏହାପରେ... ।

 

-ଏହାପରେ ଆରମ୍ଭ... । ଏଯାଏ ଅନ୍ୟର ମୁଣ୍ଡ ଉପରେ ବୋଝ ଲଢ଼ିଦି ଦଉଡ଼ୁଥିଲୁ ଆମେ... ।

 

-ଗୋଟାଏ ବଡ଼ ଆହ୍ୱାନ ଆସିଛି... ।

 

-ସେଥିପାଇଁ ତ ଆସିଲି ତୁମକୁ କହିବା ପାଇଁ । ମନା ନ କର ଯେପରି... ।

 

-କ’ଣ ମନା କରିବି... ।

 

ଚା’ରୁ ଆଉ ଚଳୁଏ ଶୋଷିନେଇ କହିଲା ସତ୍ୟଜିତ୍‌ ମ୍ୟୁନିସିପାଲିଟିର ଚେୟାରମ୍ୟାନ ପଦ ପାଇଁ ତୁମ ନାମ ପ୍ରସ୍ତାବ କରିବି ମୁଁ...ତୁମର ସହମତି ଦରକାର... ।

 

ପ୍ରାୟ ଉଠି ବସି କହିଲା ରାଧା-ନା, ନା, ନା...ମୁଁ କିଏ ଚେୟାରମ୍ୟାନ କିଏ...ମୋତେ ମୋ ସୀମା ଭିତରେ ରହିବାକୁ ଦିଅ ସତ୍ୟଜିତ୍‌... ।

 

-ଏ କାମ ପାଇଁ ତମର ସବୁ ଯୋଗ୍ୟତା ଅଛି । ବିଦ୍ୟାବୁଦ୍ଧି, ନିଷ୍ଠା ଓ କର୍ମପ୍ରବଣତା... ।

 

-ନା, ନା...ମୋତେ ଏଇ ସକାଳେ ସକାଳେ ଭୟ ଦେଖାଅ ନା...

 

-ଭୟ ନୁହେଁ । ଚ୍ୟାଲେଞ୍ଜଗୁଡ଼ା ସବୁବେଳେ ଏହିପରି ଆସେ...ଏହିପରି ଭୟ ଦେଖାଏ...କିନ୍ତୁ ତା’ର ସମ୍ମୁଖୀନ ହେଲାକ୍ଷଣି ତାହା ଉଭେଇ ଯାଏ... ।

 

-ଅନେକ ଯୋଗ୍ୟଲୋକ ଅଛନ୍ତି...ମଧୁ ମାଷ୍ଟର, ତମେ...ଶ୍ୟାମଳେନ୍ଦୁ... ।

 

-ମଧୁ ମାଷ୍ଟର, ଶ୍ୟାମଳେନ୍ଦୁ ସହିତ ମୁଁ ପରାମର୍ଶ କରିସାରିଛି । ସେମାନେ ମୋ’ ସହିତ ଏକମତ ।

 

-ତମେ କାହିଁକି ମୋ’ ପଛରେ ଲାଗିଛ ଯେ... ?

 

ଆଖି ଛଳଛଳ କରି କହିଲା ରାଧା ।

 

ସତ୍ୟଜିତ୍‌ ସେ ଆଖିରେ ଲୁହ ନ ଦେଖି ଦେଖିଲା ନିଜକୁ ନିଗୃହୀତ କରୁଥିବା ରାଧାର ଅନ୍ୟ ଏକ ରୂପ ।

 

ସେ ଧୀରେ ଧୀରେ କହିଲା...ମୁଁ ଜାଣେନା ତମର ବାଧା କୋଉଠି...ଦୁଃଖ କଅଣ...ମୋତେ ସେଦିନ ପ୍ରତିଶ୍ରୁତି ଦେଇ କହିଥିଲ ଯେ, କିଛି ନ ହେଲେ ବି ଆମେ ବନ୍ଧୁ ହୋଇ ରହିବା... । ଯଦି ବନ୍ଧୁ ବୋଲି ସ୍ୱୀକାର କର, ବିଶ୍ୱାସ କର ମୋତେ କହିବନି କ’ଣ ତମର ସଙ୍କୋଚ...କ’ଣ ଭୟ ?

 

ରାଧା କିଛି ସମୟ ଚୁପ୍‌ଚାପ୍‌ ବସି ରହିଲା । ତା’ପରେ ଧୀରେ ଧୀରେ କହିଲା-ସେ କାହାଣୀ ପ୍ରୀତିକର ନୁହେଁ ସତ୍ୟଜିତ୍‌...ବରଂ ଶୁଣିଲେ ତମେ ଶିହରି ଉଠିବ ଆଶଙ୍କାରେ... ।

 

-ନା, ନା । ମୁଁ ପ୍ରସ୍ତୁତ ହୋଇ ଆସିଛି...ଆଜି କହିବାକୁ ହେବ ତମକୁ...ମୁଁ ଶୁଣିବା ପାଇଁ ଆସିଛି... ।

 

-ତମେ ସହ୍ୟ କରିପାରିବନି ସତ୍ୟଜିତ୍‌...

 

ତା’ ମୁହଁକୁ ସିଧା ଚାହିଁ କହିଲା ସତ୍ୟଜିତ୍‌, ସତ୍ୟ ପରି ନିଷ୍ଠୁର ଆଉ କେହି ହୋଇ ନ ପାରେ...କିନ୍ତୁ ସତ୍ୟ ପରି ବନ୍ଧୁ ବି ଆଉ କେହି ନାହିଁ... । ଯାହା ସତ୍ୟ ତାହା ଗ୍ରହଣ କରିନେଲେ ମିଛ ଆବରଣଗୁଡ଼ାକ ଖସିପଡ଼େ ମାଛକାତି ପରି ।

 

-ମୋତେ କହିବନି ରାଧା ?

 

ରାଧା ଫୁଲଗୁଡ଼ାକୁ ମୁହଁ ପାଖରେ ରଖି କହିଲା-ସେ ଅନେକ କଥା...ଅନେକ ଲମ୍ବା କାହାଣୀ... ।

 

ମୁଁ ପ୍ରସ୍ତୁତ ହୋଇ ଆସିଛି ଏଇ ବିଜୟ ସମ୍ପୂର୍ଣ୍ଣ ହେବନି ସେ କାହାଣୀ ନ ଶୁଣିଲେ... ।

 

ରାଧା ଧୀରେ ଧୀରେ କହିଗଲା ସବୁ...କିଛି ଲୁଚାଇଲା ନାହିଁ...କିଛି ଅତିରଞ୍ଜିତ କଲା ନାହିଁ ।

 

କହିସାରି ସେ ଘର ଭିତରକୁ ପଶିଯାଇ ଲୋଟିପଡ଼ିଲା ବିଛଣା ଉପରେ, ସମ୍ଭାଳି ପାରିଲା ନାହିଁ ।

 

ତା’ ପିଠି ଉପରେ ହାତ ବୁଲାଇଦେଇ କହିଲା ସତ୍ୟଜିତ୍‌...ତମେ ଏଇ ଫୁଲ ପରି ନିର୍ମଳ ରାଧା । ବି.ଜେ.ବି. କଲେଜରେ ମୁଁ ତୁମକୁ ଯେମିତି ଦେଖିଥିଲି ଆଜି ବି ମୋ’ ଆଖିରେ ତୁମେ ସେହିପରି ପବିତ୍ର ରାଧା...ଆଉ ନିଗୃହୀତ କରନା ନିଜକୁ...

 

ରାଧା କିନ୍ତୁ କୋହରେ ଫାଟିପଡ଼ିଲା ସମବେଦନାର ବାଣୀ ଶୁଣି ।

 

ବନ୍ଧ ଭାଙ୍ଗି ପଡ଼ୁଥିଲା ସ୍ରୋତସ୍ୱିନୀର ଧକ୍‌କା ଖାଇ... ।

 

ସତ୍ୟଜିତ୍‌ ବାଧା ନ ଦେଇ ବରଂ କହିଲା-ଭଲକରି କାନ୍ଦିନିଅ ରାଧା, ସେଇ ଅଶ୍ରୁ ଜଳରେ ଧୋଇ ହୋଇଯାଉ ଜୀର୍ଣ୍ଣ, ପୁରାତନ ଅତୀତ । ଆଉ ପଛକୁ ନ ଚାହିଁ ଏବେ ଆଗକୁ ଚାହଁ...ନୂତନ ଦିନର ନୂତନ ସୂର୍ଯ୍ୟ ତୁମକୁ ଅପେକ୍ଷା କରୁଛି ଦ୍ୱାରଦେଶରେ... ।

 

ରାଧା ଫୁଲି ଫୁଲି ଆହୁରି କାନ୍ଦିଲା... ।

 

ଦଳ ହାରିଯିବାଦ୍ୱାରା ମାନଧାତା ଶ୍ରୀଚରଣ ବଳିଆରସିଂଙ୍କ ସବୁ ଗଣନା ଭୁଲ ହୋଇଗଲା । ଏଯାଏ ସେ ଯେଉଁ ମିଶାଣ ଫେଡ଼ାଣ କରି ନିଜର ଶକ୍ତି ଅଟକଳ କରିଥିଲେ ସେଇ ଅଙ୍କ ଭୁଲ ପ୍ରମାଣିତ ହେଲା । ସେଥିରେ ବିଶେଷ କିଛି କ୍ଷତି ଘଟି ନ ଥାନ୍ତା ଯଦି କେବଳ ନିର୍ବାଚନରେ ତାଙ୍କ ପ୍ରାର୍ଥୀମାନେ ହାରିଯାଇ ଥାଆନ୍ତେ । ରାଜନୀତି କଲେ ହାରଜିତ୍ ମାନି ନବାକୁ ହୁଏ । ହାରଜିତ୍‌ ଏଇ ଖେଳର ଗୋଟେ ସ୍ୱାଭାବିକ ଦିଗ । ଖେଳିବା ଲୋକ ତାହା ମାନିନିଏ; କିନ୍ତୁ ଖେଳ ଆରମ୍ଭ ହେବାବେଳକୁ ତାଙ୍କ ନାମରେ ବା ତାଙ୍କର ଘନିଷ୍ଠ ସହଯୋଗୀମାନଙ୍କ ନାମରେ ଗୋଟିକ ପରେ ଗୋଟିଏ ସ୍କାଣ୍ଡାଲ ଯେପରି ଖବର କାଗଜରେ ବାହାରିଲା ଧାରାବାହିକ ଭାବରେ ସେଥିରେ ସ୍ତମ୍ଭୀଭୂତ ହୋଇ ଯାଇଥିଲେ ସେ । ଏତେ ତଥ୍ୟ ସାମ୍ୱାଦିକମାନଙ୍କ ହାତକୁ କିପରି ଗଲା, ତାହା ଘରୋଇ ବିଭାଗର ମନ୍ତ୍ରୀ ହୋଇ ବି ତାଙ୍କର ଅଜ୍ଞାତ । ଏହା କାହାକୁ କହିବେ ? ଲଜ୍ୟାରେ ମଥା ନଇଁ ଯାଉଛି ।

 

ଏଣେ ତାଙ୍କ ସପକ୍ଷରେ ସଫେଇ ଦବାଲାଗି ମୁଖ୍ୟମନ୍ତ୍ରୀ ମନା କରିଦେଲେ; ଅଥଚ ସେଇ ମୁଖ୍ୟମନ୍ତ୍ରୀଙ୍କୁ ଗାଦିରେ ରଖିବା ପାଇଁ କମ୍‌ ସ୍ୱାର୍ଥ ତ୍ୟାଗ କରିନାହାନ୍ତି ସେ । ସେଇ ବୁଢ଼ା ମରିବାଯାଏ ଗାଦି ମାଡ଼ି ବସିବାର ସ୍ୱପ୍ନ ଦେଖୁଛି ବୋଧହୁଏ । ନ ହେଲେ ଏ ବୟସରେ ଯେଉଁ କୀର୍ତ୍ତି ଅର୍ଜୁଛି ତାହା କାନରେ ଶୁଣି ହେବନାହିଁ । ତାଙ୍କୁ ବି ପାନେ ଦେବେ ମାନଧାତା । ତାଙ୍କ ପାଖରେ ଅତି ଗୋପନୀୟ ତଥ୍ୟ ରହିଛି ମୁଖ୍ୟଙ୍କ ବିରୁଦ୍ଧରେ । ଏଯାଏ ସେ ତାହା ବ୍ୟବହାର କରି ନ ଥିଲେ । ରାଜନୀତିରେ ପରସ୍ପରର ପାପ ଓ ଅପରାଧକୁ ପରସ୍ପର ସହ୍ୟ କରିନିଅନ୍ତି ସାମୟିକ ସନ୍ଧିର ନିୟମ ମାନି । ଦରକାର ପଡ଼ିଲେ ସେଇ ସନ୍ଧି ଏକତରଫା ବାତିଲ ହୁଏ ଏବଂ ଜଣକର ଅପରାଧ, ପାପ ଓ ଦୁର୍ନୀତି ସବୁକୁ ପଦାରେ ପକାଇ ବାହାବା ନିଏ ଆଉ ଜଣେ । ଆଉ ରାଜନୀତିରେ ପ୍ରବେଶ କରିବା ଦିନୁ ବନ୍ଧୁ ହୋଇ ଆସିଥିବା ନୟନକିଶୋର ମନ୍ତ୍ରୀଥାଇ ବି ଦଳପତି-। ତାଙ୍କର ବି ଉଚ୍ଚଆଶା ଅଛି । ସେ ପୂର୍ତ୍ତବିଭାଗ ଓ ଅବକାରୀ ବିଭାଗର ଦାୟିତ୍ୱରେ ଥିଲାବେଳେ ଯେତେ ଅର୍ଥ ଠୁଳ କରିଛନ୍ତି, ଯେତେ କୁକର୍ମ କରିଛନ୍ତି ସେ ସବୁର ହିସାବ ଅଛି ତାଙ୍କ ଫାଇଲରେ । ରାଜନୀତିରେ ନିର୍ମଳ ବୋଲି କିଛି ନୁହେଁ, ଯେପରି ଧୋବା ତୁଠର ନିର୍ମଳତା କେବଳ କଳ୍ପନାର ବିଷୟ । ଧୋବା ଯେପରି ସାମୟିକ ଭାବରେ ସବୁ ମଇଲା କାଢ଼ି ଲୁଗା ସଫା କରିଦିଏ, ସେଇ ଲୁଗା ପିନ୍ଧି ବ୍ୟକ୍ତି ନିର୍ମଳ ଦିଶେ ଓ ସଫଳତାର ସହିତ ନିଜ ଦେହର ମଇଲା ଢାଙ୍କି ଦିଏ; ରାଜନୀତିଟି ସେହିପରି । ମଇଳାରେ ଆତଯାତ; କିନ୍ତୁ ରାଜନୀତି କରୁଥିବା ଲୋକେ ସଫାସୁତୁରା ରହନ୍ତି ବେଶି ଭିତରର ମଇଲା ଲୁଚେଇବା ପାଇଁ ।

 

ଶ୍ରୀଚରଣ ମାନଧାତା ବଳିଆରସିଂ ଶପଥ ନେଲେ ଯେ, ସେ ତଳିତଳାନ୍ତ ହୋଇଯିବେ ପଛେ ଆଉ କାହାକୁ ବାଟ ଛାଡ଼ିଦେବେ ନାହିଁ । ଏତେଦିନ ଧରି ରାଜନୀତି କରି ଶୀର୍ଷ ସ୍ଥାନ ଛାଡ଼ିଦେଇ ସେ ଲଢ଼େଇରୁ ହଟିଯିବେ ନାହିଁ । ଗୋଟେ ଖବରକାଗଜକୁ ହାତ କରିସାରିଲେଣି । ଅଫସେଟ୍‌ ପ୍ରେସ ବସାଇ ବଡ଼ ବଡ଼ ଖବରକାଗଜମାନଙ୍କ ସହିତ ଟକ୍‌କର ଦବାପାଇଁ ସେ ବ୍ୟବସ୍ଥା କରି ଦେଇଛନ୍ତି । ଦରକାର ହେଲେ ନିଜ ସ୍ତ୍ରୀଙ୍କ ନାମରେ ଗୋଟିଏ ସଙ୍ଗଠନ ଗଢ଼ି ଦୈନିକ ଖବରକାଗଜଟିଏ ବାହାର କରିବେ । ଦେଖିନେବେ ନୟନକିଶୋର ଓ ତାଙ୍କ ଦଳବଳକୁ । ଗୀତାରେ ଭଗବାନ କହିଛନ୍ତି, ଶତ୍ରୁ ତୁମକୁ ନିପାତ କରିବା ପୂର୍ବରୁ ଶତ୍ରୁକୁ ନିପାତ କର । ଧର୍ମ ତାଙ୍କ ପକ୍ଷରେ । ଅଧର୍ମର ଶିବିରରେ ବସି ସୁଖର ସୌଧ ଗଢ଼ୁଥାଆନ୍ତୁ ନୟନକିଶୋର । ଭୀମବଳ କୁଇନ୍ତା ଜାଣେ । ମୁଖ୍ୟମନ୍ତ୍ରୀ ଓ ଦଳପତିଙ୍କ ଶକ୍ତି ଜାଣନ୍ତି ସେ ।

 

ମାନଧାତାଙ୍କର ବିଶ୍ୱାସ କ୍ରମଶଃ ଦୃଢ଼ ହେଉଥିଲା ଯେ, ଯେଉଁ କଳଙ୍କ ଲେପି ଦିଆହୋଇଛି ତାଙ୍କ ଉପରେ ସବୁଦିନ ପାଇଁ ତାଙ୍କୁ ରାଜନୀତିରୁ ବହିଷ୍କାର କରିବା ଏହାର ଏକମାତ୍ର ଉଦ୍ଦେଶ୍ୟ; କିନ୍ତୁ ତାଙ୍କର ପ୍ରତିପକ୍ଷ ବୋଧହୁଏ ଜାଣନ୍ତି ନାହିଁ ଯେ, ବୁମେରାଙ୍ଗ ଭଳି ସେ ଫେରାଇଦେବେ ସେଇ ମାରଣାସ୍ତ୍ରକୁ ।

 

ଟେଲିଫୋନ୍‌ ପାଇ ପନ୍ଦର ମିନିଟ୍‌ ମଧ୍ୟରେ ପହଞ୍ଚିଗଲେ ସୁକୁମାର ମିଶ୍ର ଓ ମାଧବାନନ୍ଦ ପାତ୍ର । ସୁକୁମାରର ବ୍ୟବସାୟରେ ଅଳ୍ପ ସମୟ ମଧ୍ୟରେ ଅଂଶୀଦାର ହୋଇଯାଇଛି ମାଧବାନନ୍ଦ । ଦୁହେଁ ତାଙ୍କର ଅନୁଗତ । ଘରୋଇ ବିଭାଗ ସହିତ ପୂର୍ତ୍ତ ବିଭାଗର ଦାୟିତ୍ୱ ସେ ତୁଲାଉଥିବା ଯାଏ ମାଧବାନନ୍ଦର କେଶଟିଏ ବି କେହି ବଙ୍କା କରିପାରିବ ନାହିଁ । ସତ୍ୟନଗର ଥିବାଯାଏ ଚୋରା ସିମେଣ୍ଟ, ଛଡ଼ ଓ ଅନ୍ୟାନ୍ୟ ଉପକରଣ ଯେପରି ଅଭାବ ହେବନାହିଁ, ସେହିପରି ତାଙ୍କ ସପକ୍ଷରେ ଧ୍ୱନିଦେଇ ପ୍ରତିବାଦ ଶୋଭାଯାତ୍ରାରେ ସାମିଲ ହେବା ପାଇଁ ଲୋକ ଅଭାବ ହେବେ ନାହିଁ ।

 

ମାନଧାତା ଗୋପନ କକ୍ଷକୁ ଡାକିନେଲେ ଦୁହିଁଙ୍କୁ । ସେଠାରେ ଅନ୍ୟମାନଙ୍କ ପ୍ରବେଶ ନିଷେଧ । ଦୀର୍ଘ ଆଲୋଚନା ପରେ ଚରିତ୍ର ସଂହାର ବିରୁଦ୍ଧରେ ଚରିତ୍ର ନିର୍ମାଣ ଆନ୍ଦୋଳନ ଚାଲୁ କରିବାଲାଗି ସ୍ଥିର ହେଲା । ଏବେ ସବୁଠାରେ ନିର୍ମଳ ଭାବମୂର୍ତ୍ତି ଉପରେ ଅତି ଜୋର୍‌ ଦିଆଯାଉଛି-। ସେଇ ପ୍ରବାହରେ ଶକ୍ତି ଥିବାଯାଏ ସେଇ ପଥ ଛାଡ଼ିବା ବୁଦ୍ଧିମାନର କାର୍ଯ୍ୟ ହେବନାହିଁ ।

 

ସୁକୁମାର ଦାୟିତ୍ୱ ନେଲା ଗୋଟେ ବଡ଼ ଶୋଭାଯାତ୍ରାର ଆୟୋଜନ କରିବା ପାଇଁ । ଅତି କମ୍‌ରେ ପାଞ୍ଚ ହଜାର ଲୋକ ଯିବେ ଶୋଭାଯାତ୍ରାରେ । ମାନଧାତାଙ୍କ ଚରିତ୍ରସଂହାର କରିବା ପାଇଁ ହେଉଥିବା ଉଦ୍ୟମ ବିରୁଦ୍ଧରେ ଧ୍ୱନି ଦେବେ, ତାଙ୍କର ନିର୍ମଳ ଭାବମୂର୍ତ୍ତି ସମ୍ୱନ୍ଧରେ ବୟାନ ଦେବେ । ମାଧବାନନ୍ଦ ଦାୟିତ୍ୱ ନେଲା ସ୍ୱାୟତ୍ତଶାସନ ସଂଘର ନବନିର୍ବାଚିତ ପ୍ରତିନିଧିମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବା ପାଇଁ । ସତ୍ୟନଗରରୁ ସ୍ୱାୟତଶାସନ ସଂଘର ସୃଷ୍ଟି ସେଇ ସତ୍ୟନଗର ଶ୍ମଶାନରେ ସେମାନଙ୍କର ଐକ୍ୟ ଓ ବନ୍ଧୁତ୍ୱକୁ କବରଦବାର ପ୍ରାସଙ୍ଗିକତା ସବୁଠାରୁ ବେଶି ।

 

ମାନଧାତା କହିଲେ, ସେଇ ଟୋକାଟୋକୀଙ୍କ ସମ୍ୱନ୍ଧରେ ସବିଶେଷ ଖବର ସଂଗ୍ରହ କଲ ସୁକୁମାର ?

 

-ରାଧା ମହାପାତ୍ର ବାଲିଅନ୍ତାର ଝିଅ । ବାହାହୋଇ ଯାଇଥିଲା ଆମେରିକା । ତା’ ସ୍ୱାମୀ ସୁଧାଂଶୁ ସେଇଠି କାମକରେ । କମ୍ପ୍ୟୁଟର ଏକ୍‌ସପାର୍ଟ । ସିଏ ସେଠାରେ, ଇଏ ଏଠାରେ । ଲାଗୁଛି ଛାଡ଼ପତ୍ର ଦେଇଛି ସୁଧାଂଶୁ । ନ ହେଲେ ଆମେରିକା ଫେରି ନ ଯାଇ ଏଠାରେ ମାଷ୍ଟରାଣୀ ହୁଅନ୍ତା-? ସେ ତ ଆଡ଼୍‌ହକରେ ଅଛି ସାର୍‌?

 

ମାନଧାତା କହିଲେ, ଏଇ ସର୍ବାଧିକ ଭୋଟରେ ଜିତିଛି ନା ?

 

-ହଁ ।

 

-ଟେଲିଫୋନ୍‌ ଉଠାଇଲେ ମାନଧାତା । ଡି.ପି.ଆଇ.ଙ୍କୁ କହିଲେ ରାଧା ମହାପାତ୍ର ଆଡ଼୍‌ହକ ନିଯୁକ୍ତି ଟରମିନେଟ କରିଦବା ପାଇଁ । ଡି.ପି.ଆଇ. କହିଲେ ଯେ, ସେ ଯେଉଁ ବିଭାଗରେ ଅଛି ସେଇଟା ଏଯାଏ ସରକାର ହାତକୁ ନେଇ ନାହାଁନ୍ତି । ସରକାରୀ ମଞ୍ଜୁରୀ ଦିଆଯାଇନି ଏଯାଏ-। ତେଣୁ ମ୍ୟାନେଜିଂ କମିଟି ଯାହା କରିବେ... । ମାନଧାତା ବିରକ୍ତହେଇ କହିଲେ, ମ୍ୟାନେଜିଂ କମିଟି କ’ଣ ସରକାରଙ୍କଠାରୁ ବଡ଼ । କମିଟିର ପ୍ରେସିଡେଣ୍ଟ୍‌ ଆମ ଲୋକ... । ତାଙ୍କୁ କହି ଆଜି ଅନ୍ତର କରିଦିଅନ୍ତୁ ।

 

-କିନ୍ତୁ ତା’ ସାଥୀ ଦୁଇଜଣ ଯେ, ଆମ ଆୟତ୍ତର ବାହାରେ ସାର୍‌ ! କହିଲେ ମାଧବାନନ୍ଦ ।

 

-ସତ୍ୟଜିତ୍‌ ରାୟ ଓକିଲାତି କରେ । ହ୍ୟୁମେନ ରାଇଟ୍‌ ଆକ୍ଟିଭିଷ୍ଟ । ନିଜ ଅଧିକାର ସମ୍ପର୍କରେ ଜାଣେନି, ଆଉ ମାନବିକ ଅଧିକାର ରକ୍ଷାକରିବାକୁ ବାହାରିଛି... । କହିଲା ସୁକୁମାର ।

 

-ପୁଲିସ୍‌କୁ କହି ତାକୁ ଗୋଟେ ଦୁଇଟା କେସ୍‌ରେ ପକାଇଦେଲେ ଥଣ୍ଡା ହୋଇଯିବ... । କହିଲା ମାଧବାନନ୍ଦ ।

 

-ନାଁ, ସେଥିରେ ଜବତ୍‌ ହେବନି ସେ । ତାକୁ ସାବାଡ଼ କରିବାର ଅନ୍ୟ ଉପାୟ ଭାବିଛି ମୁଁ....... । କହିଲା ସୁକୁମାର ।

 

-କଅଣ ? ପଚାରିଲେ ମାନଧାତା ।

 

-ଗୋଟେ ଆକ୍‌ସିଡ଼େଣ୍ଟରୁ ରକ୍ଷା ପାଇଯାଇଛି, କିନ୍ତୁ ଦ୍ୱିତୀୟଟାରୁ ମୁକ୍ତି ପାଇବାର ସମ୍ଭାବନା ଆଦୌ ନାହିଁ । ହଣ୍ଡ୍ରେଡ଼୍‌ ପରସେଣ୍ଟ ସିଓର ମୁଁ... ।

 

-କିନ୍ତୁ ସାବଧାନ ! ନିଜେ ଜାଲରେ ନ ପଡ଼ ଯେପରି ! ମୁଁ ସତର୍କତାର ସହିତ ଆଗୋଉଛି ସାର୍‌... । ଏଇ ଲୋକଟା ପାଇଁ ମୋର ଷ୍ଟୁଡ଼ିଓ ଖାନତଲାସ ହେଲା, ତାହାରି ଯୋଗୁ ମୋ ଷ୍ଟୁଡ଼ିଓ ଆଗରେ ଧାରଣା ଦିଆଗଲା...ମୋର ସର୍ବନାଶ ଯିଏ କରିଛି ତାକୁ ମୁଁ ଛାଡ଼ିବିନି...ଏବେ ସେ ଆପଣଙ୍କର ଅନିଷ୍ଟ କରିବାକୁ ବାହାରିଛି... ।

 

-ସେ ଝିଅ ସହିତ ୟା’କୁ ଯୋଡ଼ି କିଛି ମୁଖରୋଚକ ଖବର ରଟେଇ ଦିଅ... ।

 

-ଅରକ୍ଷିତ ସେ ଦାୟିତ୍ୱ ନେଇଛି ସାର୍‌ । କାମ ଆରମ୍ଭ ହୋଇଗଲାଣି ।

 

-ଆଉ ଜଣେ କିଏ ?

 

-ଶ୍ୟାମଳେନ୍ଦୁ ପଟ୍ଟନାୟକ । ସମାଜସେବୀ । ଲୋକଟା ବଡ଼ ଭୟଙ୍କର ସାର୍‌...ପରର ଛିଦ୍ର ଖୋଜି ଖୋଜି ବୁଲୁଚି । ‘କଳିଙ୍ଗ ଭବନ’ରେ କାମ କରୁଥିବା ମଜଦୁରମାନଙ୍କୁ ମତାଉଛି ସାର୍‌...ସର୍ବନିମ୍ନ ମଜୁରୀ ପାଉଛନ୍ତି କି ନାଁ ସେଦିନ ପଚାରୁଥିଲାବେଳେ ସର୍ଦ୍ଦାର ସାବଧାନ କରି ଦେଇଥିଲା... ।

 

-ତ୍ରିଭୁଜ ସୃଷ୍ଟି କରିପାରୁନ... ? କହିଲେ ମାନଧାତା ।

 

-ବୁଝିପାରିଲି ନାହିଁ ସାର୍‌... ।

 

-ଏତେ ସରଳ କଥା...ଦୁଇଜଣ ପୁରୁଷ ଆଉ ଜଣେ ସ୍ତ୍ରୀ । ଏଇତ ତ୍ରିଭୁଜ । ଏହାଠାରୁ ଭୟଙ୍କର ଅସ୍ତ୍ର ଆଉ କ’ଣ ଅଛି ? ଶ୍ୟାମଳେନ୍ଦୁ ଏବଂ ସତ୍ୟଜିତ୍‌ ମଧ୍ୟରେ ବିବାଦ ଲଗାଇଦିଅ । ନାରୀ ତ ସେଇ ଆଦି କାଳରୁ ସବୁ ଗଣ୍ଡଗୋଳ, ଯୁଦ୍ଧ ଓ ଶତ୍ରୁତାର ମୂଳ ହୋଇଆସିଛି ।

 

-ମୁଁ ଅରକ୍ଷିତକୁ କହିଛି ସେ ଦିଗରେ ଚେଷ୍ଟାକରିବା ପାଇଁ ।

 

-ଗୁଡ଼୍‌ ! ଦେଖୁଛି ତମେ ଚିନ୍ତା କରୁଛ ଏ ବିଷୟରେ... ।

 

-କିନ୍ତୁ ଆଇ.ଜି.କୁ ନ କହିଲେ କୋଉଦିନ ମୋତେ ପୁଣି ବାନ୍ଧିନବ କିଏ ଜାଣେ ସାର୍‌ । କେସ୍‌ଟା ଚାପା ପଡ଼ିଛି । କିନ୍ତୁ ଶେଷ ହୋଇନି ତ ।

 

-କେସ୍‌ ମୋ ପାଖରେ । ସବୁ କାଗଜପତ୍ର ମୋ ପାଖରେ । ଆଇ.ଜି. ନିମିତ୍ତମାତ୍ର...ତାକୁ ଡେପୁଟେସନରେ ଦିଲ୍ଲୀ ପଠାଇଦେବି ନ ହେଲେ ଫରେଷ୍ଟ କରପୋରେସନ୍‌କୁ...ଶଳା ଅନେକ ଜାଣିବା ଲୋକ ହୋଇଛି...

 

-ମୋ ପିଛା ଯେ ଲାଗିଛି ସେଇ ମଧୁମାଷ୍ଟର...ମୁଁ ସରକାରୀ ସିମେଣ୍ଟ, ଛଡ଼ର ଚୋରାକାରବାର କରୁଛି ବୋଲି, କମ୍‌ ସିମେଣ୍ଟ ବେଶି ବାଲିରେ ମିଶାଏ ବୋଲି ଶଳା ପୁଲିସ୍‌ରେ ଡାଏରୀ ଦେଇଛି... । କହିଲା ମାଧବାନନ୍ଦ ।

 

-ତମେ କିନ୍ତୁ ଏକ ସିମେଣ୍ଟରେ ବାଆର ବାଲି କାହିଁକି ଦଉଛ ଯେ... ?

 

-ଆପଣ ବିଶ୍ୱାସ କରନ୍ତି ସାର୍‌...କିଏ ମୋ ନାମରେ ଚୁଗୁଲି କରିଛି ଆପଣଙ୍କ ପାଖରେ... ।

 

-ଏଇଟା ମଧୁମାଷ୍ଟର ବା ଶ୍ୟାମଳେନ୍ଦୁ କହିନି ମାଧବାନନ୍ଦ । ଏହା ସି.ଆଇ.ଡ଼ି. ରିପୋର୍ଟରୁ ଜାଣିଛି । ତମେ ସତର୍କ ନ ହେଲେ ବିପଦରେ ପଡ଼ିବ । ଏତେବଡ଼ କୋଠା ଯଦି ଧସି ଯାଏ... ।

 

-ନା, ନା ସାର୍‌... । ଦିନେ ଜଣେ ସାଦା ପୋଷାକପିନ୍ଧା ବାବୁ ଆସି ପଚାରୁଥିଲା କେତେ କଥା । ସେଇ ସି.ଆଇ.ଡ଼ି. ଅଫିସର ହେବ ବୋଧହୁଏ । ମୋର ପରାମର୍ଶଦାତା ସଦାନନ୍ଦ ଉଦ୍‌ଗାତା ବୋକାଟାଏ...ନ ହେଲେ ଶ୍ୱଶୁର ଘର ଖଲାସ କରିବାକୁ ଯାଇ ଗୋଟେ ଚୋଖାନୀକୁ ମାରି ପକାଇ ନ ଥାନ୍ତା... ।

 

-ସେ ନିଜେ ଇନ୍‌ଭଲବଡ଼୍‌ ସେଥିରେ ।

 

-ନା, ସାର୍‌, ସେ ବଡ଼ ହୁସିଆର...କିନ୍ତୁ ତାହାରି ଟଙ୍କା ଖାଇ ଗୁଲୁ ସର୍ଦ୍ଦାର ଏ କାମ କରାଇ ନେଲା । ଯୋଉ ଲୋକଟା ହାଜତରେ ମରିଗଲା ସେ ପ୍ରକୃତ ଅପରାଧୀ ନୁହେଁ ।

 

-ପ୍ରକୃତ ଅପରାଧୀ କିଏ ?

 

-ଗୁଲୁ ଓ ସଲାମତ୍‍ ଅଲ୍ଲୀ । ଗୁଲୁ ଉସୁକାଇଲା ଆଉ ସଲାମତ୍‍ ଖତମ କଲା ।

 

ପୁଲିସ୍‌ କିନ୍ତୁ ଏ ଖବର ଚାପିଦେଇ ସାଧୁ କାଣ୍ଡିକୁ ଦୋଷୀ କରିଛି... ।

 

-ପୁଲିସ୍‌ ବେଶ୍‌ କିଛି ପକେଇଛି ଉଦ୍‌ଗାତା ପାଖରୁ ।

 

-ଉଦ୍‌ଗାତା ଆମ ପାର୍ଟି ଫଣ୍ଡକୁ କେତେ ଦେଇଛି ?

 

-ପାଞ୍ଚ ଲକ୍ଷ ସାର୍‌ ।

 

-ତାକୁ କୁହ ସାତଦିନ ଭିତରେ ଆଉ ଦଶ ଲକ୍ଷ–ମର୍ଡ଼ର କେସ୍‌ରେ ସେ ନିଜେ ପଡ଼ିବ...ଏତେ ଚୋରି କରୁଛି–ତୁମର ପ୍ରାଇଭେଟ କାମ ବି କରୁଛି ।

 

-ଏବେ ପାଞ୍ଚ ଲକ୍ଷ ଦେଇଛି... ଏତେ ଟଙ୍କା

 

-ତମେ ତା’ ପାଇଁ ଓକିଲାତି କରନା ମାଧ–ଫିଲ୍ମରୁ ଲକ୍ଷ ଲକ୍ଷ ଟଙ୍କା ଆୟ କରୁଛି । ସୁକୁମାର ତା’ର ସାକ୍ଷୀ... ।

 

-ସୁକୁମାର ମଥା ହଲାଇ ସମର୍ଥନ କଲା ମନ୍ତ୍ରୀଙ୍କୁ ।

 

-ଶଳା ସରକାରଙ୍କର ଏକ୍‌ଜିକିଉଟିଭ ଇଞ୍ଜିନିଅର...ଏଣେ ସବୁ ରକମର ଦୁର୍ନୀତି କରିଚାଲିଛି ବେପରୁଆ ଭାବରେ । ଭୁବନେଶ୍ୱରରେ ତିନିଟା କୋଠାର ମାଲିକ, କଟକରେ ଗୋଟେ, ପୁରୀରେ ଗୋଟେ । ସମ୍ୱଲପୁରରେ ତା’ ପୈତୃକ ସମ୍ପତ୍ତି ଛାଡ଼ି ଏବେ ଗୋଟେ ସିନେମା ହଲ କରିଛି... ।

 

-ମୁଁ ଏତେ କଥା ଜାଣେନି ସାର୍‌ ।

 

-ଭିଜିଲାନ୍‌ସ ମୋ’ ହାତରେ । ଯଦି ଡାହାଳ କୁକୁର ଥରେ ଛାଡ଼ିଦେବି ତଳିତଳାନ୍ତ ହୋଇଯିବ ଉଦ୍‌ଗାତା । ତାକୁ କହ ଦଶ ଲକ୍ଷ ସାତଦିନ ଭିତରେ ଦେଇଯିବ ଏଇଠି ଏଇ କୋଠରୀରେ ।

 

ମଥା ହଲାଇଲା ମାଧବାନନ୍ଦ । ତା’ର ଭୟ ହେଉଥିଲା ଯେ, କେବଳ ଏକ୍‌ଜିକିଉଟିଭ ଇଞ୍ଜିନିଅର ସଦାନନ୍ଦ ଉଦ୍‌ଗାତା ନୁହେଁ ତା’ ନିଜର ବହୁମୁଖୀ କାର୍ଯ୍ୟ ସମ୍ପର୍କରେ ହୁଏତ ସବିଶେଷ ବିବରଣୀ ସଂଗ୍ରହ କରିଥିବେ ମନ୍ତ୍ରୀ । ଭାବିବାକ୍ଷଣି ମେରୁଦଣ୍ଡର ତଳୁ ଉପର ପର୍ଯ୍ୟନ୍ତ ଏକ ଅନନୁଭୂତି ଶୀତଳ ପ୍ରବାହ ସଞ୍ଚାରିତ ହୋଇଗଲା । ଶିହରି ଉଠିଲା ମାଧବାନନ୍ଦ ।

 

ମାନଧାତା କହିଲେ, ମୁଁ ରାଜନୀତି କଲିଣି ପଚିଶ ବର୍ଷ ହେଲା । ବି.ଏ. ପାସ୍‌ କରିବା ପରେ ଗୋଟେ ବିଷୟ ମୁଁ ଜାଣିଛି ଅଭିଜ୍ଞତାରୁ ଯେ, ତା’ ମୁଣ୍ଡରେ ଆଘାତ କର । ତୁମେ ଦୁହେଁ ମୋର ଏକାନ୍ତ ଅନୁଗତ । ମୁଁ ପ୍ରଥମରୁ କହିଛି ଯେ, ତୁମେ ମୋ କାମକଲେ ମୁଁ ତୁମ କାମ କରିବି । ଏଇ ବିନିମୟ ସୂତ୍ରଟା ଅନାଦି କାଳରୁ ଚଳି ଆସୁଚି । ଏବେ ବି ଏତେ ପ୍ରଗତି ସତ୍ତ୍ୱେ ଏଇଟା ମୂଳକଥା ମାନବୀୟ ସମ୍ପର୍କରେ । ଦବା ଆଉ ନବା । ଯିଏ ଦିଏ ନାହିଁ ସେ ପାଏ ନାହିଁ ।

 

ସୁକୁମାର ମିଶ୍ର ଓ ମାଧବାନନ୍ଦ ପାତ୍ର ଦୁହେଁ ହାତଯୋଡ଼ି ଉଠିପଡ଼ି କହିଲେ, ଆମେ ଆପଣଙ୍କର ଦାସାନୁଦାସ । ଆପଣ ଆମ କଥା ଭୁଲି ନ ଯାଆନ୍ତି ଯେପରି... ।

 

ସେ ଦୁହେଁ ଚାଲିଗଲା ପରେ ଗୋଟେ ଲଙ୍ଗ୍‌ଡିଷ୍ଟାନ୍‌ସ କଲ ଆସିଲା ।

 

ହୋଇଲେ ମାନଧାତା ।

 

ମନ୍ତ୍ରୀଙ୍କ ପି.ଏ. କହୁଛି...

 

-ହଁ, କୁହନ୍ତୁ...ମନ୍ତ୍ରୀ ଭଲ ତ !

 

-ହଁ, ସେ ଯିବାର ପ୍ରୋଗ୍ରାମ ଅଛି...

 

-କେବେ ଆସିବେ ?

 

-ଏଇ ମାସ ତିରିଶ ତାରିଖ ଦିଲ୍ଲୀ ଯିବେ । ମିଟିଙ୍ଗ ସାରି ଫ୍ଲାଇଟରେ ଯିବେ ସିମଳା । ତିନିଦିନ ରହିବେ । ହିମାଞ୍ଚଳ ସରକାରଙ୍କ ସହିତ ଆୟୁର୍ବେଦ ଗବେଷଣା ସମ୍ୱନ୍ଧରେ ଆଲୋଚନା ହେବ । ଆପଣ ଥିବେ ତ ?

 

ହଁ ହଁ ମୁଁ ଥିବି । ମୋ ସ୍ୱାମୀ ଆସିବାର କଥା ସେତିକିବେଳେ ତାଙ୍କୁ କହିବି ପ୍ରୋଗ୍ରାମ ଏଡ଼ଜଷ୍ଟ କରିବା ପାଇଁ ।

 

-ସବୁ ଟପ୍‌ ସିକ୍ରେଟ୍‌... ।

 

-ମୁଁ କ’ଣ ଜାଣିନି ଯେ... ।

 

-ଆଉ ମନ୍ତ୍ରୀଙ୍କୁ କ’ଣ କହିବି ?

 

-ହିମ୍ମତ୍‌ ସିଂ ଚେକ୍‌ ଦେଇନି ଏ ଯାଏ... ।

 

-ମୁଁ କହିଦେବି ସାର୍‌ଙ୍କୁ... ।

 

ଟେଲିଫୋନ୍‌ଟା ରଖିଦେଲେ ମାନଧାତା । ଏଇ ଦୁଃସାହସ ଦେଖାଇ ଆଗରୁ ନିଜେ ଟେଲିଫୋନ୍‌ କରିଥିଲେ ସବୁ ଜାଣିଥାଆନ୍ତେ । ନୟନକିଶୋର ଗାନ୍ଧୀଙ୍କର ପଟ୍ଟଶିଷ୍ୟ ହୋଇ ନିର୍ମଳ ଚରିତ୍ରର ଡିଣ୍ଡିମ ପିଟୁଛନ୍ତି ଦେଶରେ । ଏଇଥର ତାଙ୍କର ଅସଲ ରୂପଟା ପଦାରେ ପକାଇଦେବେ ଯଦି ସେ ପ୍ରତିଯୋଗିତାକୁ ଓହରି ନ ଯା’ନ୍ତି । ଦବା ନବାର ସେଇ ମୌଳିକ ଅର୍ଥନୀତି । ତମେ ଯଦି ମୋ କାମ କରିବ ତମ କାମ ମୁଁ କରିବି । କେହି ଜାଣିବେ ନାହିଁ । ଲୋକମାନଙ୍କ ଅଗୋଚରରେ ହେବ ସବୁ । ବାହାରେ ଜନସଭାରେ ଆମେ ଦୁହେଁ ଭାଇ ଭାଇ...ଅଭେଦ୍ୟ ପ୍ରୀତି ଆମ ଦୁହିଁଙ୍କ ମଧ୍ୟରେ । ନୟନକିଶୋରଙ୍କ ପି.ଏ. ଭାବରେ, ଏଇ ଟେଲିଫୋନ୍‌ କରି ନ ଥିଲେ ଭିତିରି ଖବର ଜାଣିପାରି ନ ଥା’ନ୍ତେ ।

 

ମାନଧାତା ଶ୍ରୀଚରଣ ବଳିଆରସିଂ ନିଜର ଯୋଜନା ନିଜ ମୁହଁରୁ ଶୁଣି ମୁଗ୍‌ଧ ହୋଇଗଲେ ।

 

ସେହିକ୍ଷଣି ଆଲମାରୀରୁ ସାଧୁ କାଣ୍ଡିର ଫାଇଲଟା ବାହାର କରି ଲେଖିଦେଲେ ଯେ...ଆଇନ ଅନୁସାରେ କାମ କର...Proceed as per law.।

 

ଟେଲିଫୋନ୍‌ କରି ଆଇ.ଜି.ଙ୍କୁ କହିଦେଲେ ସାଧୁ କାଣ୍ଡିର ମାମଲାରେ ଅଭିଯୁକ୍ତ ଆସାମୀମାନଙ୍କ ବିରୁଦ୍ଧରେ ଆଇନ ଅନୁସାରେ ମୋକଦ୍ଦମା କରିବା ପାଇଁ ଏବଂ ଏହା ସହିତ ଆହୁରି ବି ସୂଚନା ଦେଲେ ଯେ, ଏଇ ଆଦେଶଟା ବାହାର ଲୋକଙ୍କ ଜାଣିବା ପାଇଁ, ପୁଲିସ୍‌ ଅତି ସିରିଅସ୍‌ ନ ହୋଇ ଏମିତି କେସ୍‌ ଲଢ଼ିବ ଯେ, ଆପେ ଆପେ ପ୍ରମାଣ ଅଭାବରୁ ଆସାମୀମାନେ ଖଲାସ ହୋଇଯିବେ ।

 

ମାନଧାତା ବିଚାରବନ୍ତ ମନ୍ତ୍ରୀ । ଆଇ.ଜି.ଙ୍କୁ ଏହା ବି ସୂଚନା ଦେଲେ ଯେ, କାମ ବଢ଼ୁଥିବାରୁ ଆଉ ଗୋଟେ ଡି.ଜି. ପୋଷ୍ଟ ସୃଷ୍ଟି କରିବା ପାଇଁ ସରକାର ତତ୍ପରତାର ସହିତ ବିଚାର କରୁଛନ୍ତି ଏବଂ ସେଇ ପୋଷ୍ଟରେ ତାଙ୍କୁ ପଦୋନ୍ନତି ଦିଆଯିବ ।

 

ଆଇ.ଜି. ନମ୍ରତାର ସହିତ କୃତଜ୍ଞତା ଜଣାଇଲେ ମନ୍ତ୍ରୀଙ୍କୁ ।

 

ରାମା ରାଓ ଭଲ ହୋଇଗଲା ସିନା, ତା’ ଦେହରେ କିନ୍ତୁ ପୂର୍ବର ଶକ୍ତି ଫେରିଆସିଲା ନାହିଁ । ମନର ଶକ୍ତି କିନ୍ତୁ ଅତୁଟ ରହିଥିଲା ବୋଲି ସେ ନିଜକୁ ଭିଡ଼ି ଓଟାରି ଆଗେଇ ଚାଲିଛି ।

 

ସୁନ୍ଦରୀ କିନ୍ତୁ ଭାଙ୍ଗିପଡ଼ିଲା । ତାହାରି ଉପରେ ଘରର ସବୁ ଦାୟିତ୍ୱ ଲଦି ଦେଇ ଏଯାଏ ଦାଣ୍ଡର ଷଣ୍ଢ ପରି ବୁଲୁଥିଲା ରାମା ରାଓ । ପ୍ରତିଦିନର ମଜୁରୀ ସ୍ତ୍ରୀ ହାତକୁ ଟେକିଦେଇ ସେ ନିଶ୍ଚିନ୍ତ ହେଉଥିଲା, ସୁନ୍ଦରୀ ହାତକୁ ଆଉ ସ୍ୱାମୀର ଦୈନିକ ରୋଜଗାର ନ ଆସିବାରୁ ଯାହା କିଛି ସଞ୍ଚିଥିଲା ଦିନ କେଇଟାରେ ସରିଗଲା । ରାମା ରାଓର ଚିକିତ୍ସା ପାଇଁ ବି ବେଶ୍‌ କିଛି ଟଙ୍କା ଖର୍ଚ୍ଚ ହୋଇଗଲା । ଯୋଉ ଦୁଇଟା କାନଫୁଲ ପିନ୍ଧି ବାପଘରୁ ଆସିଥିଲା ବାହାହେବାବେଳେ ସେଇ କାନଫୁଲ ଯୋଡ଼ିକ ବିକ୍ରୀ କରି ସ୍ୱାମୀ ପାଇଁ ଔଷଧ କିଣିଲା, ଡାକ୍ତରଙ୍କୁ ଫି ଦେଲା, ଘର ଖର୍ଚ୍ଚ ଚଳାଇଲା । ସେଥିରୁ ଆଉ ପଇସାଟିଏ ବି ବଞ୍ଚିନାହିଁ, ସବୁ ଖର୍ଚ୍ଚ ହୋଇଯାଇଛି । ଏହାପରେ ସମ୍ପତ୍ତି କହିଲେ ବେକରେ ସେଇ ସରୁ ହାରଟିଏ ଛାଡ଼ି ଆଉ କିଛି ନାହିଁ । ଭରିଏ ଓଜନର ହାର ଘୂରିଘାରି କମିଗଲାଣି ଦୋଅଣି ଓଜନ । କାଳେ ଆହୁରି ଘୂରିଯିବ ବୋଲି ଏବେ ବେକରୁ କାଢ଼ି ଟିଣ ବାକସ୍‌ରେ ସାଇତି ରଖିଛି ସୁନ୍ଦରୀ ।

 

ଅସଜ ଅବସ୍ଥା ତା’ର । ନଅ ମାସ ଚାଲିଛି । ତାକୁ ଚାହିଁଦେଇ ବିହ୍ୱଳ ହୋଇଯାଇ କହେ ରାମା ରାଓ, ତୋତେ ଦେଖି ପେଟ ପୂରି ଉଠୁଚି ଲୋ ସୁନ୍ଦରୀ । ତୋ ରୂପ କିମିତି ଚିକ୍‌କଣ ଦିଶୁଛି ତାହା ଯଦି ଦେଖନ୍ତୁ ! ସୁନ୍ଦରୀ କହେ, ଯିଏ ଆସୁଛି ତାକୁ ଶୁଭରେ ଶୁଭରେ ଆଣନ୍ତୁ ପ୍ରଭୁ । ସେ ମୋ କୋଳ ଆଉ ତୁମ କୁଳକୁ ଉଜ୍ଜ୍ୱଳ କରୁ...

 

ସତରେ ଧୀରେ ଧୀରେ ପାଦ ପକାଇ ସୁନ୍ଦରୀ ଚାଲିଲାବେଳେ ମୁଗ୍‌ଧ ହୋଇ ଚାହିଁରହେ ରାମା ରାଓ । ଉତୁରି ପଡ଼ୁଥିବା ସୁନ୍ଦରୀର ଲାବଣ୍ୟ ଆକର୍ଷଣକରେ ହୃଦୟକୁ । ସେ ଘରର ଲକ୍ଷ୍ମୀ ।

 

ଆଜି ଲକ୍ଷ୍ମୀକୁ ସାଦ ଖୁଆଇବା ଲାଗି ଆସିବେ ଶ୍ୱଶୁର ଶାଶୁ । ରାମା ରାଓ ଏହି ଉପଲକ୍ଷରେ ନିମନ୍ତ୍ରଣ କରିଛି ଆଉ ପାଞ୍ଚଜଣଙ୍କୁ । ମଧୁ ମାଷ୍ଟ୍ରେ, ରାଧା, ଭୁବନ ସ୍ୱାଇଁର ପରିବାର, ସାଧୁ କାଣ୍ଡିର ପରିବାର । ସତ୍ୟନଗର ଯାକର ଲୋକଙ୍କୁ ଡାକିବା ପାଇଁ ମନ ରାମା ରାଓର; କିନ୍ତୁ ବହୁତ ମନ ଅଳ୍ପ ଧନ । ହାତରେ ସମ୍ୱଳ ନାହିଁ । ହୁଏତ ଏତକ ବି ହୋଇ ନ ଥା’ନ୍ତା, ଯଦି ସେ ଆଉ ଗୋଟେ ନୂଆ କାମ ହାତକୁ ନେଇ ନ ଥା’ନ୍ତା । ଭଗବାନଙ୍କର ଅଶେଷ କରୁଣା । ନ ହେଲେ ତାକୁ ଖୋଜି ଖୋଜି ସତ୍ୟନଗରରେ ପହଞ୍ଚି ନ ଥା’ନ୍ତେ ମାଧବ ଦାସ । ମାଷ୍ଟର କ୍ୟାଣ୍ଟିନ ଛକରେ ତାଙ୍କର ନୂଆ ହୋଟେଲ ତିଆରି ଆରମ୍ଭ ହୋଇଚି । ସେଇଠି କାମ କରିବା ପାଇଁ ଡାକରା ପାଇଁ ସେଦିନ ସଙ୍ଗେ ସଙ୍ଗେ ରାଜି ହୋଇଗଲା ସେ । ଦେହରୁ ଦୁର୍ବଳତା ଯାଇନି ଏଯାଏ; କିନ୍ତୁ ଗରିବ ବସି ରହିଲେ ପେଟକୁ ଦାନା ମିଳିବ ନାହିଁ । ସୁନ୍ଦରୀ ମନା କରୁଥିଲା; କିନ୍ତୁ ରାମା ରାଓ ତା’ ବାରଣ ନ ଶୁଣି କହିଥିଲା ଯେ, ଦେହର ଦୁର୍ବଳତା ଧୀରେ ଧୀରେ ଠିକ୍‌ ହୋଇଯିବ କାମ କଲେ । ବେକାର ବସିଥିବାରୁ ମନର ଶିଥିଳତା ଚାଲିଯାଇ ଫୁର୍ତ୍ତିଆସିବ ।

 

ରାମା ରାଓ ନିଷ୍ଠାର ସହିତ ତା’ ପରଦିନଠାରୁ କାମ ଆରମ୍ଭ କରି ଦେଇଥିଲା । କଳିଙ୍ଗ ଭବନ ନିର୍ମାଣ ହେବାର ଶେଷ ପର୍ଯ୍ୟନ୍ତ ରହିପାରିଲା ନାହିଁ; କିନ୍ତୁ ହୋଟେଲ ଉତ୍କଳର କାମ ହାତକୁ ନେଇ ସେଇ ଅବଶୋଷ କଟିଗଲା ।

 

ରାମା ରାଓ ସାଇକେଲ ଚଢ଼ି ରାସ୍ତା ଉପରେ ଗଲାବେଳେ ତା' ହାତ ଲାଗି ଗଢ଼ି ଉଠିଥିବା ଛୋଟ ବଡ଼ କୋଠାଗୁଡ଼ାକୁ ତନ୍ମୟ ହୋଇ ଚାହେଁ, ଭଗବାନ ବିଶ୍ୱକର୍ମାଙ୍କୁ ଆଉ ତା'ର କରଣୀକୁ ପ୍ରଶଂସା କରେ ।

 

ସାଦ ଖୁଆଇବା ପ୍ରଥାଟା କୋଉଦିନରୁ ଚଳିଆସୁଚି କେହି ଜାଣନ୍ତି ନାହିଁ । ଗୋଟିଏ ପିଲା ଜନ୍ମକରି ସ୍ତ୍ରୀ ପୁନର୍ଜନ୍ମ ପାଏ ବୋଲି ଏଇ ପ୍ରଥା ଚଳିଆସୁଛି ବୋଧହୁଏ । ଗୋଟିଏ ଜନ୍ମରୁ ଆଉ ଗୋଟିଏ ଜନ୍ମକୁ ଯିବା ପୁର୍ବରୁ ମନର ସବୁ ଆଶା ମେଣ୍ଟାଇବା ଲଢ଼ିଗି ବ୍ୟବସ୍ଥା ଅଛି ଏ ପ୍ରଥାରେ । ନୂଆଲୁଗା, ତୁଣ୍ଡକୁ ସୁଆଦ ଲାଗୁଥିବା ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ବାପଘରୁ ଆସେ ଝିଅ ଘରକୁ । ଗୋଟିଏ ଘରର ବନ୍ଧନ କାଟି ଆଉ ଗୋଟିଏ ଘର ଗଢ଼ୁଥିବା ଝିଅକୁ ଆଉଥରେ ମନେପକାଇ ଦିଆଯାଏ ଯେ ବାପ ଘରେ ତାକୁ କେହି ଭୁଲି ନାହାଁନ୍ତି, ସେ ଆଗପରି ଅଲିଅଳ, ସବୁ ସୁଖ ଦୁଃଖର ଅଂଶୀଦାର ।

 

କାଳେ ଏକା ପାରିବ ନାହିଁ ବୋଲି ବିଶାଖା ଆସିଛି ଦିନବେଳୁ । ସାଧୁ କାଣ୍ଡିର ସ୍ତ୍ରୀ ଲଳିତା ବି ହାତ ବଢ଼ାଇ ଦେଇଛି ସାହାଯ୍ୟ କରିବା ପାଇଁ । ଖେଚେଡ଼ି ଖାଇବା ପାଇଁ ସୁନ୍ଦରୀର ଭାରି ମନ । ସେଥିଲାଗି ଖେଚେଡ଼ି ତିଆରି କରୁଛି ଲଳିତା । ତା' ସାଙ୍ଗକୁ ବିଲାତି ଖଟା; ମୂଳା, ବାଇଗଣ, ଖମ୍ୱଆଳୁ, କଖାରୁ ପଡ଼ିଥିବା ଘାଣ୍ଟ, ଫୁଲକୋବି ତରକାରି, ଆଉ ଖିରୀ । ସୁନ୍ଦରୀର ମା' ହାତ ତିଆରି କାକରା, ଆରିସା, ପୋଡ଼ପିଠା, ଛୁଞ୍ଚପତ୍ର ବି ଆଣିଛନ୍ତି ।

 

ସନ୍ଧ୍ୟାପରେ ନିମନ୍ତ୍ରିତମାନେ ପହଞ୍ଚିଗଲେ ରାମା ରାଓର ଘରେ ।

 

ସବାଶେଷରେ ଆସିଲେ ରାଧା ଆଉ ମଧୁ ମାଷ୍ଟ୍ରେ ।

 

ସେମାନଙ୍କୁ ଦେଖି ଭୂଇଁରେ ପାଦ ପଡ଼ୁ ନ ଥାଏ ସୁନ୍ଦରୀ ଆଉ ରାମା ରାଓର । ସେମାନଙ୍କୁ କୋଉଠି ବସାଇଲେ ଭଲ ଦିଶିବ ଭାବି ଭାବି କିଛି ସ୍ଥିର କରି ନ ପାରି ଶେଷରେ ଚମ୍ପାଗଛ ମୂଳେ କ୍ଳବରୁ ମାଗି ଆଣିଥିବା ଦୁଇଟି କାଠ ଚୌକୀ ପକାଇଦେଲା ସେ । ରାଧା କିନ୍ତୁ ଅନ୍ୟମାନଙ୍କ ସହିତ ବସିଲା ସତରଞ୍ଜି ଉପରେ । ମଧୁ ମାଷ୍ଟର ବସିଲେ ଚୌକୀରେ ।

 

ଏହି ସମୟରେ ଗଉରା ଘରକୁ ଯାଇ ତାକୁ ଡାକିଆଣିଲା ରାମା ରାଓ । ତାକୁ ନିମନ୍ତ୍ରଣ କରିବା ପାଇଁ ଭୁଲି ଯାଇଥିଲା ସେ । ହଠାତ୍‌ ମନେପଡ଼ିଯିବା କ୍ଷଣି ଲଜ୍ୟା ଓ ଅନୁତାପରେ ଶିହରି ଉଠିଲା ସର୍ବାଙ୍ଗ । ଗଉରା ପଖାଳ କଂସା ବସିଥିଲା । ତା' ସ୍ତ୍ରୀ ପାଖରେ ବସିଥିଲା ।

 

ରାମା ରାଓ ଭିତରକୁ ଝଡ଼ପରି ପଶିଆସି କହିଲା, ମୋତେ ମାଫ କରିଦେ ଗଉରା, ବଡ଼ ଅପ୍ରାଧ କରି ପକେଇଛି ।

 

-କ'ଣ ହେଲା ଭାଇନା ? ପଚାରିଲା ଗଉରାର ସ୍ତ୍ରୀ ଫୁଲମତି ।

 

-ଆଜି ସୁନ୍ଦରୀର ସାଦ ଖିଆ । ତା' ବାପା ମା' ଆସିଚନ୍ତି । ସାଇପଡ଼ିଶାରୁ ଦୁଇଜଣଙ୍କୁ ବି ଡାକିଛି; କିନ୍ତୁ ଗଉରାକୁ କହିନି, ତୋତେ କହିନି ... ।

 

-ମୁଁ ତ ଏଇ ମାସକର ପିଲାକୁ ଧରି ନୟାନ୍ତ ହେଉଚି ଭାଇନା...ସେ ଯାଆନ୍ତୁ... ।

 

କିଛି ହୋଇ ନ ଥିଲା ପରି କହିଲା ଫୁଲମତି ।

 

-ନା, ନା ...ଆଗେ ଦୁହେଁ ମୋତେ କ୍ଷମା କର... ।

 

-ଏ ଅଲକ୍ଷଣା କଥାଗୁଡ଼ାକ ଆଉ କୁହନା ଭାଇନା...ତମେ ବଡ଼...ଆମେ ସାନ... ।

 

ଏ ପଖାଳ ତୁ ଖାଇନେ ଫୁଲମତି । ମୁଁ ଯାଉଚି କହିଲା ଗଉରା ।

 

-ନା, ନା...ପଖାଳ ଥାଉ ଫୁଲମତି ...ମୁଁ ତୋ ପାଇଁ ଖାଇବାର ଆଣିବି...ତୁ ଟିକେ ଅପେକ୍ଷା କର...ଯଦି ଆସିପାରିବୁ ଚାଲିଆ... ।

 

ଫୁଲମତିର ଯିବା ପାଇଁ ଇଛା ଥିଲା, ଗଉରା ବି କହିଲା ସାଙ୍ଗରେ ଯିବାପାଇଁ; କିନ୍ତୁ ଫୁଲମତି ପଛେଇ ଗଲା । ଛୁଆଟା ଯଦି କାନ୍ଦେ ସେ ଶାନ୍ତିରେ ବସିପାରିବ ନାହିଁ । ତା'ପରେ ଫଟା ଚିରା ଲୁଗା ଖଣ୍ଡେ ପିନ୍ଧି ନିମିତ୍ତ ଖାଇବାକୁ ଯିବ ସେ...

 

-କ'ଣ ହେଲା ଲୋ ଫୁଲମତି ? ଘର ଭିତରେ ରହିଗଲୁ ଯେ ? କହିଲା ଗଉରା ।

 

-ଏଇ ଲୁଗାଟା ପିନ୍ଧି ଯାଇ ହୁଏନି ଭାଇନା ଘରକୁ ଆଉ ପାଞ୍ଚ ଜଣ ଅଛନ୍ତି... ।

 

ଗଉରାର ମନେପଡ଼ିଗଲା ଯେ, ଫୁଲମତିର ଭଲ ଶାଢ଼ୀଟିଏ ନାହିଁ, ଯୋଉଟା ଥିଲା ଚିରିଯାଇଛି ଏ ଭିତରେ । କାମକୁ ଯାଇନି ଦୁଇମାସ ହେଲା, ଆଉ ବାଧ୍ୟ କଲାନି ଗଉରା; ବରଂ କହିଲା, ସେ ଘରେ ଥାଉ ଭାଇନା...ଚାଲ ମୁଁ ଯାଉଛି ।

 

ରାମା ରାଓ ବୁଝିଗଲା ଯେ ସନ୍ତର୍ପଣରେ ଗୋଡ଼ କାଢି ଘରୁ ବାହାରିପାରୁନି ଫୁଲମତି । ଆହା ! ସେ ତାକୁ ଭାଇନା ଡାକେ । ଯଦି ତାକୁ ନୂଆ ଲୁଗା ଖଣ୍ଡେ ଦେଇ ପାରନ୍ତା ସେ ।

 

ଗଉରା ସାଙ୍ଗରେ ତରତର ହୋଇ ଚାଲିଗଲା ରାମା ରାଓ । ଆଖି ଦୁଇଟି ସଜଳ ହୋଇ ଉଠିଥିଲା ସେତେବେଳକୁ... ।

 

ମଧୁ ମାଷ୍ଟର ସମସ୍ତଙ୍କୁ ଶୁଣେଇ ଶୁଣେଇ କହିଲେ, ଏବେ ତୁମ୍ଭମାନଙ୍କର ଭଲମନ୍ଦ ଏଇ ରାଧା ବୁଝିବ...ସେ ତମର ପ୍ରତିନିଧି... ।

 

-ମୁଁ କ'ଣ ଜାଣେ ଯେ...ଯିମିତି କହିବ ସେମିତି କରିବି...ଦେଶ ସେବା ତମେ ତ ଶିଖାଇଚ ଭାଇନା... । ତୁମେ ଆମର ନେତା... ।

 

ମଧୁ ମାଷ୍ଟର କହିଲେ...ମୁଁ ସବୁଦିନ କର୍ମୀ ହୋଇ ରହିବିରେ ରାଧା...ନେତା ହେଲେ ସହିବ ନାହିଁ ବିଧାତା । ସେଥିପାଇଁ ତ ଯାହାକୁ ଦେଖେ ତାକୁ କହେ ଯେ, ତୁମେ ସବୁ ନେତା ହୁଅ...ଲୋକମାନଙ୍କର ଭଲମନ୍ଦ ବୁଝିବାକୁ ଚେଷ୍ଟା କର...ଶାସନ ଯେପରି ଠିକ୍ ବାଟରେ ଚାଲେ ସେଥିପାଇଁ ଯତ୍ନ କର । ମିଳିମିଶି କାମକଲେ ଅତି ବଡ଼ ବଡ଼ ସମସ୍ୟାଗୁଡ଼ାକର ସମାଧାନ କରାଯାଇ, ପାରିବ ।

 

ରଙ୍ଗାରଓ କହିଲା-ମୁଁ ଗୋଟେ ଖବର ଶୁଣିଥିଲି, ଆଜ୍ଞା ଦେଲେ କହନ୍ତି... ।

 

-ହଁ ଅଭୟ ଦେଲେ ମଧୁମାଷ୍ଟର... ।

 

-ଆଜି ରାମମନ୍ଦିର ଯାଇଥିଲି ସକାଳେ, ଝିଅ ପାଇଁ ପୂଜା ଦବାଲାଗି...ସେଇଠାରୁ ଶୁଣିଆସିଲି... ।

 

-କ'ଣ ?

 

-ରାଧାନାନୀ ମ୍ୟୁନିସିପାଲଟିର ଚେୟାରମେନ ହେବେ ।

 

-ଠିକ୍ ଶୁଣୁଛ ଚେୟାରମେନ ନୁହେଁ...ଚେୟାରପରସନ... ।

 

ଚମକିପଡ଼ି କହିଲା ରାଧା...ତମେ ଇମିତି କହିଲେ ମୁଁ ଆଉ ଚାଲିପାରିବିନି ଯେ ଭାଇନା... ।

 

-ସତକଥା କହିବିନି କାହିଁକି ? ସ୍ୱାୟତ୍ତଶାସନ ସଂଘ ପକ୍ଷରୁ ତୁ ହେବୁ ଚେୟାରପରସନ ତୋ’ଠାରୁ ଆଉ କିଏ ଯୋଗ୍ୟ ଅଛି ଯେ ...ଏମ୍. ଏ. ପଢିଛୁ...ଆମେରିକାରେ ଦୀର୍ଘ ସମୟ ରହି କେତେ କଥା ଶିଖିଛୁ...ଆହୁରି ତୋର ନିଷ୍ଠା ଅଛି...ଦୁଃଖୀ ଓ ଗରିବଙ୍କ ପ୍ରତି ଦରଦ ଅଛି... ।

 

ତଥାପି ରାଧା କହିଲା-ମୋତେ ବଦନାମ କରିବାଲାଗି ତମେ ସମସ୍ତେ ମିଶି ଗୋଟେ ପେଞ୍ଚ କରିଛ ନିଶ୍ଚୟ...

 

ସମସ୍ତେ ହସିଉଠିଲେ ହୋ ହୋ କରି ।

 

ସବୁ ସଜ ହୋଇ ରହିଥିଲା । ସୁନ୍ଦରୀ ଚାରିପାଖରେ ବସି ତାକୁ ମନ ପୁରାଇ ଖୁଆଇଲେ ତା' ମା' ସାଧୁ କାଣ୍ଡିର ସ୍ତ୍ରୀ ଲଳିତା, ଭୁବନ ସ୍ୱାଇଁର ସ୍ତ୍ରୀ ଲକ୍ଷ୍ମୀ, ବିଶାଖା, ରାଧା ଓ ଅନ୍ୟମାନେ ।

 

ତା'ପରେ ନିମନ୍ତ୍ରିତମାନେ ବସିଲେ ଆସନରେ । ଖାଇବା ଆରମ୍ଭ ହେବା ପରେ ପରେ ଦୁଇ ତିନିଜଣ ଗଳିରେ ଦୌଡ଼ିଯିବାର ଶବ୍ଦ ଭାସିଆସିଲା ।

 

ତା' ପରେ ଗଣ୍ଡଗୋଳର ଶବ୍ଦ ଶୁଣାଗଲା । କ'ଣ ହୋଇଛି ଜାଣିବା ପାଇଁ ଘରୁ ବାହାରିଗଲା ରାମା ରାଓ ।

 

ସେ ଫେରିବାରେ ବିଳମ୍ୱ ହବାର ଦେଖି ଖବର ଆଣିବା ପାଇଁ ବାହାରିଗଲା ଗଉରା ।

 

ରାମା ରାଓ ଓ ଗଉରା ଫେରିଆସିବା ବେଳକୁ ଖାଇସାରି ହାତ ଧୋଉଥିଲେ ରାଧା, ମଧୁ ମାଷ୍ଟର ।

 

-କ'ଣ ହେଲା ? ପଚାରିଲେ ମଧୁ ମାଷ୍ଟର ।

 

-ଅରକ୍ଷିତ ଆସିଥିଲା ଦଳବଳ ନେଇ । କ୍ଲବ୍‌ ପଛରେ ଯୋଉ ଖାଲି ଜାଗା ଖଣ୍ଡକ ଥିଲା ସେଇଟା ଦଖଲ କରିନେଇଛି ।

 

-ପିଲାମାନେ ଖେଳନ୍ତି ସେଠାରେ । ଦୁର୍ଗାପୂଜା ହୁଏ ସେଠାରେ ।

 

-ସେ ଦୁର୍ଗାପୂଜା କମିଟିର ସେକ୍ରେଟେରୀ । ସେଇ ବଳରେ ଦଖଲ କରି ନେଇଛି । ମନ୍ଦିର ତିଆରି ହେବ ସେଠାରେ ।

 

ଏ ସବୁ ପାଇଁ ନିୟମ ଅଛି । ନିୟମ ମାନିବ ନାହିଁ ଅରକ୍ଷିତ ? କହିଲେ ମଧୁ ମାଷ୍ଟ୍ରେ ।

 

-ସେ କହେ ଯେ, ଉପରୁ ଅଡ଼ର୍‌ ପାଇଛି...ସେହି ବଳରେ ଦଖଲ କରୁଛି ଜାଗା ...କାଲିଠାରୁ ପଡ଼ିଆ ଭିତରକୁ ଅନ୍ୟମାନଙ୍କର ପ୍ରବେଶ ନିଷେଧ ।

 

-ତା' କଥା ମାନିବାଲାଗି ବାଧ୍ୟ ନୁହଁନ୍ତି ସମସ୍ତେ ସାଧାରଣ ପ୍ରଶାସନ ବିଭାଗର ଅନୁମତି ବିନା ଏ ଜମି ନେଇପାରିବେନି କେହି... ।

 

କହିଲେ ମାଷ୍ଟ୍ରେ ।

 

-ସେ ମାନିଲା ନାହିଁ । ପ୍ରସ୍ତୁତ ହୋଇ ଆସିଥିଲେ ସେମାନେ ମାରଧର କରିବା ପାଇଁ । ଗଣ୍ଡଗୋଳ ତ ଆରମ୍ଭ ହୋଇ ଯାଇଥିଲା । ସପନାକୁ ଘୋଷାରି ନେଇଥିଲେ ସେମାନେ । ମୁଁ ପହଞ୍ଚିଗଲି ସେତିକିବେଳେ । ମୁଁ ଆଗକୁ ମାଡ଼ିଯିବାରୁ ସଲାମତ୍‍ ଅଲ୍ଲୀ ଚାହିଁକି ଆସିଲା ମୋ ଉପରକୁ । ଗଉରା ମୋ ସାଙ୍ଗରେ ଥିଲା ବୋଲି ସାହସ କଲାନି ବୋଧହୁଏ...

 

-ଉପରୁ କେହି ଉସୁକାଉଛି ସେମାନଙ୍କୁ । କଣ୍ଟା ବାଡ଼ରେ ଲୁଗାପକାଇ କଳିକରିବା ସେମାନଙ୍କର କାମ... ।

 

ରାଧା କହିଲା ।

 

ସମସ୍ତଙ୍କୁ ସଜାଗ ରହିବା ପାଇଁ କହି ମଧୁ ମାଷ୍ଟର ଚାଲିଲେ ରାଧା ସହିତ ।

 

ତାଙ୍କରି ଦେହ ଘସି ପ୍ରାୟ ଆଗେଇଗଲା ମାତାଲଟାଏ ।

 

ରାଧାକୁ ତା' ଘରେ ପହଞ୍ଚାଇ ଦେଇ ଫେରିବାବେଳେ କୃଷ୍ଣଚୂଡ଼ା ଗଛ ମୂଳରେ କେତେଜଣ ଭୁଟୁର ଭାଟ୍‌ର ହେଉଥିବାର କାନରେ ପଡ଼ିଲା । ଅନ୍ଧାରରେ ଜାଣି ହେଉ ନ ଥିଲା କିଏ ବା କେତେଜଣ । ଗୋଟିଏ କଣ୍ଠସ୍ୱର ଯେ ନାରୀର, ଏଥିରେ ସନ୍ଦେହ ନ ଥିଲା ।

 

ରାତିହେଲେ ମଦ ପିଇବା ପାଇଁ ସତ୍ୟନଗରକୁ ଆସନ୍ତି ଅନେକ । ତିନିଟା ଜାଗାରେ ଦେଶୀ ଓ ବିଦେଶୀ ମଦ ବିକ୍ରିହୁଏ । ମଦପିଇ ବସ୍ତିର ଅନ୍ଧାରୁଆ ଅଞ୍ଚଳକୁ ଶସ୍ତା ଯୌନ ସମ୍ଭୋଗ ପାଇଁ ଆସନ୍ତି ସେମାନେ ।

 

ମଧୁ ମାଷ୍ଟର ଜଲ୍‌ଦି ଜଲ୍‌ଦି ପାଦ ବଢ଼ାଇଲେ ସେଇ ଜାଗାଟା ପାର ହୋଇଯିବା ପାଇଁ-

 

ନିଶା ନିବାରଣ ବଳବତ୍ତର ହେଲେ ଅନେକ ଅସାମାଜିକ କାର୍ଯ୍ୟ ଆପେ ଆପେ ବନ୍ଦ ହୋଇଯାଆନ୍ତା । ସତ୍ୟନଗରର ଝିଅ ବୋହୂଙ୍କୁ ଭୋଗ କରିବା ପାଇଁ ଶ୍ୱାପଦ ପରି ଅନ୍ଧାରରେ ଗନ୍ଧ ବାରି ବାରି ଆଗେଇ ଆସନ୍ତେନି ଏଇ ମାତାଲ, ଗୁଣ୍ଡା, ଅସଭ୍ୟ ଲୋକଗୁଡ଼ାକ ।

 

ମଧୁ ମାଷ୍ଟରଙ୍କ ଆଖି ଆଗରେ ସତ୍ୟନଗର ଆଉ ଏକ ରୂପ ଉନ୍ମୋଚିତ ହୋଇଯାଏ । ଏଇଟା ଅନ୍ୟ ଏକ ଜଗତ । ଏପରି କୌଣସି ଜଘନ୍ୟ କାମ ନାହିଁ ଯାହା ନ ହୁଏ ଏଠାରେ । ମଣିଷକୁ ବଞ୍ଚାଇବାଲାଗି, ନ୍ୟାୟ ପାଇଁ ଲଢ଼ିଢୁଥିବା ମେହନତି ମଣିଷର ଚେହେରା ଏ ସତ୍ୟନଗର ଦିଶେ ନାହିଁ; ବରଂ ପଣ୍ୟ ସାମଗ୍ରୀ ପରି ନିଜକୁ ବିକ୍ରୀ କରୁଥିବା ମୁହଁଗୁଡ଼ାକର ଅଶ୍ଳୀଳ ସଙ୍କେତ ଆଖିରେ ପଡ଼େ ବେଶି ।

 

ମହାତ୍ମାଗାନ୍ଧୀ ଠିକ୍‌ କହିଥିଲେ । ଦେଶ ଗଠନର କାମ ଏମାନଙ୍କ ପାଖରୁ ଆରମ୍ଭ ହେବା ଦରକାର । ଏମାନେ ନ ବଦଳିଲେ ଦେଶ ବଦଳି ପାରିବ ନାହିଁ ।

 

ଅନେକ ରାତିଯାଏ ନିଦ ହେଲାନି ମଧୁ ମାଷ୍ଟରଙ୍କୁ । ଦେଶର ନୂଆ ମାନଚିତ୍ର, ନୂଆ ମଣିଷର ଚିତ୍ର ଆଙ୍କୁ ଆଙ୍କୁ ସେ ଭୁଲି ଯାଇଥିଲେ ନିଜକୁ ।

 

ହଠାତ୍‌ ଘଡ଼ିର ଆଲାରମ୍‌ ବାଜି ଉଠିଲା ।

 

ସେ ଚାହିଁଦେଲେ । ରାତି ଦୁଇଟା ।

 

ତାଙ୍କର ମନେପଡ଼ିଗଲା ଯେ ଯେଉଁଥିପାଇଁ ସେ ଆଲାରମ୍‌ ଦେଇଥିଲେ ତା'ର ପ୍ରୟୋଜନ ଆଉ ନାହିଁ । ଶମ୍ଭୁର ଅବସ୍ଥା ଖରାପ ହେବାରୁ ତାକୁ ହାସ୍‍ପାତାଳକୁ ପଠାଇ ଦିଆହୋଇଛି । ଆଉ ଯିବା ଦରକାର ହେବ ନାହିଁ ।

 

ସେ ଶୋଇବାକୁ ଯାଉଥିଲେ... ।

 

କିନ୍ତୁ ହଠାତ୍‌ ଉତ୍ତର-ପୂର୍ବ କୋଣରେ ଲାଲ ଆଭା ଦେଖି ଛିଡ଼ା ହୋଇଗଲେ ।

 

ଆହୁରି ଉଜ୍ଜ୍ୱଳ ଦିଶିଲା ସେଇ ଲାଳ ଆଭା ।

 

ପ୍ରାୟ ପାଞ୍ଚ ମିନିଟ୍‌ ଯାଇଛି କି ନାହିଁ ହୁତ୍‌ହୁତ୍‌ ହୋଇ ଜଳିଉଠୁଥିବା ନିଆଁ ଦେଖି ଚମକି ପଡ଼ିଲେ ସେ ଏବଂ ଠିକ୍‌ ସେତିକିବେଳେ ବାଉଁଶ ଫୁଟିବାର ଶବ୍ଦ ଶୁଣି-ପାରିଲେ ମଧୁ ମାଷ୍ଟର ।

 

ବସ୍ତିରେ ନିଆଁ ଲାଗିଛି ।

 

ଦରଜାରେ ତାଲା ପକାଇ ସେ ବାହାରି ଆସିଲେ ଘରୁ । କୁହାଟ ଛାଡ଼ିଲେ...ବସ୍ତିରେ ନିଆଁ ଲାଗିଛି...ଉଠ...ଉଠ ବାହାରିଆସ... ।

 

ମଧୁ ମାଷ୍ଟର ଦୌଡ଼ିଲେ ଉତ୍ତର -ପୂର୍ବ ଦିଗକୁ ।

 

ଗୋଟିଏ ଝୁମ୍ପୁଡ଼ିରୁ ଆଉ ଗୋଟିକୁ ଲମ୍ଫଦେଇ ମାଡ଼ିଆସୁଥିବା ନିଆଁ ଦେଖି ସେତେବେଳେ ବସ୍ତିର ଲୋକେ ରଡ଼ି ଛାଡ଼ି ପ୍ରାଣବିକଳରେ ନିଜ ନିଜର ରକ୍ଷାରେ ବ୍ୟସ୍ତ । ନିଆଁ ଲିଭାଇବାଲାଗି ଉଦ୍ୟୋଗ ନାହିଁ କାହାର ।

 

ମଧୁ ମାଷ୍ଟରଙ୍କ ବାଟ କାଟି ଗୋଟେ କିଏ ଦୌଡ଼ି ପଳାଇ ଯାଉଥିଲା ରେଳ ଲାଇନ୍ ଆଡ଼କୁ... । କ'ଣ ଭାବି ସେଇଆଡ଼କୁ ଦୌଡ଼ିଗଲେ ସେ । ସେତିକିବେଳେ ତୁରୀ ବଜାଇ ଷ୍ଟେସନ ଆଡ଼କୁ ମାଡ଼ିଆସୁଥିଲା ଗୋଟେ ରେଳଗାଡ଼ି ଇଞ୍ଜିନିରୁ ଛିଟିକି ପଡ଼ୁଥିବା ଆଲୁଅର ଝଲକରେ ରେଳ ଲାଇନ୍ ଉପରକୁ ଛୋଟେଇ ଛୋଟେଇ ଉଠିଯାଉଥିବା ଲୋକଟାକୁ ପଲକରେ ଦେଖିନେଲେ ସେ-

 

ଚିହ୍ନାମୁହଁ ପରି ଲାଗିଲା ତାଙ୍କୁ ।

 

ରେଳଗାଡ଼ି ଚାଲିଯିବା ପରେ ପରେ ସେଇ ଲୋକଟା ରେଳ ଲାଇନ୍‌ଆର ପାଖକୁ କୁଦି ପଡ଼ିଲା । ତା' ଉପରେ ସନ୍ଦେହ ହେଲେ ବି ଆଉ ମଧୁ ମାଷ୍ଟର ତା' ପିଛା ନ କରି ଦୌଡ଼ିଲେ ନିଆଁ ଲାଗିଥିବା ବସ୍ତି ଆଡ଼କୁ ।

 

ସେତେବେଳକୁ ନିଆଁ ଦାବାନଳ ପରି ପହଁରୁଥାଏ ଗୋଟିଏ ଦିଗରୁ ଅନ୍ୟ ଦିଗକୁ ।

 

ରାଧାର ଘର ନିଆଁ ଘେରରେ ପଡ଼ିଯାଇଥିବାର ଦେଖି ମଧୁ ମାଷ୍ଟର ଆତଙ୍କରେ ଶିହରି ଉଠିଲେ ।

 

ସେ ସେଠାରେ ପହଞ୍ଚିଲା ପରେ ପରେ ଗଉରା, ରାମା ରାଓ, ଭୁବନ ସ୍ୱାଇଁର ବଡ଼ ପୁଅ ବାବୁନା ପହଞ୍ଚିଗଲେ ।

 

ମଧୁ ମାଷ୍ଟର ଚିତ୍‌କାର କଲେ...ରା...ଧା...

 

ରାଧାର ଘର ଉପରେ ନିଆଁ ଖେଳୁଥାଏ ସେତେବେଳେ ।

 

କବାଟରେ ବାହାରପଟୁ ଓହଳୁଥିବା ତାଲା ଦେଖି ରାମା ରାଓ କହିଲା...ନାନୀ ଗଲେ କୁଆଡ଼େ...?

 

ସେତେବେଳକୁ ଭିତରୁ ଭାସିଆସୁଥାଏ ନାରୀ କଣ୍ଠର ଆର୍ତ୍ତସ୍ୱର...ବଞ୍ଚାଅ...ବଞ୍ଚାଅ...

 

ମଧୁ ମାଷ୍ଟର ଓ ଗଉରା ସମସ୍ତ ଶକ୍ତି ଖର୍ଚ୍ଚ କରି ଗୋଇଠା ମାରିଲେ କବାଟ ଉପରେ ।

 

କେଉଁଠୁ ଗୋଟେ ଶାବଳ ଆଣି କବାଟର ଶିକୁଳିଟାକୁ ଜୋର୍ କରି ଭାଙ୍ଗି-ଦେଲା ରାମା ରାଓ ।

 

ଖୋଲିଗଲା କବାଟ ।

 

ରାଧା ଓ ବିଶାଖାର ଲୁଗାରେ ନିଆଁ ଜଳି ଉଠୁଥିବାର ଦେଖି ସେମାନଙ୍କୁ ଆଖିପଲକରେ ବାହାରକୁ ଆଣି ତଳେ ଛାଡ଼ିଦେଲେ ମଧୁ ମାଷ୍ଟର ।

 

ବାବୁନା ଘୋଡ଼େଇ ହୋଇଥିବା ଛିଣ୍ଡା କମ୍ୱଳଟାକୁ ଟାଣିନେଇ ରାଧା ଉପରେ ଢାଙ୍କି ଦେଇ ତାକୁ ଘୋଡ଼ାଇବାକୁ ଲାଗିଲେ ମଧୁ ମାଷ୍ଟର । ବିଶାଖା ସେତେବେଳକୁ ମୁକ୍ତ ହୋଇ ସାରିଥିଲା ଅଗ୍ନିରୁ ।

 

ରାଧାର ପାଦ, ଜଙ୍ଘ ଓ ହାତର କିଛି ଅଂଶ ଜଳି ଯାଇଥିଲା ନିଆଁରେ ।

 

ମଧୂ ମାଷ୍ଟର କହିଲେ, ରାମା ରାଓକୁ-ହରବଂଶ ସିଂ ଉଠି ସାରିଥିବ ଏତେବେଳକୁ...ଟାକ୍‌ସି ନେଇ ଶୀଘ୍ର ଆସିବାକୁ କୁହ...ଏମାନଙ୍କୁ ହାସ୍‌ପାତାଳ ନବାକୁ ହେବ... ।

 

ରାମା ରାଓର ନେତୃତ୍ୱରେ ପୁରା ଦମ୍‍ରେ ନିଆଁ ଲିଭାଇବା କାର୍ଯ୍ୟ ଚାଲିଥାଏ ସେତେବେଳକୁ ।

 

କୌଣସି ସୂତ୍ରରୁ ଖବର ପାଇ ଦୁଇଟା ନିଆଁ ଲିଭା ଗାଡ଼ି ମଧ୍ୟ ପହଞ୍ଚିଗଲା ପରେ ପରେ-

 

ନିଆଁ ଲିଭାଇ ସାରିଲାବେଳକୁ ପ୍ରାୟ ଦୁଇଶହ ଝୁମ୍ପୁଡ଼ି ଏବଂ ତେଇଶଟି ଖପର ଓ ଟାଇଲ ଘର ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇସାରିଥିଲା ।

 

ସେଇ ଧ୍ୱଂସ ସ୍ତୂପକୁ ଚାହିଁଦେଇ ନିଜର ଅନ୍ତଃସ୍ଥଳରେ ଦଳି ମକଚି ହୋଇ-ଯାଇଥିବା ଆଶାବାଡ଼ିକୁ ଖୋଜିଲେ ମଧୁ ମାଷ୍ଟର, କିନ୍ତୁ ସବୁ ଯେପରି ଶେଷ ହୋଇ-ଯାଇଚି । ଗୋଟିଏ ଲମ୍ବା ଦୀର୍ଘଶ୍ୱାସ ବାହାରିଆସିଲା ତାଙ୍କର ସମଗ୍ର ସତ୍ତା ଥରାଇ ।

 

ହରବଂଶ ସିଂ ଟ୍ୟାକ୍‌ସି ନେଇ ଉପସ୍ଥିତ ହେଲା । ସେଇ ଟ୍ୟାକ୍‌ସିରେ କେବଳ ରାଧା ଓ ବିଶାଖା ନୁହଁନ୍ତି, ନିଆଁଲାଗି ଆହତ ହୋଇଥିବା ଆଉ ଦୁଇଜଣ ପିଲାଙ୍କୁ ନେଇ ହାସ୍‌ପାତାଳ ଅଭିମୁଖରେ ଚାଲିଲେ ମଧୁ ମାଷ୍ଟର ।

 

ସେତେବେଳକୁ କୁଆଁତାରା ଉଠୁଥାଏ ପୂର୍ବାକାଶରେ ।

 

ସତ୍ୟନଗରର ସମବେତ କ୍ରନ୍ଦନ ଧ୍ୱନି ମିଶିଯାଉଥାଏ ମହାଶୂନ୍ୟରେ ।

 

ଡାକ୍ତରଖାନାରେ ସତେଇଶ ନମ୍ୱର ଶଯ୍ୟାରେ ଶୋଇ ଶୋଇ ଭାବୁଥିଲା ରାଧା । ଶରୀରର ସବୁ ଯନ୍ତ୍ରଣାକୁ ଠେଲିଦେଇ ଛାଡ଼ି ଆସିଥିବା ରିକ୍ତ ଅତୀତହିଁ ବାଧ୍ୟ କରୁଥିଲା ଭାବିବା ପାଇଁ । ସବୁ ତ ସରିଯାଇଛି, ବାକି ନାହିଁ ଆଉ କିଛି; ତଥାପି ରାଧା କାହିଁକି ଯେ ଉଖାରେ ସେଇ ଅତୀତକୁ ସେ ନିଜେ ବି ବୁଝିପାରେନି । ବିଜୟର, ସୁଖର ଅନୁଭୂତିଗୁଡ଼ାକ ବୋଧହୁଏ ବେଶୀ ନିଜସ୍ୱ ନୁହେଁ ମଣିଷର, ସେଥିପାଇଁ ଧୀରେ ଧୀରେ ଭୁଲିଯାଏ ସେ; କିନ୍ତୁ ବିଫଳତାର, ଦୁଃଖର ଅନୁଭୂତିଗୁଡ଼ାକୁ ପାସୋରି ପାରେନା ସେ, ସେଗୁଡ଼ାକ ରହିଯାଏ ଅନ୍ତସ୍ଥଳର ଅଂଶ ହୋଇ, ଦେହରେ ଦାଗ ହୋଇ । ସେଥିପାଇଁ ଇଚ୍ଛା ଥାଉ ବା ନ ଥାଉ ବିଫଳତାର ଦିନଗୁଡ଼ାକ, ବିପର୍ଯ୍ୟୟର ସମୟ ସବୁ ମନେପେଡ଼ ବାରମ୍ୱାର । ଅନ୍ତଃସ୍ଥଳର କ୍ଷତରୁ ରକ୍ତ ଝରେ ସଦାବେଳେ ।

 

କେଉଁ ଗିରିକନ୍ଦରରୁ ଝରିଆସି ଅଧାବାଟରେ ଅଟକି ଯାଇଥିବା ଜଳଧାର ପରି ରାଧାର ଜୀବନ । ପ୍ରବାହ ଆଗରେ ପ୍ରତିବନ୍ଧକ କ’ଣ କମ୍‌ ବେଦନାର !

 

ଲେଉଟିଯାଇ ପାରେନା ନିର୍ଝରିଣୀ । ସେ ବି ଫେରିଯାଇ ପାରିବନି । ଯାହା ରହିଗଲା ପଛରେ ତା’ ସହିତ ଆଉ ସମ୍ପର୍କ ନାହିଁ ତା’ର । ଆଉ ଗୋଟାଏ ନୂଆ ଜୀବନ ବଞ୍ଚଛି ସେ ।

 

କେତେବେଳୁ ଆସି ତା' ପାଖରେ ଛିଡ଼ାହୋଇଛି ସତ୍ୟଜିତ୍‌; ତାହା ଆଦୌ ଜାଣିପାରିନି ରାଧା ।

 

ସତ୍ୟଜିତ୍‌ ତା' ମଥା ଉପରେ ହାତରଖି କହିଲା, କ୍ଷମାକରିବ ବାଧା ଦେଲି...କ'ଣ ଏତେ ଭାବୁଛ... ?

 

ଧରାପଡ଼ିଯାଇ ଲାଜେଇ ଗଲା ରାଧା ।

 

ସେ କହିଲା, ଶୋଇ ରହିଲେ ଅନେକ କଥା ମନେପଡ଼େ...ମନର ଯନ୍ତ୍ରଣା, ଦେହର ଯନ୍ତ୍ରଣା ଭୁଲିଯିବା ପାଇଁ ଏହାଠାରୁ ଭଲ ମହୌଷଧି ଆଉ କିଛି ନାହିଁ ।

 

ସାଧାରଣତଃ ଏତେ କଥା କହେନା ରାଧା । ତା'ର ବକ୍ତବ୍ୟ ସଫେଇ ପରି ଲାଗିଲା ସତ୍ୟଜିତ୍‌କୁ । ସେ କହିଲା, କେମିତି ଲାଗୁଛି ?

 

-ଅନେକ ଭଲ ଅଛି ଆଜି...ଯାହାହେଉ ଭଗବାନ ରକ୍ଷାକଲେ...ଆଉ ତୁମମାନଙ୍କର ଅଶେଷ ଶୁଭେଚ୍ଛା... ।

 

ସତ୍ୟଜିତ୍‌ କହିଲା, ତମେ ସେଦିନ ଭାଙ୍ଗିପଡ଼ିଥିଲ, ମୁଁ କିନ୍ତୁ ଭାଙ୍ଗି ନ ପଡ଼ି ଦ୍ୱିଗୁଣ ଉତ୍ସାହରେ ବାହାରି ପଡ଼ିଥିଲି । ଭଲ କାମରେ ହାତଦେଲେ ଏପରି ହୁଏ । ମୂଲ୍ୟ ଦେଇ କିଛି ବି କିଣାଯାଇ ପାରେନି ଏ ପୃଥିବୀରେ । ଦେଶସେବା ବିନାତ୍ୟାଗରେ ସମ୍ଭବ ନୁହେଁ ।

 

-ତା' ବୋଲି ଜୀବନରେ ମାରିଦବା ପାଇଁ ଏପରି ହୀନ ଚକ୍ରାନ୍ତ କରିବେ । ମୁଁ ତ କେବେ କାହାରି ଅନିଷ୍ଟ କରି ନ ଥିଲି... ।

 

-କିନ୍ତୁ ତମେ ଭୁଲିଯାଉଛ ଯେ, ନ୍ୟସ୍ତସ୍ୱାର୍ଥର ମହୁଫେଣାରେ ହାତ ମାରିଦେଇଛ ତମେ-। ସେମାନେ ଆଜିଯାଏ ଯାହା କୌଣସି ପୈତୃକ ସମ୍ପତ୍ତି ପରି ଭୋଗ କରୁଥିଲେ ସେଥିରେ ବାଧା ପଡ଼ିଲା ଏବେ ।

 

-ମୋତେ କିନ୍ତୁ ଆଉ ସେ ଭିତରକୁ ଟାଣନି... ।

 

-ସାତ ତାଳ ପାଣି ଭିତରକୁ ଯାଇ ପହଁରିବି ନାହିଁ କହିଲେ ବୁଡ଼ି ମରିବାହିଁ ସାର ହୁଏ । ତମେ ନିର୍ବାଚନରେ ଜିତିଛ । ତମ ଦଳ ଜିତିଛି । କ୍ଷମତା ତମ ହାତ ମୁଠାରେ... ।

 

-ମୁଁ ଏସବୁ କିଛି ଚାହିଁ ନ ଥିଲି ଯେ...

 

ତା' ସ୍ୱର ଭିନ୍ନପ୍ରକାର ଶୁଣାଗଲା । ସତ୍ୟଜିତ୍‌ ଅବାକ୍‌ ହୋଇଗଲା ମୂହର୍ତ୍ତେ । ଦେଶ-ସେବିକାର କଣ୍ଠସ୍ୱର ନୁହେଁ ଇଏ...ଏହା ନୀଡ଼ ଭାଙ୍ଗି ଯାଇଥିବା ନାରୀର କଣ୍ଠସ୍ୱର ।

 

କିନ୍ତୁ ମୂହୂର୍ତ୍ତକରେ ନିଜକୁ ସଜାଡ଼ି ନେଇ କହିଲା ରାଧା-ତମେ ଚେୟାରମ୍ୟାନ୍‌ ହୁଅ...ସବୁ ଠିକ୍‌ ହୋଇଯିବ ।

 

ଚେୟାରପରସନ କିଏ ହେବ ନିଷ୍ପତ୍ତି ନିଆସରିଛ । ପୁନର୍ବିଚାର ପାଇଁ ଆଉ ସମୟ ନାହିଁ । ସାଧାରଣତନ୍ତ୍ର ଦିବସ ଦିନ କାର୍ଯ୍ୟଭାର ହାତକୁ ନବ ତମେ । ତମର ଆଶୁ ଆରୋଗ୍ୟ କାମନା କରୁଚି ।

 

ମୋତେ ସେ ଭିତରକୁ ଠେଲି ଦେଇ କ'ଣ ଲାଭ ହେବ ତମର ? ତମ ପରି ଅନ୍ୟମାନେ ନୁହଁନ୍ତି । ସାର୍କମାନଙ୍କ ଘେର ଭିତରେ ମୋ ପରି ଜଣେ ସାଧାରଣ ନାରୀ କେତେଦିନ ଅକ୍ଷତ ରହିପାରିବ ।

 

ସାର୍କମାନଙ୍କୁ ଦମନ କରିବାର ସାହସ ଓ ଆତ୍ମବିଶ୍ୱାସ କେବଳ ତମର ଅଛି ରାଧା...ତମେ ଭରସା ରଖ ନିଜ ଉପରେ...ତମ ପଛରେ ଅଜସ୍ର ଶୁଭ କାମନା...ଅଜସ୍ର ସଦ୍ଦିଚ୍ଛା... ।

 

ରଧା ଆଉ କିଛି ନ କହି ଚାହିଁରହିଲା ସତ୍ୟଜିତର ମୁହଁକୁ ।

 

ସତ୍ୟଜିତ୍‌ କହିଲା, ପାଞ୍ଚ ଛଅ ଦିନ ପରେ ହସ୍‍ପିଟାଲ ଛାଡ଼ିବ ତମେ... । ଏ ଭିତରେ ମୁଁ ଆଉ ଶ୍ୟାମଳ ସବୁ ସଜାଡ଼ି ନେଇଛୁ...ତୁମର ଯେପରି ଅସୁବିଧା ନ ହୁଏ... ।

 

-କ'ଣ ସଜାଡ଼ି ନେଇଛ ? ଆଶ୍ଚର୍ଯ୍ୟ ହୋଇ କହିଲା ରାଧା ।

 

ତମର ଘର ଖଣ୍ଡକ ପୋଡ଼ି ପାଉଁଶ ହୋଇଯାଇଛି । ଶ୍ୟାମଳ ଘରେ ସେପରି ସୁବ୍ୟବସ୍ଥା ହୋଇପାରୁନାହିଁ... ।

 

-ଭଡ଼ାଘର ମିଳୁନି ?

 

-ଭଡ଼ାଘର ଏତେ ସହଜରେ ଏତେଶୀଘ୍ର ମିଳେନି... ।

 

-ତା' ହେଲେ ?

 

-ଜଣେ ବନ୍ଧୁଘରେ ରହିବ... ।

 

-ପରେ ଜାଣିବନି ! ମୁହଁ ଉପରେ ରହସ୍ୟମୟ ସ୍ମିତହାସ୍ୟ ଖେଳାଇ କହିଲା ସତ୍ୟଜିତ୍‌-

 

-ନା, ନିଶ୍ଚୟ କହିବାକୁ ହେବ ମୋତେ, ମୁଁ ଜାଣିବା ଦରକାର ଯେ, ମୁଁ କେଉଁଠିକୁ ଯିବି...-

 

-ଅବିଶ୍ୱାସ ହେଉଛି ?

 

-ସେ କଥା ନୁହେଁ ; ତଥାପି ଜାଣିବାଲାଗି ଇଚ୍ଛା ହେଉଚି... ।

 

-ତମର କୌଣସି ଆପତ୍ତି ନାହିଁତ ?

 

ରାଧା କିଛି ଉତ୍ତର ଦେଇପାରିଲା ନାହିଁ । ତା' ଆଗରେ ଗୋଟିଏ ଅଦେଖା ସାମ୍ରାଜ୍ୟର ପ୍ରବେଶ ପଥ ଭାସିଉଠିଲା କେବଳ । ଏତେ ଐଶ୍ୱର୍ଯ୍ୟ, ଏତେ ଉଜ୍ଜ୍ୱଳତା ଦେଖି ନ ପାରି ଆଖି ମୁଦିଲା ସେ । ତଥାପି ସେଇଦୃଶ୍ୟ ଉଭେଇ ଗଲାନି । ନାଲି କାର୍ପେଟ ପଡ଼ିଥିବା ସେଇ ପ୍ରବେଶ ପଥର ପ୍ରାରମ୍ଭରେ ଛିଡ଼ା ହୋଇଥିଲା ଏକ ଦିବ୍ୟ ପୁରୁଷ ଚିହ୍ନା ଚିହ୍ନା...ଠିକ୍ ସତ୍ୟଜିତ୍‌ ପରି ।

 

ତା' କପାଳ ଉପରୁ ଅଭିଶପ୍ତ କେଶ କେତୋଟିକୁ ଉଠାଇନେବା ବେଳେ ସତ୍ୟଜିତ୍‌ କହିଲା-ତମର ଅସମ୍ମାନ ହେବ ନାହିଁ... ।

 

-କିନ୍ତୁ ମୁଁ ଯେ ନିରୁପାୟ ସତ୍ୟଜିତ୍...ତମେ ବୁଝିବାକୁ ଚେଷ୍ଟା କରୁନ କାହିଁକି ଯେ, ମୁଁ ଜଣେ ତରୁଣୀ, ପୁଣି ପରିତ୍ୟକ୍ତା...

 

ଆଉ କହିପାରିଲା ନାହିଁ ସେ, ତୁହାକୁତୁହା କୋହ ଫାଟି ପଡ଼ିଲା ତା' ବୁକୁ ଉପରେ । ଆଖିରୁ ଛୁଟିଲା ଶ୍ରାବଣର ଧାର ।

 

ସତ୍ୟଜିତ୍‌ ମୁକ ହୋଇଗଲା ।

 

କିଛି ସମୟ ପରେ ପହଞ୍ଚିଲା ଶ୍ୟାମଳେନ୍ଦୁ ।

 

ରାଧା ତା’ ଆଡ଼କୁ ଚାହିଁବାକ୍ଷଣି ସେ ହାତଟେକି ମଝି ଓ ବିଶି ଆଙ୍ଗୁଳିରେ ଲେଖିଦେଲା ଭି । ଭି ଫର ଭିକ୍‍ଟରୀ । ଭି ବିଜୟର ଚିହ୍ନ ।

 

ରାଧା ହସିଲା ପୂର୍ବର ସେଇ ଅମ୍ଳାନ ହସ ।

 

ସତ୍ୟଜିତ କହିଲା, ମୁଁ ମନେ ମନେ ଖୋଜୁଥିଲି ଯେ ଶ୍ୟାମଳ... ।

 

-ତମେ ଆମର ନେତା...ଆଖିଠାରି ଦେଲେ ପହଞ୍ଚିଯିବି ।

 

-ରାଧାକୁ ରାଜି କରେଇଛି...ଛବିଶ ଜାନୁଆରୀ ଦିନ ଦାୟିତ୍ୱ ନବାର ଦିନ... ।

 

-ସେଦିନ କିନ୍ତୁ ମୋତେ ଗୋଟେ ଭୋଜିଦବାକୁ ପଡ଼ିବ... ।

 

-କିଏ ଦବ ? କହିଲା ରାଧା...

 

-ଯିଏ ଦାୟିତ୍ୱ ନବ...କହିଲା ସତ୍ୟଜିତ୍ ।

 

-ବାଃରେ ! ଏ ଦେଶରେ ଲୋକମାନେ ବଡ଼ ଖାଉଟିଆ...କାର୍ଯ୍ୟ ଆରମ୍ଭ ହେବା ଆଗରୁ ଭୋଜିଭାତ... ।

 

-ତମେ କିନ୍ତୁ ନିଜ ହାତରେ ରାନ୍ଧିବ...ହୋଟେଲ ସଂସୃତିରେ ବିଶ୍ୱାସ କରେନି ମୁଁ । କହିଲା ଶ୍ୟାମଳ ।

 

-ହେଉ ହେଲା...କିନ୍ତୁ ମୋ ହାତରନ୍ଧା କ’ଣ ସମସ୍ତଙ୍କୁ ଭଲ ଲାଗିବ ? ମୁହଁ ବଙ୍କେଇ କହିଲା ରାଧା ।

 

ସତ୍ୟଜିତ୍ ଉପଭୋଗ କରୁଥିଲା ଭାଇ ଭଉଣୀଙ୍କର ଆଳାପ । ତା’ ଆଗରେ ଉଦ୍‌ଘାଟିତ ହେଉଥିଲା ଆଉ ଏକ ନାରୀର ରୂପ ଯାହାର ଉଚ୍ଚତା ମାପିପାରୁ ନ ଥିଲା ସେ ।

 

ତିନି ଜଣ ବିଚାର ଆଲୋଚନା କରି ଷ୍ଟ୍ରାଟେଜି ଠିକ୍‌ କଲେ । ଛବିଶ ତାରିଖର କାର୍ଯ୍ୟସୂଚୀ ତିଆରି ହେଲା । ମଧୁ ମାଷ୍ଟର ଓ ଅନ୍ୟମାନଙ୍କର ଅନୁମୋଦନ ନେଇ କାର୍ଯ୍ୟ କରିବା ସ୍ଥିର ହେଲା ।

 

ଶ୍ୟାମଳେନ୍ଦୁର ପ୍ରସ୍ତାବ ଗ୍ରହଣ କରିନେଇ ଜନସ୍ୱାର୍ଥ ସୁରକ୍ଷା ନିମନ୍ତେ ଆରମ୍ଭ କରାଯାଇଥିବା ପବ୍ଲିକ ଇଣ୍ଟାରେଷ୍ଟ ଲିଟିଗେସନ୍ କେସ୍‌ଗୁଡ଼ାକର ଆଶୁ ଫଏସଲା ଉପରେ ଜୋର୍ ଦବାଲାଗି ଉଚ୍ଚ ନ୍ୟାୟାଳୟ ଆଗରେ ନିବେଦନ କରିବା ପାଇଁ ସ୍ଥିର ହେଲା । ସାଧୁ କାଣ୍ଡିର କେଶ୍‍ ଚାପାପଡ଼ି ଯାଇଥିଲା ତଳ କୋର୍ଟରେ । ଏ ଭିତରେ ଅକାଟ୍ୟ ପ୍ରମାଣ ଯୋଗାଡ଼ କରିଛି ସତ୍ୟଜିତ୍ । ସେଥିରୁ ଖସିଯିବାର ବାଟ ନାହିଁ ଆସାମୀର । ଏ ଯାଏ ଜନସ୍ୱାର୍ଥ ଉପେକ୍ଷା କରି ଯିଏ ଦେଶର ସମ୍ପଦ ଲୁଟ୍‍ପାଟ କରି ଖାଉଥିଲେ, ପ୍ରଶାସନିକ କ୍ଷମତାର ଦୁରୁପଯୋଗ କରି ନ୍ୟସ୍ତସ୍ୱାର୍ଥକୁ ସୁଦୃଢ଼ କରୁଥିଲେ ସେମାନଙ୍କର ସାମନା କରିବାର ବେଳଆସିଛି । ସେମାନଙ୍କର ମୁଖା ଖୋଲି ଦେଇ ଅସଲ ରୂପ କେବଳ ପଦାରେ ପକାଇଦବା ଯଥେଷ୍ଟ ନୁହେଁ, ସେମାନଙ୍କୁ ଆଇନ ଅନୁସାରେ ଶାସ୍ତି ଦବା ଓ ଆଉ ଯେପରି ସହଜରେ ଜନସ୍ୱାର୍ଥ ବିରୁଦ୍ଧରେ କେହି ଏପରି ଷଡ଼ଯନ୍ତ୍ର ନ କରନ୍ତି ତାହା ସୁନିଶ୍ଚତ କରିବା ସକାଶେ ସଙ୍ଗଠିତ ଭାବରେ ଉଦ୍ୟମ କରିବାକୁ ପଡ଼ିବ ।

 

ସାଧୁ କାଣ୍ଡିର ହତ୍ୟାକାରୀ ଧରାପଡ଼ିବ ? ମୁହଁ ଉପରେ ପ୍ରଶ୍ନବାଚୀ ଖେଳାଇ କହିଲା ରାଧା ।

 

-ନିଶ୍ଚୟ । ହତ୍ୟା ଷଡ଼ଯନ୍ତ୍ରରେ ଲିପ୍ତ ବହୁ ପଦସ୍ଥ ଲୋକ ମଧ୍ୟ ଧରାପଡ଼ିବେ ।

 

-ଆଉ ସୁକୁମାର ମିଶ୍ର ମନ୍ତ୍ରୀଙ୍କ ଶକ୍ତି ପ୍ରୟୋଗ କରି ଖସିଯିବ ? ପଚାରିଲା ଶ୍ୟାମଳେନ୍ଦୁ-

 

-ସବୁ କେସ୍‌ର ପରସ୍ପର ସହିତ ସମ୍ପର୍କ ଅଛି ବିଭିନ୍ନ ଭାବରେ । ଗୋଟିକୁ ଛାଡ଼ି ଅନ୍ୟଟିର ସମ୍ପୂର୍ଣ୍ଣ ବିଚାର ସମ୍ଭବ ନୁହେଁ । ଆଉ ସବୁଠାରୁ ବିସ୍ମୟର ବିଷୟ ଏହିଯେ, ଏସବୁ ଅସାମାଜିକ ଅପରାଧମୂଳକ କାର୍ଯ୍ୟ କରନ୍ତି ବଡ଼ ବଡ଼ ଲୋକେ, ବଦନାମ ଓ ଦଣ୍ଡିତ ହୁଅନ୍ତି ଗରିବ ଲୋକେ । କହିଲା ସତ୍ୟଜିତ୍ ।

 

-ପ୍ରଶାସନ ସେମାନଙ୍କ ସପକ୍ଷରେ ଯେ ଭାଇନା !

 

-ମୁଁ ଜାଣେ । ତୁ ବି ଜାଣୁ । ପ୍ରଶାସନର ଆଢ଼ୁଆଳରେ ରହି ଯୋଉମାନେ ଜନସାଧାରଣଙ୍କ ଜୀବନ ଓ ସମ୍ମାନ ସହିତ ଖେଳ ଖେଳନ୍ତି ସେମାନଙ୍କର ସାମନା କରିବାକୁ ପଡ଼ିବ-। ସେମାନେ ବି ଜାଣିବା ଉଚିତ ଯେ, ସେମାନଙ୍କୁ ଧରିବା ପାଇଁ ଆଉ କେହି ଅଛି... ।

 

-ନିକଟରେ ସମ୍ବାଦପତ୍ରରେ ଶାସକ ଦଳର ମୁଖ୍ୟ ଓ ଘରୋଇ ମନ୍ତ୍ରୀଙ୍କ ମଧ୍ୟରେ ସେଡ଼ୋ ବକ୍‌ସିଂ (ଛାଇ ମୁଷ୍ଟିଯୁଦ୍ଧ)ର ଯେଉଁ ଚିତ୍ର ପ୍ରକାଶ ପାଇଛି ତାହା ଏଇ ଘୃଣାଲଗା ସମାଜ ବ୍ୟବସ୍ଥାର ପରିଚୟ ଦିଏ । ଆଉ ତାଳି ପକେଇ ସମାଜର ସଂସ୍କାର କରିବା ସମ୍ଭବ ନୁହେଁ । ସମାଜ ଓ ଶାସନର ସମ୍ପୂର୍ଣ୍ଣ ପୂନର୍ବିନ୍ୟାସ ଲୋଡ଼ା । ଯେଉଁମାନଙ୍କର ହାତରେ ଏ ଯାଏ ଅଧିକାର ଥିଲା ସେମାନେ ତାହା କେବଳ ନିଜର ସ୍ୱାର୍ଥରକ୍ଷା ସକାଶେ ବ୍ୟବହାର କରିଆସିଛନ୍ତି । ଧର୍ମ, ସାହିତ୍ୟ, ଓ ସଂସୃତିର ଅଫିମ ଖୁଆଇ ସେମାନେ ଯୁବସମ୍ପ୍ରଦାୟକୁ ନିଶ୍ଚେତ କରି ରଖିଛନ୍ତି । ସେମାନଙ୍କର ଏଇ ଅପକର୍ମ ସମସ୍ତେ ଜାଣିବା ଦରକାର ।

 

ଶ୍ୟାମଳେନ୍ଦୁ ଭାଷଣ ଦବା ପରି କହି ଯାଉଥିଲା । ହଠାତ୍ ଜଣେ କିଏ ଝରକା ସେପାଖରେ ଛିଡ଼ାହୋଇ ସେମାନଙ୍କ କଥାବାର୍ତ୍ତା ଶୁଣୁଥିବାର ସନ୍ଦେହ କରି ସେ ଦୌଡ଼ିଗଲା ଝରକା ସେପାଖକୁ; କିନ୍ତୁ ତାକୁ ଧରିବା ପୂର୍ବରୁ ସେହି ଲୋକଟା ହସ୍‌ପିଟାଲର ପାଚେରୀ ଡେଇଁ ଅଦୃଶ୍ୟ ହୋଇଗଲା ଆରପାଖରେ ।

 

ଫେରି ଆସି କହିଲା-ଖସିଗଲା...କିନ୍ତୁ ଯିବ କୁଆଡ଼େ...ମୋ ହାତରୁ ନିସ୍ତାର ପାଇବା ସହଜ ନୁହେଁ ।

 

-କିଏ ? ପ୍ରଶ୍ନ କଲା ରାଧା ।

 

-ସେ ଅନେକ କଥା ପରେ କହିବି, କହିଲା ଶ୍ୟାମଳେନ୍ଦୁ ।

 

ହାତରେ ଅନେକ କାମଥିଲା ବୋଲି ବିଦାୟ ନେଇ ଚାଲିଗଲା ଶ୍ୟାମଳେନ୍ଦୁ; କିନ୍ତୁ ଯିବା ପୂର୍ବରୁ ଏଇ ଭବିଷ୍ୟତ ବାଣୀ ଶୁଣାଇ ଦେଇଗଲା ଯେ...ଯେଉଁମାନେ ଆଜି ଅସହାୟ, ଦୁର୍ବଳ, ନିରାଶ୍ରୟ ସେମାନେହିଁ ଦିନେ ଏଇ ପୃଥିବୀକୁ ଭୋଗ କରିବେ ବାଇବେଲଢ଼ିର ଏହି ଉକ୍ତି ସତ୍ୟ ହେବହିଁ ହେବ ।

 

ସତ୍ୟଜିତ୍ ଓ ରାଧା ତା’ର ଯିବାପଥକୁ ଚାହିଁ ରହିଥିଲେ ଏକ ଅପୂର୍ବ ଉଚ୍ଛ୍ୱାସରେ ।

 

କିଛି ସମୟ କଟିଗଲା ସେହିପରି । ରବିବାର ଥିଲା । ହାତ ଖାଲିଥିଲା ସତ୍ୟଜିତ୍‌ର । ସେଥିପାଇଁ ସେ ଆହୁରି କିଛି ସମୟ ରାଧା ପାଖରେ କଟାଇଲା ।

 

ସତ୍ୟଜିତ୍‌ର ହାତ ଉପରୁ ନିଜ ହାତ ଉଠାଇ ଆଣିଲା ରାଧା । ଉଷୁମ ଲାଗୁଥିଲା ହାତକୁ । ସେ ସତ୍ୟଜିତ୍‌ ପାଖରୁ ଦୂରରେ ରହିବାର ଚେଷ୍ଟା କରିବ କିପରି ଯେ, ନିକଟତର ହେଉଥିଲା ତାହା ଆଦୌ ବୁଝିପାରୁ ନ ଥିଲା । ତା’ ଜୀବନ ସିନା ନଷ୍ଟ ହୋଇଗଲା ଅସମୟରେ, ତା’ ଯୋଗୁ ଆଉ କାହାର ଜୀବନ ନଷ୍ଟହେବ କାହିଁକି ? ସତ୍ୟଜିତ୍ ଆଜି ମାନୁନାହିଁ, ଦିନେ ହୁଏତ ମାନିବ । ଆଜି ଯାହା ତାକୁ ରଙ୍ଗୀନ ଓ ସ୍ୱାଭାବିକ ମନେହେଉଚି ଦିନେ ତାହା ଅବାସ୍ତବ ଅସ୍ୱାଭାବିକ ମନେହେବ ।

 

-ଏଇ ପୁରୁଣା ସମାଜଟା ଆଉ ମଣିଷର ସହାୟକ ହେଉନି ରାଧା...ମଣିଷର ବିକାଶ ନ ହୋଇ ବରଂ ସେ ସଢ଼ିଯାଉଛି ଅକାଳରେ...ଶ୍ୱାସରୁଦ୍ଧ ହୋଇ ପଡ଼ୁଚି ଏଇ ପରିବେଶରେ । ଏଇ ଅବସ୍ଥା ବେଶିଦିନ ରହିଲେ ମଣିଷ ମରିଯିବ...ତା’ ଆଗରୁ ପୁରାପୁରି ବଦଳାଇ ଦବାକୁ ପଡ଼ିବ...ସେଥିପାଇଁ ଗୋଟେ ବିପ୍ଳବର ଆବଶ୍ୟକ...ଆନ୍ଦୋଳନ ନୁହେଁ... ।

 

ସତ୍ୟଜତ୍ କାହିଁକି ଏପରି କହିଲା ରାଧା ବୁଝିପାରିଲା ନାହିଁ । ସେ କେବଳ ଚାହୁଁ ଥିଲା ଯେ, ସତ୍ୟଜିତ୍ ସୁଖୀ ହେଉ, ଆଉ ଦଶ ଜଣଙ୍କ ପରି ଶାନ୍ତିରେ, ସ୍ୱଚ୍ଛନ୍ଦରେ ରହୁ । ତା’ ଜୀବନର ବ୍ୟର୍ଥତା ତା’ ନିଜର, ତା’ର ବେଦନା ତା’ର ନିଜସ୍ୱ, ସେଥିରୁ ଆଉ କାହାକୁ ଅଂଶ ଦେବାକୁ ଚାହେଁନା ସେ । କାହାରି ଦୟା ଉପରେ ନିର୍ଭର ନ କରି ନିଜର ବଞ୍ଚିବାର ଅଧିକାରକୁ ସେ ସାବ୍ୟସ୍ତ କରିବାକୁ ଚାହେଁ ।

 

ସେ ସ୍ୱାଗତୋକ୍ତି କଲାଭଳି କହିଲା, ମୋ ଭାଗ୍ୟକୁ ମୁଁ ଭୋଗ କରିବି...ମୋ ପାଇଁ ଅନ୍ୟ କିଏ କାହିଁକି... ।

 

-ତମେ ମୋତେ କିଛି କହିଲ ରାଧା ? ପଚାରିଲା ସତ୍ୟଜିତ୍ ।

 

-ନା...

 

-ମୋତେ ଲାଗିଲା ତମେ ଯେପରି କ’ଣ କହିବ କହିବ ହୋଇ ରହିଗଲଢ଼ି...

 

-ସେପରି ତ ଅନେକ କଥା କହିହୁଏନି...

 

-ମୋତେ ସବୁ କହିବନି ରାଧା ? ଆବେଗ ଝରାଇ କହିଲା ସତ୍ୟଜିତ ।

 

କିଛି ସମୟ ଚୁପ୍ ରହିଲା ରାଧା । ତା’ପରେ ଧୀରେ ଧୀରେ କହିଲା-ଏଇ ଝରକା ସେପାଖରେ ଯୋଉ ଗଛଟା ଅଛି, ତା’ର ବି କିଛି ବକ୍ତବ୍ୟ ଅଛି କିନ୍ତୁ ସେ କହିପାରେନି । ସେ ଫୁଲ, ପତ୍ର, ଫଳ, ଛାଇ ସବୁଦିଏ...ଇନ୍ଧନ ପାଇଁ କାଠ ବି ଯୋଗାଏ...ତଥାପି କୌଣସି ବିଚାର ନ କରି ମଣିଷ ତାକୁ କାଟେ...ଭଗବାନ ଯଦି ତାକୁ କହିବାର ଶକ୍ତି ଦେଇଥା’ନ୍ତେ...

 

-କିନ୍ତୁ ତୁମେ ଗଛ ନୁହେଁ ମଣିଷ...

-ଏ ସମାଜରେ ଗଛ ଆଉ ନାରୀଟିଏ ମଧ୍ୟରେ ବିଶେଷ କିଛି ତଫାତ ନାହିଁ ସତ୍ୟଜିତ୍...-। ଭଗବାନ ତାକୁ ମଣିଷ ଜନ୍ମ ଦେଇଥିଲେ ବି ସମାଜ ତା’ଠାରୁ ସବୁ ଶକ୍ତି ଛଡ଼ାଇ ନେଇଛି ।

ରାଧାର ଦୀର୍ଘଶ୍ୱାସ ବେଶ୍‍ ଶୁଣିପାରିଲା ସତ୍ୟଜିତ ।

ସେ ସାନ୍ତ୍ୱନା ଦବାକୁ ଚେଷ୍ଟା ନ କରି ବରଂ କହିଲା, ତମକୁ ସେଦିନ ବି କହିଥିଲି, ଆଜି ବି ଆଉଥରେ କହୁଚି... ମୁଁ ତମର ଦୁଃଖରୁ ଭାଗ ନବାପାଇଁ ଚାହେଁ... ଦୟାକରି ନୁହେଁ... ଅନୁକମ୍ପା ଦେଖାଇ ନୁହେଁ... ମୁଁ ସେଥିରେ ବିଶ୍ୱାସ କରେନି । ମୁଁ ବିଶ୍ୱାସକରେ ସହାବସ୍ଥାନରେ... ସମଧର୍ମୀହୋଇ ଦୁଃଖସୁଖ ବାଣ୍ଟକୁଣ୍ଟି ବଞ୍ଚିବାରେ । ଏ ଜୀବନ ବଡ଼ ମହାନ ରାଧା... ଏହାକୁ ଇମିତି ଗୋଟାଏ ଖିଆଲରେ ନଷ୍ଟକରି ଦିଅନି...

ରାଧା କ’ଣ ଉତ୍ତର ଦବ ତାକୁ । ସେ ଯେ ଗୋଟେ ଖିଆଲରେ ଜୀବନକୁ ନଷ୍ଟ କରୁନି, ବରଂ ବାଧ୍ୟ ହୋଇଚି ଏଇ ସୁନ୍ଦର ଜୀବନକୁ ତିଳ ତିଳ କରି ନଷ୍ଟ କରିବା ପାଇଁ ତାହା କ’ଣ ଜାଣେନା ସତ୍ୟଜିତ୍ !

ରାଧା କିଛି କହିଲା ନାହିଁ । ତା’ର ଅଧର କମ୍ପିଉଠି ସ୍ଥିର ହୋଇଗଲା ପୁଣି ।

ସତ୍ୟଜିତ୍‌ କିନ୍ତୁ କହିଲା, ମୁଁ ଜାଣେନା କିଏ କହୁଚି ମୋ’ ଭିତରୁ...କିନ୍ତୁ ଏତିକି ଜାଣେ ଯେ, ମୁଁ ଆବେଗରେ ବା ଆବେଶରେ ପଡ଼ି କହୁନି ଏ କଥା...ସବୁ ବିଚାର କରି କହୁଚି...ମୋତେ ଯଦି ଅଧିକାର ଦିଅ, ମୁଁ ତମର ସମଧର୍ମୀ ହେବାପାଇଁ ନିଶ୍ଚୟ ଚେଷ୍ଟା କରିବି... ।

 

ସନ୍ଧ୍ୟା ହୋଇ ଆସୁଥିଲା । ପ୍ରାୟ ଚାରି ପାଞ୍ଚ ଘଣ୍ଟା କଟାଇଦେଲା ସେ ହସ୍‌ପିଟାଲରେ-। ଜେନେରାଲ ଓ୍ୱାର୍ଡ଼ରେ ଥିଲାବେଳେ ରାଧା ସହିତ ଆଳାପ ଲାଗି ସୁବିଧା ପାଇ ନ ଥିଲା ସତ୍ୟଜିତ୍-। କେବିନରେ ପ୍ରାଇଭେସି ଅଛି...ବସିବସି ଦୁଃଖ ସୁଖ ହେବାରେ ସୁବିଧା ଅଛି ।

 

ରାଧା ଉପରେ ହାତ ରଖି କହିଲା ସେ-ଏବେ ଉଠୁଚି, ଉଠିବାକୁ ଇଚ୍ଛା ନ ଥିଲେ ବି ବାଧ୍ୟ ହେଉଚି...ମୁଁ ଯାହା କହିଲି ସେ ବିଷୟରେ ଭାବିବ ଟିକେ । ବାଧ୍ୟ କରୁନି ମୁଁ...ଅନେକ ସମୟ, ଅନେକ ସୁଯୋଗ ଆସିବ ଜୀବନରେ ସିଦ୍ଧାନ୍ତ ନବାପାଇଁ । ମୋର ଏକାନ୍ତ ଅନୁରୋଧ ତମେ ତାହା ହାତଛଡ଼ା କରି ନ ଦିଅ ଯେପରି... ।

 

ସତ୍ୟଜିତ୍ ଚାଲି ଯାଉଁ ଯାଉଁ ଦ୍ୱାର ପାଖରେ ଛିଡ଼ାହୋଇ ଫେରି ଚାହିଁଲା । ସେ ମୁଗ୍‌ଧ ହୋଇ ଦେଖିଲା ଯେ ତାହାରି ଯିବା ପଥକୁ ସମର୍ପି ତା’ର ବ୍ୟାକୁଳତା ନେଇ ଅନାଇ ରହିଛି ରାଧା... ।

 

ହାଇକୋର୍ଟରେ ପବ୍ଲିକ ଇଣ୍ଟାରେଷ୍ଟ ଲିଟିଗେସନ୍ କେଶ୍‍ ଦାଏର କରି ଶାସନ ଓ ସମାଜର ଅଧଃପତନ ଓ ନିଷ୍କ୍ରିୟତା, ଦୁର୍ନୀତି ଓ ଭ୍ରଷ୍ଟାଚାର ସହିତ ଅପରାଧ ପ୍ରବଣତାର ଅଭିବୃଦ୍ଧି ନରହତ୍ୟା ପରି ଘୃଣ୍ୟ କାମ କରି ମଧ୍ୟ ଆଇନ ହାତରୁ ଖସି ଯିବାର ଦାରୁଣ ବାସ୍ତବତା ଏବଂ ଏପରି ଅସ୍ୱାଭାବିକ ପରିବେଶରେ ହନ୍ତସନ୍ତ ଓ ନିର୍ଯ୍ୟାତିତ ହେଉଥିବା ସାଧାରଣ ବ୍ୟକ୍ତିର ଅସହାୟତାବୋଧ କିପରି ଚରମ ସୀମାକୁ ଆସିଲାଣି ସେଥିପ୍ରତି ଉଚ୍ଚନ୍ୟାୟାଳୟର ଦୃଷ୍ଟି ଆକର୍ଷଣ କରି ଗୋଟିକ ପରେ ଗୋଟିଏ ବିଷୟ ଅତି ଦକ୍ଷତା ଓ ଭାବାବେଗର ଉପସ୍ଥାପିତ କରି ସତ୍ୟଜିତ୍ କହିଲା, ଧର୍ମାବତାର ! ଆଇନର ଲମ୍ବାହାତ କାମ କରୁନାହିଁ, ପ୍ରଶାସନ ନ୍ୟସ୍ତସ୍ୱାର୍ଥର ସୁରକ୍ଷାରେ ବ୍ୟସ୍ତ, ସମାଜ ଅସାମାଜିକ ପ୍ରତିପତ୍ତିଶାଳୀ ବ୍ୟକ୍ତିମାନଙ୍କଦ୍ୱାରା କବଳିତ । ଯୌନ ବିଳାସ ଓ ନିଶାସେବନର ଅବାଧ ମୁକ୍ତ ସ୍ୱାଧୀନତା ଏ ଜାତିକୁ ଧ୍ୱସଂ ପଥରେ ଆଗେଇ ନେଉଛି । ଅତ୍ୟାଚାର ଫଳରେ ସାଧୁ କାଣ୍ଡି ପରି ନିରୀହ ବ୍ୟକ୍ତିର ହାଜତ ଭିତରେ ମୃତ୍ୟୁ କେବଳ ଏକ ବିଚ୍ଛିନ୍ନ ଘଟଣା ନୁହେଁ, ସମାଜ ଓ ପ୍ରଶାସନର ପୋଷକତା ପାଇ କିପରି ସତ୍ୟାନନ୍ଦ ଉଦ୍‌ଗାତା, ସୁକୁମାର ମିଶ୍ର, ମାଧବାନନ୍ଦ ପାତ୍ର, ଗୋବିନ୍ଦ ପୃଷ୍ଟି, ଅରକ୍ଷିତ ଦାସ ବହୁ ଘୃଣ୍ୟ ଅପରାଧରେ ଲିପ୍ତ ହୋଇ ବି ବହୁ ସମ୍ମାନ ଓ ସମ୍ପତ୍ତିର ଅଧିକାରୀ ତାହା ବିଚାର ନ ହେଲେ ଏ ସମାଜ ଆଉ ତିଷ୍ଠି ରହିପାରିବ ନାହିଁ । କ୍ଷମତାସୀନ ନେତୃ ସ୍ଥାନୀୟ ବ୍ୟକ୍ତିମାନେ କ୍ଷମତାର ଅପପ୍ରୟୋଗ ବା ଦୁରୁପଯୋଗ କରି କିପରି ନିଜ ଦଳର ବା ନିଜର ସଂକୀର୍ଣ୍ଣ ସ୍ୱାର୍ଥ ପାଇଁ ଅହର୍ନିଶି ବିଭିନ୍ନ ଅଶୋଭନୀୟ, ଅଶ୍ଳୀଳ ଏବଂ ବେଆଇନ କାର୍ଯ୍ୟରେ ଲିପ୍ତ ତାହା ମଧ୍ୟ ବିଚାର ହେଉ । ସୁବିଚାର ଓ ନ୍ୟାୟ ପ୍ରଦାନ ଯେପରି ମହତ୍ତ୍ୱପୂର୍ଣ୍ଣ, ଅପରାଧର ଆଶୁ ବିଚାର ଓ ଅପରାଧୀକୁ ସମୁଚିତ ଦଣ୍ଡ ପ୍ରଦାନ ସେହିପରି ଗୁରୁତ୍ୱପୂର୍ଣ୍ଣ । ମନେରଖିବାକୁ ହେବ ଯେ, ଏ ଦେଶର ମୂକ ଅସହାୟ ଜନତା ନ୍ୟାୟ ପାଇଁ ଉଚ୍ଚ ନ୍ୟାୟାଳୟ ଆଗରେ ଦଣ୍ଡାୟମାନ । ନ୍ୟାୟାଳୟରୁ ସେମାନଙ୍କର ବିଶ୍ୱାସ ତୁଟିଗଲେ ଭଗବାନ ମଧ୍ୟ ଏ ସମାଜ ବ୍ୟବସ୍ଥାକୁ ସୁରକ୍ଷା ଯୋଗାଇ ପାରିବେ ନାହିଁ ।

 

ସତ୍ୟଜିତ୍ ନ୍ୟାୟାଳୟଙ୍କ ଆଗରେ ନିଜର ନିବେଦନ ଉପସ୍ଥାପନା କଲାବେଳେ ପ୍ରତିଟି ବାକ୍ୟରେ, ପ୍ରତିଟି ଶବ୍ଦରେ ତା’ ଅନ୍ତରର ଆସ୍ଥା ଓ ବିଶ୍ୱାସ, ସତ୍ୟପ୍ରତି ଓ ସାମାଜିକ ନ୍ୟାୟ ପ୍ରତି ଆଇନର ଶାସନ ପ୍ରତି ଏବଂ ସର୍ବୋପରି ଜନସାଧାରଣଙ୍କ ସ୍ୱାର୍ଥ ପ୍ରତି ତା’ର ଗଭୀର ଆନୁଗତ୍ୟ ଓ ଅନ୍ତରଙ୍ଗ ଅନୁରାଗ ପ୍ରକାଶ ପାଇଲା । ଜଷ୍ଟିସ୍‍ ଚିତ୍ତ ବିନୋଦ ଡାଳୁଆ ତାକୁ ଆଶ୍ୱାସନା ଦେଇ କହିଲେ ଯେ, ଉଚ୍ଚ ନ୍ୟାୟାଳୟ ସବୁ ବିଷୟ ପୁଙ୍ଖାନୁପୁଙ୍ଖ ଭାବରେ ପରୀକ୍ଷା କରି ଅପରାଧୀକୁ ସମୁଚିତ ଦଣ୍ଡ ଦେବାର ବ୍ୟବସ୍ଥା କରିବେ; କିନ୍ତୁ ସେ ଏହା ବି କହିଲେ ଯେ, ସମାଜ ସଂସ୍କାର ବା ପ୍ରଶାସନର ନବୀକରଣ କରିବା କୋର୍ଟଙ୍କର ଦାୟିତ୍ୱ ନୁହେଁ । ଏହା ରାଜନୈତିକ ଦଳ, ସମାଜସେବୀ, ବୁଦ୍ଧିଜୀବୀ ଓ ଶାସକମାନଙ୍କର ଦାୟିତ୍ୱ, କୋର୍ଟ କେବଳ ପ୍ରଚଳିତ ଆଇନ ଓ ବ୍ୟବସ୍ଥା ଆଖିଆଗରେ ରଖି ଯାହା ନିଷ୍ପତ୍ତି ଗ୍ରହଣ କରିବେ । ଏହା କଲାବେଳେ ସମାଜର ବୃହତ୍ତର ସ୍ୱାର୍ଥ ଅବଶ୍ୟ ବିଚାରକୁ ନିଆଯିବ ।

 

ସତ୍ୟଜିତ୍ ହାତକୁ ପାଣି ଗିଲାସେ ବଢ଼େଇଦେଇ କହିଲା ଶ୍ୟାମଳେନ୍ଦୁ, ଅଭିନନ୍ଦନ ଭାଇ । ଏପରି ମନଛୁଆଁ ଭାଷଣ ଆଉ କେବେ ଶୁଣି ନ ଥିଲି... ।

 

ସତ୍ୟଜିତ୍ କହିଲା, ସେହି କେଶ୍‍ ମୁଁ ଲଢ଼ୁଛି ଶ୍ୟାମଳ ।

 

କୋର୍ଟରୁ ବାହାରକୁ ଆସିବାବେଳେ ଜଣେ ଅପରିଚିତ ବ୍ୟକ୍ତି ଆଗରେ ଛିଡ଼ା ହୋଇ କହିଲା, ଆପଣ ଆଡ଼ଭୋକଟ୍ ସତ୍ୟଜିତ ରାୟ ?

 

ସତ୍ୟଜିତ୍ ମଥା ହଲାଇଲା ।

 

ଶ୍ୟମଳେନ୍ଦୁ କହିଲା, ଆପଣଙ୍କ ପରିଚୟ ?

 

-ମୁଁ ଜଣେ ସାଧାରଣ ବ୍ୟକ୍ତି । ମୋ ପରିଚୟ ନ ଜାଣିଲେ ବି ଚଳିବ... ।

 

-କ’ଣ କହୁଛ ? ପଚାରିଲା ସତ୍ୟଜିତ ।

 

-ଆପଣ ଗାନ୍ଧୀ ନୁହନ୍ତି କି ରାମକୃଷ୍ଣ ପରମହଂସ ନୁହନ୍ତି । ଫି’ ନେଇ କେସ ଲଢ଼ିବା ଆପଣଙ୍କ କାମ ।

 

-ଅବାନ୍ତର କଥା ଶୁଣିବାକୁ ମୋର ସମୟ ନାହିଁ... । କହିଲା ସତ୍ୟଜିତ୍ ।

 

ସେ ଶ୍ୟାମଳେନ୍ଦୁ ସହିତ ପାହାଚ ଦେଇ ତଳକୁ ଓହ୍ଲାଇଲାବେଳେ ପୁଣି ଆଗକୁ ଆସି ସେଇ ବ୍ୟକ୍ତି କହିଲା-ଆପଣ ଯାହା ପାଇଲେ ତାର ଶହେଗୁଣ, ହଜାରେ ଗୁଣ ପାଇବେ...ଆପଣ ଆମ କେଶ୍‍ ଲଢ଼ିବେ ?

 

ସତ୍ୟଜିତ୍ ଉତ୍ତର ନ ଦେଇ ତାକୁ ଏଡ଼ାଇ ଦେଇ ଚାଲିଗଲା ।

 

ସେ ଲୋକଟା ତଥାପି ପଛେ ପଛେ ଆସୁଥିବାର ଦେଖି କହିଲା ଶ୍ୟାମଳେନ୍ଦୁ, ଭଡ଼ାଟିଆ ଦଲାଲ ପରି ଲାଗୁଛି ।

 

ଦୁହେଁ ଗାଡ଼ି ଭିତରକୁ ପଶିବା ପରେ ସେଇ ଅପରିଚିତ ଲୋକଟା ଆହୁରି ପାଖକୁ ଆସି କହିଲା...ପରର ବୋଝ ବୋହି ବୋହି କୁର୍ମ ପାଲଟିଯିବ ମିଷ୍ଟର ଜାକିଲଢ଼ି ଆଣ୍ଡ ହାର୍ଡ଼ି...ଫଳ କିଛି ହେବ ନାହିଁ... ।

 

ଗାଡ଼ି ଛାଡ଼ିଦେଲା ।

 

ସତ୍ୟଜିତ୍‌ର ମୁହଁରୁ ବାହାରି ପଡ଼ିଲା...ସ୍ଫାଉଣ୍ଡ୍ରେଲ୍‍... ।

 

କଟକରୁ ଭୁବନେଶ୍ୱରର ଦୂରତ୍ୱ ଯେତିକି କମୁଛି ଏହି ଦୂରତ୍ୱ ଅତିକ୍ରମ କରିବାର ସମୟ ସେତିକି ବଢ଼ିବାରେ ଲାଗୁଛି । ଏବେ କଟକ ଆଉ ଖାନନଗର ବା କାଳିଆ ବୋଦାରେ ଶେଷ ହେଉନି...କଟକ ସହର ନଦୀ ଉପରକୁ ଚାଲି ଗଲାଣି ବିଡ଼ାନାସୀରେ ଖପୁରିଆ ପାରହୋଇ ବିଦ୍ୟାଧରପୁର ଆଡ଼କୁ ମାଡ଼ିଯାଉଛି...ଉତ୍ତରରେ ଜଗତପୁର ଅତିକ୍ରମ କରି ଗଲାଣି...ଦକ୍ଷିଣରେ ତେଲଙ୍ଗା ପେଣ୍ଠ ଟପି ଯିବାକୁ ବସିଛି । ବାଦାମବାଡ଼ି ଦେଇ ଗଲେ ସମୟ ବେଶୀ ଲାଗିବ ବୋଲି ସେମାନେ ଖାନନଗର ଦେଇ ରିଙ୍ଗରୋଡ଼ରେ ଆସୁଥିଲା କାଠଯୋଡ଼ି କୂଳେ କୂଳେ ।

 

ରେଳଲାଇନ ପୋଲତଳେ ଗୋଟେ ବ୍ଲାଇଣ୍ଡ କର୍ଭ । ଏପାଖରୁ ଦେଖାଯାଏନା ସେପାଖକୁ । ସେପାଖରୁ ଦେଖାଯାଏନା ଏପାଖକୁ ।

 

ଗାଡ଼ିର ଗତି କମାଇ ହର୍ଣ୍ଣ ଦେଲା ଡ୍ରାଇଭର; କିନ୍ତୁ ଠିକ୍ ବାଟ କାଟିବା ଲାଗି ଷ୍ଟିଅରିଂ ମୋଡ଼ିଲା ବେଳକୁ ଆଗରୁ ମୁହାଁମୁହିଁ ଧକ୍‌କା ଦେଲା ଗୋଟେ ଟ୍ରକ୍... । ଗାଡ଼ିଟା ଖସିପଡ଼ିଲା ନଦୀବାଲି ଉପରକୁ । ସତ୍ୟଜତ୍ ଆଉ ଶ୍ୟାମଳେନ୍ଦୁ ସେଇ ଧକ୍‌କାରେ ଛିଟିକି ପଡ଼ିଲେ ବାହାରକୁ । ଗାଡ଼ିର ସାମନା ଏକାବେଳେ ନଷ୍ଟ ହୋଇଗଲା । ଡ୍ରାଇଭର ଅଚେତ ଅବସ୍ଥାରେ ତଳେ ପଡ଼ିଥିଲା । ସେମାନେ କିଛି ଚିନ୍ତା କରିବା ପୂର୍ବରୁ ସେମାନଙ୍କୁ ଅକଥ୍ୟ ଭାଷାରେ ଗାଳିଦେଇ ଟ୍ରକ୍ ଚାଲିଗଲା ଆଗକୁ । ହଠାତ୍ ସତ୍ୟଜିତ୍‌ର ଦୃଷ୍ଟି ପଡ଼ିଗଲା ଟ୍ରକ୍ ଉପରେ । ଚାଳକ ସର୍ଦ୍ଦାରଜୀ...ଗାଡ଼ିର ନମ୍ବର ଓ ଆର ଏକ୍‌ସ ୩୫୩୫ ।

 

କିନ୍ତୁ ଚେଷ୍ଟା କରିବି ସେ ଉଠିପାରିଲା ନାହିଁ । ତା ଅଣ୍ଟାରେ ଭରା ଦେବା କ୍ଷଣି ପ୍ରଚଣ୍ଡ ଯନ୍ତ୍ରଣାରେ ଶିହରି ଉଠିଲା ଶରୀର ।

 

ଶ୍ୟାମଳେନ୍ଦୁର ବାମ ଗୋଡ଼ଟା ଭାଙ୍ଗି ଯାଇଥିଲା ବୋଧହୁଏ । ଆଗ ସିଟ୍‌ରେ ବାଡ଼େଇ ହୋଇ ତା ମୁଣ୍ଡ ଫାଟି ରକ୍ତବୋହୁ ଥିଲା । ସେ କହିଲା-ଏଇଟା ବି ସେମାନଙ୍କର ଚକ୍ରାନ୍ତ...ଭାଗ୍ୟକୁ ବଞ୍ଚିଗଲୁ...

 

ଏତେ ଶୀଘ୍ର ଲଢ଼ୁଆ ମଣିଷ ମରନ୍ତିନି ଶ୍ୟାମଳ । ଭାଗ୍ୟକୁ ନୁହେଁ, ଭଗବାନଙ୍କ ଦୟାରୁ ନୁହେଁ ! ସେମାନେ ବଞ୍ଚନ୍ତି ଲଢ଼ିବା ପାଇଁ । ସେ ମାନଙ୍କୁ ଖଣ୍ଡ ଖଣ୍ଡ କରି କାଟିଲେ ବି ସେଇ ଗୋଟିଏ ଶବ୍ଦ ଶୁଣାଯାଏ...ଲଢ଼ିବି...ଲଢ଼ିବି...ଲଢ଼ିବି... ।

 

ଶ୍ୟାମଳେନ୍ଦୁ ଡାହାଣ ହାତ ଉପରକୁ କଲା ଆସୁଥିବା ଗୋଟେ ଗାଡ଼ିର ଦୃଷ୍ଟି ଆକର୍ଷଣ କରିବା ପାଇଁ ।

 

ଗାଡ଼ି କିନ୍ତୁ ଅଟକିଲା ନାହିଁ । ତା’ପରେ ପରେ ଆହୁରି ଦୁଇଟା ଗାଡ଼ି ଚାଲି ଗଲେ ସେମାନଙ୍କ ଆଡ଼କୁ ଦୃଷ୍ଟି ନ ଦେଇ ।

 

ତା’ପରେ ଆଉ ଗୋଟେ ଗାଡ଼ି ଆସୁଥିବାର ଦେଖି ଚିତ୍‌କାର କଲେ ଦୁହେଁ...ଟିକେ ରହିଯାଅ...ଟିକେ ରହିଯାଅ... ।

 

ଛିଡ଼ା ହେଲା ସେଇ ଗାଡ଼ି ।

 

ଡାକ୍ତର ନବାରୁଣ ପଟ୍ଟନାୟକ ଭୁବନେଶ୍ୱରରୁ ଫେରୁଥିଲେ କଟକ ମେଡ଼ିକାଲକୁ ।

 

ତାଙ୍କରି ଗାଡ଼ିରେ ତିନି ଜଣଙ୍କୁ ଉଠାଇ ନେଇ ସିଧା ଗଲେ ମେଡ଼ିକାଲ । ସେଠାରୁ ପ୍ରଥମେ ଥାନାକୁ ଫୋନ କରି ସବୁ ଜଣାଇଦେଲେ ମେଟ୍ରନଙ୍କୁ କହିଲେ, ତିନିଜଣଙ୍କୁ ଅପରେସନ୍‍ ଥିଏଟରକୁ ନବାପାଇଁ । ତାଙ୍କର ଡାକରା ପାଇ ଅନ୍ୟାନ୍ୟ ସହଯୋଗୀମାନେ ଦଶ ମିନିଟ ମଧ୍ୟରେ ପହଞ୍ଚିଗଲେ ସେଠାରେ ।

 

ସେତେବେଳକୁ ଯନ୍ତ୍ରଣାରେ ଛଟପଟ ହେଉଥାଆନ୍ତି ଦୁହେଁ । ଡ୍ରାଇଭରର ଚେତାଫେରି ନ ଥାଏ ।

 

ମେଡ଼ିକାଲରେ ସାତଦିନ ରହିବା ପରେ ପ୍ଲାଷ୍ଟର ଖୋଲା ହେବା ପୂର୍ବରୁ ଭୁବନେଶ୍ୱର ବାହୁଡ଼ିଲେ ଦୁହେଁ । ପୁଣି ଆସିବାକୁ ହେବ ପ୍ଲାଷ୍ଟର ଖୋଲିବା ପାଇଁ । ବହୁ ଚେଷ୍ଟା ପରେ ବି ଡ୍ରାଉଭର ଅଚିନ୍ତାର ସଂଜ୍ଞା ଫେରିଲା ନାହିଁ ଏବଂ ପାଞ୍ଚଦିନ ପରେ ସେ ଶେଷ ନିଶ୍ୱାସ ତ୍ୟାଗ କଲା-। ହସ୍‌ପିଟାଲର ନ୍ୟୁରୋଲାଜି ଓ୍ୱାର୍ଡ଼ରେ ।

 

ଶରୀରର ଯନ୍ତ୍ରଣା କମିଯାଉଥିଲା ସତ୍ୟଳିତ୍‌ର; କିନ୍ତୁ ମନର ଆନ୍ଦୋଳନ କମି ନ ଥିଲା-। ତାକୁ ଜୀବନରେ ମାରି ଦବାଲାଗି ବାରମ୍ବାର ଚେଷ୍ଟା ଚାଲିଛି, କେଉଁଦିନ ହତ୍ୟାକରୀ ଯେ ସଫଳ ହୋଇ ଯାଇପାରେ କିଏ କହିବ । ତଥାପି ଯେତିକି ମୃତ୍ୟୁର ସମ୍ଭାବନା, ବଞ୍ଚିବା ପାଇଁ, ଲଢ଼ିବା ପାଇଁ ସଂକଳ୍ପ ଦୃଢ଼ ହେଉଛି ସେତିକି । ସେଦିନ ସେ ଶ୍ୟାମଳେନ୍ଦୁକୁ ସାହସ ଦବାଲାଗି କହିଥିଲା, ଇମିତି ଜୀବନ ଓ ମୃତ୍ୟୁର ଛକାପଞ୍ଛା ମଧ୍ୟରେ ବଞ୍ଚିବାକୁ ହେବରେ ଶ୍ୟାମଳ । ଯିଏ ମୃତ୍ୟୁକୁ ଭୟକରେ, ମୃତ୍ୟୁ ତାକୁ ବେଶି ଭୟ ଦେଖାଏ । ସେ ମରେ ପ୍ରତିଦିନ; କିନ୍ତୁ ମଣିଷତ ଚିରଞ୍ଜୀବୀ ନୁହେଁ । ତେବେ ଭୟ କାହିଁକି ? ଆଦର୍ଶ ସକାଶେ ଲଢ଼ି ଲଢ଼ି ଯଦି ଆତତାୟୀର ଛୁରୀରେ ବା ଦୁର୍ଘଟଣାରେ ଜୀବନ ଯାଏ ଜୀବନ ଧନ୍ୟ ହୋଇଯିବ ।

 

ଶ୍ୟାମଳେନ୍ଦୁର କର୍ମପ୍ରବଣତା, ଆତ୍ମବିଶ୍ୱାସ ମୁଗ୍‌ଧ କରେ ତାକୁ । ଏଇ ବୟସର ତରୁଣମାନେ ଚାକିରୀ ଖୋଜିବାରେ ବ୍ୟସ୍ତ ଥିବାବେଳେ, ଶ୍ୟାମଳେନ୍ଦୁ ସାଧାରଣ ମଣିଷମାଙ୍କର ସମସ୍ୟା, ଦୁଃଖ କଷ୍ଟ ଖୋଜିବାରେ ଲାଗିଛି । ସେମାନଙ୍କ ପାଖରେ ଦୁର୍ଦ୍ଦିନରେ ଛିଡ଼ା ହୋଇ ସେ ସେମାନଙ୍କୁ ଦିଏ ବଞ୍ଚିବାର ସ୍ୱପ୍ନ, ଲଢ଼ିବାର ସାହସ । ସତ୍ୟଜିତ୍‌ ସହିତ ସମ୍ପର୍କ ସ୍ଥାପନ ହେବା ପରେ ଦୁହେଁ ମନେକରନ୍ତି ଯେ, ଉଭୟ ଉଭୟର ପରିପୂରକ । ସାଙ୍ଗ ହୋଇ କାମ କରିବାର ଆନନ୍ଦ ଏକା ଏକା କାମ କରିବାଠାରୁ ଅନେକ ବେଶି । ଏବେତ ସେମାନଙ୍କର ସଂଖ୍ୟା ବଢ଼ିବାରେ ଲାଗିଛି । ରାଧା, ମଧୁ ମାଷ୍ଟର, ରାମା ରାଓ ଯୋଗ ଦେଇଛନ୍ତି ସେଇ ଦଳରେ । ଏମାନେ ସବୁ କୋଉଠି ଥିଲେ ଏ ଯାଏ, କିପରି ସେମାନଙ୍କ ସହିତ ସମ୍ପର୍କ ସ୍ଥାପିତ ହେଲା, ତାହା ଭାବିଲେ ଅବାକ୍ ହୁଏ ସତ୍ୟଜିତ୍ । ସେତିକିବେଳେ ମନେପଡ଼େ ଶ୍ରୀ ରାମକୃଷ୍ଣ ପରମହଂସଙ୍କ କଥା । ଅବତାର ଏକା ଏକା ଆସନ୍ତିନି ପୃଥିବୀକୁ । ତାଙ୍କ ସହିତ ସାଙ୍ଗସାଥୀ ମାନେ ବି ଆସନ୍ତି ତାଙ୍କ କାମ କରିବା ପାଇଁ । ସେ ଅବତାର ନୁହେଁ କି ଆଧ୍ୟାତ୍ମ ପୁରୁଷ ନୁହେଁ । ସେ ଜଣେ ସାଧାରଣ ମଣିଷ; କିନ୍ତୁ ଅନ୍ୟାୟ ଓ ଅବିଚାର ବିରୁଦ୍ଧରେ ସଂଗ୍ରାମ କରିବାଲାଗି ପଣ କରିଛି ସେ । ଏଇଟା ବି ଭଗବାନଙ୍କ କାମ । ନ ହେଲେ ତାଙ୍କରି କାମ କରିବାଲାଗି ସେ ମାଧ୍ୟମ ଖୋଜନ୍ତି କାହିଁକି । ଶ୍ୟାମଳେନ୍ଦୁ, ରାଧା, ମଧୁ ମାଷ୍ଟର, ରାମା ରାଓ ଓ ତା ସାଙ୍ଗରେ କାମଗୁଡ଼ା ଆହୁରି ଜଟିଳ, ଅସାଧ୍ୟ ମନେହୁଅନ୍ତା ।

 

ରାଧା ହସ୍‍ପିଟାଲରୁ ଛାଡ଼ ପାଇ ଫେରିଆସିଲାଣି ଏ ଭିତରେ । ସେତେବେଳେ ଶ୍ୟାମଳେନ୍ଦୁ ସହିତ ସେ ଥିଲା ମେଡ଼ିକାଲରେ । ରାଧା ଖବର ପାଇ ଆସିଥିଲା ମଧୁ ମାଷ୍ଟରଙ୍କ ସହିତ । ତା’ର ବାରଣ ସତ୍ତ୍ୱେ ଏବଂ ନିଜର ଦୁର୍ବଳତାକୁ ଖାତିର ନ କରି ସେହିଦିନୁ ସେ ଡେଲି ପାସେଞ୍ଜର ପରି ।

 

ରାଧାର ଭଡ଼ାଘର ପୋଡ଼ି ଧ୍ୱଂସ ହୋଇ ଯାଇଥିଲା । ମଧୁ ମାଷ୍ଟର ତାଙ୍କରି ଘରର ଗୋଟିଏ କୋଠରି ଛାଡ଼ି ଦେଇଛନ୍ତି ତା ପାଇଁ । ଅସ୍ଥାୟୀ ଭାବରେ ସେଇଠି ରହି ଯାଇଛି ସେ ।

 

ସତ୍ୟଜିତ୍‌ର ଦୁଃଖ ହୁଏ ଯେ, ସେଇ ସମୟରେ ନ ଥିଲା ରାଜଧାନୀରେ, ରାଧାକୁ ହସ୍‍ପିଟାଲରୁ ଆଣି ରଖିପାରିଲା ନାହିଁ ନିଜ ଘରେ । ତା’ କଥା ଭାବୁଥିବ ସେଇ କଲ୍ୟାଣୀ ଲାଗି ଏଇ ସାମାନ୍ୟ ବ୍ୟବସ୍ଥା କରିପାରିଲା ନାହିଁ । ନିଜର ଏତେ ବଡ଼ ଘରଟା ନିର୍ଜନତା ଯୋଗୁ ଶ୍ୱାସରୋଗୀ ପରି ଖାଁ ଖାଁ କରୁଛି । ତଳମହଲା ଓ ଉପରମହଲାରେ ଅଲଗା ଅଲଗା ବ୍ୟବସ୍ଥା । ଗୋଟିଏ ଘରେରହି ମଧ୍ୟ ସ୍ୱତନ୍ତ୍ର ଭାବରେ ରହିବାର ସ୍ୱାଚ୍ଛନ୍ଦ୍ୟ ଉପଭୋଗ କରାଯାଇପାରେ । ତଳ ଘରଟା ନିଜ ପାଇଁ ରଖି, ଉପର ଘର ସେ ସଜାଡ଼ି ରଖିଥିଲା ରାଧା ପାଇଁ ।

 

ଘର ଆଗରେ ବଗିଚା । ଶୀତ ସକାଳର ସୂର୍ଯ୍ୟକିରଣରେ ବସି ଖବର କାଗଜ ପଢ଼ୁଥିଲା ସତ୍ୟଜିତ୍ । ଘର ଆଗରେ ରିକ୍‌ସା; କିନ୍ତୁ ଖବର କାଗଜ ଉପରୁ ମୁହଁ ନ ଉଠାଇ ସେହିପରି ବସିରହିଲା ସେ ।

 

ରାଧା ଫାଟକଖୋଲି ପ୍ରବେଶକଲା ଭିତରେ । ତା’ପରେ ପାଖରେ ଖାଲିଥିବା ଆଉ ଗୋଟେ ଚୌକି ଦଖଲ କରି କହିଲା, ଓକିଲମାନେ ପ୍ରତ୍ୟୁତ୍ପନ୍ନମତି ବୋଲି ଶୁଣିଚି, ସେମାନଙ୍କର ଦୃଷ୍ଟି ସଜାଗ ଓ ସବୁଆଡ଼କୁ ଥାଏ, କିନ୍ତୁ ମୁଁ ଆସି ବସିଲିଣି, ଅଥଚ ତମେ ଖବର କାଗଜ ପଢ଼ିବାରେ ନିମଗ୍ନ... ।

 

ସତ୍ୟଜିତ୍ ଖବରକାଗଜଟାକୁ ରଖିଦେଇ କହିଲା, ମୁଁ ଦୁଃଖିତ, ଜାଣିପାରିଲି ନାହିଁ, ନ ହେଲେ ଫାଟକପାଖରୁ ପାଛୋଟି ଆଣିଥାଆନ୍ତି ।

 

-ତମେ ତ ଡାକିଲ ନାହିଁ, ମୁଁ ଏମିତି ନିଜେ ଚାଲିଆସିଲି... ।

 

-ମୋ ଡାକ ଶୁଣିପାରିବନି ରାଧା, ମୋ ଡାକ ରାଜଧାନୀର ଏଇ କୋଳାହଳରେ ହଜିଯାଇଛି କେଉଁଠି... ।

 

-ଦେହ କେମିତି ଅଛି ? ଭଲ ଲାଗୁଛି ନା ନାହିଁ ?

 

-ନା, ଯନ୍ତ୍ରଣା ନାହିଁ, କେବଳ ପ୍ଲାଷ୍ଟର ହୋଇଥିବା ଯୋଗୁ ସ୍ୱାଭାବିକ ମନେହେଉନି । ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚଳୁଚି । ଭାଗ୍ୟକୁ ଅଣ୍ଟାରେ ଡିସ୍କ ଖସିନି, ନ ହେଲେ କେତେ ମାସ ପଡ଼ିଥାଆନ୍ତି କିଏ ଜାଣେ ।

 

ଜିଭକାମୁଡ଼ି କହିଲା ରାଧା ଖାଲି ଅଶୁଭ, ଅଲକ୍ଷଣା କଥାଗୁଡ଼ାକ ଭାବ କାହିଁକି...ଭଗବାନ ଅଛନ୍ତି ତମର ଅଣ୍ଟା ସଳଖ ନ ରଖିଲେ ସେ ଆଣ୍ଠେଇ ପଡ଼ିବେ ଯେ... ।

 

ରାଧାର ମୁହଁକୁ ମନ୍ତ୍ରମୁଗ୍‌ଧପରି ଅନାଇ ରହିଲା ସତ୍ୟଜିତ୍ । ଆହୁରି କିଛି ଶୁଣିବାକୁ ଇଚ୍ଛା ହେଉଥିଲା ତା’ ମୁହଁରୁ ।

 

ରାଧା କହିଲା, ଶତ୍ରୁ ବଢ଼ିବାରେ ଲାଗିଛନ୍ତି । ସେମାନେ ପ୍ରତିପତ୍ତିଶାଳୀ ମୋର ତ ଭୟହୁଏ... ।

 

ତା’ ମୁହଁରୁ କଥା ଛଡ଼ାଇ କହିଲା ସତ୍ୟଜିତ୍‌, ଭୟ କାହାକୁ ? ଏଇ ଆତ୍ମତାୟୀମାନଙ୍କୁ-? ସେମାନେ ବୁଲୁଥାଆନ୍ତି ଏ ସଂସାରରେ ବିଷଧର ସାପମାନଙ୍କ ପରି । ଆମେ ଆମ ବାଟରେ ଚାଲିବା, ଆମ କର୍ତ୍ତବ୍ୟ କରିବା, ଲକ୍ଷ୍ୟରେ ପହଞ୍ଚିବା ଆମର ଏକମାତ୍ର ଉଦ୍ଦେଶ୍ୟ...-

 

-ନିଜ ଜୀବନକୁ ପାଣିଛଡ଼େଇ ଦେଶର କାମ କେତେଦିନ କରିବ ?

 

-ଯେତେଦିନ ଏ ପିଣ୍ଡରେ ପ୍ରାଣଥିବ ?

 

ତା’ ପରେ ସଚେତନ ହୋଇ କହିଲା, କି ଅପୂର୍ବ ଆଜି ...ତମେ ମୋ ଘରକୁ ଆସିଛ...ତୁମକୁ ସ୍ୱାଗତ ନ କରି, ଅତିଥି ସତ୍କାର ନ କରି ମୁଁ ଗପୁଛି ...ଛି ...ଛି... ।

 

ସତ୍ୟଜିତ ଡାକିଲା ନରେନ୍ଦ୍ରକୁ ।

 

ସେ କିଛି କହିବା ପୂର୍ବରୁ ନରେନ୍ଦ୍ର ସହିତ ଯିବାପାଇଁ ଉଠିପଡ଼ି କହିଲା ରାଧା, ତମେ ବସ ...ମୁଁ କଫି କରିଆଣେ...ଆଉ କ’ଣ ଖାଇବ ?

 

ସତ୍ୟଜିତ୍‌ କହିଲା, ତମକୁ ଦେଖିଲେ ମୋର ବୁଦ୍ଧି ହଜିଯାଏ । ନ ହେଲେ ତମେ ପଚାରିବା ଆଗରୁ ମୁଁ ପଚାରି ଥାଆନ୍ତି କ’ଣ ଖାଇବ । ଫ୍ରିଜ୍‌ରେ ସନ୍ଦେଶ ଅଛି । ବାହାରେ ବିସ୍କୁଟ୍‍ ଅଛି, କାଜୁ ବି ଅଛି ।

 

ରାଧା ଭିତରକୁ ଚାଲିଗଲା । ବଣି ଦୁଇଟି ଚଞ୍ଚୁରେ ଚଞ୍ଚୁ ଲଗାଇ ବସିଥିଲେ ଆମ୍ୱ ଡାଳରେ । ଶୀତଦିନର ଖରା ଘରର ମୁହଁ ଦେଇ ଭିତରକୁ ପଶୁଥିଲା । ଘରଟା ସକାଳର ଆଲୋକରେ ଝଟକୁଥିଲା ହିରଣ୍ମୟ ପାତ୍ରପରି ।

 

ଏଘର ତା’ର ନ ହୋଇ ରାଧାର ହୁଅନ୍ତା କି ?

 

ଆଖି ବୁଜିଲା ସତ୍ୟଜିତ୍‌ । ତା’ ଆଗରେ ଏ ସୃଷ୍ଟିର ଗୋଟିଏ ଅପୂର୍ବ ମୁଗ୍‌ଧତା ସଞ୍ଚରିତ ହେଉଥିଲା ଜଳ, ସ୍ଥଳ, ଆକାଶ ଓ ଅନ୍ତରୀକ୍ଷରେ ।

 

ଆଗେ ସତ୍ୟଜିତ୍‌ ହାତକୁ ସନ୍ଦେଶ ଓ କାଜୁ ପ୍ଳେଟ୍‌ଟା ବଢ଼ାଇଦେଇ କଫି ଆଣିବା ପାଇଁ ଗଲା ରାଧା ।

 

ଆଜି ତାହାରି ଘରେ ତାକୁ ଚର୍ଚ୍ଚା କରୁଛି ରାଧା । ସତ୍ୟଜିତ୍‌ର ହୃଦୟ ପୂରି ଉଠିଲା ଏକ ନୂତନ ଅନୁଭବରେ ।

 

ରାଧା ଟ୍ରେରେ କଫି ନେଇଆସିଲା ।

 

ତା’ ହାତକୁ ସନ୍ଦେଶ ଗୋଟେ ବଡ଼ାଇଦେଇ କହିଲା ସତ୍ୟଜିତ୍‌, ଆଜି ସକାଳେ ନରେନ୍ଦ୍ର ଆଣିଛି । ଫ୍ରେସ୍‌ । ବେଷ୍ଟ ଇନ୍‍ ଭୁବନେଶ୍ୱର ।

 

ତା’ ହାତରୁ ସନ୍ଦେଶ ନେଇ ଖାଇଲା ରାଧା । ପାଣି ଗିଲାସଟା ବଢ଼ାଇଦେଲା ସତ୍ୟଜିତ୍‌-

 

ରାଧା କପ୍‌ରେ କଫି ଢାଳିଲା ।

 

-କାଜୁ ନେଲନି ଯେ ?

 

-ନଉଛି ।

 

-ମୁଁ ବଡ଼ ଭାଗ୍ୟବାନ ରାଧା-ଆଜି ତୁମ ହାତ ତିଆରି କଫି ପିଉଛି ମୋ ଘରେ...ଯଦି ଅନୁମତି ଦିଅନ୍ତ ମୋ ଘର ନ କହି ଆମ ଘର କହିବା ପାଇଁ... ।

 

ରାଧା କଥାର ମୋଡ଼ଭାଙ୍ଗି କହିଲା, ମୁଁ ମିଠାଖାଏନି, ମୋଟା ହୋଇଯିବା ଭୟରେ । ଆଜି ଦୁଇଟା ଖାଇଦେଲି... ।

 

-ମୋ ପ୍ରଶ୍ନର ଉତ୍ତର ଦେଲନାହିଁ ଯେ... ।

 

-ଦିନେ ଉତ୍ତର ଦେବି ନିଶ୍ଚୟ...ଆଜି ନୁହେଁ... । ମୁହଁ ଉପରେ ରକ୍ତିମ ଆଭା ଖେଳାଇ କହିଲା ରାଧା ।

 

-ମହଲତ ଶବ୍ଦଟା ସବୁଠି ଶୁଣେ ରାଧା । କୋର୍ଟ କଚେରୀର ମହଲତ ପାଇଁ ପ୍ରାର୍ଥନା କରାଯାଏ; କିନ୍ତୁ ମୋ ବ୍ୟକ୍ତିଗତ ବ୍ୟାପାରଟା ଯେ ମହଲତ ନେଇ ନେଇ ଅସମାଧିତ ହୋଇ ରହିଯିବ ଏହା ବୋଧହୁଏ ବିଧିଲିପି ... ।

 

ଶେଷ ଆଡ଼କୁ ସତ୍ୟଜିତ୍‌ର ସ୍ୱରରେ ବେଦନାର ପରଶବାରି ଦୁର୍ବଳ ଅନୁଭବ କଲା ରାଧା । ସତ୍ୟଜିତ୍‌କୁ ଦୁଃଖଦବାକୁ ଚାହେଁନା ସେ । ସେ ତା’ର ହିତାକାଙ୍‌କ୍ଷୀ । ସେ ତା’ର ମାନସପୁରୁଷ । ସେ ତାକୁ ଭଲ ପାଏ; କିନ୍ତୁ ମୁହଁଖୋଲି କିପରି କହିବ ଯେ ଏତବଡ଼ କଥା । ବରଂ ସେ ସାଇତି ରଖିବ ରଙ୍କୁଣୀର ଗଣ୍ଠିଧନ ପରି ।

 

ରାଧା ସଞ୍ଜତ କରୁଥିଲା ନିଜକୁ । ସତ୍ୟଜିତ୍‌ର ମୁହାମୁହିଁ ହେଲେ, ତାର ବ୍ୟାକୁଳ ହୃଦୟର ଝଙ୍କାର ଶୁଣିଲେ ସେ ଦୁର୍ବଳ ହୋଇଯାଏ । ଅନ୍ତରର ସବୁ ବନ୍ଧନ ଭାଙ୍ଗି ସ୍ରୋତସ୍ୱିନୀ ପରି ଇଚ୍ଛାହୁଏ ଡେଇଁ ପଡ଼ିବାକୁ ସାଗର ବକ୍ଷରେ; କିନ୍ତୁ... ।

 

-କ’ଣ ଏତେ ଭାବୁଛ ରାଧା... । ମୋଠାରୁ ମହଲତ ନେଇ ଯଦି ତୁମେ ସୁଖପାଇବ ମୋର ତିଳେହେଲେ ଆପତ୍ତି ନାହିଁ ସେଥିରେ । ମୁଁ ତୁମକୁ କହିସାରିଛି ଯାହା କହିବାକୁ ଚାହିଁଥିଲି । ଏବେ ତୁମ ହାତରେ ଛାଡ଼ି ଦେଇଛି ନିଜକୁ...ତୁମେ ରଖିପାର...ଫିଙ୍ଗି ଦେଇପାର... ।

 

-ସେ କଥା ନୁହେଁ ମୁଁ ଅଭାଗିନୀ...ମୋର ବିଡ଼ମ୍ବନା ତମେ ବୁଝିବାକୁ ଚେଷ୍ଟାକର ସତ୍ୟଜିତ୍‌... । ଉଦ୍‌ଗତ କୋହ ଚାପିରଖି କହିଲା ରାଧା ।

 

କିଛି ସମୟ ନୀରବରେ ବସିରହିଲେ ଦୁହେଁ । ସାରା ସଂସାର ମୁକହୋଇ ଗୋଟିଏ ବିନ୍ଦୁରେ ସ୍ଥିରହୋଇ ଯାଇଥିଲା ଯେପରି !

ନରେନ୍ଦ୍ର ଆସି କହିଲା, ଦେଇ ଏଠାରେ ଖାଇବେ ?

ରାଧା କିଛି କହିବା ପୂର୍ବରୁ ସତ୍ୟଜିତ୍‌ କହିଲା, ଏଗାରଟା ବାଜିବ ...ତୁ ଠିକ୍‍ ସମୟରେ ଖୁଆଇ ପାରିବୁ ତାଙ୍କୁ ?

ନରେନ୍ଦ୍ର ମଥା ହଲାଇଲା ।

ରାଧା କହିଲା, ତୁ ସଜକର, ମୁଁ ରାନ୍ଧିବି ଆଜି... ।

ନରେନ୍ଦ୍ର ଖୁସିହୋଇ ଚାଲିଗଲା ସେଠାରୁ ।

ସତ୍ୟଜିତ୍‌ କହିଲା, ରାଜନୈତିକ ସ୍ଥିତି ସମ୍ପର୍କରେ ପଢ଼ିଥିବା ଖବରକାଗଜରୁ ଆମର ବିଜୟ ଗୋଟେ ବଡ଼ ଧକ୍‌କା ଦେଇଥିଲା ଶାସକଦଳକୁ; କିନ୍ତୁ ସେମାନେ ଆଉ ଗୋଟେ ବଡ଼ ଧକ୍‌କା ପାଇବେ ବୋଲି ଆଶା କରି ନ ଥିଲେ । ଏଇଟା ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ... ।

-କୋଉ ବିଷୟରେ କହୁଛ ?

-ସାଧୁ କାଣ୍ଡି କେସ୍‌ରେ ହାଇକୋର୍ଟ ଅନୁକୂଳ ରାୟ ଦବାର ଆଶା ଉଜ୍ଜ୍ୱଳ ହୋଇଉଠିଚି-। ସେସନ୍‌ସ କୋର୍ଟକୁ କେସ୍‌ ବିଚାରକରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶଣ ଦବା ପ୍ରାୟ ନିଶ୍ଚିତ ପରି ଲାଗୁଛି । ଆଉ ସୁକୁମାର ମିଶ୍ର ଏବଂ ତାର ସାଥୀମାନଙ୍କ ସହ ମନ୍ତ୍ରୀଙ୍କ ନାମ ସଂଯୁକ୍ତ ହୋଇଯିବା ପରେ ଅବସ୍ଥା ଆହୁରି ଜଟିଳ ହୋଇଯାଇଛି । ଦଳର ମୁଖ୍ୟ ଓ ଘରୋଇ ମନ୍ତ୍ରୀଙ୍କ ମଧ୍ୟରେ ଏଯାଏ ଯେଉଁ ସେଡ଼ୋ ବକ୍‌ସିଂ ଚାଲିଥିଲା, ଏବେ ସେମାନଙ୍କ ମଧ୍ୟରେ ଶକ୍ତି ପରୀକ୍ଷା ହେବ ପ୍ରକାଶ୍ୟରେ ।

-ସ୍କାଣ୍ଡାଲ ପରେ ସ୍କାଣ୍ଡାଲ ବାହାରୁଛି । ସାଧାରଣ ମଣିଷ ରୁଦ୍ଧଶ୍ୱାସ ହୋଇଗଲାଣି ବଡ଼ ଲୋକଙ୍କର ଛୋଟ ଛୋଟ ଅପରିଚ୍ଛିନ୍ନ କଥା ଶୁଣି ଶୁଣି ।

-ଆହୁରି ଶୁଣିବେ ସମସ୍ତେ । ଯାହା ଶୁଣାଯାଉଚି ସେସବୁ ଟିପ୍‌ ଅଫ୍‌ ଦି ଆଇସ୍‌ବର୍ଗ । ବୁଡ଼ି ରହିଥିବା ବରଫ ପାହାଡ଼ର ଚୂଳଟି ଦିଶୁଚି କେବଳ । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବେ ଭିତରୁ ।

-ସରକାର ଭାଙ୍ଗିଯିବ ।

-ଦିନ ଦୁଇଟାରେ ଜଣାପଡ଼ିଯିବ । ମାନଧାତା ଅଡ଼ୁଆରେ ପଡ଼ିଯାଇଛନ୍ତି । କୋଣଠେସା ହେଲାପରି ଲାଗୁଚି; କିନ୍ତୁ ତାଙ୍କ ହାତରେ ଅତି କମ୍‌ରେ ତିରିଶ ଜଣ ଏମ୍. ଏଲ୍‌. ଏ ।

-ମୁଖ୍ୟମନ୍ତ୍ରୀ ତ କହିସାରିଲେଣି ଯେ, ଦଳରେ ଅସନ୍ତୁଷ୍ଟ ଗୋଷ୍ଠୀ ବୋଲି କିଛି ନାହିଁ । ମନ୍ତ୍ରିମଣ୍ଡଳର ସ୍ଥିତି ଅତୁଟ ରହିଛି ।

-ରାଜନୀତିରେ ଶେଷକଥା ବୋଲି କିଛି ନାହିଁ । ଆଜି ଯାହା ଚଳୁଛି ରାତି ପାହିଲେ ତାହା ହେବ... ।

 

-ମାନଧାତା କୌଶଳ କରିପାରନ୍ତି... ।

 

-ମିନିଷ୍ଟ୍ରିରୁ ତାଙ୍କୁ ବାଦ୍‌ଦବା ପାଇଁ ହାଇକମାଣ୍ଡଙ୍କ ଅନୁମତି ଲୋଡ଼ା ଯାଇଛି... ।

 

-ସେଥିପାଇଁ ସେ ବୋଧହୁଏ ଦିଲ୍ଲୀ ଯାଇଛନ୍ତି... ।

 

-ଦଳପତି ଦିଲ୍ଲୀରୁ ଫେରିବା ପରେ ସେ ଯାଆନ୍ତି...ସେ ଯାହା କରି ଆସିଥାଆନ୍ତି ଇଏ ସେସବୁ ନାକଚ କରିଦିଅନ୍ତି । ଦଳପତିଙ୍କ ହାତରେ ମୁଦ୍ରାନାହିଁ ୟାଙ୍କ ହାତରେ ଅଜସ୍ର ପାଣ୍ଠି ... ।

 

-ହାଇକମାଣ୍ଡ ରାଜି ନ ହୋଇପାରନ୍ତି... ।

 

-ରାଜି ହେବାକୁ ବାଧ୍ୟ । ଏଇ ସ୍କାଣ୍ଡାଲଗୁଡ଼ା ବାହାରି ନ ଥିଲେ ସେ ବର୍ତ୍ତି ଯାଇଥାନ୍ତେ । ସେ ଆଉ ଏସାଟ୍‌ବୋଲି ହାଇକମାଣ୍ଡ ଭାବୁ ନାହାନ୍ତି...ଲାଇବେଲିଟି ହୋଇଗଲେଣି । କିଏ କାହିଁକି ଅନ୍ୟର ମଇଳା ଲୁଗାର ବୋଝ ବୋହିବ ? ମ୍ୟୁନିସିପାଲିଟି ଇଲେକ୍‌ସନରେ ଶାସକ ଦଳର ପରାଜୟ ସେମାନଙ୍କୁ ବାଧ୍ୟ କରିବ ଗୋଟେ କିଛି ବଡ଼ ଧରଣର ଓଲଟପାଲଟ କରିବା ପାଇଁ ।

 

-ଆମେ ଆଉ କ’ଣ କରିବା ଦରକାର ?

 

-ଛବିଶ ତାରିଖରେ ଦାୟିତ୍ୱ ନବା ପରେ ଗୋଟେ ସାମ୍ବାଦିକ ସମ୍ମିଳନୀ କରିବା ଉଚିତ ହେବ ଭାବୁଚି । ସେଇଠି ଆମର କାର୍ଯ୍ୟସୂଚୀ ଓ ନୀତି ଘୋଷଣା କରାଯିବ ଏବଂ ସେଇଠି ସମ୍ଭବ ହେଲେ ଆମେ ଘୋଷଣା କରିପାରୁ ଯେ... ।

 

-ନୂଆ ଦଳ ଗଢ଼ିବା ?

 

-କାହିଁକି ନୁହେଁ ! ଯେଉଁମାନଙ୍କୁ ଏଯାଏ ଜନସାଧାରଣ ବିଶ୍ୱାସ କରୁଥିଲେ ସେଇ ସବୁ ଦଳଙ୍କ ଉପରୁ ଆସ୍ଥା ହରାଇଛନ୍ତି ସେମାନେ । ଆମେ ଥରେ ଚେଷ୍ଟା କରି ଦେଖିବା ।

 

-ଏତେ ବଡ଼ କାମ...ଏତେ ବଡ଼ ଦାୟିତ୍ୱ... ।

 

-ପଛଘୁଞ୍ଚା ଦେବାର ବେଳ ଆଉ ନାହିଁ ରାଧା । ଆମେ ଶପଥ ନେଇଛୁ ଜନକଲ୍ୟାଣ ଲାଗି ଜନ ସଙ୍ଗଠନ କରିବା ପାଇଁ ।

 

-ତମେ ପାରିବ...ମୋର କିନ୍ତୁ ମନେହେଉଛି... ।

 

-କାହିଁକି ?

 

-ଶତ୍ରୁ ସଂଖ୍ୟା ଆହୁରି ବଢ଼ିବେ... ।

 

-ଯୋଉମାନେ ଏଯାଏ ଜନସାଧାରଣଙ୍କ ସମ୍ପତ୍ତି ଭୋଗ ଦଖଲ କରି ଆସୁଥିଲେ ସେମାନଙ୍କୁ ସେଥିରୁ ବେଦଖଲ କଲେ ଏପରି ହେବା ଅବଶ୍ୟମ୍ଭାବୀ । ଇମିତି ହୁଏ ସବୁ ଦେଶରେ...ସବୁ କାଳରେ... । ସ୍ଥିତାବସ୍ଥା... ବିନାଯୁଦ୍ଧରେ ଜାଗାଛାଡ଼ିଲେ ନାହିଁ... ।

 

-ତମେ ଭିତରକୁ ଚାଲ ରାନ୍ଧିବାବେଳ ହେଲାଣି । ମୁଁ ରାନ୍ଧୁଥିବି ତୁମେ କହୁଥିବ... ।

 

ସତ୍ୟଜିତ୍‌ ଆଗରେ ରାଧାର ଆଉ ଏକ ରୂପ ଉଦ୍‌ଘାଟିତ ହେଉଥିଲା... ।

 

ସତକୁ ସତ ଶ୍ରୀଚରଣ ମାନଧାତା ବଳିଆର ସିଂଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଗଲା । ତାଙ୍କୁ ଦଳବଳ ସଙ୍ଗଠିତ କରିବାକୁ ସମୟ ବା ସୁଯୋଗ ନ ଦବା ସକାଶେ ଦଳର ମୁଖ୍ୟଙ୍କ ପରାମର୍ଶ ଅନୁସାରେ ମୁଖ୍ୟମନ୍ତ୍ରୀ ସବୁ ସ୍କାଣ୍ଡାଲଗୁଡ଼ାକ ସମ୍ପର୍କରେ ଅନୁସନ୍ଧାନ କରି ଛଅମାସ ମଧ୍ୟରେ ସରକାରଙ୍କୁ ରିପୋର୍ଟ ଦବା ପାଇଁ ଜଣେ ଅବସରପ୍ରାପ୍ତ ହାଇକୋର୍ଟ ଜଜ୍‌ଙ୍କ ଅଧ୍ୟକ୍ଷତାରେ ଏକ କମିଶନ ବସାଇ ଦେଲେ । କମିଶନଙ୍କ ସଚିବ ଓ ସଭ୍ୟ ଭାବରେ କାର୍ଯ୍ୟ କରିବା ପାଇଁ ଡି.ଜି. ଅରବିନ୍ଦ କୌଶଳ ଏବଂ ଅବସରପ୍ରାପ୍ତ ଆଇନ ବିଭାଗର ସଚିବଙ୍କୁ ସଭ୍ୟ ଭାବରେ ନିଯୁକ୍ତି କରାଗଲା । କମିଶନଙ୍କ ରିପୋର୍ଟ ସରକାରଙ୍କ ପାଖକୁ ନ ଆସିଲାଯାଏ ମାନଧାତାଙ୍କୁ ଆଉ କୌଣସି ଦଳୀୟ କର୍ଯ୍ୟ ସହିତ ସମ୍ପୃକ୍ତ ନ କରିବା ପାଇଁ ଦଳର ଆଗୁଆ ସଙ୍ଗଠନ ଓ ଜିଲ୍ଲା କାର୍ଯ୍ୟାଳୟମାନଙ୍କୁ ଜଣାଇ ଦିଆଗଲା । ଯେଉଁ ଅନୁଗତ ଏମ୍‌. ଏଲ. ଏ.ମାନେ ଏଯାଏ ମାନଧାତାଙ୍କୁ ଅକୁଣ୍ଠିତ ଚିତ୍ତରେ ସମର୍ଥନ ଜଣାଉଥିଲେ, ସେମାନେ ଦଳ ପକ୍ଷରୁ ଏପରି ଅପ୍ରତ୍ୟାଶିତ ପଦକ୍ଷେପ ନିଆଯିବାରୁ କାଳେ ସେମାନଙ୍କ ବିରୁଦ୍ଧରେ ମଧ୍ୟ ଅନୁରୂପ କିଛି ପଦକ୍ଷେପ ନିଆଯାଇପାରେ ଏହି ଆଶଙ୍କାରେ ମୁଖ୍ୟମନ୍ତ୍ରୀ ତଥା ଦଳର ମୁଖ୍ୟ ଓ ଦଳ ପ୍ରତି ପୂର୍ଣ୍ଣ ଆନୁଗତ୍ୟ ଘୋଷଣା କଲେ । ଯାହାକୁ କହନ୍ତି ବିରି ମାଡ଼ ଦେଖି କୋଳଥ ଚୋପା । ଦଳର ଭାବମୂର୍ତ୍ତିକୁ ଉଜ୍ଜ୍ୱଳ କରିବା ପାଇଁ ଏହାହିଁ ଏକମାତ୍ର ପନ୍ଥା ଥିଲା ହାଇକମାଣ୍ଡଙ୍କ ଆଗରେ ।

 

ମାନଧାତା ପ୍ରାୟ ଏକଘରିଆ ହୋଇଗଲେ । ଏ ଯାଏ ରାଜ୍ୟର ରାଜନୀତିରେ ସେ ମାଷ୍ଟର ଷ୍ଟ୍ରେଟେଜିଷ୍ଟ ବା ସବୁଠାର ବଡ଼ କୌଶଳୀ ବୋଲି ଗଣ୍ୟ ହେଉଥିଲେ; କିନ୍ତୁ ଏବେ ପ୍ରେସ୍‌ ମୁକ୍ତ କଣ୍ଠରେ ସ୍ୱୀକାର କରିନେଲା ଯେ, ତାଙ୍କଠାରୁ କୌଶଳ ଓ କୂଟନୀତିରେ ଅନେକ ବେଶି ଦକ୍ଷ ଦଳର ମୁଖ୍ୟ ନୟନକିଶୋର ଦାସ । ଲୋକେ କୁହାକୁହି ହେଲେ ଯେ, ନୟନକିଶୋର ରାଜନୀତିରେ ଓସ୍ତାଦ । ଆଉ ତାଙ୍କୁ ବଳି ଯାଆନ୍ତେ ମାନଧାତା ? ଅର୍ଥବଳ ଏଇ ପ୍ରଥମ ହାର ମାନିଲା ବୁଦ୍ଧିବଳ ଆଗରେ ।

 

ସାଧାରଣ ଜବୀନରେ ଆଦର୍ଶ ଓ ଆଚରଣ ମଧ୍ୟରେ ଏତେ ଫରକ ଆଉ କେବେ ଦେଖାଯାଇ ନ ଥିଲା । ଦେଶ ସେବକର ମୁଖା ପିନ୍ଧି ଜଣେ ନୁହେଁ ଶହ ଶହ ଶଠ ଓ ଶଇତାନ ଯେ ଦେଶର ଗଳି କନ୍ଦିରେ ବୁଲୁଚନ୍ତି ଓ ନିର୍ଭୟରେ ଜନଜୀବନକୁ ପ୍ରତାରିତ କରିବାରେ ଲାଗିଚନ୍ତି ଏବଂ ଅସାଧୁ ଉପାୟରେ କ୍ଷମତାର ଅପପ୍ରୟୋଗ କରି ଠୁଳ କରିଥିବା ସମ୍ପତ୍ତି ନିଶ୍ଚିନ୍ତରେ ଭୋଗ କରିବାରେ ଲାଗିଚନ୍ତି, ଏହା ଦେଶବାସୀଙ୍କୁ ସ୍ତବ୍‌ଧ କରିଦେଲା । ତ୍ରେତା ଯୁଗରେ ଜଣେ ରାବଣ ଜନ୍ମିଥିଲା, ଦ୍ୱାପରରେ ଜନ୍ମିଥିଲା ଜଣେ ଦୁର୍ଯ୍ୟୋଧନ...କିନ୍ତୁ ଏ ଯୁଗରେ ରାବଣ ଓ ଦୁର୍ଯୋଧନର ସଂଖା ଅନେକ ।

 

କମିଶନ କାଳବିଳମ୍ବ ନ କରି ତଦନ୍ତ କାର୍ଯ୍ୟ ଆରମ୍ଭ କରିଦେଲେ । ସତ୍ୟଜିତ୍‌ର ଚେଷ୍ଟା ଫଳରେ ଜନସାଧାରଣଙ୍କ ଦାବି ମାନିନେଇ ନିର୍ବାଚନ ପରେ ପରେ ସତ୍ୟନଗର ବସ୍ତିର ଅଗ୍ନିକାଣ୍ଡ ସମ୍ପର୍କରେ ତଦନ୍ତର ଦାୟିତ୍ୱ ମଧ୍ୟ ଦିଆଗଲା କମିଶନଙ୍କୁ ।

 

ସତ୍ୟଜିତ୍‌ ଖାଇବା ପାଇଁ, ବିଶ୍ରାମ କରିବା ପାଇଁ ଆଊ ସମୟ ପାଏନି । ଯୋଉଠି ଯାହା ମିଳିଲା ଖାଇନିଏ, ରାତିରେ ଘରକୁ ଫେରିବାବେଳକୁ ବାଆରଟା ଗୋଟାଏ ବାଜିଯାଏ; ତଥାପି ସମୟ କୁଳାଏ ନାହିଁ । ଶ୍ୟାମଳେନ୍ଦୁ, ମଧୁ ମାଷ୍ଟର, ରାଧା ଯଥାସମ୍ଭବ ସାହାଯ୍ୟ କରୁଥିଲେ ମଧ୍ୟ ସଂଗ୍ରହ କରାଯାଇଥିବା ବହୁ ତଥ୍ୟକୁ ପ୍ରମାଣଯୋଗ୍ୟ କରିବାର ଦାୟିତ୍ୱ ତା ନିଜର । ଦିନେ ଦିନେ ଚେମ୍ବରରୁ ଶୋଇବା ଘରକୁ ଆସି ନ ପାରି ସେଠାରେ ଥିବା ବେଞ୍ଚ ଉପରେ ଶୋଇଯାଏ ।

 

ବହୁ ପ୍ରମାଣ ବିଭିନ୍ନ ଲୋକଙ୍କଠାରୁ ସଂଗ୍ରହ କଲା ସତ୍ୟଜିତ୍‌ । ଥାପା ଡାଏରୀରୁ ଅପରାଧ ଓ ଅପରାଧୀମାନଙ୍କ ସମ୍ପକର୍ରେ କିଶୋରର ସହାୟତାରେ ଅନେକ ବିତରଣୀ ଉତାରିଲା ସେ । ଯେଉଁମାନେ ମାନଧାତା ବା ତାଙ୍କ ଚେଲା ଚାମଚାମାନଙ୍କ କୋପରେ ପଡ଼ିବା ଭୟରୁ ଏ ଯାଏ ପଦାକୁ ଆସୁ ନ ଥିଲେ, ସେମାନେ ବୟାନ ଦବାଲାଗି ନିର୍ଭୟରେ ବାହାରି ଆସିଲେ ।

 

ଯେଉଁଦିନ ପ୍ରାୟ ରାତି ବାଆରଟା ସମୟରେ କିଶୋର ଆସିଲା ତା’ ଘରକୁ ସେ ଆଶ୍ଚର୍ଯ୍ୟ ହୋଇ କହିଲା, କିରେ ! ଏତେ ରାତିରେ ଯେ, ଫୋନ୍‌ କଲୁନି...ସବୁ ଭଲ ତ !

 

-ତୁ ଯେଉଁ ଦାୟିତ୍ୱ ଦେଇଛୁ ସେଥିରୁ ଅବ୍ୟାହିତ ନ ପାଇବା ଯାଏ ଆଉ ନିଶ୍ଚିନ୍ତରେ ଶୋଇ ବସିପାରୁଚି କିପରି ? ଆଜି କିନ୍ତୁ ତୋତେ ଗୋଟେ ସର୍‍ପ୍ରାଇଜ ଦେବି ଏଇ ମଝି ରାତିରେ... ।

 

-ତୋର ପ୍ରେମିକାକୁ ନେଇ ଆସିଛୁ ନା କ’ଣ ?

 

-ନା ଭାଇ, ଭଗବାନ ମୋତେ ସେ ସୁଯୋଗ ଦେଇନାହାନ୍ତି । ଆଉ ତୁ’ ଯେତେବେଳେ ସେଇ ପଥରେ ଚାଲିଛୁ, ତୋତେ ବିଜୟୀ ନ ଦେଖିଲା ଯାଏ ସାହସ ହେଉନି...କାଳେ ଯଦି ଅସଫଳ ହୁଏ... ।

 

-ତୋ ପାଖରେ ବି ଖବର ପହଞ୍ଚିଗଲାଣି ତା’ ହେଲେ ?

 

-ପୁଲିସ୍‍ ପାଖରେ ସବୁ ଖବର ଆପେ ଆପେ ପହଞ୍ଚେ । ଢିଙ୍କିଶାଳରୁ ଢେଙ୍କାନାଳ ପର୍ଯ୍ୟନ୍ତ... ।

 

-ତୁ କ’ଣ ଶୁଣିଛୁ ମୋ ବିଷୟରେ ?

 

-କିଛି ଖରାପ କଥା ଶୁଣିନି, ଭଲ କଥା ଶୁଣିଚି । ପ୍ରେମର ବୟସ ନ ଥାଏ, ବେଳ କାଳ ନ ଥାଏ, ସ୍ଥାନ ଅସ୍ଥାନ ନ ଥାଏ । ଏଇଟା ତ ତୋର ପ୍ରେମ କରିବାର ବୟସ ... ।

 

-ଧ୍ୟାତ୍‌...

 

-ରାଗନା ଭାଇ । ଆପତ୍ତି ନ କରି ମୋତେ କହ କେତେଦୂର ଗଲୁ ...ଅପରପକ୍ଷ ରାଜି ତ ?

 

ସତ୍ୟଜିତ୍‌ କଥାର ମୋଡ଼ ଭାଙ୍ଗି କହିଲା, କ’ଣ ସର୍‍ପ୍ରାଇଜ ଦବୁ କହୁଥିଲୁ ଏଇଟା ତ ମୋ’ ନିଜ କଥା...ତୁ’ ବି ଜାଣିଗଲୁଣି ...ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ... ।

 

-ନା, କିନ୍ତୁ ମୁଁ ତୋ’ ପଛରେ ଅଛି ...ତୋତେ ସପୋର୍ଟ କରୁଚି... । ଆଉ ତୋର ସିଲେକ୍‌ସନ୍‌କୁ ପ୍ରଶଂସା କରୁଚି... ।

 

-ଧନ୍ୟବାଦ । କିନ୍ତୁ ତୁ’ ଯାହା ଭାବିଛୁ ସେପରି ନୁହେଁ...

 

-ହେଉ ନ ହେଉ...ପରେ ସେ ବିଷୟରେ ଆଲୋଚନା କରିବା । ଏଇ ରାତି ଅଧରେ ତୋତେ ଏମ୍ବାରାସ କରିବାକୁ ଚାହେଁନା ମୁଁ...ଶୁଣ ଏଥର... ।

 

-କହ ।

 

-ସବୁ ସ୍କାଣ୍ଡାଲର ମଧ୍ୟ ମଣି କିଏ ଜାଣୁ ?

 

-ନା ତ... ।

 

-ସେଇ ଲୋକଟାକୁ ପାଇଛି ମୁଁ...ସେ ରାଜି ହୋଇଚି ସବୁ କନଫେସ୍‌ କରିବା ପାଇଁ... ।

 

-ହଠାତ୍‌ କିପରି ସେ ସାଧୁ ପାଲଟିଗଲା ?

 

-ବିନା ସ୍ୱାର୍ଥରେ ଦେବତା ବି ବର ଦିଅନ୍ତିନି, ସେ ରାଜି ହୁଅନ୍ତା ? ତା’ର ବି ଗୋଟେ ସ୍ୱାର୍ଥ ଅଛି । ସେ ଫାସୀ କାଠରୁ ମୁକୁଳିବାକୁ ଚାହେଁ...

 

-ନରହତ୍ୟା !

 

-ହଁ, ସାଧୁ କାଣ୍ଡିର ହତ୍ୟା ସହିତ ସମ୍ପୃକ୍ତ ସେ । ଗୋଟାଏ ଅତି ସାଧାରଣ ଲୋକ...ଅଥଚ ତା’ର ଯାତାୟାତ ଓ ପହୁଞ୍ଚ ସବୁ ଜାଗାକୁ...ସେ ସବୁ ସ୍କାଣ୍ଡାଲ ସହିତ ସମ୍ପୃକ୍ତ । କେବଳ ଏତିକି ତଫାତ୍‌ ଯେ ସେ କଲଗାର୍ଲ ନୁହେଁ ଗୋଟାଏ ପରଭଟେଡ଼୍ ପରସନ୍‌ । ସେ ଜୀବନରେ ବଡ଼ ହୋଇପାରିଲା ନାହିଁ ବୋଲି ଯିଏ ବଡ଼ ହୋଇଛି ତାକୁ ଛୋଟ କରିଦବା ପାଇଁ ଶପଥ ନେଇଛି ।

 

-ତୁ କାହାଣୀ କହୁନାହୁଁ ତ ?

 

-ନା ଭାଇ, ପୁଲିସ୍‍ ଅଫିସର ମୁଁ । ତୋତେ କାହାଣୀ ଶୁଣାଇବା ଲାଗି ଆସିନି ମୁଁ...ବାସ୍ତବ ଜୀବନରେ ଏପରି ନାଟକ କେହି କରିପାରେ ତାହା ବିସ୍ମିତ କରିଚି ମୋତେ ।

 

-କିଏ ସେହି ଲୋକଟା ?

 

-କିଛି ଅନୁମାନ କରିପାରୁଛୁ ?

 

-ନା ।

 

-ଅରକ୍ଷିତ ଦାସ ସେଇ ପାଞ୍ଚ ଫୁଟ ଚାରି ଇଞ୍ଚର ମନେ ନ ରଖିବା ଭଳି ଲୋକଟା । ଯିଏ ଦୌଡ଼ିଲେ ଛୋଟାଏ ।

 

-ନା, ମନେପଡ଼ୁନି ଭଲ ଭାବରେ...ହୁଏତ ଦେଖିଛି ତାକୁ ସତ୍ୟ ନଗରରେ...; କିନ୍ତୁ ଜାଣିପାରୁନି ଯେ ସେ ଅରକ୍ଷିତ ଦାସ ।

 

-ତାହାରି ପ୍ରରୋଚନାରେ ପଡ଼ି ସଲାମତ୍‍ ଅଲ୍ଲୀ ଖୁନ୍‌ କରିଥିଲା ହିମ୍ମତଲାଲ ଚୋଖାନୀକୁ । ତାକୁ ସାହାଯ୍ୟ କରିଥିଲା ଗୁଲୁ ସର୍ଦ୍ଦାର । ସାଧୁ କାଣ୍ଡିର ସ୍ତ୍ରୀ ଉପରେ ଥିଲା ତାର ଦୃଷ୍ଟି । କଳେ ବଳେ କୌଶଳେ ସାଧୁ କାଣ୍ଡିକୁ ଶେଷ କଲେ ତା’ ସ୍ତ୍ରୀ ଆପେ ଆପେ ତା’ କବଳରେ ପଡ଼ିଯିବ ଏଇ ଯୋଜନା କରିଥିଲା ସେ... ।

 

-ତା’ପରେ ?

 

-ସୁକୁମାର ମିଶ୍ର ତାହାରି ମାଧ୍ୟମରେ ମନ୍ତ୍ରୀ, ସଚିବ, ସାଧୁସନ୍ଥ, ସମସ୍ତ ବଡ଼ ବଡ଼ ଲୋକଙ୍କୁ ଯୋଗାଉଥିଲା ଯାହାର ଯାହା ଦରକାର । ମଣିଷର ଦୁର୍ବଳତା ଜାଣିବାର ଗୋଟେ ବଡ଼ ଶକ୍ତି ଅଛି ଅରକ୍ଷିତର । ସେ ଜାଣିପାରେ କିଏ କ’ଣ ଚାହେଁ ? ମଣିଷ ହୋଇ ଦୁର୍ବଳତା ନ ଥିବ ଏପରି କମ୍‌ ଦେଖାଯାଏ... ।

 

-ସଦାନନ୍ଦ ଉଦ୍‌ଗାତା, ମାଧବାନନ୍ଦ ପାତ୍ର, ଗୋବିନ୍ଦ ସୃଷ୍ଟି, ଶ୍ରୀଚନ୍ଦନ ମାନଧାତା ବଳିଆରସିଂ, ସୁକୁମାର ମିଶ୍ର, ଅମିତାଭ ଛୋଟରାୟ ସମସ୍ତଙ୍କ ସହିତ ତା’ର ସମ୍ପର୍କ । ସେ ସମସ୍ତଙ୍କର ମାଧ୍ୟମ । ଆଶ୍ଚର୍ଯ୍ୟ ଲାଗୁଚି ଗୋଟାଏ ଅର୍ଦ୍ଧଶିକ୍ଷିତ ଲୋକ କିପରି ରାଜନୀତିଠାରୁ ବ୍ଳୁ ଫିଲ୍ମ ଓ ଡ୍ରଗ ବ୍ୟବସାୟ ସବୁ ସହିତ ସମ୍ପୃକ୍ତ ରହି ଏତେ ସଫଳତା ହାସଲ କରିପାରିଲା ।

 

-ଦେଖିବାକୁ ଇଚ୍ଛା ହେଉଚି ଲୋକଟାକୁ... ।

 

-ତୋତେ ଦେଖେଇବା ପାଇଁ ତ ଆଣିଛି ତାକୁ ।

 

-କାହିଁ ସେ ?

 

-ଜିପ୍‌ରେ ବସିଛି...ଜଗୁଆଳି ଅଛନ୍ତି... ।

 

-ସେ ଜାଣେ ତୁ ସବୁ ଜାଣୁ ବୋଲି... ।

 

-ଅନୁମାନ କରିନେଇଛି । ଏଇ କେସ୍‌ଗୁଡ଼ା ଛଡ଼ା ଆହୁରି ବହୁ କଥା ଜାଣେ ସେ । ବଡ଼ ବଡ଼ ଲୋକଙ୍କର ଗୁମର କଥା । ହି ନୋଜ୍‍ ଟୁ ମଚ୍‌...ହି ଇଜ୍‌ ଟୁ କନିଂ...ହି ଇଜ୍‌ ଟୁ ଡେଞ୍ଜରସ୍‌... ।

 

-ଚାଲ ତାକୁ ଦେଖିନିଏ...

 

-ଦୁହେଁ ଗଲେ ଜିପ୍‌ପାଖକୁ ।

 

ତା’ ପରେ କିଶୋର ଉଠିଯାଇ ଡାକିଆଣିଲା ଅରକ୍ଷିତକୁ ।

 

ସେଇ ଲୋକଟାକୁ ରାଧା ଘର ଆଗରେ, ଡାକ୍ତରଖାନା ବାରନ୍ଦାରେ, ହାଇକୋର୍ଟରେ ଓ ଆହୁରି କେତେ ସ୍ଥାନରେ ଦେଖିଥିବାର ଚିତ୍ର ଆଖିଆଗରେ ଭାସି ଉଠିଲା ସତ୍ୟଜିତ୍‌ର ।

 

ସେ ଅରକ୍ଷିତକୁ ହଠାତ୍‌ ପଚାରିଦେଲା, ସତ୍ୟନଗର ଅଗ୍ନିକାଣ୍ଡ ସମ୍ପର୍କରେ କିଛି ଜାଣ ?

 

ଅରକ୍ଷିତ ହାତ ଯୋଡ଼ି କହିଲା, ଥାନାବାବୁଙ୍କୁ ସବୁ କହିଛି ସାର୍‌...ମନ୍ତ୍ରୀଙ୍କ କଥା ମାନି ମୁଁ ନିଆଁ ଲାଗାଇଥିଲି...ମୋହରି ଲୋକ ଦୁଇଜଣ ଆପଣଙ୍କୁ ଜୀବନରେ ଖତମ କରିବା ଲାଗି ଦୁର୍ଘଟଣା ଘଟାଇଥିଲେ...କିନ୍ତୁ ଭଗବାନଙ୍କର ଅଦ୍ଭୂତ ଦୟା ଆପଣଙ୍କ ଉପରେ...ଆପଣ ବର୍ତ୍ତିଗଲେ... ।

 

ସତ୍ୟଜିତ୍‌ ଥରୁଥିଲା କ୍ରୋଧରେ । ଇଚ୍ଛା ହେଉଥିଲା ଅରକ୍ଷିତ ଦାସର ତଣ୍ଟିଚିପି ହତ୍ୟା କରନ୍ତା ସଙ୍ଗେ ସଙ୍ଗେ ।

 

କିନ୍ତୁ କିଶୋର ତା’ହାତ ଧରି କହିଲା-ଚାଲ ଭିତରକୁ ଯିବା...ମୁଁ ସବୁ ସଜାଡ଼ି ନିଏ ତା’ପରେ ତୋତେ ଦେବି ଫାଇଲଟା... ।

 

ଅରକ୍ଷିତ ଦାସ କାକୁସ୍ଥ ହୋଇ ଛିଡ଼ା ହୋଇଥାଏ । ତା’ ମୁହଁରୁ ସେଇ ଶୀତ ରାତିରେ ବି ଝାଳ ବୋହୁଥିବାର ଲକ୍ଷ୍ୟକଲା କିଶୋର ।

 

ଚେମ୍ବରକୁ ଫେରିଆସି କହିଲା ସତ୍ୟଜିତ୍‌ ଏ ଶୟତାନଟାକୁ ଛାଡ଼ିଦବାକୁ ଚାହାଁନି କିଶୋର ?

 

-ଇଏତ ନିମିତ୍ତ ମାତ୍ର । ଆହୁରି ବଡ଼ ବଡ଼ ଶଇତାନଗୁଡ଼ାକୁ ଧରିବା ପାଇଁ ଅରକ୍ଷିତ ଦାସକୁ ରାଜସାକ୍ଷୀ କରିବାଲାଗୀ ମୁଁ ଏସ.ପି.ଙ୍କୁ କହିସାରିଛି ଭାଇ !

 

ସତ୍ୟଜିତ୍‌ ହଠାତ୍‌ ଉତ୍ତେଜିତ ହୋଇ ଟେବୁଲ ଉପରେ ହାତ ପିଟି ଗର୍ଜି ଉଠିଲା ନା...ନା...ନା ।

 

ଛବିଶ ଜାନୁଆରୀ ସାଧାରଣତନ୍ତ୍ର ଦିବସରେ ରାଜଧାନୀ ପୌର ପରିଷଦର କାର୍ଯ୍ୟଭାର ସ୍ୱାୟତ୍ତ ଶାସନ ସଂଘର ନେତ୍ରୀ ରାଧା ମହାପାତ୍ରଙ୍କୁ ହସ୍ତାନ୍ତର କରାଗଲା । ସଂଘର ନେତ୍ରୀ ଭାବରେ ସେ ନିଯୁକ୍ତ ହେଲା ପୌରସଭାର ସଭାନେତ୍ରୀ ବା ଚେୟାରପରସନ ଭାବରେ । ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ଶୁଭେଚ୍ଛା ବାର୍ତ୍ତା ଆସିଲା ଯୁବ ନେତୃତ୍ୱକୁ ଅଭିନନ୍ଦନ ଜଣାଇ । ସକ୍ରିୟ ରାଜନୀତିରୁ ବାହାରେ ଥାଇ ନାଗରିକମାନଙ୍କର ଗୋଟିଏ ଅନୁଷ୍ଠାନ ଯେ ସବୁ ରାଜନୈତିକ ଦଳକୁ ପରାସ୍ତକରି ମ୍ୟୁନିସିପାଲଟି ନିର୍ବାଚନରେ ସଂଖ୍ୟାଧିକ ଆସନ ହାସଲ କରିବ ଏହା ପୋଖତ ରାଜନୀତିଜ୍ଞମାନଙ୍କୁ ମଧ୍ୟ ବିସ୍ମିତ କରିଦେଲା । ରାଜଧାନୀର ନାଗରିକମାନେ ସ୍ଥିତାବସ୍ଥା ବିରୁଦ୍ଧରେ ନିଜର ପୁଞ୍ଜିଭୂତ ଅସନ୍ତୋଷର ପ୍ରମାଣ ଦେଲେ ଶାସକ ଦଳର ପ୍ରାର୍ଥୀମାନଙ୍କୁ ପରାସ୍ତ କରି । ଯେଉଁଦଳ ସଂଖ୍ୟାଧିକ ଦଳ ଭାବରେ ପ୍ରାୟ ପନ୍ଦର ବର୍ଷ ହେଲା ପୌରସଭାର ପରିଚାଳନା ଦାୟିତ୍ୱ ନିର୍ବାହ କରୁଥିଲା, ସେହି ଦଳର ମାତ୍ର ଏଗାର ଜଣ ପ୍ରାର୍ଥୀ ନିର୍ବାଚିତ ହେବା ଅତି ଅସ୍ୱାଭାବିକ ବିଷୟ ନିଶ୍ଚୟ ।

 

ରାଧା ମହାପାତ୍ର ସମର୍ଥକମାନଙ୍କର ଅଭିନନ୍ଦନର ଉତ୍ତର ଦେଇ କହିଲା, ଏ ବିଜୟ ମୋର ନୁହେଁ, ଆପଣମାନଙ୍କର । ରାଜଧାନୀର ନାଗରିକମାନେ ଯେ ସେମାନଙ୍କର ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ ଏହା ପ୍ରମାଣିତ ହୋଇଛି । ଆମ ଅନୁଷ୍ଠାନ ପକ୍ଷରୁ ଆକାଶରୁ ଚାନ୍ଦ ଆଣିଦବା ଭଳି ପ୍ରତିଶ୍ରୁତି ଦିଆଯାଇ ନ ଥିଲା । ଆମେ କେବଳ କହିଥିଲୁ ଯେ ପୌରସଭାର ପ୍ରଶାସନକୁ ସେବାମୁଖୀ, ଦକ୍ଷ ଓ ନିର୍ମଳ କରାଯିବ, ଅଧିକ କର ନ ବସାଇ ସମ୍ୱଳର ସୁବିନିଯୋଗ କରି ସହରବାସୀମାନଙ୍କୁ ସମସ୍ତ ସେବା ଯୋଗାଇ ଦିଆଯିବ । ବସ୍ତି ଅଞ୍ଚଳ ସଫାକରି ସ୍ୱଳ୍ପ ଉପାର୍ଜନକାରୀମାନଙ୍କ ପାଇଁ ଗୃହ ନିର୍ମାଣ କରାଯିବ । ପିଇବାପାଣି, ପାଇଖାନା ଓ ଆଲୁଅର ସୁବ୍ୟବସ୍ଥା କରାଯିବ । ନାଳ ଓ ନର୍ଦ୍ଦମାଗୁଡ଼ିକର ନିୟମିତ ପରିଷ୍କାର, ସହରବାସୀଙ୍କ ପାଇଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ପିଲାମାନଙ୍କ ପାଇଁ ବିଦ୍ୟାଳୟ ସ୍ଥାପନ କରିବା ଉପରେ ଗୁରୁତ୍ୱ ଦିଆଯିବ-। ଆଉ ଗୋଟିଏ କଥା, ସୁନ୍ଦର ଭୁବନେଶ୍ୱର ଗଢ଼ି ନ ପାରିଲେ ସୁନ୍ଦର ମଣିଷ ଗଢ଼ି ହେବ ନାହିଁ । ଅସ୍ୱାସ୍ଥ୍ୟକର ପ୍ରତିକୂଳ ପରିବେଶରେ ମଣିଷର ସ୍ୱାଭାବିକ ବିକାଶ ହୁଏ ନାହିଁ । ତେଣୁ ସୁନ୍ଦର ସମ୍ପୂର୍ଣ୍ଣ ମଣିଷ ପାଇଁ ସୁନ୍ଦର ଭୁବନେଶ୍ୱର ପ୍ରତିଷ୍ଠା କରିବା ଆମର ଲକ୍ଷ୍ୟ ।

 

ମୁଁ ଆପଣମାନଙ୍କଠାରୁ ଅଲଗା ନୁହେଁ । ଆପଣଙ୍କମାନଙ୍କ ମଧ୍ୟରୁ ଜଣେ । ଯେଉଁଦିନ ପର୍ଯ୍ୟନ୍ତ ଆପଣମାନେ ମୋ ଉପରେ ଓ ମୋ ଅନୁଷ୍ଠାନ ଉପରେ ଆସ୍ଥା ରଖିବେ, ପୌରସଭାର ପରିଚଳନାରେ ଆମ ସହିତ ସକ୍ରିୟ ସହଯୋଗ କରିବେ ସେ ପର୍ଯ୍ୟନ୍ତ ମୁଁ ସ୍ୱାୟତ୍ତ ସଘଂ ପକ୍ଷରୁ ଏ ଦାୟିତ୍ୱ ବହନ କରିବି । ଯେଉଁଦିନ ଆପଣଙ୍କର ସେଇ ଆସ୍ଥା ତୁଟିଯିବ, ମୁଁ ଆପେ ଆପେ ବାଟଛାଡ଼ି ବାହାରିଯିବି ।

 

ଶ୍ୟାମଳେନ୍ଦୁ ଆଗକୁ ଆସି କହିଲା, ଏଇଟା ଫାଷ୍ଟ ରାଉଣ୍ଡର ବିଜୟ । ଖେଳ ଆରମ୍ଭ ହୋଇଚି ମାତ୍ର ।

 

ତା’ପରେ ସହସ୍ରାଧିକ ନାଗରିକ, ଯୁବକ, ଯୁବତୀ ସହର ପରିକ୍ରମା କଲେ । ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଫୁଲମାଳ ଦେଇ ଜନସେବାରେ ନିଜ ନିଜକୁ ଉତ୍ସର୍ଗ କରିବା ସକାଶେ ଶପଥ ନେଲେ ସମବେତ ଭାବରେ ।

 

ଶେଷରେ ଶ୍ରମର ମୂଲ୍ୟ ଓ ସମ୍ମାନ ଉପରେ ଗୁରୁତ୍ୱ ଦବାଲାଗି ବାପୁଜୀ ନଗରର ବସ୍ତି ଅଞ୍ଚଳର ରାସ୍ତା, ନାଳ ଓ ନର୍ଦ୍ଦମା ପରିଷ୍କାର କଲେ ନୂତନ ନିର୍ବାଚିତ ପ୍ରତିନିଧି ଓ ତରୁଣ କର୍ମୀମାନେ-

 

ସହରରେ ନୂତନ ଉତ୍ସାହ, ଉନ୍ମାଦନା ଖେଳିଗଲା । ବସ୍ତିବାସୀଙ୍କ ମନରେ ନୂତନ ଆଶାର ସଞ୍ଚାର ହେଲା । ରାସ୍ତା ଉପରେ, ଗଛମୂଳେ ଶୋଉଥିବା ନିରାଶ୍ରୟମାନେ ଭରସା ପାଇଲେ ମନରେ । ସାଧାରଣ ଲୋକମାନେ ଭାବିବାକୁ ଆରମ୍ଭ କଲେ ଯେ, ସେମାନଙ୍କ ସମସ୍ୟା ସମ୍ପର୍କରେ ମଧ୍ୟ ଭାବିବାଲାଗି ଲୋକ ଅଛନ୍ତି, ଅନୁଷ୍ଠାନ ଅଛି ।

 

ମଧୁ ମାଷ୍ଟର ସତ୍ୟନଗରର ଗାନ୍ଧୀ ହୋଇଗଲେ । କେତେଟା ମାସରେ ସେ ଯେପରି ଭାବରେ ମୂଲିଆ, ଖଟିଖିଆ, ବସ୍ତିବାସିନ୍ଦା, ତରୁଣ ଓ ବୁଦ୍ଧିଜୀବୀମାନଙ୍କୁ ଜନସେବା କରିବାର ଆଦର୍ଶଦ୍ୱାରା ଅନୁପ୍ରାଣିତ କରିପାରିଲେ ତାହା ଅଭାବନୀୟ । ନ ଦେଖିଲେ ବିଶ୍ୱାସ କରିହେବ ନାହିଁ-। ସୁପ୍ତ ଜନଶକ୍ତିକୁ ଜାଗ୍ରତ କରି ବାର ଦାୟିତ୍ୱ ସେ ନେଇଥିଲେ ଜୟଲାଭ ବି କଲେ; କିନ୍ତୁ ଜାଗ୍ରତ ଜନଶକ୍ତିକୁ କାର୍ଯ୍ୟରେ ନିଯୁକ୍ତ କରିବା ଆଉ ଗୋଟେ ବଡ଼ ଚ୍ୟାଲେଞ୍ଜ । ସେଇ ଆହ୍ୱାନର ମୁକାବିଲା କରିବା ସକାଶେ ସେ ତିଆରି କରିଥିଲେ ରାଧା ମହାପାତ୍ର, ଶ୍ୟାମଳେନ୍ଦୁ ଓ ଅନ୍ୟାନ୍ୟ ତରୁଣ ତରୁଣୀମାନଙ୍କୁ ।

 

ସେ କେବଳ ଗୋଟିଏ ଅନୁରୋଧ କଲେ ରାଧାକୁ । ବିଶାଖାକୁ ସେ ଯେପରି ବିସର୍ଜନ ନ କରେ । ବିଶାଖାର ପୁଅ ଯେପରି ଅନୁଭବ ନ କରେ ଯେ ତା’ର ପିତୃ ପରିଚୟ ନାହିଁ । ସେ ଭଗବାନଙ୍କର ଅମୃତ ସନ୍ତାନ ।

 

ମ୍ୟୁନିସିପାଲିଟିର ସଭାନେତ୍ରୀ ହେବାପରେ ଜନସେବା କରିବାର ଗୋଟିଏ ବଡ଼ ସୁଯୋଗ ପାଇଲା ରାଧା । ନାରୀ ମନର ଅପୂର୍ଣ୍ଣତାବୋଧ ତଥାପି ଦୂର ହେଲାନାହିଁ । ସେ ଦିନକୁ ଚଉଦ ପନ୍ଦର ଘଣ୍ଟା ପରିଶ୍ରମ କଲା ମ୍ୟୁନିସିପାଲିଟିର ପ୍ରଶାସନିକ କାର୍ଯ୍ୟ ଶିଖିବା ପାଇଁ ଓ ବିଭିନ୍ନ ବିଭାଗର ଦକ୍ଷତା ବଢ଼ାଇବା ପାଇଁ । ପ୍ରଥମେ ସେ ମେହେନ୍ତର ଓ ଝାଡ଼ୁଦାରମାନଙ୍କଠାରୁ ଆରମ୍ଭ କଲା । ସେମାନେ ଯେପରି ସମୟାନୁବର୍ତ୍ତିତା ରକ୍ଷା କରନ୍ତି ତାହା ଦେଖିବା ସକାଶେ ନିଜେ ସକାଳୁ ବିଭିନ୍ନ ସ୍ଥାନକୁ ଗଲା । କର୍ମଚାରୀମାନଙ୍କୁ କେବଳ ଆଦେଶ ତାଲିମ କରିବାକୁ କହି ଦକ୍ଷତା ବୃଦ୍ଧି କରାଯାଇ ପାରେନା । ସେମାନଙ୍କୁ କର୍ତ୍ତବ୍ୟପରାୟଣ ହେବାଲାଗି ପ୍ରରୋଚିତ କରିବା ଆବଶ୍ୟକ । ସେମାନଙ୍କର ସୁବିଧା ଅସୁବିଧା ସେ ପ୍ରଥମେ ବୁଝିବାକୁ ଚେଷ୍ଟାକଲା ଏବଂ ଯାହା ତା’ର କ୍ଷମତାର ପରିସରଭୁକ୍ତ ସେ ସବୁର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଲା । ସେ ନିଜେ ସେମାନଙ୍କ ସାଙ୍ଗରେ କିଛି ସମୟ ରହି କର୍ତ୍ତବ୍ୟରତ ନାରୀ ଓ ପୁରୁଷମାନଙ୍କ ମଧ୍ୟରେ କେବଳ ତତ୍ପରତା ସୃଷ୍ଟି କଲା ନାହିଁ, ସେମାନେ ଅନୁଭବ କରିବାକୁ ଆରମ୍ଭ କଲେ ଯେ, ପୌରପରିସର ସର୍ବୋଚ୍ଚ ବ୍ୟକ୍ତି ମଧ୍ୟ ଜଣେ ସେବକ । କାର୍ଯ୍ୟରେ ଫରକ ଅବଶ୍ୟ ରହିବ; କିନ୍ତୁ ଜନସେବା ମ୍ୟୁନିସିପାଲଟିର ଚେଆରପରସନ୍‌ ଓ ମ୍ୟୁନିସିପାଲିଟିର ମେହେନ୍ତର ଉଭୟଙ୍କର ଲକ୍ଷ୍ୟ । ଲକ୍ଷ୍ୟ ପ୍ରତି ସଚେତନ କରି ସେମାନଙ୍କୁ କାର୍ଯ୍ୟର ମହତ୍ତ୍ୱ ସମ୍ପର୍କରେ ସେ ବୁଝାଇବାକୁ ଲାଗିଲା । ସମାଜର ଶ୍ରେଣୀ ବିଭାଗ ଯେ ସମାନତା ବୋଧର ଅନୁକୂଳ ନୁହେଁ ଏହା ତା’ଠାରୁ ପ୍ରଥମ ଶୁଣିଲେ ସେମାନେ । ସମାଜ କଲ୍ୟାଣ ସକାଶେ ବଡ଼ ଓ ଛୋଟ ସମସ୍ତେ କାର୍ଯ୍ୟ କଲେ ସମାଜ ସଙ୍ଗଠିତ ହୁଏ, ଜନସାଧାରଣ ଉପକୃତ ହୁଅନ୍ତି । ରାଧା ସେମାନଙ୍କ ସହିତ ସହଜରେ ମିଶିଗଲା ଏବଂ ସେମାନେ ତାକୁ ନିଜର ବୋଲି ଗ୍ରହଣ କରିନେଲେ ।

 

ଅଫିସରେ ମଧ୍ୟ ସେ ସେହି ଶୈଳୀ ଅନୁସରଣ କଲା । ନିଜେ ସବ୍‌ଜାନତା ପରି ଅଭିନୟ ନ କରି ସେମାନଙ୍କ ସହିତ କାର୍ଯ୍ୟ କରିବାର ପ୍ରଣାଳୀ ଓ ପ୍ରଶାସନିକ ସମସ୍ୟା ସମ୍ପର୍କରେ ଆଲୋଚା କଲା । ସମସ୍ୟାର ସମାଧାନର ସୂତ୍ର ସେ ନିଜଆଡ଼ୁ ନ ଦେଇ, ସେମାନଙ୍କୁ ଉତ୍ସାହ ଦେଲା ସମସ୍ୟାର ସମାଧାନ କରିବା ପାଇଁ । ଧୀରେ ଧୀରେ ସେମାନଙ୍କ ମଧ୍ୟରେ ଆତ୍ମପ୍ରତ୍ୟୟ ଓ ଲକ୍ଷ୍ୟ ପ୍ରତି ସଚେତନତା ଜାଗ୍ରତ ହେଲା ଏବଂ ସେମାନେ ଯେ, ସମସ୍ତେ ଏକ ମହାନ୍‌ କାର୍ଯ୍ୟର ଅଂଶୀଦାର ଏଇ ଭାବ ଜାତ ହୋଇଗଲା ସେମାନଙ୍କ ମନରେ । ରାଧା ଶାମ, ଦାମ, ଦଣ୍ଡ, ଭେଦ ନୀତି ଗ୍ରହଣ କଲା ସତ; କିନ୍ତୁ ପ୍ରଶାସନରେ ଅପରିହାର୍ଯ୍ୟ ନ ହେଲେ ଦଣ୍ଡର ଆଶ୍ରୟ ନ ନେଇ କର୍ମଚାରୀମାନଙ୍କୁ କର୍ତ୍ତବ୍ୟ କରିବାଲାଗି ପ୍ରରୋଚିତ କଲା । ସେମାନେ ମଧ୍ୟ କୁଣ୍ଠା ନ କରି ଅତିଶୀଘ୍ର ତାକୁ ଗ୍ରହଣ କରିନେଲେ ଏବଂ ଶ୍ରେଣୀ ନିର୍ବିଶେଷରେ ସମସ୍ତେ ଯେ, ସମାନ ଭାଗୀଦାର ଏହା ଉପଲବ୍‌ଧି ସଞ୍ଚାରିତ ହେଲା ।

 

କର୍ମନିଷ୍ଠା କୌଣସି ଗଛର ଫଳ ନୁହେଁ ଯେ, ତୋଳିଆଣି ବାଣ୍ଟି ଦେଲେ କର୍ମଚାରୀମାନଙ୍କର ନିଷ୍ଠା ବଢ଼ିଯିବ । କାମ କରିବାର ଏହା ଏକ ଆନ୍ତରିକ ସ୍ୱତଃସ୍ଫୂର୍ତ୍ତ ପ୍ରକାଶ । କାମ ପ୍ରତି ଅନୁରାଗ, କର୍ତ୍ତବ୍ୟ କରିବାର ଆଗ୍ରହ ଓ ଲକ୍ଷ୍ୟ ପ୍ରତି କମିଟ୍‌ମେଣ୍ଟରୁ କର୍ମନିଷ୍ଠା ଜାତ ହୁଏ-। ଏହା ଏକ ସଂସ୍କୃତି ଓ ଜୀବନର ଆଭିମୁଖ୍ୟ ।

 

ରାଧା ମ୍ୟୁନିସିପାଲ ଅଫିସରୁ ଫେରିବାବେଳକୁ ଦଶଟା ବାଜି ଯାଇଥିଲା । ସେ ପ୍ରାୟ ନଅଟାବେଳେ ଅଫିସ ଛାଡ଼ିଥିଲେ ବି ସତ୍ୟନଗର, ମାଳିସାହି, ବାପୁଜୀ ନଗର ବସ୍ତି ଅଞ୍ଚଳରେ ପିଇବା ପାଣି ଯୋଗାଇ ଦବା ପାଇଁ ଆରମ୍ଭ ହୋଇଥିବା କାମର ଅଗ୍ରଗତି ଦେଖି ଘରେ ପହଞ୍ଚିଲାବେଳକୁ ଦଶଟା ବାଜି ଯାଇଥିଲା । ମ୍ୟୁନିସିପାଲଟିର ଦାୟିତ୍ୱ ନବା ପରେ ସେ ଉଠି ଆସିଥିଲା ସରକାରୀ ନିବାସକୁ ।

 

ଫାଟକ ପାରହୋଇ ଘରେ ପଶିବା ପୂର୍ବରୁ ବାରଣ୍ଡାରେ ସତ୍ୟଜିତ୍‌କୁ ଅପେକ୍ଷା କରୁଥିବାର ଦେଖି ସେ ଆଶ୍ଚର୍ଯ୍ୟ ହେଲା । ଏଇ କେତେଦିନ ହେଲା ଦେଖାହୋଇନି ତା’ ସାଙ୍ଗରେ-। ଏ ଭିତରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛି । ଶ୍ୟାମଳେନ୍ଦୁ ବି ସତ୍ୟଜିତ୍‌ ତଦନ୍ତ କମିଶନ ସଂକ୍ରାନ୍ତୀୟ କାର୍ଯ୍ୟରେ ବ୍ୟସ୍ତ । ପ୍ରମାଣ ଅଭାବରୁ ଯେପରି ଅପରାଧୀମାନେ ଖସି ନ ଯାନ୍ତି ସେଥିଲାଗି ଅକ୍ଳାନ୍ତ ପରିଶ୍ରମ କରୁଛି ସେ ।

 

ସତ୍ୟଜିତ୍‌ ଆଖିବୁଜି ଆଉଜି ପଡ଼ିଥିଲା ଚୌକୀ ଉପରେ । କ୍ଲାନ୍ତ ଦିଶୁଥିଲା । ମଥାର କେଶ ଅବିନ୍ୟସ୍ତ ।

 

ରାଧା ତା’ ଆଗରେ ଛିଡ଼ା ହେଲା; କିନ୍ତୁ ସେ ଜାଣିପାରିଲା ନାହିଁ ।

 

ଶୋଇପଡ଼ିଥିଲା ବୋଧହୁଏ । ତା’ର ବିଶ୍ରାମରେ ବାଧା ସୃଷ୍ଟି ନ କରି ରାଧା ପାଦ ଚିପି ଚିପି ଭିତରକୁ ଗଲା ଏବଂ ସତ୍ୟଜିତ୍‌ ପାଇଁ ବି ଖାଇବାର ବ୍ୟବସ୍ଥା କରିବାଲାଗି କହିଲା ବିଶାଖାକୁ-

 

-ସେ କେତେବେଳୁ ଆସିଲେଣି ? ପଚାରିଲା ରାଧା ।

 

-ଅଧଘଣ୍ଟାଏ ହେବ... ।

 

-ଚା’ ଦେଇଥିଲୁ ?

 

-ନା, ମନାକଲେ, ପାଣି ଗିଲାସେ ପିଇଲେ କେବଳ ।

 

ରାଧା ପୁଣି ଫେରିଆସିଲା ବାରଣ୍ଡାକୁ । ସତ୍ୟଜିତ୍‌ ପାଖରେ ଖାଲିଥିବା ଚୌକୀରେ ବସିଲା ଯାଇ । ଏତିକିବେଳେ ଚେଇଁ ଉଠିଲା ସତ୍ୟଜିତ୍‌ ।

 

-ଆରେ ତମେ ଆସିଗଲଣି, ଅଥଚ ମୁଁ ଜାଣିପାରିନି ଆଦୌ । ବସୁ ବସୁ ଆଖିପତା ଲାଗିଯାଇଥିଲା ।

 

-ବଡ଼ କ୍ଲାନ୍ତ ଦିଶୁଛ...ଅନେକ କାମ ପଡ଼ୁଛି ବୋଧହୁଏ...ସୁସ୍ଥ ହେଉ ହେଉ କାମର ଏତେ ଚାପ... । କହିଲା ରାଧା... ।

 

ସତ୍ୟଜିତ୍‌ ଅନ୍ୟମନସ୍କ ଥିବାପରି କହିଲା -ହଁ, ଇଏ ବି ଗୋଟେ ପ୍ରକାର ଚ୍ୟାଲେଞ୍ଜ... ।

 

ରାଧା କହିଲା, ଏଇଠି ଖାଇବ ଧୁଆଧୋଇ ହୋଇ ଫ୍ରେସ୍‌ ହୋଇଯାଅ...ସତେଜ ଲାଗିବ... ।

 

ସାମାନ୍ୟ ହସି କହିଲା ସତ୍ୟଜିତ୍‌, ମୋ’ ଭାଗ୍ୟରେ ଏତେ ସୁଖ ନାହିଁ ରାଧା... ।

 

ଅନ୍ତର ଭିତରଟା ମନ୍ଥି ହୋଇଗଲା ରାଧାର । ଆହା ! ଅନ୍ୟ ବିଷୟରେ ବୁଝୁ ବୁଝୁ ସମୟ ଚାଲିଯାଉଚି, ବିଚରା ସମୟ ପାଉନି ନିଜ ବିଷୟ ବୁଝିବା ପାଇଁ ।

 

ରାଧା ଜାଣେ ଯେ ବେଶି କାମ କଲେ, ବେଶି ବ୍ୟସ୍ତ ରହିଲେ ଅବସାଦରେ ଭାଙ୍ଗି ପଡ଼େନି ମଣିଷ । କାମ କରିବାର ଗୋଟାଏ ଆନନ୍ଦ ଅଛି, ଆଉ ସେହି କାମ ଅନ୍ୟ ପାଇଁ କଲେ ଅନ୍ତରରେ ଯେଉଁ ସନ୍ତୋଷ ହୁଏ, ପ୍ରାଣରେ ଯେଉଁ ପୁଲକ ସଞ୍ଚାରିତ ହୁଏ ତାହା ଶରୀରର କ୍ଳାନ୍ତି ହରଣ କରିବାରେ ଟନିକଭଳି କାମ କରେ । ମନର ଆନନ୍ଦହିଁ ଜୀବନର ସଞ୍ଜୀବନୀ । ଯିଏ କାମ କରି ଆନନ୍ଦ ପାଏ, ସେ କାମରୁ ପ୍ରେରଣା ବି ପାଏ ।

 

ସତ୍ୟଜିତ୍‌ କାମ କରି ଆନନ୍ଦ ପାଏ । କାମରେ ବୁଡ଼ିରହି ସେ ଉଦ୍ଭାସିତ ହୁଏ ପ୍ରତ୍ୟୁଷ ପରି; କିନ୍ତୁ ଆଜି କେବଳ ତାକୁ କ୍ଳାନ୍ତି ଦେଖିଲା ନାହିଁ, ତା’ ଆଖି ଓ ମୁହଁରେ ବେଦନା ବି ଲିପିହୋଇ ଯାଇଥିବାର ଲକ୍ଷ୍ୟ କଲା ରାଧା ।

 

ସେ ତା’ ପାଖକୁ ଘୁଞ୍ଚି ଯାଇ କହିଲା, ଭଲ ଲାଗୁଚି ତ ?

 

ସେ ପ୍ରଶ୍ନର ଉତ୍ତର ନ ଦେଇ କହିଲା ସତ୍ୟଜିତ୍‌, ଗୋଟେ ବଡ଼ ସଫଳତା ହାସଲ କରିଛି ରାଧା, ସେଥିପାଇଁ ଏଇ ରାତିରେ ଧାଇଁ ଆସିଛି ତମକୁ କହିବା ପାଇଁ । ବହୁ ସଂଶୟର ଅବସାନ ହୋଇଛି... ।

 

-କିପରି ?

 

-ଯୋଉ ଅରକ୍ଷିତ ଦାସକୁ ତମେ ସବୁ ଇଗ୍‌ନୋର କରୁଥିଲ, ସେ ନାଟକର ମୁଖ୍ୟ ଚରିତ୍ର ନ ହେଲେ ମଧ୍ୟ ଠିକ୍‌ ଅବହେଳାର ପାତ୍ର ନୁହେଁ । ସେ ମାଧ୍ୟମ । ତାକୁ ବ୍ୟବହାର କରିଚନ୍ତି ଅନ୍ୟମାନେ ।

 

-ସବୁ ଦୁର୍ଘଟଣା ପଛରେ ଅରକ୍ଷିତ ଦାସ ରହିଛି ?

-ପ୍ରାୟ । ମୋତେ ଜୀବନରେ ମାରିଦବା ପାଇଁ ଦୁଇଥର ଯେଉଁ ଅପଚେଷ୍ଟା କରାଯାଇଥିଲା ତା’ର ପ୍ରଧାନ ନାୟକ ଥିଲା ଅରକ୍ଷିତ । ସତ୍ୟ ନଗରର ଅଗ୍ନିକାଣ୍ଡ ମଧ୍ୟ ତାହାରିଦ୍ୱାରା ହୋଇଥିଲା । ଚୋଖାନୀର ହତ୍ୟାର ଷଡ଼ଯନ୍ତ୍ର ସେ କରିଥିଲା । ସୁକୁମାର ମିଶ୍ରର ବ୍ଲୁ ଫିଲ୍ମ ଓ ନିଶା କାରବାର ସହିତ ସେ ଜଡ଼ିତ ଥିଲା । ଏହାଛଡ଼ା ଚୋରାମାଲ୍‌ ବିକ୍ରୀ କରିବା, ବଡ଼ ବଡ଼ ଅଫିସର, ନେତା ଓ ମନ୍ତ୍ରୀମାନଙ୍କର ମର୍ଜି ଜଗି ମଦ ମାଂସ, ମହିଳା, ଅର୍ଥ ଯୋଗାଇ ଦବାର ସେ ଥିଲା କେନ୍ଦ୍ରବିନ୍ଦୁ... ।

-ଇଏ ତ ବିଷଧର ନାଗଠାରୁ ବି ଭୟଙ୍କର... ।

-ମଣିଷଠାରୁ ଆଉ କେହି ବେଶି ଭୟଙ୍କର ନୁହେଁ ଏ ଦୁନିଆରେ...ପୁଣି ଏଇ ମଣିଷଠାରୁ ବେଶି ଶୁଭଙ୍କର ବି ଅନ୍ୟ କେହି ନୁହେଁ... ।

-ଏଇ ଶୟତାନ ପାଇଁ ଫାଶୀ ଦଣ୍ଡ ବି ଯଥେଷ୍ଟ ନୁହେଁ... ।

-କିନ୍ତୁ ସେଇ ଫାଶୀ ଦଣ୍ଡରୁ ବର୍ତ୍ତିଯାଇଛି ସେ... ।

-ଷ୍ଟ୍ରେଞ୍ଜ ! ଉପରୁ କେହି ସାହାଯ୍ୟ କରୁଛି ?

-ନା, ଏଇ ଅପରାଧଗୁଡ଼ାକ ଯେଉଁମାନଙ୍କ ଇଙ୍ଗୀତରେ ହୋଇଛି ସେମାନେ ସମାଜ ଓ ଶାସନର ଶୀର୍ଷ ଦେଶରେ । ସେମାନଙ୍କୁ ଧରିବା ପାଇଁ ଅରକ୍ଷିତ ଦାସକୁ ବ୍ୟବହାର କରାଯାଇପାରେ...

 

ମାନେ ?

 

-ତାକୁ ଏପ୍ରୁଭର ରାଜସାକ୍ଷୀ କରାଯାଉଛି... ।

 

ମୁହଁର ଚେହେରା ବଦଳିଗଲା ରାଧାର । ତା’ର ଚିବୁକ କଠିନ ଦେଖାଗଲା, ହାତ ମୁଷ୍ଟି ବନ୍ଦ ହେଲା ଏବଂ ଆଖି ଯୋଡ଼ିକ ଜଳିଉଠିଲା... ।

 

ରାଧାର ଏଇରୂପ ଦେଖି ଚମକି ପଡ଼ିଲା ସତ୍ୟଜିତ୍‌ । ପ୍ରତିଶୋଧ ନବାର ସୁସ୍ପଷ୍ଟ ସଙ୍କେତ ମୁଖମଣ୍ଡଳରେ ।

 

ସେଦିନ କଥା ମନେପଡ଼ିଗଲା ।

 

ଅରକ୍ଷିତ ଯେକୌଣସି ଅନୁକମ୍ପାର ଯୋଗ୍ୟ ନୁହେଁ, ଏହା ସେ ଜୋର୍‌ଦେଇ କହିଥିଲା ପୁଲିସ୍‌ ଇନିସ୍‌ପେକ୍‍ଟର କିଶୋରକୁ ।

 

ଆଜି ସେଇ ଅରକ୍ଷିତ ରାଜସାକ୍ଷୀ ହେଉଥିବାର ସମ୍ୱାଦ ଶୁଣି ତାହାରି ପରି ଆଜି କ୍ରୋଧରେ ଫାଟିପଡ଼ିଛି ରାଧା ।

 

ସେ ତାକୁ ଦୋଷୀ କରିବାଲାଗି କହିଲା, କଥାରେ କହନ୍ତିନି ଚୁଚନ୍ଦ୍ରା ମାରି ହାତ ଗନ୍ଧାଇବା ଯାହା ବଡ଼ ବଡ଼ ଶଇତାନମାନଙ୍କୁ ଛାଡ଼ି କେବଳ ଅରକ୍ଷିତ ଦାସକୁ ଫାଶୀ ଦବା ସେୟା । ଯୋଉମାନେ କ୍ଷମତାର ଅପପ୍ରୟୋଗ କରି, ନିଜର ସଂକୀର୍ଣ୍ଣ ସ୍ୱାର୍ଥ ହାସଲ କରିବା ଲାଗି ସବୁପ୍ରକାର ଘୃଣ୍ୟ ଅପରାଧ କରି ମଧ୍ୟ ବାହାରେ ସମ୍ମାନର ସହିତ ବୁଲୁଚନ୍ତି, ସେମାନେ ଯେପରି ଆଇନ ହାତରୁ ଖସି ନ ଯା’ନ୍ତି ସେଇଟା ବେଶି ଗୁରୁତ୍ୱପୂର୍ଣ୍ଣ । ସେମାନେ ଅଛନ୍ତି ବୋଲି ଅରକ୍ଷିତ ଅଛି, ସେମାନେ ନ ଥିଲେ ଅରକ୍ଷିତମାନେ ନ ଥିବେ... ।

ସହଜ ସ୍ୱାଭାବିକ ହେବାକୁ ଟିକେ ସମୟ ନେଲା ରାଧା ।

ତା’ପରେ ସେ କହିଲା, କେତେ ଝିଅଙ୍କର ସେ ସର୍ବନାଶ କରିଛି ଜାଣ ?

-ମୁଁ କହିଛି ଯେ, ସେ ମାଧ୍ୟମ ମାତ୍ର । ସୁକୁମାର ମିଶ୍ର ମୁଖ୍ୟ ନାୟକ ଆଉ ପୃଷ୍ଠପୋଷକ ଶ୍ରୀଚରଣ ମାନ୍‌ଧାତାଙ୍କ ପରି ନେତା... ।

-ଏଇ ସମାଜରେ ବଞ୍ଚିବାର କିଛି ମାନେ ହୁଏନା... ।

-କିନ୍ତୁ ସମାଜକୁ ଗଢ଼ିବା ଯୋଉମାନଙ୍କର କାମ ସେମାନେ ଯଦି ସମାଜକୁ ଭାଙ୍ଗନ୍ତି ସମାଜର ଦୋଷ କ’ଣ ? ସମାଜ ତ ଭାବରେ ଓ ସଂଖ୍ୟାରେ ଗୋଟାଏ ସମଷ୍ଟିଗତ ପ୍ରକାଶ ମାତ୍ର । ଆମ ସମସ୍ତଙ୍କୁ ନେଇ ସମାଜ...ଆମେ ନିଜ ପାଖରୁ କେଉଁଆଡ଼େ ପଳାଇ ପାରିବା ?

-ପ୍ରତିକାର ନାହିଁ ?

-ଅଛି...ଆଇନର ବିଧାନ ଅନୁସାରେ; କନ୍ତୁ ଏମାନେ ଆଇନ, ବିଧିବ୍ୟବସ୍ଥାକୁ ନିଜ କାର୍ଯ୍ୟରେ ଲଗାଉଚନ୍ତି । ଗୋଟେ ସମ୍ପୂର୍ଣ୍ଣ ବିପ୍ଳବ ହେଲେ ହୁଏତ ଏହାର ପରିବର୍ତ୍ତନ ହୋଇପାରେ-। ମନର, ହୃଦୟର ପରିବର୍ତ୍ତନ ନ ହେଲେ ଯାହା ଚାଲିଛି ତାହା ଚାଲୁଥିବ ।

 

-ସେତେବେଳକୁ ନିର୍ଯ୍ୟାତିତ, ଲାଞ୍ଛିତମାନେ ନ ଥିବେ... ।

 

-ସବୁ ଯୁଗରେ ଏପରି ହୁଏ । କେତେଜଣ କଷ୍ଟ ସହନ୍ତି, ଅନ୍ୟାୟ ଓ ଉତ୍ପୀଡ଼ନର ଶିକାର ହୁଅନ୍ତି ବୋଲି ପରିବର୍ତ୍ତନ ଆସେ, ବିପ୍ଳବ ହୁଏ...ସେଇ ବାଟରେ ଥିବା ଗାଡ଼ଗୁଡ଼ାକ ଶହୀଦମାନଙ୍କର ହାଡ଼ମାଂସ ପଡ଼ି ସମତଳ ହୁଏ... ।

 

ହଠାତ୍‌ ହାତଘଡ଼ିକୁ ଚାହିଁଦେଇ ଚମକିଲା ପରି ସତ୍ୟଜିତ୍‌ କହିଲା, କ୍ଷମା କରିବ...ମୁଁ ଭାବପ୍ରବଣ ହୋଇଯାଇ ସ୍ଥାନ, କାଳ ଭୁଲି ଯାଇଥିଲି...ତମେ ଲୁଗା ବଦଳାଅ...ମୁଁ ବି ଧୂଆଧୋଇ ହୋଇ ଆସେ, ରାତି ଅନେକ ହେଲାଣି ।

 

ରାଧାର ଆହୁରି ଶୁଣିବାଲାଗି ମନଥିଲା; କିନ୍ତୁ ହାତଘଡ଼ିକୁ ଚାହିଁ ସେ ବି ଉଠିଗଲା ।

 

ବିଶାଖାକୁ ସବୁ ସଜ କରିବାକୁ କହି ରାଧା ଗଲା ଗାଧୋଇବା ପାଇଁ ।

 

ଦୁହେଁ ଆସି ଖାଇବାକୁ ବସିଲାବେଳକୁ ସାଢ଼େ ଏଗାରଟା ।

 

-ଆଉ ସମୟ ପାଇନି ରାନ୍ଧିବା ପାଇଁ...ସବୁ ବିଶାଖା ରାନ୍ଧିଛି... । ସଫେଇ ଦବାପରୀ କହିଲା ରାଧା ।

 

-ତମର ଛାତ୍ରୀ ସେ...ଖାଇବା ପଦାର୍ଥ ବେଶ ଲୋଭନୀୟ ଦିଶୁଛି...ଆଘ୍ରାଣଂ ଅର୍ଦ୍ଧ ଭୋଜନଂ... ।

 

ହସିଲା ରାଧା ।

 

-ତମେ ବେଶ୍‌ ପ୍ରସନ୍ନ ମନେହେଉଛ... । ଚନ୍ଦ୍ରକୁ ଚାହିଁଥିବା ସମୁଦ୍ର ପରି... ।

 

-ତମେ ଓକିଲ ନ ହୋଇ କବି ହୋଇ ପାରିଥାଆନ୍ତ ।

 

-ବିଧିଲିପି ! ସବୁ ଅଦୃଷ୍ଟ ! କର୍ଣ୍ଣପରି... ।

 

-କର୍ଣ୍ଣ ପରି କାହିଁକି ?

 

-ଶୁତପୁତ୍ର କହି ତାକୁ ପ୍ରତିଯୋଗିତାରେ ଭାଗ ନବାଲାଗି ମନା କରି ଦେଲେ ଦ୍ରୌପଦୀ, ନ ହେଲେ ଇତିହାସ ଅନ୍ୟପ୍ରକାର ହୋଇଥା’ନ୍ତା ।

 

-କର୍ଣ୍ଣପାଇଁ ମୋର କିନ୍ତୁ ଦୁଃଖ ହୁଏ... ।

 

-ବୀରଭୋଗ୍ୟା ବସୁନ୍ଧରା, ତଥାପି କର୍ଣ୍ଣ ମହାବୀର ହୋଇ ମଧ୍ୟ ବସୁନ୍ଧରାକୁ ଭୋଗ କରିପାରିଲେ ନାହିଁ...ଦ୍ରୌପଦୀକୁ ମଧ୍ୟ ପାଇଲେ ନାହିଁ...ଏପରି ଜଣେ ଶ୍ରେଷ୍ଠ ବୀରର ଭାଗ୍ୟ କେବଳ ବିଡ଼ମ୍ୱନାରେ ପୂର୍ଣ୍ଣ ଦୀର୍ଘଶ୍ୱାସରେ ନିପିଷ୍ଟ... ।

 

ରାଧା ନୀରବ ହୋଇଗଲା... ।

 

ସତ୍ୟଜିତ୍‌ର ସେଇ କ୍ଳାନ୍ତ, ଅବସନ୍ନ ମୁହଁ ଭାସିଉଠିଲା ଆଖି ଆଗରେ ।

 

ଖାଇବା ଶେଷ ହେଲା । ଭଲ ରାନ୍ଧିଥିବା ଯୋଗୁ ବିଶାଖାର ଉଚ୍ଚ ପ୍ରଶଂସା କଲା ସତ୍ୟଜିତ୍‌ ।

 

-ଟିକେ ବସିବନି ? କହିଲା ରାଧା ।

 

କିନ୍ତୁ ଯିବାକୁ ତ ହେବ ରାଧା ବାଟ ବି ଦୀର୍ଘ...ଦାର୍ଶନିକ ପରି କହିଲା ସତ୍ୟଜିତ୍‌ ।

 

-ଆଉଟିକେ ରୁହ...ହୁଏତ ଏକା ଏକା ବାଟ ନ ଚାଲି କେହି ଯଦି ସାଥି ଜୁଟିଯାଏ ।

 

ତା’ ମୁହଁକୁ ବିସୂୟବିମୂଢ଼ ହୋଇ ଅନାଇଲା ସତ୍ୟଜିତ୍‌ ।

 

ରାଧା କହୁ କହୁ କ’ଣ କହିଦେଲା ବୋଲି ସ୍ତମ୍ଭିତ ହୋଇଗଲା ନିଜେ ।

 

ଟିକେ ପରେ ସତ୍ୟଜିତ୍‌ ଧୀରେ ଧୀରେ କହିଲା, ତମକୁ ଯେତେ ଦେଖୁଛି ତମେ ସେତିକି ଅଦେଖା ରହିଯାଉଛ... ।

 

-ତମେ କିନ୍ତୁ ମୋ ଆଗରେ ପ୍ରସ୍ଫୁଟିତ ହେବାର ଲାଗିଛ... । ନିଜକୁ ସଜାଡ଼ି ନେଇ କହିଲା ରାଧା ।

 

-ତମକୁ ଭଲଲାଗେ ଦେଖିବା ପାଇଁ ? ପ୍ରଗଳ୍‌ଭ ହୋଇ ପଚାରିଦେଲା ସତ୍ୟଜିତ୍‌ ।

 

-ଏତିକି ଏଯାଏ ବୁଝିପାରିନ ସତ୍ୟଜିତ୍‌...! ପ୍ରବଣତା ରୋଧ କରି ନ ପାରି କହିଲା ରାଧା ।

 

-ତଥାପି ତମ ମୁହଁରୁ ଶୁଣିବାକୁ ଚାହେଁ...ଥରେ ମାତ୍ର କହିଦିଅ... ।

 

ସତ୍ୟଜିତ୍‌ର ହାତ ଉପରେ ହାତ ରଖି କହିଲା ରାଧା, ମୋ ତୁଣ୍ଡର ସବୁ ଶବ୍ଦ କିଏ ହରଣ କରିନେଇଛି...କହିବି କହିବି ହୋଇ ବି କହିପାରିନି...ତମକୁ କେତେ ଭଲପାଏ, ତାହା ବୁଝାଇବାଲାଗି ଭାଷା ନାହିଁ...କିନ୍ତୁ...

 

-କିନ୍ତୁ କ’ଣ ରାଧା ? କୁହ...କୁହ...

 

ରାଧା କମ୍ପିତ କଣ୍ଠରେ କହିଲା, ତମକୁ ଦବାପାଇଁ ଯେ ମୋ ପାଖରେ କିଛି ନାହିଁ... ।

 

-ନା, ନା, ନା, । ମୋତେ ଆଉ ସେ କଥା କୁହନା ରାଧା । ସବୁ ଅଛି...ସବୁ ଅଛି ତମ ପାଖରେ...ମଧ୍ୟରାତ୍ରିରେ ଫୁଟୁଥିବା ଏଇ ଫୁଲ ପରି ତମେ ନିର୍ମଳ...ନିଷ୍ପାପ... ।

 

ରାଧା ଆଉ ସମ୍ଭାଳି ପାରିଲା ନାହିଁ । କୋହରେ ଭାଙ୍ଗି ପଡ଼ିଲା । ସତ୍ୟଜିତ୍‌ ତାକୁ ନିଜ ଉପରେ ଆଉଜାଇ ନେଇ ମଥା ଆଉଁସିବାକୁ ଲାଗିଲା ।

 

ରାଧା ବ୍ୟାକୁଳ ହୃଦୟର ରୁଦ୍ଧଦ୍ୱାରା ଖୋଲିଦେଇ କହିଲା, ଏ ଭଲ ପାଇବା ଏହିପରି ଥାଉ...ଅକ୍ଷୟ ଚିରନ୍ତନ...ଆଉ ମୋତେ ବାଧ୍ୟ କରନା...ଧୂଳିରେ ଲୋଟିଥିବା ଫୁଲ ତୁମ ପୂଜାର ଯୋଗ୍ୟ ନୁହେଁ...ମୋତେ କ୍ଷମାକର...କ୍ଷମାକର ସତ୍ୟଜିତ୍‌...ଆମେ କେବଳ ବନ୍ଧୁ ହୋଇ ରହିବା । ତାହାହିଁ ଆମର ବିଧିଲିପି ।

Image